Unknown

 

 

 

 

 

 

 

 

 

୮୦ତମ ସଂଖ୍ୟା କୋଣାର୍କ ୧୯୯୦

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ମାସିକ ମୁଖପତ୍ର

ଅଶୀତିତମ ସଂଖ୍ୟା, ୧୯୯୦

ଗଣକବି ବୈଷ୍ଣବ ପାଣି ବିଶେଷାଙ୍କ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂପାଦକ : ଶ୍ରୀ ବିନୋଦ ଚନ୍ଦ୍ର ନାୟକ

ପରିଚାଳନା ସଂପାଦକ : ଶ୍ରୀ ଇନ୍ଦୁଭୂଷଣ କର

ପ୍ରକାଶକ ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ଵର-୧୪

ପ୍ରକାଶ କାଳ : କୁମାର ପୂର୍ଣ୍ଣିମା, ୧୯୯୦

ପ୍ରଚ୍ଛଦ : ଶ୍ରୀ ହରିଶ୍‌ ସିହ୍ନାବାବୁ

ମୁଦ୍ରଣ : ସପ୍ତର୍ଷି ପ୍ରିଣ୍ଟର୍ସ

ମଧୁପାଟଣା, କଟକ-୧୦

ମୂଲ୍ୟ : ଷୋହଳ ଟଙ୍କା ମାତ୍ର

ଗଣକବି ବୈଷ୍ଣବ ପାଣି

ଆବିର୍ଭାବ : ୧୮୮୨ ମସିହା କୁମାର ପୂର୍ଣ୍ଣିମା

ତିରୋଭାବ : ୧୯୫୬ ମସିହା ବୈଶାଖ ଅମାବାସ୍ୟା

 

ଗଣକବି ବୈଷ୍ଣବ ପାଣିଙ୍କ ସଂକ୍ଷିପ୍ତ ଜୀବନ-ଚରିତ

ଜନ୍ମ :୧୮୮୨ ମସିହା କୁମାର ପୂର୍ଣ୍ଣିମା, କଟକ ଜିଲ୍ଲା ଅନ୍ତର୍ଗତ କୋଠପଦା ଗ୍ରାମରେ । ପିତାଙ୍କ ନାମ ସୁଦର୍ଶନ ପାଣି ଓ ମାତାଙ୍କ ନାମ ଚାନ୍ଦଦେବୀ-ବାଲ୍ୟନାମ ଶତ୍ରୁଘ୍ନ-ବାଲ୍ୟାବସ୍ଥାରୁ ସାଘାଂତିକ ରୋଗରେ ପୀଡ଼ିତ ଥିବାରୁ ପିତାମାତା ଜଗନ୍ନାଥଙ୍କ ବଡ଼ଛତା ତଳେ ତାଙ୍କୁ ବୈଷ୍ଣବ କରି ଦେଇଥିଲେ-ସେହି ଦିନଠାରୁ ସେ ପରିଚିତ ହେଲେ ‘ବୈଷ୍ଣବ ପାଣି’ ନାମରେ-ଦାରିଦ୍ର୍ୟ ହେତୁ ଏଗାର ବର୍ଷ ବୟସରେ କୋଠପଦା ମହନ୍ତ ରଘୁନାଥ ପୁରୀ ଗୋସ୍ଵାମୀଙ୍କ ଅଧୀନରେ ଫୁଲତୋଳା ଓ ଫୁଲଗୁନ୍ଥା କାର୍ଯ୍ୟରେ ନିଯୁକ୍ତ-ପରିବାର ପ୍ରତିପୋଷଣ ପାଇଁ କିଛି ଦିନ ପାଇଁ ଗୋ-ରକ୍ଷକ ଭାବେ ନିଯୁକ୍ତ-ନୃତ୍ୟସଙ୍ଗୀତାଦି ଶିକ୍ଷାପାଇଁ ଡେରାବିଶିନିବାସୀ ସ୍ଵର୍ଗତ ଶିବରାମ ସିଂହଙ୍କ ତତ୍ତ୍ଵାବଧାନରେ ଅବସ୍ଥାପିତ-ନାଟ୍ୟ ଓ ସଙ୍ଗୀତ କଳା ସମ୍ପର୍କରେ ସମ୍ୟକ୍‌ ଶିକ୍ଷାଲାଭ ଓ ଆଗ୍ରହ ସୃଷ୍ଟି-ସ୍ଥାନୀୟ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରାବାସରେ ପାଚକ ରୂପେ ନିଯୁକ୍ତ । ତତ୍କାଳୀନ ପ୍ରଧାନ ଶିକ୍ଷକ ଭୋଳାନାଥ ମିଶ୍ରଙ୍କ ଅନୁଗ୍ରହରୁ ଚତୁର୍ଥ ଶ୍ରେଣୀରେ ବିନା ଦରମାରେ ଶିକ୍ଷା ଲାଭ-ଦାରିଦ୍ର୍ୟର ତାଡ଼ନା ହେତୁ ୧୭ ବର୍ଷ ବୟସରେ ଷଷ୍ଠ ଶ୍ରେଣୀରୁ ଶିକ୍ଷାର ପରିସମାପ୍ତି । ଚାରିଟଙ୍କା ବେତନରେ ନୃତାଙ୍ଗରେ ଗୃହଶିକ୍ଷକତା-ବେହେଲା ଓ ହାରମୋନିଅମ୍‌ ଆଦି ବାଦ୍ୟଯନ୍ତ୍ର ଶିକ୍ଷା-କାବ୍ୟବ୍ୟାକରଣାଦି ପଠନ ଓ ଜ୍ଞାନଲାଭ-୧୯ ବର୍ଷ ବୟସରେ ଜଳୌକା ନିକଟବର୍ତ୍ତୀ ଦେବିଲ୍‌ ଗ୍ରାମନିବାସୀ ଜୟରାମ ପଣ୍ଡାଙ୍କ କନ୍ୟାସହ ବିବାହ ସଂପନ୍ନ-ଧର୍ମପତ୍ନୀ ତ୍ୟାଗ ଓ ଅସବର୍ଣ୍ଣ ବିବାହ-ପାଲାଗାୟକ ଭାବରେ ଅର୍ଥୋପାର୍ଜନ-ଗାୟକ ପଦରୁ ବିଦାୟ-ମାଳୀହତା ଗ୍ରାମରେ ମାସକୁ ମାତ୍ର ଚାରିଟଙ୍କା ବେତନରେ ଓସ୍ତାତି-କୋଠପଦା ମହନ୍ତଙ୍କ ଯାତ୍ରାଦଳର ତତ୍ତ୍ଵାବଧାରକ ଭାବେ ନିଯୁକ୍ତି-୨୧ ବର୍ଷ ବୟସରେ ସର୍ବପ୍ରଥମ ଗୀତିନାଟ୍ୟ ‘ମେଘନାଦ ବଧ’ ରଚନା-କଳାପଟୁତା ଓ ନିପୁଣ ସଙ୍ଗୀତ ସଂଯୋଜନା ପାଇଁ ବହୁ ଅର୍ଥ-ପୁରସ୍କାର ଲାଭ-ବହୁକୁଦର ବିଶିଷ୍ଟ ଜମିଦାରିଣୀ ସରୋଜିନୀ ଦାସୀଙ୍କ ନିମନ୍ତ୍ରଣକ୍ରମେ ସେଠାରେ ଏକ ଯାତ୍ରାଦଳ ସୃଷ୍ଟି-ତାଙ୍କ ତତ୍ତ୍ଵାବଧାନରେ ଆନନ୍ଦପୁରଠାରେ ଏକ ଯାତ୍ରାଦଳ ଗଠନ-ଓଡ଼ିଶାର ମୋଗଲ ବନ୍ଦୀ ଓ ଗଡ଼ଜାତ ଅଞ୍ଚଳରେ ଏବଂ କଲିକତାରେ ଯାତ୍ରା ପରିବେଷଣ କରି ବହୁ ସୁନାମ ଅର୍ଜନ-ବାଦୀ ଯାତ୍ରାରେ ସ୍ଵକୀୟ ଅଲୌକିକ ଆଶୁକବି-ପ୍ରତିଭାର ପରିଚୟ ଦେଇ ପୁରସ୍କାର ସ୍ଵରୂପ ସୁନା ଘଣ୍ଟା ଓ ବହୁ ସ୍ଵର୍ଣ୍ଣ ଓ ରୌପ୍ୟ ପଦକ ପ୍ରାପ୍ତ-ଶତାଧିକ ଗୀତିନାଟ୍ୟ, ଗୀତାଭିନୟ ଓ ସୁଆଙ୍ଗାଦି ରଚନା କରି ସେ ‘ଗଣକବି’ ନାମରେ ସୁପରିଚିତ-୧୯୫୬ ମସିହା ବୈଶାଖ ଅମାବାସ୍ୟା ଦିନ ତାଙ୍କର ଜୀବନ-ଦୀପ ନିର୍ବାପିତ ।

 

ଓଡ଼ିଆ ସାହିତ୍ୟ-ସଂସ୍କୃତିକୁ ଗଣକବିଙ୍କ ମହନୀୟ ଅବଦାନ

ସଂପର୍କରେ କେତେକ ବିଶିଷ୍ଟ ସାହିତ୍ୟିକଙ୍କ ଅଭିମତ :

 

ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ :

ଆଜିର ଯୁଗ ଶ୍ରମିକର ଯୁଗ, ଖଟିଖିଆର ଯୁଗ । ପାଣି କବି ଏହି ଯୁଗର ହିଁ କବି । ତାଙ୍କ ରଚନା ଓଡ଼ିଶା ମାଟିରୁ ଗଜା ହୋଇ ଶ୍ରେଷ୍ଠ ଲୋକସାହିତ୍ୟର ପର୍ଯ୍ୟାୟଭୁକ୍ତ ହୋଇ ସାରିଛି-ଲାଭ କରିଛି ସାକ୍ଷର, ନିରକ୍ଷର, ମାଲିକ, ମଜଦୁର୍‌ ସମସ୍ତଙ୍କ ସ୍ଵୀକୃତି ।

 

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ :

ପାଣିଙ୍କ ରଚନାରେ କେତେ ମନର ଲୁଚାଛପା ମରମ କଥାସବୁ ସରଳ ଭାଷାରେ ଚିତ୍ର ହୋଇଛି, ତାର ଠିକଣା ନାହିଁ । ପଦେ ପଦେ ଗୀତ ଭିତରେ ସେ ଗଦାଏ ଗଦାଏ ଭାବ ପରଷି ଦେଇ ପାରିଛନ୍ତି ।

 

ଶ୍ରୀ ସୁରେନ୍ଦ୍ର ମହାନ୍ତି :

ବୈଷ୍ଣବ ପାଣିଙ୍କ ଜୀବନ ଅତିବାହିତ ହୋଇଥିଲା କର୍ଦ୍ଦମପଙ୍କ ଭିତରେ; କିନ୍ତୁ ତାଙ୍କ କବିତ୍ଵର ପଙ୍କଜ ଆମ୍ଭମାନଙ୍କର ରସ-ଚେତନାକୁ ଆଜି ସୁଦ୍ଧା ସୁରଭିତ କରି ରଖିଅଛି । ତାଙ୍କ ସ୍ପର୍ଶରେ ପୁଣି ପଙ୍କ ସୁଧା-ଗୋଳା-ଚନ୍ଦନରେ ପରିଣତ ହୋଇଅଛି ।

 

ଶ୍ରୀ ଗୋପାଳ ଛୋଟରାୟ :

ବୈଷ୍ଣବ ପାଣିଙ୍କର ପ୍ରତିଭା ଚିରଅମ୍ଳାନ । ସେ ପ୍ରତିଭା ଯାହା କିଛି ସୃଷ୍ଟି କରିଯାଇଛି ତାହା ସ୍ଵର୍ଣ୍ଣପରି କାଳଜୟୀ-ଚିରଭାସ୍ଵର-ଚିରଜାଜ୍ଵଲ୍ୟମାନ ।

 

ସମ୍ପାଦକୀୟ

ଏକ ବିନମ୍ର ଶ୍ରଦ୍ଧାଞ୍ଜଳି :

ପ୍ରଥମ ମହାଯୁଦ୍ଧ ଶେଷବେଳକୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ଲୋକମନୋରଞ୍ଜନ ପାଇଁ ଗୀତାଭିନୟର ଭୂମିକା ପ୍ରାୟ ନଥିଲା । ଡାଲଖାଇ, ରସରକେଲି, କରମା, ଦଣ୍ଡନାଟ, ଜାଇଫୁଲ ଇତ୍ୟାଦି ଲୋକନୃତ୍ୟ ସହିତ ସଙ୍ଗୀତର ବ୍ୟବହାର ହେଉଥିଲା । କିନ୍ତୁ ରାଜା ଏବଂ ଜମିଦାରମାନଙ୍କ ପୃଷ୍ଠପୋଷକତାରେ ରାମାୟଣ ମହାଭାରତର ବିଶେଷ ବିଶେଷ ଅଂଶ ବଚନିକା ମାଧ୍ୟମରେ ଅଭିନୀତ ହେଉଥିଲା ଏବଂ ସ୍ଥାନୀୟ ଲେଖକ ଗଣ ଏହାର ସଂଳାପ ରଚନା କରୁଥିଲେ । କୁଚିଣ୍ଡାର ତତ୍‌କାଳୀନ ତହସିଲଦାର ନାରାୟଣ ଚନ୍ଦ୍ରଦାସଙ୍କ ‘ସୀତା ପାତାଳ ପ୍ରବେଶ’ ଏବଂ ‘ସୀତା ବର୍ଜନସେମାନଙ୍କ ମଧ୍ୟରେ ଅନ୍ୟତମ । ଏ ସମସ୍ତର ପାଣ୍ଡୁଲିପି ପ୍ରକାଶିତ ହୋଇ ନାହିଁ । ଚିକିଟି ମହାରାଜାଙ୍କ ‘ପରିମଳା ସହଗମନ’ ପ୍ରକାଶିତ ହୋଇଥିଲେ ମଧ୍ୟ ତାହା ପ୍ରାୟ ଥିଏଟର ପର୍ଯ୍ୟାୟର ହୋଇଥିବାରୁ ମୁକ୍ତ ଅଙ୍ଗନ ଅଭିନୟ ପାଇଁ ଉପଯୁକ୍ତ ହୋଇନଥିଲା । କ୍ରମଶଃ ଗଡ଼ଜାତର ରାଜଧାନୀମାନଙ୍କରେ ବଙ୍ଗ ନାଟ୍ୟକାର ଦ୍ଵିଜେନ୍ଦ୍ରଲାଲ ରାୟଙ୍କ ନାଟକ ସମସ୍ତର ଓଡ଼ିଆ ଅନୁବାଦ ହୋଇ ବିଶେଷ ଉତ୍ସବରେ ମଞ୍ଚସ୍ଥ ହେଉଥିଲା । ‘ବଙ୍ଗେ ବର୍ଗୀ’, ‘ଗୈରିକ ପତାକା’ ଇତ୍ୟାଦିର ଓଡ଼ିଆ ଅନୁବାଦ ବିଶେଷ ଭାବରେ ନୂତନ ଶୈଳୀରେ ଶିକ୍ଷିତ ସଂପ୍ରଦାୟ ଉପସ୍ଥାପନା କରୁଥିଲେ । ଏହି ସମୟରେ ଅଶ୍ଵିନୀ କୁମାର ଘୋଷ, ଭିଖାରୀ ଚରଣ ପଟ୍ଟନାୟକ, ରାମଚନ୍ଦ୍ର ମହାପାତ୍ର, ଚୂଡ଼ାମଣି ନାୟକ ଇତ୍ୟାଦିଙ୍କ ଓଡ଼ିଆ ନାଟକମାନ ମଧ୍ୟ ଅଭିନୀତ ହେବାକୁ ଲାଗିଲା । କିନ୍ତୁ ଗ୍ରାମାଞ୍ଚଳରେ ଏହାର କୌଣସି ପ୍ରଭାବ ନଥିଲା । କାରଣ ରଙ୍ଗମଞ୍ଚ ନିର୍ମାଣ, ମୂଲ୍ୟବାନ ପୋଷାକ ଏବଂ ପର୍ଦ୍ଦାର ବ୍ୟବହାର ଇତ୍ୟାଦି ଅତ୍ୟନ୍ତ ବ୍ୟୟସାପେକ୍ଷ ଥିଲା । ଏତଦ୍‌ବ୍ୟତୀତ ଏକ ନିର୍ଦ୍ଦିଷ୍ଟ ନକ୍‌ସା ମଧ୍ୟରେ ଏହି ନାଟ୍ୟକାରମାନଙ୍କ ନାଟକ ଉପସ୍ଥାପନା ଏବଂ ଅଙ୍କ ଦୃଶ୍ୟ ପରିକଳ୍ପନା ସର୍ବୋପରି ଅମିତ୍ରଛନ୍ଦରେ ସଂଳାପ ମଧ୍ୟରେ ଗୋଟିଏ ପ୍ରକାର ସଂଭ୍ରାନ୍ତ ପରିଶୀଳନତା ଥିଲା, ଯାହା ଗ୍ରାମୀଣ ମଣିଷର ଦୈନନ୍ଦିନ ପର୍ଯ୍ୟାୟରୁ ବହୁ ଦୂରରେ ପର୍ଯ୍ୟବସିତ ହୋଇ ରହିଥିଲା ।

 

ବୈଷ୍ଣବ ପାଣିଙ୍କ ଗୀତାଭିନୟ ଏକ ପ୍ରକାର ପରିଚ୍ଛନ୍ନ ମୁକ୍ତ ପରିବେଶ ସୃଷ୍ଟିକଲା ଗ୍ରାମ୍ୟ ଜୀବନ ପରିସରରେ । ତାଙ୍କର ସଂଳାପ ଗୀତିଧର୍ମୀ ହେଲେ ମଧ୍ୟ ମଧ୍ୟଯୁଗୀୟ ଛାନ୍ଦରୀତିକୁ ଅନୁସରଣ କରୁଥିଲା । ଯଥା-

 

“କାନ୍ଦିଲେ କି ହେବ କରୀନ୍ଦ୍ରଗମନା ।

ଇନ୍ଦ୍ର କି ସହଜେ ଛାଡ଼ିବ”

 

ଏ ପ୍ରକାର ଶବ୍ଦ ସଂଯୋଜନା ରୀତି ପ୍ରତି ଅନୁକୂଳ ରୁଚି ପ୍ରସ୍ତୁତ ହୋଇଯାଇଥିଲା ପାଲା ମାଧ୍ୟମରେ । କବିକର୍ଣ୍ଣଙ୍କ ଷୋଳପାଲା ଯଦିଓ ବର୍ଣ୍ଣନାତ୍ମକ ସତ୍ୟପୀର କାହାଣୀ ସମ୍ବଳିତ ଏବଂ ଧର୍ମ ସମନ୍ଵୟର ମେରୁଦଣ୍ଡ ଉପରେ ଅଧିକୃତ, ତଥାପି କୁଶଳୀଗାୟକଗଣ ରୀତିଯୁଗର ପ୍ରାୟ ସମସ୍ତ କାବ୍ୟରୁ ଉଦ୍ଧୃତି ସ୍ଵ ସ୍ଵ ଦୃଷ୍ଟି କୋଣରୁ ଉପସ୍ଥାପନ କରୁଥିଲେ । ମଧ୍ୟ ମଧ୍ୟରେ ସଂଳାପ-ସମନ୍ଵିତ ଅଭିନୟ ମଧ୍ୟ ପ୍ରୟୋଗ କରୁଥିଲେ । ଏ ପ୍ରକାର ଇଂଗିତ ଅଭିନୟ ଦର୍ଶକଗଣଙ୍କ ଯଦିଓ ଈପ୍‌ସାକୁ କିୟତ୍‌ ପରିମାଣରେ ଉଦ୍‌ବୃତ୍ତ କରୁଥିଲା, ଅଭିନୟ ଦର୍ଶନର ଉତ୍‌କଣ୍ଠାକୁ ପ୍ରାୟ ନୈରାଶ୍ୟରେ ପରିଣତ କରୁଥିଲା ।

 

ବୋଧହୁଏ ୧୯୨୫ ବେଳକୁ ଉତ୍କଳର ପଶ୍ଚିମାଞ୍ଚଳରେ ପ୍ରଥମେ ବୈଷ୍ଣବ ପାଣିଙ୍କ ‘ମେଘନାଦ ବଧଗୀତାଭିନୟର ଆବିର୍ଭାବ ହେଲା । ସଙ୍ଗେ ସଙ୍ଗେ ସମ୍ବଲପୁର ସହରରେ ଦେଖିବାକୁ ମିଳିଲା ହାରମୋନିୟମ୍‌ କ୍ଳାରିଓନେଟ୍‌, ପିତ୍ତଲ ବଂଶୀ, ଡୁବିତବ୍‌ଲା । ଗ୍ରାମାଞ୍ଚଳରେ ଅବଶ୍ୟ ମର୍ଦ୍ଦଳ, ମନ୍ଦିରା ଓ ଗିନିର ବ୍ୟବହାର ଥିଲା । ତେବେ ଏ ନୂତନ ପ୍ରକାର ବାଦ୍ୟଯନ୍ତ୍ରର ଆଭିଜାତ୍ୟ ନୂତନ ଉଲ୍ଲାସ ସଞ୍ଚାର କରିବା ପାଇଁ ସମର୍ଥ ହୋଇ ପାରିଲା । ଏହା ସହିତ ଦେଖାଦେଲା ମଖମଲ କନାରେ ଜରିକାମର କୋଟ, ନକଲି ରେଶମୀ ଶାଢ଼ୀ; ପରୁଷ ଓ ନାରୀ ଭୂମିକା ପାଇଁ ପରଚୂଳା । ଯୁଦ୍ଧ ପାଇଁ ନକଲି ତରଓ୍ଵାର ଏବଂ ପରିଚର୍ଯ୍ୟା ପାଇଁ ଫେସ୍‌ ପାଉଡର ସହିତ ବିଭିନ୍ନ ରଙ୍ଗର ବ୍ୟବହାର । ସର୍ବୋପରି କାର୍‌ବାଇଡ୍‌ ଗ୍ୟାସ୍‌ ଲାଇଟ୍‌ । ଗ୍ରାମ୍ୟ ଜୀବନରୁ ଉଚ୍ଚସ୍ତରରେ ଏକ ସ୍ଵପ୍ନାଳୁ ପରିବେଶ ସୃଷ୍ଟି କରିବା ପାଇଁ ଏ ସମସ୍ତର ସହାୟତା ବୈଷ୍ଣବ ପାଣିଙ୍କ କଳ୍ପିତ ସୃଷ୍ଟିକୁ ରୂପାୟନ କରୁଥିଲା ଯଥାର୍ଥ ଭାବରେ । ଥିଏଟରର ନିୟତି ପରିବର୍ତ୍ତରେ ଅଦୃଷ୍ଟକୁମାରୀ ଗଣ ମଧ୍ୟ ମଧ୍ୟରେ ଦର୍ଶକଙ୍କ ଉତ୍‌କଣ୍ଠା ଅନୁଶୀଳନ କରିବା ଦିଗରେ ଆବିର୍ଭାବ ହେଉଥିଲେ । ଏମାନଙ୍କର ଗଦ୍ୟ ସଂଳାପ ନଥିଲା; ଥିଲା ନୃତ୍ୟ ଏବଂ ସଙ୍ଗୀତ । ସେମିଜ, ଶାୟା, ପରିଚୁଳା ଏବଂ ଘୁଙ୍ଗୁର ମଧ୍ୟବର୍ତ୍ତିତାରେ ଏମାନଙ୍କ ଭୂମିକା ଅତ୍ୟନ୍ତ ଆକର୍ଷଣୀୟ ଥିଲା ।

 

ବୈଷ୍ଣବ ପାଣିଙ୍କ ଯୁଦ୍ଧ କୌଶଳ ଅବତାରଣ ଅତ୍ୟନ୍ତ କଳାକୁଶଳତାର ପରିଚାୟକ । ପାଲାଗାୟକଙ୍କ ଚାମର ଘୂର୍ଣ୍ଣନ ପରି ଦାଏକାରେ କେବଳ ଚାମର ମୁଠିରେ ଖେଞ୍ଚ ଦିଆଯାଏ । ପ୍ରାୟତଃ ବାଦୀପାଲାରେ ପ୍ରତିବାଦୀ ଗାୟକଙ୍କ ପାଇଁ ଏହା ଉଦ୍ଦିଷ୍ଟ । ପାଣିଙ୍କ ପୂର୍ବ ଅଭିନୟରେ ଶରଯୁକ୍ତ ଧନୁ ବ୍ୟବହାର ହେଉଥିଲା । ତିନୋଟି ଶର ଧନୁ ବେଣ୍ଟ ସହିତ ସଂଯୁକ୍ତ ହୋଇ ରହୁଥିବାରୁ ଶର ପ୍ରକ୍ଷେପର ସୁବିଧା ନଥିଲା । ଗୁଣ ଟାଣି ଛାଡ଼ିଦେଲେ ଶର ସବୁର ମଝି ଭାଗ ବେଣ୍ଟରେ ବାଜି ‘ଠକ୍‌’ ଶବ୍ଦ ହେଉଥିଲା । କେବଳ ରାବଣ ବଧ ବେଳକୁ ଏକ ସ୍ଵତନ୍ତ୍ର ‘ବ୍ରହ୍ମଶର’ ରାବଣ ରାମ ହାତରୁ କୌଶଳ କ୍ରମେ ନେଇ ଛାତିରେ ଚାପି ଧରି ପଡ଼ି ଯାଉଥିଲା ଏବଂ ରାମ ରାବଣକୁ ସେତେବେଳେ ରାଜନୀତି ପଚାରୁଥିଲେ । କବି ପାଣିଙ୍କ ଅଭିନୟ ପ୍ରାୟ ଖଡ଼୍‌ଗ ଯୁଦ୍ଧ ଥିଲା । ଉଭୟ ପକ୍ଷ ଖଢ଼୍‌ଗ ଘୁରାଇ ବୃତ୍ତାକାରରେ ବୁଲୁଥିଲେ ଏବଂ ଯୁଦ୍ଧର ଗଭୀରତା ଢୋଲକ ବାଦ୍ୟ ଦ୍ଵାରା ନିୟନ୍ତ୍ରଣ କରାଯାଉଥିଲା । କାଠ ଖଣ୍ଡାରେ ଜରି କାଗଜ ଲଟକାଇ ଦିଆଯାଉଥିଲା । ଉଭୟ ପକ୍ଷର ବଚନିକାରେ ସଙ୍ଗୀତ ଏବଂ କ୍ଵଚିତ ବୀର ବାକ୍ୟ ଉଚ୍ଚାରିତ ହେଉଥିଲା । ଖଡ଼୍‌ଗର ସଂଘର୍ଷ ପ୍ରାୟ ମୁଷ୍ଠି ସଂଘର୍ଷ ଦ୍ଵାରା ସୂଚିତ ହେଉଥିଲା ।

 

ଗୋଟିଏ ଦୃଶ୍ୟ ପରେ ଅର୍କେଷ୍ଟ୍ରା ବା ବାଦ୍ୟ ଐକ୍ୟତାନ ପରେ ନୂତନ ଦୃଶ୍ୟର ସୂଚାନ ମିଳୁଥିଲା । ଅଭିନୟର ପରିଚାଳକ ସିଟି ଦ୍ଵାରା ଅଭିନେତାଙ୍କ ଆଗମନର ନିର୍ଦ୍ଦେଶ ଦେଉଥିଲେ । ପୂର୍ବ ଅଭିନୟମାନଙ୍କ ପାଳିଆ ବୃତ୍ତି ପ୍ରାୟ କମିଯାଇଥିଲା । ଏଥିପାଇଁ ହାରମୋନିୟମର ଗୀତିସ୍ଵର ବ୍ୟବହୃତ ହେଲା । ପ୍ରମ୍‌ପଟିଂ ବା ପଶ୍ଚାଦ୍‌ ଭାଷଣ ପାଇଁ ହାରମୋନିୟମ ବାକ୍‌ସ ଉପରେ ମ୍ୟାନେଜର କେବେ କେବେ ବହିଧରି ବସୁଥିଲେ ।

 

୧୯୩୦ ବେଳକୁ ଉପକୂଳ ଅଞ୍ଚଳରୁ ଗୁରୁଗଣ ଅଭିନୟ ଶିକ୍ଷାଦେବା ପାଇଁ ପଶ୍ଚିମାଞ୍ଚଳକୁ ଆଗମନ କରିଥିଲେ । ଏମାନଙ୍କ ନିର୍ଦ୍ଦେଶ ମାର୍ଜିତ ଥିଲା ହାରମୋନିୟମରେ ସୁର ସଙ୍ଗତି ପ୍ରାୟ ନିର୍ଭୁଲ ଥିଲା । ‘ଲ’ ‘ଳ’ ‘ନ’ ‘ଣ’ର ଉଚ୍ଚାରଣ ସଂଶୋଧିତ ହେବା ପଛରେ ଏମାନଙ୍କ ଅବଦାନ ଉଲ୍ଲେଖନୀୟ ।

 

୧୯୩୨-୧୯୩୩ ବେଳକୁ କବି ବାଳକୃଷ୍ଣ ମହାନ୍ତି କାଳ୍ପନିକ ଗୀତାଭିନୟ ରଚନା କରି ନିଜର ସମ୍ପ୍ରଦାୟ ନେଇ ପଶ୍ଚିମାଞ୍ଚଳ ପରିଭ୍ରମଣ କଲେ । କବି ମହାନ୍ତି କବି ପାଣିଙ୍କ ରଚନା ଶୈଳୀ ପରିତ୍ୟାଗ କଲେ । ତାଙ୍କର ସଂଳାପ ପଦ୍ୟ ଓ ଗଦ୍ୟର ସମ୍ମିଶ୍ରଣ ଥିଲା । ଅଭିନୟ ଅତ୍ୟନ୍ତ ସମ୍ବେଗପୂର୍ଣ୍ଣ, ରୂପଚର୍ଯ୍ୟା ଅତ୍ୟନ୍ତ ନିପୁଣ ଏବଂ ପରିବେଷଣ ଅତି ଉନ୍ନତ ଧରଣର । ନାରୀ ଭୂମିକାରେ ଅବତରଣ କରୁଥିବା ବାମନ ଆଚାର୍ଯ୍ୟଙ୍କ ଅଭିନୟ ସମ୍ମୋହନ ପର୍ଯ୍ୟାୟର ଥିଲା ।

 

କବି ମହାନ୍ତି ପାତ୍ର ପାତ୍ରୀଙ୍କ ପୋଷାକ ପରିକଳ୍ପନା ନିଜେ ହିଁ କରୁଥିଲେ । କାଠଖଣ୍ଡା ପରିବର୍ତ୍ତେ ସେତେବେଳେ ନିକେଲ ତଲବାର ଦେଖାଦେଲା । ଗ୍ୟାସ ଲାଇଟ୍‌ ପରିବର୍ତ୍ତରେ ପେଟ୍ରୋମେକ୍‌ସ । କବି ମହାନ୍ତିଙ୍କ ରଚିତ ‘ପାଣି ଧୋବଣୀ’ ଫାର୍ସ କେତେଟା କବି ପାଣିଙ୍କ ନୈତିକ ଭାବମୂର୍ତ୍ତି କ୍ଷୁଣ୍ଣ କରିଥିଲା । କ୍ରମଶଃ କବି ପାଣିଙ୍କ ପଟଭୂମିରେ ଦଣ୍ଡାୟମାନ ହେଲେ କବି ମହାନ୍ତି । ତାଙ୍କର ‘ସୁଶୀଳ ମାଳତୀ’ ଏକାଦିକ୍ରମେ ଏକ ବର୍ଷ ଧରି ଅଭିନୀତ ହୋଇଥିଲା ।

 

ମୋହନ ଗୋସ୍ଵାମୀଙ୍କ ଥିଏଟର ପାର୍ଟି ପଶ୍ଚିମାଞ୍ଚଳ ପରିଭ୍ରମଣ ସଙ୍ଗେ ସଙ୍ଗେ କବି ମହାନ୍ତି ନିଷ୍ପ୍ରଭ ହୋଇପଡ଼ିଲେ । ଗ୍ରାମାଞ୍ଚଳରେ ‘ରାସ ଲୀଳା’ ଅଭିନୀତ ହେଲା ନାହିଁ ସତ୍ୟ କିନ୍ତୁ ତାଙ୍କର ସଙ୍ଗୀତ ସବୁ ନେଇ ‘ସଂପ୍ରଦାସଂଘ ମୃଦଙ୍ଗ ଓ ମନ୍ଦିରା ତାଳରେ ନୃତ୍ୟ କରିବାକୁ ଲାଗିଲେ ।

 

ଅଭିନୟ ପଟ୍ଟଭୂମିରେ ବ୍ୟବସାୟିକ ସଫଳତା ଯାହା ହେଉନା କାହିଁକି କବି ବୈଷ୍ଣବ ପାଣିଙ୍କ କବିତା ରଚନା ଶୈଳୀ ଥିଲା ଶାଶ୍ଵତ ପାଟବର (classical) । ଶ୍ଳେଷ ଯମକ ଏବଂ ଅଳଙ୍କାର ବ୍ୟବହାରରେ ସେ କୁଶଳୀ କରିଗର ଥିଲେ ଏବଂ ଏ ଦିଗରେ କବି ମହାନ୍ତି ଏବଂ ମୋହନ ଗୋସ୍ଵାମୀଙ୍କଠାରୁ ବହୁ ଅଗ୍ରଣୀ । ବାଚନିକ ରୀତିର ଛାନ୍ଦ ରଚନାରେ ବୋଧହୁଏ ସେ ଅନନ୍ୟ ପ୍ରତିଭା । ପ୍ରାୟ ଷାଠିଏ ବର୍ଷ ତଳର ଶୁଣା ଏକ ସଂଗୀତ ଏବେ ସୁଦ୍ଧା ସ୍ମୃତିରେ ଗୁଞ୍ଜରଣ କରି ଉଠେ-

 

କରକରଦନାରେ କର ମେଲାଣି ।

ନଖ ମାଜି ବେଣୀ ସାଜି ଦେବି ଗୋରୀ

ବାରେ ସିଉକାର କର ବିମ୍ବାଧରୀ

ଦେଖ ଦୂରେ ବେଳ ଗଲାଣି ।

 

ତାଙ୍କ କାବ୍ୟ ଧର୍ମ ‘Poetry is emotion’ ପର୍ଯ୍ୟାୟର । ଏହା ସ୍ଵତଃ ପ୍ରବାହିତ ସ୍ରୋତ ଧାରା ପରି ପରିଚ୍ଛନ୍ନ । ସେକସ୍‌ପିୟରଙ୍କ ଉକ୍ତିରେ ‘Our poetry is a gum which oozes from whence it is nourished. ଗଣକବି ବୈଷ୍ଣବ ପାଣିଙ୍କ ପ୍ରତି ଏହାହିଁ ପ୍ରଯୁଜ୍ୟ ।

ବିନୋଦ ଚନ୍ଦ୍ର ନାୟକ

***

 

ବିଷୟ-ସୂଚୀ

୧.

ପାଣିକବି କଥା ପାଣିରେ ଭାସୁଛି

ବାଣୀ ସେବା କରି କରି

ଶ୍ରୀ ଶରତ କୁମାର କର

୨.

ବୈଷ୍ଣବ ପାଣିଙ୍କ ରଚନାରେ

ସମସାମୟିକ ସମାଜ-ଜୀବନ

ଡକ୍ଟର ହେମନ୍ତ କୁମାର ଦାସ

୩.

ସମକାଳୀନ ଗୀତିନାଟ୍ୟକାରଙ୍କ

ମଧ୍ୟରେ ଗଣକବି ବୈଷ୍ଣବ ପାଣିଙ୍କ ସ୍ୱାତନ୍ତ୍ର୍ୟ

ଡକ୍ଟର ବୈଷ୍ଣବ ଚରଣ ସାମଲ

୪.

ବୈଷ୍ଣବ କବି ବୈଷ୍ଣବ ପାଣି

ଡକ୍ଟର ଭଗବାନ ପଣ୍ଡା

୫.

ଓଡ଼ିଆ ନାଟ୍ୟ-ସାହିତ୍ୟକୁ ଗଣକବି

ବୈଷ୍ଣବ ପାଣିଙ୍କ ଅବଦାନ

ଶ୍ରୀ ଇନ୍ଦୁଭୂଷଣ କର

୬.

ନାଟ୍ୟକାର ବୈଷ୍ଣବ ପାଣି

ଡକ୍ଟର ପ୍ରସନ୍ନ କୁମାର ମିଶ୍ର

୭.

ଗଣକବିଙ୍କ ରଚନାରେ

ନାରୀ-ଚରିତ୍ରର ବୈଶିଷ୍ଟ୍ୟ

ଡକ୍ଟର ସଂଘମିତ୍ରା ମିଶ୍ର

୮.

ସେଇ ଛୋଟ ଘଟଣାଟି

ଶ୍ରୀ ଗୋପାଳ ଛୋଟରାୟ

୯.

ବ୍ୟାସ, ସାରୋଳ, ବଇଷ୍ଣବ

ତୁଳନା କିଏ କାହାର

ଶ୍ରୀ ହୃଷୀକେଶ ମଲ୍ଲିକ

୧୦.

ବୈଷ୍ଣବ ପାଣି : ବ୍ୟକ୍ତି ଓ ଅନୁଷ୍ଠାନ

ନିତ୍ୟାନନ୍ଦ ଶତପଥୀ

୧୧.

ଓଡ଼ିଆ ନାଟ୍ୟ ସାହିତ୍ୟ ଓ ବୈଷ୍ଣବ ପାଣି

ପଣ୍ତିତ ନୀଳମଣି ମିଶ୍ର

୧୨.

ବୈଷ୍ଣବ ପାଣି : ଏକ ନବ ମୂଲ୍ୟାୟନ

ଡକ୍ଟର ନାରାୟଣ ସାହୁ

୧୩.

ରସିକ କବି ବୈଷ୍ଣବ ପାଣିଙ୍କ ରସ-ମାନସ

ଶ୍ରୀ ଭବାନୀ ପ୍ରସାଦ ସିଂହ

୧୪.

ବୈଷ୍ଣବ ପାଣିଙ୍କ ଲକ୍ଷଣା ପରିଣୟ :

ଏକ ପର୍ଯ୍ୟାଲୋଚନା

ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକ

୧୫.

ପାଣିକବିଙ୍କ ପୌରାଣିକ ନାଟକରେ

ସୌନ୍ଦର୍ଯ୍ୟ-ଚେତନା

ଶ୍ରୀ ହରେକୃଷ୍ଣ ପାତ୍ର

୧୬.

ଗଣକବି ପାଣିଙ୍କ ଭଜନ-ଜଣାଣ

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

୧୭.

ଗଣକବି ବୈଷ୍ଣବ ପାଣି : ଲୌକିକ ଓ

ବୌଦ୍ଧିକତାର ସମନ୍ୱିତ ପ୍ରତିଭା

ଶ୍ରୀ ରମାକାନ୍ତ ରାଉତ

୧୮.

ଗଣକବି ପାଣିଙ୍କ କୃତି ଓ କୀର୍ତ୍ତି

ଶ୍ରୀ ପ୍ରଭାକର ସ୍ୱାଇଁ

୧୯.

ଗୀତିନାଟ୍ୟର ପ୍ରୟୋଗବାଦୀ ଭୂମିକା

ଓ ଗଣକବି ବୈଷ୍ଣବ ପାଣି

ଶ୍ରୀ ହରିହର ମିଶ୍ର

 

***

 

‘‘ପାଣି କବି କଥା ପାଣିରେ ଭାସୁଛି ବାଣୀସେବା କରି କରି’’

ଶ୍ରୀ ଶରତ କୁମାର କର

 

ଯେଉଁ ଗଣକବି ବୈଷ୍ଣବ ପାଣି ଶରତ ପୂର୍ଣ୍ଣିମାରେ ଚନ୍ଦ୍ରଉଦିଆ ଜ୍ୟୋତି ଭଳି ଜନ୍ମ ନେଇ ବୈଶାଖ ଅମାବାସ୍ୟାର ଅନ୍ଧକାର ଭିତରେ ଝରି ଯାଇଥିଲେ, ତାଙ୍କରି ଖେଦୋକ୍ତି ଏ ରଚନାର ଶୀର୍ଷକ ରୂପେ ବ୍ୟବହାର କରି ଓଡ଼ିଆ ଜାତିକୁ ମୁଁ ତାଙ୍କର ଜୟନ୍ତୀ ଅବସରରେ ମନେ ପକେଇ ଦେଉଛି-ପ୍ରତିଭା କିଭଳି ଅବହେଳିତ ହୁଏ । ତେଣୁ ଆଶା କରୁଛି ଏ ସଂସ୍କୃତିସମ୍ପନ୍ନ ଜାତି ବାରମ୍ବାର ସେ ଅବହେଳା ରୂପକ ଅପରାଧରେ ଜଡ଼ିତ ନହେଉ ।

 

ଗଣକବିଙ୍କର ତାତ୍କାଳିକ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଭଳି ଜଣେ ସାହିତ୍ୟିକ ଓ ଐତିହାସିକ ବ୍ୟକ୍ତିଙ୍କ ପାଖକୁ କବିତାରେ ଲେଖା ଯାଇଥିବା ଚିଠିର ଦୁଇଧାଡ଼ି ଉପରେ ଉଦ୍ଧାର କଲି । ଆଉ ଦୁଇ ଚାରି ଧାଡ଼ି ପଢ଼ନ୍ତୁ-ବେଦନା, ଅଶ୍ରୁ, ଅବହେଳା ଅଜାଡ଼ି ହୋଇ ପଡ଼ିଛି କିପରି ସରଳ, ଢଳଢ଼ଳ ଅବିକଳ ଭାବରେ ଜୀବନ୍ତ ଅଭିବ୍ୟକ୍ତି ମଧ୍ୟରେ-

 

‘‘ଶତ ଶତ ବହି ଉତ୍କଳ ଭାଷାରେ

ଲେଖି ଭୋକେ ପଡ଼ି ମରୁଛି ବସାରେ ।

X X X X X

ସରକାର ବୃତ୍ତି ଦେବେ ଦେବେ କହି

ଗଲାଣିତ ବାରମାସ ଆସି ବହି ।

ସଚୀବମାନଙ୍କ ନପଡ଼େ ନଜର

ଏହା ଚିନ୍ତି ଘୋଟିଯାଏ ଚିନ୍ତା ଜ୍ୱର ।’’

 

ଫୁଲତୋଳା, ଗାଈଜଗା କାମ ଭିତରେ ଯିଏ ପିଲାଦିନୁ ପାଠପଢ଼ିବାର ସୁଯୋଗ ପାଇପାରି ନଥିଲେ, ଦାରିଦ୍ର୍ୟର କଶାଘାତରେ ଯେ ମ୍ରିୟମାଣ ସେ ଯେ କିପରି ଏତେ ପ୍ରତିଭାର ଅଧିକାରୀ ହେଲେ ତାହା ଅନୁମାନ କରାଯାଇ ପାରେନା । ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ପୁଝାରୀଗିରି କରି ସାମାନ୍ୟ ପାଠପଢ଼ି ଯାତ୍ରା ସଂଗୀତ ପ୍ରତି ଅନୁରାଗୀ ହୋଇ ସେ ଯେଉଁ ମୌଳିକ ସ୍ୱର, ଭାଷା, ଭାବ ନେଇ ଓଡ଼ିଆ ଯାତ୍ରାକୁ ବା ଗୀତିନାଟ୍ୟକୁ ଏକ ଯୁଗାନ୍ତକାରୀ ନୂଆ ରୂପ ଦେଇ ଯାଇଛନ୍ତି ତାହା ପଢ଼ିଲେ, ଶୁଣିଲେ, ଦେଖିଲେ, ରସଗ୍ରାହୀ, ଗୁଣଗ୍ରାହୀ ମାତ୍ରେ ବୁଝିପାରିବେ ଯେ ବୈଷ୍ଣବ ପାଣି ପ୍ରକୃତ ପକ୍ଷେ କିପରି ଗଣକବି । ସଂସ୍କୃତପ୍ରେମୀ ଓଡ଼ିଆ ଜାତିକୁ ରାତ୍ରି ଉଜାଗର କରାଇ ପୁରାଣ, ଶାସ୍ତ୍ର, ସାମାଜିକ ରୀତିନୀତି, ସାହିତ୍ୟିକ ରସ, ସଙ୍ଗୀତ ସ୍ୱର ଝଙ୍କାର, ନାଟକର ରଙ୍ଗଛଟାରେ ମତୁଆଲ କରି ନିଜ ଲେଖନୀର ଓ ଅଭିନୟର ସ୍ୱତନ୍ତ୍ରତା ଯଦି କିଏ କାଳର କଷଟି ପଥରରେ କଷେଇ ନେଇ ଅସଲି କରି ପାରିଛି ସେ ହେଉଛନ୍ତି ବୈଷ୍ଣବ ପାଣି ।

 

ପାଣିକବି କଥା ପାଣିରେ ହୁଏତ ଭାସିଥିଲା ତାଙ୍କ ଗୁହାରି ସରକାର ଶୁଣି ନଥିଲେ ବୋଲି, କିନ୍ତୁ ପାଣି ଜନତାକୁ ରସ-ସାଗରରେ ଡୁବେଇ ଯାଇଛନ୍ତି । ଆଜି ତାଙ୍କ ରଚନା ଏ ଯୁଗରେ ମଧ୍ୟ କମ୍‌ ଆକର୍ଷଣ କରୁନାହିଁ । ବାଣୀଙ୍କର ପ୍ରକୃତ ସେବକ, ରସିକ ପାଣି ଯଥାର୍ଥରେ ଗଣକବି । ସାମାଜିକ କୁସଂସ୍କାର, ବ୍ରିଟିଶ ଶାସନର ପରାଧୀନତା, ଅସ୍ପୃଶ୍ୟତା, ମାଦକ ବ୍ୟବହାର, ଓଡ଼ିଆର କୁଲିଗିରି ଆଦିର ନିର୍ଭୀକ ସମାଲୋଚନା, ବ୍ୟଙ୍ଗ ସୁଆଙ୍ଗ, ଫାର୍ଶ, ନାଟ୍ୟରେ ଦର୍ଶାଇ ସେ କମ୍‌ ସାମାଜିକ ନେତୃତ୍ୱ ନେଇ ନାହାନ୍ତି । ଶେଲୀଙ୍କ ଉକ୍ତି : ‘‘Poets are unacknowledged Legislators’’ର ପ୍ରକୃତ ଉଦାହରଣ ବୈଷ୍ଣବ ପାଣି । (କବିମାନେ ପରୋକ୍ଷ ବ୍ୟବସ୍ଥାପକ) ସମାଜ ପାଣିଙ୍କ ଗୀତିନାଟ୍ୟର ବହୁ ରୂପରେ ପ୍ରତିଫଳିତ । ଏ କ୍ଷୁଦ୍ର ପ୍ରବନ୍ଧରେ ଗଣକବିଙ୍କ କୃତିତ୍ୱ ବର୍ଣ୍ଣନା ଅସମ୍ଭବ । କିନ୍ତୁ ତାଙ୍କ ଭଳି ଜଣେ ସାଧକ, ସାହିତ୍ୟସେବକ, ଭକ୍ତ, ହାସ୍ୟରସିକ, ସଙ୍ଗୀତ ନାଟ୍ୟପ୍ରେମୀ, ଯାତ୍ରା ଲେଖକ ପ୍ରତିକୂଳ ବାତାବରଣ ସତ୍ତ୍ୱେ, ଦାରିଦ୍ର୍ୟର ତାଡ଼ନା ସତ୍ତ୍ୱେ, ସାମାଜିକ ବାସନ୍ଦ, କୁସଂସ୍କାର ଦ୍ୱାରା ଲାଞ୍ଛିତ ହେବା ସତ୍ତ୍ୱେ ଦୁଇଶହରୁ ଅଧିକ ପୁସ୍ତକ ରଚନା କରି, ଯାତ୍ରା କରି ଅଗଣିତ ସଙ୍ଗୀତ, ଭକ୍ତି ଗୀତ ଲେଖିଯିବା ପ୍ରଚଣ୍ତ ପ୍ରତିଭାର ପରିଚାୟକ ।

 

ନିର୍ଭୀକ ଭାବେ ଜୀବନ ସଂଗ୍ରାମ କରି, ସାହିତ୍ୟ ପାଇଁ ସଂଗ୍ରାମ କରି, ସମାଜର ଅନ୍ୟାୟ, ଅବିଚାର, କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ ଚଳାଇ ସେ ମରଶରୀର ଛାଡ଼ିଲେ ସତ; ମଲାବେଳକୁ ଶବ ବୋହିବାକୁ ଲୋକ ମିଳି ନ ଥିଲେ ସତ; କିନ୍ତୁ ତାଙ୍କର ଅମର ପ୍ରତିଭାକୁ ଶତଜିହ୍ୱ ହୋଇ ଆଜିର ଦର୍ଶକ, ପାଠକ, ନାଟ୍ୟକାର, ଅଭିନେତା, ଗବେଷକ ପ୍ରଶଂସା କରୁଛନ୍ତି । ତାଙ୍କ ଲେଖାର ପ୍ରଭାବରେ ନାଟ୍ୟକାର ଗୋପାଳ ଛୋଟରାୟ, ବୈଷ୍ଣବ ମହାନ୍ତି ଓ ଆଧୁନିକ ଯାତ୍ରା ଲେଖକ ଗୀତିନାଟ୍ୟ ଲେଖାରେ ପ୍ରଶଂସିତ ହୋଇଛନ୍ତି । ତାଙ୍କ ଉପରେ ଗବେଷଣା ଚାଲିଛି । ମୁକ୍ତ ରଙ୍ଗମଞ୍ଚରେ ତାଙ୍କର ଗୀତିନାଟ୍ୟ ଓ ଦୂରଦର୍ଶନ ଏବଂ ଆକାଶବାଣୀରେ ତାଙ୍କ ଯାତ୍ରାର ପରିବେଷଣ ଯେଭଳି ଆକର୍ଷିତ କରୁଛି ଆବାଳବୃଦ୍ଧବନିତାଙ୍କୁ ସେଭଳି ଗଣନାଟକର, ଲେଖକ, ନିର୍ଦ୍ଦେଶକ, ଅଭିନେତା, ସ୍ୱରସଂଯୋଜକ ସବୁ ସେହି ପାଣି-ଯାହାଙ୍କୁ ‘‘ବେହିଆ ବଇଆ’’ କୁହାଯାଉଥିଲା । ଧୋବଣୀ ପ୍ରେମିକ ବ୍ରାହ୍ମଣ ବୈଷ୍ଣବ ‘ପାଣି ଧୋବଣୀ’ ଫାର୍ଶର ନାୟକ ସତ, କିନ୍ତୁ ଓଡ଼ିଆ ଗଣସାହିତ୍ୟର ସେ ଏକ ସୁଗସ୍ରଷ୍ଟା ନାୟକ । ‘ଗଣକବିଙ୍କ ଗୀତିନାଟ୍ୟକୁ’ ପ୍ରେରଣା ଓ ଅର୍ଥ ସାହାଯ୍ୟ କରିବାରେ ଅସ୍ପୃଶ୍ୟା ‘ରଜକିନୀ’ ଓ ତାର ପ୍ରଣୟ ଯେତେ ସମ୍ଭାର ଯୋଗାଇଛି ଓଡ଼ିଆ ଜାତିର ତୁଙ୍ଗ ବ୍ୟକ୍ତିତ୍ୱର ବଡ଼ପଣ୍ତାମାନେ ତାର କିୟଦଂଶ କରିପାରିଥିଲେ ପାଣି-ସାହିତ୍ୟ ଆହୁରି ତୁଙ୍ଗିମା ସ୍ପର୍ଶ କରିଥାଆନ୍ତା । ଯୁଗେ ଯୁଗେ ଓଡ଼ିଆ ଜାତିର ଅବହେଳା ତାର ‘ବାଣୀ ସେବକ’ମାନଙ୍କୁ ପାଣିରେ ପକାଇ ଦେଇଛି । କିନ୍ତୁ ଏବେ ସମୟ ଆସିଛି ଆମେ ଓଡ଼ିଆ ସାହିତ୍ୟ ସେବକମାନଙ୍କୁ ସେ ଅଭିଶାପରୁ ମୁକ୍ତ କରି ଏକ ନୂତନ ପରମ୍ପରା ସୃଷ୍ଟି କରିବା । ନାଟ୍ୟକାର ଗୋପାଳ ଛୋଟରାୟ, କଟକ ଆକାଶବାଣୀ ଓ କଟକ ଜିଲ୍ଲାର ମାହାଙ୍ଗା ଥାନାରେ ଗଣକବି-ସ୍ମୃତି-ସଂସଦର ଆନୁକୂଲ୍ୟରେ କବିଙ୍କ ପ୍ରତିଭାର ପରିବେଷଣ ୨୫ ବର୍ଷରୁ ଊର୍ଦ୍ଧ୍ୱ ହେବ ହୋଇ ଆସିଛି ।

 

ଏ ବର୍ଷ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତଥା ତିନି ଏକାଡେମୀ (ସାହିତ୍ୟ, ଲଳିତ ଓ ସଙ୍ଗୀତ ନାଟକ ଏକାଡେମୀ)ର ମିଳିତ ଉଦ୍ୟମରେ ଗଣକବିଙ୍କ ଜୟନ୍ତୀ ପାଳନ କରାଯାଉଛି ଓ ପ୍ରତିବର୍ଷ ଏହା କରାଯିବ । ରାଜ୍ୟବାସୀଙ୍କୁ, ଗଣକବି-ଗୀତିନାଟ୍ୟ-ପ୍ରେମୀ ଜନସାଧାରଣଙ୍କୁ, ଏହି ପ୍ରତିଭାପୂଜା ଅବସରରେ ମୁଁ ଅନୁରୋଧ କରୁଛି ଏଭଳି ପ୍ରତିଭା ପ୍ରତି ଯଥାଯୁକ୍ତ ଜାତୀୟ ସମ୍ମାନ ପ୍ରଦର୍ଶନ କରିବା ପାଇଁ !!

 

ମାନ୍ୟବର ମନ୍ତ୍ରୀ,

ପର୍ଯ୍ୟଟନ, କ୍ରୀଡ଼ା, ସଂସ୍କୃତି ଏବଂ

ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା

 

ଅମୁହାଁ ଦେଉଳେ ଦିଅଁ ରହିଛି

ଶବଦ ଭେଦି ବଚନ କହୁଛି

ମନରେ, ଦରଶନ ତୁ କର

ସବୁବେଳେ ସେହି ସ୍ଥାନ ଅନ୍ଧାର ।

 

ଜ୍ଞାନରୂପ ଦୀପ ଜାଳିବୁ ଯେବେ

ଷଢ଼ଚକ୍ର ଭେଦି ଯିବୁ ସେଠାବେ,

ମନରେ, ମଣିମୟ ଭୁବନ

ପ୍ରହରୀ ଯହିଁ ଶଶାଙ୍କ ତପନ ।

-ପାଣି ଭଜନ

 

***

 

ବୈଷ୍ଣବ ପାଣିଙ୍କ ରଚନାରେ ସମସାମୟିକ ସମାଜ-ଜୀବନ

ଡକ୍ଟର ହେମନ୍ତ କୁମାର ଦାସ

 

ସାହିତ୍ୟର ସାର୍ଥକତା ଯୁଗୀୟ ଚେତନାର ଯଥାର୍ଥ ଉପସ୍ଥାପନରେ ନିହିତ । ବିଶେଷ କରି ଦୃଶ୍ୟକାବ୍ୟ ପାଇଁ ସମସାମୟିକତା ହେଉଛି ଏକ ଅନିବାର୍ଯ୍ୟ ଉପାଦାନ । ଏହାର ଅଭାବ ଦର୍ଶକମାନଙ୍କୁ ନିରାଶ କରିଥାଏ । ନାଟକର କଥା-ପ୍ରାଚୀନ ଜୀବନରୁ ସଂଗୃହୀତ ହୋଇଥିଲେ ମଧ୍ୟ ତହିଁରେ ସମସାମୟିକ ଜୀବନର ଅଭିବ୍ୟଞ୍ଜନା ସମ୍ପର୍କରେ ଯଥାଯଥ ଦୃଷ୍ଟି ଦିଆଯିବା ଆବଶ୍ୟକ । କାରଣ ଜୀବନ ପ୍ରତି ନାଟ୍ୟକାରଙ୍କର ଦୃଷ୍ଟିକୋଣ ସମ୍ପର୍କରେ ଜାଣିବା ପାଇଁ ଦର୍ଶକମାନେ ଆଗ୍ରହୀ ହୋଇ ଥାଆନ୍ତି । ସମାଜ-ଜୀବନରେ ଘଟୁଥିବା ବା ଘଟିବାକୁ ଯାଉଥିବା ସମସ୍ତ ପ୍ରକାର କ୍ରିୟା ପ୍ରକ୍ରିୟା ସମ୍ପର୍କରେ ଦର୍ଶକମାନେ ନାଟକରୁ ହିଁ ଅନୁଭୂତି ସଂଗ୍ରହ କରିବା ନିମନ୍ତେ ପ୍ରସ୍ତୁତ ହୋଇ ଥାଆନ୍ତି । ତେଣୁ ସମାଜ-ଜୀବନ ସମ୍ପର୍କରେ ଏକ ପରିପୂର୍ଣ୍ଣ ଅନୁଭବ ବ୍ୟତିରେକେ ଜଣେ ସାର୍ଥକ ନାଟ୍ୟକାର ହୋଇ ନପାରେ ।

 

ନାଟକ ଯେହେତୁ ଭିନ୍ନ ରୁଚିର, ଭିନ୍ନ ବର୍ଗର ଦର୍ଶକ ମଣ୍ତଳୀର ସାମୂହିକ ମିଳନ କ୍ଷେତ୍ର, ତେଣୁ ନାଟ୍ୟକାରଙ୍କୁ ସର୍ବଦା ସମାଜକୁ ନୂତନ ଦିଗ୍‌ଦର୍ଶନ ଦେବା ନିମନ୍ତେ ତଥା ରାଷ୍ଟ୍ରକୁ ନୂତନ ମାର୍ଗ ପ୍ରଦର୍ଶନ କରିବା ନିମନ୍ତେ ଶକ୍ତିଧର ହେବାକୁ ପଡ଼ିଥାଏ । ବସ୍ତୁତଃ ଦେଶର ସାମାଜିକ, ରାଜନୈତିକ, ଆର୍ଥିକ ଏବଂ ସାସ୍କୃତିକ ଅବସ୍ଥା ସମ୍ପର୍କରେ ଦର୍ଶକମାନଙ୍କୁ ଏକ ସୁସ୍ପଷ୍ଟ ଧାରଣା ଦେବା ହେଉଛି ନାଟ୍ୟକାରଙ୍କର ପ୍ରଧାନ ଦାୟିତ୍ୱ ।

 

ବୈଷ୍ଣବ ପାଣି ଥିଲେ ଗୋଟିଏ ସମୟରେ ଗ୍ରାମ୍ୟ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନାଟ୍ୟକାରା । ଏହାଙ୍କର ସଫଳତା ପଛରେ ଓଡ଼ିଶାର ଗ୍ରାମୀଣ ଜନତାଙ୍କର ଅବଦାନ ଯଥେଷ୍ଟ ରହିଥିଲେ ହେଁ ନଗର ଅଧିବାସୀ ଯେ ପାଣିଙ୍କର ଗୁଣମୁଗ୍‌ଧ ନଥିଲେ, ଏକଥା କୁହାଯାଇ ପାରିବ ନାହିଁ । ଓଡ଼ିଶା କଥା ବାଦ୍‌ଦେଲେ, ଭାରତର ସର୍ବବୃହତ୍‌ କଲିକତା ନଗରୀର ଦର୍ଶକମାନେ ମଧ୍ୟ ପାଣିଙ୍କ ନାଟ୍ୟ ପରିବେଷଣ ଶୈଳୀରେ ମୁଗ୍‌ଧ ହୋଇଥିଲେ । ଗୋଟିଏ ସମୟରେ କଟକ ସହରରେ ପାଣିଙ୍କର ନିୟମିତ ନାଟକାଭିନୟ କଟକ ସହର ପାଇଁ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲା ଏବଂ ଚବିଶ ଘଣ୍ଟା ମଧ୍ୟରେ ତାଙ୍କୁ କଟକ ସହର ଛାଡ଼ି ଚାଲିଯିବା ପାଇଁ ସରକାରୀ ଆଦେଶ ଦିଆଯାଇଥିଲା ବୋଲି ପାଣି ନିଜର ଆତ୍ମଜୀବନୀରେ ଲେଖିଛନ୍ତି ।

 

ପାଣି ଜଣେ ନାଟ୍ୟକାର ଭାବରେ ସାଧାରଣ ଜନତାଙ୍କର କେବଳ ମନୋରଞ୍ଜନ କରୁ ନଥିଲେ । ସମାଜ ତଥା ରାଷ୍ଟ୍ରର ହିତ ଚିନ୍ତା ମଧ୍ୟ ତାଙ୍କର ଅନ୍ୟତମ ଲକ୍ଷ୍ୟ ଥିଲା । ଏ ପ୍ରସଙ୍ଗରେ ଆମେ ନାଟ୍ୟଶାସ୍ତ୍ରର ପ୍ରଣେତା ଆଚାର୍ଯ୍ୟ ଭରତଙ୍କୁ ସ୍ମରଣ କରିପାରୁଁ, ସମସାମୟିକ ସମାଜ-ଜୀବନରୁ ରାଜନୈତିକ ତଥା ନୈତିକ ବିଶୃଙ୍ଖଳା ଦୂର କରିବା ନିମନ୍ତେ ବଦ୍ଧପରିକର ହୋଇ ଯେ କି ନାଟକର ପରିକଳ୍ପନା କରିଥିଲେ । ନବନିର୍ମାଣ, ସାମାଜିକ ବିକାଶ ତଥା ସାମାଜିକ ସମତା ପ୍ରତିଷ୍ଠା ଥିଲା ତାଙ୍କର ଏକମାତ୍ର ଧ୍ୟେୟ । ପରିଣାମତଃ, ତାଙ୍କ ସମୟର ନାଟକ ‘ବହୁଜନ ସୁଖାୟ’ର ଅନ୍ୟତମ ଦୃଷ୍ଟାନ୍ତ ସ୍ୱରୂପ ଉପସ୍ଥାପିତ ହୋଇଥିଲା । ପାଣିକବିଙ୍କର କଳାଗତ ଲକ୍ଷ ମଧ୍ୟ ଏହାଠାରୁ ଖୁବ୍‌ ଦୂରବର୍ତ୍ତୀ ନ ଥିଲା । ପ୍ରସ୍ତୁତ ପ୍ରବନ୍ଧରେ ଆମେ ଏ ବିଷୟରେ ସଂକ୍ଷିପ୍ତ ଆଲୋଚନା କରିବା ।

 

ଜଣେ କବି ଓ ନାଟ୍ୟକାର ରୂପରେ ପାଣି ନିଜର ଏହି ସାମାଜିକ ଦାୟିତ୍ୱ ସମ୍ପର୍କରେ ପୂର୍ଣ୍ଣ ଅବହିତ ଥିଲେ । ନବରାଷ୍ଟ୍ର ନିର୍ମାଣର ବାଧକ ସ୍ୱରୂପ ଯେଉଁ ଅଶିକ୍ଷା ସମଗ୍ର ଦେଶରେ ନିଜର ବିଶାଳ ପକ୍ଷ ବିସ୍ତାର କରି ବସିଥିଲା, ତହିଁରୁ ଆସୁଥିଲା ଅନ୍ଧବିଶ୍ୱାସ, କୁସଂସ୍କାର ପ୍ରତି ମୋହ ତଥା ସ୍ୱାସ୍ଥ୍ୟ ସମ୍ପର୍କୀୟ ଉଦାସୀନତା । ତେଣୁ ସେ ତାହା ବିରୁଦ୍ଧରେ ନିୟମିତ ଲେଖନୀ ଚାଳନା କରୁଥିଲେ । ପରିଷ୍କାର ପରିଚ୍ଛନ୍ନତା ସହିତ ସୁସ୍ୱାସ୍ଥ୍ୟର ଯେଉଁ ଗୂଢ଼ ସମ୍ପର୍କ ରହିଛି, ସୁଲଳିତ ସଙ୍ଗୀତ ମାଧ୍ୟମରେ ତାହା ନିଜର ଦର୍ଶକମାନଙ୍କୁ ବୁଝାଉ ଥିଲେ । ଦେଶବ୍ୟାପୀ ଏକ ସଚେତନତା ସୃଷ୍ଟି ହିଁ ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ ।

 

ସାହିତ୍ୟିକ ସମାଜର ତ୍ରାଣକର୍ତ୍ତା ନୁହନ୍ତି । ଯେକୌଣସି ସାମାଜିକ ଦୋଷ ଦୁର୍ବଳତାର ନିରାକରଣରେ ସାହିତ୍ୟ ଏକ ପଥପ୍ରଦର୍ଶକର ଭୂମିକା ଗ୍ରହଣ କରିବ, ଏଭଳି ମନେ କରିବାର କୌଣସି କାରଣ ନାହିଁ । ସାହିତ୍ୟ ଆମର ଚେତନା ଶକ୍ତିକୁ ଆଲୋଡ଼ିତ କରିପାରେ, ମାତ୍ର ବାଟ ଆମକୁ ଖୋଜିବାକୁ ପଡ଼େ ନିଜ ଭିତରୁ । ସେଇଥିପାଇଁ ଗୌତମ ବୁଦ୍ଧ କହିଥିଲେ, ‘ଅନ୍ତର୍ଦୀପୋ ଭବ’ । ନିଜ ଭିତରୁ ହିଁ ନିଜପାଇଁ ଆଲୋକର ସନ୍ଧାନ କର । ସାମାଜିକ ପରିବର୍ତ୍ତନରେ ସାହିତ୍ୟର କୌଣସି ବିଶେଷ ଭୂମିକା ଅଛି କିମ୍ବା ନାହିଁ, ଏହା ନିଧାର୍ଯ୍ୟ କରି କହିବା କଷ୍ଟକର । ପ୍ରଥମ କଥା ହେଉଛି, ଯେଉଁମାନେ ସାହିତ୍ୟର ଖବରାଖବର ରଖନ୍ତି ସେମାନେ ସମାଜ-ଜୀବନରେ ଏକ ନଗଣ୍ୟ ଅଂଶ ମାତ୍ର । ତା’ ଭିତରେ ପୁଣି ଚିନ୍ତା ଓ ବିବେକକୁ କାମରେ ଲଗାଉଥିବା ପାଠକଙ୍କ ସଂଖ୍ୟା ଆହୁରି କମ୍‌ । ଭାରତରେ ସାମାଜିକ କ୍ରିୟାର ନିୟନ୍ତ୍ରଣରେ ଏ ଧରଣର ପାଠକମାନଙ୍କର ବିଶେଷ କୌଣସି ଭୂମିକା ମଧ୍ୟ ନଥାଏ । ଏ ଦେଶରେ ଯେଉଁମାନେ ସମାଜ-ନେତା ବା ଯେଉଁମାନଙ୍କର ଅଙ୍ଗୁଳି ନିର୍ଦ୍ଦେଶରେ ସମାଜ ପରିଚାଳିତ ହୁଏ, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ନିରକ୍ଷର । ସୌଭାଗ୍ୟକୁ ଏହି ନେତୃତ୍ୱ ଯେଉଁଠାରେ ବା ଶିକ୍ଷିତ ଲୋକଙ୍କ ହାତରେ ନ୍ୟସ୍ତ, ସେଠାରେ ମଧ୍ୟ ସାମାଜିକ ପରିବର୍ତ୍ତନରେ ସାହିତ୍ୟର ଭୂମିକା ଅତି ନଗଣ୍ୟ । ସାହିତ୍ୟ ଯଦି କେବେ କେଉଁଠାରେ ସମାଜର ଦିଗ୍‌ଦର୍ଶକ ହୋଇଥାଏ, ତେବେ ସେ ଅନ୍ୟ କେତେକ କାରଣରୁ । ତେଣୁ ଏଠାରେ ଆମେ ସ୍ପଷ୍ଟ କରି ଦେବାକୁ ଚାହୁଁ ଯେ, ଏ ଦିଗରେ ଆମେ ସାହିତ୍ୟଠାରୁ ବିଶେଷ ଆଶା କରିବା ଉଚିତ ହେବ ନାହିଁ । ସେ ସେକ୍‌ସପିୟର, ରବୀନ୍ଦ୍ରନାଥ, ଟଲଷ୍ଟୟ ହୁଅନ୍ତୁ ବା ବୈଷ୍ଣବପାଣି ହୁଅନ୍ତୁ, ସମସ୍ତଙ୍କର ଏ ବିଷୟରେ କ୍ଷମତା ସୀମାବଦ୍ଧ ।

 

ତେବେ ପାଣିଙ୍କର ଗୋଟିଏ ବିଶେଷ ସୁବିଧା ଥିଲା । ଦୃଶ୍ୟକାବ୍ୟର ବର୍ଣ୍ଣାଢ଼୍ୟ ପ୍ରଦର୍ଶନ ମାଧ୍ୟମରେ ସେ ନିଜ ଦର୍ଶକଙ୍କର ହୃଦୟ ଜୟ କରି ନେଇଥିଲେ । ସେ ଯାହା କହୁଥିଲେ, ଲୋକେ ତାହା ମନ ଦେଇ ଶୁଣୁଥିଲେ ଏବଂ ବିଶ୍ୱାସ ମଧ୍ୟ କରୁଥିଲେ । ବ୍ୟକ୍ତି ଜୀବନରେ ସେ ଥିଲେ ନିତାନ୍ତ ଅଶାନ୍ତ ଏବଂ ଦୁଃଖୀ । ବନ୍ଧୁ ଓ ସମାଜ ଦ୍ୱାରା ପରିତ୍ୟକ୍ତ ହୋଇ ନିଃସଙ୍ଗ ଜୀବନ ଯାପନ କରୁଥିଲେ-। ତଥାପି ଏ ସମାଜ ପାଇଁ ତାଙ୍କର ଯେ କିଛି କର୍ତ୍ତବ୍ୟ ରହିଛି, ତାହା ସେ କସ୍ମିନ୍‌କାଳେ ଭୁଲୁ ନଥିଲେ । ଆନ୍ତରିକ ଭାବେ ସେ ଚାହୁଁଥିଲେ ସମାଜର ବିକାଶ ଓ ଅଗ୍ରଗତି ।

 

ନାରୀ ଏବଂ ପୁରୁଷ-ସମାଜ-ଜୀବନର ଦୁଇ ଶକ୍ତିର ସମନ୍ୱୟ ବିନା ଦେଶର ପ୍ରଗତି ଯେ ସୁଦୂର ପରାହତ ଏହା ପାଣି ଭଲ ଭାବରେ ବୁଝିଥିଲେ । ବିଂଶ ଶତାବ୍ଦୀର ପ୍ରଥମ ପାଦରେ ଏ ଦେଶର ନାରୀଶକ୍ତି ଅଶିକ୍ଷା, କୁସଂସ୍କାର ଏବଂ ଅନ୍ଧବିଶ୍ୱାସର ବନ୍ଦୀଶାଳାରେ ଯେଉଁ ଅସହାୟ ଜୀବନଯାପନ କରୁଥିଲା, ତାହାହିଁ ପାଣିଙ୍କର ସମ୍ବେଦନଶୀଳ ହୃଦୟକୁ ବ୍ୟଥିତ କରୁଥିଲା । ଏହି କାରଣରୁ ସେ ନାରୀ ସମାଜକୁ ସଙ୍ଗଠିତ କରି ନାରୀ ମୁକ୍ତିର ସ୍ୱପ୍ନ ଦେଖିବାକୁ ଆରମ୍ଭ କରିଥିଲେ । ଏମାନଙ୍କୁ ନିଜର କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିବା ପାଇଁ ସେ ଲେଖିଥିଲେ ‘ଓଡ଼ିଆ ନାରୀଶିକ୍ଷା’ । ଦେଶର ପ୍ରଗତି ନିର୍ଭର କରେ ଏହାର ଅଧିବାସୀମାନଙ୍କର ସୁସ୍ୱାସ୍ଥ୍ୟ ଉପରେ । ପରିବାରର ସ୍ୱାସ୍ଥ୍ୟର ଦାୟିତ୍ୱ ପୁଣି ମୁଖ୍ୟତଃ ନାରୀମାନଙ୍କ ଉପରେ । ତେଣୁ ଉକ୍ତ ପୁସ୍ତକରେ ସେ ସ୍ୱାସ୍ଥ୍ୟରକ୍ଷା ସମ୍ପର୍କରେ ନାରୀମାନଙ୍କୁ ସଚେତନ କରାଇବା ନିମନ୍ତେ ଉଦ୍ୟମ କରିଛନ୍ତି ।

 

ସେ ସମୟରେ ସମାଜରେ ବାଲ୍ୟ ବିବାହର ଖୁବ୍‌ ପ୍ରଚଳନ ଥିଲା । ରକ୍ଷଣଶୀଳ ସମାଜମାନେ ମନୁଙ୍କର ଉକ୍ତି ଉଦ୍ଧାର କରି ପ୍ରଚାର କରୁଥିଲେ-

 

‘‘ଅଷ୍ଟବର୍ଷାତ୍‌ ଭବେତ୍‌ ଗୌରୀ, ନବମେ ଚ ତୁ ରୋହିଣୀ,

ଦଶମେ କନ୍ୟକା ପ୍ରୋକ୍ତା, ଅତଃ ଉର୍ଦ୍ଧ୍ୱା ରଜସ୍ୱଳା-’’

 

ଅଷ୍ଟମ ବର୍ଷୀୟା କନ୍ୟାକୁ ବିବାହ ଦେଇ ଗୌରୀଦାନର ଫଳ ଲାଭ କରି ସିଧା ସଳଖ ସ୍ୱର୍ଗ ଲାଭ କରିବା ପାଇଁ ସେ ସମୟର ପିତାମାତା ବ୍ୟଗ୍ର ଥିଲେ । ଏହା ପଛରେ ରହିଥିଲା, ସୁସ୍ପଷ୍ଟ ଧର୍ମୀୟ ନିର୍ଦ୍ଦେଶ । ପାଣି ଏହାର ଅସାରତା ହୃଦୟଙ୍ଗମ କରିଥିଲେ । ବାଳିକା ବିବାହ ମାତୃଜାତିର ସ୍ୱାସ୍ଥ୍ୟ ଉପରେ ଯେଉଁ କୁପ୍ରଭାବ ପକାଉଥିଲା, ତାହା ପାଣିଙ୍କର ଚିନ୍ତାର କାରଣ ହୋଇ ଉଠିଥିଲା । ମନେ ରଖିବାକୁ ହେବଯେ, ସେ ସମୟରେ ଜନ୍ମ ନିୟନ୍ତ୍ରଣ ଅଥବା ନାରୀ ପୁରୁଷ ସମ୍ପର୍କୀୟ ଅଧୁନାତନ ଜାତୀୟ ମୂଲ୍ୟବୋଧ ସମ୍ପର୍କରେ କୌଣସି ଚିନ୍ତା କରାଯାଇ ନଥିଲା କିମ୍ବା ବାଳିକାମାନଙ୍କର ବିବାହ ବୟସ ସମ୍ପର୍କରେ ଜାତୀୟ ସ୍ତରରେ କୌଣସି ଦୃଢ଼ ନୀତି ଗ୍ରହଣ କରାଯାଇ ନଥିଲା ।

 

ରକ୍ଷଣଶୀଳତାର ସେଇ ଯୁଗରେ ପାଣି ନାରୀଶିକ୍ଷାର ପ୍ରସାର କାମନା କରିଥିଲେ । କାରଣ ସେ ଜାଣିଥିଲେ, ନାରୀ ହିଁ ଏ ଦେଶର ଭବିଷ୍ୟତ ବଂଶଧରମାନଙ୍କୁ ସୁଶିକ୍ଷା ଦେଇପାରିବ । ଯେତେବେଳେ ସେ ନିଜ ନାଟକରେ କୌଣସି ଏକ ଜନନୀର ଚରିତ୍ର ସୃଷ୍ଟି କରିଛନ୍ତି, ସେତେବେଳେ ସେ ପ୍ରଥମେ ତାକୁ ଦେଖିଛନ୍ତି, ନିଜ ସନ୍ତାନର ଶିକ୍ଷକ ରୂପେ । ମା ଶିଶୁକୁ ସ୍ୱାସ୍ଥ୍ୟବାନ୍ ଜୀବନର ମୂଳନୀତି ଗୁଡ଼ିକ ସମ୍ପର୍କରେ ପ୍ରଥମେ ଶିକ୍ଷା ଦେଇଥାଏ । ସେ ହିଁ ତାକୁ ଶିଖାଏ ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗକରି ଗୋଦୁଗ୍‌ଧ ପାନ କରିବାର ଉପାଦେୟତା । ନିଜ ଯୁଗ ଅପେକ୍ଷା ପାଣି କେତେ ଆଗକୁ ଚିନ୍ତା କରୁଥିଲେ, ତାହା ଏଇଥିରୁ ଜଣାଯାଏ ।

 

ଯୁବ-ସମାଜକୁ ନେଇ ମଧ୍ୟ ପାଣି ସ୍ୱପ୍ନ ଦେଖିଛନ୍ତି । କାରଣ ସେ ବୁଝିଥିଲେ, ଯୌବନର କ୍ରିୟାଶୀଳତା ଉପରେ ହିଁ ଦେଶର ଉନ୍ନତି ନିର୍ଭର କରେ । ତେଣୁ ସେ ଯୁବକମାନଙ୍କୁ ଆତ୍ମନିର୍ଭରଶୀଳତାର ମନ୍ତ୍ରରେ ଦୀକ୍ଷିତ କରିବା ନିମନ୍ତେ ଚେଷ୍ଟା କରିଛନ୍ତି, ନିଷ୍କାମ କର୍ମଯୋଗରେ ଉଦ୍‌ବୁଦ୍ଧ କରିଛନ୍ତି । ଦେଶପାଇଁ ଅନ୍ତତଃ କିଛି କାମ କରିବା ପାଇଁ ସେ ଯୁବଶକ୍ତିକୁ ଅନୁରୋଧ ଜଣାଇଛନ୍ତି ।

 

ପାଣି ନିଜ ଜୀବନକାଳ ମଧ୍ୟରେ ଦୁଇ ଦୁଇଟା ବିଶ୍ୱଯୁଦ୍ଧ ଦେଖିଛନ୍ତି । ତା’ର ପ୍ରଭାବରେ ଏ ଦେଶର ସନାତନ ଜୀବନଧାରାରେ କେଉଁ ଭଳି ଦ୍ରୁତ ପରିବର୍ତ୍ତନ ଆସିଥିଲା, ତାହା ମଧ୍ୟ ତାଙ୍କର ସତର୍କ ଦୃଷ୍ଟି ଏଡ଼ାଇ ପାରି ନ ଥିଲା । ନୈତିକତାର ଅବକ୍ଷୟ ଯେ ସମାଜ ଜୀବନକୁ ଧ୍ୱଂସମୁଖୀ କରିଦେବ, ଏଥିରେ ଅନ୍ତତଃ ତାଙ୍କର ସନ୍ଦେହ ନଥିଲା । ଯୁଦ୍ଧ ପ୍ରଭାବରେ ସମାଜ ଜୀବନରେ ସ୍ୱାର୍ଥପରତା, ମିଥ୍ୟାଚାରିତା, ଛଳନା, ବଂଚନା, ଶଠତା ତଥା ବ୍ୟକ୍ତି-କୈନ୍ଦ୍ରିକତା ପ୍ରଭୃତିର ଯେଉଁ କ୍ଷିପ୍ର ଉଦ୍‌ଭବ ଘଟୁଥିଲା, ତାହା ସମାଜକୁ ଅନ୍ତଃସାରଶୂନ୍ୟ କରି ଦେଇଥିଲା । ପାରିବାରିକ ଜୀବନ ତଥା ପାରସ୍ପରିକ ସମ୍ପର୍କର ଭିତ୍ତି ମଧ୍ୟ ଏହାଦ୍ୱାରା ଦୋହଲିବାକୁ ଆରମ୍ଭ କରିଥିଲା ।

 

ପାଣି ସମାଜପତି ତ ନଥିଲେ, ବରଂ ସମାଜ ଜୀବନର ଅନ୍ଧ ନୀତିନିୟମ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କର ପ୍ରତିବାଦ ପୁଣି କେବଳ କାଗଜ କଲମ ସର୍ବସ୍ୱ ନଥିଲା । ଅନେକ କ୍ଷେତ୍ରରେ ସେ ନିଜେ ପ୍ରଥମେ ଆଚରଣ କରି, ଅନ୍ୟମାନଙ୍କ ସମ୍ମୁଖରେ ଦୃଷ୍ଟାନ୍ତ ସ୍ଥାପନ କରୁଥିଲେ-। ସେ କାଳରେ ସେ ପତ୍ନୀ ରୂପରେ ଗ୍ରହଣ କରିଥିଲେ ଏକ ଅନ୍ତ୍ୟଜ ରଜକିନୀକୁ, ଯେଉଁଥିପାଇଁ ତାଙ୍କୁ ବାସନ୍ଦ କରାଯାଇଥିଲା ଏବଂ ଅନ୍ୟ ଅନେକ ଦୁଃଖକଷ୍ଟ ମଧ୍ୟ ସହ୍ୟ କରିବାକୁ ପଡ଼ିଥିଲା । ଏହି ପ୍ରଣୟିନୀ ପ୍ରତି ତାଙ୍କର ଆସକ୍ତି ପୁଣି ଦେହକୁ ଅତିକ୍ରମ କରି ମାନସିକତାର ସ୍ତରକୁ ସ୍ପର୍ଶ କରିଥିଲା । କାରଣ ସେଇ ନାରୀ ଜଣକ ଯେତେବେଳେ ଯାହା ଚାହିଁଛନ୍ତି, ପାଣି ନିର୍ବିକାର ଭାବରେ ତାହା କରିଯାଇଛନ୍ତି । ବ୍ୟକ୍ତିଗତ ଲାଭକ୍ଷତି ପ୍ରତି, ତିଳେ ହେଲେ ଦୃଷ୍ଟି ଦେଇ ନାହାନ୍ତି । ଏହାଙ୍କର ମୃତ୍ୟୁ ପରେ ପାଣି ଅଳ୍ପଦିନ ହିଁ ଜୀବିତ ଥିଲେ ।

 

ଯୌବନରେ ପାଣି ଯେଉଁ ଉଚ୍ଛୃଙ୍ଖଳ ଜୀବନ ଯାପନ କରିଥିଲେ, ତାହାର ବିସ୍ତୃତ ବିବରଣୀ ସେ ନିଜ ହାତରେ ଲିପିବଦ୍ଧ କରି ଯାଇଛନ୍ତି । ଅନ୍ତତଃ ବୈରାଗ୍ୟ ସାଧନ ମଧ୍ୟରେ ମୁକ୍ତିର ଅନ୍ୱେଷଣ ନକରି, ସେ ପଙ୍କ ମଧ୍ୟରେ ବୁଡ଼ି ପଙ୍କଜର ସୁଗନ୍ଧ ସମାଜ ପାଇଁ ବିତରଣ କରିଥିଲେ । ଅନ୍ଧକାରର ଯଥାର୍ଥ ଅଭିଜ୍ଞତା ହିଁ ତାଙ୍କୁ ଜୀବନପାଇଁ ଆଲୋକର ଉପାଦେୟତା ସମ୍ପର୍କରେ ଏକ ସ୍ପଷ୍ଟ ଧାରଣା ଦେଇଥିଲା । ସେଇ ଅନୁଭୂତିକୁ ହିଁ ସେ ଅନ୍ୟମାନଙ୍କ ପାଇଁ ଲିପିବଦ୍ଧ କରିଯାଇଛନ୍ତି । ପ୍ରଚଳିତ ଅର୍ଥରେ ପାଣି ହୁଏତ ସତ୍‌ ଏବଂ ଚରିତ୍ରବାନ୍‌ ନଥିଲେ, ମାତ୍ର ଜୀବନପାଇଁ ଏହାର ଉପଯୋଗିତାକୁ ସେ କସ୍ମିନ୍‌ କାଳେ ଅସ୍ୱୀକାର କରିନାହାନ୍ତି ।

 

ଯୁଦ୍ଧର ପରିଣାମରେ ଏ ଦେଶର ଜୀବନ ଧାରଣର ମାନରେ ଯେଉଁ ଅବନତି ଘଟିଥିଲା, ତାହା ସାଧାରଣ ଜନତାଙ୍କୁ ଖୁବ୍‌ ବାଧିଥିଲା । ସୁନାର ଦେଶ ଅଭାବର ତୀବ୍ର କଷାଘାତରେ ଜର୍ଜରିତ ହୋଇଥିଲା । ପାଣି ସେ ସମୟର ଦୁଃଖଦ ପରିବେଶକୁ-

 

‘କ୍ଷିତିକି ଭୀତି ହେଲା ପ୍ରବଳ,

ପଇସାରେ ପାନ ପାଞ୍ଚଟା ଛଅଟା,

 

ଟଙ୍କାରେ ଛସେରେ ଅଧେ ଚାଉଳ’-ପ୍ରଭୃତି ବର୍ଣ୍ଣନାରେ ଲିପିବଦ୍ଧ କରିଯାଇଛନ୍ତି । ଏଥିରେ ସେ ବିଧବାମାନଙ୍କ ଦୁର୍ଦ୍ଦଶା, ଜମିଦାର ଗୋଷ୍ଠୀର ଅତ୍ୟାଚାର, ଚାଷୀକୁଳର ଦାରିଦ୍ର୍ୟ, ବ୍ୟବସାୟୀମାନଙ୍କ ଧୂର୍ତ୍ତତା ତଥା ଯୁବସମାଜର କର୍ମକୁଣ୍ଠତା ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ଦେଇଛନ୍ତି । ସାମାଜିକ ଅବସ୍ଥାରେ ଅଧଃପତନ ତାଙ୍କୁ ବିବ୍ରତ କରିଛି ।

 

ଶାସକ ଶ୍ରେଣୀର ପ୍ରତିନିଧିମାନେ ଶାସନ ନାମରେ ଯେଉଁ ଶୋଷଣ ଚଳାଇଥିଲେ, ତାହା ମଧ୍ୟ ତାଙ୍କର ଦୃଷ୍ଟି ଆକର୍ଷଣ କରିଛି । ବିଶେଷତଃ ଜମିଜମାର ବନ୍ଦୋବସ୍ତ ନାମରେ ଅମିନ ପ୍ରଭୃତି ଯେଉଁଭଳି ଲାଞ୍ଚ ଗ୍ରହଣ କରି ପ୍ରଜାକୁଳକୁ ହନ୍ତସନ୍ତ କରୁଥିଲେ, ତାହା ବିରୁଦ୍ଧରେ ଲେଖନୀ ଚଳାଇ ସେ ସେମାନଙ୍କର ବିରାଗଭାଜନ ହୋଇଛନ୍ତି ଏବଂ ତାଙ୍କୁ ପ୍ରାଣରୁ ମାରିଦେବାର ଚକ୍ରାନ୍ତ ମଧ୍ୟ ହୋଇଛି । ତଥାପି ସେ ସେଥିରେ ନିରସ୍ତ ହୋଇ ନାହାନ୍ତି ।

 

ଧନୀ ଏବଂ ଦରିଦ୍ର ମଧ୍ୟରେ ଯେଉଁ ଦୂରତ୍ୱ, ସେଥିରେ ସ୍ପଷ୍ଟ ସାମାଜିକ ବିଷମତା ତାଙ୍କର ଚିନ୍ତାର କାରଣ ହୋଇଛି । ଜନ୍ମଭୂମିଠାରୁ ଦୂରରେ ଓଡ଼ିଆ ଶ୍ରମିକମାନଙ୍କର ଦୁର୍ଦ୍ଦଶା, ଶିକ୍ଷକ ଗୋଷ୍ଠୀର ଦାରିଦ୍ର୍ୟରେ ତାଙ୍କର ସମ୍ବେଦନଶୀଳ ହୃଦୟ ମୁହ୍ୟମାନ ହୋଇପଡ଼ିଛି । ନିଜର ଦର୍ଶକମାନଙ୍କୁ ସେ ଏ ବିଷୟରେ ସଚେତନ କରାଇ ଦେଇଛନ୍ତି । ତାଙ୍କର ବିଶ୍ୱାସ ଥିଲା, ପ୍ରଚାର ଦ୍ୱାରା ହିଁ ସେ ପ୍ରତିବାଦର ସ୍ୱର ଉତ୍ତୋଳନ କରାଇ ପାରିବେ ।

 

ଭୋଟ ଜରିଆରେ ପ୍ରତିନିଧି ନିର୍ବାଚନ ସେତେବେଳେ ନୂଆ ନୂଆ ପ୍ରଚଳିତ ହୋଇଥାଏ । ଏହି ବ୍ୟବସ୍ଥାର ତ୍ରୁଟିପୂର୍ଣ୍ଣ ଦିଗଟି ତାହାଙ୍କର ଚିନ୍ତାର କାରଣ ହୋଇଥିଲା । ‘କେଦାରଗୌରୀ ସୁଆଙ୍ଗ’ରେ ସେ ଏ ବିଷୟରେ ସାଧାରଣ ଜନତାକୁ ସତର୍କ କରାଇ ଲେଖିଛନ୍ତି, ଯେ ଏ ବ୍ୟବସ୍ଥା ବଳରେ କୁହାଳିଆ ଲୋକ କ୍ଷମତା ହସ୍ତଗତ କରି ସାଧାରଣ ଲୋକଙ୍କର ଦୁର୍ଦ୍ଦଶାର କାରଣ ହେଉଛନ୍ତି । ମଣିଷ ଚିହ୍ନିବାରେ ନିରୀହ ଭୋଟରମାନଙ୍କର ଭୁଲ୍‌ ଯୋଗୁ ସାଧାରଣତଃ ଧୂର୍ତ୍ତମାନେ ହିଁ ନିର୍ବାଚିତ ହୋଇ ଆସୁଛନ୍ତି । ଥରେ ଭୋଟ୍‌ ପାଇଗଲା ପରେ ଏଇ ପ୍ରତିନିଧିମାନେ ସେମାନଙ୍କର ସମସ୍ତ ପ୍ରତିଶ୍ରୁତି ବିସ୍ମୃତ ହୋଇ ଆପଣାର ପେଟ ପକେଟ ପୂରାଇବାରେ ବ୍ୟସ୍ତ ରହୁଛନ୍ତି । ଭୋଟରମାନଙ୍କୁ ଚିହ୍ନିବା ଆଉ ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ଏହି କାରଣରୁ ଏ ବ୍ୟବସ୍ଥାର ଶିକାର ନହେବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଗଣତନ୍ତ୍ରର ମାଧୁର୍ଯ୍ୟ ଦେଶ ଯେତେବେଳେ ତଥାପି ଉପଭୋଗ କରିବା ପାଇଁ ପ୍ରସ୍ତୁତ ହୋଇ ନାହିଁ, ସେତେବେଳେ ପାଣି ଏହି ସତର୍କବାଣୀ ଉଚ୍ଚାରଣ କରିଥିଲେ । ତାଙ୍କର ସେହି ଭବିଷ୍ୟତ ବାଣୀ କେତେ ନିର୍ଭୁଲ ତାହା ବର୍ତ୍ତମାନର ଅବସ୍ଥାକୁ ଦେଖିଲେ, ଯେ କେହି ସ୍ୱୀକାର କରିବ । ପାଣି ଥିଲେ ଯଥାର୍ଥରେ ଜଣେ ଦୂରଦ୍ରଷ୍ଟା ।

 

କବି ହୁଅନ୍ତୁ ବା ଦାର୍ଶନିକ ହୁଅନ୍ତୁ, ସେ ପ୍ରକୃତରେ ସଂସ୍କାରକ ନୁହନ୍ତି । ସମାଜଜୀବନର ଦୋଷ ଦୁର୍ବଳତା ବିଶ୍ଳେଷଣ କରିବା ହେଉଛି ତାଙ୍କର ଦାୟିତ୍ୱ । ଜୀବନସାରା ପାଣି ତାହାହିଁ କରିଛନ୍ତି । ସମାଜର ତ୍ରୁଟି ତାଙ୍କର ଦୃଷ୍ଟି ଆକର୍ଷଣ କଲା ମାତ୍ରକେ ସେ ତାହା ବିରୁଦ୍ଧରେ ଲେଖନୀ ଉଠାଇ ନେଇଛନ୍ତି । ପାଣି ଭୋଟ ପ୍ରତ୍ୟାଶୀ ନଥିଲେ । ତେଣୁ ନିଜ ସ୍ୱାର୍ଥପାଇଁ ସେ କୌଣସି ସ୍ଳୋଗାନ ଦେଇ ନାହାନ୍ତି । ଏ ଦେଶର ସାଧାରଣ ଜନତାଙ୍କ ପାଇଁ ତାଙ୍କ ହୃଦୟରେ ଦରଦ ଥିଲା, ଜନ୍ମଭୂମିର ଉନ୍ନତି କାମନା ଥିଲା ତାଙ୍କର ଏକ ଜୀବନବ୍ୟାପୀ ସ୍ୱପ୍ନ । ଏଇଥି ପାଇଁ ସେ ନିରବଚ୍ଛିନ୍ନ ଉଦ୍ୟମ ଚଳାଇ ଯାଇଛନ୍ତି ।

 

ନିଜର ଶକ୍ତି ଓ ସାମର୍ଥ୍ୟର ସୀମାବଦ୍ଧତା ସମ୍ପର୍କରେ ତାଙ୍କର ସ୍ପଷ୍ଟ ଧାରଣା ଥିଲା । ସେ ଜାଣିଥିଲେ ଯେ, ତାଙ୍କର ପ୍ରତିବାଦରେ ସମାଜ-ଜୀବନ ରାତାରାତି ସୁଧୁରି ଯିବ ନାହିଁ । ତେବେ ଭବିଷ୍ୟତରେ ସମୟ ଆସିବ, ଯେତେବେଳେ ଏ ବିଷାକ୍ତ ପରିବେଶରୁ ସମାଜ ଅବଶ୍ୟ ମୁକ୍ତିଲାଭ କରିବ । ତେଣୁ କେବଳ ଅନ୍ଧାର ଅନ୍ଧାର ବୋଲି ଚିତ୍କାର କରିବା ପରିବର୍ତ୍ତେ ସେ ନିଜ ଶକ୍ତି ଅନୁସାରେ ଦୀପଟିଏ ଜାଳିଦେବାକୁ ସ୍ଥିର କରିଥିଲେ ଏବଂ କେବଳ ଏହି କାରଣରୁ ସେ ଆଜୀବନ ନିଜର ନୀତିରେ ଅଟଳ ମଧ୍ୟ ରହିଥିଲେ ।

 

ଦଳିତ ଜନତାଙ୍କ ପାଇଁ ପାଣିଙ୍କର ସହାନୁଭୂତି ଥିଲା ଆନ୍ତରିକ, କାରଣ ସେ ନିଜେ ଥିଲେ ସେଇମାନଙ୍କର ପ୍ରତିନିଧି । ଶ୍ରମିକ, ଚାକିରିଆ ଏବଂ ନିମ୍ନ ମଧ୍ୟବିତ୍ତ ଅତ୍ୟାଚାରିତ ଗୋଷ୍ଠୀ ସର୍ବଦା ତାଙ୍କ ଚିନ୍ତାର ଏକ ବିଶେଷ ଭାଗ ଅଧିକାର କରି ବସିଥିଲେ । ଏହି କାରଣରୁ ତାଙ୍କ ସାହିତ୍ୟ ଥିଲା, ଯଥାର୍ଥରେ ଏହି ଶୋଷିତ ଗୋଷ୍ଠୀର ସାହିତ୍ୟ । ସେଇମାନଙ୍କୁ କେନ୍ଦ୍ର କରି ଏହା ପଲ୍ଲବିତ ହୋଇଥିଲା । ସେମାନଙ୍କର ସମସ୍ୟା, ସ୍ୱପ୍ନ ପ୍ରଭୃତିକୁ ପାଣି ବୁଝିଥିଲେ ଏକ ସମ୍ବେଦନଶୀଳ ଦୃଷ୍ଟି ନେଇ । ନିଶାଗ୍ରସ୍ତ ରଜକ, ବିବ୍ରତ ନାପିତ, ସଦା ଚିନ୍ତିତ ରାଜକର୍ମଚାରୀ ଗୋଟିଏ କଥାରେ ଏ ଦେଶର ସମସ୍ତ ନିମ୍ନ ମଧ୍ୟବିତ୍ତ ଗୋଷ୍ଠୀ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ, ଏବଂ ନିଜ ରଚନାରେ ସେ ସେମାନଙ୍କର ସମସ୍ୟାକୁ ରୂପ ଦେଇ ସାମାଜିକ ନ୍ୟାୟ ଲୋଡ଼ିଛନ୍ତି ।

 

ସେ ଯୁଗରେ ପାଣି ନିଶା ନିବାରଣର ସ୍ୱପ୍ନ ଦେଖିଛନ୍ତି । ନିଜେ ନିଶା ସେବନ କରି ତାହାର କୁଫଳର ଶିକାର ହୋଇଥିବାରୁ ସେ ଦେଶବାସୀଙ୍କୁ ଏ ଦିଗରେ ସତର୍କବାଣୀ ଶୁଣାଇ କହିଛନ୍ତି-

 

‘ଛି ଛି ମଦ ଖାଇବି ନାହିଁ ମୁଁ, କଳାପାଣି ପରି ଦିଶେ,

ଏଇ କଳାପାଣି ପେଟରେ ପଡ଼ିଲେ ଚଉଦ ଭୁବନ ଦିଶେ’ ।

 

ରସାଳ ସାଙ୍ଗୀତିକ ଭାଷାରେ ସେ ଜନତାଙ୍କୁ ଏହାର କୁଫଳ ସମ୍ପର୍କରେ ସାବଧାନ କରାଇ ଦେଇଛନ୍ତି ।

 

ସାମ୍ପ୍ରଦାୟିକ ସଦ୍‌ଭାବ ପ୍ରତିଷ୍ଠା ଥିଲା ତାଙ୍କର ଅନ୍ୟତମ ସ୍ୱପ୍ନ । ନିଜ ଜୀବନରେ ସେ ଏହାକୁ ମାନ୍ୟତା ଦେଇଥିଲେ । ମହାତ୍ମାଗାନ୍ଧିଙ୍କର ଅସ୍ପୃଶ୍ୟତା ଦୂରୀକରଣ ଆନ୍ଦୋଳନ ଯେତେବେଳେ ଆରମ୍ଭ ହୋଇ ନଥିଲା, ସେତେବେଳେ ସେ ଗ୍ରହଣ କରିଥିଲେ ରଜକିନୀ ହରକୁ ନିଜର ପ୍ରଣୟିନୀ ରୂପେ । ସମାଜ ଗର୍ଜି ଉଠିଥିଲା । ପାଣି ନିର୍ବିକାର ରହିଥିଲେ । ତାଙ୍କ ମତରେ ମଣିଷର ସର୍ବଶ୍ରେଷ୍ଠ ପରିଚୟ ହେଉଛି ତାହାର ମାନବିକତା ।

 

‘ଶୁନରେ ମାନୁଷ୍‌ ଭାଇ,

ସବାର୍‌ ଉପରେ ମାନୁଷ୍‌ ସତ୍ୟ

ତାହାର ଉପରେ ନାହିଁ’-

 

ବଡ଼ୁ ଚଣ୍ତିଦାସଙ୍କର ଏହି ଚିରକାଳୀନ ଉକ୍ତି ହିଁ ଥିଲା ତାଙ୍କ ଜୀବନର ଶ୍ରେଷ୍ଠ ଆଦର୍ଶ । ଏଥିପାଇଁ ସେ ନିଜ ରଚନାରେ ବହୁ ଡୁଏଟ୍‌, ଦୁଆରୀ ସଂଗୀତ ପ୍ରଭୃତି ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ତଥା ସାମ୍ପ୍ରଦାୟିକ ସଦ୍‌ଭାବର ବାର୍ତ୍ତା ପ୍ରଚାର କରିଛନ୍ତି । ମଦ୍ୟପ ହୋଇଥିବାରୁ ପୁରୁଷ ସ୍ତ୍ରୀହାତରେ ନିର୍ଯ୍ୟାତିତ ହୋଇଛି । ଛୁଆଛୁଇଁର ଭେଦଭାବ ମନରେ ପୋଷଣ ନକରିବାକୁ ପୁରୁଷ ସ୍ତ୍ରୀକୁ ଅନୁରୋଧ ଜଣାଇଛି । ମୁସଲମାନ ହିନ୍ଦୁ ମଧ୍ୟରେ ବୈବାହିକ ସମ୍ପର୍କ ପ୍ରତିଷ୍ଠାର ସ୍ୱପ୍ନ ଦେଖାଯାଇଛି । ଏ ସବୁ କରାଯାଇଛି, ଦେଶରେ ଅସ୍ପୃଶ୍ୟତା ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ । ଗୋଟିଏ କଥାରେ କହିବାକୁ ଗଲେ, ଏକ ସ୍ପଷ୍ଟ ସାମାଜିକ ସଚେତନତା ସୃଷ୍ଟି ହିଁ ଥିଲା ପାଣି କବିଙ୍କ ଲେଖନୀ ଚାଳନାର ମୁଖ୍ୟ ଉଦ୍ଦେଶ୍ୟ । ଏଥି ନିମନ୍ତେ ଦେଶରେ ସେକାଳରେ ଯେଉଁ ରାଜନୈତିକ ଚାଲବାଜୀ, ନୈତିକ ମୂଲ୍ୟବୋଧ ପ୍ରତି ଅବିଶ୍ୱାସ ସୃଷ୍ଟି ହୋଇଥିଲା, କବି ତାହା ବିରୁଦ୍ଧରେ ସଂଗ୍ରାମର ସ୍ୱର ଉଠାଇଛନ୍ତି । ଜାତିଧର୍ମ ନିର୍ବିଶେଷରେ ଏକ ଶୋଷଣମୁକ୍ତ ସମାଜ ଗଠନ ଥିଲା ତାଙ୍କର ଏକମାତ୍ର ଧ୍ୟେୟ । କୁଶାସନକୁ ଏହାର କାରଣ ସ୍ୱରୂପ ଚିହ୍ନିତ କରି ସେ ପୁଣି ଜାତୀୟତାର ପ୍ରଚାର କରିଛନ୍ତି । ଆତ୍ମନିର୍ଭରଶୀଳତାର ମନ୍ତ୍ର ଉଚାରଣ କରିଛନ୍ତି । ପୂର୍ଣ୍ଣ ପରିବର୍ତ୍ତନର ଆହ୍ୱାନ ଜଣାଇ ନାରୀଜାତିର ସାମାଜିକ ସ୍ଥିତିକୁ ଦୃଢ଼ କରିବା ନିମନ୍ତେ ଅନୁରୋଧ ଜଣାଇଛନ୍ତି । କୌଳିକ ବୃତ୍ତି ହିଁ ଏ ଦେଶରୁ ବେକାରୀ ତଥା ଦାରିଦ୍ର୍ୟ ଦୂର କରିବା ନିମନ୍ତେ ସକ୍ଷମ ବୋଲି ଦୃଢ଼ ମତ ପୋଷଣ କରିଛନ୍ତି । ଲାଞ୍ଚମିଛ, ପ୍ରିୟାପ୍ରୀତି ତୋଷଣ ନୀତି ସମାଜଜୀବନକୁ ଯେଉଁଭଳି ଅନ୍ତଃସାର ଶୂନ୍ୟ କରି ପକାଉଛି, ସେଥିରେ ସେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହାହିଁ ପାଣି କବିଙ୍କୁ ଜଣେ ଗଣକବିର ଲୋକପ୍ରିୟ ଆସନରେ ଅଧିଷ୍ଠିତ କରାଇଛି । ପାଣି ହୋଇଛନ୍ତି ଏକ ଅନୁଷ୍ଠାନ ।

 

ଦାରିଦ୍ର୍ୟ, ରୋଗଶୋକ, ସାମାଜିକ ଉପେକ୍ଷା ପ୍ରଭୃତିର ନିୟମିତ ଶିକାର ହୋଇ ମଧ୍ୟ ସେ ଦେଶମୁକ୍ତିର କାମନା ତ୍ୟାଗ କରିନାହାନ୍ତି କିମ୍ବା ନିଜର ଦୃଢ଼ ମନୋବଳ ହରାଇ ନାହାନ୍ତି । ଭୀମଭୋଇଙ୍କ ଭଳି ସେ ମଧ୍ୟ ହୁଏତ ସ୍ୱପ୍ନ ଦେଖୁଥିଲେ, ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ । ଏହି ସ୍ୱପ୍ନ ମଧ୍ୟରେ ହିଁ ତାଙ୍କର ତିରୋଧାନ ଘଟିଛି ।

 

କବିଙ୍କୁ କେବଳ ସ୍ୱପ୍ନ-ବିଳାସୀ କହିବା, ତାଙ୍କ ପ୍ରତି ଘୋର ଅନ୍ୟାୟ ହେବ । ସଂସାରର ରୂଢ଼ ବାସ୍ତବତା ସମ୍ପର୍କରେ ସେ ଅତ୍ୟନ୍ତ ସଚେତନ ଥିଲେ । ଅଶିକ୍ଷାକୁ ସେ ଦେଶର ସାମାଜିକ ଅଧୋଗତିର ଏକମାତ୍ର କାରଣ ବୋଲି ମନେ କରୁଥିଲେ । କାରଣ ଯେପର୍ଯ୍ୟନ୍ତ ଦେଶର ସାଧାରଣ ଜନତା ଶିକ୍ଷା ଲାଭରୁ ବଞ୍ଚିତ ହୋଇଛନ୍ତି, ସେ ପର୍ଯ୍ୟନ୍ତ ସାମାଜିକ ସଚେତନତା କେବେ ଆସିବ ନାହିଁ । ମୂର୍ଖତା ହିଁ ସମାଜ ଜୀବନରେ ଅନେକ ବିଭ୍ରାଟ ସୃଷ୍ଟି କରିଥାଏ । ତେଣୁ ସେ ଉପଦେଷ୍ଟା ଭାବରେ ସାମାଜିକମାନଙ୍କୁ ନିବେଦନ କରିଛନ୍ତି । ‘‘ପିତାମାତାଙ୍କୁ ସମ୍ମାନକର, ଭକ୍ତିରେ ସେମାନଙ୍କ ପାଦ ଧୋଇଦିଅ । ଯାହା ହେଉ, ସତ୍ୟପଥ ତ୍ୟାଗ କରନାହିଁ, କାରଣ ସତ୍ୟର ପଥ ହିଁ ଧର୍ମର ପଥ, ମୁକ୍ତିର ପଥ । ସମସ୍ତଙ୍କୁ ଭଲ ପାଅ । ଦେବତା ମଧ୍ୟ ସଂସାରରେ ଜନ୍ମହେଲେ ବହୁ ଦୁଃଖଦୁର୍ଗତିର ଶିକାର ହୁଅନ୍ତି । ଏହାରି ନାମ ହିଁ ସଂସାର । ତେଣୁ ସେଥିପାଇଁ ଭାଙ୍ଗିପଡ଼ ନାହିଁ । ଦୃଢ଼ ମନୋବଳ ହିଁ ହେଉଛି ସାଂସାରିକ ସୁଖର ଏକମାତ୍ର ଚାବିକାଠି ।

 

ଆଜି ସ୍ୱାଧୀନତା ଲାଭ କରିବାର ତେୟାଳିଶ ବର୍ଷ ପରେ ମଧ୍ୟ ନାରୀଶିକ୍ଷା ଆମ ଆଗରେ ଏକ ବିରାଟ ସମସ୍ୟା ହୋଇରହିଛି । ସେ ଯୁଗରେ ପାଣି ଏହି ସମସ୍ୟାର ସମାଧାନ କରିଥିଲେ ନିଜ ଉପାୟରେ । ନାରୀମାନଙ୍କୁ ସୁଲଳିତ ସଂଗୀତ ମାଧ୍ୟମରେ ଅନୁଯୋଗ ଜଣାଇ ସେ ସେମାନଙ୍କ ହୃଦୟକୁ ଛୁଇଁବା ନିମନ୍ତେ ଚେଷ୍ଟା କରିଥିଲେ । ସଂସ୍କାର ଏବଂ ଅନ୍ଧସଂସ୍କାର ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟଟିକୁ ସେମାନଙ୍କୁ ବୁଝାଇଦେବା ନିମନ୍ତେ ଉଦ୍ୟମ କରିଥିଲେ ।

 

ପରମ୍ପରାବାଦୀ ପାଣି ସଂସ୍କାରକୁ ସମ୍ମାନ ଜଣାଉଥିଲେ । ଏ ଦେଶରେ ସାମାଜିକ ସୁସ୍ଥତା ନିମନ୍ତେ ବହୁକାଳରୁ ପ୍ରଚଳିତ ଥିବା ନୀତିନିୟମଗୁଡ଼ିକୁ ତେଣୁ ସେ ସବୁବେଳେ ଉପେକ୍ଷା କରୁନଥିଲେ । ବରଂ ସେସବୁ ପଛରେ ଥିବା ବୈଜ୍ଞାନିକ ମୂଲ୍ୟବୋଧକୁ ଖୋଜି ବାହାର କରିବା ନିମନ୍ତେ ଚେଷ୍ଟା କରୁଥିଲେ । ଏହି କାରଣରୁ ହିଁ ସେ ଏ ଦେଶର ନାରୀ ସମାଜକୁ ନିୟମିତ ଭାବରେ ଗୋମୟଦ୍ୱାରା ମାଟିଘରଗୁଡ଼ିକୁ ଲିପିବା ନିମନ୍ତେ ଅନୁାରୋଧ କରିଥିଲେ । କାରଣ ସେ ବୁଝିଥିଲେ ଗୋମୟ ସ୍ୱାସ୍ଥ୍ୟକର, ତଥା ବହୁକ୍ଷତିକାରକ କୀଟପତଙ୍ଗାଦିର ବିନାଶକ । ତୁଳସୀଗଛଟିଏ ସମଗ୍ର ପରିବାରର ସୁସ୍ୱାସ୍ଥ୍ୟର କାରଣ ହୋଇଥାଏ । ତେଣୁ ପ୍ରତ୍ୟେକ ଗୃହରେ ଏହାର ଯତ୍ନ କରାଯିବା ଆବଶ୍ୟକ ବୋଲି ତାଙ୍କର ମନେ ହୋଇଥିଲା । ରୋଷେଇ ଘର ହେଉଛି, ପରିବାରର ସ୍ୱାସ୍ଥ୍ୟକେନ୍ଦ୍ର । ତେଣୁ ତାହାର ପରିଷ୍କାର ପରିଚ୍ଛନ୍ନତା ଉପରେ ସେ ବିଶେଷ ଜୋର୍‌ ଦେଉଥିଲେ । କେବଳ ସେତିକି ନୁହେଁ, ସ୍ୱାସ୍ଥ୍ୟରକ୍ଷାର ନାନା ଛୋଟ ଛୋଟ ବ୍ୟାପାର ଆଡ଼େ ମଧ୍ୟ ତାଙ୍କର ସତର୍କ ଦୃଷ୍ଟି ରହିଥିଲା । ନିୟମିତ ଭାବରେ ବିଛଣା ଇତ୍ୟାଦିକୁ ଖରାରେ ଦେବା, କିରାସିନୀ ବତୀ ଜଳାଇ ବନ୍ଦ ଘରେ ନଶୋଇବା ପ୍ରଭୃତି ବିଷୟରେ ମଧ୍ୟ ସେ ନାରୀସମାଜକୁ ଚେତାଇ ଦେଇଥିଲେ । ନାରୀ ସତର୍କ ରହିଲେ, ପରିବାର ଅନେକ ସମସ୍ୟାରୁ ମୁକ୍ତ ରହିପାରିବ, ଅନ୍ତତଃ ଏ ବିଷୟରେ ତାଙ୍କର ସନ୍ଦେହ ନଥିଲା । ତେଣୁ ପରଚର୍ଚ୍ଚା, କଳହ, ଆତ୍ମବଡ଼ିମା ପ୍ରଭୃତିରୁ ଦୂରରେ ରହି ନୀରବରେ ନିଜର କର୍ମ କରିଯିବା ନିମନ୍ତେ ‘ଉତ୍କଳ ଗୃହଲକ୍ଷ୍ମୀ’ ପୁସ୍ତକରେ ସେ ନାରୀ-ସମାଜକୁ ଆହ୍ୱାନ ଜଣାଇଛନ୍ତି ।

 

ଏ ଦେଶରେ ସାଧାରଣ ଜନତାର ଦାରିଦ୍ର୍ୟ ତାଙ୍କୁ ବ୍ୟଥିତ କରୁଥିଲା । କୁଶାସନ ହିଁ ଏହାର ଏକମାତ୍ର କାରଣ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ହୋଇଥିଲା । ସ୍ୱାର୍ଥପର କେତେକ ରାଜକର୍ମଚାରୀ ଦୁଇ ହାତରେ ଲୋକଙ୍କୁ ଲୁଣ୍ଠନ କରୁଥିଲେ । ପାଣି ସେମାନଙ୍କ ବିରୁଦ୍ଧରେ ସ୍ୱର ଉଠାଇ ଥିଲେ ‘ଦୁଆରୀ’ ଚରିତ୍ର ସାହାଯ୍ୟରେ ସରକାରୀ ଚାକିରିର ନିନ୍ଦାଗାନ କରି । ପେଟପାଇଁ ଯେଉଁମାନେ ସରକାରୀ ଚାକିରି କରନ୍ତି, ପ୍ରତି ନିୟତ ଆତ୍ମସମ୍ମାନକୁ ବଳି ଦେଇ ସେମାନଙ୍କୁ କିଭଳି ଲାଞ୍ଛିତ ହେବାକୁ ହୁଏ, ଏବଂ କଲମର ଗାରକରେ ସେମାନଙ୍କର ଚାକିରି ଖଣ୍ତିକ କିଭଳି ଶେଷ ହୋଇଯାଏ, ତାହା ପାଣି ନିଶ୍ଚୟ ଦେଖିଥିବେ । ଦିଲ୍ଲୀର ସେଇ ଅପୂର୍ବ ଲଡ଼ୁକୁ ନଖାଇ ମଧ୍ୟ ପାଣି ତାହାର ମହକରେ ମୁହ୍ୟମାନ ହୋଇ ପଡ଼ିଥିଲେ । ତେଣୁ ଯଥାସମ୍ଭବ ଆତ୍ମନିର୍ଭରଶୀଳ ହେବାକୁ ସେ ନିଜର ଦେଶବାସୀଙ୍କୁ ଆହ୍ୱାନ ଜଣାଇ ଥିଲେ । ସୃଷ୍ଟିରେ ସାମାନ୍ୟ ପିମ୍ପୁଡ଼ି ଏବଂ ଚୁଟିଆମୂଷାଟିଏ ଯେତେବେଳେ ନିଜ ଉଦ୍ୟମରେ ପେଟ ପୂରାଇବାର ବ୍ୟବସ୍ଥା କରି ପାରୁଛନ୍ତି, ସେତେବେଳେ ହାତଗୋଡ଼ଥିବା ମଣିଷ ବା ତା’ କାହିଁକି ନପାରିବ ? ମୁଣ୍ତ ଝାଳ ତୁଣ୍ତରେ ମାରି ନିଜ ଘରେ ନିଜ ପରିଶ୍ରମରେ ବଞ୍ଚିବାର ଯେଉଁ ଆନନ୍ଦ ତା’ ଆଉ କେଉଁଥିରେ ନାହିଁ ବୋଲି ପାଣି ମନେ କରୁଥିଲେ । ମୋଟାମୋଟି ଭାବରେ ପାଣିଙ୍କର କଳ୍ପନାରେ ଥିଲା, ବୈକୁଣ୍ଠ ସମାନ ସେହି ଘର, ଯେଉଁଠାରେ ଦାସତ୍ୱର ବେଦନା ନଥିବ, ମନରେ ଶଙ୍କା ନଥିବ ଏବଂ ଯେଉଁଠି ମଣିଷ ଅନ୍ତତଃ ସ୍ୱସ୍ତିରେ ନିଃଶ୍ୱାସ ମାରି ପାରୁଥିବ ।

 

୧୯୨୦ ମସିହା ବେଳକୁ ଏ ଦେଶରେ ସ୍ୱାଧୀନତା ସଂଗ୍ରାମର ଶୁଭାରମ୍ଭ ହୋଇ ସାରିଥିଲା । ମହାତ୍ମା ଗାନ୍ଧିଙ୍କର ଅସହଯୋଗ ଆନ୍ଦୋଳନର ବାର୍ତ୍ତା ପାଣିଙ୍କୁ ଗଭୀର ଭାବରେ ଆଲୋଡ଼ିତ କରୁଥିଲା । ଜଣେ ଲେଖକ ହିସାବରେ ତାଙ୍କର ଏକମାତ୍ର ଆୟୁଧ ଥିଲା କଲମ । ତାକୁ ହିଁ ସେ ଶାସକ-ଶକ୍ତି ବିରୁଦ୍ଧରେ ସୁଯୋଗ ପାଇବା ମାତ୍ରେ ବଲମ ଭଳି ବ୍ୟବହାର କରୁଥିଲେ । ଅନେକ ଅବସରରେ ସେ ଜ୍ୱାଳାମୟୀ ସଙ୍ଗୀତମାନ ରଚନା କରି ଆସର୍‌ରେ ପରିବେଷଣ କରୁଥିଲେ । ତହିଁରେ ସେ ନିଜର ଦେଶବାସୀଙ୍କୁ ଅନୁରୋଧ କରୁଥିଲେ । ଅର୍ଦ୍ଧ ଉଲଙ୍ଗ ସେଇ ଫକୀରଙ୍କର ପ୍ରଦର୍ଶିତ ପଥ ଅନୁସରଣ କରି ଦେଶକୁ ଦୁର୍ଜନ, କ୍ରୂର, ପାପୀ ଏବଂ ଭୀରୁ ଶ୍ୱେତବଣିକମାନଙ୍କ କବଳରୁ ରକ୍ଷା କରିବା ନିମନ୍ତେ ସେ ଆହୁରି କହୁଥିଲେ-‘‘ହେ ଭାରତର ତ୍ରିଂଶକୋଟି ବୀର ସନ୍ତାନ, ଉଠ, ଜାଗ ! ଶ୍ୱେତାଙ୍ଗ ଶତ୍ରୁର ରକ୍ତ ଅର୍ଘ୍ୟରେ ନିଜର ପିତୃପୁରୁଷଙ୍କର ତର୍ପଣ କର । ଭୟ କରିବାର କିଛି ନାହିଁ । ଗୋରା ସରକାରଙ୍କର ଜେଲ୍‌ଖାନା ଆଜି ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦଖଲରେ । ବଣିଆ ଟୋକା ଗାନ୍ଧି ଆଜି ଆମ ମନରୁ ଜେଲ୍‌ଖାନାର ଡର ଛଡ଼ାଇ ଦେଇଛି । ଦେଶ ମାଆର ମଙ୍ଗଳ ପାଇଁ ବାରମ୍ବାର କାରାବରଣ କରିବାରେ ଦୁଃଖ ନାହିଁ, କାରଣ ସେଇଥିରେ ଗୋରା ସରକାର ଭୟଭୀତ ହୋଇ ଦେଶ ଛାଡ଼ି ପଳାଇବାକୁ ବାଟ ପାଇବ ନାହିଁ ।

 

ଶାସକ ଶକ୍ତିର ଅତ୍ୟାଚାର ବିରୁଦ୍ଧରେ ପାଣି ବାରମ୍ବାର ସ୍ୱର ଉତ୍ତୋଳନ କରି ଦେଶବାସୀଙ୍କୁ ସତର୍କ କରାଇ ଦେଇଥିଲେ । ସେ ଲେଖିଥିଲେ :

 

ପୋଡ଼ି ଯାଉରେ ଅଙ୍ଗରେଜୀ ଅମଳ,

ଦେଶୁଁ ହରିନେଲା ଟଙ୍କା ସୁନା ଯେତେ,

ଦେହରୁ ଆମର ହରିଲା ବଳ !

 

ବହୁବାର ତାଙ୍କୁ ଗିରଫ୍‌ କରିନେବା ନିମନ୍ତେ ଚିନ୍ତା କରାଯାଇଛି । ମାତ୍ର ତାଙ୍କର ଲୋକପ୍ରିୟତାକୁ ସ୍ମରଣ କରି ଶାସକମାନେ ହୁଏତ ଏଥିପାଇଁ ସାହସ କରିପାରି ନାହାନ୍ତି । ଫଳରେ ନିର୍ଭୀକ ପାଣି ଆହୁରି ଖୋଲାଖୋଲି ଭାବରେ ବ୍ରିଟିଶ୍‌ ସରକାରଙ୍କୁ ସମାଲୋଚନା କରି ଯାଇଛନ୍ତି । ବିଦେଶୀ ଦ୍ରବ୍ୟ ବର୍ଜନ କରି ସ୍ୱଦେଶୀ ଜିନିଷ ବ୍ୟବହାର କରିବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି । ଏଥିପାଇଁ ସେ ଲେଖିଛନ୍ତି-‘‘ବିଦେଶୀ ଦ୍ରବ୍ୟ କେଉଁ ଗୁଣରେ ତୁମ ନିଜ ଜିନିଷଠାରୁ ଭଲ ? କାଳକାଳରୁ ତୁମର ପିତାପ୍ରପିତାମାନେ ମୋଟା ଖାଇ ସୋଟା ପିନ୍ଧି ହସି ଖେଳି ଜୀବନ କଟାଇ ଦେଇଛନ୍ତି । ସେମାନଙ୍କୁ ଅନୁସାରଣ କରିବା ହେଉଛି ତୁମର କର୍ତ୍ତବ୍ୟ । ଆଜି ଶପଥ ନିଅ । ଜୀବନରେ କେବେହେଲେ ବିଦେଶୀ ଦ୍ରବ୍ୟ ବ୍ୟବହାର କରିବ ନାହିଁ ।’’ ମହାତ୍ମା ଗାନ୍ଧିଙ୍କର ‘ଗ୍ରାମକୁ ଫେରିଚାଲର ଦର୍ଶନ ପାଣିଙ୍କୁ ବେଶ୍‌ ପ୍ରଭାବିତ କରୁଥିଲା । କାରଣ ମନରେ ପ୍ରାଣରେ ଗ୍ରାମୀଣ ପାଣି ଗ୍ରାମ୍ୟ ଓଡ଼ିଶାର ସ୍ୱଚ୍ଛନ୍ଦତାରେ ମୁଗ୍‌ଧ ଥିଲେ । ତେଣୁ ସେ ନିଜର ଦେଶବାସୀଙ୍କୁ ଆହ୍ୱାନ ଜଣାଇ ଲେଖିଥିଲେ, ‘କୁଟିଖାଅ କାଟି ପିନ୍ଧ’ । ଆତ୍ମନିର୍ଭରଶୀଳତା ହେଉଛି, ପାଣିଙ୍କ ମତରେ ସ୍ୱାଧୀନତା ଲାଭର ପ୍ରଥମ ପାହାଚ । ଏଥିପାଇଁ ବ୍ରିଟିଶ୍‌ ସରକାରର ଗୋଲାମୀ ଛାଡ଼ି, ବିଲଚଷି, ଆନନ୍ଦରେ ଚଳିବା ପାଇଁ ସେ ଚାକିରିଆମାନଙ୍କୁ ନିବେଦନ କରୁଥିଲେ । ଅମୀନମାନଙ୍କର ଘୁଶ୍‌ଖୋର ମନୋବୃତ୍ତିକୁ କଟୁଭାବରେ ସମାଲୋଚନା କରି ଏବଂ ଇଂରେଜ ସରକାର ହିଁ ଏମାନଙ୍କୁ ପ୍ରଶୟ ଦେଉଛନ୍ତି ବୋଲି ଅଭିଯୋଗ କରି, କିପରି ତାଙ୍କର ଜୀବନ ସଂଶୟ ହୋଇଥିଲା ଏବଂ ରାମଶଙ୍କର ରାୟଙ୍କ ସହାୟତାରେ କିପରି ସେ ଏହି ଚକ୍ରାନ୍ତରୁ ଆତ୍ମରକ୍ଷା କରିଥିଲେ, ତାହା ଇତିପୂର୍ବରୁ ସୂଚିତ ହୋଇଛି । ମୋଟାମୋଟି ଭାବରେ କୁହାଯାଇ ପାରେ, ପାଣି ଗୋରା ଶାସନର ତୀବ୍ର ସମାଲୋଚକ ରୂପେ ଦେଶବାସୀଙ୍କୁ ଶାସନ ବିରୁଦ୍ଧରେ ଉତ୍ତେଜିତ କରୁଥିଲେ । ବଙ୍ଗଳାର ଚାରଣ-କବି ମୁକୁନ୍ଦ ଦାସ ଯେଉଁଭଳି ଗ୍ରାମରୁ ଗ୍ରାମକୁ ବିପ୍ଳବର ବହନ କରି ନେଈ ଯାଈ ଥିଲେ ପାଣି ମଧ୍ୟ ତାହାହିଁ କରୁଥିଲେ । ଉଭୟଙ୍କ ମଧ୍ୟରେ ବହୁ ସାମଞ୍ଜସ୍ୟ ଥିଲା । ପାଣିଙ୍କୁ ଓଡ଼ିଶାର ଚାରଣ କବି କୁହାଯାଇ ପାରେ ।

 

ଏକ ଶୋଷଣମୁକ୍ତ ସମାଜ ଥିଲା ପାଣିଙ୍କର ଏକମାତ୍ର ସ୍ୱପ୍ନ । ମାତ୍ର ଗ୍ରାମ୍ୟ ଓଡ଼ିଶାର ରୁଗ୍‌ଣ ରୂପ ତାଙ୍କୁ ଗଭୀର ପୀଡ଼ା ଦେଉଥିଲା । ନିଜେ ଜଣେ ଗ୍ରାମୀଣ ହୋଇଥିବାରୁ ସଂକୀର୍ଣ୍ଣତା, ନୀଚସ୍ୱାର୍ଥପରାୟଣତା ପ୍ରଭୃତିକୁ ତ୍ୟାଗ କରିପାରିଲେ, ଗ୍ରାମବାସୀମାନେ ଯେ ସୁଖସନ୍ତୋଷରେ ରହିପାରିବେ, ଏଥିରେ ତାଙ୍କର ସନ୍ଦେହ ନଥିଲା । ଗାଁ ଟାଉଟରମାନଙ୍କ ସମ୍ପର୍କରେ ସେ ସେମାନଙ୍କୁ ବିଶେଷଭାବରେ ସତର୍କ କରାଇ ଦେଇଥିଲେ । କାରଣ ଲୋକମାନଙ୍କୁ ପରସ୍ପର ଭିତରେ ଲଢ଼ାଇ ଦେବାରେ ହିଁ ଏମାନଙ୍କର ଆନନ୍ଦ । ମିଠା ମିଠା କଥା କହି, ଅଳୀକ ପ୍ରତିଶ୍ରୁତି ଦେଇ ଏମାନେ ଲୋକଙ୍କୁ କିଣି ନିଅନ୍ତି ଏବଂ ଅଚିରେ ସେମାନଙ୍କୁ ଧ୍ୱଂସ କରନ୍ତି । ଚୋରି ଡକାୟତି, ଧର୍ଷଣ ଏବଂ ହତ୍ୟା ଏମାନଙ୍କ ଦେହର ମଳି । ତେଣୁ ଏମାନଙ୍କୁ ବିଷତୁଲ୍ୟ ପରିହାର କରିବାରେ ହିଁ ବ୍ୟକ୍ତିର ମଙ୍ଗଳ ।

 

ସମସାମୟିକ ଶିକ୍ଷା ପ୍ରଣାଳୀର ଦୋଷଦୁର୍ବଳତା ପାଣିଙ୍କର ସତର୍କ ଦୃଷ୍ଟି ଏଡ଼ାଇ ନଥିଲା । ଅଧିକାଂଶ ଗ୍ରାମବିଦ୍ୟାଳୟର ଶିକ୍ଷକ ହୁଏତ ଅଯୋଗ୍ୟ ଥିଲେ କିମ୍ବା ସ୍ୱାର୍ଥପର ଥିଲେ । ଜ୍ଞାନଦାନ ବଦଳରେ ସେମାନେ ଛାତ୍ରମାନଙ୍କୁ ଭୃତ୍ୟରୂପରେ ବ୍ୟବହାର କରୁଥିଲେ ପରମ୍ପରାର ଦ୍ୱାହିଦେଇ । ତାଙ୍କର ‘ଭାଗ୍ୟଧର’ ନାଟକରେ ସେ ତତ୍କାଳୀନ ଶିକ୍ଷକ ଛାତ୍ର ସମ୍ପର୍କରେ ଏକ ସୁନ୍ଦର ଚିତ୍ର ଅଙ୍କନ କରିଛନ୍ତି । ଶିକ୍ଷକ ଛାତ୍ରକୁ ପିକା ଲଗାଇବାକୁ ପଠାଇଛନ୍ତି ଏବଂ ପିକାର ନିଆଁକୁ ଜଳାଇ ରଖିବା ପାଇଁ ସରଳ ଛାତ୍ରଟି କିପରି ପିକାକୁ ନିଜେ ଟାଣି ଗୁରୁଙ୍କ କ୍ରୋଧର ପାତ୍ର ହୋଇଛି, ହାସ୍ୟରସ ମାଧ୍ୟମରେ ପାଣି ତାହା ମଞ୍ଚରେ ପରିବେଷଣ କରିଛନ୍ତି । ହାସ୍ୟରସର ଅନ୍ତରାଳରେ ସମାଜ ଜୀବନ ପ୍ରତି ଯେଉଁ ଶାଣିତ ବ୍ୟଙ୍ଗ୍ୟ ପ୍ରକଟିତ ହୋଇଛି, ତାହା ପାଣିଙ୍କର ନିର୍ଭୀକ ଦୃଷ୍ଟିଭଙ୍ଗୀର ପରିଚାୟକ । ଅନ୍ୟ ପକ୍ଷରେ ଶିକ୍ଷକକୁଳର ଦୟନୀୟ ସ୍ଥିତି ମଧ୍ୟ ତାଙ୍କ ଦୃଷ୍ଟିରୁ ବାଦ୍‌ ଯାଇନାହିଁ । ‘ପ୍ରହ୍ଲାଦ ଚରିତ’ ର ଶିକ୍ଷକଟି ବିଳାପ କରିଛି ନିଜର ଆର୍ଥିକ ଦୁର୍ଗତି ପାଇଁ । ଘରେ ଖାଇବାକୁ ନାହିଁ, ପିନ୍ଧିବାକୁ ନାହିଁ, ଚାଳଘରେ ନଡ଼ା ନାହିଁ । ଦିନସାରା ପାଟି କରି କରି ରାତିରେ ପେଟରେ ଓଦାକନା ଦେଇ ଶୋଇବାକୁ ହେଉଛି । ଏ ବର୍ଣ୍ଣନାଟି ହେଉଛି ଚିତ୍ରର ଅପର ପଟ ।

 

ପାଣିଙ୍କ ରଚନାରେ ସମସାମୟିକ ସମାଜଜୀବନର ଯେଉଁ ଉଜ୍ଜଳ ଚିତ୍ର ରହିଛି, ତହିଁରୁ ତାଙ୍କର ସଚେତନତାର ପରିଚୟ ତ ନିଶ୍ଚୟ ମିଳିବ । ସମାଜଜୀବନରୁ ବିଚ୍ଛିନ୍ନ କରି ତାଙ୍କ କୃତିର ସ୍ୱତନ୍ତ୍ର ମୂଲ୍ୟାୟନ ମଧ୍ୟ କରାଯାଇ ପାରିବ ନାହିଁ ।

 

ସମାଜଜୀବନରେ ଯେଉଁ ଆତଙ୍କବାଦ, ତଥା ନୈରାଶ୍ୟ ଘୋଟି ରହିଥାଏ, ନାଟ୍ୟକାରର ପ୍ରଥମ କର୍ତ୍ତବ୍ୟ ହେଉଛି, ସେ ତାହାର ନିରାକରଣ ନିମନ୍ତେ ଆନ୍ତରିକ ଉଦ୍ୟମ କରିବ । କୁଶାସନ ଜନିତ ଯେଉଁ ଆତଙ୍କ ଓ ନୈରାଶ୍ୟ ସେତେବେଳେ ସମଗ୍ର ଦେଶକୁ ଆଚ୍ଛନ୍ନ କରି ରଖିଥିଲା, ପାଣି ତହିଁରୁ ଦେଶବାସୀଙ୍କୁ ମୁକ୍ତ ରଖିବା ନିମନ୍ତେ ମାର୍ଗର ସନ୍ଧାନ କରିଛନ୍ତି । ଅନ୍ତତଃ ନିଜର ବୁଦ୍ଧିବିବେକର ପ୍ରୟୋଗ କରି ସେ ସମାଜ ତଥା ଦେଶର ପ୍ରକୃତ ହିତକୁ ହୃଦୟଙ୍ଗମ କରି ପାରିଥିଲେ । ଅବ୍ୟବସ୍ଥିତ ସମାଜଜୀବନକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ତାଙ୍କର ପ୍ରୟାସ ଅବଶ୍ୟ ଲକ୍ଷଣୀୟ ।

 

ସମାଜ ନିର୍ମାଣରେ ନାଟ୍ୟକାରଙ୍କର ଭୂମିକାର ଦୁଇଟି ଦିଗ ରହିଛି । (କ) ଆଶାବାଦୀ (ଖ) ନେତିବାଦୀ । ନିଜ ରଚନାରେ ସେ ଏ ଦୁଇଟି ଭିତରୁ ଗୋଟିକକୁ ବ୍ୟବହାର କରିଥାଆନ୍ତି । ଆଶାବାଦୀ ନାଟ୍ୟକାର ସାବଧାନତାର ସହିତ ନିଜ ସମୟ ସଙ୍ଗେ ଦର୍ଶକମାନଙ୍କୁ ପରିଚିତ କରାଇ ଦିଅନ୍ତି । ଦେଶର ବିକାଶ, ଏହାର ଦୋଷଦୁର୍ବଳତା ସମ୍ପର୍କରେ ସେ ଏଭଳି ସୂଚନା ଦେବେ, ତହିଁରୁ ଦର୍ଶକମାନେ ପ୍ରକୃତ ସ୍ଥିତି ଅନାୟାସରେ ଜାଣିପାରିବେ । ଏହି କାରଣରୁ ନିଜ ଦେଶ ତଥା ସମାଜ ସହିତ ନାଟ୍ୟକାରଙ୍କର ଅନ୍ତରଙ୍ଗ ପରିଚୟ ଥିବା ଆବଶ୍ୟକ । ତାହାହେଲେ ସେ ଉଭୟର ଯଥାଯଥ ଚିତ୍ରଣ କରିପାରିବେ ।

 

ଆଉ ଏକ ଶ୍ରେଣୀର ନାଟ୍ୟକାରଙ୍କର ଦୃଷ୍ଟିକୋଣ ହେଉଛି ନେତିବାଚକ । ଜୀବନରେ କେଉଁଠି କିଛି ଭଲ ସେମାନଙ୍କ ଦୃଷ୍ଟିରେ ପଡ଼େ ନାହିଁ । ଦୁଃଖ, ଯନ୍ତ୍ରଣା, ବଞ୍ଚନା, ଛଳନା-ଏହି ଗୁଡ଼ିକୁ ହିଁ ସେମାନେ ଧରି ନିଅନ୍ତି ଜୀବନର ଚରମ ଏବଂ ପରମ ସତ୍ୟରୂପେ । ନୈରାଶ୍ୟର ଫାଙ୍କେଫାଙ୍କେ ଆଶାର ରଜତ ରେଖା ଉଙ୍କିମାରେ ବୋଲି ତ ଜୀବନର ଅନ୍ୟନାମ ଧୈର୍ଯ୍ୟ । ସହନଶୀଳତା ଆଉ ବୁଝାମଣାର ଅଭାବରେ ନାଟ୍ୟକାର ଯଦି କେବଳ ଏହାର ନେତିବାଚକ ଦିଗଟିକୁ ଦର୍ଶକମାନଙ୍କ ଆଗରେ ତୋଳି ଧରନ୍ତି, ତେବେ ତାହା ସଂସାରର ଦୁର୍ବହତାକୁ କେବଳ ବଢ଼ାଇବା ବ୍ୟତୀତ ଅନ୍ୟ କିଛି ଉପକାରରେ ଆସିବ ନାହିଁ ।

 

ସଂସାରୀ ମଣିଷ ରୂପରେ ପାଣି ଯେ ଜୀବନରେ ଖୁବ୍‌ ଗୋଟାଏ ସଫଳତା ପାଉଥିଲେ, ଏକଥା କୁହାଯାଇ ପାରିବ ନାହିଁ । ଆନନ୍ଦ ଅପେକ୍ଷା ବେଦନା ହିଁ ତାଙ୍କୁ ସାହଚର୍ଯ୍ୟ ଦେଇଥିଲା ଅଧିକ । ଦୁଃଖ ଆଉ କଷ୍ଟର ଅଗ୍ନିଦାହ କିନ୍ତୁ ତାଙ୍କୁ ଧୈର୍ଯ୍ୟହରା କରି ନଥିଲା । ନୀଳକଣ୍ଠ ଭଳି ସଂସାର-ସମୁଦ୍ର ଉଦ୍‌ଭୂତ ବିଷକୁ ସେ ନିଜେ ପାନ କରି ଦେଶବାସୀଙ୍କ ପାଇଁ କେବଳ ନିରବଚ୍ଛିନ୍ନ ଆନନ୍ଦ ଓ ଅଖଣ୍ଡ ଆଶାର ବାର୍ତ୍ତା ପ୍ରଚାର କରି ଯାଇଛନ୍ତି । ଏହାର ଅର୍ଥ ନୁହେଁ ଯେ, ସେ ସଂସାରର ବାସ୍ତବ ରୂପ ସହିତ ପରିଚିତ ନଥିଲେ କିମ୍ବା ତାହାଠାରୁ ଦୂରକୁ ପଳାଇବାକୁ ଚାହୁଁଥିଲେ । ବରଂ ଦୁଃଖ ଆଉ ସୁଖକୁ ନେଇ, ଆନନ୍ଦ ଆଉ ବେଦନାକୁ ନେଇ ଜୀବନର ଯେଉଁ ପୂର୍ଣ୍ଣ ରୂପ, ତାକୁ ହିଁ ସେ ଚିହ୍ନିଥିଲେ ଏବଂ ଦର୍ଶକମାନଙ୍କୁ ମଧ୍ୟ ଚିହ୍ନାଇ ଥିଲେ ।

 

ଏ ପ୍ରସଙ୍ଗରେ ଆଉ ଗୋଟିଏ କଥା କହିବା ଦରକାର ହେଉଛି । ପାଣିଙ୍କ ନାଟ୍ୟକାର ଜୀବନରେ ପ୍ରଲୋଭନ ଆସିଛି ବର୍ଷାର ଧାର ରୂପରେ । ଲୋକପ୍ରିୟ ତ ସେ ଥିଲେ ହିଁ, ତଥାପି ତାଙ୍କର ନାଟ୍ୟକୃତି ଗୁଡ଼ିକୁ ସେ କେବଳ ମାତ୍ର ମନୋରଞ୍ଜନର ଆଧାର କରି ନାହାନ୍ତି । ଜୀବନରେ ସମସ୍ତ ପ୍ରଲୋଭନଠାରୁ ସତର୍କ ଭାବରେ ଆତ୍ମରକ୍ଷା କରି ପାରିଥିଲେ ବୋଲି ହିଁ ପାଣି ସମାଜକୁ ଉପଯୁକ୍ତ ମାର୍ଗ ଦେଖାଇବାରେ ସକ୍ଷମ ହୋଇଥିଲେ ।

 

ମନେରଖିବାକୁ ହେବ ଯେ, ନାଟ୍ୟକାର ସମାଜର ଦିଗ୍‌ଦର୍ଶନ ହୋଇଥିଲେ ହେଁ ବିଚାରକ ବା ଉପଦେଷ୍ଟା ମାତ୍ର ନୁହନ୍ତି । ଯଦି ସେ ଏଭଳି ହୁଅନ୍ତି, ତେବେ ଦର୍ଶକଙ୍କ ଉପରେ ତାଙ୍କର ବ୍ୟାପକ ଏବଂ ସ୍ଥାୟୀ ପ୍ରଭାବ ପଡ଼ିବ ନାହିଁ । ନାଟ୍ୟକାର ଏଭଳି ଦୃଶ୍ୟର ପରିକଳ୍ପନା କରିବେ, ଯାହା ପ୍ରତି ଦର୍ଶକ ସ୍ୱତଃସ୍ଫୁର୍ତ୍ତ ଭାବରେ ଆକୃଷ୍ଟ ହେବେ । ସମାଜ ଆଉ ଦେଶର ହିତପାଇଁ କାମ କରିବାର ସଂକଳ୍ପ ତାଙ୍କର ବରାବର ଥିବ । ଓଡ଼ିଆ ଲୋକନାଟକର ଇତିହାସ ଏବଂ ପାଣିଙ୍କର ଜୀବନ-ଏ ଦୁଇଟି ହେଉଛି ଏକ ଏବଂ ଅଭିନ୍ନ । ପ୍ରଚାରକ ନହୋଇ ମଧ୍ୟ ସ ଜଣେ ସଚ୍ଚା ଉପଦେଷ୍ଟା ଭାବରେ ନିଜର ବାର୍ତ୍ତା କଳାତ୍ମକ ରୂପରେ ପରିବେଷଣ କରି ଯାଇଛନ୍ତି । ତାଙ୍କ ନାଟକର ଚରିତ୍ର ଚିତ୍ରଣ, ବସ୍ତୁ ସଂଯୋଜନା ଏଭଳି ହୋଇଛି, ଯାହା ସ୍ୱାଭାବିକ ରୂପରେ ଦର୍ଶକଙ୍କୁ ଆକୃଷ୍ଟ କରିଛି । ସମାଜର ହିତଚିନ୍ତା ପ୍ରତି ତାଙ୍କର ଆନ୍ତରିକ ସମର୍ପଣ ଭାବ ଥିବାରୁ ହିଁ ଏହା ସମ୍ଭବ ହୋଇଛି ।

 

ବିଂଶ ଶତକର ପ୍ରଥମ ପାଦରେ ଏ ଦେଶରେ ଯେଉଁ ଦୃଢ଼ ସାମାଜିକ ପରିବର୍ତ୍ତନମାନ ହେଉଥିଲା, ଜଣେ ନିର୍ବିକାର ଦର୍ଶକ ଭାବେ ସେ ତାହାର ଅନୁଧ୍ୟାନ କରିଛନ୍ତି । ତାଙ୍କର ଦୃଷ୍ଟିକୋଣ ଥିଲା ସମ୍ପୂର୍ଣ୍ଣ ବୈଜ୍ଞାନିକ । ପରମ୍ପରାର ତୋରଣ ଦ୍ୱାରରେ ଦଣ୍ଡାୟମାନ ହୋଇ ସେ ପ୍ରଗତିର ଅଭିନବତାର ସ୍ୱାଗତିକା ଗାନ କରିଥିଲେ । ପ୍ରଚଳିତ ପ୍ରଥା, ମୂଲ୍ୟବୋଧ, ଆଦର୍ଶ ତଥା ପରମ୍ପରା ପ୍ରତି ଜନମାନସରେ ଯେଉଁ ଅବିଶ୍ୱାସ ସୃଷ୍ଟି ହୋଇଥିଲା, ପାଣି ତହିଁରୁ ସେମାନଙ୍କୁ ନିଜ ଚେଷ୍ଟାରେ ନିରସ୍ତ କରିବା ନିମନ୍ତେ ଉଦ୍ୟମ କରିଥିଲେ । ପାଣି ବୁଝିଥିଲେ କେବଳମାତ୍ର ଅସ୍ଥିରତା ତଥା ସଂଘର୍ଷ ଦ୍ୱାରା ନୂତନ ସମାଜ ଗଠନର ସ୍ୱପ୍ନ ସଫଳ ହେବାର ନୁହେଁ । ଏଥିପାଇଁ ପ୍ରୟୋଜନ ଉଦାରଦୃଷ୍ଟି, ଦେଶହିତ କାମନା, କର୍ତ୍ତବ୍ୟ ନିଷ୍ଠା ତଥା ଅନୁଶାସନପ୍ରିୟତା । ଏହାହିଁ ସମାଜ ଜୀବନକୁ ନିରୁଦ୍‌ବେଗ କରିପାରିବ ଏବଂ ତଦ୍ୱାରା ବିକାଶର ଗତିରେ ମଧ୍ୟ ତୀବ୍ରତା ଆସି ପାରିବ ।

 

ସମସାମୟିକ ସମାଜ-ଜୀବନର ସଫଳ ରୂପକାର ଭାବରେ ପାଣି କବିଙ୍କର କୃତିତ୍ୱ ତେଣୁ ଅବିସମ୍ବାଦିତ । ବିସ୍ତୃତ ସମାଜ-ଜୀବନ ସହିତ ସେ କ୍ଷୀରନୀର ନ୍ୟାୟରେ ମିଶି ଯାଇଥିଲେ । ତେଣୁ ସେ ଯେଉଁ ଚିତ୍ର ଅଙ୍କନ କରିଛନ୍ତି, ଯଥାର୍ଥରେ ତାହା ହୋଇଛି ସେକାଳ ସମାଜର ଇତିହାସ-। ଏହାହିଁ ହେଉଛି ତାଙ୍କର କୃତିତ୍ୱ ।

 

ହାରାମଣି ନିବାସ

ଦେଉଳସାହି

କଟକ-୮

 

ଯେବେ ମନ ନାହିଁ ନିରିମଳରେ

ମାଳା ତିଳକ ଥାଇ କି ଫଳରେ ।

ନାମ ଜପି ଯଦି କାମନା ନପୂରେ

କଟିଗଲେ ତିନି କାଳରେ ।

ସେ ତ ଛାୟାବାଡ଼ରେ ନାହିଁରେ

ମିଛ ମାୟାରେ ନହୁଅ ବାଇରେ ।

ହରାଦି ରାମାଦି କେତେ ସାଧି ସାଧି

କାଳ ତ ଗଲାଣି ପାହିଁରେ ।

-ପାଣି ଭଜନ

***

 

ସମକାଳୀନ ଗୀତିନାଟ୍ୟକାରଙ୍କ ମଧ୍ୟରେ

Unknown

ଗଣକବି ବୈଷ୍ଣବ ପାଣିଙ୍କ ସ୍ୱାତନ୍ତ୍ର୍ୟ

ଡକ୍ଟର ବୈଷ୍ଣବ ଚରଣ ସାମଲ

 

ଆଧୁନିକ ଓଡ଼ିଆ ସାହିତ୍ୟର ଆଦି ଉନ୍ମେଷ ପୂର୍ବରୁ ଗୀତାଭିନୟର ହୋଇଛି ଯଥାର୍ଥ ବିକାଶ । ପ୍ରାଚୀନ ଛନ୍ଦୋବଦ୍ଧ କାବ୍ୟ ପରମ୍ପରାକୁ ଛାଡ଼ି ଆଧୁନିକ ରୁଚି ଓ ଜୀବନ-ଜିଜ୍ଞାସାକୁ ନେଇ ଯେତେବେଳେ ଆଧୁନିକ କାବ୍ୟ କବିତାର ହେଲା ଶୁଭ ଶୋଭାଯାତ୍ରା, ସେତିକିବେଳେ ମଧ୍ୟ ଲୋକନାଟକ ପରମ୍ପରାରୁ ଆଉ ଏକ ନୂତନ ଅଭିନୟ ପରମ୍ପରା ସୃଷ୍ଟି ହେଲା, ଯାହା ଏକାଧାରରେ କାବ୍ୟର ସ୍ୱାଦ ଦେବା ସଙ୍ଗେ ସଙ୍ଗେ ଦେଲା ଅଭିନୟର ଚାତୁର୍ଯ୍ୟ । ତେଣୁ ଆଧୁନିକ ଓଡ଼ିଆ କବିତାର ଆଦ୍ୟ ଅଭ୍ୟୁଦୟ ସଙ୍ଗେ ସଙ୍ଗେ ଗୀତାଭିନୟ ଓ ଗୀତିନାଟ୍ୟ ମଧ୍ୟ ସମତାଳରେ ଗତି କରିବାକୁ ଲାଗିଲା । ଆଧୁନିକ କବିତା ସେକାଳର ନବ ଶିକ୍ଷିତ ମାନସର ଅଭିବ୍ୟକ୍ତି ହୋଇଥିଲା ବେଳେ ଗୀତାଭିନୟ ଓ ଗୀତିନାଟ୍ୟ ହେଲା ଗ୍ରାମ୍ୟ ସମାଜର ସାଧାରଣ ପରମ୍ପରା-ପ୍ରସୂତ ଶିକ୍ଷିତ ହୃଦୟର ଅଭିବ୍ୟକ୍ତି । ଆଧୁନିକ ପାଶ୍ଚାତ୍ୟ ଶିକ୍ଷିତ ଗୋଷ୍ଠୀ କ୍ରମେ ଆମ ପାରମ୍ପରିକ କାବ୍ୟ-ଧାରାକୁ ଛାଡ଼ି ପାଶ୍ଚାତ୍ୟ କାବ୍ୟ-ଧାରାକୁ ଗ୍ରହଣ କରିନେଲେ । ସେଥିରୁ କାଳକ୍ରମେ ଛନ୍ଦ ଓ ରାଗରାଗିଣୀ ଦୂରେଇ ଗଲା । କବିତା ହେଲା ଗଦ୍ୟାତ୍ମକ । ପୁନଶ୍ଚ ଯେଉଁ ନୂତନ ନାଟକର ଅଭ୍ୟୁଦୟ ଜଗନ୍ମୋହନ ଲାଲାଙ୍କ ‘ବାବାଜୀ’ (୧୮୭୭) ନାଟକଠାରୁ ଆରମ୍ଭ ହେଲା ତାହା ମଧ୍ୟ କ୍ରମେ ସଂସ୍କୃତ ନାଟ୍ୟଧାରାକୁ ଛାଡ଼ି ପାଶ୍ଚାତ୍ୟ ନାଟ୍ୟଧାରାକୁ ଗ୍ରହଣ କରି ନେଲା । ନୂତନ କାବ୍ୟ କବିତା ଓ ନୂତନ ନାଟକ ହେଲା ସେକାଳର ଅଭିଜାତ ଶିକ୍ଷିତ ଗୋଷ୍ଠୀର ସାହିତ୍ୟ । ଏହି ସାହିତ୍ୟ କିନ୍ତୁ ସର୍ବସାଧାରଣଙ୍କ ସାହିତ୍ୟ ହେଲା ନାହିଁ । ତଥାପି ଏହି ସାହିତ୍ୟ ହେଲା ଆଧୁନିକ ଓଡ଼ିଆ ସାହିତ୍ୟର ମାନ (standard) । ଯେଉଁ ଅଭିଜାତ ସାହିତ୍ୟିକ ଗୋଷ୍ଠୀଙ୍କର ଆବିର୍ଭାବ ଘଟିଲା ସେମାନେ ପ୍ରାୟତଃ ହୋଇଗଲେ ନଗର-କୈନ୍ଦ୍ରିକ । ଏମାନେ ପାରମ୍ପରିକ ସାହିତ୍ୟ-ଧାରାକୁ ସମାଲୋଚନା କଲେ । ଫଳରେ ଛନ୍ଦାଶ୍ରୟୀ ରୀତିକାବ୍ୟ ସଙ୍କୁଚିତ ହୋଇଗଲା । ଯେଉଁ ଲୋକନାଟ୍ୟ ଓ ଯାତ୍ରା ପ୍ରଚଳିତ ହୋଇ ଆସିଥିଲା ଗ୍ରାମ୍ୟ ଜୀବନକୁ ଭିତ୍ତିକରି ତାହାପ୍ରତି ମଧ୍ୟ ଏହି ଶିକ୍ଷିତ ଗୋଷ୍ଠୀର ଅନୁକୂଳ ମନୋଭାବ ପ୍ରକାଶ ପାଇଲା ନାହିଁ । କାରଣ ଏହାର ଲେଖକ ଥିଲେ ଗ୍ରାମର ସାଧାରଣ ଲୋକ ଏବଂ ଏହାର ରସିକ ଭୋକ୍ତା ଥିଲେ ଗ୍ରାମର ସାଧାରଣ ମଣିଷ । ଏହାସତ୍ତ୍ୱେ ଗ୍ରାମର ସାଧାରଣ ସ୍ୱଳ୍ପ ଶିକ୍ଷିତ ଲେଖକଗଣ ଗୀତାଭିନୟ ଓ ଗୀତିନାଟ୍ୟମାନ ରଚନା କରି ଆପଣା ଆପଣା ମାର୍ଗରେ ଗତି କଲେ । ଏମାନଙ୍କ ପାଇଁ ସମ୍ବାଦପତ୍ର ବା ପତ୍ରପତ୍ରିକା ନଥିଲା । ତେଣୁ ଏମାନଙ୍କର ପ୍ରଚାର ନଥିଲା । ଅଥଚ ଏମାନଙ୍କର ପ୍ରଚାରପତ୍ର ଥିଲା ଗ୍ରାମ-ମଞ୍ଚ ଓ ଗ୍ରାମର ସରଳ ସାଧାରଣ ମଣିଷ ସମାଜ । ଏକ ପକ୍ଷରେ ସାହିତ୍ୟିକ ରସ- ପିପାସାକୁ ଚରିତାର୍ଥ କରିବା ସଙ୍ଗେ ସଙ୍ଗେ ଅନ୍ୟ ପକ୍ଷରେ ସକଳ ପ୍ରତିକୂଳ ପରିବେଶରେ ମଧ୍ୟ କିଛି ଅର୍ଥ ରୋଜଗାର କରିବାର ବାସନାକୁ ଏମାନେ ଚରିତାର୍ଥ କରୁଥିଲେ । ଊନବିଂଶ ଶତାବ୍ଦୀର ଉପସଂହାର ବେଳକୁ ଏହି ଯାତ୍ରା ବା ଗୀତାଭିନୟ ଏକ ବଳିଷ୍ଠ ସାହିତ୍ୟିକ ବିଭବରେ ବିଭୂଷିତ ହୋଇଯାଇଥିବା ଲକ୍ଷ୍ୟ କରାଯାଏ ।

 

ରଘୁନାଥ ପରିଚ୍ଛାଙ୍କର ‘ଗୋପୀନାଥ ବଲ୍ଲଭ’ ଗୀତାଭିନୟ ପଦ୍ୟ ଓ ଗଦ୍ୟ ସଂଳାପର ନାଟକୀୟ ଅଭିବ୍ୟକ୍ତି । ଅଥଚ ଏହାକୁ କଠୋର ଭାବରେ ସମାଲୋଚନା କରାଗଲା ଯେ ଏହା ନାଟକ ନୁହେଁ କି ‘ଟକ’ ମଧ୍ୟ ନୁହେଁ । ଅଭିଜାତ-ମାନସ ଏହାକୁ ଅସ୍ୱୀକାର କରିଦେବା ସଙ୍ଗେ ସଙ୍ଗେ ସେ ସମୟରେ ଅଭିନୀତ ହେଉଥିବା ଯାତ୍ରାକୁ ମଧ୍ୟ ଭର୍ତ୍ସନା କଲା । ସେମାନଙ୍କ ମତରେ ଏହା ଥିଲା ଘୃଣିତ ଓ କୁତ୍ସିତ । ଓଡ଼ିଆ ଯାତ୍ରା ଅପେକ୍ଷା ବଙ୍ଗୀୟ ଯାତ୍ରା ଯେ ଅଧିକ ମାର୍ଜିତ ଥିଲା, ଏପରି ମନ୍ତବ୍ୟ ପ୍ରକାଶ ପାଉଥିଲା । (୧) ଅତଏବ ୧୮୭୫ ମସିହା ପୂର୍ବରୁ ଯେଉଁ ଯାତ୍ରା ଓ ଗୀତାଭିନୟ ପ୍ରଚଳିତ ଥଲା ତାହାର ପ୍ରକୃତ ସାହିତ୍ୟିକ ମୂଲ୍ୟବୋଧ ନଥିଲା । ୧୮୭୫ ମସିହା ପରେ ଏ ଦିଗରେ ପୂତନ ରୁଚି ପ୍ରକାଶ ପାଇଲା । ଏ ସମୟରେ ଜଗନ୍ନାଥ ପାଣି ଥିଲେ ବିଶିଷ୍ଟ ଛନ୍ଦନାଟ୍ୟକାର । ସେ ମଧ୍ୟ ଲୀଳା-ନାଟକ ଲେଖିଥିଲେ, ସୁଆଙ୍ଗ ଓ ତାମସା ମଧ୍ୟ ଲେଖିଥିଲେ । ବିଧିବଦ୍ଧ ଭାବରେ ନଳାଙ୍ଗ ଶାସନରେ ସେ ଏକ ଯାତ୍ରାଦଳ ସର୍ବପ୍ରଥମେ ଗଠନ କରିଥିଲେ ଏବଂ ସେହି ଯାତ୍ରାଦଳ ମାଧ୍ୟମରେ ସେ ଓଡ଼ିଶାର ବିଭିନ୍ନ ଗ୍ରାମରେ ଅଭିନୟ ଦେଖାଉ ଥିଲେ । ୧୮୬୫ ମସିହାରେ ସେ ଯାତ୍ରାଦଳ ଗଠନ କରି ଯାତ୍ରାରେ ଅଭିନୟ କରୁଥିବା ବ୍ୟକ୍ତିମାନଙ୍କଠାରୁ ଏକ ଏକରାନାମା ଲେଖି ନେଇଥିଲେ । (୨) ଏତଦ୍‌ବ୍ୟତୀତ ସେ ମଧ୍ୟ ୧୮୭୦, ୧୮୭୩, ୧୮୮୫ରେ ଅଭିନେତାମାନଙ୍କ ସହିତ ଚୁକ୍ତି କରିଥିଲେ । (୩) ଏଥିରୁ ଏତିକି ସ୍ପଷ୍ଟ ହୁଏ ଯେ ଜଗନ୍ନାଥ ପାଣି ଯାତ୍ରାଦଳକୁ ବିଧିବଦ୍ଧ ଭାବରେ ଗଠନ କରିଥିଲେ ଓ ଏହାଦ୍ୱାରା ବ୍ୟାବସାୟିକ ଦିଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଯଦିଓ ସେ ଯାତ୍ରାଦଳ ମାଧ୍ୟମରେ ତାଙ୍କ ରଚିତ ଛାନ୍ଦ-ନାଟକଗୁଡ଼ିକୁ ଅଭିନୀତ କରାଉଥିଲେ ତଥାପି ସେସବୁ ଯଥାର୍ଥ ଗୀତାଭିନୟ ପଦବାଚ୍ୟ ନୁହନ୍ତି । ସେଗୁଡ଼ିକର କାବ୍ୟଗୁଣ ଅଧିକ । କେବଳ ସଂଳାପଧର୍ମୀ ଗୀତ ଥିବାରୁ ତାହାକୁ ଅଭିନୀତ କରାଯାଇ ପାରେ । ଏହି ଗୀତଗୁଡ଼ିକ ପ୍ରାଚୀନ ବା ମଧ୍ୟଯୁଗୀୟ ଛନ୍ଦ ଓ ରାଗରାଗିଣୀକୁ ନେଇ ରଚିତ । ସଂଳାପ ପରି ହୋଇଥିଲେ ହେଁ ପଦସଂଖ୍ୟା ଅଧିକ । ମଧ୍ୟଯୁଗୀୟ କାବ୍ୟରେ ଯେପରି ଗୀତିମୟ ସଂଳାପ ରହିଅଛି ସେହିପରି ଜଗନ୍ନାଥ ପାଣିଙ୍କ ଗୀତାଭିନୟରେ ଅଛି ସଂଳାପୀୟ ସଂଗୀତ । ଅନେକ ସମୟରେ ଏହି ସଂଳାପ ଅଳଙ୍କାର ଓ ଶବ୍ଦ-ଚାତୁର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ବାସ୍ତବତାରୁ ଦୂରେଇ ଯାଇଥିବା ଲକ୍ଷ୍ୟ କରାଯାଏ । ପୁନଶ୍ଚ ଜଗନ୍ନାଥ ପାଣି କେବଳ, ‘ମୀରା ଚରିତ’କୁ ଛାଡ଼ିଲେ ଆଉ ସମସ୍ତ ଗୀତାଭିନୟର ବିଷୟବସ୍ତୁ ପୁରାଣରୁ ଆଣିଛନ୍ତି । ଅପର ପକ୍ଷର ତାଙ୍କର ତାମସା ଓ ପ୍ରହସନଗୁଡ଼ିକ ସମାଜର ନିମ୍ନବର୍ଗ ଓ ନିମ୍ନଜାତିର ଚରିତ୍ରମାନଙ୍କୁ ନେଇ ରଚିତ-ଏସବୁ ସତ୍ତ୍ୱେ ପାଣିଙ୍କ ଗୀତାଭିନୟରେ କାବ୍ୟରୀତି ବିଶେଷ ପରିଦୃଷ୍ଟ । ନିମ୍ନରେ କେତୋଟି ଦୃଷ୍ଟାନ୍ତ ଦେଖନ୍ତୁ ।

 

୧.

ଉତ୍କଳଦୀପିକା-ତା ୨୦ । ୧୧ ।୧୮୭୫

୨.

ଜଗନ୍ନାଥ ପାଣି ଗ୍ରନ୍ଥାବଳୀ (୧ମ ଭାଗ) ପୃ ୫୩୫/୫୬)

୩.

ଅତ୍ରୈବ-ପୃ ୫୩୭-୫୪୨

 

ଶୁଣ ହେ ସୁଧୀରଜନେ ହୋଇମନ ତୋଷ

ଉଷାବତୀ ହରଣ ଏ ସୁଧା ସିନ୍ଧୁ ରସ ।

-ଉଷାବତୀ ହରଣ-ଛାନ୍ଦ–୧

 

ଅଗସ୍ତି କହନ୍ତି ଶୁଣ ବିଲଙ୍କ ନୃପତି

ବିଚିତ୍ର ଚିତ୍ର ଛବିକି ଧରି ଉଷାବତୀ ।

-ଉଷାବତୀ ହରଣ-ଛାନ୍ଦ-୧୪

 

ଶୁଣହେ ସୁଜନ ଜନେ ସୁଧା ସିନ୍ଧୁରସ

ସୀତା ଶ୍ରୀରାମଚରିତ ପବିତ୍ର ରହସ୍ୟ ।

-ସୀତା ବନବାସ-ଛାନ୍ଦ-୧

 

ହରି ହରି ବୋଲହେ ସକଳ ସଭାଜନ

ରାମ ରସାମୃତ ଗୀତ ପବିତ୍ର ଅଖ୍ୟାନ ।

-ସୀତା ବନବାସ-ଛା-୨୧

 

ମହାଜ୍ଞାନୀ ଶୁଣ ମହାନାଟକ ବିଧାନ

ଅତି ଅଦ୍ଭୁତ ରାବଣ ରାଜନୀତି କର୍ମ ।

-ମହୀରାବଣ ବଧ-ଛା-୨

 

ପ୍ରେମ ମଧୁର ସିନ୍ଧୁ ପିଅ ବିଦ୍ୟୁଜନ

ଚମତ୍କାର ଏ ରୁକ୍ମିଣୀ ପ୍ରଣୟ ବିଧାନ ।

- ରୁକ୍ମିଣୀ ପ୍ରଣୟ-ଛା-୧

 

ଅପୂର୍ବ କୌତୁକ ରସ ଶୁଣ ସାଧୁଜନ

ବିଚିତ୍ର ଚରିତ ଦକ୍ଷଯଜ୍ଞର ବିଧାନ ।

-ଦକ୍ଷଯଜ୍ଞ-ଛା-୧

 

ହରି ହରି ବୋଲହେ ପ୍ରେମିକ ସାଧୁଜନ

ହରିବଂଶ ପୁରାଣ ପବିତ୍ର ପୁଣ୍ୟଧାମ ।

-ଭୂତକେଳି-ଛା-୧

 

ସୁଧୀରେ ପଣ୍ଡିତ ଶୁଣ ସୁଧା ପ୍ରେମଗୀତ

ଶ୍ରୀମହାଭାରତ ମଧ୍ୟପର୍ବ ମହାଗ୍ରନ୍ଥ ।

-ସୁଭଦ୍ରା ପରିଣୟ-ଛା-୨

 

ପ୍ରେମ ସୁଧାସିନ୍ଧୁ ରସ ଶୁଣ ଶୁଦ୍ଧଜନେ

ଶ୍ରୀମହାଭାରତ ହରଶ୍ଚଳା ଅଭିଯାନେ ।

-ହାରାବତୀ ହରଣ-ଛା-୧

 

ଶୁକଦେବ କହନ୍ତି ପରୀକ୍ଷ ନୃପମଣି

ଅତି ଦୁର୍ଜୟ ହିରଣ୍ୟ ରାଜା ରାଜଧାନୀ ।

-ପ୍ରହ୍ଲାଦ ଚରିତ-ଛା-୩

 

ଏହିପରି ଅନ୍ୟାନ୍ୟ ଗ୍ରନ୍ଥରୁ ମଧ୍ୟ ଉଦାହରଣ ପ୍ରଦାନ କରାଯାଇପାରେ । ସର୍ବତ୍ର କାବ୍ୟଯୁଗ ପରି ରସିକ, ପଣ୍ଡିତ, ସାଧୁ, ଶୁଦ୍ଧ, ସୁଧୀର, ସୁଜନ, ପ୍ରବନ୍ଧପ୍ରିୟ, ମହାଜ୍ଞାନୀ, ବିଦ୍ୟୁଜନମାନଙ୍କୁ ସମ୍ବୋଧନ କରାଯାଇ ବିଷୟବସ୍ତୁର ଅବତାରଣା କରାଯାଇଅଛି । ପାଲା ପରି ହରିବୋଲ ଦେବାକୁ କୁହାଯାଇଛି । ଚରିତ୍ରମାନେ ନିଜ ନାମ ସହିତ କ’ଣ କହିବାକୁ ଯାଉଛନ୍ତି । (୪) ଏ ସବୁଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଜଗନ୍ନାଥ ପାଣି ପ୍ରକୃତ ଗୀତାଭିନୟ ରଚନା କରି ନଥିଲେ । ଛାନ୍ଦ-ଗୀତ ରଚନା କରି ତାହାକୁ ଅଭିନୟ ମାଧ୍ୟମରେ ଦେଖାଉଥିଲେ । ପୁନଶ୍ଚ କାବ୍ୟର ବର୍ଣ୍ଣନାଧର୍ମିତା ପ୍ରାୟ ସର୍ବତ୍ର ପରିଦୃଷ୍ଟ । ଅଳଙ୍କାର ପ୍ରବଣତା ମଧ୍ୟ କାବ୍ୟ ସଦୃଶ ପରିଲକ୍ଷିତ । ଗଣଜୀବନ ସହିତ ତେଣୁ ଏହା ସଂପୃକ୍ତ ହୋଇ ପାରିନାହିଁ । ଅପର ପକ୍ଷରେ ଆଲୋଚ୍ୟ ସମୟ ମଧ୍ୟରେ ଅନ୍ୟାନ୍ୟ ଯେଉଁ ଗୀତାଭିନୟ ଲେଖକମାନଙ୍କର ଆବିର୍ଭାବ ଘଟିଥିଲା ସେମାନେ ମଧ୍ୟ ସାହିତ୍ୟର ଏହି ବିଭାଗଟିକୁ ମାର୍ଜିତ ରୂପ ଦେଇପାରିଲେ ନାହିଁ । ମାଗୁଣି ନାୟକ, ଭିକାରୀ ନାୟକ, କହ୍ନେଇ ଦାଶ, ପ୍ରମୁଖ ଗୀତାଭିନୟ ରଚନା କରିଥିଲେ ମଧ୍ୟ ସେସବୁ ଲୋକରୁଚିର ଅନୁକୂଳ ହେଲା ନାହିଁ । ଗୋପାଳ ଦାଶ (୧୮୭୬-୧୯୩୮) ପିତା କହ୍ନେଇ ଦାସଙ୍କ ଯାତ୍ରା ଦଳରେ ପିଲାଦିନରୁ ଅଭିନୟ କରି କ୍ରମେ ନିଜେ ଗୀତାଭିନୟ ରଚନା କରିବାକୁ ଉଦ୍ୟମ କଲେ । ନିଜେ ଅଭିନୟ କଳାରେ ଦକ୍ଷତା ଅର୍ଜନ କରିବା ସଙ୍ଗେ ସଙ୍ଗେ ଗୀତାଭିନୟଗୁଡ଼ିକର ନାଟକୀୟ ଉତ୍କଣ୍ଠା ସୃଷ୍ଟି କରିବାକୁ ଚେଷ୍ଟା କଲେ । ‘ବ୍ରଜଲୀଳା’ (୧୮୯୮) ତାଙ୍କର ପ୍ରଥମ ଗୀତାଭିନୟ । ଏହା ପରେ ପରେ ସେ ପ୍ରାୟ ୭୦ ଖଣ୍ଡ ଗୀତାଭିନୟ ରଚନା କରିଥିଲେ । ପୌରାଣିକ, ଐତିହାସିକ ଓ କାଳ୍ପନିକ ବିଷୟବସ୍ତୁକୁ ନେଇ ସେ ଗୀତାଭିନୟଗୁଡ଼ିକୁ ରୂପଦେଲେ । ସେ ମଧ୍ୟ ବ୍ରାହ୍ମଣ ବାହ୍ମଣୀ, ନାରଦ ହାଡ଼ିଆଣୀ, ନିର୍ବୁଦ୍ଧିଆ, ଗୁରୁବାର ଓଷା, କେଳାକେଳୁଣୀ, ଦ୍ୱାରୀ ଓ ତା’ର ସ୍ତ୍ରୀ ଆଦି କେତେକ ଫାର୍ଶ ରଚନା କରିଥିଲେ । ଜଗନ୍ନାଥ ପାଣି ନଳାଙ୍ଗର ନଳେଶ୍ୱର ମହାଦେବଙ୍କ ନିକଟରେ ପଞ୍ଚାକ୍ଷରି ସରସ୍ୱତୀ ମନ୍ତ୍ର ଜପ କରି ବିଭୁକୃପା ଲାଭ ପୂର୍ବକ କାବ୍ୟ-ଗୀତାଭିନୟାଦି ରଚନା କଲାପରି ଗୋପାଳ ଦାଶ ମଧ୍ୟ ଆରାଧ୍ୟ ଦେବତା ଶ୍ରୀକୃଷ୍ଣଚନ୍ଦ୍ରଙ୍କୁ ଉପାସନା କରି କବିତ୍ୱ ଶକ୍ତି ଲାଭ କରିଥିଲେ । ଗୋପାଳ ଦାଶ ରୀତି କାବ୍ୟର ଆଷାଢ଼ଶୁକ୍ଳ, ରସକୁଲ୍ୟା, ଚୋଖୀ, ପଞ୍ଚମ ବରାଡ଼ି, ବସନ୍ତ ଆଦି ସ୍ୱରକୁ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଗୋପାଳ କୃଷ୍ଣ ଓ କବିସୂର୍ଯ୍ୟ ବଳଦେବ ରଥ ପ୍ରମୁଖଙ୍କ ଚୌପଦୀର ସ୍ଵରକୁ ଗ୍ରହଣ କଲେ । ପଞ୍ଚସଖାଯୁଗୀୟ ଭଜନ ଓ କୀର୍ତ୍ତନ ସ୍ୱରକୁ ମଧ୍ୟ ପ୍ରୟୋଗ କଲେ । ବଙ୍ଗଳା ଓ ହିନ୍ଦୀର କେତେକ ସ୍ୱରକୁ ମଧ୍ୟ ପରୀକ୍ଷା କଲେ । ଯମକ, ଉତ୍‌ପ୍ରେକ୍ଷା, ସିଂହାବଲୋକନ, ଶୃଙ୍ଖଳା, ଅନୁପ୍ରାସ ଆଦି ଅଳଙ୍କାରକୁ ସେ ତାଙ୍କର ସଂଗୀତମାନଙ୍କରେ ପ୍ରୟୋଗ କଲେ । ୧୮୯୮ ରୁ ୧୯୦୬ ମସିହା ମଧ୍ୟରେ ୧୫ ଖଣ୍ଡ, ୧୯୦୬ରୁ ୧୯୧୫ ମସିହା ମଧ୍ୟରେ ୧୩ ଖଣ୍ଡ, ୧୯୧୫ରୁ ୧୯୨୦ ମସିହା ମଧ୍ୟରେ ୧୮ ଖଣ୍ଡ ଓ ୧୯୨୧ ମସିହାରେ ୩ ଖଣ୍ଡ ଗୀତାଭିନୟ ରଚନା କରି ଓଡ଼ିଶାରେ ତଥା ଓଡ଼ିଶା ବାହାରେ ବିଭିନ୍ନ ସ୍ଥାନରେ ଅଭିନୟ ଦେଖାଇଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ସେ ମଧ୍ୟ ଲେଖନୀ ଚାଳନା କରି ଆହୁରି ୨୦ ଖଣ୍ଡରୁ ଊର୍ଦ୍ଧ୍ୱ ଗୀତାଭିନୟ ରଚନା କରିଥିଲେ । ପ୍ରଥମେ ପ୍ରଥମେ ଗୋପାଳ ଦାଶ ଗୀତାଭିନୟରେ ଗଦ୍ୟ ସଂଳାପ ଦେଉ ନଥିଲେ । ବୈଷ୍ଣବ ପାଣି ଗୀତାଭିନୟରେ ଗଦ୍ୟସଂଳାପ ଦେଇ ଯେଉଁ ଚମତ୍କାରିତା ସୃଷ୍ଟି କଲେ ତାହା ଫଳରେ ଗୋପାଳ ଦାଶ ମଧ୍ୟ ଗଦ୍ୟ ସଂଳାପ ପ୍ରଦାନ କଲେ । ଏହା ସତ୍ତ୍ୱେ ଗୋପାଳ ଦାଶଙ୍କ ଗୀତାଭିନୟ ନାଟକୀୟତା ଅପେକ୍ଷା କାବ୍ୟଧର୍ମିତାକୁ ପ୍ରାଧାନ୍ୟ ଦେଇଥିବା ମନେହୁଏ । କେତୋଟି ଉଦାହରଣ ପ୍ରଦାନ କରାଯାଉଛି ;

 

ଏମନ୍ତ ଶୁଣିଣ ରାଜ ଦୁହିତା

 

ହୃଦୟ ମଧ୍ୟରେ କଲାକ ଚିନ୍ତା

ଜାଣିଲା ସତୀ ସେ ସାଗରସୁତ

 

ବିଷ୍ଣୁ ଅଂଶରେ ହୋଇଛି ସମ୍ଭୁତ

ସଂଶୟ ମନୁ ତୁଟିଲା ହେ

ବଧୂଲି ଅଧରେ ହାସ ପ୍ରକାଶନ୍ତି

 

କୁମୁଦ କି ସେ ଫୁଟିଲା ହେ ।

ବୃନ୍ଦା କହନ୍ତି ଦାସୀ କି ଅନାଇ

 

ଜଣକୁ କହ ଗୋ ସନ୍ଦେହ ନାହିଁ

ବୋହୁ ହେଲେ ଦିନେ ହୁଅନ୍ତା ପତି

 

ଦୁହିତା କେ ଘରେ ରଖି ନାହାନ୍ତି

ସନମତ ତହିଁ ମୋର ହେ

ବନମାଳା ନେଇ ତାଙ୍କ ଗଳେ ଦେଇ ପିତା ହୁଅନ୍ତୁ ଉଦ୍ଧର ହେ

-ଜଳନ୍ଧର ବଧ-

 

ବିଭୀଷଣକୁ କହନ୍ତି ପ୍ରଭୁ ରଘୁପତି

ଅଶୋକ ବନୁ ଅଣାଅ ଜନକ ଦୁହିତୀ

ସୁକୁମାରୀ, ମୋହ ଯୋଗୁ ହେଲା ଏତେ ସରି

-ସୁଲଙ୍କା ଚରିତ-

 

ବେଢ଼ିଣ ରାଜ ଯୁବତୀ, ହନୁକୁ ଚାହିଁଣ ଗାଳି ଦିଅନ୍ତିରେ

ତୋତେ ଦିଶିଲା କେଉଁ ବିପତ୍ତି-ମାରୁତିରେ ।

ଅକଣ୍ଟକ ପୁରେ ପଶି, ଅଳପ ଲୋକକୁ ପକାଏ ଧ୍ୱଂସିରେ

ମନ୍ତ୍ରୀଠାରୁ ଯୋଦ୍ଧା କିଏ ବେଶି-ମାରୁତିରେ ।

କେବୋଲେ ଦିନେ ଯା କଲା, ରାଜାଙ୍କୁ ଆସ୍ଥାନେ ପାଦେ ମାଇଲାରେ

ସେହି କଥା ପାଶୋର ନଗଲା-ମାରୁତିରେ ।

କେ ବୋଲେ ହୋଇଲା ନାହିଁ, ରନ୍ଧନ କରିବୁ ଏହାଙ୍କୁ ନେଇରେ

ବସିଗଲେ ପନିକି ପକାଇ, ମାରୁତିରେ ।

- ବିଲଙ୍କାରାମାୟଣ

 

୪.

ବଳରାମ କହୁଛନ୍ତି ନନ୍ଦ ମୁଖ ଚାହିଁ । ସୁ. ପ-ଛାନ୍ଦ-୨୪

ଶୁକଦେବ କହନ୍ତି ହୋଇଣ ଆନନ୍ଦିତ । ରୁ. ପ-ଛା ୧୫

ଶୁକଦେବ କହନ୍ତି ହେ ପରୀକ୍ଷ ନରେଶ । ଭୂ. କେ-ଛା-୨

ଅଗସ୍ତି କହନ୍ତି ଶୁଣ ବିଲଙ୍କ ନୃପତି । ଉ. ହ-ଛା ୧୧

 

ଏତାଦୃଶ ବର୍ଣ୍ଣନା ନାଟକୀୟତା ଅପେକ୍ଷା କାବ୍ୟଧର୍ମିତାକୁ ଅଧିକ ସୂଚାଇ ଦିଏ । ଏହା ସତ୍ତ୍ୱେ ଓଡ଼ିଆ ଗୀତାଭିନୟ ଜଗତରେ ଗୋପାଳ ଦାଶ ଏକ ସ୍ମରଣୀୟ ନାମ । ଭକ୍ତି, ପ୍ରେମ, ବୀର, ଶାନ୍ତ ବାତ୍ସଲ୍ୟ, କରୁଣ ଆଦି ବିଭିନ୍ନ ରସକୁ ସେ ଅବତାରଣା କରି ଜନସାଧାରଣଙ୍କ ହୃଦୟରେ କାବ୍ୟାନନ୍ଦ ସୃଷ୍ଟି କରିଅଛନ୍ତି । ନାଟକୀୟ ସଂଘର୍ଷ-ବୃତ୍ତକୁ ସେ କଥାବସ୍ତୁକୁ ଓ ଚରିତ୍ରମାନଙ୍କୁ ନେଇଥିଲା ପରି ମନେ ହୁଅନ୍ତି ନାହିଁ । ତାଙ୍କର ଶବ୍ଦ ବିନ୍ୟାସ ମଧ୍ୟ ଅନେକ ସମୟରେ ଗଣମୁଖୀ ହୋଇନାହିଁ; ଯଦିଓ ସ୍ଥଳ ବିଶେଷରେ ଗଣମୁଖୀ ଭାଷାର ଅଭାବ ନାହିଁ । ଯାତ୍ରାକାର ଭାବରେ ଗୋପଳ ଦାଶଙ୍କ ଲୋକ ପ୍ରିୟତା ବୈଷ୍ଣବ ପାଣିଙ୍କୁ ପ୍ରେରଣା ଦେଇଛି ଗୀତାଭିନୟ ରଚନା ପାଇଁ । ବୈଷ୍ଣବ ପାଣି ପ୍ରଥମେ ପାଲାକାର ଭାବରେ ପାଲା ପରିବେଷଣ କରୁଥିଲେ ସତର ବର୍ଷ ବୟସରେ । ମାତ୍ର ସେହି ଧାରାକୁ ସେ ଅଳ୍ପକାଳ ମଧ୍ୟରେ ଛାଡ଼ିଦେଲେ ଓ ଯାତ୍ରା ଅଭିନୟରେ ମନୋନିବେଶ କଲେ । ଗୋପାଳ ଦାଶଙ୍କୁ ‘ସହସ୍ରାସୁର ବଧ’ ଗୀତାଭିନୟ ମାଗି ତାହା ନ ପାଇବାରୁ ଅଭିମାନରେ ମାହାଙ୍ଗା ଅନ୍ତର୍ଗତ କଅଁରପୁରଠାରେ ବିନୋଦ ବିହାରୀଙ୍କ ନିକଟରେ ଅଧିଆ ପଡ଼ିଲେ ଓ ସେହିଠାରୁ ବିଭୁକୃପା ଲାଭକରି ଗୀତାଭିନୟ ରଚନା କଲେ । ‘ମେଘନାଦ ବଧ’ ହେଲା ତାଙ୍କର ପ୍ରଥମ ଗୀତାଭିନୟ (୧୯୦୩) । ଏହାପରେ ସେ ନିରବଚ୍ଛିନ୍ନ ଭାବରେ ରଚନା କଲେ ଶତାଧିକ ଗୀତାଭିନୟ ଓ କୋଡ଼ିଏରୁ ଊର୍ଦ୍ଧ୍ୱ ଫାର୍ଶ । ଏସବୁକୁ ଛାଡ଼ିଦେଲେ ସେ ମଧ୍ୟ ରଚନା କଲେ ବହୁ ସଂଗୀତ, ଭଜନ ଓ ଜଣାଣ ପୁସ୍ତକ । ‘ଛାନ୍ଦ କିଶୋରୀ ବିଳାପ’, ‘ଶକୁନ୍ତଳା’ ପରି କାବ୍ୟ ରଚନା କରିବା ସଙ୍ଗେ ସଙ୍ଗେ ‘ସପ୍ତାହ ଭାଗବତ’ ମଧ୍ୟ ରଚନା କରିଥିଲେ । ବିଂଶକୁମାର ଚରିତ, ଦ୍ୱାଦଶ କୁମାରୀ ଚରିତ, ଗୃହଲକ୍ଷ୍ମୀ, ଦୁଃଖିନୀ ଗୋବର ଗୋଟେଇ ଓ ଆତ୍ମକାହାଣୀ ତାଙ୍କ ଗଦ୍ୟପ୍ରତିଭାର ନିଦର୍ଶନ । ଭକ୍ତିଭାବ, ଜାତୀୟତା, ସମାଜ ସଂସ୍କାର, ସ୍ୱାବଲମ୍ବନଶୀଳତା, ସମୟସଚେତନତା, ନରନାରୀଙ୍କ ସ୍ଵାଭାବିକ ଭାବଭାବନା ପ୍ରକାଶ, ଜଗନ୍ନାଥଚେତନା, ଉତ୍କଳୀୟତାବୋଧ ଓ ସମାଜର ନିମ୍ନବର୍ଗ ଏବଂ ନିମ୍ନଜାତି ପ୍ରତି ମମତାବୋଧ ଆଦି ନାନା ବିଷୟ ବୈଷ୍ଣବ ପାଣିଙ୍କ ଗୀତାଭିନୟ ଓ ଅନ୍ୟାନ୍ୟ ଗ୍ରନ୍ଥମାନଙ୍କରେ ଉତ୍‌କୀର୍ଣ୍ଣ । ଯଦିଓ ସେସମୟରେ ଗୋପାଳ ଦାଶ, ଶିବ ଘଡ଼େଇ. ହାଡ଼ିବନ୍ଧୁ ଦାସ, ସନେଇ ପାଲ, ମୋହନ ଗୋସ୍ୱାମୀ, ବାବାଜୀ ବୈଷ୍ଣବ ଚରଣ ଦାସ ପ୍ରମୁଖ ଗୀତାଭିନୟ ରଚନା କରୁଥିଲେ ବୈଷ୍ଣବ ପାଣିଙ୍କ ପରି ଅନ୍ୟ କେହି ସମାଜର ଓ ଜାତୀୟ ଜୀବନର ବିଭିନ୍ନ ଦିଗକୁ ସ୍ପର୍ଶ କରି ନାହାନ୍ତି । ୧୯୨୦ ମସିହା ପରେ ବାଳକୃଷ୍ଣ ମହାନ୍ତି, କୃଷ୍ଣପ୍ରସାଦ ବସୁ, ଲକ୍ଷ୍ମୀକାନ୍ତ ମହାପାତ୍ର, କୃଷ୍ଣପ୍ରସାଦ ବେହେରା ପ୍ରମୁଖ ଗୀତାଭିନୟ ରଚନାରେ ମନୋନିବେଶ କଲେ । ଏହାସତ୍ତ୍ୱେ ବୈଷ୍ଣବ ପାଣି ହିଁ ସମୟର ପ୍ରାଣସ୍ପନ୍ଦନ ପ୍ରତି ଗଭୀର ଭାବରେ ସଚେତନ ହୋଇ ଗୀତାଭିନୟକୁ ଦେଲେ ନୂତନ ସ୍ପର୍ଦ୍ଧିତ ରୂପ । ଗଣଜୀବନ ସହିତ ଗୀତାଭିନୟକୁ ମିଶାଇଦେଇ ପ୍ରକୃତ ଗଣକବିର ସମ୍ମାନ ଲାଭ କରିବାକୁ ହେଲେ ସକ୍ଷମ ।

 

ଗଣବକି ବୈଷ୍ଣବ ପାଣି ପୁରାଣରୁ ବିଷୟବସ୍ତୁ ନେଇ ଭୀତାଭିନୟ ରଚନା କରିଅଛନ୍ତି । ଅନ୍ୟମାନେ ମଧ୍ୟ ପୁରାଣରୁ ବିଷୟବସ୍ତୁ ନେଇଛନ୍ତି । ବିଷୟଗତ ଉପାଦାନ ଏକ । ଆହରଣ କେନ୍ଦ୍ର ମଧ୍ୟ ସମାନ । ପରିବେଷଣ ବା ରଚନା ପଦ୍ଧତି ହୋଇ ଯାଇଛି ଭିନ୍ନ ଭିନ୍ନ । ଭାବ ଏକ, କଥା ନିଆରା । ଭାବ ସର୍ବସାଧାରଣଙ୍କର, ରଚନା କିନ୍ତୁ ଲେଖକର ନିଜସ୍ୱ । ବିଷୟ ଓ ତତ୍ତ୍ୱ ମଧ୍ୟ ସାଧାରଣ ମନୁଷ୍ୟର ରଚନା ଲେଖକର ସଂପୂର୍ଣ୍ଣ ନିଜସ୍ୱ । ‘‘ଜଳ ମନୁଷ୍ୟର ସୃଷ୍ଟି ନୁହେଁ, ତାହା ଚିରନ୍ତନ । ସେଇ ଜଳକୁ ବିଶେଷ ଭାବରେ ସର୍ବସାଧାରଣର ଭୋଗ ପାଇଁ ସୁଦୀର୍ଘ କାଳରକ୍ଷା କରିବାର ଯେଉଁ ଉପାୟ ତାହାହିଁ କୀର୍ତ୍ତିମାନ ମନୁଷ୍ୟର ନିଜର । ଭାବ ସେହିପରି ମନୁଷ୍ୟ ସାଧାରଣଙ୍କର, କିନ୍ତୁ ତାହାକୁ ବିଶେଷ ମୂର୍ତ୍ତିରେ ସକଳ ଲୋକର ବିଶେଷ ଆନନ୍ଦର ସାମଗ୍ରୀ କରି ତୋଳିବାର ଉପାୟ-ରଚନାହିଁ ଲେଖକର କୀର୍ତ୍ତି ।’ (୫) ସେହି ରଚନା - ଶୈଳୀ ମାଧ୍ୟମରେ ଲେଖକ ପାଠକମାନଙ୍କ ହୃଦୟ ସହିତ ସମ୍ପର୍କ ସ୍ଥାପନ କରେ । ଲେଖକର କଳ୍ପନା-ସଚେତନ ହୃଦୟ ଯେତିକି ବିଶ୍ୱବ୍ୟାପୀ ହୁଏ ସେତିକି ତାର ରଚନାର ଗଭୀରତା ଫୁଟିଉଠେ । ରଚନାରେ ଚିତ୍ର ଥାଏ ; ଥାଏ ମଧ୍ୟ ସଙ୍ଗୀତ । ଚିତ୍ର ଓ ସଙ୍ଗୀତର ମଧୁର ସମବାୟରେ ରଚନା ହୁଏ ପ୍ରାଣବନ୍ତ । ଚିତ୍ର ଭାବକୁ ଦିଏ ଆକାର । ସଙ୍ଗୀତ ଭାବକୁ କରେ ଗତିବାନ୍‌ । (୬) ଗଣକବି ବୈଷ୍ଣବ ପାଣି ତାଙ୍କର ଗୀତାଭିନୟଗୁଡ଼ିକରେ ଚିତ୍ର ଓ ସଂଗୀତର ଯେପରି ମଧୁର ସମବାୟ କରି ବିଚିତ୍ର ମାନବ ଚରିତ୍ରକୁ ଅନ୍ତଲୋକରୁ ଆବିଷ୍କାର କରିଆଣି ବାହାରେ ପ୍ରତିଷ୍ଠା ଦେଇ ଅଛନ୍ତି ତାହା ସେସମୟରେ ଅନ୍ୟାନ୍ୟ ଗୀତାଭିନୟ ଲେଖକଙ୍କ ରଚନାରେ ଦେଖିବାକୁ ମିଳେ ନାହିଁ । ଏଇଥିପାଇଁ ବୈଷ୍ଣବ ପାଣି ହୋଇଯାଇଛନ୍ତି କୀର୍ତ୍ତିମାନ୍‌ ଗୀତାଭିନୟ-ଲେଖକ । ବିଶ୍ୱର ନିଃଶ୍ୱାସ ଆମର ଚିତ୍ତ-ବଂଶୀରେ ଯେଉଁ ରାଗିଣୀ ଅହରହ ସୃଷ୍ଟି କରେ ତାହାକୁ ଯିଏ ସଫଳ ଭାବରେ ପ୍ରକାଶ କରିପାରେ ସେହିହିଁ ହୁଏ କାଳଜୟୀ ଶିଳ୍ପୀ । ଗଣକବି ବୈଷ୍ଣବ ପାଣି ଏ ଦୃଷ୍ଟିରୁ ଯେ ସଫଳ ସ୍ରଷ୍ଟା, ଏଥିରେ ଦ୍ୱିମତ ହେବାର ଅବକାଶ ନାହିଁ ।

 

ଗଣକବି ବୈଷ୍ଣବ ପାଣି, ଜଗନ୍ନାଥ ପାଣି, ଗୋପାଳ ଦାସ ଓ ବାଳକୃଷ୍ଣ ମହାନ୍ତିଙ୍କର ଗୀତାଭିନୟଗୁଡ଼ିକୁ ତୁଳନାତ୍ମକ ଭାବରେ ବିଚାର କଲେ ଆମେ ଉପରୋକ୍ତ ସତ୍ୟର ପରିଚୟ ପାଇପାରିବା । ‘ଦକ୍ଷଯଜ୍ଞ’ ଗୀତାଭିନୟ ବୈଷ୍ଣବ ପାଣି, ଜଗନ୍ନାଥ ପାଣି ଓ ଗୋପାଳ ଦାଶ ରଚନା କରି ଅଛନ୍ତି । ଜଗନ୍ନାଥ ପାଣିଙ୍କ ‘ଦକ୍ଷଯଜ୍ଞ’ ୩୦ଟି ଛାନ୍ଦରେ ରଚିତ । ଏଥିରେ ଅଙ୍କ ବା ଦୃଶ୍ୟ ବିଭାଜନ ନାହିଁ । ପ୍ରଥମରୁ କାବ୍ୟ-ବର୍ଣ୍ଣନା ପଦ୍ଧତିରେ ଏହା ରଚିତ ହୋଇଅଛି । (୭) ତୃତୀୟ ଛାନ୍ଦରେ ଗଙ୍ଗା ଓ ପାର୍ବତୀଙ୍କର କଳହର ସୂତ୍ରପାତ ହୋଇଛି ଦେବସଭାରେ ଶିବଙ୍କୁ ଅପମାନ ଦିଆଯାଇଥିବା ଘଟଣାକୁ କେନ୍ଦ୍ରକରି । ଯେତେବେଳେ ଗଙ୍ଗା ପାର୍ବତୀଙ୍କୁ କହିଲେ ସେ ସବାଖାଇ, ଉଲଗ୍ନା ହୋଇ ପତିର ଛାତି ଉପରେ ଚଢ଼ି ସ୍ତ୍ରୀକୁଳରେ କଳଙ୍କ ଲଗାଇଲା, ସେତେବେଳେ ପାର୍ବତୀ ସିଦ୍ଧିବଟା ଛାଡ଼ି କଳହ କରିବାକୁ ଆଗେଇ ଆସିଲେ । (୮) ଉଭୟଙ୍କ ମଧ୍ୟରେ ହେଲା ତୀବ୍ର କଳହ ।

 

୫.

ରବୀନ୍ଦ୍ରନାଥ ଠାକୁର-ସାହିତ୍ୟ-ପୃ. ୨୯

୬.

ରବୀନ୍ଦ୍ରନାଥ ଠାକୁର-ସାହିତ୍ୟ ପୃ. ୧୦

୭.

ଅପୂର୍ବ କୌତୁକ ରସ ଶୁଣ ସାଧୁଜନ

ବିଚିତ୍ର ଚରିତ୍ର ଦକ୍ଷଯଜ୍ଞର ବିଧାନ ।

ପରମେଷ୍ଟି ସୃଷ୍ଟି ସର୍ଜନାରେ ଶ୍ରଦ୍ଧା ଘେନି

ଆଦ୍ୟ କଳ୍ପେ ଅଙ୍ଗୁ ଜାତ କଲେ ପୁତ୍ରବେନି ।

-ଜଗନ୍ନାଥ ପାଣି ଗ୍ରନ୍ଥାବଳୀ (୧ମ) ଦକ୍ଷଯଜ୍ଞ-ପୃ. ୧୬୩ ।

୮.

ଜଗନ୍ନାଥ ପାଣି ଗ୍ରନ୍ଥାବଳୀ ( ୧ମ) ଦକ୍ଷଯଜ୍ଞ-ପୃ. ୧୬୫/ ୧୬୬

 

 

ଭଗବତୀ ଚାହିଁ ଭୋଗବତୀ ଗଙ୍ଗା କହଇ ଭର୍ତ୍ସନା କରି

ରାଜଜେମା ହୋଇ ଲାଜ ତୋର ନାହିଁ ମୁହଁ ଦେଖାଉ ଆହୁରିଲୋ ।

ବାରବୁଲୀ ଗଉରୀ

ଯାଆ ଯାଆ ମୋ ଘରୁ ବାହାରିଲୋ ।

 

ଆଲୋ ଭାଗୀରଥୀ ଅଭାଗୀ ଦୁର୍ମତି କି ଭାଙ୍ଗିଦେଲି ମୁଁ ତୋର

କାହାକୁ ଅଲଜ୍ଜା କହୁଲୋ ଜଳଜଳ ଜଳାଧାର ଲୋ

ପଳା ପଳା ଭସାଣୀ

ଫଳାଫଳ ଦେବି ଏହିକ୍ଷଣି ଲୋ ।

 

କି କହିଲୁ କି କହିଲୁ ଆଉଥରେ କହିଲୁ ଲୋ କଳିହୁଡ଼ି

କାଲି ତୋହଲାଗି ଶିବଙ୍କୁ ସଭାରୁ ଦକ୍ଷ ଦେଲା ପରା କାଢ଼ିଲୋ

କେଡ଼େ କଳଙ୍କ ହେଲା

ସ୍ତ୍ରୀରୀ ହୋଇ ତୁ ହେଲୁ ଲଙ୍ଗଳା ଲୋ ।

 

ଛିଲୋ ଲଙ୍ଗୁଳି ବାରବାଙ୍କ ଗଳି ଅମଙ୍ଗଳୀ ତୋ ମୁହାଣୀ

ଜୁଆର ବାରେଣି ହେଲେ ତୋ ଉଜାଣି ଉପରକୁ ଉଠେ ପାଣି ଲୋ

କୁଳକଳଙ୍କୀ ଗଙ୍ଗା

ମଝି ନଈରେ ବୁଡ଼ାଉ ଡଙ୍ଗା ଲୋ (୯)

 

୯.

ଜଗନ୍ନାଥ ପାଣି ଗ୍ରନ୍ଥାବଳୀ ( ୧ମ) ଦକ୍ଷଯଜ୍ଞ-ପୃ. ୧୬୬/ ୧୬୭

 

ଗଣକବି ଗୋପାଳ ଦାଶ ମଧ୍ୟ ଏହିପରି ଗଙ୍ଗା ଓ ପାର୍ବତୀଙ୍କ କଳହକୁ ‘ଦକ୍ଷଯଜ୍ଞ ନାଟକ’ରେ ପରିବେଷଣ କରିଛନ୍ତି । ଜଗନ୍ନାଥ ପାଣିଙ୍କ ରଚନା ସଂପୂର୍ଣ୍ଣ କାବ୍ୟଧର୍ମୀ’ । ଗୋପାଳ ଦାଶ ତାହାକୁ ଦେଲେ ନାଟ୍ୟ-ରୂପ । ନଟନଟୀ ଓ ବିଭିନ୍ନ ଚରିତ୍ରମାନେ ବିଭିନ୍ନ ଦୃଶ୍ୟରେ ମଞ୍ଚ ଉପରକୁ ଆସି ଗୀତିମୟ ସଂଳାପ କହିଛନ୍ତି । ପ୍ରଥମରେ ଅଛି ପ୍ରସ୍ତାବନା । ଦକ୍ଷ, ଭୃଗୁ, ମହାଦେବ, ନନ୍ଦୀ, ପାର୍ବତୀ ଓ ଗଙ୍ଗା ପ୍ରଭୃତି ଚରିତ୍ରମାନେ ଯେଉଁସବୁ ସଂଳାପ କହିଛନ୍ତି ତାହା ବେଶ୍‌ ହୃଦ୍ୟ । ଦକ୍ଷ ଶିବଙ୍କୁ ଭର୍ତ୍ସନା କରିଛନ୍ତି-‘ଗଣ୍ଡବୁଦ୍ଧି ଚଣ୍ଡ ଷଶ୍ଢ ଚଢ଼ାଟା, ହୃଦେ ମୁଣ୍ଡମାଳ ଧର୍ମ ଛଡ଼ାଟା, ଏ ଚଣ୍ଡାଳ ଜାତି, ଭଣ୍ଡାଇ କହେ ରାକ୍ଷସଙ୍କ ପ୍ରତି ଏଅଣ୍ଡା ଦୁଇ ଖଣ୍ଡ ହାତୀ ମୁଣ୍ଡାଟା, ଭେଣ୍ଡା ଷଡ଼ାନନ କାଳତୁଣ୍ଡଟା । ଏ ଗୁଣ୍ଡା ବିଭୂତି, ପଣ୍ଡା ଦେହେ ବୋଳି ହୁଅଇ ନିତି ଏ ।’ (୧୦) ଶିବ ମନ ଦୁଃଖରେ ବସିଥିଲା ବେଳେ ଗଙ୍ଗା ନନ୍ଦୀଠାରୁ ସମସ୍ତ କଥା ଶୁଣି ପାର୍ବତୀଙ୍କୁ ଭର୍ତ୍ସନା କରିବାକୁ ଲାଗିଲେ, ‘ସିଦ୍ଧେଶ୍ୱରୀ ବାଟିଛି ସିଦ୍ଧି, ପୋଡ଼ିଯାଉ ବାପ ଝିଅଙ୍କ ବୁଦ୍ଧି । ବଡ଼ିମା ପଣରେ ସଭାରେ ହୁଡ଼ିଲା ଛାଡ଼ିଗଲା ନାହିଁ ଧର୍ମ ଅବଧି । ଝିଅ କାଳୀ ବିକରାଳୀଟା, ଗଳେ ମାଳା ମୁଣ୍ଡମାଳିଟା, ଜାଳିଦିଏ କୋପ ଭାଳି ହୁଏ ପାପ, କପାଳୀ କଙ୍କାଳୀ ରାକ୍ଷସ ବିଧି । (୧୧) ଏଥର ଦୁଇ ଜଣଙ୍କ ମଧ୍ୟରେ ଲାଗିଗଲା କଳି ।

 

୧୦.

ଗୋପାଳ ଦାଶ-ଦକ୍ଷଯଜ୍ଞ ନାଟକ (୧୯୩୩)-ପୃ ୪

୧୧.

ଅତ୍ରୈବ-ପୃ ୭

 

ପାର୍ବତୀ

-

-ଜାଲିଆଣିଟାଲୋ କାଲି ମୋ ଘରକୁ ଆସିଛୁ

 

 

ନାଲିଆଖି ଦେଖାଇଣ ଠେଲି କଥା କହୁଛୁ ।

 

 

ମେଲିଅଛୁ ମୋ କଳଙ୍କ ନିଷ୍କଳଙ୍କୀ ତୁହିଲୋ

 

 

ଚାଲି ଚଳନାରୁ ତୋର ଜଣା ଯାଉ ନାହିଁ, ଜାହ୍ନବୀ ।

 

 

 

ଗଙ୍ଗା

-

-କାଳିକା କଙ୍କାଳୀ ତୁ କପାଳୀ ନାମ ବହୁ ଲୋ

 

 

ଭଳି ଭଳି ରୂପରେ ପୁରୁଷ ମନ ମୋହୁ ଲୋ ।

 

 

ଶିବ ଭଳି ପରା ସ୍ୱାମୀ ଛାତିପରେ ଚଢ଼ିଲୁ

 

 

କଳୀହୁଡ଼ିଟାଲୋ ସେଥିଲାଗି ଜିହ୍ୱା କାଢ଼ିଲୁ, ଅମ୍ବିକା, (୧୨)

 

୧୨.

ଅତ୍ରୈବ-ପୃ ୮

 

ଜଗନ୍ନାଥ ପାଣି ଯେପରି ଗଙ୍ଗା ଓ ପାର୍ବତୀଙ୍କର କଳହ ପରେ ଉଭୟ ଶିବଙ୍କ ପାଖରେ ଅଭିଯୋଗ କରିବା ପ୍ରସଙ୍ଗ ବର୍ଣ୍ଣନା କରିଛନ୍ତି ଗୋପାଳ ଦାଶ ମଧ୍ୟ ସେହିପରି ପରିବେଶ ସୃଷ୍ଟି କରିଛନ୍ତି । ପାର୍ବତୀଙ୍କ ଅଭିମାନ ବ୍ୟଞ୍ଜକ ଉକ୍ତି-‘ଥାଉ ତୁମ୍ଭ ଗଙ୍ଗା ବଙ୍ଗାଳୁଣୀ ମୁହିଁ ଯାଉଛି । କାଙ୍ଗାଳୁଣୀ ହୋଇପରା ଏତେ ଦିନ ନେଉଛି । ସଦା ଦିନେ ଅନ୍ନକଷ୍ଟ ଦିନ ନ ପୂରିଲା ପେଟ, ବସ୍ତ୍ର ଖଣ୍ଡେ ନାହିଁ ଛୋଟ ଭୂଷଣ କି ପାଉଛି-ବେଶ୍‌ ହୃଦ୍ୟ (୧୩) । ଗଙ୍ଗା ମଧ୍ୟ ଅନୁରୂପ ଭାବରେ ଶିବଙ୍କୁ କହିଛନ୍ତି-‘ରଖ ରଖ ଶଙ୍କର ଉମା ବସୁ ଅଙ୍କର ରଙ୍କୁଣୀ ହୋଇ ଘରୁ ଯାଉଛି ।’ (୧୪) ଗଣକବି ବୈଷ୍ଣବ ପାଣି ମଧ୍ୟ ଏହି ଏକା ବିଷୟକୁ ନେଇ ରଚନା କରିଛନ୍ତି । ‘ଦକ୍ଷଯଜ୍ଞ ସୁଆଙ୍ଗ’ । ଏଥିରେ କିନ୍ତୁ ନାଟକୀୟ ସଂଘର୍ଷ ବିଦ୍ୟମାନ । ଭୃଗୁ ଋଷିଙ୍କ ଯଜ୍ଞ ସଭାରେ ଶିବ ବିଳମ୍ବରେ ପହଞ୍ଚିଲେ । ଭୃଗୁ ତାଙ୍କୁ ସ୍ୱାଗତ କଲେ ଓ ଦକ୍ଷଙ୍କୁ ପ୍ରଣାମ କରିବା ପାଇଁ କହିଲେ । ମାତ୍ର ଶିବ ମନା କରିଦେଲେ-କାରଣ ସେ ତ୍ରିଭୁବନ ଈଶ୍ୱର ହୋଇଥିବାରୁ ଅନ୍ୟ କାହାରିକୁ ପ୍ରଣାମ କରିବେ ନାହିଁ-। ଏ କଥାରେ ଦକ୍ଷ କ୍ରୋଧ ପ୍ରକାଶ କରି କହିଲେ-‘ଅଟୁ ଜଳଜଳା ଝୀଟ କପଟୀ ଲମ୍ପଟୀ ହଡ଼ାଚଢ଼ାଟାରେ-। ମଡ଼ା ଭୂଇଁ ବୁଲା ଲାଉଥାଳ ଝୁଲା ଥାଉ ଭୂତମେଳେ ଧର୍ମଛଡ଼ାଟାରେ । ଠପ ଠପ ଗଡ଼ାଉ ମାଳେ, ଜପ ତପ ନାହିଁ ତ ତିଳେ, ସାପଗୁଡ଼ା ଦେହେ ଗୁଡ଼ାଇଣ ଚାଲୁ ଫୁଲାଉ କି ରଙ୍ଗେ ନାସା ପୁଡ଼ାଟାରେ-।’ (୧୫) ଦକ୍ଷ କ୍ରୋଧ ଜର ଜର ହୋଇ ଶିବଙ୍କୁ ଅଭିଶାପ ଦେଲେ ସେ ପଥର ହୋଇଯିବେ । ତାଙ୍କର ଲିଙ୍ଗ କେବଳ ପୂଜା ପାଇବ । ଭିକ୍ଷା ମାଗି ଦରିଦ୍ର ପରି ଜୀବନ ଯାପନ କରିବେ । ନନ୍ଦୀ ପ୍ରତିବାଦ କରିଛି । ଶିବ କିନ୍ତୁ ନନ୍ଦୀକୁ ବୁଝାଇ ଦେଲେ ଯେ ସେ ଯେପରି ଦକ୍ଷଙ୍କ ଅଭିଶାପ ଦେବା କଥା ଗଙ୍ଗାକୁ ନ କହନ୍ତି । କାରଣ ସେ ଜାଣିବା ମାତ୍ରେ ଚଣ୍ଡୀଙ୍କୁ ଭର୍ତ୍ସନା କରିବେ । ନନ୍ଦୀ କିନ୍ତୁ କାନ୍ଦି କାନ୍ଦି ଗଙ୍ଗାକୁ ସବୁ କଥା କହି ଦେଇଛି । ଏଥିରେ ଗଙ୍ଗା କ୍ରୋଧରେ ଜଳି ଉଠିଲେ । ନନ୍ଦୀ ତାଙ୍କୁ ବୁଝାଇଛି ବଡ଼ପାଟି ନକରିବାକୁ । ବଡ଼ମାଆ ଣୁଣିଲେ ଅବସ୍ଥା ଅସମ୍ଭାଳ ହେବ । ଗଙ୍ଗା କିନ୍ତୁ କୌଣସି କଥା ନଶୁଣି ଚଣ୍ଡୀଙ୍କୁ ଗାଳି ଦେବାକୁ ଲାଗିଲେ । ଫଳରେ ଉଭୟଙ୍କ ମଧ୍ୟରେ ହେଲା କଳହ ।

 

୧୩.

ଅତ୍ରୈବ-ପୃ ୯

୧୪.

ଅତ୍ରୈବ-ପୃ ୧୦

୧୫.

ବୈଷ୍ଣବପାଣି ଗ୍ରନ୍ଥାବଳୀ (୩ୟ)-ଦକ୍ଷ-ଯଜ୍ଞ ସୁଆଙ୍ଗ-ପୃ ୧୩୭

 

ଗଙ୍ଗା

-

ଛି ଲୋ କାଳିକାନି କଳିହୁଡ଼ି ଜଳଜଳି ଲୋ

 

 

ପରାଭବ ଦେବି ମୋ ଆଗରୁ ଯାଅ ଚଳି, ଚଣ୍ଡିକା ।

ଚଣ୍ଡୀ

-

ଜୁଆର ବାରିଣୀ କଳକଳନିନାଦିନୀ ଲୋ

 

 

ଭେଳା ବୁଡ଼ାଇ ପାଟଳି ଋଷିର ନନ୍ଦିନୀ, ଜାହ୍ନବୀ ।

ଗଙ୍ଗା

-

ପୁରୁଷ ଭଣ୍ଡାଇ ଗୁରୁଜନେ ନାହିଁ ଡର ଲୋ

 

 

ଭଗ ଦେଖାଇ ଭାବିନୀ ମାଇଲୁ ଅସୁର, ଚଣ୍ଡିକା

ଚଣ୍ଡୀ

 

ତୋହ ପରି ବୁଡ଼ାଇ ନାହିଁ ମୁଁ ତିନି ଘର ଲୋ

 

 

ଶାନ୍ତନୁରାଜା ବରୁଣ ପୁଣି ମହେଶ୍ୱର, ଜାହ୍ନବୀ ।

ଗଙ୍ଗା

-

ପିଙ୍ଗଳାକ୍ଷୀ ଲଙ୍ଗଳା ହୋଇଲୁ ଯେଉଁ ଦିନୁ ଲୋ

 

 

ସେ ଦିନୁ ପଥର ହୋଇଲା ଶିବ ତନୁ, ଚଣ୍ଡିକା ।

ଚଣ୍ଡୀ

-

ଖାଇଲୁ ସାତ ସନ୍ତାନ ଶାନ୍ତନୁର ତୁହିଲୋ

କାଢ଼ିଦେଲା ରହିଲୁ ମୋ ସଉତୁଣୀ ହୋଇ, ଜାହ୍ନବୀ । (୧୬)

 

୧୬.

ଅତ୍ରୈବ-ପୃ ୧୪୦

 

ଏହାପରେ ଗଙ୍ଗା ଓ ଚଣ୍ଡୀ ଉଭୟ ଶିବଙ୍କ ନିକଟରେ ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି । ଶିବ ସେମାନଙ୍କୁ ସାନ୍ତ୍ଵନା ଦେଇଛନ୍ତି । ଅନ୍ୟ ପକ୍ଷରେ ଦକ୍ଷ ଶିବଙ୍କୁ ଅପମାନ ଦେବା ଲାଗି ଯଜ୍ଞର ଆୟୋଜନ କରିଛନ୍ତି । ଶିବଙ୍କୁ ସେ ନିମନ୍ତ୍ରଣ କରିନାହାନ୍ତି । ଦକ୍ଷ-ପତ୍ନୀ ପ୍ରସୂତୀ କିନ୍ତୁ ସ୍ୱାମୀଙ୍କୁ ନିବେଦନ କରିଛନ୍ତି ଶିବଙ୍କୁ ନିମନ୍ତ୍ରଣ କରିବା ପାଇଁ । କନ୍ୟା ଉମା ପ୍ରତି ତାଙ୍କର ପ୍ରକାଶ ପାଇଛି ଗଭୀର ମମତା । ଯେତେ ବୁଝାଇଲେ ମଧ୍ୟ ଦକ୍ଷ ବୁଝି ନାହାନ୍ତି । ତାଙ୍କର ପ୍ରତିଶୋଧଭାବ ଆହୁରି ତୀବ୍ର ହୋଇ ଉଠିଛି । ଅପର ପକ୍ଷରେ ନାରଦ ଦୁର୍ଗାଙ୍କ ପାଖରେ ପହଞ୍ଚି ଦକ୍ଷ-ଯଜ୍ଞ କଥା କହିଛନ୍ତି । ପିତା ତାଙ୍କୁ ଓ ଶବିଙ୍କୁ ନିମନ୍ତ୍ରଣ କରି ନଥିବା ଜାଣି ସେ ଦୁଃଖ କଲେ । କାନ୍ଦି କାନ୍ଦି କହିଲେ-‘ଯାଉ ନାହୁଁ ଆରେ ନିର୍ଲଜ ଜୀବନ ଆଉ କେଉଁ ସୁଖ ଦେଖିବୁ । ଥାଇଁ ଥାଉଁ ପତି ଭୋଗୁ ଏ ବିପତ୍ତି କି ଖ୍ୟାତି କ୍ଷିତିରେ ରଖିବୁ ।’ (୧୭)

 

୧୭.

ଅତ୍ରୈବ-ପୃ ୧୪୫

 

ନାଟକ ଏପର୍ଯ୍ୟନ୍ତ ତିନୋଟି ସଂଘର୍ଷ ମଧ୍ୟ ଦେଇ ଗତି କରି ଆସିଛି । ପ୍ରଥମତଃ ଶିବଙ୍କ ପ୍ରତି ଅଭିଶାପ, ଗଙ୍ଗା ଓ ଦୁର୍ଗାଙ୍କ କଳହ, ଦ୍ୱିତୀୟତଃ ଦକ୍ଷଙ୍କ ଯଜ୍ଞ ଆୟୋଜନ ଓ ଶିବଙ୍କୁ ନିମନ୍ତ୍ରଣ ବାସନ୍ଦ, ତୃତୀୟତଃ ପ୍ରସୂତିଙ୍କର କନ୍ୟା ପ୍ରତି ମମତା ଓ ଅନାଗତ ଭବିଷ୍ୟତ ପ୍ରତି ଆଶଙ୍କା । ଏହାପରେ ଚତୁର୍ଥ ସଂଘର୍ଷ ଦେଖାଦେଇଛି ଶିବଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ଦୁର୍ଗାଙ୍କ ସ୍ୱଭାବରେ । ଦୁର୍ଗା ବିକଳ ହୋଇ କାନ୍ଦିଛନ୍ତି । ଦେବ ନାରୀମାନଙ୍କୁ ସେ କାନ୍ଦି କାନ୍ଦି କହିଛନ୍ତି-‘କାହିଁ ପାଇଁ ଭଉଣି, ମୋତେ ଡାକୁଅଛ ପିତାପୂର ଯିବାକୁ ଗୋ । କେଉଁ ଦୋଷ କରିଥିଲି ମୁଁ ତାଙ୍କରି ବରଣ ନକଲେ ଶିବଶିବାଙ୍କୁ ଗୋ । ଗଂଜେୟା ବାଳୁଙ୍ଗା ବୋଲି ଦେଲେ ଗାଳି ଯେତେ, କେତେ ମୁଁ କହିବି ତୁମ୍ଭଙ୍କୁ ଗୋ । ଝିଅ ହୋଇ ଦେହ ଧରି କେ ରହିବ, ସାରିଦେଲେ ମୋର ହୃଦ ଦମ୍ଭକୁ ଗୋ । ଧନବନ୍ତ ଦେଖି ନେଉଛନ୍ତି ଡାକି, ନ ଡାକିଲେ ଦୁଃଖୀ ଦେଖି ଆମ୍ଭଙ୍କୁ । ଜନ୍ମ କରି ଗୋଡ଼ ନ ଦେଇ ଗଳାରେ, ଏବେ ପେଲି ଦେଲେ ଦୁଃଖନଳକୁ ଗୋ । (୧୮) ପାର୍ବତୀ ପିତାଙ୍କ ଯଜ୍ଞ ଦେଖିଯିବା ପାଇଁ ଶିବଙ୍କୁ ଅନୁରୋଧ କଲେ, ମାତ୍ର ଶିବ ମନା କଲେ । ଝିଅ ପିତାଘରକୁ ଅବରଣରେ ଗଲେ କିଛି ନିନ୍ଦା ହେବ ନାହିଁ । ପିତା ମହାଯଜ୍ଞ କରୁଛନ୍ତି । ପାର୍ବତୀ ଶିବଙ୍କ ଅନୁମତି ନ ନେଇ ଏକାକିନୀ ପିତ୍ରାଳୟକୁ ଯିବାକୁ ବାହାରିଲେ । ଶିବଙ୍କ ନିର୍ଦ୍ଦେଶରେ ନନ୍ଦୀ ବୃଷଭକୁ ନେଇ ଯାଇଛି । ପାର୍ବତୀ ବୃଷଭାସନରେ ବସି ବାହାରିଲେ । କୁବେର ତାଙ୍କୁ ନାନା ଅଳଙ୍କାରରେ ଭୂଷିତ କରିଦେଇଛନ୍ତି । ଜନନୀ ପ୍ରସୂତୀ ଉମାଙ୍କୁ ସ୍ୱାଗତ କରିଛନ୍ତି, ମାତ୍ର ଉମା ଯଜ୍ଞଶାଳାରେ ପିତାଙ୍କ ଦ୍ୱାରା ଭର୍ତ୍ସିତା ହୋଇ ଅଛନ୍ତି । ଶିବଙ୍କୁ ଦକ୍ଷ କଠୋର ନିନ୍ଦା କରିଛନ୍ତି । (୧୯) ସତୀ ପାର୍ବତୀ ସ୍ୱାମୀଙ୍କ ନିନ୍ଦା ସହି ନ ପାରି ଯଜ୍ଞାନଳରେ ନିଜକୁ ଆହୁତି ଦେଇଛନ୍ତି । ନାଟକୀୟ ସଂଘର୍ଷର ଚରମ ଅବସ୍ଥା ସୃଷ୍ଟି ହୋଇଛି-। ନାରଦଙ୍କଠାରୁ ସତୀଙ୍କ ମୃତ୍ୟୁ ସଂବାଦ ପାଇ ଶିବ ଭୟଙ୍କର କ୍ରୋଧ ପ୍ରକଟ କରି ଉଠିଲେ । ତାଙ୍କର ଛିନ୍ନ ଜଟାରୁ ଜନ୍ମ ହେଲେ ବୀରଭଦ୍ର । ଶିବଙ୍କ ଆଦେଶରେ ସେ ଦକ୍ଷଯଜ୍ଞ ଭଗ୍ନ କରିଦେଲେ ଓ ଦକ୍ଷଙ୍କ ଶିରଚ୍ଛେଦ କଲେ । ଦେବଗଣଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ଶିବ ଦକ୍ଷଙ୍କ ମୁଣ୍ଡରେ ଛାଗ ଶିର ଲଗାଇ ଜୀବଦାନ ଦେଲେ ।

 

୧୮.

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-(୩ୟ)-ପୃ ୧୪୬/୧୪୭

୧୯.

ଲୋ ନିର୍ଲଜୀ ଉମାପାଜି ଶିବ ସାଜି ପଠାଇଛି ତୋତେ ଯାଗ ଦେଖି

ହେଜିଲା ନାହିଁ ସେ ପୂରୁବ କଜିଆ ନ ଖୋଜିଲି କେଉଁ ଦୋଷ ଦେଖି ।

ଦୋଷୀ ହଡ଼ାଚଢ଼ା ଭୂଷି ହୋଇଥାଏ ସର୍ପଗୁଡ଼ା ।

 

 

 

କାଳକ ବୁଲଇ ମାଳଘେନି କରେ, ମିଛେ ମିଛେ କରେ ଠପ ଠପ

କଳଙ୍କ କରିଲା କୁଳକୁ ମୋହର ଦିନେ ଦେଖି ନାହିଁ ଜପ ତପ

ଲାଉଥାଳ ଖଣ୍ଡେ, ଘେନି ବୁଲେ ଜଟା ବାନ୍ଧି ମୁଣ୍ଡେ ।

-ବୈଷ୍ଣବ ପାଣି ଗ୍ରନ୍ଥାବଳୀ (୩ୟ)-ପୃ ୧୫୨

 

ବୈଷ୍ଣବ ପାଣି ଯେପରି ଭାବରେ ଚରିତ୍ରମାନଙ୍କୁ ଚିତ୍ରଣ କରିଛନ୍ତି ଓ ସେମାନଙ୍କ ସଂଳାପ ମଧ୍ୟ ଦେଇ ବିଷୟବସ୍ତୁର ଆରୋହ, ଶୀର୍ଷ ଓ ଅବରୋହ ଦେଖାଇ ପରିସମାପ୍ତି କରିଛନ୍ତି ସେଥିରୁ ତାଙ୍କର ଦକ୍ଷତା ଅନ୍ୟମାନଙ୍କଠାରୁ ବାରି ହୋଇଯାଏ । ଏହା ସତ୍ୟ ଯେ ଜଗନ୍ନାଥ ପାଣି ଯେପରି କଳିହୁଡ଼ି, ସବାଖାଇ, ଲଙ୍ଗୁଳି, କୁଳକଳଙ୍କୀ, ଅଣ୍ଡିରାଚଣ୍ଡୀ, ଓଲେଇ ତୁଣ୍ଡେଇ, ଜାଲିଆଣୀ, ବଙ୍ଗାଳୁଣୀ ଆଦି ଶବ୍ଦ ବ୍ୟବହାର କରିଅଛନ୍ତି ସେହିପରି ଗୋପାଳ ଦାଶ ଜାଲିଆଣୀ, କଙ୍କାଳୀ, କଳିହୁଡ଼ି, ବଙ୍ଗାଳୁଣୀ, ମୁହଁପୋଡ଼ି, ଧର୍ମଛାଡ଼ି, କାଙ୍ଗାଳୁଣୀ, ଡାଙ୍କୁଣୀ ଆଦି ଶବ୍ଦ ବ୍ୟବହାର କରିଛନ୍ତି-। ବୈଷ୍ଣବ ପାଣି ଏ ସବୁ ଶବ୍ଦକୁ ବ୍ୟବହାର କରିବା ସଙ୍ଗେ ସଙ୍ଗେ ଆହୁରି କଞ୍ଚା ଓଡ଼ିଆ ଶବ୍ଦ ବ୍ୟବହାର କରି ପରିବେଶ ଓ ଚରିତ୍ରମାନଙ୍କୁ ଜୀବନ୍ତ କରିଦେଇଛନ୍ତି । ଜଳଜଳା, ଝୀଟ, ହଡ଼ାଚଢ଼ା, ମଡ଼ାଭୂଇଁ ବୁଲା, ଧର୍ମଛଡ଼ା, ଲାଉଥାଳଝୁଲା, ହଟହଟା, ସବାଖାଇ, ନିଅଁଶୀ, ଗେରସ୍ତ ସୁଆଗୀ, କାଳିକାନି, ଜଳଜଳି, କୋଡ଼ପୋଛା, ଅଣ୍ଡିରାଚଣ୍ଡୀ, ବଙ୍ଗାଳୁଣୀ, ଠାଇଁଆଣୀ, ମାଉଁସଡ଼ାଆଣୀ, ଜାଲିଆଣୀ, ଭଟଭଟ ଆଦି ବହୁ ଶବ୍ଦ ବିନ୍ୟାସ ଗ୍ରାମ୍ୟ ପରିବେଶକୁ ଜୀବନ୍ତ କରିଦିଏ । ଗଙ୍ଗା ଓ ଦୁର୍ଗା ଏ ପ୍ରସଙ୍ଗରେ ଆଉ ଦେବୀ ଚରିତ୍ର ନୁହନ୍ତି ; ହୋଇଯାଇଛନ୍ତି ଗ୍ରାମ୍ୟ ଜୀବନର ଦୁଇ ସଉତୁଣୀ-

 

୧୯୨୧ ମସିହାରେ ଜଗତସିଂହପୁର ଅନ୍ତର୍ଗତ ପଳସୁଧା ଗ୍ରାମରେ ‘ଜୟଦୁର୍ଗା ନାଟ୍ୟ ମଣ୍ଡଳୀ’ ଗଠନ କରି ତା’ରି ମାଧ୍ୟମରେ ବାଳକୃଷ୍ଣ ମହାନ୍ତି ଗୀତାଭିନୟ ପ୍ରଦର୍ଶନ କଲେ । ‘ବିଜୟ ବସନ୍ତ’ ତାଙ୍କର ପ୍ରଥମ ଲୀଳା । ଏହା ପରେ ପରେ ସେ ମୋହନସୁନ୍ଦର, ଅମର ବିଳାସ, ସୁଦାମା ଦାରିଦ୍ର୍ୟ ଭଞ୍ଜନ, ଦାନବୀର ରାଜା ହରିଶ୍ଚନ୍ଦ୍ର, ସୁଶୀଳମାଳତୀ, ବାଣାପରାଜୟ ବା ହରିହର ଭେଟ ରୁକ୍ମିଣୀ ପରିଣୟ, ଘଟୋତ୍କଚ, ଖାଣ୍ଡବ ଦହନ ଆଦି କେତେକ ଗୀତାଭିନୟ ରଚନା କଲେ । ଯେତେବେଳେ ଗୋପାଳ ଦାଶ ଓ ବୈଷ୍ଣବ ପାଣି ଉଭୟ ପ୍ରତିଭାର ମଧ୍ୟାହ୍ନରେ ଉପନୀତ ଓ ଓଡ଼ିଶାର ପୁରପଲ୍ଲୀରେ ସମ୍ମାନିତ, ସେତିକିବେଳେ ବାଳକୃଷ୍ଣ ମହାନ୍ତିଙ୍କର ଗୀତାଭିନୟ କ୍ଷେତ୍ରକୁ ଆଗମନ । କୃଷ୍ଣପ୍ରସାଦ ବସୁ, ଲକ୍ଷ୍ମୀକାନ୍ତ ମହାପାତ୍ର ଓ କୃଷ୍ଣପ୍ରସାଦ ବେହେରା ମଧ୍ୟ ଏହା ପରେ ଗୀତାଭିନୟ କ୍ଷେତ୍ରକୁ ଆଗମନ କଲେ । ତେବେ ଗୋପାଳ ଦାଶ ଓ ବୈଷ୍ଣବ ପାଣିଙ୍କ ସହିତ ପ୍ରତିଯୋଗିତା ମୂଳକ ମନୋଭାବ ନେଇ ବାଳକୃଷ୍ଣଙ୍କର ହେଲା ଆବିର୍ଭାବ । ସେ ଗୀତାଭିନୟ ରଚନା କରିଅଛନ୍ତି, ମାତ୍ର ସେସବୁ ନାଟକ ପରି ଅଙ୍କ ଓ ଦୃଶ୍ୟଯୁକ୍ତ, ସଂଗୀତାତ୍ମକ ସଂଳାପ ଅପେକ୍ଷା ଅଧିକ ଗଦ୍ୟସଂଳାପ ବିମଣ୍ଡିତ । ତେଣୁ ତାଙ୍କର ଗୀତାଭିନୟ ଠିକ୍‌ ଗୀତାଭିନୟ ନୁହେଁ ; ନାଟକର ଅଧିକ ନିକଟବର୍ତ୍ତୀ । ଯେଉଁଠି ସଙ୍ଗୀତାତ୍ମକ ସଂଳାପ ଅଛି ତାହା ଅତ୍ୟନ୍ତ ସୀମିତ ।

 

ଗଣକବି ବୈଷ୍ଣବ ପାଣିଙ୍କର ‘ଭକ୍ତସୁଦାମା’ ଓ ବାଳକୃଷ୍ଣ ମହାନ୍ତିଙ୍କ ‘ସୁଦାମା ଦାରିଦ୍ର୍ୟ ଭଞ୍ଜନ’ ଗୀତାଭିନୟ ଦୁଇଟିକୁ ନେଇ ତୁଳନା କଲେ ଉଭୟଙ୍କ ବୈଶିଷ୍ଟ୍ୟ ଜଣାଯିବ । ବୈଷ୍ଣବ ପାଣି ପ୍ରସ୍ତାବନାରେ ଅଦୃଷ୍ଟକୁମାରୀଙ୍କ ଗୀତ ପ୍ରଦାନ କରି ସୂତ୍ରଧର ମୁଖରେ ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେଇଛନ୍ତି-‘ଭୋ ସମାଗତ ଭଦ୍ରମଣ୍ଡଳୀ, ଶିକ୍ଷିତ ଯୁବକଯୁବତୀ ବୃନ୍ଦ ! ମୋର ଆପଣମାନଙ୍କ ନିକଟରେ ବିନୀତ ପ୍ରାର୍ଥନା ଏହିକି ଯେ ଶ୍ରୀମଦ୍‌ ଭାଗବତ ଦ୍ୱାରକାଲୀଳା ଅନ୍ତର୍ଗତ ଭକ୍ତଚୂଡ଼ାମଣି ‘ଭିକ୍ଷୁକ ସୁଦାମ’ ନାମକ ଗୀତିନାଟ୍ୟ ଖଣ୍ଡି ଏଠାରେ ଆପଣମାନଙ୍କୁ ଦେଖାଇବାକୁ ପ୍ରୟାସୀ ହୋଇଅଛି । ଭକ୍ତଶ୍ରେଷ୍ଠ ସୁଦାମାର ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତିଭାବ ଓ ଶ୍ରୀକୃଷ୍ଣଙ୍କର ଭକ୍ତ ପ୍ରତି କିପରି ଆଦର, ଏହି ବିଷୟଟି ଆମୂଳଚୂଳ ମନୋନିବେଶ ପୂର୍ବକ ଦେଖନ୍ତୁ ଓ ଶୁଣନ୍ତୁ ।’ (୨୦)

 

୨୦.

ବୈଷ୍ଣବ ପାଣି ଗ୍ରନ୍ଥାବଳୀ (୩ୟ) ‘ଭକ୍ତସୁଦାମା’ ପୃ ୨୫୪

 

ସୂତ୍ରଧରର ଏହି ଉକ୍ତି ପରେ ନାଟକର ପ୍ରଥମ ଅଙ୍କ ଆରମ୍ଭ ହୋଇଛି । ସୁଦାମାର ଦାରିଦ୍ର୍ୟ ଭିତରେ ଆନନ୍ଦ ଓ ତାର ପତ୍ନୀ ସୁମତୀର ତା’ପ୍ରତି ତାଡ଼ନା ବେଶ୍‌ ଜୀବନ୍ତ ହୋଇଛି । ସୁଦାମା ଯେତେବେଳେ ହରିପ୍ରେମବିଧୁର ହୋଇ କାନ୍ଦି କାନ୍ଦି ଗୀତ ବୋଲୁଥାଏ ସେତିକିବେଳେ ତାର ପତ୍ନୀ ତାକୁ ଭର୍ତ୍ସନା କରିଛି ‘ଆହେ, ମୁଁ ତ ଦେଖୁଚି ତୁମର କଡ଼ାକର ବୁଦ୍ଧି ନାହିଁ । ବଅସ ବେଳେ ତ ବସି ମାଳି ଗଡ଼େଇଲ, ଆଉ ଘରକରଣା କରିବ କଣ ବୁଢ଼ାବେଳକୁ ? ତୁମେ ଏକା ଏ ଜଗତରେ ହରି ଭକତ ଅଛନା ଆଉ କେହି ତମପରି ଅଛନ୍ତି ? ପେଟ ଚାଖଣ୍ଡକ ପୂରିଲେ, ସିନା ସବୁ ହରିନାମ, ସବୁ ନାଟରଙ୍ଗ ସବୁ କଉତୁକ । ଯାର ପେଟ ପଡ଼ିଆ ତାକୁ ଏସବୁ ବିଷପରି ଲାଗେ-। ତୁମ ସାଙ୍ଗମାନେ ପରା କେଡ଼େ ସକାଳୁ ଗାଧୋଇ ସାରି ଚିତା ପଇତା କରିସାରି ସାଇ ବୁଲିବାକୁ ବାହାରି ଗଲେଣି, ତୁମେ ଏଠି ବିଳି ବିଳେଇ ହରିହରି ହଉଚ । ସେତ ଆରବେଳକୁ ପାଞ୍ଚଘରୁ ପାଞ୍ଚମୁଠି ଆଣି ତାଙ୍କ ଘରଣୀ ପାଖରେ ଦେବେ । ତୁମେ କଣ ଏ ନାମରୁ ପୁଳାଏ ନେଇ ମୋ ଆଗରେ ଓଜାଡ଼ି ପକାଇବ ଯେ ମୁଁ ରାନ୍ଧିବାଢ଼ି ତୁମକୁ ଖାଇବାକୁ ଦେବି ? ଏଇ ଭଳିଆ ଲୋକଙ୍କୁ ଯେ କହନ୍ତି ଗଡ଼ିମରା, ଆଉ ପଡ଼ିମରା । ଭୋକ ଶୋଷରେ କିଏ ତମ ପରି ଘରପିଣ୍ଡାରେ ବସି ହରି ହୁରି ପକେଇଚି ? (୨୧)

 

୨୧.

ଅତ୍ରୈବ ପୃ ୨୫୫

 

ସୁମତୀଙ୍କ ସଂଳାପ ଦାରିଦ୍ର୍ୟ-ପିଚ୍ଛିଳ ପରିବାରର ବାସ୍ତବ ଚିତ୍ର ପ୍ରଦାନ କରେ । ସେ ସ୍ୱାମୀଙ୍କୁ ବାଧ୍ୟ କରିଛି ତାଙ୍କର ବାଲ୍ୟବନ୍ଧୁ ଦ୍ୱାରକାଧିପତି ଶ୍ରୀକୃଷ୍ଣଙ୍କ ପାଖକୁ ଯାଇ ସାହାଯ୍ୟ ମାଗିବାକୁ । ସୁଦାମା କିନ୍ତୁ ମନା କରିଛନ୍ତି । ଶ୍ରୀକୃଷ୍ଣ ଏବେ ରାଜାଧିରାଜ । ସେ ବଡ଼ଲୋକ । କେତେ ରାଜାମହାରାଜା ତାଙ୍କୁ ଭେଟିବା ପାଇଁ ଅପେକ୍ଷା କରି ରହିଥିବେ । ଏପରିସ୍ଥଳେ ଧନହୀନ ହୋଇ ସେ କିପରି ବନ୍ଧୁଘରକୁ ଯିବେ ! ସୁମତି କିନ୍ତୁ ତାଙ୍କୁ ବୁଝାଇ ଦେଇଛି ଯେ ଶ୍ରୀକୃଷ୍ଣ ମହତ୍‌ ବ୍ୟକ୍ତି । ବନ୍ଧୁ ଧନହୀନ ହୋଇଗଲେ ବୋଲି ସେ କଦାପି ବେଖାତିର କରିବେ ନାହିଁ । ଦରିଦ୍ରର ଗୋଟାଏ ମାନ ଅପମାନ କଣ ? ସେମାନଙ୍କୁ କେହି ଗାଳି ଦେଲେକି ମାଡ଼ ଦେଲେ ସେଥିରେ ଦୁଃଖ କରିବାର କିଛି ନାହିଁ । ସୁମତି ତାଙ୍କୁ ପେଡ଼ିରେ ସାଇତି ରଖିଥିବା ଖଦି ଓ ଗାମୁଛା ଖଣ୍ଡେ କାଢ଼ି ଦେଇଛି । ଖୁଦ ଦୁଇ ମୁଠା ବାଲିଲେ ଭାଜି କାନିରେ ବାନ୍ଧି ଦେଇଛି । ସୁଦାମା ବାହାରିଛି ଦ୍ୱାରକା ଅଭିମୁଖେ ।

 

ଏହି ସମୟରେ ଦ୍ୱାରକାରେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ସହିତ ଉପବନରେ ଭ୍ରମଣ କରୁ କରୁ ଅନମନସ୍କ ହୋଇଛନ୍ତି । ରୁକ୍ମୁଣୀଙ୍କ ପ୍ରଶ୍ନର ଉତ୍ତରରେ ସେ ତାଙ୍କର ବାଲ୍ୟସଖା ଦରିଦ୍ର ସୁଦାମା ବ୍ରାହ୍ମଣ କଥା କହିଛନ୍ତି । ନାରଦଙ୍କୁ ମଧ୍ୟ ସେ ଏକ ଅଭିନବ ଘଟଣା ଦେଖାଇବାକୁ କହିଛନ୍ତି ।

 

ସୁଦାମା ଦ୍ୱାରକାଭିମୁଖେ ଯାତ୍ରାକରି ବାଟରେ ଏକ ନଦୀ କୂଳରେ ନିରାଶରେ ବସିଯାଇଛନ୍ତି । ନଦୀକୁ ପାର ହେବା କୌଣସି ଉପାୟ ଦେଖୁନାହାନ୍ତି । ଶ୍ରୀକୃଷ୍ଣ ବାଳକ ତରାଇ ବେଶରେ ଡଙ୍ଗା ନେଇ ସୁଦାମାକୁ ନଦୀ ପାରକରି ଦେଇଛନ୍ତି । ବାଟରେ ସେ ପୁଣି ପଡ଼ିଛନ୍ତି ଦସ୍ୟୁମାନଙ୍କ କବଳରେ । ଯେତେବେଳେ ସେମାନେ ସୁଦାମାର ଚାଉଳଭଜା ଦିମୁଠା ଦେଖିଲେ ସେତେବେଳେ ସେମାନେ ତାକୁ ଛାଡ଼ିଦେଇ ଚାଲିଗଲେ । ସୁଦାମା ଜନୈକା ସ୍ତ୍ରୀଲୋକଠାରୁ ଦ୍ୱାରକା ରାଜନବରକୁ ବାଟ ଜାଣି ଚାଲିବାକୁ ଲାଗିଲେ ।

 

ଏହି ସମୟରେ ନାରଦ ଶ୍ରୀକୃଷ୍ଣଙ୍କୁ ପଚାରିଛନ୍ତି ଯେଉଁ ଦେବଦୁର୍ଲଭ ଧନ ଦେଖାଇବାକୁ ସେ କହିଥିଲେ କେବେ ଦେଖାଇବେ ? ଖୁବ୍‌ ଅଳ୍ପ ସମୟ ମଧ୍ୟରେ ଦେଖାଇବେ ବୋଲି ଶ୍ରୀକୃଷ୍ଣ କହିଲେ । ସୁଦାମା ଠିକ୍‌ ସେତିକିବେଳେ ସିଂହାସନ ନିକଟକୁ ଚାଲିଆସିଲେ । ଶ୍ରୀକୃଷ୍ଣଙ୍କୁ ଦେଖି ଆନନ୍ଦ ବିହ୍ୱଳ ହୋଇଗଲେ । ଶ୍ରୀକୃଷ୍ଣ ସିଂହାସନରୁ ଉଠିଆସି ତାଙ୍କୁ ସଖାବୋଲି ସମ୍ବୋଧନ କରି ଆଲିଙ୍ଗନ କଲେ । ତାଙ୍କୁ ନେଇ ସିଂହାସନରେ ବସାଇଲେ । ତାଙ୍କ ପାଦକୁ ନିଜ ହାତରେ ଚିପିଦେଲେ । ରୁକ୍ମିଣୀ ସୁନା ଗଡ଼ୁରେ ଜଳ ଆଣି ତାଙ୍କର ପାଦ ଧୋଇଦେଲେ । କୃଷ୍ଣ ନିଜ ଉତ୍ତରୀୟରେ ପାଦକୁ ପୋଛି ଦେଲେ । ସୁଦାମାର କାଖତଳେ ଜକା ହୋଇଥିବା ଗାମୁଛା କାନି ଫିଟାଇ ମୁଠାଏ ଚାଉଳ ଭଜା ପାଟିରେ ପକାଇ ଦେଲେ । ଆଉ ମୁଠାଏ ପାଟିରେ ପକାଇଲା ବେଳେ ରୁକ୍ମିଣୀ ତାଙ୍କ ହାତଧରି ବନ୍ଦ କରିଦେଲେ । ଏ ଦୃଶ୍ୟ ଦେଖି ନାରଦ ବିହ୍ୱଳ ହୋଇ ଉଠିଲେ । ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ଆଦେଶ ଦେଲେ ସେ ବୈଷ୍ଣବୀ ବେଶରେ ସୁଦାମାଙ୍କ ଘରକୁ ଯାଇ ତାକୁ ନାନା ଐଶ୍ୱର୍ଯ୍ୟ ପ୍ରଦାନ କରିବା ପାଇଁ । ସେ ପଛରେ ଗୋପାଳ ବେଶରେ ଭାରିଆ ହୋଇ ଯିବେ । ନିଜ ବେକରୁ ମୁକ୍ତାମାଳ କାଢ଼ି ସେ ସୁଦାମାଙ୍କ ବେକରେ ପକାଇ ଦେଇ ତାଙ୍କୁ ବିଦାୟ କରିଦେଲେ ।

 

ସୁଦାମାଙ୍କର ଘରକୁ ଫେରିବା ବିଳମ୍ବ ହେତୁ ସୁମତି ବ୍ୟସ୍ତ ହୋଇ ପଡ଼ିଲେ । ରୁକ୍ମିଣୀ ବୈଷ୍ଣବ ବେଶରେ ଆସିଲେ ତାଙ୍କ ଘରକୁ । ଘରେ ଅତିଥି । ମୁଠାଏ ଚାଉଳ ନାହିଁ । ଅତିଥି ଉପବାସରେ ରହିବେ । ତେଣୁ ସୁମତି ପାଣି ଆଣିବାକୁ ଯାଇ ଆତ୍ମହତ୍ୟା କରିବେ ବୋଲି ସ୍ଥିର କରି ନେଇଛନ୍ତି ।

 

ଏହି ସମୟରେ ସୁଦାମା ଫେରୁଥାନ୍ତି ଘରକୁ । ବାଟରେ ହରିଆ ଓ ତାର ସ୍ତ୍ରୀ ମଧ୍ୟରେ କଳି ଲାଗିଥାଏ । ତାର ସ୍ତ୍ରୀ ଉମା ସ୍ୱାମୀକୁ ଗୋଇଠା ପ୍ରହାର କରୁଥାଏ । ସୁଦାମା ଏହି ଦୃଶ୍ୟ ଦେଖି ବିଚଳିତ ହୋଇ ପଡ଼ିଛନ୍ତି । ସେ ଆପଣା ବେକରୁ ମାଳାଟି କାଢ଼ି ହରିଆ ବେକରେ ପକାଇ ଦେଲେ-। ହରି ଆରୋଗ୍ୟ ହୋଇ ଉଠି ଠିଆ ହେଲା । ନାରଦ ଏହି ଘଟଣାରେ ସୁଦାମାକୁ ପ୍ରଶଂସା କଲେ-। ସୁଦାମା ନିଜ ଘର ଅଭିମୁଖେ ଯାତ୍ରା କଲେ ।

 

ଏହି ସମୟରେ ସୁଦାମାଙ୍କ ପତ୍ନୀ ସୁମତି ଆତ୍ମହତ୍ୟା କରିବା ପାଇଁ ପୋଖରୀ ପାଖକୁ ଯିବାମାତ୍ରେ ପୋଖରୀରେ ପାଣି ଶୁଖିଗଲା । ତାଙ୍କ ମନ ଭିତରେ ଦ୍ୱନ୍ଦ୍ଵ । ଘରେ ତାଙ୍କର ଅତିଥି । କେଉଁ ମୁହଁରେ ସେ ଯାଇ ତାଙ୍କୁ ମୁହଁ ଦେଖାଇବେ ? ଶ୍ରୀକୃଷ୍ଣ ଗୋପାଳ ଭାରିଆ ବେଶରେ ସେଠାରେ ପହଞ୍ଚି ତାଙ୍କୁ ସୁଦାମାଙ୍କ ଘର କେଉଁଠି ପଚାରିଲେ । ସୁମତି ନିଜର ପରିଚୟ ଦେଇଛନ୍ତି-। ଶ୍ରୀକୃଷ୍ଣଙ୍କ ସହିତ ସେ ଘରକୁ ଯାଇଛନ୍ତି । ସେତେବେଳକୁ ସୁଦାମାର ଦରିଦ୍ର କୁଟୀର ବଦଳି ଯାଇ ଏକ ବିରାଟ ପ୍ରାସାଦ ତିଆରି ହୋଇଯାଇଛି । ଧନଧାନ୍ୟରେ ଗୃହ ପରିପୂର୍ଣ୍ଣ । ଘର ଆଗରେ ଦରୁଆନ । ସୁଦାମା ତାଙ୍କର ଘର ଚିହ୍ନି ପାରି ନାହାନ୍ତି । ସେ ଭାବିଲେ ତାଙ୍କର ପତ୍ନୀ କେଉଁ ଧନୀଲୋକ ସହିତ ନୂତନ ଘର କରି ରହିଛି ସେ ମନ ଦୁଃଖରେ ପଳାଇଯିବାକୁ ଉଦ୍ୟତ ହୁଅନ୍ତେ ଦାସୀ ଓ ସୁମତି ପହଞ୍ଚି ତାଙ୍କୁ ସବୁ କଥା କହିଛନ୍ତି ।

 

ସୁଦାମାର କିନ୍ତୁ ଦେଖାଦେଇଛି ଭାବାନ୍ତର । ସେ ସୁମତିକୁ ବୁଝାଇଲେ-‘ଆଲୋ ସୁମି ! ତୁ ସେ କପଟୀର କପଟ ବୁଝିପାରିଲୁ ନାହିଁ । ସେ ଯେ ଆକୁ ଦେଇ ମୋତେ ବନ୍ଧୁପଣରୁ କାଟି ଦେଲେଣି । ମୁଁ ଜନ୍ମରୁ ଭିକମାଗି ଚଳୁଥିଲି । ଏଗୁଡ଼ା ସମ୍ପଦ ନୁହେଁ, ବିପଦ । ଯେତେବେଳେ ସମ୍ପଦ ପରଳ ଆଖିରେ ମାଡ଼ିବ, ମୁଁ ମୋର ଗରିବ ଭାଇଙ୍କି ଚିହ୍ନି ପାରିବି ନାହିଁ ; କିଏ କିଛି କହିଲେ ଦିହରେ ରଟ୍‌କରି ଛୁରି ଚାଲିଯିବ ; ଏଇ ଧନ ବଳରେ କେତେ କେତେ ଅତ୍ୟାଚାର କରି ପାପ ମୁଣ୍ଡେଇବାକୁ ପଡ଼ିବ ; ସବୁବେଳେ ଚୋର ଖଣ୍ଟଙ୍କୁ ଡର ; ଭୋଗୀ ହେଲେ ରୋଗର ଡର ; ଦିହରେ ଟିକିଏ ମାଟି ଲାଗିଲେ ସାତଥର ହାତମାରି ପୋଛିବ କିଏସେ ? ଚିରସ୍ଥାୟୀ ସଂପତ୍ତିକୁ ଛାଡ଼ି ଏ ଅସ୍ଥାୟୀ ସମ୍ପତ୍ତିରେ ମାଆତ ନା, ମୁଁ ତ ଏସବୁ ଧନ ତାଙ୍କୁ ମାଗିନାହିଁ । ସେ ୟା ଦେଲେ କାହିଁକି ?’ (୨୨) କେବଳ ଏତିକି ନୁହେଁ ସେ ପୁଣି କହିଛନ୍ତି ଯେ ସେ ବଡ଼ହେଲେ ବଡ଼ଙ୍କ ଜାତିରେ ମିଶିବେ, ବଡ଼ଙ୍କ କତିରେ ବସିବେ । ‘ଗରୀବଙ୍କର ସବୁ ନିଆରା । ତାଙ୍କ ବିଛଣା ନିଆରା, ତାଙ୍କ ଖାଇବା, ତାଙ୍କ ଖୋଇବା, ତାଙ୍କ ନାଇବା, ତାଙ୍କ ବୋଝ ବୋହିବା ସବୁ ନିଆରା ।’ (୨୩) ସୁଦାମା ଧନ ଚାହିଁ ନାହିଁ, ଐଶ୍ୱର୍ଯ୍ୟ ଚାହିଁ ନାହିଁ; ଚାହିଛି କୃଷ୍ଣ-ପ୍ରେମ । ସେ ମନେ କରିଛି ଧନ ତାକୁ ସାଧାରଣ ଦରିଦ୍ର ମଣିଷଙ୍କଠାରୁ ଅଲଗା କରିଦେବ । ଧନୀମାନଙ୍କ ପରି ସେ ହେବ ଶୋଷକ । ଶ୍ରୀକୃଷ୍ଣ ତାଙ୍କୁ ବୁଝାଇ ଦେଲେ- ‘ଧନ ଉତ୍ତମ ଲୋକଙ୍କ ହାତରେ ପଡ଼ିଲେ ଦେଶଭାଇଙ୍କ ଉପକାରରେ ଲାଗେ । x x x ଏ ଧନ ଆଜିଠାରୁ ସମସ୍ତଙ୍କର । ଦୁଇପ୍ରାଣୀ ତୁମେ ଏହାର ରକ୍ଷାକାରୀ । ଯେ ଧନ ବେଶ୍ୟା-ସେବା ଓ ନିଶା-ସେବା ବା ପ୍ରାଣୀନାଶର କାରଣ ହୁଏ, ମୁଁ ତୁମକୁ ସେପରି ଧନ ଦାନ କରି ନାହିଁ ।’ (୨୪)

 

୨୨.

ବୈଷ୍ଣବ ପାଣି ଗ୍ରନ୍ଥାବଳୀ (୩ୟ) ‘ଭକ୍ତସୁଦାମା’ ପୃ ୨୯୧

୨୩.

ଅତ୍ରୈବ୍ୟ-ପୃ ୨୯୧

୨୪.

ଅତ୍ରୈବ୍ୟ-ପୃ ୨୯୪

 

ପ୍ରକୃତରେ ଦେଖିବାକୁ ଗଲେ ଏହି ସଂଳାପଗୁଡ଼ିକ ମାଧ୍ୟମରେ ନିଜେ ବୈଷ୍ଣବ ପାଣି ଆତ୍ମପ୍ରକାଶ କରିଅଛନ୍ତି । କଳା ଧନ ବଳରେ ଯେଉଁମାନେ ଧନୀ ହୁଅନ୍ତି ସେମାନେ ହୁଅନ୍ତି ଅତ୍ୟାଚାରୀ । ଯେଉଁମାନେ ସତ୍‌ ଅର୍ଥର ଅଧିକାରୀ ସେମାନେ ଶୋଷକ କିମ୍ବା ଅତ୍ୟାଚାରୀ ହୁଅନ୍ତି ନାହିଁ । ଅସତ୍‌ ଅର୍ଥ ନିଶାପାନ, ମଦ୍ୟସେବନ ଓ ବେଶ୍ୟା ସେବାରେ ଖର୍ଚ୍ଚ ହୋଇଯାଏ । ସେଥିରେ ମନୁଷ୍ୟତ୍ୱର ବିକାଶ ହୁଏ ନାହିଁ । ଏତାଦୃଶ ଧନ ବଳରେ ଯେଉଁମାନେ ବଡ଼ଲୋକ ହୁଅନ୍ତି ସେମାନେ ହୁଅନ୍ତି ଅହଂକାରୀ । ଗରିବଙ୍କଠାରୁ ଦୂରେଇଯାଇ ଏକ ସ୍ୱତନ୍ତ୍ର ଶ୍ରେଣୀ ଗଠନ କରନ୍ତି । ଏକଥା ବୈଷ୍ଣବ ପାଣି ଭଲଭାବରେ ଜାଣିଥିଲେ । ସମାଜ ସଚେତନ କବି ଭାବରେ ସେ ଏହି କଥାକୁ ସ୍ପଷ୍ଟ କରି ଦେଇଛନ୍ତି । ଧନୀ ଓ ଦରିଦ୍ରର ଭେଦକୁ ଦୂର କରି ମଣିଷକୁ ମଣିଷ ଭାବରେ ଭଲପାଇବାକୁ ସେ ଦେଇଛନ୍ତି ଆହ୍ୱାନ । ସେ ଆହୁରି ସ୍ପଷ୍ଟ କରି ଦେଇଛନ୍ତି ଯେ ଧନପତି ଧନର ଅଧିକାରୀ ନୁହେଁ ; ଧନର ରକ୍ଷାକାରୀ ମାତ୍ର । ସେହି ଧନ ତାର ବ୍ୟକ୍ତିଗତ ସ୍ୱାର୍ଥରେ ନଲାଗି ମାନବ କଲ୍ୟାଣରେ ଲାଗିବା ଉଚିତ । ଏହାହିଁ ଥିଲା ସେ ସମୟର ଗାନ୍ଧିଜୀଙ୍କର ଦର୍ଶନ । ଗଣକବି ଏହି ଦର୍ଶନକୁ ଉକ୍ତ ଗୀତିନାଟ୍ୟରେ ସୁନ୍ଦର ଭାବରେ ପ୍ରକାଶ କରି ଭକ୍ତି ଓ ଐଶ୍ୱର୍ଯ୍ୟର ସମନ୍ୱୟ ପାଇଁ ଦେଇଛନ୍ତି ପ୍ରେରଣା ।

 

ଏହି କଥାବସ୍ତୁକୁ ନେଇ ବାଳକୃଷ୍ଣ ମହାନ୍ତି ମଧ୍ୟ ରଚନା କରିଛନ୍ତି ‘ସୁଦାମା ଦାରିଦ୍ର୍ୟ ଭଂଜନ’ ବା ‘ସଖା-ପ୍ରେମ-ଗୀତାଭିନୟ ।’ ଏହା ଚାରି ଗୋଟି ଅଙ୍କରେ ବିଭକ୍ତ । ଏଥିରେ ପ୍ରସ୍ତାବନା ନାହିଁ । ସୁଦାମା ଯେତେବେଳେ ହରିନାମ ନେଇ ଗୀତ ବୋଲୁଥାଏ, ସେତିକିବେଳେ ତାର ପତ୍ନୀ ସୁମତି ତାକୁ ଭର୍ତ୍ସନା କରିଛି-‘ଆହା ହରି ନାମଟି ନେବାକୁ ଏକା ବେଶ୍‌ ସମୟ ମିଳିଛି । ଏମିତିଆ କରମକୋଢ଼ି ମଣିଷ ଦୁନିଆରେ ଥାନ୍ତି, ତିନି ଦିନେ ଥରେ ଚୁଲି ଜଳୁ ନାହିଁ, ଭିତର ଆଳରେ ହାଣ୍ଡିଗୁଡ଼ାକ ମାଙ୍କଡ଼ଚିତ୍‌ ମାରୁଛନ୍ତି, ୟାଙ୍କର ପୁଣି ହରି ମନ୍ଦିର ଚିତା କାଟି ମାଳା ଭଜନ ହେଉଛି ।’ (୨୫) ସୁମତିର ଭର୍ତ୍ସନା ଓ ଅନୁରୋଧ ଫଳରେ ସୁଦାମା ବାଲ୍ୟ ସଖା ଶ୍ରୀକୃଷ୍ଣଙ୍କ ପାଖକୁ ଖୁଦଭଜା ଦୁଇ ମୁଠା ବାନ୍ଧି ବାହାରିଛନ୍ତି । ଦ୍ୱାରକାରେ ଶ୍ରୀକୃଷ୍ଣ ଓ ରୁକ୍ମଣୀଙ୍କ ମଧ୍ୟରେ ଦରିଦ୍ର ସୁଦାମା ସଂପର୍କରେ କଥାବାର୍ତ୍ତା ହୋଇଛି । ନାରଦ ମଧ୍ୟ ସେହି ଅପୂର୍ବ ଘଟଣା ଦେଖିବାକୁ ଦ୍ୱାରକାରେ ଅବସ୍ଥାନ କରିଛନ୍ତି । ଶ୍ରୀକୃଷ୍ଣ ନାଉରିଆ ବେଶରେ ସୁଦାମାକୁ ନଦୀ ପାର କରାଇ ଦେଇଛନ୍ତି । ସନ୍ନ୍ୟାସୀ ବେଶରେ ମାଳ ଦେଇଛନ୍ତି । ବାଟରେ ସୁଦାମା ଚୋରଙ୍କ କବଳରୁ ମୁକ୍ତ ହୋଇଛନ୍ତି । ଅବଶେଷରେ ଦ୍ୱାରକାରେ ପହଞ୍ଚିଛନ୍ତି । ଶ୍ରୀକୃଷ୍ଣ ତାଙ୍କୁ ପାଛୋଟି ନେଇ ସିଂହାସନରେ ବସାଇଛନ୍ତି-। ରୁକ୍ମଣୀ ତାଙ୍କର ପାଦ ଧୋଇ ଦେଇଛନ୍ତି । ସୁଦାମାଠାରୁ ମୁଠିଏ ଖୁଦଭଜା ନେଇ ଶ୍ରୀକୃଷ୍ଣ ପାଟିରେ ପକାଇଛନ୍ତି । ଆଉ ମୁଠିଏ ପାଟିରେ ପକାଇବାକୁ ଗଲାବେଳେ ରୁକ୍ମଣୀ ତାଙ୍କର ହାତଧରି ମନା କରିଛନ୍ତି । ସୁଦାମା ବିଦାୟ ନେଇ ଆସିଲାବେଳେ ଶ୍ରୀକୃଷ୍ଣ ନିଜ ଗଳାରୁ କୌସ୍ତୁଭ ମାଳଟି କାଢ଼ି ତାଙ୍କୁ ଦେଇଛନ୍ତି । ନାରଦ ଏଘଟଣାରେ ଆଶ୍ଚର୍ଯ୍ୟ ହୋଇ ଇନ୍ଦ୍ରଙ୍କୁ ସମସ୍ତ କଥା କହିଛନ୍ତି । ଇନ୍ଦ୍ର ମାୟାକାମୀନୀ ପଠାଇ ସୁଦାମାଙ୍କଠାରୁ ମାଳାଟି ନେଇ ଯାଇଛନ୍ତି । ସୁଦାମାଙ୍କ ପତ୍ନୀ ସୁମତି ସ୍ୱାମୀଙ୍କ ଆଗମନର ବିଳମ୍ବ ହେତୁ ବ୍ୟସ୍ତ ହେଉଥିଲା ବେଳେ ତାଙ୍କ ଘରେ ରୁକ୍ମଣୀ ସନ୍ନ୍ୟାସିନୀ ବେଶରେ ପହଞ୍ଚି ଅତିଥି ହୋଇଛନ୍ତି । ନିଜ କାନିରୁ ଚାଉଳ ବାହାର କରି ରୋଷେଇ କରିବାକୁ ତାକୁ ଦେଇଛନ୍ତି । ସୁମତି ଯେତେବେଳେ ପୋଖରୀରେ ଆତ୍ମହତ୍ୟା କରିବାକୁ ଯାଇଛନ୍ତି ସେତେବେଳେ ପାଣି ଶୁଖିଯାଇଛି । ସେହି ସମୟରେ ଶ୍ରୀକୃଷ୍ଣ ଭାରୁଆ ବେଶରେ ସେଠାରେ ପହଞ୍ଚି ତାଙ୍କ ଘରକୁ ଯାଇଛନ୍ତି । ସୁଦାମା ବାଟରେ ମାୟାକାମିନୀମାନଙ୍କ କବଳରୁ ମୁକ୍ତ ହୋଇ ଘରକୁ ଆସିଛନ୍ତି, ମାତ୍ର ନିଜଘର ଚିହ୍ନିପାରି ନାହାନ୍ତି । ସୁମତି ତାଙ୍କୁ ବୁଝାଇ ଘରକୁ ନେଇଛନ୍ତି ଓ ସମସ୍ତ କଥା କହିଛନ୍ତି । ଶ୍ରୀକୃଷ୍ଣ ସୁଦାମାକୁ କହିଛନ୍ତି-‘ସଖା କିଛି ଭୟ କରନା, ଏ ସମ୍ପତ୍ତି ଦୀନ ଦରିଦ୍ର ଲାଗି । ତୁମେ କେବଳ ଭଣ୍ଡାରଘରିଆ ।’ (୨୬)

 

୨୫.

ବାଳକୃଷ୍ଣ ମହାନ୍ତି ଗ୍ରନ୍ଥାବଳୀ (୧୯୭୧)-ସୁଦାମାଦାରିଦ୍ର୍ୟ ଭଂଜନ-ପୃ ୨୫

୨୬.

ଅତ୍ରୈବ-ପୃ ୪୭

 

ଏହି ନାଟକଟି ବୈଷ୍ଣବ ପାଣିଙ୍କ ନାଟକର ବିଷୟବସ୍ତୁ, ଚରିତ୍ର ସଜ୍ଜା ଓ ଉପସ୍ଥାପନା କୌଶଳକୁ ଗ୍ରହଣ କରିଛି । ଏଥିରେ ସଂଗୀତ ସଂଳାପ ଅପେକ୍ଷା ଅଧିକ ଗଦ୍ୟ ସଂଳାପ ରହିଛି । ବୈଷ୍ଣବ ପାଣିଙ୍କ ସଙ୍ଗୀତରେ ଯେଉଁ ଯାଦୁକାରୀ ସ୍ପର୍ଶ ଅଛି ତାହା ଏଥିରେ ନାହିଁ । ପୁନଶ୍ଚ ବୈଷ୍ଣବ ପାଣି ଯେପରି ସତ୍‌ ଧନ ଓ ଅସତ୍‌ ଧନର ବିଶ୍ଳେଷଣ କରି ବଡ଼ଲୋକ ଓ ଗରିବଙ୍କ ଚରିତ୍ର ଓ ଜୀବନ-ଚର୍ଯ୍ୟାକୁ ରୂପାୟନ କରିଛନ୍ତି ଏବଂ ଧନପତିକୁ ଧନର ରକ୍ଷାକାରୀ କହି ସମସ୍ତଙ୍କର କଲ୍ୟାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ବାଳକୃଷ୍ଣ ଗୀତାଭିନୟରେ ନାହିଁ । ସମୟ-ସଚେତନ ଗୀତିନାଟ୍ୟକାର ଭାବରେ ବୈଷ୍ଣବ ପାଣି ସର୍ବତ୍ର ଏକ ଧର୍ମଭିତ୍ତିକ ସମାଜବାଦ ପାଇଁ ଦେଇଛନ୍ତି ଆଶାନ୍ୱିତ ଆହ୍ୱାନ । ଏହି କାରଣରୁ ସେ ସମକାଳୀନ ଗୀତିନାଟ୍ୟକାରମାନଙ୍କଠାରୁ ସ୍ୱତନ୍ତ୍ର ହୋଇ ବାରି ହୋଇ ପଡ଼ନ୍ତି । ଏପରି କୌଣସି ଗୀତାଭିନୟ ନାହିଁ ଯେଉଁଥିରେ ସେ ନିମ୍ନ ଜାତି ଓ ନିମ୍ନବର୍ଗର ମଣିଷମାନଙ୍କ ଦୁଃଖ ଦୁର୍ଦ୍ଦଶା, ଚାଲିଚଳଣି, ଆଚାର ବିଚାରକୁ ବର୍ଣ୍ଣନା କରିନାହାନ୍ତି । ଅତି ସଚେତନ ଭାବରେ ଏହି ସମାଜର ଅଧଃପତନର କାରଣଗୁଡ଼ିକୁ ଯଥାସମ୍ଭବ ବାସ୍ତବରୂପ ଦେଇଛନ୍ତି । ମଦ୍ୟପାନ, ବେଶ୍ୟା ସଙ୍ଗମ, ଆଳସ୍ୟ, ପରମୁଖାପେକ୍ଷିତା ଆଦି ଗୁଣ ଯୋଗୁ ଏହି ସମାଜର ଯେ ବିପର୍ଯ୍ୟୟ ହୋଇଛି ସେ କଥାକୁ ଗଣକବି ବୈଷ୍ଣବ ପାଣି ବାରମ୍ବାର ଚେତେଇ ଦେଇଛନ୍ତି । କଂସର ରଜକ ଆପଣାର ଦୁଃଖ ଦୁର୍ଦ୍ଦଶା ଓ ମଦ୍ୟପାନ ଜନିତ କୁଫଳ ବିଷୟରେ କହିଛି :

 

ହାଣିଗଲି ବରଖୋବା ଲୋ, ବୋଇଲା ହାଣିଗଲି ବରଖୋବା

ଉଠା ଭାତୁଆଣି ବସା ଯାଉପାଣି ଅଇଲେ ବେଠିଆ ଧୋବା ଲୋ ।

x x x x

ଛିଇ ଛିଇ ମଦ ପିଇବି ନାହିଁ ଲୋ କଳା ପାଣି ପରିଦିଶେ

ସେହି କଳା ପାଣି ପେଟରେ ପଡ଼ିଲେ ଚଉଦ ଭୁବନ ଦିଶେ । (୨୭)

 

୨୭.

ବୈଷ୍ଣବ ପାଣି ଗ୍ରନ୍ଥାବଳୀ (୧ମ)-ରଙ୍ଗସଭା-ପୃ ୯୦

 

ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପେଟେଣ୍ଟ୍‌ମେଡିସିନ ଗଳ୍ପକୁ ଗୀତାଭିନୟ ରୂପ ଦେଇ ସେଥିରେ ମଧ୍ୟ ସେ ମଦ୍ୟପାନ ଓ ବେଶ୍ୟାସକ୍ତିର କୁପରିଣାମକୁ ଦର୍ଶାଇ ଏହାକୁ ତ୍ୟାଗ କରିବାକୁ ଉଦ୍‌ବୋଧନ ଦେଇଅଛନ୍ତି । ଗାନ୍ଧିଜୀ ମଦ୍ୟପାନ ଓ ନିଶାନିବାରଣ ପାଇଁ ଯେଉଁ ଗଣ-ସଚେତନତା ସୃଷ୍ଟି କରିଥିଲେ ତାର ପ୍ରଭାବ ବୈଷ୍ଣବ ପାଣିଙ୍କ ଉପରେ ପଡ଼ିଥିଲେ ହେଁ ତାର ବହୁ ପୂର୍ବରୁ ‘ରଙ୍ଗସଭା’ ଗୀତାଭିନୟରେ ସେ ଏ କଥାକୁ ଉଲ୍ଲେଖ କରି ସାରିଥିଲେ । ୧୯୨୪ ମସିହାରେ ‘ପେଟେଣ୍ଟ୍‌ମେଡିସିନ’ ଗଳ୍ପକୁ ଗୀତାଭିନୟ ରୂପ ଦେଲାବେଳେ ଆହୁରି ବଳିଷ୍ଠ ଭାବରେ ମଦ୍ୟପାନ ବିରୋଧରେ ସେ ସ୍ୱର ଉତ୍ତୋଳନ କରିଅଛନ୍ତି । ବିଭିନ୍ନ ଗୀତାଭିନୟଗୁଡ଼ିକରେ ସାଧାରଣ ମଣିଷ ସମାଜର ବିପର୍ଯ୍ୟୟର କାରଣ ରୂପେ ମଦ୍ୟପାନକୁ ସୂଚେଇ ଦେଇଛନ୍ତି । କେବଳ ଏତିକି ନୁହେଁ, ସେତେବେଳେ ଗାନ୍ଧିଜୀ ଭାରତବର୍ଷରେ ଜାତୀୟ ସଚେତନତା, ଜାତୀୟ ସ୍ୱାଭିମାନବୋଧ, ସ୍ୱଦେଶପ୍ରାଣତା, ସ୍ୱାବଲମ୍ବନଶୀଳତା, ବିଦେଶୀ ବସ୍ତୁପ୍ରତି ନିର୍ମୋହତା, ସ୍ୱଦେଶୀ ବସ୍ତୁ ପ୍ରତି ଆଗ୍ରହ, ଅସ୍ପୃଶ୍ୟତା ନିବାରଣ ଓ ମାନବ ବନ୍ଦନା ଉପରେ ଯେଉଁ ପ୍ରାଧାନ୍ୟ ପ୍ରଦାନ କରିଥିଲେ ଗଣକବି ବୈଷ୍ଣବ ପାଣି ଗ୍ରାମ୍ୟ ପରିବେଶରେ ଥାଇ ମଧ୍ୟ ସେହି ସବୁ ଆହ୍ୱାନଗୁଡ଼ିକୁ ନିଷ୍ଠାର ସହିତ ଗୀତାଭିନୟମାନଙ୍କରେ ସାଧାରଣ ଦ୍ୱାରିୀ ଓ ନରନାରୀମାନଙ୍କ ଚରିତ୍ରମାଧ୍ୟମରେ ପ୍ରକାଶ କରିଅଛନ୍ତି । ଅରଟରେ ସୂତାକାଟି ଲୁଗା ପିନ୍ଧିବା, ନିଜ ବିଲରେ ଖଟି ଜୀବିକା ନିର୍ବାହ କରିବା, ସରଳ, ଜୀବନଯାପନ କରିବା ଓ ପରର ଗୋଲାମୀ ନ କରିବା ଆଦି ନାନା ଭାବ ମଧ୍ୟ ଗଣକବିଙ୍କ ଗୀତାଭିନୟମାନଙ୍କରେ ରୂପାୟିତ । ଏପରି ସମୟ ଓ ସମାଜ ସଚେତନ ଅଭିବ୍ୟକ୍ତି ସେତେବେଳେ ଅନ୍ୟାନ୍ୟ ଗୀତିନାଟ୍ୟରେ ଥିଲା ପରି ମନେ ହୁଏ ନାହିଁ । ନିମ୍ନରେ କେତୋଟି ଦୃଷ୍ଟାନ୍ତ ପ୍ରଦାନ କରାଯାଉଛି ।

 

ରାଜାଘରେ ଚାକିରୀ ଖଟି ମାସକରେ ଜମା ଦି ଦିନ ଛୁଟି

ପରମୁହଁ ଚାହିଁ ଭାରିଯା ମୋହର ହରଷରେ ଦିନ ନେଉଛି କାଟି ।

ରୋଜଗାର ସାର କେବଳ, ଦେହୁଁ ମୋର ତୁଟିଲା ବଳ, ସେ ପୂରିଲା କାଳ

ପର ଘରେ ରହି ପର ଭାତ ଖାଇ ଧାଇଁ ଧାଇଁ ନିତି ଶୁଖୁଛି ତଣ୍ଟି ।

 

ପୋଡ଼ିଯାଉ ପୋଷାକ ପିନ୍ଧା, ମୋଜାଜୋତା ଗାଟର ବନ୍ଧା, ସେ ଅସଲ ଧନ୍ଦା

ମୋଟା ଖଦି ସୁଖ ନ ମିଳେ ତହିଁରେ ରାତି ଦିନ ମନ ହୁଅଇ ଘାଣ୍ଟି

ନ ଦେଖିଲି ପିଲାଙ୍କ ମୁଖ, ବାପା ବାପା ମଧୁର ଡାକ, ମୋ ଜୀବନଯାକ

କାକର ଗାଧୁଆ ଗଧ ପରି ଖିଆ ବାର୍‌ହା ପରି ଗୋଡ଼ ପକାଏ ଖୁଣ୍ଟି । (୨୮)

-ଗୌରଚନ୍ଦ୍ର ଚୂଡ଼ାମଣି-

 

୨୮.

ଅତ୍ରୈବ-‘ଗୌରଚନ୍ଦ୍ର ଚୂଡ଼ାମଣି’-ପୃ ୩୪୯

 

ପରପଞ୍ଚ ପର ଚାକିରି ପୋଡ଼ା

ପ୍ରାଣଗଲେ ତ ନାହିଁ ମୋର ଲୋଡ଼ା, ନିତି କେତେ ଖାଇବି କାନମୋଡ଼ା ।

ତିଳେ ନାହିଁ ସୁଖ, ଛାତି ଦକ ଦକ, ସର୍ବଦା ପଡ଼େ ହାତ ଯୋଡ଼ା

ଥୋଡ଼ା ଯେବେ ଡେରି ହେଲା ଆସିବାକୁ ବସିଯିବ ଘୋଡ଼ା କୋରଡ଼ା

ନିଶମୋଡ଼ି ଦେଖାନ୍ତି ଆଖିଯୋଡ଼ା କହୁଥାନ୍ତି ବଚନ କଡ଼ା କଡ଼ା ।

x x x

 

କାହାରି ଅଧୀନ ନୋହିଣ ଏଣିକି କିଣିବି ଦୁଇଗୋଟି ହଡ଼ା

ହଳ ବୁଲାଇଣ କାଳ କଟାଇବି ହେବି ପଛକେ ଭୂଇଁତଡ଼ା । (୨୯)

-ମେଘନାଦ ବଧ

 

୨୯.

ବୈଷ୍ଣବ ପାଣି ଗ୍ରନ୍ଥାବଳୀ (୨ୟ) ମେଘନାଦ ବଧ-ପୃ ୧୭୮

 

ଚାଲିଚାଲି ବୁଲିବୁଲି ଠିକିଲି, ଖରାରେ ଶୁଖିଲି

ଏ ପର ଚାକିରି, ପରପଞ୍ଚ ଭାରି, ବୋପାକୁ ମଉସା ଡାକିଲି ।

ବାର ପାଣିପିଇ, ବାରଜାଗା ଶୋଇ, ନଦେଖିଲି ଯା ଦେଖିଲି

ତୋଡ଼ ଡରେ ବାର ସାଆନ୍ତଙ୍କ ଗୋଡ଼, ଧରି ଶିରେ କର ଠୁକିଲି ।

 

ପୁଅ ମାଇପଙ୍କୁ, ଦେଖିବାକୁ ସାତ ସ୍ୱପନ ଏମାନ ଶିଖିଲି

ହେଲା ମୋ ଜୀବିକା, ଖଚମିଛ ପାଞ୍ଚ ନିଜକୁ ଯା ନିଜେ ଠକିଲି ।

ମାସ ଶେଷକୁ ତ, ଆଶା କରି ନିତି ବସି ଖଡ଼ିଗାର ଲେଖିଲି

ଭିତର ମୋ କଳା, ବାହାରକୁ ଧଳା, ଦେଖାଇ ଭାଇଙ୍କି ଫାଙ୍କିଲି । (୩୦)

-ଅର୍ଜୁନ ଲାଖବିନ୍ଧା

 

୩୦.

ଅତ୍ରୈବ (୩ୟ) ଅର୍ଜୁନ ଲାଖବିନ୍ଧା ବା ଦ୍ରୌପଦୀ ସ୍ୱୟଂବର ପୃ ୧୦୨/୧୦୩

 

ଏତାଦୃଶ ଗୀତିମୟ ସଂଳାପଗୁଡ଼ିକୁ ଗଣକବି ସାଧାରଣତଃ ଦୂତ ବା ଦ୍ୱାରୀ ମୁଖରେ ପ୍ରଦାନ କରିଅଛନ୍ତି । ପରଘରେ ଚାକିରୀ ଖଟିବା ଯେ କେତେ ଯନ୍ତ୍ରଣା ଦାୟକ ତାହା ଏସବୁ ଉକ୍ତିରୁ ଜଣାଯାଏ । ୧୯୦୩ ମସିହାରେ ‘ମେଘନାଦ ବଧ’ ଗୀତାଭିନୟ ରଚନା କରି ଗଣକବି ସେଥିରେ ପରଘରେ ଚାକିରୀ କରିବାର ନାନା ଦୁଃଖକୁ ସୂଚେଇ ଦେବା ସଙ୍ଗେ ସଙ୍ଗେ ସ୍ୱାଧୀନ ଭାବରେ ଚାଷ କରି ଜୀବିକା ନିର୍ବାହ ପାଇଁ ପ୍ରେରଣା ଦେଇ ଅଛନ୍ତି । ଗାନ୍ଧିଜୀ ବ୍ରିଟିଶ ସରକାରଙ୍କ ଅଧୀନରେ ଗୋଲାମି ନ କରିବାକୁ ଉଦ୍‌ବୋଧନ ଦେବାର ବହୁପୂର୍ବରୁ ବୈଷ୍ଣବ ପାଣି ଭିନ୍ନ ପରିବେଶରେ ଏହି ଭାବଧାରାକୁ ବ୍ୟକ୍ତ କରିଅଛନ୍ତି । ଏପରି ଭାବନା ଅନ୍ୟ କୌଣସି ଗୀତାଭିନୟରେ ପ୍ରକାଶ ପାଇ ନାହିଁ । କେବଳ ଏତିକି ନୁହେଁ ; ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ପ୍ରତି ସେ ଜଣାଇଛନ୍ତି ଅନ୍ତରର ଗଭୀର ଅଭିନନ୍ଦନ । ଗାନ୍ଧିଜୀଙ୍କର ଅସହଯୋଗ ଆନ୍ଦୋଳନ, ଅହିଂସା ଓ ସତ୍ୟାଗ୍ରହ, ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ସକଳ ମଣିଷଙ୍କ ପ୍ରତି ମମତା, କାରାଗାର ପ୍ରତି ଥିବା ଭୟର ବିନାଶ ପାଇଁ ଆହ୍ୱାନ ଇତ୍ୟାଦି ପ୍ରତି ଗଣକବି ସଶ୍ରଦ୍ଧ ଅଭିନନ୍ଦନ ଜଣାଇ ଉଦ୍‌ବୋଧନ ଦେଇଛନ୍ତି :

 

ଜଗବନ୍ଧୁଙ୍କର ଦେଉଳ ଦରଜା ହୋଇଛି କାରା ଫାଟକ ହେ

ପଶୁଛନ୍ତି ଆସୁଛନ୍ତି ନିତି ନିତି ଯାତ୍ରୀଙ୍କ ସମାନ ଦେଖ ହେ

ଆମ୍ଭ ରାଜବନ୍ଦୀଗଣ, ଆଉ ନାହିଁ ସେ ପୂରୁବ ଟାଣ ହେ ।

ବଣିଆ ଟୋକାଟା ଉଠାଇ ଦେଲାଣି ଜିଅଲଖାନାର ଡର ହେ

ଦେଶକାମ କରି ପଶ ଯା ତହିଁରେ ବରଷକୁ ଦଶଥର ହେ ।

ସରକାର ବିଷଦନ୍ତ, ଏକା ଝାଡ଼ିବାର ସେହି ପଥ ହେ । (୩୧)

 

୩୧.

ବୀରକିଶୋର ଦାସ-ଗଣକବି ବୈଷ୍ଣବ ପାଣି (୧୯୫୭) ପୃ ୫୩/୫୪

 

କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଉତ୍କଳ ସମ୍ମିଳନୀ’ (୧୯୦୩) ଓଡ଼ିଆ ଜାତୀୟତାର ଉଦାତ୍ତ ମନ୍ତ୍ର ଉଚ୍ଚାରଣ କରିଥିଲା । ଏହି ମନ୍ତ୍ର ଉଚ୍ଚାରଣ ବେଳେ ଗଣକବି ରଚନା କଲେ ‘ମେଘନାଦ ବଧ’ । ଗୋଲାମିତ୍ୱକୁ ଏଥିରେ ସେ ନିନ୍ଦା କଲେ । ପ୍ରାକ୍ ୧୯୨୦ ଗୀତାଭିନୟମାନଙ୍କରେ ଗଣକବିଙ୍କର ଉତ୍କଳୀୟତା ସୁତୀବ୍ର । ୧୯୨୦ ପରେ ଭାରତୀୟତାବୋଧ ଶାଣିତ । ଗାନ୍ଧିଜୀଙ୍କୁ ତାଙ୍କ ଜାତୀୟ ଚେତନାର କେନ୍ଦ୍ରବିନ୍ଦୁରେ ରଖି ସେ ରଚନା କରିଛନ୍ତି ଜାତୀୟତା ମୂଳକ ସଙ୍ଗୀତ ଓ ସଂଳାପ । ବିଦେଶୀ ସରକାର ଭାରତବର୍ଷରେ ଯେପରି ଶୋଷଣ ଓ ଅତ୍ୟାଚାର କରୁଥିଲା ତାହାକୁ ସେ ଭର୍ତ୍ସନା କରିଅଛନ୍ତି ‘ପୋଡ଼ିଯାଉ ଇଂଗିରାଜୀ ଅମଳ / ହରି ନେଇଗଲା ଦେଶୁ ଟଙ୍କା ସୁନା ଦେହରୁ ହରିଲା ଆମର ବଳ ।’ ଇଂରେଜ ସରକାରଙ୍କ ଅଧୀନରେ ଗୋଲାମିଗିରିକୁ ସେ ତୀବ୍ର ନିନ୍ଦା କରିଛନ୍ତି ‘ପୋଡ଼ିଯାଉ ପୋଡ଼ା ଚାକିରି ନିଶା । ପର ଅଇଁଠାକୁ ପର ଗୋଇଠାକୁ କେଉଁ ସୁଖ ପାଇଁ ବଳାଅ ଆଶା ।’ ପର ଘରେ ଚାକିରି କରିବା ଆଶାକୁ ଛାଡ଼ି ସ୍ୱାଧିନ ଭାବରେ ଜୀବନ କଟାଇବାକୁ କବିଙ୍କର ଥିଲା ସେ କାଳର ସମାଜ ପ୍ରତି ଆହ୍ୱାନ !

 

ନିଜ ଶିଙ୍ଗେ ଭାଇ ନିଜେ ମାଟି ଖୋଳି ପେଟ ପୋଷୁଥାନ୍ତି ପିମ୍ପୁଡ଼ି ମୂଷା

ତାଙ୍କଠାରୁ ହୀନ ତୁମର ଜୀବନ କିଏ ଦିଏ ତାଙ୍କୁ ଟଙ୍କା ପଇସା ।

ନିଜ ହାତେ ଭାଇ ନିଜେ କାମକର ନିଜ ଘରଡ଼ିହେ କରିଣ ବସା ।

 

ସ୍ୱାଭିମାନୀ କବିଗଣ ପୁଣି କଠୋର ସମାଲୋଚନା କରିଛନ୍ତି ସେସମୟର ବନ୍ଦୋବସ୍ତ ବ୍ୟବସ୍ଥାକୁ । ୧୯୩୦ ମସିହା ବେଳକୁ ଯେଉଁ ବନ୍ଦୋବସ୍ତ ହେଲା ସେଥିରେ ଅମିନ ଓ ବନ୍ଦୋବସ୍ତ କର୍ମଚାରୀମାନେ ଯେପରି ଶୋଷଣ ଓ ବିଭ୍ରାଟ ସୃଷ୍ଟି କଲେ ତାହାକୁ ଲକ୍ଷ୍ୟ କରି ଗଣକବି ବୈଷ୍ଣବ ପାଣି ଗୀତାଭିନୟ ମଧ୍ୟରେ ଦ୍ୱାରୀ ମୁହଁରେ ଯେଉଁ ସଂଳାପ ଦେଲେ ତାହା ଅମିନ ଓ ଅମଲାମାନଙ୍କୁ ଦେଲା ତୀବ୍ର ଆଘାତ । ନିଜର ଆତ୍ମଜୀବନୀରେ ସେ ଏ ସଂପର୍କରେ ଲେଖିଛନ୍ତି ‘ଏଣେ ବନ୍ଦୋବସ୍ତ ସମୟ । ଅମିନମାନଙ୍କ ଜୁଲମ କହିଲେ ନସରେ । x x ଶେଷ ରାତ୍ରିରେ ଆଟେସନ ସମ୍ବନ୍ଧରେ ଏକ ଗୀତ ରଚନା କରି ଦୁଆରୀକୁ ଶିଖାଇ ସଭାରେ ବୋଲାଇଲି । ଗୀତଟିକୁ ଶୁଣି ଅମିନମାନେ ମୋତେ ମାରିଦେବାକୁ ଷଡ଼ଯନ୍ତ୍ର କଲେ । x x ଏ ସମ୍ବାଦ ପାଇ ଓକିଲ ରାମଶଙ୍କର ବାବୁଙ୍କ ଶରଣ ଗ୍ରହଣ କଲି ।’ (୩୨) ଏଥିରୁ ଜଣାଯାଏ ଯେ ଗଣକବି ବୈଷ୍ଣବ ପାଣି କେବଳ ମନୋରଞ୍ଜନ ପାଇଁ ସଙ୍ଗୀତ ଲେଖୁ ନଥିଲେ ; ସମକାଳୀନ ସମସ୍ୟାକୁ ମଧ୍ୟ ପ୍ରକାଶ କରୁଥିଲେ । ବନ୍ଦୋବସ୍ତ ସମ୍ପର୍କିତ ତାଙ୍କର ଗୀତିମୟ ସଂଳାପ ଏହି ହେତୁ ତାତ୍ପର୍ଯ୍ୟପୂର୍ଣ୍ଣ ।

 

୩୨.

ପାଣିକବିଙ୍କ ଆତ୍ମଜୀବନୀ

 

କି କହିବି ଆଟେସନର କଥା

ଦେଖି ଅମଲାଙ୍କ ତେଜ, ଆରେ ଭାଇ

ପାଷାଣ ହେଲେଣି ଦିଅଁ ଦେବତା ।

ଘରୁ ଯେତେବେଳେ ଅଇଲେ ବାହାରି

 

ଗୋଡ଼େ ମାଡ଼ୁଥିଲେ ଖଣ୍ଡିଆ ଜୋତା

କଣ ଭୁଆସୁଣୀ ଦିନ ଗଣୁଥିଲେ

 

କେମନ୍ତେ ହାତରୁ ଫିଟିବ ସୂତା ।

ଯହୁଁ ସରକାର ଖୋଲିଦେଲେ ଘର

 

ହାତରେ ପଡ଼ିଲା ଖସଡ଼ା ଖାତା

ବଡ଼ ବଡ଼ ଆଖି ହୋଇଗଲା ତହୁଁ

 

ସୁଉକି ଦୋଅଣି ଲାଗିଲା ପିତା । (୩୩)

 

୩୩.

ଗଣକବି ବୈଷ୍ଣବ ପାଣି ପୃ ୫୮ । ୫୯

 

ଭାରତୀୟ ମୁକ୍ତି ଆନ୍ଦୋଳନକୁ ନେଇ ଗଣକବି ଯେପରି ଜନ-ସଚେତନତା ପାଇଁ ରଚନା କରି ଅଛନ୍ତି ଉଦ୍‌ବୋଧନମୂଳକ ଗୀତିକା, ସେହିପରି ମଧ୍ୟ ସମାଜର ନିମ୍ନବର୍ଗ ଓ ନିମ୍ନଜାତିମାନଙ୍କ ଉତ୍ତୋଳନ ପାଇଁ ରଚନା କରିଛନ୍ତି ବହୁ ସଂଗୀତ । ଜାତିବର୍ଣ୍ଣ ଭେଦର ବିଲୋପ କରି ଏକ ମଣିଷ ଜାତି ଭାବରେ ସମସ୍ତଙ୍କୁ ଉଦ୍‌ବୁଦ୍ଧ ହେବା ପାଇଁ ଦେଇଛନ୍ତି ପ୍ରେରଣା । ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ମଧ୍ୟରେ ସଂହତି ଓ ସହାବସ୍ଥାନ ପାଇଁ ମଧ୍ୟ ଦେଇଛନ୍ତି ଆହ୍ୱାନ । ଅସ୍ପୃଶ୍ୟତା ନିବାରଣ ଓ ମଦ୍ୟପାନ ନିଷେଧ ପାଇଁ ଦେଇଛନ୍ତି ଗୁରୁତ୍ଵ । ନାରୀ ସ୍ଵାଧୀନତା ପାଇଁ ମଧ୍ୟ ସୃଷ୍ଟି କରିଛନ୍ତି ସଚେତନତା । ଭାରତୀୟତାବୋଧ ସହିତ ଉତ୍କଳୀୟତାବୋଧ ତାଙ୍କର ଗୀତାଭିନୟମାନଙ୍କରେ ଉତ୍‌କୀର୍ଣ୍ଣ । ‘କଳାପାହାଡ଼’ ଗୀତାଭିନୟରେ ମୁକୁନ୍ଦଦେବଙ୍କ ମୁଖରେ ଯେଉଁ ଉଦ୍ଦୀପନା ମୂଳକ ଉଦ୍‌ବୋଧନ ପ୍ରଦାନ କରି ଅଛନ୍ତି ତାହା ତାଙ୍କର ଉତ୍କଳୀୟ ଜାତୀୟତାବୋଧର ନିଦର୍ଶନ ।

 

ଏହିକି ସେ ଓଡ଼ିଆ ଜାତି ଯାହାଙ୍କ ଖ୍ୟାତି ଘୋଷଇ କ୍ଷିତି ମୁକ୍ତକଣ୍ଠେ

ଯାହବଳେ ଦୁର୍ଗ ସୈନ୍ୟ ମୋଗଲଯବନ ଖର୍ବହେଲା ଗର୍ବ ଝଟେ ।

ଯାହାର ଉଷ୍ମରକ୍ତ ପ୍ରବାହିତ ହେଉଛି ଘଟେ ଘଟେ

ଟେକିଛି ଧୈର୍ଯ୍ୟବାନା ଅନା ଅନା ସେ ନୀଳ କଳ୍ପବଟେ ।

x x x

ତା ତୁଣ୍ଡେ ଏ ଭୀରୁ ଉକ୍ତି ହୀନ ଯୁକ୍ତି ଶୁଣାଗଲା ଶ୍ରୁତିପଟେ

ବଇଷ୍ଣବ ଦ୍ୱିଜ କହି ବିଷ୍ଣୁଗାଇ ଧର ଅସ୍ତ୍ର ମହାଆଣ୍ଟେ ।

-କଳାପାହାଡ଼

 

ଏହିପରି ଉଦ୍‌ବୋଧନମୂଳକ ଗୀତିକା ଗଣକବିଙ୍କର ବିଭିନ୍ନ ଗୀତାଭିନୟମାନଙ୍କରେ ଦେଖାଯାଏ । ମାତୃଭୂମି ପ୍ରତି ମମତାବୋଧ ଏପରି ସଙ୍ଗୀତଗୁଡ଼ିକରୁ ଜଣାଯାଏ । ‘ରାବଣ ଦିଗ୍‌ବିଜୟ’ ଗୀତାଭିନୟରୁ ମାତୃଭୂମି ପାଇଁ ଆତ୍ମବଳୀଦାନର ଏକ ମନୋଜ୍ଞ ଉଦ୍‌ବୋଧନ ଗୀତିକାର ଦୃଷ୍ଟାନ୍ତ ଦେଖନ୍ତୁ ;

 

ବିନାଶ ଅରାତି ରଣରଙ୍ଗେ ମାତି ମରଣକୁ ଡର ନାହିରେ

ପରାଣ ଆଶାରେ ଶରଣ ନପଶ ପୂତ କର ମାତୃଭୂଇଁରେ

 

 

ମରିବ ବୋଲିଣ ଆସିଚ ମହୀକି

ସେଥିପାଇଁ ଏତେ ଶୋଚନା କାହିଁକି

ଜୀଇକେ ରହିଛି କାଳ କବଳରୁ ଦେଖିଛ ଆଖିରେ ଭାଇରେ ।

 

 

ସୌରଭେ ଉଡ଼ାଅ ଗୌରବ କେତନ

ଭୈରବ ନାଦରେ ଛାଡ଼ି ଗରଜନ

ବହୁ ରକ୍ତନଦୀ ହିମାଚଳ ଭେଦି ତୃପ୍ତ ହେଉ ଧରା ପିଇରେ ।

ନିତି କୋଟି କୋଟି ଶବ ଶମଶାନେ

ନେଉଛନ୍ତି ବହି ଦେଖୁଛନ୍ତି ଜନେ

ଏହା କାଣି କିଏ ପାଞ୍ଚିବ ମନରେ ଅମର ଏ ଛାର ମହୀରେ ।

 

 

ଧର ଅସ୍ତ୍ରଶସ୍ତ୍ର ଅତି ପ୍ରମୋଦରେ

ଫଟାଅ ଆକାଶ ବିଜୟ ନାଦରେ

ସମରେ ଯେ ମରେ ବସଇ ପ୍ରେମରେ ବଇକୁଣ୍ଠେ ଭାଷେ ବଇରେ । (୩୪)

 

୩୪.

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-୨ୟଭାଗ, ୨ୟସଂ (୧୯୭୯) ପୃ ୧୧୧

 

ଏହି ସଂଳାପିକ ଗୀତିକା ଭାରତୀୟତା ବୋଧର ନିଦର୍ଶନ । ବ୍ରିଟିଶ ସରକାରଙ୍କୁ ଭାରତବର୍ଷରୁ ହଟାଇବା ପାଇଁ ଚାଲୁଥିବା ଆନ୍ଦୋଳନ କାଳରେ ଏହା ରଚିତ । ଗଣକବି କୌଣସି ପ୍ରକାର ପରାଧୀନତାକୁ ସ୍ୱୀକାର କରି ନାହାନ୍ତି । ସେ ମର୍ମେ ମର୍ମେ ଅନୁଭବ କରିଛନ୍ତି ଇଂରେଜମାନଙ୍କର ଶୋଷଣ । ଏଥିପାଇଁ ଗୀତାଭିନୟ ମାଧ୍ୟମରେ ସେ ଗ୍ରାମେ ଗ୍ରାମେ ସୃଷ୍ଟି କରିଛନ୍ତି ମାତୃଭୂମି ପ୍ରୀତି ଓ ଆତ୍ମବଳିଦାନର ବାର୍ତ୍ତା । ଜାତୀୟ ଜୀବନର ଯାବତୀୟ ବ୍ୟାଧିଗୁଡ଼ିକୁ ସେ ଅନୁଭବ କରି ସେ ସବୁର ନିରାକରଣ ପାଇଁ ମଧ୍ୟ ଉଦ୍‌ବୋଧନ ଦେଇଛନ୍ତି । ଓଡ଼ିଶାର ଗ୍ରାମ୍ୟ ଜୀବନର ଲୋକ ଚରିତ୍ରକୁ ସେ ଗଭୀର ଭାବରେ ଅନୁଧ୍ୟାନ କରିଥିଲେ । ଦିନକୁ ଦିନ ଦରଦାମ ବୃଦ୍ଧି, ନୈତିକ ଜୀବନର ସ୍ଖଳନ, ଦୁର୍ନୀତି ବିସ୍ତାର, ପାଶ୍ଚାତ୍ୟ ଜୀବନଧାରା ପ୍ରତି ଅନ୍ଧ ଅନୁକରଣ, ଦରିଦ୍ର ଜନସାଧାରଣଙ୍କ ଉପରେ ଧନୀ ଓ କ୍ଷମତାଶୀଳ ଲୋକମାନଙ୍କର ଶୋଷଣ ଓ ଅତ୍ୟାଚାର, ନାରୀ ନିର୍ଯ୍ୟାତନା, ସରକାରୀ କର୍ମଚାରୀମାନଙ୍କର ସ୍ୱେଚ୍ଛାଚାର, ଉପଭୋଗୀ ମଣିଷମାନଙ୍କର ସଂଭୋଗ ତୃଷ୍ଣା, ଧର୍ମ ପ୍ରତି କ୍ରମ ଅନୁରାଗହୀନତା ଓ ସାଂପ୍ରଦାୟିକ ସଂଘର୍ଷ ଗଣକବିଙ୍କ ଚିତ୍ତ-ବୃତ୍ତିରେ ଗଭୀର ପ୍ରତିକ୍ରିୟା ସୃଷ୍ଟି କରି ଗୀତାଭିନୟମାନଙ୍କରେ ଆତ୍ମପ୍ରକାଶ କରିଥିଲା ବିଭିନ୍ନ ଚରିତ୍ରମାନଙ୍କ ମଧ୍ୟ ଦେଇ । ଏହି ଅଭିବ୍ୟକ୍ତି ଥିଲା ସମାଜ ସଚେତନ କବି-ହୃଦୟର ଯଥାର୍ଥ ପ୍ରତିଲିପି । ‘ଲକ୍ଷ୍ମୀପୂଜା’ ଗୀତାଭିନୟରେ ଗଣକବି ମଦ୍ୟପାନର ବିରୋଧ କରିବା ସଙ୍ଗେ ସଙ୍ଗେ ଅସ୍ପୃଶ୍ୟତା ନିବାରଣ ଓ ସରଳ ଭକ୍ତି ଉପରେ ଗୁରୁତ୍ୱ ଦେଇ ଅଛନ୍ତି । ସ୍ତ୍ରୀର ସ୍ୱାଭିମାନବୋଧ ଏଥିରେ ଅତ୍ୟନ୍ତ ସ୍ପଷ୍ଟ । ଷୋଡ଼ଶ ଶତାବ୍ଦୀର ସନ୍ଥକବି ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣର କାହାଣୀକୁ ଗଣକବି ନାଟ୍ୟରୂପ ଦେଇ ଆହୁରି ଲୋକପ୍ରିୟ କରି ଦେଇଛନ୍ତି । ଗାନ୍ଧିଜୀଙ୍କର ହରିଜନ ଆନ୍ଦୋଳନ ସମୟରେ ଏହା ଗ୍ରାମ୍ୟଜୀବନରେ ପକାଇଥିଲା ଗଭୀର ପ୍ରଭାବ । ନାରୀର ସ୍ୱାଧୀନତା ପାଇଁ ଏହା ଏକ ସଫଳ ଆହ୍ୱାନ ।

 

ଗଣକବିଙ୍କ ଗୀତାଭିନୟ ଗୁଡ଼ିକ ମଧ୍ୟରୁ ଅଧିକାଂଶ ପୌରାଣିକ । ରଙ୍ଗସଭା, ବ୍ରଜଲୀଳା, କଂସବଧ, ହିରିଶ୍ଚନ୍ଦ୍ର, ରାମବନବାସ, ଆଦ୍ୟକାଣ୍ଡ ସୁଆଙ୍ଗ, ମହୀରାବଣ ବଧ, ରାବଣ ବଧ, ରାବଣ ଦିଗ୍‌ବିଜୟ, କର୍ଣ୍ଣବଧ, କୁମ୍ଭକର୍ଣ୍ଣ ବଧ, ମେଘନାଦ ବଧ, ସୀତା ବନବାସ, ଶାମ୍ୱବିଭା, ବକାସୁର ବଧ, ମେରୁଶୂଳ ବଧ, ଦକ୍ଷଯଜ୍ଞ, ଅର୍ଜୁନ ଲାଖବିନ୍ଧା, ଦ୍ରୌପଦୀ ବସ୍ତ୍ରହରଣ, ଜଳନ୍ଧର ବଧ, ଶ୍ରୀବତ୍ସ ରାଜା, ଭକ୍ତ ସୁଦାମା, ଲକ୍ଷ୍ମୀ ଲାଖବିନ୍ଧା, ମୁରାସୁର ବଧ, ମହୀକର୍ଣ୍ଣ ବଧ, ଜୟଦ୍ରଥ ବଧ, ନଳ ଦମୟନ୍ତୀ, ପ୍ରହ୍ଲାଦ ଚରିତ, ଅଭିମନ୍ୟୁ ବଧ, ବିଲ୍ୱମଙ୍ଗଳ, ଦୁର୍ଯ୍ୟୋଧନ ବଧ, ସୁଭଦ୍ରା ହରଣ, ଧ୍ରୁବ ଚରିତ, ଭୀଷ୍ମ ଶରଶଯ୍ୟା, ପ୍ରଭାସ ମିଳନ; ହରପାର୍ବତୀ ବିଭା, ଆଦ୍ୟକାଣ୍ଡ; କୀଚକ ବଧ; ଶକୁନ୍ତଳା, ଭସ୍ମାସୁର ବଧ, ଅଶ୍ୱମେଧଯଜ୍ଞ, ବେଣୀବନ୍ଧନ, ବଳୀବଧ, ପର୍ଶୁରାମ ମାତୃହତ୍ୟା, ଲକ୍ଷ୍ମଣ ଶକ୍ତିଭେଦ, ବାଲ୍ୟ ବିନୋଦ, କୀର୍ତ୍ତବୀର୍ଯ୍ୟସଂହାର, ବୈଲୋଚନ ବଧ, ସମ୍ବରାସୁର ବଧ, ଚନ୍ଦ୍ରାବତୀ ହରଣ, ବାଣାପରାଜୟ, କର୍ଣ୍ଣାର୍ଜୁନ, ଚଣ୍ଡୀଯୁଦ୍ଧ ଆଦି ପୌରାଣିକ ଗୀତାଭିନୟଗୁଡ଼ିକ ମଧ୍ୟଦେଇ ଗଣକବି ସତ୍ୟ ଓ ଧର୍ମର ବିଜୟ, ଆସୁରିକ ଶକ୍ତିର ବିନାଶ, ଭକ୍ତିଧର୍ମର ପ୍ରସାର, ଆଦର୍ଶ ଓ ନୈତିକ ଜୀବନର ଉତ୍ତରଣକୁ ଦେଖାଇ ଦେଇ ଅଛନ୍ତି । ପୁରାଣର କଥାବସ୍ତୁକୁ ସରଳଭାବରେ ଜନସମାଜ ନିକଟରେ ପହଞ୍ଚାଇ ଦେଇ ସେମାନଙ୍କ ଭିତରେ ସୃଷ୍ଟି କରିଛନ୍ତି ଅଧ୍ୟାତ୍ମ-ଆଲୋକ ଛଟା-। ପୁରାଣର ଦିବ୍ୟ ଓ ଅଦିବ୍ୟ ଚରିତ୍ରଙ୍କୁ ଲୋକ-ସମାଜ ଭିତରେ ସାଧାରଣ ନରନାରୀ ରୂପେ ଛିଡ଼ା କରାଇ ଦେଇଛନ୍ତି । ଠିକ୍ ଏହିପରି ଇତିହାସ ଓ ଲୌକିକ ଓଷାବ୍ରତ କାହାଣୀକୁ ମଧ୍ୟ ନାଟ୍ୟ-ରୂପ ପ୍ରଦାନ କରି ସେଥିରେ ଲୋକଚରିତ୍ରକୁ ଦେଇଛନ୍ତି ପ୍ରାଧାନ୍ୟ । ପ୍ରାଚୀନ ଓ ସମକାଳୀନ କାବ୍ୟ ଏବଂ ଗଳ୍ପକୁ ମଧ୍ୟ ସେ ଦେଇଛନ୍ତି ନାଟ୍ୟ-ରୂପ । ନାଟକୀୟତା, ସାଂଗୀତିକତା ଓ କବିତ୍ୱର ତ୍ରିବେଣୀ ସଙ୍ଗମର ଗଣକବିଙ୍କର ଗୀତାଭିନୟଗୁଡ଼ିକ ହୋଇଯାଇଛି ଜୀବନ୍ତ । ତାଙ୍କର ପୌରାଣିକ, ଐତିହାସିକ, ଓଷାବ୍ରତ ଭିତ୍ତିକ ଓ କାବ୍ୟ-ଗଳ୍ପ-ରୂପାନ୍ତରିତ ଗୀତାଭିନୟମାନଙ୍କର ଚରିତ୍ରମାନେ ଅବତରଣ କରି ଆସିଛନ୍ତି କୃଷିଭିତ୍ତିକ ଗ୍ରାମ୍ୟ ସାମାଜିକ ସ୍ତରକୁ । ସାଧାରଣ ମଣିଷମାନଙ୍କ ସହିତ ମିଶି ଏକାତ୍ମ ହୋଇ ଯାଇଛନ୍ତି । ଦେବତା, ରାଜା ଓ ମଣିଷ ଏକ ଧରାତଳରେ ଅବତୀର୍ଣ୍ଣ ହୋଇ ଯାଇଛନ୍ତି । ସେଇଠି ସମାଜର ନିମ୍ନସ୍ତରର ମଣିଷମାନଙ୍କର ହୋଇଛି ସମନ୍ୱୟ ।

 

ଗଣକବିଙ୍କ ଗୀତାଭିନୟଗୁଡ଼ିକରେ ଅଛି ବିଭିନ୍ନ ରସର ପ୍ରବାହ । ବୀର, କରୁଣ, ହାସ୍ୟ, ବାତ୍ସଲ୍ୟ, ଭକ୍ତି, ଶାନ୍ତ, ବୀଭତ୍ସ, ଅଦ୍‌ଭୂତ, ଶୃଙ୍ଗାର ଆଦି ନାନାରସର ଅବତାରଣା କରାଯାଇ ଦର୍ଶକମାନଙ୍କୁ ନାଟକର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମନ୍ତ୍ରମୁଗ୍‌ଧ କରି ରଖାଯାଇଥାଏ । ବୀର, କରୁଣ, ବାତ୍ସଲ୍ୟ, ଭକ୍ତି ଓ ହାସ୍ୟ ଏହି ପାଞ୍ଚଟି ରସ ଗ୍ରହଣ କରିଛି ପ୍ରମୁଖ ସ୍ଥାନ । ‘ବ୍ରଜଲୀଳା’ ‘ବାଲ୍ୟ ବିନୋଦ’ ଓ ‘ରଙ୍ଗସଭା’ରେ ଯଶୋଦା, ‘ପ୍ରହ୍ଲାଦ ଚରିତ’ରେ ହିରଣ୍ୟକଶିପଙ୍କ ରାଣୀ, ‘ଧ୍ରୁବ- ଚରିତ’ରେ ସୁନୀତି, ‘ହରିଶ୍ଚନ୍ଦ୍ର ଗୀତିନାଟ୍ୟ’ରେ ଶୈବ୍ୟା ପ୍ରଭୃତି ଚରିତ୍ରମାନଙ୍କ ମଧ୍ୟ ଦେଇ ଗଣକବି ଚିରନ୍ତନୀ ମାତୃହୃଦୟର ବାତ୍ସଲ୍ୟ ଭାବକୁ ବ୍ୟକ୍ତ କରି ଗ୍ରାମ୍ୟ ଜୀବନର ନାରୀ ହୃଦୟରେ ସୃଷ୍ଟି କରିଛନ୍ତି ଅପୂର୍ବ ଭାବାବେଶ । ବାତ୍ସଲ୍ୟ ଓ କରୁଣ ଏହି ଦୁଇ ରସ ଏତାଦୃଶ ସାଂଗୀତିକ ସଂଳାପରେ ମିଶାଯାଇଛି । ବ୍ରଜଲୀଳା ରଙ୍ଗସଭା, ବାଲ୍ୟବିନୋଦ, ପ୍ରହ୍ଲାଦ ଚରିତ, ଧ୍ରୁବଚରିତ, ନଳଦମୟନ୍ତୀ, ହରିଶ୍ଚନ୍ଦ୍ର ଗୀତିନାଟ୍ୟ, ସାକ୍ଷୀଗୋପାଳ, ଖୁଲଣା ସୁନ୍ଦରୀ, ଶ୍ରୀବତ୍ସ ରାଜା, ଭକ୍ତ ସୁଦାମା, ବିଲ୍ୱମଙ୍ଗଳ ପ୍ରଭୃତି ଗୀତାଭିନୟ ମାନଙ୍କରେ ଭକ୍ତିରସ ସୃଷ୍ଟି ହୋଇଅଛି । ମେଘନାଦ ବଧ, ମହୀରାବଣ ବଧ, ରାବଣ ବଧ, ଅଭିମନ୍ୟୁ ବଧ, ମହିଷାସୁର ବଧ, ରାବଣ ଦିଗ୍‌ବିଜୟ, କର୍ଣ୍ଣବଧ, କଂସଦିଗ୍‌ବିଜେ ପ୍ରଭୃତି ଗୀତାଭିନୟରେ ବୀର ରସ ପ୍ରାଧାନ୍ୟ ଲାଭ କରିଅଛି । ସମସ୍ତ ଗୀତାଭିନୟମାନଙ୍କରେ ଅଛି ହାସ୍ୟରସ । କେତେକ ସ୍ଥଳରେ ବୀଭତ୍ସ ଓ ଅଦ୍ଭୁତ ରସ ପ୍ରକାଶ ପାଇଅଛି । କେତେକରେ ମଧ୍ୟ ପ୍ରକାଶ ପାଇଛି ଶୃଙ୍ଗାର ରସ । ଗୀତାଭିନୟରେ କାବ୍ୟଧର୍ମ ରହିଥିବାରୁ ରସ ସୃଷ୍ଟି ହୋଇଯାଇଛି ମୁଖ୍ୟ ବିଭବ । ସମସ୍ତ ଗୀତାଭିନୟରେ ବୈଷ୍ଣବ ପାଣି କଳିଙ୍ଗ ଓଡ଼ିଶୀ ସଙ୍ଗୀତ ପରମ୍ପରାକୁ ଗ୍ରହଣ କରିଥିଲେ ହେଁ ଓଡ଼ିଶାର ଲୋକଗୀତ-ଛନ୍ଦକୁ ମଧ୍ୟ ନେଇଅଛନ୍ତି-। ଉଭୟ ସଂଗୀତର ଶୈଳୀକୁ ମିଶାଇଦେଇ ସେ ସୃଷ୍ଟି କରିଛନ୍ତି ନାଟକୀୟ ଉତ୍କଣ୍ଠା ।

 

ଗଣକବି ଯେପରି ପୌରାଣିକ ଗୀତାଭିନୟମାନ ରଚନା କରିଛନ୍ତି ସେହିପରି ମଧ୍ୟ ରଚନା କରିଛନ୍ତି ଐତିହାସିକ ଗୀତାଭିନୟ । ସାରଳା ମହାଭାରତ, ଜଗମୋହନ ରାମାୟଣ, ହରିବଂଶ, ଜଗନ୍ନାଥ ଦାଶଙ୍କ ଭାଗବତ, ସାରଳା ଦାସଙ୍କ ଚଣ୍ଡୀ ପୁରାଣ, ଶିବ ପୁରାଣ, ଇତ୍ୟାଦି ସହିତ ଝୁଲଣା ସୁନ୍ଦରୀ, କପଟପାଶା, ଭୂତକେଳି, ଦାର୍ଢ଼୍ୟତାଭକ୍ତି, ଲକ୍ଷ୍ମୀ ପୁରାଣ ଆଦି ଗ୍ରନ୍ଥ ପୌରାଣିକ ଗୀତାଭିନୟର ଆଧାର । କଳାପାହାଡ଼ ଐତିହାସିକ ଗୀତାଭିନୟରେ ଗୋଦାବରୀଶ ମିଶ୍ରଙ୍କର ‘ମୁକୁନ୍ଦଦେବ’ ଓ ଅଶ୍ୱିନୀ କୁମାର ଘୋଷଙ୍କର ‘କଳାପାହାଡ଼’ ନାଟକ ଅବଲମ୍ବିତ ହେଲେ ହେଁ ମୌଳିକ ଦୀପ୍ତିରେ ଭାସ୍ୱର । ଏଥିରେ ଉତ୍କଳୀୟ ଜାତୀୟତାବୋଧ ଶାଣିତ । ‘ଚନ୍ଦ୍ରଗୁପ୍ତ’ ଓ ‘ମୀରା ବାଈ’ ଦୁଇଟି ଗୀତାଭିନୟ ଇତିହାସର ଭିତ୍ତିଭୂମି ଉପରେ ଆଧାରିତ । ରାମଶଙ୍କର ରାୟଙ୍କର ‘କାଞ୍ଚିକାବେରୀ’ ନାଟକ ଗଣକବିଙ୍କୁ ଐତିହାସିକ ଗୀତାଭିନୟ ‘କାଞ୍ଚିକାବେରୀ’ ରଚନା କରିବାକୁ ଦେଇଥିଲା ପ୍ରେରଣା । କବିବର ରାଧାନାଥ ରାୟଙ୍କର ‘ଯଯାତି କେଶରୀ’ କାବ୍ୟ ମଧ୍ୟ ଗଣକବିଙ୍କର ‘ଯଯାତିକେଶରୀ’ ଗୀତାଭିନୟର ପ୍ରେରଣା-ଭୂମି । ଏତଦ୍‌ବ୍ୟତୀତ ସେ କବିସମ୍ରାଟ ଉପେନ୍ଦ୍ର ଭଂଜଙ୍କ ‘ଲାବଣ୍ୟବତୀ’ କାବ୍ୟ ଅବଲମ୍ବନରେ ରଚନା କରିଛନ୍ତି ‘ଲାବଣ୍ୟବତୀ ଚନ୍ଦ୍ରଭାନୁ’ ଗୀତାଭିନୟ । ବ୍ୟାସକବି ଫକୀରମୋହନ ସେନାପତିଙ୍କର ‘ପେଟେଣ୍ଟମେଡିସିନ୍’ ଗଳ୍ପକୁ ସେ ମଧ୍ୟ ଦେଇଛନ୍ତି ଗୀତାଭିନୟର ରୂପ ।

 

ଗଣକବି ବୈଷ୍ଣବ ପାଣିଙ୍କ ସାରସ୍ୱତ ବ୍ୟକ୍ତିତ୍ୱ ଉତ୍କଳୀୟ ସାମାଜିକ, ସାଂସ୍କୃତିକ ଓ ଜାତୀୟ ବ୍ୟକ୍ତିତ୍ୱର ଅମଳିନ ଦୀପ୍ତି । ଗ୍ରାମ୍ୟ ପରିବେଶ ଭିତରେ ଏହି ସ୍ପର୍ଦ୍ଧିତ ବ୍ୟକ୍ତିତ୍ୱର ଆବିର୍ଭାବ, ବିକାଶ ଓ ପ୍ରସାର ହୋଇଥିଲେ ହେଁ ନଗର ପରିବେଶ ସହିତ ସଂପର୍କ ସ୍ଥାପନ କରିଛି । ଗ୍ରାମରୁ ଗ୍ରାମକୁ ନଗରରୁ ନଗରକୁ ଏହି ବ୍ୟକ୍ତିତ୍ୱର ହୋଇଛି ଅବାରିତ ଜୟଯାତ୍ରା । ଗୀତାଭିନୟକୁ ଏହା ଦେଇଛି ମାର୍ଜିତ ରୂପ । ସାଧାରଣ ମଣିଷ ସମାଜକୁ ଦେଇଛି ଆନନ୍ଦ କେବଳ ନୁହେଁ, ନୈତିକ ଓ ଧର୍ମୀୟ ଜୀବନର ସ୍ୱାଦ । ଏକ ଦର୍ପିତ ସ୍ୱାଭିମାନବୋଧ ଜାଗ୍ରତ କରିବା ପାଇଁ ଏହା ହୋଇଛି ସତତ ସତ୍‌ ଚେଷ୍ଟା । ସାଧାରଣ ମଣିଷର ଭାଷାକୁ ଆହରଣ କରି ଆଣି ଗୀତାଭିନୟମାନଙ୍କରେ ତାହାକୁ ଗଣକବି କରିଦେଇଛନ୍ତି ଜୀବନ୍ତ । ସମକାଳୀନ ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନଗୁଡ଼ିକୁ ନୀରବତାର ସହିତ ପର୍ଯ୍ୟବେକ୍ଷଣ କରିଛନ୍ତି କବି । ସୁଯୋଗ ଓ ସୁବିଧା ଅନୁସାରେ ଗୀତାଭିନୟମାନଙ୍କରେ ତାହାକୁ ରୂପ ଦେଇଛନ୍ତି । ଜାତୀୟ ଆନ୍ଦୋଳନକୁ ସେ ଲକ୍ଷ୍ୟ କରିଛନ୍ତି ମଧ୍ୟ । ଗୀତାଭିନୟରେ ତେଣୁ ଜାତୀୟତାବୋଧକୁ କରିଦେଇଛନ୍ତି ଅତ୍ୟନ୍ତ ବଳିଷ୍ଠ ଓ ଶାଣିତ । ତତ୍କାଳୀନ ବ୍ରିଟିଶ ପ୍ରଶାସନକୁ ବାରମ୍ବାର ଚାବୁକ ମାରିଛନ୍ତି । ଦୁର୍ନୀତିକୁ ପଦାରେ ପକାଇ ଦେଇଛନ୍ତି-। କ୍ଷମତାଗତ ଅହଙ୍କାରକୁ ଦେଇଛନ୍ତି ଆଘାତ । କୁସଂସ୍କାରକୁ ବିଦ୍ରୂପ କରିଛନ୍ତି । ନାରୀ ସ୍ୱାଧୀନତାକୁ ସ୍ୱାଗତ ଜଣାଇଛନ୍ତି । ଶିକ୍ଷା ଓ ଶିକ୍ଷକର ଦୁର୍ଦ୍ଦଶା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଅଛନ୍ତି । ଆସୁରିକ ଶକ୍ତିର ବିନାଶ କରି ସତ୍ତ୍ୱଗୁଣର ବିକାଶ ପାଇଁ ଦେଇଛନ୍ତି ଆହ୍ୱାନ ।

 

ମାନବିକତାର ସେ ମୁଗ୍‌ଧ ଗାୟତ୍ରୀ । ତେଣୁ ବାରମ୍ବାର ତାଙ୍କର ସହାନୁଭୂତି ପ୍ରକାଶ ପାଇଛି ସମାଜର ନିମ୍ନ ବର୍ଗ ଓ ନିମ୍ନ ଜାତିର ମଣିଷମାନଙ୍କ ପ୍ରତି । ମଣିଷକୁ ଦେବତା କରି ସ୍ୱର୍ଗକୁ ପଠାଇବା ପାଇଁ ସେ ଚାହିଁ ନାହାନ୍ତି, ଚାହିଁଛନ୍ତି ମଣିଷ ଭିତରେ ଦେବତ୍ୱର ଅବତରଣ । ତେଣୁ ମନ ଓ ହୃଦୟର ନିର୍ମଳତା, ପ୍ରସାରିତ ଦୃଷ୍ଟିଭଙ୍ଗୀ, ସ୍ୱାବଲମ୍ବନଶୀଳତା; ଈଶ୍ୱରାନୁରକ୍ତି ଓ ମାନବିକ ସମ୍ବେଦନା ହୋଇଯାଇଛି ତାଙ୍କର ଆଦର୍ଶ ।

 

ତାଙ୍କ ଜୀବନକାଳ ମଧ୍ୟରେ ୧୯୦୩ ମସିହାରୁ ଦୀର୍ଘ ଚାଳିଶ ବର୍ଷରୁ ଊର୍ଦ୍ଧ୍ଵକାଳ ଧରି ଶତାଧିକ ଗୀତାଭିନୟ ରଚନା କରି ଗଣକବି ବୈଷ୍ଣବ ପାଣି ଅଭିଜାତ ନାଟ୍ୟ-ଧାରା ସହିତ ତାଳ ଦେଇ ଯେଉଁ ପରମ୍ପରାଟିଏ ପ୍ରତିଷ୍ଠା କରିଦେଲେ ତାହା ସେତେବେଳେ ଯେ ଜନସାଧାରଣଙ୍କୁ କେବଳ ଆନନ୍ଦ ଦେଉଥିଲା ତାହା ନୁହେଁ ; ଏବେ ମଧ୍ୟ ତାହା ଆନନ୍ଦ ଦେଉଛି । ବହୁ କୃତବିଦ୍ୟ ନାଟ୍ୟକାରଗଣ ଏହି ପ୍ରତିଭାକୁ ସମ୍ମାନ ଜଣାଇ ତାଙ୍କର ସାଙ୍ଗୀତିକ ଶୈଳୀ ଓ ଶବ୍ଦ ପ୍ରୟୋଗଗତ ବୈଚିତ୍ର୍ୟକୁ ଅନୁସରଣ କରି ଗୀତାଭିନୟ ରଚନା କରୁଅଛନ୍ତି । ଏହାହିଁ ଗଣକବି ବୈଷ୍ଣବ ପାଣିଙ୍କର ସାରସ୍ୱତ ବିଜୟ ଓ ତାଙ୍କ ଗୀତାଭିନୟର ବୈଶିଷ୍ଟ୍ୟ ଓ ସ୍ୱାତନ୍ତ୍ର୍ୟ ।

 

 

 

ପାଣିର ଗୁହାରି ପାଣିରେ ଭାସୁଛି

 

ବାଣୀସେବା କରି କରି

ପାଶୋରି ନଦିଅ କିଶୋରୀ ବଲ୍ଲଭ

 

ଜୟ ନୀଳାଦ୍ରିକେଶରୀ ।

-ପାଣି ଜଣାଣ ।

***

 

ବୈଷ୍ଣବ କବି ବୈଷ୍ଣବ ପାଣି

ଡକ୍ଟର ଭଗବାନ ପଣ୍ଡା

 

ଓଡ଼ିଶାର ପ୍ରତିଭାଶାଳୀ କାଳଜୟୀ କୃତୀ ସନ୍ତାନମାନଙ୍କ ମଧ୍ୟରେ କବି ବୈଷ୍ଣବ ପାଣି (୧୮୮୨-୧୯୫୬) ଥିଲେ ଅନ୍ୟତମ । ସେ ଗଣକବି ନାମରେ ସୁପରିଚିତ । ଓଡ଼ିଶାରେ ଯେତେବେଳେ ଆଧୁନିକ ଓଡ଼ିଆ ନାଟକ ସୃଷ୍ଟି ହୋଇ ନଥିଲା, ସ୍ଥାୟୀ ରଙ୍ଗମଞ୍ଚ ନଥିଲା, କି ଚଳଚିତ୍ର ଦେଖିବାର ସୁବିଧା ସୁଯୋଗ ନଥିଲା, ସେତେବେଳେ ଗଣକବି ବୈଷ୍ଣବ ପାଣିଙ୍କ ରଚିତ ଗୀତିନାଟ୍ୟ, ଗୀତାଭିନୟ, ସୁଆଙ୍ଗ, ଫାର୍ଶ ପ୍ରଭୃତି ଜନସାଧାରଣଙ୍କ ଚିତ୍ତବିନୋଦନର ବଳିଷ୍ଠ ମାଧ୍ୟମ ହୋଇଥିଲା । ଗାଁ ଗହଳଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ କେବଳ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ନୁହେଁ, ଓଡ଼ିଆ ଅଧ୍ୟୁଷିତ ପ୍ରତିବେଶୀ ରାଜ୍ୟମାନଙ୍କରେ ମଧ୍ୟ ତାଙ୍କ ନାଟ୍ୟସମ୍ଭାର ଜୀବନର ଅବସର ସମୟକୁ ରସମୟ କରିବାର ଅନୁପମ ଉତ୍ସରୂପେ ସ୍ୱୀକୃତି ଲାଭ କରିଥିଲା । ସେ ଥିଲେ ରସିକ କବି, ଅନୁଭବୀ କଳାକାର ଓ ଶ୍ରେଷ୍ଠ ନାଟ୍ୟଗୁରୁ । ନାଟ୍ୟ ପ୍ରଯୋଜନା କ୍ଷେତ୍ରରେ ସ୍ଥାନ, କାଳ, ପାତ୍ର ଓ ବିଷୟୋଚିତ ଭାବ ଓ ରସକୁ ଯଥାଯୋଗ୍ୟ ଭାଷାରେ ପ୍ରକାଶ କରି ଏବଂ ସେଗୁଡ଼ିକୁ ନାଟ୍ୟରୂପ ଦେଇ ଅବିକଳ ଭାବେ ପରିବେଷଣ କରିବାରେ ତାଙ୍କର କିପରି ଦକ୍ଷତା ଥିଲା, ତାହା ପ୍ରତ୍ୟେକ ସହୃଦୟ ପାଠକ ଓ ନାଟ୍ୟାନୁରାଗୀ ଅନୁଭବ କରି ପାରିବେ । ପୂର୍ବାଚାର୍ଯ୍ୟମାନଙ୍କ ଠାରୁ ଆରମ୍ଭ କରି ସମକାଳୀନ ନାଟ୍ୟଗୁରୁମାନଙ୍କ ମଧ୍ୟରେ ଯେଉଁମାନେ ଓଡ଼ିଶା ଯାତ୍ରାକୁ ଆଧୁନିକ ନାଟକର ଭିତ୍ତିଭୂମି ରୂପେ ପ୍ରତିଷ୍ଠା କରି ଯାଇଥିଲେ ସେମାନଙ୍କ ମଧ୍ୟରେ ଗଣକବି ବୈଷ୍ଣବ ପାଣିଙ୍କ ନାମ ଚିରସ୍ମରଣୀୟ । ଆଜି ବି ତାଙ୍କର ରଚନାବଳୀ ଲୋକପ୍ରିୟ ନାଟ୍ୟରୂପେ ଜନସାଧାରଣଙ୍କ ଦ୍ୱାରା ଅଭିନୀତ ଓ ଆଦୃତ ହେଉଅଛି ।

 

ଭାରତ ତଥା ଓଡ଼ିଶାର ପ୍ରତିଭାଶାଳୀ ବହୁ କବି, ପଣ୍ଡିତ କଳାକାରଙ୍କ ପରି ବୈଷ୍ଣବ ପାଣିଙ୍କ ବାଲ୍ୟଜୀବନ ଅଶେଷ ଦୁଃଖ ଦାରିଦ୍ର୍ୟ ଭିତରେ ଅତିବାହିତ ହୋଇଥିଲା । ତେଣୁ ତଥାକଥିତ ଆଧୁନିକ ଶିକ୍ଷାଠାରୁ ସେ ଦୂରରେ ରହିଥିଲେ । ବିଶ୍ୱବିଖ୍ୟାତ ମହାପଣ୍ଡିତ ରାହୁଳ ସାଂସ୍କୃତ୍ୟାୟନଙ୍କ ପରି ଷଷ୍ଠଶ୍ରେଣୀରୁ ହିଁ ବୈଷ୍ଣବ ପାଣିଙ୍କର ଶିକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ଉଚ୍ଚଶିକ୍ଷାଲାଭରୁ ବଞ୍ଚିତ ହୋଇ ସେ ଘରୋଇଭାବେ ଅମରକୋଷ, ସଂସ୍କୃତ କାବ୍ୟ, ନାଟକ, ବ୍ୟାକରଣ ପାରମ୍ପରିକ ରୀତିରେ ଅଧ୍ୟୟନ କରି ସାଧାରଣ ବ୍ୟୁତ୍ପତ୍ତି ଲାଭ କରିଥିବାର ଜଣାଯାଏ । ବାଲ୍ୟକାଳରୁ ପ୍ରାଚୀନ ଓଡ଼ିଆ ସାହିତ୍ୟ ସହିତ ସଙ୍ଗୀତକଳା ପ୍ରତି ତାଙ୍କର ଗଭୀର ସ୍ୱାଭାବିକ ଅନୁରାଗ ଥିଲା । ତେଣୁ ସଂସ୍କୃତ ଶିକ୍ଷା ଓ ପ୍ରାଚୀନ ଓଡ଼ିଆ ସାହିତ୍ୟର ଅଧ୍ୟୟନ ସହିତ ସେ ବେହେଲା, ହାରମୋନିୟମ ଆଦି ବାଦ୍ୟଯନ୍ତ୍ର ଶିକ୍ଷା ହାସଲ କରିଥିଲେ । ପ୍ରଥମେ ପାଲାଗାୟକଭାବେ କିଛିକାଳ ଜୀବିକା ଅର୍ଜନ କରିବା ପରେ ସେ ନାଟ୍ୟଗୁରୁ (ଓସ୍ତାତ୍) ଜୀବନ ଆରମ୍ଭ କଲେ । ସେ ସମୟରେ ଉନ୍ନତ ଶୈଳୀର ଯାତ୍ରା ପରିବେଷଣ ପାଇଁ ନାଟକ ବହିର ଘୋର ଅଭାବ ଥିଲା । ଭଦ୍ରକସ୍ଥ ନଳାଙ୍ଗ ନିବାସୀ କବି ଜଗନ୍ନାଥଙ୍କ ପାଣିଙ୍କ ରଚିତ ଅଶ୍ୱମେଧ ଯଜ୍ଞ, ମହୀରାବଣ ବଧ, ଦକ୍ଷଯଜ୍ଞ, ପାରିଜାତ ହରଣ ଏବଂ ଚଉଦକୁଲାଟବାସୀ ଗୋପାଳ ଦାସଙ୍କ ରଚିତ ରଙ୍ଗସଭା, ସହସ୍ରାରାବଣ ବଧ ପ୍ରଭୃତି ମୁଷ୍ଟିମେୟ ନାଟକ ବିଭିନ୍ନ ଯାତ୍ରାଦଳର ପ୍ରଧାନ ସମ୍ବଳ ଥିଲା-। ତଦ୍‌ବ୍ୟତୀତ ନାଟ୍ୟକାର ଓ ଯାତ୍ରାର ଓସ୍ତାତ୍‌ମାନଙ୍କ ମଧ୍ୟରେ ଗୋବର୍ଦ୍ଧନ ନାୟକ, ଗୋପାଳ ଦାସ ପ୍ରଭୃତି ବୈଷ୍ଣବ ପାଣିଙ୍କ ପ୍ରତିଦ୍ୱନ୍ଦ୍ଵୀ ଥିବାର ଜଣାଯାଏ । ସେହି ଦୃଷ୍ଟିରୁ ନିଜ ଦଳକୁ ସର୍ବତ୍ର ପ୍ରଶଂସିତ କରିବା ପାଇଁ ସେ ସର୍ବବିଧ ଉଦ୍ୟମ ଆରମ୍ଭ କରିଥିଲେ । କବି ବୈଷ୍ଣବପାଣିଙ୍କ ନାଟ୍ୟକାର ଜୀବନର ଏହାହିଁ ପୃଷ୍ଠଭୂମି ଥିଲା । ଜୀବନ ଓ ଜୀବିକା ଥିଲା ତାଙ୍କ ନାଟ୍ୟରଚନା କ୍ଷେତ୍ରରେ ପ୍ରେରଣାର ମୂଳ ଉତ୍ସ । ଫଳରେ ସାଧାରଣ ଜନଜୀବନର ବିବିଧ ଚିତ୍ର ତାଙ୍କ ନାଟ୍ୟ ସାହିତ୍ୟରେ ରୂପାୟିତ ହୋଇଥିବାର ଦେଖାଯାଏ ।

 

କବି ବୈଷ୍ଣବ ପାଣି ୧୦୯ଟି ଗୀତାଭିନୟ, ଗୀତିନାଟ୍ୟ ଓ ସୁଆଙ୍ଗ, ୧୯ଟି ଫାର୍ଶ ଏବଂ ୬୬ ସଙ୍ଗୀତ, କାବ୍ୟ ଓ କାହାଣୀ ଗ୍ରନ୍ଥ ରଚନା କରିଥିବାର ଗ୍ରନ୍ଥାବଳୀ ପ୍ରଦତ୍ତ ତାଲିକାରୁ ଜଣାଯାଏ-। ତନ୍ମଧ୍ୟରୁ ପ୍ରାୟ ୩୧ଖଣ୍ଡ ଗ୍ରନ୍ଥ ପ୍ରକାଶ ପାଇଥିବାର ଦେଖାଯାଏ । ଗଣକବିଙ୍କର ଏହି ବିଶଳ ରଚନାସୌଧ ମୁଖ୍ୟତଃ ଚାରୋଟି ସୁଦୃଢ଼ ସ୍ତମ୍ଭକୁ ଆଶ୍ରୟ କରି ରହିଥିବାର ମନେହୁଏ । ସେହି ଚାରୋଟି ସ୍ତମ୍ଭ ହେଲା ମହାକବି ସାରଳା ଦାସଙ୍କ ମହାଭାରତ ଓ ଚଣ୍ଡୀପୁରାଣ, ଜଗନ୍ନାଥଭକ୍ତ କବି ବଳରାମ ଦାସଙ୍କ ଦାଣ୍ଡୀ ରାମାୟଣ, କବି ଜଗନ୍ନାଥ ଦାସଙ୍କ ଭାଗବତ ଏବଂ କବି ସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ । କବି ବୈଷ୍ଣବ ପାଣି ଏହି ଗ୍ରନ୍ଥଗୁଡ଼ିକ ଅଧ୍ୟୟନ ଓ ଅନୁଶୀଳନ କରିଥିବାର ଜଣାଯାଏ । କବିଙ୍କର କଂସ ଦିଗ୍‌ବିଜେ, କାର୍ତ୍ତବୀର୍ଯ୍ୟ ସଂହାର, ମାଧବ ସୁଲୋଚନା, ଦଣ୍ଡୀପର୍ବ, ରାମାୟଣ ଆଧାରିତ ଆଦ୍ୟକାଣ୍ଡ ସୁଆଙ୍ଗ, ରାମ ବନବାସ, ରାବଣ ବଧ, ସୀତା ବନବାସ ଏବଂ ଲକ୍ଷଣା ପରିଣୟ, ଖୁଲଣାସୁନ୍ଦରୀ ପ୍ରଭୃତି ରଚନାରେ ପୂର୍ବୋକ୍ତ ଗ୍ରନ୍ଥଗୁଡ଼ିକର ବିଷୟ, ଭାବ, ରସ, ଅଳଙ୍କାର ଓ ବର୍ଣ୍ଣନାଶୈଳୀର କେତେକ କ୍ଷେତ୍ରରେ ପ୍ରତ୍ୟକ୍ଷ ଓ କେତେକ କ୍ଷେତ୍ରରେ ପରୋକ୍ଷ ପ୍ରଭାବ ପଡ଼ିଥିବାର ସୂଚନା ମିଳେ । କିନ୍ତୁ ଉପର୍ଯ୍ୟୁକ୍ତ ଗ୍ରନ୍ଥଗୁଡ଼ିକରୁ ବିଷୟ, ଭାବ ଓ ରସ ଆହରଣ କରିଥିଲେ ମଧ୍ୟ ସେଗୁଡ଼ିକୁ କବି ଜନସାଧାରଣଙ୍କ ଗ୍ରହଣୀୟ ହେଲାଭଳି ନିଜସ୍ୱ ଶୈଳୀରେ ପରିବେଷଣ କରିଥିବାର ପରିଲକ୍ଷିତ ହୁଏ ।

 

ଗଣକବିଙ୍କ ରଚନାବଳୀରେ ଗ୍ରାମୀଣ ଜନଜୀବନ ସହିତ ନାଗରିକ ଜୀବନର ବିଭିନ୍ନ ଚିତ୍ର ଭରପୂର ହୋଇ ରହିଛି । ଶିବ ପାର୍ବତୀ, ନଟନଟୀ, ଚଷାଚାଷୁଣୀ, ଗ୍ରାମ୍ୟ ସ୍ତ୍ରୀପୁରୁଷଙ୍କ ଭକ୍ତି ପ୍ରତ୍ୟୁକ୍ତି ମାଧ୍ୟମରେ ନାଟକୀୟ ବିଷୟବସ୍ତୁ ଉପସ୍ଥାପନା, ବିଭିନ୍ନ ସମସ୍ୟାର ଅବତାରଣା ଓ ସେଗୁଡ଼ିକର ସମାଧାନରେ କବି ନିଜର ଅନୁଭୂତି, ଅଭିଜ୍ଞତା ଓ ବିଚାରକୁ ରୂପ ଦେବା ସଙ୍ଗେ ସଙ୍ଗେ ଲୋକଶିକ୍ଷା ପାଇଁ ଉଦ୍ୟମ କରିଥିବାର ଦେଖାଯାଏ । ଅଷ୍ଟବିଧ ନାଟ୍ୟରସ ମଧ୍ୟରୁ ଶୃଙ୍ଗାର, ହାସ୍ୟ ଓ ବୀର ରସକୁ ପ୍ରାଧାନ୍ୟ ଦେଇଥିଲେ ବି ଗଣକବି ବାତ୍ସଲ୍ୟ ଓ ଭକ୍ତିରସର ମାର୍ମିକ ଉଦାହରଣ ଉପସ୍ଥାପନାରେ ଯଥେଷ୍ଟ ସଫଳତା ପ୍ରଦର୍ଶନ କରିଛନ୍ତି । କବି ବୈଷ୍ଣବ ପାଣିଙ୍କ ବହୁମୁଖୀ ପ୍ରତିଭା ମଧ୍ୟରୁ ଏଠାରେ କେବଳ ଭକ୍ତିସମ୍ବନ୍ଧୀୟ ରଚନା ବିଷୟରେ ସଂକ୍ଷିପ୍ତ ସୂଚନା ଦିଆଯାଇପାରେ । କବି ବୈଷ୍ଣବ ପାଣି ଯେ ଶ୍ରୀଜଗନ୍ନାଥଙ୍କର ଜଣେ ଅନନ୍ୟ ଭକ୍ତ ଓ ବୈଷ୍ଣବ ଥିଲେ, ତାହା ତାଙ୍କ ରଚନାବଳୀର ବିଭିନ୍ନ କ୍ଷେତ୍ରରେ ପ୍ରକାଶ ପାଇଥିବାର ଦେଖାଯାଏ ।

 

ପ୍ରଚଳିତ କିମ୍ବଦନ୍ତୀ ଅନୁସାରେ କବି ବାଲ୍ୟକାଳରେ ସାଂଘାତିକ ରୋଗରେ ପୀଡ଼ିତ ଥିଲେ । ତାଙ୍କର ବଞ୍ଚିବାର ଆଶା ନ ଦେଖି ପିତା ସୁଦର୍ଶନ ଓ ମାତା ଚାନ୍ଦଦେବୀ ତାଙ୍କୁ ନେଇ ଶ୍ରୀଜଗନ୍ନାଥଙ୍କ ବଡ଼ଛତା ତଳେ ବୈଷ୍ଣବ କରିଦେଇଥିଲେ । ସେହିଦିନଠାରୁ ତାଙ୍କର ବାଲ୍ୟ ନାମ ଶତ୍ରୁଘ୍ନ ପରିବର୍ତ୍ତେ ସେ ବୈଷ୍ଣବ ନାମରେ ପରିଚିତ ହେଲେ । ବୈଷ୍ଣବ ପାଣିଙ୍କ କବି ଓ ନାଟ୍ୟକାର ଜୀବନକୁ ଏହି ଘଟଣା ବହୁଧା ପ୍ରଭାବିତ କରିଥିଲା । ତାଙ୍କ ରଚନାବଳୀରେ ସେ ନିଜକୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତରୂପେ ନିବେଦିତ ଓ ସମର୍ପିତ କରିଥିବାର ଦେଖାଯାଏ । ତାଙ୍କର ଜଗନ୍ନାଥ ସମ୍ବନ୍ଧୀୟ ରଚନାବଳୀ ମଧ୍ୟରେ ଭାଗବତ ଭଜନମାଳା, ଜଗନ୍ନାଥ ଜଣାଣ, ଜଗନ୍ନାଥ ନାମାବଳୀ ପ୍ରଭୃତିର ନାମ ଉଲ୍ଲେଖନୀୟ, ଚଉତିଶା ରୀତିରେ ରଚିତ ଶ୍ରୀନୀଳାଚଳ ଜଣାଣର କିୟଦଂଶ ନିମ୍ନମତେ ଉଦ୍ଧାର କରାଯାଇପାରେ :

 

କଉସ୍ତୁଭଧାରଣ କଉଣପଦାରଣ କମଳାପତି କଷ୍ଟହର ।

କମ୍ବୁ ଅମ୍ବୁଜଧର ଚକ୍ରଗଦା ଯେ କର ବିରାଜୁଥାଏ ମନୋହର ।

ହେ ନୀଳାଚଳ, କଇବଲ୍ୟ ମୁକୁଳାନାଥ

କର୍ଣ୍ଣେ ଶୁଣ ଦୁଃଖୀ ଆରତ ।

କଷଣ ସହି କେତେ ରହିବି ମହୀଗତେ କଣ୍ଠ ଶୁଖିଛି ଅବିରତ ।

x x x

କ୍ଷମା କରିବା ଦୋଷ କ୍ଷମାସାଗର ଦାସ ଜନକୁ ରଖ ପଦତଳେ ।

କ୍ଷରିଥାଉ ଏକଥା କ୍ଷମେ ରଚେ କବିତା ଜନମି ଦୀନଦ୍ୱିଜକୁଳେ ।।

ହେ ନୀଳାଚଳ, କ୍ଷମାଦିଅ ବଇଷ୍ଣବକୁ, କ୍ଷୋଭରେ ଡାକୁଛି ତୁମ୍ଭଙ୍କୁ,

ଖ୍ୟାତି ରହୁ କ୍ଷିତିରେ ଖଣ୍ଡ ମୋ ଦୁର୍ଗତିରେ ଉଦ୍ଧରି ଧର ସେବକକୁ ।।

(ବୈ. ଗ୍ର. ପ୍ରଥମ ଭାଗ-ମୁଖବନ୍ଧ-ପୃ ୩୪)

 

ମହାବାହୁ ଶ୍ରୀଜଗନ୍ନାଥଙ୍କଠାରେ ନିଜ ସାଂସାରିକ ଜୀବନର କରୁଣ ନିବେଦନ ଜଣାଇବାକୁ ଯାଇ କବି ଗାଇଛନ୍ତି :

 

ଶତ ଶତ ଗ୍ରନ୍ଥ ତୋହରି ଉତ୍କଳ ଭାଷାରେ କରି ତିଆରି

ଅଭାବ ଅଭାବ ସଦା ଭାବି ଭାବି ଜୀବନ ଯାଏ ବାହାରି

ମହାପ୍ରଭୁ ହେ ।

ବିରୂପା କୂଳରେ ବସି ବସି ଆସି ବିରୂପ ହେଲିଣି ମୁହିଁ ।

ଦାନା କନା ଛାଡ଼ି ସକଳ ଦେଇଛ ନ ଦେଖନ୍ତି ଏହା କେହି ।।

x x x

ପାଣିର ଗୁହାରି ପାଣିରେ ଭାସୁଛି ବାଣୀସେବା କରି କରି

ପାଶୋରି ନ ଦିଅ କିଶୋରୀବଲ୍ଲଭ ଜୟ ନୀଳାଦ୍ରିକେଶରୀ ।।

(ତତ୍ରୈବ-ପୃ ୩୫)

 

ପୂର୍ବସୂରିମାନଙ୍କ ରଚନା ଆଦର୍ଶରେ ଅନୁପ୍ରାଣିତ ହୋଇ କବି ବୈଷ୍ଣବ ପାଣି ଶ୍ରୀଜଗନ୍ନାଥଙ୍କୁ ଭୂତ ରୂପେ ଗାଳିଦେବା ସଙ୍ଗେ ସଙ୍ଗେ ଭର୍ତ୍ସନା କରିବାକୁ ଯାଇ କହିଛନ୍ତି :

 

ଛାଡ଼ ମାଡ଼ଖିଆ ବୁଦ୍ଧି ହେ ବଡ଼ ଦେଉଳ ବଡ଼ ଗୋସାଇଁ ।

ଯେ ମାଇଲା ମାଡ଼ ସେ ହୋଇଲା ବଡ଼ ବାଡ଼ ହେଲୁ ତାକୁ ତୁହି ।।

x x x

ମାଡ଼ୁଆ ମୋହନ ମାଡ଼ ବିନୁ ଆନ ଗତି ତୋ କପାଳେ ନାହିଁ ।

ବଇଷ୍ଣବ ଭକ୍ତି କଡ଼ିଆ ଧରିଛି କରେ ଲଗାଇବା ପାଇଁ ।।

x x x

ହେଳା କରନା ହେ ନୀଳାଚଳ ନାଥ ଆଉ ।

ବଳାଇଲା ଦୁଃଖ କଳାକର ମୁଖ ତୋ’ ପରା ଚାଳକ ଥାଉ ।।

x x x

ନିଜ ଗୋଇ ନିଜେ ନ ଖୋଳ ସହଜେ ଜଳଧିଜେମାବଲ୍ଲଭ ।

ବଇଷ୍ଣବ ଭାଳେ ଭାସେ ଶୋକ ଜଳେ ବଢ଼ା ତୋ’ କରପଲ୍ଲବ ।।

(ତତ୍ରୈବ-ପୃ. ୩୩)

 

କବିଙ୍କ ‘ଲକ୍ଷ୍ମୀପୂଜା’କୁ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣର ନାଟ୍ୟରୂପ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିରେ କବି ଶ୍ରୀଜଗନ୍ନାଥଙ୍କୁ ଦୀନବାନ୍ଧବ, ରାଧାଧବ, ଜଗତ୍‌ପତି ଆଦି ନାମରେ ଅଭିହିତ କରିଛନ୍ତି । ଶ୍ରୀଜଗନ୍ନାଥ ଓ ଲକ୍ଷ୍ମୀଙ୍କ ଉକ୍ତିପ୍ରତ୍ୟୁକ୍ତି ମାଧ୍ୟମରେ କବି ସାଧାରଣ ଦମ୍ପତିଙ୍କର ଯେଉଁ ଜୀବନ୍ତ ଆଲେଖ୍ୟ ଉପସ୍ଥାପନ କରିଛନ୍ତି ତାହା ଅନନ୍ୟସାଧାରଣ ବୋଲି ମନେହୁଏ । ‘ଆଦ୍ୟକାଣ୍ଡ ସୁଆଙ୍ଗ’ରେ କବି ଶ୍ରୀରାମ ନାମର ମାହାତ୍ମ୍ୟ ପ୍ରକାଶ କରିବାକୁ ଯାଇ ଶିବଙ୍କ ଉକ୍ତି ମାଧ୍ୟମରେ କହିଛନ୍ତି :

 

ଗଙ୍ଗା ଗୟା ଗୋମତୀ ଗଣ୍ଡକୀ ଗୋଦାବରୀ,

ଏ ଆଦି ସକଳ ତୀର୍ଥ କରନ୍ତେ ଯେ ଫଳ,

ନୁହନ୍ତି ସେ ‘ରାମ’ ବେନି ଅକ୍ଷରକୁ ସରି ।

(ବୈ.ଗ୍ର. ଦ୍ୱିତୀୟ ଭାଗ-ପୃ ୩୫)

 

ଶୁଣି ରାମ ନାମ ହୃଦୟରୁ ତାପ ଦୂର କର ।

‘ରା’ ବୋଲି ଭୁଷଣ୍ଡ ଯେ ଉଚ୍ଚାରନ୍ତେ ତୁଣ୍ଡେ

କୁଣ୍ଡେ ପଡ଼ି ହେଲା ଚାରିକର,

‘ମ’ ଧରିଥିଲେ ମୁକ୍ତି ପାଇଥାନ୍ତା ସେହି ।

(ତତ୍ରୈବ ରାବଣ ବଧ-ପୃ ୨୪୪)

 

ମହୀରାବଣ ବଧ ଓ ସୀତା ବନବାସରେ ମଧ୍ୟ କବି ଶ୍ରୀରାମଙ୍କ ପ୍ରତି ନିଜର ଆନ୍ତରିକ ଶ୍ରଦ୍ଧା ଓ ଭକ୍ତି ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଉପଦେଶ ଛଳରେ କହିଛନ୍ତି –

 

ଶୁଣ ବୁଧେ ଶୁଦ୍ଧଚିତ୍ତେ ଏ ମହୀରାବଣ ବଧ ପଦ ।

ଖେଦ-ଅହି ବିଷନାଶ ବେଦରେ ଏହା ପ୍ରକାଶ,

ସେବ ରାମ ନାମ ରୂପୀ ଗଦ ।।

(ତତ୍ରୈବ, ମହୀରାବଣ ବଧ-ପୃ-୧୪୯)

 

ରାମ ରାମ ପଦ ଶୁଣିହେ କୋବିଦେ ଯମଯାତନାକୁ ହର ।

ପ୍ରେମରେ ଶୁଣନ୍ତେ ଶ୍ରମ ଯିବ ତୁଟି ଭ୍ରମ ମନୁ ହେବ ଦୂର ।।

(ତତ୍ରୈବ, ସୀତା ବନବାସ ପୃ-୨୮୧)

 

ଓଡ଼ିଶାର କବି କବିରାଜ ଜୟଦେବଙ୍କ ‘ଗୀତଗୋବିନ୍ଦ’ଠାରୁ ଆରମ୍ଭ କରି ସଂସ୍କୃତ ଓ ଓଡ଼ିଆ ସାହିତ୍ୟରେ ଦଶାବତାର ବର୍ଣ୍ଣନା ଓ ଦଶାବତାର ଶ୍ରୁତି ପ୍ରମୁଖ ସ୍ଥାନ ଲାଭ କରି ଆସିଥିବାର ଦେଖାଯାଏ । ଓଡ଼ିଆ ବୈଷ୍ଣବ କବି ପରମ୍ପରାକୁ ଅନୁସରଣ କରି କବି ବୈଷ୍ଣବ ପାଣି ମଧ୍ୟ ‘ମେଘନାଦ ବଧ ସୁଆଙ୍ଗ’ର ମଙ୍ଗଳାଚରଣରେ ମତ୍ସ୍ୟାବତାରଠାରୁ ରାମାବତାର ପର୍ଯ୍ୟନ୍ତ ନିମ୍ନମତେ ବର୍ଣ୍ଣନା କରିଛନ୍ତି-

 

ରସ ହେ ରସିକ ଜନେ ରାମାମୃତ ରସରେ ।

ଅହଲ୍ୟା ତାରଣ ରାମ କମଳା ବିଳାସରେ ।।

ଆଦ୍ୟ ଅବତାରେ ମୀନ ମୂରତି ଜଳେ ।

ଶଙ୍ଖାସୁର ଦାନବକୁ ନାଶିଲ ହେଳେ ।

କମଠ ନୃସିଂହ ବଳୀ ବଳହନ୍ତା ବେଶରେ ।। ୧ ।।

 

ପରଶୁ ହସ୍ତେ ପରଶୁରାମ ଶରୀର,

ଭୃଗୁପତି ନାମେ ଖ୍ୟାତି କ୍ଷତ୍ରିୟେ ସାର ।

ଏକବିଂଶବାର କ୍ଷତ୍ରିକୁଳ କଲେ ନାଶରେ ।। ୨।।

 

ଦେବହିତ ଅର୍ଥେ ଚାରି ମୂରତି ଧରି ।

ସରଯୂ ତଟେ ଜନମ ଅଯୋଧ୍ୟାପୁରୀ ।

କୀର୍ତ୍ତିଧ୍ୱଜା ଉଡ଼ାଇ ତାରିଲେ ସୂର୍ଯ୍ୟବଂଶରେ ।। ୩ ।।

 

ହେ ନରେ ଭକତି ଭରେ ଭଜ ସେ ପଦ ।

ଯେ ପଦ ଅଟଇ ବ୍ରହ୍ମା ଇନ୍ଦ୍ର ସମ୍ପଦ

ବିପ୍ର ବଇଷ୍ଣବ ତାହା ପାଇବକି ଶେଷରେ ।। ୪ ।।

(ତତ୍ରୈବ ମେଘନାଦ ବଧ-ପୃ-୧୭୫)

 

ନୀଳକନ୍ଦରବାସୀ ଲକ୍ଷ୍ମୀକାନ୍ତ ଶ୍ରୀଜଗନ୍ନାଥଙ୍କୁ ସ୍ତୁତି କରିବାକୁ ଯାଇ କବି ‘ଲକ୍ଷଣା ପରିଣୟ’ରେ କହିଛନ୍ତି-

 

ହେ କଞ୍ଜବଦନ ଦୁଃଖଭଞ୍ଜନ ନାଥ ।

ବୃଜିନ ଦହନକାରୀ ଭାର୍ଗବୀକାନ୍ତ ।।

x x x

ନୀଳକନ୍ଦର ନିବାସୀ ନଳିନନେତ୍ର ।

ବଳି ଦାନବଛଳେ ଶ୍ୟାମଳ ଗାତ୍ର ।। ପୃ-୩୧୧ ।।

 

ରାମାୟଣର ବିଷୟବସ୍ତୁ ଉପରେ ଆଧାରିତ ଗୀତିନାଟ୍ୟରେ କବି ବୈଷ୍ଣବ ପାଣି ଯେପରି ଶ୍ରୀରାମଙ୍କର ନାମ ଓ ଗୁଣାବଳୀ କୀର୍ତ୍ତନ କରିଛନ୍ତି ସେହିପରି ଭାଗବତ ଉପରେ ଆଧାରିତ ଗୀତିନାଟ୍ୟରେ ଶ୍ରୀକୃଷ୍ଣଙ୍କର ମହିମା ବର୍ଣ୍ଣନା କରିଛନ୍ତି । ଶ୍ରୀକୃଷ୍ଣଙ୍କର ନାମକରଣ ପ୍ରସଙ୍ଗ ଉଲ୍ଲେଖ କରିବାକୁ ଯାଇ କବି ‘ବ୍ରଜଲୀଳା’ରେ ଭଗବାନଙ୍କର ବିଭିନ୍ନ ସ୍ମରଣୀୟ ନାମ ସମ୍ୱନ୍ଧରେ ସୂଚନା ଦେଇଛନ୍ତି –

 

ନନ୍ଦେ ବସାଇ ଋଷି            ନାମ ଦେଲେ ବିଶେଷି

ଆଦ୍ୟେ ଆଦିକନ୍ଦ ନାମ କର୍ଣ୍ଣେ ନିବେଶି ।

ହୃଷୀକେଶ ଗୋବିନ୍ଦ            ଶ୍ରୀମାଧବ ମୁକୁନ୍ଦ

ଶ୍ରୀପତି କରୁଣାକର ଗୋକୁଳଚନ୍ଦ୍ର ।

 

ବ୍ରଜବିହାରୀ ହରି            ବନମାଳୀ ମୁରାରି

ପଦ୍ମନାଭ ଚକ୍ରଧର ଶକ୍ର ବଇରି ।

ଦାମୋଦର ଶ୍ରୀନିବାସ            ଦୀନ ଦୁରିତ ନାଶ

କୃଷ୍ଣ ବିଷ୍ଣୁ ପୀତପଟ ଯଶୋଦାଶିଷ୍ୟ ।

 

ମଧୁ କୈଟଭ ଅରି            ବଂଶୀବଟ ବିହାରୀ

ନଟ ପଟଳି ମୁକୁଟ ରାସକେଶରୀ ।

ଅନନ୍ତ ନାମ ଦେଇ            ଅନ୍ତ ପାଇଲେ ନାହିଁ

ଡାକନାମ ଦେଲେ ସର୍ବେ କଳାକହ୍ନାଇ ।

(ବୈ: ଗ୍ର: ପ୍ରଥମଭାଗ ପୃ-୪୦)

 

ମାୟାଧର ଶ୍ରୀକୃଷ୍ଣଙ୍କ ମାୟାରେ ବିହ୍ୱଳ ଅକ୍ରୂର ଜଳ ସ୍ଥଳ ଉଭୟତ୍ର ରାମକୃଷ୍ଣଙ୍କୁ ଦେଖି ବିମୁଗ୍‌ଧ ହୋଇ ସ୍ତୁତି କରିବାକୁ ଲାଗିଲେ । କବି ବୈଷ୍ଣବପାଣି ଭକ୍ତ ଅକ୍ରୂରଙ୍କର ସ୍ତୁତିଗାନରେ କହିଛନ୍ତି-

 

ଜୟ ପତିତପାବନ            ଶ୍ରୀମତୀ ଜୀବଜୀବନ

ମତ୍ସ୍ୟ କଚ୍ଛପ ବରାହ ଶ୍ରୀରାମ ।

ନୃସିଂହ ବାମନରୂପୀ      ବଇଷ୍ଣବ ମହାପାପୀ

ଦିଅବାରେ ଗତିମୁକ୍ତିଧାମ ।

(ତତ୍ରୈବ ରଙ୍ଗସଭା ପୃ-୭୮)

 

‘ବାଲ୍ୟବିନୋଦ’ରେ ଭଗବାନ୍‌ ଶ୍ରୀକୃଷ୍ଣଙ୍କର ମାଧବ, ମଧୁସୂଦନ, ରମାପତି, ପତିତତାରଣ, ଗୋବିନ୍ଦ, ଗୋପାଳ, ନାରାୟଣ, ବ୍ରହ୍ମପରାୟଣ, ଆଦିମୂଳ, ଚିଦାନନ୍ଦ, ଚକ୍ରପାଣି, ଚଞ୍ଚଳାଜୀବନ, ପନ୍ନଗାସନ, ନବଘନବର୍ଣ୍ଣ ଆଦି ନାମ ସ୍ମରଣ ସହିତ କବି ବୈଷ୍ଣବପାଣି ମତ୍ସ୍ୟ, କୂର୍ମ, ବରାହ, ବାମନ, ନରସିଂହ, ପରଶୁରାମ, ଶ୍ରୀରାମ ପ୍ରଭୃତି ଅବତାର ନାମାବଳୀ ଉଲ୍ଲେଖ କରିଥିବାର ଦେଖାଯାଏ ।। ପୃ-୯୭ ।। ‘ପ୍ରହ୍ଲାଦଚରିତ’ରେ କବି ହରିଭକ୍ତ ପ୍ରହ୍ଲାଦ ମୁଖରେ ‘ବିଷ୍ଣୁକବଚ’ ସ୍ତୁତି ନିମ୍ନମତେ ବର୍ଣ୍ଣନା କରିଥିବାର ଦେଖାଯାଏ-

 

ଜୟ ଜୟ ଦେବ ଦଇତାରି

ହସ୍ତୀ ଦନ୍ତରୁ ବାରେ କର ପାରି

।।

ପାଦ ରଖନ୍ତୁ ପତିତପାବନ

ଜାନୁ ରକ୍ଷା କରନ୍ତୁ ଜନାର୍ଦ୍ଦନ

।।

ଊରୁ ରଖିବେ ଅନନ୍ତ ମୂରତି

କଟି ରଖିବେ କମଳାଙ୍କ ପତି

।।

ଗୁହ୍ୟ ବାମନ ମୂର୍ତ୍ତି ରକ୍ଷା କରୁ

ଉଦରକୁ ରଖନ୍ତୁ ମହାମେରୁ

।।

ଯାହା ଚିନ୍ତିଲେ ଦୂର ହୁଏ ଦୁଃଖ

ପୃଷ୍ଠଦେଶ ରଖିବେ ପଦ୍ମମୁଖ

।।

ବେନି ବାହୁ ରଖନ୍ତୁ ବାସୁଦେବ

ହୃଦ ରକ୍ଷା କରନ୍ତୁ ରମାଧବ

।।

କଣ୍ଠ ରଖିବେ କଉଣପହନ୍ତା

ଜିହ୍ୱା ରଖନ୍ତୁ ଜଗତ କରତା

।।

ନାସାପୁଟ ରଖିବେ ନରହରି

ନେତ୍ର ରଖନ୍ତୁ ନୀଳାଦ୍ରିବିହାରୀ

।।

ବିଷ୍ଣୁ କବଚ ବଇଷ୍ଣବ ବୋଲେ

ହସ୍ତୀ କି କରିବ ବାଦୀ ହୋଇଲେ

।।

 

ଏହି ସ୍ତୁତିରୁ ବୈଷ୍ଣବ କବି ବୈଷ୍ଣବ ପାଣିଙ୍କର ବିଷ୍ଣୁଭକ୍ତିର ସୂଚନା ମିଳେ । ନୀଳାଦ୍ରିନାଥ ଶ୍ରୀଜଗନ୍ନାଥ ହିଁ ଶ୍ରୀକୃଷ୍ଣ । ଦଶାକୃତିକୃତ୍‌ ଶ୍ରୀକୃଷ୍ଣ-ଜଗନ୍ନାଥ ହିଁ ମତ୍ସ୍ୟାଦି ଅବତାରଙ୍କ ମୂଳ ହେତୁ । ଶ୍ରୀଜଗନ୍ନାଥ ଏକ ଓ ଅଦ୍ୱୈତ । ଜଗତର ପାପତାପ ବିନାଶନ, ଦୁଷ୍ଟ ନିବାରଣ ଓ ସଜ୍ଜନ ପାଳନ ପାଇଁ ସେ ଅବତାର ଗ୍ରହଣ କରନ୍ତି । ସେ ହିଁ ଯୋଗୀଶ୍ୱର ଶିବ, ଲୋକପିତାମହ ବ୍ରହ୍ମା ଓ ମହିଷ ମର୍ଦ୍ଦିନୀ ଦୁର୍ଗା । ବିଷ୍ଣୁଭକ୍ତ ବୈଷ୍ଣବପାଣି ନିଜ ହୃଦୟର ଏହି ଅଦ୍ୱୈତ ଭାବକୁ ‘ପ୍ରହ୍ଲାଦଚରିତ’ରେ ପ୍ରକାଶ କରିଛନ୍ତି । (ପୃ-୧୩୪) ପ୍ରହ୍ଲାଦଚରିତର ଶେଷରେ କବି ପ୍ରହ୍ଲାଦ ମୁଖରେ ଯେଉଁ ସ୍ତୁତିର ଅବତାରଣା କରିଛନ୍ତି ସେଥିରୁ ତାଙ୍କ ବୈଷ୍ଣବ ହୃଦୟର ଯଥାର୍ଥ ପରିଚୟ ମିଳେ-

 

ନମସ୍ତେ ଜଗତପତି ଅଗତିଗତିଦାୟକ ମୁରାରି ।

ତୁହି ସ୍ୱର୍ଗ ତୁହି ମର୍ତ୍ତ୍ୟ ତୁହି ରଜତମ ସତ୍ୟ ଶ୍ରୀହରି ।

ଗଗନ ପବନ ବନ      ଅଟୁ ତୁ ଗରୁଡ଼ାସନ

ଇନ୍ଦ୍ର ନଇଋତ ବ୍ରହ୍ମ ନିଜେ ତୁହି ତ୍ରିପୁରାରି ।

ସର୍ବଘଟେ କରୁ ବାସ      ଆତ୍ମା ରୂପେ ଶ୍ରୀନିବାସ

କାଳେ ସୃଷ୍ଟି ଯାଏ ନାଶ ତୋହରି ।

 

ଏ ମାୟା ସଂସାର ତୋର ଅଟଇ ଖେଳର ଘର

ନ ଜାଣନ୍ତି ମୁଢ଼ ନର ସର୍ବେ ବୋଲନ୍ତି ମୋହରି ।।

ପତିତପାବନ ନାମ ବହିଛ ପୁରୁଷୋତ୍ତମ

ପାପୀ ବଇଷ୍ଣବ ଡାକ ଶୁଣ ବାରେ କର୍ଣ୍ଣ ଡେରି ।।

(ତତ୍ରୈବ ପ୍ରହ୍ଲାଦ ଚରିତ-ପୃ ୧୩୬)

 

ରାଜା ଯଯାତିଙ୍କ ହୃଦୟରେ ଅହେତୁକ ଅଶାନ୍ତିର ବହ୍ନି ଜଳି ଉଠିଛି । ପିତୃଗଣଙ୍କୁ ଉଦ୍ଧାର କରିବା ପାଇଁ ମନ ବ୍ୟାକୁଳ ହୋଇ ଥିବାବେଳେ ଦେବର୍ଷି ନାରଦ ଉପସ୍ଥିତ ହୋଇ ‘ନରମେଧ ଯଜ୍ଞ’ କରିବା ପାଇଁ ରାଜାଙ୍କୁ ପରାମର୍ଶ ଦେଇଛନ୍ତି । ବିପ୍ରସୁତକୁ ଯଜ୍ଞରେ ବଳି ନ ଦେଲେ ପିତା ନହୁଷ ସର୍ପ ଯୋନିରୁ ମୁକ୍ତ ହୋଇ ପାରିବେ ନାହିଁ । ବ୍ରାହ୍ମଣଶିଶୁ ହତ୍ୟା ଘୋର ଅପରାଧ । ଏହା ଚିନ୍ତା କରି ରାଜା ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ସମୟରେ ରାଣୀ ଆଶ୍ୱାସନା ଦେବାକୁ ଯାଇ କହିଛନ୍ତି-କିମ୍ପା ଚିନ୍ତା କରୁଅଛ ଚିତ୍ତେ, ବିଶ୍ୱରୂପ ନାରାୟଣ ସର୍ବଶକ୍ତିମାନ୍‌, ବ୍ୟାପିଛନ୍ତି ଆତ୍ମାରୂପେ ସକଳ ଘଟରେ, ଯେଉଁ ପଥ ଦେଖାନ୍ତି ଯାହାକୁ ସେହି ପଥେ ଚାଲୁଥାନ୍ତି ପ୍ରାଣୀ । ନିଜେ ଯେବେ ନିଜର ଆୟତ୍ତ ହୋଇଥାନ୍ତା ଜୀବ, କିମ୍ପା ଜନ୍ମ ମୃତ୍ୟୁ ଘଟନ୍ତା ତାହାର ? ଅଟେ ଏଇ ଦେହ ଈଶ୍ୱର ଆୟତ୍ତ, ଦେହ ପରା ଆତ୍ମା, ଆତ୍ମା ଅଟେ ସାରଥି ତାହାର, ପ୍ରକୃତି ଅଶ୍ୱଙ୍କୁ ଯୋଚି ଜ୍ଞାନ ବେତ୍ରାଘାତେ ଚଳାନ୍ତି ଏ ସଂସାର ସଂଗ୍ରାମେ । ଅନିବାର୍ଯ୍ୟ ବିଧାତାର ଗତି । ତାହା କେହି ନ ପାରେ ନିବାରି । (ନରମେଧ ଯଜ୍ଞ-ପୃ ୩୨୩) । ଏଥିରୁ କବି ବୈଷ୍ଣବଙ୍କ ବୈଷ୍ଣବଭାବନା ଓ ଉପନିଷଦୀୟ ବିଚାରର ସୂଚନା ମିଳେ । ‘ରଘୁ ଅରକ୍ଷିତ ସୁଆଙ୍ଗ’ରେ ଜଣେ ବୈଷ୍ଣବଭକ୍ତ ରୂପେ କବି ପୁରୁଷୋତ୍ତମ କ୍ଷେତ୍ର ଓ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥଙ୍କ ମହିମା କୀର୍ତ୍ତନ କରିବା ସଙ୍ଗେ ସଙ୍ଗେ ନିଜକୁ ଏକ ଅକିଞ୍ଚନ ଦାସ, ସେବକରୂପେ ସମର୍ପିତ କରିଥିବାର ଜଣାଯାଏ । ସେହିପରି ‘ଗଙ୍ଗା ଭଗୀରଥ’ ଗୀତିନାଟ୍ୟରେ ନିଜକୁ ଜଣେ ପାପୀ ବୈଷ୍ଣବ ବ୍ରାହ୍ମଣରୂପେ ପରିଚୟ ଦେଇ ଭଗୀରଥଙ୍କ ମୁଖରେ ବିଷ୍ଣୁ-ଜଗନ୍ନାଥଙ୍କୁ ନିମ୍ନମତେ ପ୍ରାର୍ଥନା କରିଛନ୍ତି-

 

ନମୋ ନାରାୟଣ ହରି ବଂଶୀଧାରୀ ରାସବିହାରୀ ରମାପତି ।

ଗିରିଧାରୀ ହେ ମୁରାରୀ ନରହରି ମଧୁର ମୋହନ ମୂର୍ତ୍ତି ।।

x x x

ମୁହିଁଟି ଅତି ଦୁଃଖୀ ଚକାଆଖି ଦିଅ ମୋତେ ଭୋଗବତୀ ।

ମହାକାତରେ ହେଜି ଡାକେ ଦ୍ୱିଜ ବଇଷ୍ଣବ ଜଗଜ୍ୟୋତି ।।

(ତତ୍ରୈବ-ପୃ.୩୭୦)

 

‘ଦଣ୍ଡୀପର୍ବ’ ଗୀତିନାଟ୍ୟରେ ମଧ୍ୟ କବି ନାରଦଙ୍କ ମୁଖରେ ଶ୍ରୀକୃଷ୍ଣଙ୍କର ଏକ ମନୋରମ ସ୍ତୁତି କରିଥିବାର ଦେଖାଯାଏ । ସେଥିରେ ତାଙ୍କୁ ଜନାର୍ଦ୍ଦନ, ଜଗତଜୀବନ, ଦୀନବନ୍ଧୁ, ଦୈତାରି, ମୁକୁନ୍ଦ, ମାଧବ, କଂସନିସୂଦନ, ଶଙ୍ଖକମଳଧାରୀ, ଚତୁର୍ଭୁଜ, କୌସ୍ତୁଭଭୂଷଣ ପ୍ରଭୃତି ନାମରେ ପ୍ରାର୍ଥନା କରାଯାଇଛି । (ପୃ-୪୧୫) । ‘ଯଦୁବଂଶ୍ୱଧ୍ୱଂସ’ ଗୀତିନାଟ୍ୟରେ କବି ଜରାଶବର ମୁଖରେ ପ୍ରଭୁ ଜଗନ୍ନାଥଙ୍କୁ ନିମ୍ନମତେ ସ୍ତୁତି କରିଛନ୍ତି–

 

ଜୟ ଜୟ ଜଗନ୍ନାଥ ଜୟ ମଧୁସୂଦନ ।

ଜୟ ନାରାୟଣ ଜୟ ପାପୀ ପାପଚ୍ଛେଦନ ।।

x x x

ନମୋ ଅଘାବକାହନ୍ତା ନମୋ କଞ୍ଜବଦନ ।

ନମୋ ପୂତନାମାରଣ ନମୋ ନନ୍ଦନନ୍ଦନ ।।

x x x

ପାପ ପାରାବାରେ ପଡ଼ି କରୁଅଛି କ୍ରନ୍ଦନ ।

ବଇଷ୍ଣବେ ପାର କରି ନିଅ ନିଜ ସଦନ ।।

(ତତ୍ରୈବ-ପୃ ୪୪୨)

 

କବି ବୈଷ୍ଣବ ପାଣିଙ୍କ ରଚନା ସମ୍ଭାର ଏହିପରି ଭକ୍ତିରସାପ୍ଳୁତ ହୋଇଥିବାର ଦେଖାଯାଏ-। ଉପର୍ଯ୍ୟୁକ୍ତ ଉଦ୍ଧୃତିଗୁଡ଼ିକ ତାଙ୍କ ଭକ୍ତିଭାବନାର ଆଭାସ ରୂପେ ଗ୍ରହଣୀୟ । କବିରାଜ ଜୟଦେବ ଯେପରି ତାଙ୍କର ଶୃଙ୍ଗାର ରସମୟ ‘ଗୀତିଗୋବିନ୍ଦ’ କାବ୍ୟରେ କହିଛନ୍ତି–

 

ଯଦି ହରିସ୍ମରଣେ ସରସଂ ମନୋ

 

ଯଦି ବିଳାସକଳାସୁ କୁତୂହଳମ୍‌ ।

ମଧୁର-କୋମଳ-କାନ୍ତପଦାବଳୀଂ

 

ଶୃଣୁ ତଦା ଜୟଦେବସରସ୍ୱତୀମ୍‌ ।। ୧-୩ ।।

 

ସେହିପରି ବୈଷ୍ଣବ କବି ବୈଷ୍ଣବ ପାଣି, ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ଜୀବନର ଚିତ୍ରରେ ଚିତ୍ରିତ ନିଜର ଗୀତାଭିନୟ, ଗୀତିନାଟ୍ୟ, ସୁଆଙ୍ଗ ଓ ଫାର୍ଶ ମାଧ୍ୟମରେ ଜନସାଧାରଣଙ୍କର ଚିତ୍ତବିନୋଦନ କରିବା ସଙ୍ଗେ ସଙ୍ଗେ ଶ୍ରୀହରିଙ୍କ ନାମ ସ୍ମରଣ ଓ କୀର୍ତ୍ତନକୁ ପ୍ରମୁଖ ସ୍ଥାନ ଦେଇଥିବାର ମନେହୁଏ । ସମ୍ଭବତଃ ସେଇଥିପାଇଁ ବୈଷ୍ଣବ କବି ବୈଷ୍ଣବ ପାଣି ଗଣକବି ଓ ତାଙ୍କର ରଚନାବଳୀ ଗଣସାହିତ୍ୟରୂପେ ସମ୍ମାନିତ ଓ ଆଦୃତ ହେବା ସଙ୍ଗେ ସଙ୍ଗେ ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦଭାବେ ପ୍ରତିଷ୍ଠା ଲାଭ କରିଛି ।।

 

ସହାୟକସୂଚୀ-

ବୈଷ୍ଣବପାଣି ଗ୍ରନ୍ଥାବଳୀ-ପ୍ରଥମ ଭାଗ, ଗ୍ରନ୍ଥମନ୍ଦିର, କଟକ, ୧୯୮୬

ବୈଷ୍ଣବପାଣି ଗ୍ରନ୍ଥାବଳୀ-ଦ୍ୱିତୀୟ ଭାଗ, ଗ୍ରନ୍ଥମନ୍ଦିର, କଟକ, ୧୯୭୪

ଗୀତଗୋବିନ୍ଦ-ସଂ : ଡକ୍ଟର ଭଗବାନ ପଣ୍ଡା, ସଂସ୍କୃତି ବିଭାଗ, ଭୁବନେଶ୍ୱର, ୧୯୮୫

ଓଡ଼ିଶାର ସାଂସ୍କୃତିକ ଇତିହାସ-କଲଚରାଲ୍‌ ଫୋରମ୍‌, ଭୁବନେଶ୍ୱର, ଗ୍ରନ୍ଥମନ୍ଦିର, କଟକ, ୧୯୮୪

History of Oriya literature-Dr. Mayadhar Mansinha, Sahitya Academi, New Delhi, 1962

***

 

ଓଡ଼ିଆ ନାଟ୍ୟ-ସାହିତ୍ୟକୁ ଗଣକବି ବୈଷ୍ଣବ ପାଣିଙ୍କ ଅବଦାନ

ଇନ୍ଦୁଭୂଷଣ କର

 

ଆଜି ବିଂଶ ଶତାବ୍ଦୀର ନବମ ଦଶକରେ ପହଞ୍ଚି ପଛକୁ ଅନାଇଲେ ଯେଉଁ ନାଟ୍ୟକାରମାନଙ୍କ ପ୍ରାଣବନ୍ତ ପୌରୁଷ, ଅଭିନବ କଳାତ୍ମକ ଓ ଐକାନ୍ତିକ ସାଧନା କଥା ମନେ ପଡ଼େ, ସେମାନଙ୍କ ମଧ୍ୟରେ ଗଣକବି ବୈଷ୍ଣବ ପାଣି ଜଣେ ଅନନ୍ୟ ପ୍ରତିଭା ସମ୍ପନ୍ନ ଉଜ୍ଜ୍ୱଳ ଜ୍ୟୋତିଷ୍କ । ୧୮୮୨-୧୯୫୬ ଏହି ଦୀର୍ଘ ୭୪ ବର୍ଷ କାଳର ଜୀବଦ୍ଦଶା ମଧ୍ୟରେ ଗଣକବି ବୈଷ୍ଣବ ପାଣି ତାଙ୍କ ଜୀବନର ଅର୍ଦ୍ଧ ଶତକ ବର୍ଷ କେବଳ ଗୀତାଭିନୟ ଓ ଗୀତିନାଟ୍ୟ ରଚନା ଓ ତାର ଉତ୍ତରୋତ୍ତର ପ୍ରସାରରେ ଜୀବନକୁ ଉତ୍ସର୍ଗ କରିଥିଲେ । ଗୀତିନାଟ୍ୟ ଓଡ଼ିଶା ଲୋକନାଟ୍ୟ ସାହିତ୍ୟର ଏକ ବିଶିଷ୍ଟ ବିଭାଗ । ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଓଡ଼ିଶାର ପୁରପଲ୍ଲୀ ଯେତେବେଳେ ବ୍ରିଟିଶ ଶାସନର ଦାସତ୍ୱ ଶୃଙ୍ଖଳରେ ଜର୍ଜରିତ, ଯେତେବେଳେ ସେମାନେ ଦାରିଦ୍ର୍ୟ, ଅଭାବ ଓ ଅନାଟନରେ ନିପୀଡ଼ିତ, ସେତେବେଳେ ଗୀତିନାଟ୍ୟ-ସମ୍ରାଟ ବୈଷ୍ଣବ ପାଣି ସେହି ସରଳ ପୁରପଲ୍ଲୀବାସୀଙ୍କ ମନୋରଞ୍ଜନ ପାଇଁ, ନାଟ୍ୟକଳାର ପ୍ରସାର ପାଇଁ, ଜୀବନକୁ ସମ୍ପୂର୍ଣ୍ଣ ନିୟୋଜିତ କରି ପାରିଥିଲେ । ଅଭାବ ଅନାଟନ, ଅଳ୍ପଶିକ୍ଷା, ଲୋକନିନ୍ଦା ଆଦି ତାଙ୍କୁ ତାଙ୍କର ଆକାଙ୍‌କ୍ଷିତ ନାଟ୍ୟାଦର୍ଶରୁ ବିଚ୍ୟୁତ ଓ ଲକ୍ଷ୍ୟଭ୍ରଷ୍ଟ କରିପାରିନଥିଲା । ୧୯୦୪ ମସିହା ବେଳକୁ ବୈଷ୍ଣବ ପାଣିଙ୍କ ବୟସ ଏକୋଇଶ ବର୍ଷ । ଏହି ସମୟରେ ସେ ଯାତ୍ରା-ଗାୟକ ଓ ଓସ୍ତାଦ୍‌ ଭାବରେ ମାସିକ ଚାରିଟଙ୍କା ଦରମାରେ ଅତି ଦୟନୀୟ ଭାବରେ ଜୀବନଯାପନ କରୁଥିଲେ ମଧ୍ୟ ତାଙ୍କର ସ୍ୱନାଟ୍ୟ ପ୍ରତିଭା ବଳରେ ସେ ଲେଖି ପାରିଥିଲେ ପ୍ରଥମ ଗୀତିନାଟ୍ୟ- ‘‘ମେଘନାଦ ବଧ’’ । ତାଙ୍କ ପୂର୍ବସୂରି ଗୋପାଳ ଦାସ ଓ ଜଗନ୍ନାଥ ପାଣି, ବୈଷ୍ଣବ ପାଣିଙ୍କ ପ୍ରତିଭା ଦେଖି ବିସ୍ମୟାଭିଭୂତ ହୋଇଯାଇଥିଲେ ।

 

୧୯୦୩ ମସିହାରୁ ୧୯୫୬ ମସିହା ପର୍ଯ୍ୟନ୍ତ ପ୍ରାୟ ଦୀର୍ଘ ୫୦ ବର୍ଷ କାଳ ଓଡ଼ିଶାର ବିଭିନ୍ନ ସହର ଓ ଗ୍ରାମଗୁଡ଼ିକର ଦର୍ଶକମାନଙ୍କୁ ମୁଗ୍‌ଧ କରିବା ପାଇଁ ନୂତନ ଶୈଳୀରେ ଏକ ଶହରୁ ଊର୍ଦ୍ଧ୍ୱ ଗୀତିନାଟ୍ୟ ସୁଆଙ୍ଗ ପ୍ରଭୃତି ଲେଖି ସେଗୁଡ଼ିକର ପରିବେଷଣ କରିବାକୁ ସେ ସକ୍ଷମ ହୋଇପାରିଥିଲେ ଓ ଓଡ଼ିଆ ଲୋକ-ନାଟ୍ୟ ପରମ୍ପରାକୁ ଉଜ୍ଜୀବିତ କରି ଋଦ୍ଧିମନ୍ତ କରିପାରିଥିଲେ ।

 

ପ୍ରାଚୀନ ଓଡ଼ିଆ ସୁଆଙ୍ଗ ଓ ଗୀତାଭିନୟ ତାଙ୍କରି କଲମ ମୁନରେ, ସତେ ଯେପରି ନୂତନ ପ୍ରାଣ ଲାଭ କଲା । ଓଡ଼ିଆ ଯାତ୍ରାର ନବୀକରଣ ଦିଗରେ ବୈଷ୍ଣବ ପାଣିଙ୍କ ଦାନ ଅତୁଳନୀୟ । ମୋର ମନେ ହୁଏ-ଓଡ଼ିଶାର ପୁରପଲ୍ଲୀବାସୀଙ୍କ ମନରେ ପ୍ରାଣସ୍ପୁର୍ତ୍ତି ସୃଷ୍ଟି କରିବାରେ ଓ ସେମାନଙ୍କ ମନକୁ ସଂଗୀତ ମୁଖର କରି ଆନନ୍ଦ ଓ ଉଲ୍ଲାସରେ ବିମୋହିତ କରିବାରେ ତାଙ୍କର ଅପୂର୍ବ କୌଶଳ ତାଙ୍କୁ ଓଡ଼ିଆ ଗୀତିନାଟ୍ୟ ସାହିତ୍ୟର ବଳିଷ୍ଠ ଅଗ୍ରଗାମୀ ସାରଥି ଭାବରେ ସୁପ୍ରତିଷ୍ଠିତ କରିପାରିଛି । ଓଡ଼ିଆ ଯାତ୍ରା-ଶୈଳୀର ବୈପ୍ଳବିକ ପରିବର୍ତ୍ତନର ମୂଳରେ ବୈଷ୍ଣବ ପାଣିଙ୍କ ନିମ୍ନୋକ୍ତ ତିନୋଟି ବିଶେଷ ଅବଦାନ ସ୍ମରଣୀୟ :

 

(୧).

ନୂତନ ମନ୍ତ୍ରମୁଗ୍‌ଧକର ଓଡ଼ିଆ ସଙ୍ଗୀତର ପ୍ରୟୋଗ ।

(୨)

ସରଳ ଦେଶଜ ଭାଷା ସହିତ ତତ୍‌ସମ ଓ ତଦ୍‌ଭବ ଶବ୍ଦର ସୁମଧୁର ସମନ୍ୱୟ ।

(୩)

ନିୟତି ଓ ଦ୍ୱାରୀ, ଶିକ୍ଷକ, ରଜକ ପ୍ରଭୃତି ନିମ୍ନ ମଧ୍ୟବିତ୍ତ ବର୍ଗର ଚରିତ୍ରମାନଙ୍କ ମାଧ୍ୟମରେ ସମାଜ- ସଂସ୍କାର ମୂଳକ ନାଟ୍ୟ-ବାର୍ତ୍ତା (Dramatic message)ର ପ୍ରବର୍ତ୍ତନ ।

 

ଏହି ତିନିଟି ବିଭାବ ହିଁ ତାଙ୍କ ନାଟକର ପ୍ରଭାବଶାଳୀ ବୈଶିଷ୍ଟ୍ୟ ।

 

୧୯୨୧-୨୨ ର ଅସହଯୋଗ ଆନ୍ଦୋଳନ ସମୟରେ ସେ ଓଡ଼ିଶାରେ ଗୀତିନାଟ୍ୟ ପରିବେଷଣ ମାଧ୍ୟମରେ ଦେଶବାସୀଙ୍କୁ ଗଭୀର ଦେଶପ୍ରେମରେ ଉଦ୍‌ବୁଦ୍ଧ କରିପାରିଥିଲେ । ତାଙ୍କର ଏକ ପ୍ରାଣସ୍ପର୍ଶୀ ଦେଶାତ୍ମବୋଧମୂଳକ ଲେଖାରେ ସେ ଲେଖିଥିଲେ-

 

‘ବର୍ଜନ କର, ପ୍ରାଣ ମମତା, ଅର୍ଜନ କର ଯଶ

 

ଅହିଂସା, ଭେରୀ ଗର୍ଜନ ଶୁଣ କମ୍ପାଏ ଦଶଦିଶ

ଦୁର୍ଜନ ଏ ତ ଶ୍ୱେତ ବଣିକ ସଜ୍ଜନ ନୁହେଁ କାଳେ

 

କ୍ରୁର ପାପୀର ଚୂର ଦର୍ପ ଦୂରେ ପଳାଉ ଢାଳେ ।

ରକ୍ତ କେତନ ଶକ୍ତ ହୃଦୟେ ଦୀପ୍ତ ଆଲୋକେ ଟେକ

 

ସପ୍ତ ବେନି-ଲୋକ ଦେଖନ୍ତୁ ମୁକ୍ତ ମୁକ୍ତ ଲେଖ ।

 

ବୈଷ୍ଣବ ପାଣି, ଓଡ଼ିଆ ମା’ ଓ ମାଟିକୁ ଠିକ୍‌ ଭାବରେ ଚିହ୍ନିଥିଲେ । ତାଙ୍କର ସମସ୍ତ ସୃଷ୍ଟି ସମ୍ଭାର ମଧ୍ୟରେ ଆମେ ଦେଖିବାକୁ ପାଉଛୁ ଅସୀମ ଓଡ଼ିଆପ୍ରୀତି ଓ ସ୍ୱାଭିମାନ । ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣକୁ ସେ କେବେହେଲେ ପସନ୍ଦ କରୁନଥିଲେ । ‘ପ୍ରହ୍ଲାଦ ଚରିତ’ ଗୀତିନାଟ୍ୟରେ ଦୈନ୍ୟ-ଦୁର୍ଦ୍ଦଶା ଗ୍ରସ୍ତ ଶିକ୍ଷକର ଅଭାବ ଅନାଟନକୁ ସେ ଅତି ମର୍ମସ୍ପର୍ଶୀ ଭାବରେ ପ୍ରକାଶିତ କରିଛନ୍ତି । ତାଙ୍କରି ଭାଷାରେ ସତେ ଯେପରି ଓଡ଼ିଆ ଦରିଦ୍ର-ଶିକ୍ଷକ କାରୁଣ୍ୟଭରା କଣ୍ଠରେ ଗାଉଛି-

 

ଅନ୍ନବିନା ଶୂନ୍ୟ ଘର      ସଦା ପଡ଼େ ହାହାକାର

କହିବାକୁ ଛାମୁରେ ମାଡ଼ଇ ଲାଜ ।

ଦିନଯାକ ଭଟ ଭଟ      ରାତ୍ରରେ ଜଳଇ ପେଟ

ଗୁରୁପଣ ନୁହେଁ ଏହୁ ଗୁରୁ ବୋଝ ।

ଦରମା ପଡ଼ିଛି ବାକି      ମାଗି ମାଗି ଗଲି ଥକି

ମିଛ କହୁନାହିଁ ଛାମୁଁ ଖାତା ବୁଝ ।

ଅଛୁଆଁ ପଡ଼ିଛି ଘର      ବରଷାରେ ହରବର

ବଇ ବୋଲେ ପଡ଼େ ଚନ୍ଦ୍ର ସୂର୍ଯ୍ୟ ତେଜ ।

 

ଭାଗ୍ୟର କି ବିଡ଼ମ୍ୱନା ! ଏପରି ମାନବବାଦୀ ଦରଦୀ ଗୀତିନାଟ୍ୟର ଅଗ୍ରଦୂତ ନିଜେ ଶେଷଜୀବନରେ ନିଃସଙ୍ଗ ହୋଇ ଦୀନହୀନ ଭାବରେ କାଳାତିପାତ କରିଥିଲେ ଏବଂ ନିଜ ଅଶ୍ରୁକୁ ନିଜେ ପୋଛି ୧୯୫୬ ମସିହା ବୈଶାଖ ଅମାବାସ୍ୟା ଦିନ ଓଡ଼ିଆ ମାଟିରୁ ଚିରଦିନ ପାଇଁ ବିଦାୟ ନେଇଗଲେ । ଓଡ଼ିଆ ଲୋକ-ସଂସ୍କୃତିକୁ ବୈଷ୍ଣବ ପାଣିଙ୍କ ଅବଦାନ ସମ୍ପର୍କରେ ଓଡ଼ିଶାର ବିଶିଷ୍ଟ କବି ଓ ଶିକ୍ଷାବିତ୍‌ Mayadhar Manshing ତାଙ୍କ History of Oriya literature ରେ ଲେଖିଛନ୍ତି–

 

‘‘The gift he has made to mass culture of Orissa is of inestimable value and indeed deathless” ।

 

ସେହି ମହାନ୍‌ କଳାକାର, ନାଟ୍ୟକାର ଓ ଗୀତିକାର ଗଣକବି ବୈଷ୍ଣବ ପାଣିଙ୍କ ନିଷ୍କପଟ ଓଡ଼ିଆ ସାହିତ୍ୟ-ପ୍ରୀତି ଆମକୁ ନୂତନ କଳାତ୍ମକ ସାଧନାରେ ଅନୁପ୍ରାଣିତ ହେବା ପାଇଁ ପ୍ରେରଣା ଦେଉ । ଏତିକି ଆଜି ତାଙ୍କର ଜନ୍ମବାର୍ଷିକ ଉତ୍ସବରେ ଶୁଭକାମନା ।

 

ସେହି ଅମର ପ୍ରତିଭା ପ୍ରତି ଗଭୀର ଶ୍ରଦ୍ଧାଜ୍ଞଳି ଜଣାଇ ଆଶା କରୁଛି ବୈଷ୍ଣବ ପାଣିଙ୍କ ଆଦର୍ଶ ଓଡ଼ିଆ ଲୋକ-ସଂସ୍କୃତିକୁ ଅଧିକରୁ ଅଧିକତର ଋଦ୍ଧିମନ୍ତ କରିବ ।

 

 

ସଂପାଦକ,

ଓଡ଼ିଶା ସାହିତ୍ୟ ଏକାଡେମୀ,

ଭୁବନେଶ୍ୱର-୧୪

 

ଶୁଷ୍କ-ବନ୍ଧ୍ୟ-ଯଶ ସଙ୍ଗେ ଅର୍ଦ୍ଧାଶନ

ପ୍ରତିଭାର ପରା ଲଲାଟ ଲିଖନ ।

-ରାଧାନାଥ

***

 

Unknown

ନାଟ୍ୟକାର ବୈଷ୍ଣବ ପାଣି

ଡକ୍ଟର ପ୍ରସନ୍ନ କୁମାର ମିଶ୍ର

 

ଓଡ଼ିଆ ଗୀତି-ନାଟ୍ୟ ସାହିତ୍ୟର ସର୍ବପ୍ରଧାନ ଶିଳ୍ପୀ ବୈଷ୍ଣବ ପାଣି ଯେଉଁ ସମୟରେ (୧୮୮୨-୧୯୫୬) ବଞ୍ଚିଥିଲେ ଏବଂ ଯେଉଁ ସମୟରେ ତାଙ୍କ ମୁଖ୍ୟରଚନାଗୁଡ଼ିକ ଅଭିନୀତ ହୋଇଥିଲା-ଓଡ଼ିଶା ପକ୍ଷରେ ତାହା ଆଦୌ ସୁସମୟ ନଥିଲା । ପରାଧୀନତା ସାଙ୍ଗକୁ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ତ ଲାଗି ରହିଥିଲା । ତା’ ସହିତ ଥିଲା ବିଦେଶୀ ଶାସକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଅତ୍ୟାଚାର । ସବୁଠୁ ଅଧିକ ଥିଲା ନୂଆ ଇଂରେଜୀ ପଢ଼ା ଶିକ୍ଷିତ ବ୍ୟକ୍ତିମାନଙ୍କ ନିଜ ଲୋକଙ୍କ ପ୍ରତି ଘୃଣା ଓ ଶୋଷଣ । ନିରୀହ ଗ୍ରାମବାସୀଟି ପିଆଦା, ଅମିନ, ପୁଲିସିଠାରୁ ଆରମ୍ଭ କରି ହାକିମ, ଓକିଲ, ଜଜ୍‌ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଡରିବା ଆରମ୍ଭ କରିଥିଲା । ଡରି ଡରି ବିନୟୀ ହେବା ତାର ଭୂଷଣ ହୋଇ ଯାଇଥିଲା । ଓଡ଼ିଆ ଜନସାଧାରଣଙ୍କ ଅର୍ଥନୈତିକ ଅବସ୍ଥା ଥିଲା ଅତି ଶୋଚନୀୟ । ଶିକ୍ଷାର ଅବସ୍ଥା ମଧ୍ୟ ସେଇପରି । ଛୁଆଁ-ଅଛୁଆଁ ଭେଦ ଯୋଗୁ ଖଟିଖିଆ ନିମ୍ନଶ୍ରେଣୀର ଲୋକେ କିଭଳି ଲାଞ୍ଛିତ ଅବସ୍ଥାରେ କାଳଯାପନ କରୁଥିଲେ ତାହା ଉଲ୍ଲେଖ କରିବା ନିଷ୍ଫ୍ରୟୋଜନ । ପୁଣି ସଙ୍ଗଠିତ ଜନମତ ସେତେବେଳେ ଥିଲା ସ୍ୱପ୍ନ । ଏକ କଥାରେ କହିଲେ-ଓଡ଼ିଆ ଜନସାଧାରଣଙ୍କର ଧନର ଜୋର୍‌ କିମ୍ୱା ରାଜନୈତିକ ଜୋର୍‌ ନଥିଲା । ତେଣୁ ମନର ଜୋର୍‌ ବା ଆସିବ କୁଆଡ଼ୁ । ଓଡ଼ିଆମାନଙ୍କୁ ସ୍ୱତନ୍ତ୍ର ପ୍ରଦେଶଟିଏ ମଧ୍ୟ ୧୯୩୬ ପର୍ଯ୍ୟନ୍ତ ମିଳି ନଥିଲା । ଏଇଭଳି ଏକ କମ୍‌ଜୋର୍‌ ଜନସାଧାରଣଙ୍କ ନିମନ୍ତେ ସାହିତ୍ୟ ପରିବେଷଣ କରୁଥିଲେ ବୈଷ୍ଣବ ପାଣି ।

 

ବୈଷ୍ଣବ ପାଣି ଭଲକରି ବୁଝିଥିଲେ ତାଙ୍କ ନାଟକ ଦେଖିବାକୁ ଜମୁଥିବା ଲୋକଙ୍କ ରୁଚି କ’ଣ, ଦୌଡ଼ କେତେ ଓ କେଉଁ ବିଷୟ କିଭଳି ପରିବେଷଣ କଲେ ସେମାନେ ବସି ରହିବେ । ସେଥିପାଇଁ ବୋଧହୁଏ ବୈଷ୍ଣବ ପାଣି ପୌରାଣିକ ପ୍ରସଙ୍ଗଗୁଡ଼ିକ ନାଟକର କଥାବସ୍ତୁ ରୂପେ ବାଛିଥିଲେ । କିନ୍ତୁ ପୁରାଣ ସମ୍ପର୍କରେ ଲୋକଙ୍କ ଜ୍ଞାନ ବିସ୍ତାରିତ ଥିଲା ବୋଲି କହି ହେବନି । ଫଳରେ ଜନ-ସମାବେଶରେ ନାଟକଟିଏ କରିବା ସେ କାଳରେ ଥିଲା ଏକ ପରୀକ୍ଷା ଦେଲା ଭଳି ।

 

ଯାହାହେଉ ଏଇ ପରିସ୍ଥିତିର ଏକ ସାଧୁ ମୁକାବିଲା ନିମନ୍ତେ ଉଦ୍ୟମ କଲେ ବୈଷ୍ଣବ ପାଣି । ଏ ଦିଗରେ ତାଙ୍କୁ ପୂର୍ବର ଲୋକ-ସମ୍ପର୍କ ଓ ପାରମ୍ପରିକ ସଙ୍ଗୀତ-କଳାରେ ତାଙ୍କର ଯୋଗଦାନ ସହାୟକ ହେଲା । ପ୍ରଥମେ ତ ସେ ନିଜେ ପାଲା-ଗାୟକ ଥିଲେ । ଗୋଟି-ପୁଅ ଓ ଦକ୍ଷିଣୀ ନାଚ ସହିତ ମଧ୍ୟ ସଂପୃକ୍ତ ଥିଲେ । ସେଇସବୁ ଅଭିଜ୍ଞତାକୁ ପୁଞ୍ଜିକରି ସେ ବାହାରି ପଡ଼ିଲେ ଜନ-ସମ୍ମୁଖକୁ-‘ଗୀତିନାଟ୍ୟ’ ଧରି ।

 

ଗୀତିନାଟ୍ୟ ବା ଗୀତାଭିନୟରେ କଥା, ଗୀତ ଓ ନୃତ୍ୟ ଭଙ୍ଗିମାର ସମାହାର କରିବାରେ ବାଧା ନଥିଲା । ତା’ଦ୍ୱାରା ସବୁଶ୍ରେଣୀର ଲୋକଙ୍କ ମନୋରଞ୍ଜନ କରିହେବ । ଏପରିକି ସବୁଠାରୁ ବେଶୀ ଅନ୍ୟ ମନସ୍କ ଦର୍ଶକଟିକୁ ମଧ୍ୟ ‘ନୃତ୍ୟଭଙ୍ଗିମା’ ସାହାଯ୍ୟରେ ବସାଇ ରଖିହେବ । ସେ ଜାଣିଥିଲେ-ପାରମ୍ପରିକ ଲୀଳା-ନାଟକ, ପାଲା ଇତ୍ୟାଦି ଉପଭୋଗରେ ଅଭ୍ୟସ୍ତ ଓଡ଼ିଆ ଦର୍ଶକମାନେ ଗୀତି-ନାଟ୍ୟର ସଙ୍ଗୀତାଂଶ ଦ୍ୱାରା ସନ୍ତୋଷ ପ୍ରକାଶ କରିବେ । ପୌରାଣିକ କଥାବସ୍ତୁର ଧାର୍ମିକ ଆବେଦନ ରହିଥିବାରୁ ଆଦୃତ ହେବାର ସମ୍ଭାବନା ମଧ୍ୟ ସବୁବେଳେ ରହିଥିବ-। ତେଣୁ ପୁର-ପଲ୍ଲୀର ଦର୍ଶକଙ୍କ ଆଗରେ ‘ଗୀତି-ନାଟ୍ୟ’ ପରିବେଷଣ କଲେ ଉଦ୍ୟମ ବ୍ୟର୍ଥ ହେବନି, କଳା ବଞ୍ଚି ରହିବ ।

 

ଗୋଟିଏ ନାଟକର ପ୍ରାରମ୍ଭରେ (ପ୍ରସ୍ତାବନାରେ) ନଟ-ନଟୀଙ୍କ କଥୋପକଥନ ମାଧ୍ୟମରେ ସେ ନାଟକ ରଚନାର ଉଦ୍ଦେଶ୍ୟ ବ୍ୟକ୍ତ କରିଛନ୍ତି । ନଟ ନଟୀକୁ କହୁଚି-‘‘ଧର୍ମ-ତତ୍ତ୍ୱ, ସହିଷ୍ଣୁତା, ପରୋପକାରିତା, ପତିଭକ୍ତି-ଏହି ଚାରି ଶିକ୍ଷା ପାଇଁ ହୋଇଛି ରଚିତ’’ (ନଳଦମୟନ୍ତୀ) । ଜନ-ଶିକ୍ଷା ଭଳି ଏକ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ପ୍ରଚ୍ଛନ୍ନ ଥିବାରୁ ତାଙ୍କ ନାଟକଗୁଡ଼ିକୁ-‘‘କଳା ପାଇଁ କଳା’’ ନ୍ୟାୟରେ ଲଘୁଭାବେ ଗ୍ରହଣ କରି ହେବନି । ଯାହା ସେ ଲେଖିଛନ୍ତି ତା’ ପଛରେ ଏକ ସାମାଜିକ ଅଙ୍ଗୀକାର ଥିବା ପରି ବୋଧ ହୋଉଛି । ତେବେ ସେହି ଅଙ୍ଗୀକାରଟିର ସ୍ୱରୂପ ନିର୍ଦ୍ଧାରଣ ଏତେ ସହଜ ନୁହଁ । କାରଣ ପାଣିକବି କୌଣସି ପ୍ରଚାରଧର୍ମୀ ନାଟକ ଲେଖି ନାହାନ୍ତି । କିମ୍ବା ସେ କୌଣସି ରାଜନୈତିକ ଅଥବା ଧାର୍ମିକ ଅଥବା ଦାର୍ଶନିକ ଶାଖାର ପ୍ରବକ୍ତା ମଧ୍ୟ ନୁହନ୍ତି ।

 

ପାଣି କବିଙ୍କ ଭିତରେ ଅଭ୍ୟୁଦୟର ଏକ ଶକ୍ତିଶାଳୀ ବୀଜ ନିହିତ ଥିଲା ଏଥିରେ ସନ୍ଦେହ ନାହିଁ । ତାଙ୍କ ଜୀବନୀ ପାଠ କଲେ ତା’ ଜାଣିହୁଏ । ‘ଅସବର୍ଣ୍ଣ ବିବାହ ତା’ର ଏକ ଦୃଷ୍ଟାନ୍ତ । ସେ ଜାଳର ସାମାଜିକ ଅବସ୍ଥାକୁ ବିଚାର କଲେ ତାହା ଏକ ବୈପ୍ଳବିକ ପଦକ୍ଷେପ ।

 

ବୈଷ୍ଣବ ପାଣି ଅନୁଭବ କରିଥିଲେ ଯେ କେବଳ ନାଚ, ଗୀତ ଓ କଥା ସମ୍ବଳିତ ନାଟକ ଦେଇ ଦର୍ଶକଙ୍କ ରସ-ବାସନା ଚରିତାର୍ଥ କରିଦେଲେ ତାଙ୍କ କାର୍ଯ୍ୟ ଶେଷ ହୋଇଯିବନି । ସେମାନଙ୍କ ସମ୍ମୁଖରେ ସମାଜର ଦୋଷ-ଦୁର୍ବଳତାଗୁଡ଼ିକୁ ପ୍ରତ୍ୟକ୍ଷରେ ଓ ପରୋକ୍ଷରେ ଉପସ୍ଥାପନ କରିବାକୁ ପଡ଼ିବ । ସମାଜ କି ଅବସ୍ଥାରେ ଅଛି ଓ ତା’ ଭିତରେ ଲୋକେ କି ଅବସ୍ଥାରେ ଚଳୁଛନ୍ତି ତାହା ଜଣାଇ ଦେବାକୁ ହେବ । ତେବେ ଯାଇ ସମାଜ ଭିତରେ ଚାଞ୍ଚଲ୍ୟ ସୃଷ୍ଟି ହେବ । ଚାଞ୍ଚଲ୍ୟ ହିଁ ବିକାଶର ଅଗ୍ରଦୂତ । ଏଥିପାଇଁ ଶୃଙ୍ଗାର ଓ ଭକ୍ତି ସହିତ ବିଦ୍ରୂପକୁ ଏକ ଅବଶ୍ୟ ଅଙ୍ଗ ଭାବେ ଗ୍ରହଣ କରି ନେଇଥିଲେ ।

 

ଓଡ଼ିଶାର ପାରମ୍ପରିକ ରସଚେତନାରେ ‘ଶୃଙ୍ଗାର’ର ଆବେଦନକୁ ମୁଖ୍ୟସ୍ଥାନ ଦିଆହୋଇ ଆସିଚି । ଏପରିକି ‘ଭକ୍ତି’ ମଧ୍ୟ ଶୃଙ୍ଗାର-ଧୌତ ହୋଇ ପ୍ରକାଶିତ ହୋଇଛି । ‘ହାସ୍ୟ’ ମଧ୍ୟ ସେଇପରି ଶୃଙ୍ଗାର ବ୍ୟଞ୍ଜିତ ନହେଲେ ଚଳୁ ନଥିଲା । ପ୍ରମାଣ ଖୋଜିବାକୁ ପଡ଼ିବନି । ଯେଉଁସବୁ ଭକ୍ତି-ଗୀତଗୁଡ଼ିକ ଧରି ପୁରପଲ୍ଲୀରେ ଗୋଟିପୋ-ନାଚ, ନାବକେଳି; ଭୂତକେଳି ଭଳି ଲୋକନାଟ୍ୟ ଆଦୃତ ହେଉଥିଲା । ସେସବୁ ଥିଲା ରାଧାକୃଷ୍ଣ ପ୍ରେମସମ୍ୱଳିତ । ସେଇପରି ଲୋକାୟତରେ ସମାଦୃତ ଶବର-ଶବରୁଣୀ ନାଟକୁ ଦେଖନ୍ତୁ । ହାସ୍ୟ କୌତୁକ ବାଣ୍ଟିଲେ ବି ତା’ର ଶୃଙ୍ଗାରି-ଆବେଦନକୁ ଅସ୍ୱୀକାର କରାଯାଇ ନପାରେ । ଦୃଷ୍ଟାନ୍ତ ସ୍ୱରୂପ ‘ଶବର-ଶବରୁଣୀ’ ନାଟ’ରେ ଯେତେବେଳେ ଶବରୀ ଆହ୍ୱାନ ଦିଏ ଶବରକୁ, ଯଥା :

 

‘‘ରଙ୍ଗ ଚାରି ଜାତି କହରେ ଶବର

 

ରଙ୍ଗ ଚାରି ଜାତି କହ

ରଙ୍ଗ ଚାରି ଜାତି ନକହି ପାରିଲେ-ଶବରରେ

ନବନାଗରରେ

 

 

ମୋ’ ଗୋଡ଼ ମୋଡ଼ିଦେବୁ ରହ ।’’

 

ସେତେବେଳେ ଲୋକେ ହସନ୍ତି । କାରଣ ସ୍ତ୍ରୀଲୋକର ପଦସେବା ପୁରୁଷୋଚିତ ନୁହେଁ ବୋଲି ଓଡ଼ିଆ ସମାଜ ବିଶ୍ୱାସ କରି ଆସିଚି । କିନ୍ତୁ ଉତ୍ତରରେ ଯେତେବେଳେ ଶବର କହେ-

 

‘‘ରଙ୍ଗ ରଙ୍ଗଣୀ ଏ ଦୁହେଁ ରଙ୍ଗଲୋ

 

ରଙ୍ଗ ତ ରଙ୍ଗ ମନ୍ଦାର

ଆଉରି ଯେବେ ତୁ ରଙ୍ଗ ପଚାରିଲୁ ଶବରୀଲୋ

ନବନାଗରୀଲୋ

 

 

ରଙ୍ଗ ତୋ’ ରଙ୍ଗ-ଅଧର ।’’

 

ସେତେବେଳେ ମଧ୍ୟ ଲୋକ ହସନ୍ତି । ଖାଲି ହସନ୍ତି ନୁହେଁ, ପରିତୃପ୍ତ ହୁଅନ୍ତି । କାରଣ-‘ରଙ୍ଗ-ଅଧର’ ଉଚ୍ଚାରଣ ମଧ୍ୟରେ ଏକ ଶୃଙ୍ଗାରୀ ଭାବନା ହିଁ ନିଷ୍ପନ୍ନ ହୋଇଥାଏ ।

 

ପାଣିକବି ଏସବୁ ଜାଣିଥିଲେ । ପାରମ୍ପରିକ ଦର୍ଶକଙ୍କ ରୁଚି ପ୍ରତି ଗଭୀର ସମ୍ମାନ ସହ ସେ ଲକ୍ଷ୍ୟ ହାସଲ ଦିଗରେ ଆଗେଇଛନ୍ତି । ଶୃଙ୍ଗାର ନିମନ୍ତେ ଘଟଣା ସଂଯୋଜନା ଆଦୌ କଷ୍ଟସାଧ୍ୟ ନଥିଲା । କଥାବସ୍ତୁ ପୌରାଣିକ ହୋଇଥିଲେ ହେଁ ବିରହ ମିଳନ ପ୍ରେମସମ୍ଭାଷଣର ସୁଯୋଗ ଯଥେଷ୍ଟ ଥିଲା । ରସ-କାମୀଙ୍କ ଚିତ୍ତବିନୋଦନ ନିମନ୍ତେ ‘ଧ୍ରୁବଚରିତ’ ଭଳି ନାଟକରେ ମଧ୍ୟ ସେ ଶୃଙ୍ଗାର-ରସର ଅବତାରଣା କରିଛନ୍ତି । ଋଷିଙ୍କ ଆଶ୍ରମର ଅତିଥିଶାଳାରେ ରାତିର ଅନ୍ଧକାରରେ ରାଜା ଭେଟିଛନ୍ତି ରାଣୀଙ୍କୁ । ରାଜା ଜାଣନ୍ତି ନାହିଁ ‘ଭୋଗ୍ୟା’ ଜଣକ ତାଙ୍କର ବିତାଡ଼ିତା ପତ୍ନୀ ବୋଲି-। ସେପରି ଘଟଣା ସୃଷ୍ଟି କରିବାର କାରଣ ସମ୍ଭବତଃ ପାଣିକବି ‘ଶୃଙ୍ଗାର’ ଉପରେ ସଦା-ସର୍ବଦା ଦାମ୍ପତ୍ୟର ଉଚିତ-ଅନୁଚିତ ରଙ୍ଗ ଦେବାକୁ ଚାହୁଁ ନଥିଲେ, କିମ୍ୱା ପର-ସ୍ତ୍ରୀ ହରଣକୁ ଏକ କଳାଗତ ସମର୍ଥନ ଦେବାକୁ ଚାହୁଁ ନଥିଲେ । ସେ ଚାହୁଁଥିଲେ ଔଚିତ୍ୟ-ବିଚାରରୁ ମୁକ୍ତ ଏକ ଶୁଦ୍ଧ ଶୃଙ୍ଗାର ଭାବନା । ‘ଧ୍ରୁବଚରିତ’ ନାଟକରେ ତାହା ହିଁ ସଫଳ ଭାବେ ରୂପାୟିତ ହୋଇଛି। ଧ୍ରୁବ-ଚରିତର ସେହି ଅଂଶଟି ଓଡ଼ିଆ ଶୃଙ୍ଗାର-ସାହିତ୍ୟକୁ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ବୋଲି ମାନିବାକୁ ହେବ । ପ୍ରସଙ୍ଗଟି ଦେଖନ୍ତୁ, ରାଜା ଋଷି ମଠରେ ରଜନୀଯାପନ କରୁଛନ୍ତି । ଅନ୍ଧାର ମଧ୍ୟରେ ତାଙ୍କ ପାଦସେବା ଆରମ୍ଭ କରିଛନ୍ତି ରାଣୀ ସୁନୀତି । ରାଜା ବିସ୍ମିତ ହୋଇଛନ୍ତି :

 

ରାଜା

-

କେ ତୁମ୍ଭେ ଅନ୍ଧାରେ ମୋ’ ପଦସେବ କହ ?

ରାଣୀ

-

ହେ ଅତିଥି ! ଅଟେ ମୁହିଁ ଋଷିଙ୍କର ଝିଅ ।

 

 

 

ରାଣୀ

-

ପ୍ରେମାଳାପେ ମୋହ ସଙ୍ଗେ କାଟିବ ତ୍ରିଯାମା ।

ରାଜା

-

କେମନ୍ତେ ଅନୀତି କର୍ମ କରିବିରେ ସଖି ?

ରାଣୀ

-

ଆଶାଭଙ୍ଗେ ଯେତେ ପାପ କେ ପାରିବ ଲେଖି ।

ରାଜା

-

ଚଳାପାଙ୍ଗୀ, ଏଡ଼େ କଥା କହ କାହିଁପାଇଁ ?

ରାଣୀ

-

ଦେଖିଲା ବେଳରୁ ମାର ଦହେ ମୋର ଦେହୀ ।’’

(ଧ୍ରୁବଚରିତ : ବୈଷ୍ଣବ ପାଣି ଗ୍ରନ୍ଥାବଳୀ ପ୍ରଥମ ଖଣ୍ଡ-ପୃ ୧୬୮)

 

ତା’ପର ପ୍ରସଙ୍ଗ ବ୍ୟକ୍ତ ହୋଇଛି-ଭିନ୍ନ ରାଗଯୁକ୍ତ ଗୀତରେ । ଯଥା : ‘‘ଯେବେ ହରିମଝା ଅବୁଝା ହୋଇଲୁ ମଜ୍ଜାରେ ମଜ୍ଜାଇ ଚିତ୍ତ’’ ଇତ୍ୟାଦି । ଶାଳୀନତାର ସୀମା ଭିତରେ ଭାଷା ଆବଦ୍ଧ । ରୀତିଯୁଗୀୟ ବର୍ଣ୍ଣନା ସେଦିଗରେ ତାଙ୍କର ପଥପ୍ରଦର୍ଶକ ହୋଇଛି ।

 

କିନ୍ତୁ ଯାତ୍ରାମୋଦୀ ରସିକଙ୍କ ଦାବୀପୂରଣ କରିବା ସହିତ ବୈଷ୍ଣବ ପାଣି ତାଙ୍କ ନିଜସ୍ୱ ସାମାଜିକ-ଅନୁଭବଗୁଡ଼ିକୁ ନାନା ଭାବରେ ବ୍ୟକ୍ତ କରିବାକୁ ଭୁଲି ନାହାନ୍ତି । ସେସବୁ ପ୍ରକଟିତ ହୋଇଛି ହାସ୍ୟରସର ଅବତାରଣା ସହିତ । ହାସ୍ୟ ବିଦ୍ରୂପର ସଙ୍ଗୀ ହୋଇ ନାଟକରେ ବାହାରିଛନ୍ତି-

 

ଅଧିକାଂଶ ନାଟକରେ ସେ ଗାଉଁଲି ଖଟିଖିଆ ଦାସଦାସୀ ଚରିତ୍ରଙ୍କ ସାହାଯ୍ୟରେ ଜନଜୀବନର ତଥ୍ୟ ଦେବା ସହିତ ବିଦ୍ରୂପ କରିଛନ୍ତି, ଯାହା ଦର୍ଶକ ସମାଜରେ ହାସ୍ୟ-କଲ୍ଲୋଳ ସୃଷ୍ଟି କରିବାକୁ ସମର୍ଥ ହୋଇଛି । ପୁରୁଷ ଓ ସ୍ତ୍ରୀ * ନାମରେ ସେମାନଙ୍କୁ ଚିହ୍ନିତ କରିଛନ୍ତି ପାଣିକବି । ବୋଧହୁଏ ସେମାନଙ୍କର ଅଧିକ ପରିଚୟର ଆବଶ୍ୟକତା ସେ ଅନୁଭବ କରି ନାହାନ୍ତି । ସେମାନେ ନିମ୍ନବିତ୍ତ ଜନସାଧାରଣଙ୍କ ପ୍ରତିନିଧି ଚରିତ୍ର । ସେମାନେ ମଞ୍ଚକୁ ଆସିବା ମାତ୍ରେ ଦର୍ଶକ ମଣ୍ଡଳୀରେ ଏକ ନୂଆଭାବ ସଞ୍ଚରିଯାଏ । କାରଣ ଏଇ ଧରଣର ପାତ୍ର-ପାତ୍ରୀ ରାଜା-ରାଣୀ, ଦେବ-ଦେବୀ କିମ୍ବା କିନ୍ନର-କିନ୍ନରୀ ନୁହନ୍ତି । ସେମାନେ ଲୌକିକ, ସାଧାରଣ ମଣିଷ । ସେମାନେ ଜନତାର ପ୍ରତିବିମ୍ବ ଧାରଣ କରନ୍ତି । ବୋଧହୁଏ ସେଇ କାରଣରୁ ସେମାନେ ଜନପ୍ରିୟ । ସେଇମାନଙ୍କ କଥୋପକଥନ ଓ କ୍ରିୟାକଳାପ ମାଧ୍ୟମରେ ପାଣି କବି ତାଙ୍କର ବିଦ୍ରୂପଭାବ ପ୍ରକାଶ କରିବାକୁ ଉଚିତ ମଣିଛନ୍ତି ।

 

* ସ୍ଥଳବିଶେଷରେ-ସେମାନେ ଗନ୍ଧିଆ ମା, ସନିଆ-ମା, ନୋକା-ବାପ ଭଳି ନାମରେ ସମ୍ବୋଧିତ ।

 

ପାଣିକବି କାହାକୁ ଓ କେଉଁ କଥାକୁ ବିଦ୍ରୂପ ନ କରିଛନ୍ତି କହିହେବନି । ତାଙ୍କର ତୀକ୍ଷ୍‌ଣ ଦୃଷ୍ଟିରୁ ଧର୍ମ, ସମାଜ, ବ୍ୟକ୍ତି, ଅନୁଷ୍ଠାନ, ଶାସନ, ଶିକ୍ଷା କଛିହେଲେ ବାଦ୍‌ଯାଇ ନାହିଁ । ହସେଇ ମଜେଇ ସେ ସାମାଜିକ ଓ ଶାସନ ବ୍ୟବସ୍ଥାର ଦୋଷ-ଦୁର୍ବଳତା ପ୍ରତି ଜନତାର ଦୃଷ୍ଟ ଆକର୍ଷଣ କରିଛନ୍ତି । ଉଦାହରଣ ସ୍ୱରୂପ ଦେଖନ୍ତୁ ‘ମାଧବ-ସୁଲୋଚନା’ରେ ଦୁଇ ଜଣ ପ୍ରହରୀଙ୍କ କଥାବାର୍ତ୍ତା । ରାଜକନ୍ୟା ଅପହୃତା ହେବା ପରର ଘଟଣା ।

 

ଯଥା :-

୧ମ

-

ଆରେ କ’ଣ ତଳ ମାମଲା ହୋଇଛି ଯେ ଆମର କିଏ ଦୋଷ ଧରିବ । ଚାଲ, ପହରା ଦେବା ଚାଲ ।

୨ୟ

-

ଆରେ ଆଉ ଦରୁଆନ୍‌ଗିରି କରିବା ନାହିଁ, ଦେଖୁଛୁନା ହାଲ୍‌ ।

୧ମ

-

ଦରମା ଘରେ ସବୁ ପାଇଛୁ, ନା କିଛି ବାକି ଅଛି ?

୨ୟ

-

ଆରେ ଘରୁ ପରା ଚିଠି ଆସିଛି ଯେ ତିନିମାସ ହେଲା ଗୋଟିଏ ପଇସା ପଠାଇ ନାହିଁ । ପିଲାଏ ବାରିରୁ ଘାସ ଖାଇଲେଣି ତାଞ୍ଛି ’’

(ଗ୍ରନ୍ଥାବଳୀ, ୧ମଖଣ୍ଡ ପୃ୪୭୫-୭୬)

 

ଏଥିରେ ଗାଁରୁ ଆସି ସହରରେ ଚାକିରୀ କରୁଥିବା ଗରିବଙ୍କ ଅବସ୍ଥା ବର୍ଣ୍ଣିତ ହୋଇଛି । ନିୟମିତ ଦରମା ଗଣ୍ଡାକ ଦେବାର ବ୍ୟବସ୍ଥା ମଧ୍ୟ ପ୍ରଶାସକମାନେ କରିପାରି ନଥିଲେ । ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ଖୋଲିବା ଫଳରେ ଇଂରେଜ ଅମଳରେ କେତେକ ଗ୍ରାମବାସୀ ଓ ନଗରବାସୀ ନିଜ ନିଜର ସନ୍ତାନମାନଙ୍କୁ ପାଠ ପଢ଼ାଇଥିଲେ । କିନ୍ତୁ ନବ୍ୟଶିକ୍ଷିତମାନେ ନିଜର ଗରିବ ବାପା-ମା’ଙ୍କୁ ନଚାହିଁ ନିଜ ସୁଖ ଦେଖିଲେ । ବୈଷ୍ଣବ ପାଣି ସେମାନଙ୍କୁ କିପରି ବିଦ୍ରୂପ କରିଛନ୍ତି ଦେଖନ୍ତୁ ।

 

‘ବୈଲୋଚନ ବଧ’ରେ ଅତ୍ୟାଚାରୀ ରାଜା ଯୋଗୁଁ ରାଜ୍ୟବାସୀଙ୍କ ଜୀବନ ଛାରଖାର ହୋଇଯାଇଛି । ସେଇ ସମୟର ବାସ୍ତବତା ପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି । ନାଟ୍ୟକାର ଜଣେ ପୁରୁଷ ଓ ଜଣେସ୍ତ୍ରୀ ଚରିତ୍ରଙ୍କ କଥୋପକଥନ ମାଧ୍ୟମରେ । ସେମାନେ ରାଜ୍ୟ ଛାଡ଼ିଯିବାକୁ ଚାହାନ୍ତି-

 

ପୁ

-

‘ଛାଆଡ଼େ ଏ ଦେଶ ଚାଆଲେ ଲୋ ବାଟ ବଇଆ କରମ ପୋଡ଼ା ।’

ତା’ ଶୁଣି ସ୍ତ୍ରୀ ଅରାଜି । କାରଣ ପୁଅମାନଙ୍କୁ ଖବର ନଦେଇ କିମିତି ଯିବେ ?

ସ୍ତ୍ରୀ

-

ନୋକାବାପ । ମଝିଆପୁଅ ତ ଚାକିରୀରେ ଅଛି,

ପୁଣି ଜାଣିମ କେମନ୍ତେ କହିଲ ?

ପୁ

-

ମରୁ ସେ ପାଜି ସିଆଡ଼େ, ବଡ଼ପୁଅକୁ ପଢ଼େଇ ଶୁଣେଇ କରି ପକେଇଲା ନିହାଲ ।

ସ୍ତ୍ରୀ

-

ସମସ୍ତେ କ’ଣ ବାଳୁଙ୍ଗା ତାରି ଭଳିଆ ହେବେ ?

(ଗ୍ରନ୍ଥାବଳୀ : ୧ମ : ପୃ ୫୬୧)

 

ଏଥିରେ ଗରିବ ପରିବାରର ପ୍ରତିବିମ୍ୱ ଅଛି । ନବ୍ୟ-ଶିକ୍ଷିତଙ୍କୁ ବିଦ୍ରୂପ କରିବା ସହିତ ଗରିବଙ୍କ ପ୍ରତି ସେ ସହାନୁଭୂତି ପ୍ରକାଶ କରିଛନ୍ତି ।

 

ଊନବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ ଓ ବିଂଶ ଶତାବ୍ଦୀର ଆଦ୍ୟ ପାଦରେ ଓଡ଼ିଶାରେ ଯେଉଁସବୁ ଚାଟଶାଳୀ ଥିଲା ସେସବୁରେ କିପରି ପାଠ-ପଢ଼ା ଚାଲିଥିଲା ବିଭିନ୍ନ ନାଟକ, ସୁଆଙ୍ଗ, ଫାର୍ସରେ ପାଣି କବି ତା’ର ରୂପାୟନ କରିଛନ୍ତି । ତେବେ-ବାଲ୍ୟକାଳରେ ଶାରୀରିକ ଓ ମାନସିକ ବିକାଶ ପ୍ରତି ଯତ୍ନ ନିଆଯିବା ଉଚିତ ବୋଲି ବୈଷ୍ଣବ ପାଣି ସେତେବେଳେ ମଧ୍ୟ ଉପଲବ୍‌ଧି କରିଥିଲେ, ଯଦିଓ ପ୍ରାଥମିକ ଶିକ୍ଷା ସେତେବେଳେ ଅତ୍ୟନ୍ତ ଅବୈତନିକ ରୀତିରେ ଚଳୁଥିଲା । ଗୋଟିଏ ସ୍ଥାନରେ ମା’ ଖୁଲଣାଙ୍କ ମୁହଁରେ ନାଟ୍ୟକାର କହିଛନ୍ତି- ‘‘ମା । ଏତିକି ପ୍ରାର୍ଥନା, ତୁମ୍ଭର ଦାସୀପୁତ୍ର ଶ୍ରୀମନ୍ତର ଯେପରି ଶାରୀରିକ ଓ ମାନସିକ କ୍ଷତି ନ ଘଟୁ ।’’ (ଖୁଲଣା ସୁନ୍ଦରୀ ଗ୍ରନ୍ଥାବଳୀ : ୨ୟ ପୃ ୩୮୪) । ଶିକ୍ଷା ସମ୍ପର୍କରେ ଏହା ପାଣି କବିଙ୍କ ଉନ୍ନତ ଦୃଷ୍ଟିଭଙ୍ଗୀର ପ୍ରମାଣ ।

 

ସେତେବେଳେ ପାଠପଢ଼ାର ସ୍ୱରୂପ ଓ ଶିକ୍ଷକମାନଙ୍କର ଆଚରଣ ବିଷୟରେ ବୈଷ୍ଣବ ପାଣି ବିଭିନ୍ନ ସ୍ଥଳରେ ନିଜର ବିଦ୍ରୂପ ପ୍ରକାଶ କରିଛନ୍ତି । ସେହି ‘ଖୁଲଣା ସୁନ୍ଦରୀ’ ନାଟକରେ (୨ୟ : ୧ମ ଦୃଶ୍ୟ) ବର୍ଣ୍ଣିତ ଗୁରୁଙ୍କ ସ୍ୱଗତ ଉକ୍ତି ଲକ୍ଷ୍ୟ କରନ୍ତୁ । ବିଦ୍ୟାଳୟକୁ ଛାତ୍ରମାନେ ଆସିବା ଡେରି ହୋଇଥିବାରୁ ଗୁରୁ ଭାବୁଛନ୍ତି-‘‘ଆଜି ତ କୌଣସି ଓଷା ବାର ବା ପୁନିଅ-ପର୍ବ ନୁହଁ, ପିଲାଙ୍କର ଆସିବା ଡେରି କିଆଁ ? ଯଦି କାହାକୁ ଟିକିଏ ଦିନେ ପାହାରଟା ମାରିବ, ସେଦିନ ତା’ ମା ମୁହଁ ତମ ଉପରେ ହାଣ୍ଡି ଫାଟିଲା ପରି । ହାଟଗଣ୍ଠା ପୂଜା ଚାଉଳ ବନ୍ଦ । ଯଦି କାହାକୁ ଟିକିଏ କଡ଼ାକଡ଼ି ଶାସନ କରିବୁ, କିଏ କୁକୁର ଲଗେଇବ, କିଏ ଅନ୍ଧାରରେ ଗଲା ଅଇଲାବେଳେ ଟେକା ଫିଙ୍ଗିବ; କିଏ ବସିବା ଜାଗାରେ କଣ୍ଟା ପୋତିବ । X X’’ ପୂର୍ବେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କ ଅବସ୍ଥା କିପରି ଦୟନୀୟ ଥିଲା ତା’ ପାଣି କବି ଜଣାଇ ଦେଇଛନ୍ତି । ଛାତ୍ରମାନଙ୍କୁ ସଙ୍ଗ କରି ଶ୍ରୀପଞ୍ଚମୀରେ ଓ ତା’ ପରେ ପରେ ଥାଳୀରେ ସରସ୍ୱତୀଙ୍କୁ ଧରି ଶିକ୍ଷକ ଘରକୁ ଘର ବୁଲୁଥିଲେ । ଯିଏ ଯାହା ଖୁସିରେ ଦିଅନ୍ତି । ଶିକ୍ଷକଙ୍କ ପାଇଁ ସେତିକି ଉପୁରି । ତେଣୁ ଗାଁର ଜମିଦାର ବା ଧନୀଲୋକଙ୍କ ସଙ୍ଗେ ବିବାଦ କରିବା ଭଳି ଅବସ୍ଥାରେ ଶିକ୍ଷକମାନେ ନ ଥିଲେ । ସେହି ‘ଖୁଲଣା ସୁନ୍ଦରୀ’ରେ ଧନୀ ସୌଦାଗର ଘରର ଚାକରାଣୀ ‘ଦୁର୍ବଳା’ ଶିକ୍ଷକଙ୍କୁ ଧମକ ଦେଇଚି । ଯଥା-‘‘ଯିବୁ ଯିବୁ ଶ୍ରୀପଞ୍ଚମୀକି ଯିବୁ । ଭଲ କରି ଆଖି ନାକରେ ବିଦାକି ଦେବି । ମାସ ନ ପୂରୁଣୁ ଦରମା ଆଣି ଦେଇ ଯିବି ।’’

 

ଶିକ୍ଷାଗୁରୁମାନେ କିଭଳି ଅବହେଳିତ ଅବସ୍ଥାରେ ଥିଲେ ତା’ ପ୍ରତି ବୈଷ୍ଣବ ପାଣି ଦର୍ଶକ ଓ ପାଠକଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ତା’ ସହିତ ଶିକ୍ଷକଙ୍କ ଯୋଗ୍ୟତା ଓ ଜ୍ଞାନର ସୀମାବଦ୍ଧତା ବିଷୟରେ ବି ବୈଷ୍ଣବ ପାଣି ବିଦ୍ରୂପ ନ କରି ଛାଡ଼ି ନାହାନ୍ତି । ‘ଖୁଲଣା ସୁନ୍ଦରୀ’ରେ ଛାତ୍ର ଶ୍ରୀମନ୍ତ ପ୍ରଶ୍ନର ସଠିକ ଉତ୍ତର ଗୁରୁ ଦେଇ ପାରିନାହାନ୍ତି । ତେଣୁ ବହଲେଇବା ପାଇଁ କହିଛନ୍ତି-ଯଥା-‘‘ଆଉ କିଛି ଦିନ ପଢ଼ । ଅର୍ଥ ନିଜେ ନିଜେ ବୁଝିପାରିବୁ । ଗୋଟେଇଲା କାଣ୍ଡ କି ରଣକୁ ପାଏ ?’’ ସେହିପରି ‘ପ୍ରହ୍ଲାଦ ଚରିତ’ ନାଟକରେ ନିରାଶ ଓ ଭୟଭୀତ ଶିକ୍ଷକଙ୍କ ଉକ୍ତି-‘‘ପ୍ରହ୍ଲାଦରେ ମୁଁ ତ ସଂସାରୁ ଗଲି/ଗୁରୁର ଦକ୍ଷିଣା ପାଇବା ପାଇଁକି/ କେତେ ଆଶାକରି ପଢ଼ାଉଥିଲି ।’’

(ପ୍ରହ୍ଲାଦ ଚରିତ : ଗ୍ରନ୍ଥାବଳୀ : ୧ମ: ପୃ ୧୪୬)

 

ଏଥିରେ ଗୁରୁଙ୍କ ଅଭ୍ୟନ୍ତରରେ ଥିବା ପ୍ରଚ୍ଛନ୍ନ ସ୍ୱାର୍ଥପରତାକୁ କବି ବ୍ୟଙ୍ଗ୍ୟ କରିଛନ୍ତି । ଚାଟଶାଳୀରେ ସେତେବେଳେ ସାଧାରଣ ଗ୍ରାମ୍ୟ-ବାଳକଙ୍କ ଶିକ୍ଷା କିପରି ସୀମିତ ଥିଲା ତା’ର ସୂଚନା ‘ପ୍ରହ୍ଲାଦ ଚରିତ’ରେ, ‘ଧ୍ରୁବ ଚରିତ’ରେ ଓ ଆହୁରି ଅନେକ ସ୍ଥାନରେ ମିଳେ । ‘ଧ୍ରୁବ ଚରିତ’ରେ ଋଷି ଧ୍ରୁବକୁ ପାଠ ପଢ଼ାଉଛନ୍ତି । ଯଥା-‘‘ପଣ ପଣକରେ ହେବୁ ଯେବେ ଜଣେ ପଢ଼ ପଣକିଆ ପାଠରେ’’ (ଗ୍ରନ୍ଥାବଳୀ : ୧ମ : ପୃ ୧୭୧)

 

ବିଦ୍ରୂପ ଓ ହାସ୍ୟ ତାଙ୍କ କଲମ ମୁନରେ ଲାଖି ରହିଥିଲା । କିନ୍ତୁ ସେ ବିଦ୍ରୂପ ଗାଳିବର୍ଷଣ ନଥିଲା; ଥିଲା ରସାଳ ଓ ଗଭୀର । ତୀର୍ଥସ୍ଥାନଗୁଡ଼ିକ ପ୍ରତି ତାଙ୍କର ସହଜାତ ମୋହ ଥିଲେ ବି ସେ ବ୍ୟଙ୍ଗ୍ୟ କରିବାକୁ ଛାଡ଼ିନାହାନ୍ତି । ପୁରୀ ସଂପର୍କରେ ସେ କହିଛନ୍ତି-ଯଥା-‘ଭାତ ବିନ! ନୀଳଗିରି.......’’ (ଧ୍ରୁବଚରିତ) । ସେହିପରି ‘‘ହରିଶ୍ଚନ୍ଦ୍ର’’ ନାଟକରେ ‘କାଶୀ’ ସଂପର୍କରେ ଲେଖିଛନ୍ତି-ଯଥା :-‘‘ଏତ ଅଳସୁଆଙ୍କ ପାଇଁ ଗୋଟିଏ ଶକତ ରାସ୍ତା ଖୋଲାଯାଇଛି । ଆଉ ଯଦି ପାଞ୍ଚ ଆଇନଟାକୁ ସହରରୁ ଟିକିଏ କମେଇ ଦିଅନ୍ତେ, ତାହା ହେଲେ ଯଥା-ତଥା ଘର ଭିତର ଠାକୁରବାଡ଼ି ପର୍ଯ୍ୟନ୍ତ ପାଇଖାନା’’ (ଗ୍ରନ୍ଥାବଳୀ : ୧ମ : ପୃ ୨୫୫) । ଯାତ୍ରୀଙ୍କ ବଦଭ୍ୟାସ ଓ ତୀର୍ଥସ୍ଥାନଗୁଡ଼ିକର ସ୍ୱାସ୍ଥ୍ୟ-ଗତ ଅଯତ୍ନ ପ୍ରତି ପାଣି କବିଙ୍କ ଏ ବିଦ୍ରୂପ ସମୟୋଚିତ ଓ ପ୍ରଗତିସୂଚକ-

 

ଶାସନ-ବ୍ୟବସ୍ଥାର ଅନ୍ତରାଳରେ ଯେଉଁ ତୀବ୍ର ଜନ-ଅସନ୍ତୋଷ ରହିଥିଲା ପାଣି କବି ତାର ପରିଚୟ ପାଇଥିଲେ ଏବଂ ନିର୍ଭୟରେ ସେସବୁର ପ୍ରକାଶ କରିଥିଲେ ନାଟକ-ମଞ୍ଚରେ । ନିୟମିତ ନଦୀ ପାର କରୁଥିବା ‘ନାଉରିଆ’ର ଦିନ ସୁଖରେ ଯାଉ ନଥିଲା ବୋଲି ବୈଷ୍ଣବ ପାଣିଙ୍କୁ ଅଛପା ନଥିଲା । ନଦୀ ଘାଟଗୁଡ଼ିକୁ ବିଭିନ୍ନ ବ୍ୟକ୍ତି ଇଜରା (ଲିଜ୍‌) ନେଇଥିଲେ । ତେଣୁ ଘାଟମୂଲ ଶ୍ରମିକ ପାଉ ନଥିଲା । ତା’ର ଶ୍ରମଦାନ ବଦଳରେ ସେ ଯାହା ସାଉଥିଲା ତା’ ଅତି ନଗଣ୍ୟ । ଗୋଟିଏ ନାଟକରେ ନାଉରିଆର ଉକ୍ତି ଦେଖନ୍ତୁ । ଯଥା:-‘‘ଭାଇବୋହୂ ମୋର ଚାଉଳ ବସାଇ ଚାହିଁ ବସିଥିବ ବାଟ X X X ଟଙ୍କାଟାରୁ ମୁଁ ତ ବାରଣା ଭଙ୍ଗେଇ ଚାରଣା ତାହାକୁ ଦେଲି । ବାରଟା ରାତିକି ମୋଟା ଚାଉଳ ତ ଦେଇଗଲା ଛୋଟା ତେଲି’’ । (ଗ୍ରନ୍ଥାବଳୀ ୩ୟ ଖଣ୍ଡ : ପୃ ୩୬୪)

 

ସେଇ ନାଟକରେ-ଅନ୍ୟତ୍ର-ଜଣେ ସ୍ତ୍ରୀ ଲୋକକୁ ପାରି କରିବାବେଳେ ନାଉରିଆଙ୍କ ଭିତରେ କଥାବାର୍ତ୍ତା-ଯଥା : ‘‘ପଇସା ଅସୁଲ କରିଲୁଣି ନା ଖାଲି ମୋରି ବାରିବୁ ଦୋଷ ।’’ X X ‘‘ଆମର କଣ କା’ ଠେଇଁ ଜୋର୍‌ ଅଛି / ଇଜିରାଦାର ତ ନେବେ ମାହାସୁଲ / ଆମର ଖାଲି ଖୁସିବାସିଆ ବକ୍‌ସିସ / ଯାହାଦେବେ’’ । (ଗ୍ରନ୍ଥାବଳୀ, ୩ୟ ଖଣ୍ଡ, ପୃ ୩୬୫)

 

‘ମୁରାସୁର ବଧ’ରେ ଜଣେ ସାଧାରଣ ସୈନିକ କହୁଚି, ଯଥା-‘‘ଆମେ ସେନାଯାକ ତାଙ୍କ (ରଜାଙ୍କ) ମୁଣ୍ଡକୁ ରଖିବୁ ଆମ ମୁଣ୍ଡକୁ ବଦଳ ଦେଇ’’ । X X X ‘‘ଆମ ଦିହତ ଆମର ନୁହଁ / ସେ ରାଜାଙ୍କର ଖାସ୍‌ମାହାଲ ।’’ ଅନ୍ୟତ୍ର- ‘ଖୁଲଣାସୁନ୍ଦରୀ’ରେ ସୈନିକ ନିଜର ଅବସ୍ଥାର ସୂଚନା ଦେଇଚି । ଯଥା-‘‘ଏତେଦିନ ଚାକିରୀ ଖଟି ଖଟି ପେନ୍‌ସନ୍‌ ବେଳକୁ ମୁଣ୍ଡଯିବ ।’’ (ଗ୍ରନ୍ଥାବଳୀ, ୨ୟ ଖଣ୍ଡ, ପୃ ୪୧୨)

 

ନାଟକଗୁଡ଼ିକ ବିଶ୍ଳେଷଣ କଲେ ଦେଖାଯାଏ ସାଧୁସଂସ୍କୃତ ଶବ୍ଦ ସହିତ ଗାଉଁଲି ଶବ୍ଦ ଗୁଡ଼ିକୁ ବ୍ୟବହାର କରି ପାଣିକବି ହାସ୍ୟ ଓ ବିଦ୍ରୂପରେ ସଫଳତା ଅର୍ଜନ କରିଛନ୍ତି । ଧର୍ମତତ୍ତ୍ୱର ବା ଐତିହ୍ୟର ବା ଶାସ୍ତ୍ରର ବର୍ଣ୍ଣନା କରୁ କରୁ ଅଚାନକ ଲୌକିକ ବାସ୍ତବତାକୁ ଓହ୍ଲେଇ ଆସିବାର କ୍ଷମତା ତାଙ୍କର ଥିଲା । ଶବ୍ଦ-ସଂଯୋଜନା ଏ ଦିଗରେ ଥିଲା ତାଙ୍କର ସହାୟକ । ଯାଗ-ଯଜ୍ଞ ଓ ଆଧ୍ୟାତ୍ମିକ ବାତାବରଣ ଭିତରୁ ସେ ନିଜର ଦର୍ଶକଙ୍କୁ ଟାଣି ଆଣୁଥିଲେ ପାରିବାରିକ ବାସ୍ତବତା ଭିତରକୁ । ‘ଶ୍ରୀବତ୍ସ ପଦାଘାତ’ରେ ଗୋଟିଏ ରମଣୀର ଉକ୍ତି-‘‘ଘରେ ଲୁଣ ନାହିଁକି ତେଲ ନାହିଁ / ଏଠି ଠିଆହୋଇ ଗେଲ ହେଉଛି । ସେ ମାଇପିଛଡ଼ାଙ୍କର (ଋଷିଙ୍କର)ତ ସେଇ ବେପାର । କାର କେଉଁଠି ଚୁଡ଼ାଦହି ହେବ, ମଉଚ୍ଛବ ହେବ, ଘିଅ ପୋଡ଼ା ହେବ, କନାକତରା ଘଟିବାଟି କମଳ ଘିନି ବାହାରିବେ ।’’ (ଗ୍ରନ୍ଥାବଳୀ, ୧ମଖଣ୍ଡ, ପୃ ୩୦୮) । ଏଠି ସେ ଅତି ଚତୁର ଭାବରେ ପୌରାଣିକ ଋଷିମାନଙ୍କ ସହିତ ନିଜ ସମୟର ବ୍ରାହ୍ମଣମାନଙ୍କର ତୁଳନା କରିଛନ୍ତି ।

 

ଏଇ ପଦ୍ଧତିରେ ପ୍ରାୟ ସର୍ବତ୍ର ପାଣିକବି ପୌରାଣିକ ସମୟ ଓ ଐତିହାସିକ ସମୟକୁ ନିଜ ସମୟ ସହିତ ମିଶାଇ ଦେଇଛନ୍ତି । ପୌରାଣିକ ସମୟରେ ତୋପ ଥିଲା କି ନଥିଲା, ପାଠପଢ଼ା କେମିତି ଚାଲିଥିଲା, ସୈନିକମାନେ ପେନ୍‌ସନ୍‌ ପାଉଥିଲେ କି ନାହିଁ ସେ ପ୍ରକାର କୌଣସି ବିଚାର ସେ କରି ନାହାନ୍ତି । ଯେଉଁଠି ସୁଯୋଗ ମିଳିଛି ସେ ସ୍ୱ-କାଳର ଅବସ୍ଥା ପ୍ରତି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

ଓଡ଼ିଆ ଦର୍ଶକଙ୍କ ଭିତରେ ନବରୁଚିର ପ୍ରବର୍ତ୍ତନ କରିବା ଦିଗରେ ସେ ମଧ୍ୟ ସଚେଷ୍ଟ ଥିଲେ-। ଉଦାହରଣ ସ୍ୱରୂପ ‘ସାକ୍ଷୀଗୋପାଳ’ ନାଟକର ପ୍ରସ୍ତାବନାରେ ନଟ-ନଟୀଙ୍କ କଥୋପକଥନ ଦେଖନ୍ତୁ । ଯଥା :-

 

ନଟୀ

-

‘‘X X କେତେ କେତେ ଗ୍ରନ୍ଥରୁ ଉଦ୍ଧୃତ କରି ଜନସାଧାରଣଙ୍କୁ ଶତ ଶତ ପୌରାଣିକ, ଔପନ୍ୟାସିକ ଓ ଐତିହାସିକ ବିଷୟସବୁ ଦେଖାଇ ସାରିଲଣି । କେବଳ ମାତୃଭୂମି ଓଡ଼ିଶାର ପ୍ରାଚୀନ କୀର୍ତ୍ତି ବର୍ଣ୍ଣନା ନକରି ଖଣ୍ଡେ କଳାପାହାଡ଼ ଓ ଓଡ଼ିଶା ବିଜୟ ବୋଲି ବହି ମୋତେ ପଢ଼ିବାକୁ ଦେଇଥିଲ । ସେହିପରି ଆଉ କିଛି ଉତ୍କଳ-କୀର୍ତ୍ତି ଦେଖାଇ ପାରିବ କି ?

ନଟ

-

ପ୍ରିୟମ୍ବଦେ । ନାହିଁ କାହିଁକି ଅଛି । ତାହା ଲୋକେ ଆଦର କରିବେ ତ ?’’

(ଗ୍ରନ୍ଥାବଳୀ, ୨ୟଖଣ୍ଡ ପୃ ୩୪୭-୪୮)

 

ଲୋକଙ୍କ ମଧ୍ୟରେ ଜାତୀୟ-ଭାବନା ପ୍ରସାର କରିବା, ସେମାନଙ୍କୁ ନିଜର ସାମାଜିକ, ଆର୍ଥିକ ଓ ରାଜନୈତିକ ଅବସ୍ଥା ବିଷୟରେ ସଚେତନ କରବା ମଧ୍ୟ ତାଙ୍କର ଲକ୍ଷ୍ୟ ଥିଲା । କିନ୍ତୁ ସେସବୁ ଲୋକସମାଜର ଗ୍ରହଣୀୟ ହେଲାଭଳି ଢଙ୍ଗରେ ସେ ପ୍ରକାଶ କରୁଥିଲେ । ସେଥିପାଇଁ ବେଳେ ବେଳେ ତାଙ୍କ ଯାତ୍ରା ଉପରେ ସରକାରୀ ନିଷେଧାଦେଶ ଜାରି କରା ଯାଇଥିବା ଦୃଷ୍ଟାନ୍ତ ରହିଛି । ପୁଣି, ଅସହଯୋଗ ଆନ୍ଦୋଳନ ଭଳି ବିଷୟବସ୍ତୁ ଉପରେ କବିତା ରଚନା କରିଥିବାରୁ ସାହିତ୍ୟ-ପ୍ରତିଭା ଥିଲେ ବି ସାମାନ୍ୟ ‘ରାୟସାହେବ’ ଉପାଧି ତାଙ୍କୁ ମଳି ନଥିଲା । ତା’ଫଳରେ ପାଣିକବି ଖର୍ବ ହୋଇ ଯାଇ ନାହାନ୍ତି । ବରଂ-‘ରାୟସାହେବ’ ଭଳି ଉପାଧି ପଛରେ ରହିଥିବା ‘ରାଜକୀୟ ବଦାନ୍ୟତା’ର ରୂପ ସ୍ପଷ୍ଟ ହୋଇଯାଇଛି ।

 

ଓଡ଼ିଆ ଜନ-ଜୀବନର ଅତି ସାମାନ୍ୟ ଓ କ୍ଷୁଦ୍ର କଥାଗୁଡ଼ିକୁ ସେ ସାହିତ୍ୟରେ ସ୍ଥାନିତ କରିଯାଇଛନ୍ତି । କିନ୍ତୁ ସେ ବର୍ଣ୍ଣନା ଏଡ଼େ ରସାଳ ଯେ ଅତି ଦୁଃଖରେ ମଧ୍ୟ ହସି ପକେଇବାକୁ ଇଚ୍ଛା ହେବ । ଯେପରି ‘ମହିଷାସୁର ବଧ’ରେ : ‘‘ରାଜା ଘରେ ଚାକିରି ଖଟି / ମାସକରେ ଜମା ଦି’ଦିନ ଛୁଟି / ପରମୁହଁ ଚାହିଁ ଭାରିଯା ମୋହର ହରଷରେ ଦିନ ନେଉଛି କାଟି ।’’

 

ବୈଷ୍ଣବ ପାଣି ବହୁ ଜନପ୍ରିୟ ଗୀତର ରଚୟିତା । ତାଙ୍କ ରଚିତ ‘କ୍ଷୀତିକି ଭୀତି ହେଲା ପ୍ରବଳ’ ଗୀତଟିର ତ ତୁଳନା ନାହିଁ । ସେଇଟି ‘ଧ୍ରୁବ ଚରିତ’ ନାଟକରେ ଅଛି । ସେଇପରି ଆଉ ଗୋଟିଏ ଗୀତ ଡୁହା ବୃତ୍ତରେ ଲିଖିତ । ତା ‘ପ୍ରହ୍ଲାଦ ଚରିତ’ରେ ଅଛି । ନାଟକୀୟ ଦ୍ୱନ୍ଦ୍ୱକୁ ଚରମ ଅବସ୍ଥାକୁ ଉନ୍ନୀତ କରିବା ଦିଗରେ ଗୀତଟିର ଭାଷା ଓ ରାଗ ଏକାନ୍ତ ଉପଯୁକ୍ତ ହୋଇଛି । ସମ୍ଭବତଃ ଏହା ତାଙ୍କର ଶ୍ରେଷ୍ଠ ଗୀତ ଭିତରୁ ଗୋଟିଏ । ଯଥା :-

 

ରାଜା

-

‘‘ଯେଉଁ ହରି ହରି ପକାଉଛୁ ହୁରି

ସେହି ହରି ଅଛି କାହିଁ । ମୋତେ ଦେଖାରେ

କାହିଁ ତାର ସ୍ଥିତି କେବଣ ମୂରତି

କି ଜାତି ଅଟଇ ସେହି । ମୋତେ ଦେଖାରେ ।’’ ଇତ୍ୟାଦି

(ଗ୍ରନ୍ଥାବଳୀ : ୧ମ ଖଣ୍ଡ : ପୃ ୧୫୬)

 

ଏହା ଯେ ପାଣିକବିଙ୍କ ଶ୍ରେଷ୍ଠ ଗୀତ ଭିତରୁ ଅନ୍ୟତମ, ଏଥିରେ ସନ୍ଦେହ ନାହିଁ । କିନ୍ତୁ କଥୋପକଥନ ରୀତିରେ ସାଧାରଣ ଚରିତ୍ରଙ୍କ ମୁହଁରେ ଉପସ୍ଥାପିତ ଗାଉଁଲି ଭାଷାରେ ଲେଖା ଗୀତଗୁଡ଼ିକରେ ମଧ୍ୟ କମ୍‌ ଦକ୍ଷତା ଓ ଶିଳ୍ପନୈପୁଣ୍ୟ ସେ ଦେଖାଇ ନାହାନ୍ତି । ‘ଗଙ୍ଗା-ଭଗୀରଥ’ରେ ଡଗରର ଶିବ ବର୍ଣ୍ଣନା-ଯଥା : ‘‘ରାଜରାଣୀ ଆସିଅଛି ବାବାଜୀ ଗୋଟା / ଷଣ୍ଢ ପରେ ଚଢ଼ି ଗୋଟା ଧରିଛି ସୋଠା’’, କିମ୍ୱା-‘ରଘୁ ଅରକ୍ଷିତ’ରେ-‘‘ଭାଇ ବୁଲି ବୁଲି ତ ଜଳିଲାଣି ଆମ୍ଭ ପେଟରେ / ଏ ଓଳି ସେ ଓଳି ଗଳି ଗଳି କେତେ ମୁହଁ ହରାଇଲେ ମଠରେ’’ ଭଳି ଅନେକ ଦୃଷ୍ଟାନ୍ତ ଅଛି । ପୁରୁଷ-ସ୍ତ୍ରୀଙ୍କ (ଡୁଏଟ୍‌) ସଂଳାପ ଆକାରରେ ଲିଖିତ କଥିତ ଭାଷାର ଗୀତଗୁଡ଼ିକର ଶୈଳୀ ମଧ୍ୟ ଅପୂର୍ବ । ଯେପରି ‘ଦଣ୍ଡୀପର୍ବ’ରେ :

 

‘‘ଚାକର

-

ଆଲୋ ଧାଇଁଆ ଧାଇଁଆ ଧାଇଁଆ

ସ୍ତ୍ରୀ

-

କିରେ କାହିଁକି ଡାକୁଚୁ ଠାଇଁଆ ।

ଚାକର

-

ଦେଖିବୁ ଆଲୋ ରାଣ୍ଡି !

ସ୍ତ୍ରୀ

-

କିରେ କ’ଣ ଆଣିଛୁ ହୁଣ୍ଡୀ ?

ଚାକର

-

ଦେଖିଲେ ଆଖି ରହିବ ଲାଖି କାନ ହୋଇଯିବ ଭାୟାଁ ।’’

ଲୋକ

-

ଛନ୍ଦର ଏଭଳି ଶୈଳ୍ପିକ ପ୍ରୟୋଗ ସେ କାଳରେ କେବଳ ବୈଷ୍ଣବ ପାଣି ହିଁ କରିବାକୁ ସକ୍ଷମ ଥିଲେ ।

 

କିନ୍ତୁ ଓଡ଼ିଶା ଏକ ଦରିଦ୍ର ଦେଶ । ଲୋକେ ଏଠି ସ୍ୱଦେଶୀ ଓ ସ୍ୱଭାଷୀ ମନୋରଞ୍ଜନତକ ମାଗଣାରେ ଆଶା କରନ୍ତି । ବୈଷ୍ଣବ ପାଣିଙ୍କ ଭଳି ଏକାନ୍ତ ଜନପ୍ରିୟ ନାଟ୍ୟକାରଙ୍କୁ ମଧ୍ୟ ଆର୍ଥିକ ଦୂରବସ୍ଥା ଭିତରେ କାଳଯାପନ କରିବାକୁ ପଡ଼େ । ଆଉ କାହା କଥା କହିବା !

 

ପରାଧୀନ ଥିଲାବେଳେ ଯେଉଁ କଥା, ସ୍ୱାଧୀନତା ପ୍ରାପ୍ତି ପରେ ସେଇ କଥା ଦେଖି ବୈଷ୍ଣବ ପାଣି ଗଭୀର କ୍ଷୋଭରେ ଲେଖିଥିଲେ-

 

‘‘ଶତ ଶତ ବହି ଉତ୍କଳ ଭାଷାରେ

ଲେଖି ଭୋକେ ପଡ଼ି ମରୁଚି ବସାରେ ।’’

 

ପ୍ରତିଭା ପ୍ରତି ଅମଲାତନ୍ତ୍ରର ନିଷ୍ଠୁର ବ୍ୟବହାର ଓ ଜନସାଧାରଣଙ୍କ ଉଦାସୀନତାର ତୁଳନା ନାହିଁ ।

 

ତେବେ ବୈଷ୍ଣବ ପାଣି ଆମର ନମସ୍ୟ, ଯେହେତୁ ସମସ୍ତ ଦୁଃଖ ଯନ୍ତ୍ରଣା ଓ ପ୍ରଶାସନ ବ୍ୟବସ୍ଥାର ଅବହେଳା ସତ୍ତ୍ୱେ ସେ ପୁରପଲ୍ଲୀରେ ଗରିବ ଓଡ଼ିଆଙ୍କ ମନୋରଞ୍ଜନ କରିବା ସହିତ ଓଡ଼ିଆ ଭାଷାର ସ୍ୱାଭିମାନ ବଞ୍ଚାଇ ରଖି ପାରିଥିଲେ । ତାଙ୍କ ପରି ଖୁବ୍‌ କମ୍‌ କଳା-ସାଧକ ଏ ଓଡ଼ିଶା ଭୂଇଁରେ ଜନ୍ମ ହୋଇଛନ୍ତି ।

 

 

ଦର୍ଜିସାହି

ଚାନ୍ଦିନୀଚୌକ କଟକ-୨

 

 

ବି:ଦ୍ର:-ଏହି ପ୍ରବନ୍ଧରେ ପ୍ରଦତ୍ତ ଉଦାହରଣଗୁଡ଼ିକ ଗନ୍ଥମନ୍ଦିର (କଟକ) ପ୍ରକାଶିତ : ବୈଷ୍ଣବ ପାଣି ଗ୍ରନ୍ଥାବଳୀରୁ ଉଦ୍ଧାର କରାଯାଇଛି ।

***

 

ଗଣକବିଙ୍କ ରଚନାରେ ନାରୀଚରିତ୍ରର ବୈଶିଷ୍ଟ୍ୟ

ଡଃ ସଂଘମିତ୍ରା ମିଶ୍ର

 

ଗଣକବି ବୈଷ୍ଣବ ପାଣି ଓଡ଼ିଆ ନାଟକ ଜଗତର ମୁକୁଟବିହୀନ ସମ୍ରାଟ । ନାଟ୍ୟକାର, ଅଭିନେତା ତଥା ନିର୍ଦ୍ଦେଶକ ପାଣି ମହାଶୟ ପାଲାଗାୟନରୁ ତାଙ୍କର କଳାକାର ଜୀବନ ଆରମ୍ଭ କରିଥିଲେ । ୧୮୮୨ ମସିହା କୁମାରପୂର୍ଣ୍ଣମୀ ଗୁରୁବାର ଦିନ ସେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଜନଜୀବନ ସହିତ ଅନ୍ତରଙ୍ଗତା ତାଙ୍କୁ ଶତାଧିକ ଗୀତାଭିନୟ, ବିଂଶାଧିକ ଫାର୍ଶ, ଅସଂଖ୍ୟ ଭଜନ ଜଣାଣ, ଛାନ୍ଦ ଓ ଶକୁନ୍ତଳା କାବ୍ୟ ରଚନା କରିବାକୁ ସାହସ ଦେଇଥିଲା । ଗଦ୍ୟରଚନାରେ ମଧ୍ୟ ସେ କୃତିତ୍ୱ ଅର୍ଜନ କରିଥିଲେ । ‘ବିଂଶକୁମାର ଚରିତ’, ‘ଦ୍ୱାଦଶ କୁମାରୀ ଚରିତ’, ‘ଦୁଃଖିନୀ ଗୋବର ଗୋଟେଇ’ ଓ ‘ପାଣିଙ୍କର ଆତ୍ମକାହାଣୀ’ (ଆତ୍ମଜୀବନୀ) ଭଳି ଗଦ୍ୟଗ୍ରନ୍ଥ ସେ ରଚନା କରିଥିଲେ । ତାଙ୍କର ଗୀତାଭିନୟଗୁଡ଼ିକ ଅଭିନୟ ଉପଯୋଗୀ । ୧୯୦୩ ରେ ମେଘନାଦ ବଧ ଗୀତିନାଟ୍ୟ ରଚନା କରିଥିଲେ । ଏହା ଥିଲା ତାଙ୍କର ପ୍ରଥମ ରଚନା-ଗ୍ରାମ୍ୟ ଦର୍ଶକମାନଙ୍କର କଳାପ୍ରାଣତାକୁ ଗଣକବି ପରିପୁଷ୍ଟ କରିପାରିଥିଲେ । ସମୟର ପ୍ରାଣସ୍ପନ୍ଦନକୁ ଦୁର୍ଗମ ଜନପଦମାନଙ୍କରେ ପହଞ୍ଚାଇବାରେ ନିଜର କୃତିତ୍ୱ ପ୍ରଦର୍ଶନ କରିଥିଲେ । ଏହି ରାଷ୍ଟ୍ରୀୟ ଦାୟିତ୍ୱ ସ୍ୱଇଚ୍ଛାରେ ଗ୍ରହଣ କରି ସେ ତାହାକୁ ଯଥାସମ୍ଭବ ସନ୍ତର୍ପଣରେ ସଂପାଦନ କରିଥିଲେ । ଜନସାଧାରଣଙ୍କର ହାସ୍ୟ, ଅଶ୍ରୁ, ଆନନ୍ଦ, ଆବେଗ, କ୍ରୋଧ, ଘୃଣା ସବୁର ଉପଯୁକ୍ତ ଲାଳନ କରିବାର କଳା ଜାଣିଥିବା ଏହି ସ୍ରଷ୍ଟା ବୁଝିଥିଲେ ଯେ ଲୋକସାହିତ୍ୟ ହେଉଛି ଜନଜୀବନର ବେଦ । ‘‘ଯାତ୍ରାବାଲା’’ ଭାବରେ ସେ ଅନେକ ସାମାଜିକ ନିର୍ଯ୍ୟାତନାର ଶିକାର ହୋଇଥିଲେ ସତ, କିନ୍ତୁ ତାଙ୍କର ନାଟ୍ୟପ୍ରାଣତା ତାଙ୍କୁ ପୁରପଲ୍ଲୀଠାରୁ ରାଜପ୍ରାସାଦ ପର୍ଯ୍ୟନ୍ତ ପରିଚିତ କରାଇ ପାରିଥିଲା । ସମକାଳୀନ ଅନ୍ୟାନ୍ୟ ଯାତ୍ରାକାରମାନଙ୍କ ମଧ୍ୟରେ ତାଙ୍କର ସ୍ୱାତନ୍ତ୍ର୍ୟ ରହିଥିଲା । ସ୍ପଷ୍ଟବାଦିତା ସହିତ ଜାତୀୟ ଜାଗରଣ ମନ୍ତ୍ରରେ ଜନତାଙ୍କୁ ଉଦ୍‌ବୁଦ୍ଧ କରିବାର କୌଶଳ ସେ ଆୟତ୍ତ କରିଥିଲେ । ତେଣୁ ସମକାଳୀନ, ଅନ୍ୟ ସ୍ରଷ୍ଟାମାନଙ୍କ ତୁଳନାରେ ସେ ଅଧିକ ମାର୍ଜିତ, ଯୁକ୍ତିଶୀଳ ସମୟାନୁସାରୀ ତଥା ଭାବଗମ୍ଭୀର । ନାଟକ ହେଉଛି ସାହିତ୍ୟ ଶିଳ୍ପର ଏକ ସମନ୍ୱିତ ରୂପ । ଏହା ଦୃଶ୍ୟ ଓ ଶ୍ରାବ୍ୟ (Audio visual)ର ମଧୁର ସମନ୍ୱୟ । ଏହି ଶ୍ରାବ୍ୟ ହେଉଛି ଶ୍ରୁତିମଧୁର । ପାଣିକବି ବିଭିନ୍ନ ସ୍ୱର ତାଳ ଲୟଯୁକ୍ତ ସହସ୍ରାଧିକ ସଙ୍ଗୀତ ନିଜ ଚରିତ୍ରମାନଙ୍କ ମୁଖରେ ଖଞ୍ଜି ଦର୍ଶକମାନଙ୍କୁ ନିଜର ଇଚ୍ଛା ମୁତାବକ ହସାଇଛନ୍ତି, କନ୍ଦାଇଛନ୍ତି ନାଟକରେ ସଂଗୀତର ବୈଶିଷ୍ଟ୍ୟ ସଂପର୍କରେ ଆଲୋଚକ J. L. Styan କୁହନ୍ତି ‘‘It is generally agreed that any heightened rhythm of speech makes for the intensity of meaning, and that a good dramatic poetry must be able to carry an extra charge of emotion. X X simply that the words are emotional, but rather that, at bottom, the words charge our minds emotionally infecting our image. (୧)

 

(୧)

-

The Elements of Drama.-J. L. Styan, Page 95

 

ଲୋକନାଟକର ପ୍ରଧାନ ବୈଶିଷ୍ଟ୍ୟ ହେଉଛି ଗୀତ ବ୍ୟତୀତ ନୃତ୍ୟର ବହୁଳତା । ଏହା ଜନଜୀବନର ସାର୍ଥକ ପ୍ରତିନିଧି । ଏଥିରେ ଆଡ଼ମ୍ବରଠାରୁ ସ୍ୱାଭାବିକତା ଅଧିକ । ଭାଷାର କାରୁକାର୍ଯ୍ୟ ଅପେକ୍ଷା ଜୀବନ ପ୍ରତି ଆବେଗିକ ସମ୍ପର୍କ ଅଧିକ । ବିଭିନ୍ନ ରସରେ ସୁବିନ୍ୟସ୍ତ ଏହି ଗୀତାଭିନୟ ଗୁଡ଼ିକ ପ୍ରତ୍ୟେକ ଅପରଠାରୁ ସ୍ୱତନ୍ତ୍ର ଓ ପ୍ରତ୍ୟେକ ଗୀତାଭିନୟରେ ପାଣିଙ୍କର ସମ୍ବେଦନଶୀଳ ସ୍ରଷ୍ଟା ମାନସର ପରିଚୟ ଉତ୍‌କୀର୍ଣ୍ଣ । ସଙ୍ଗୀତମୟ ଏହି ନାଟକ ସମ୍ପର୍କରେ ଆଲୋଚକ ଡଃ ପ୍ରହ୍ଲାଦ ଚରଣ ମହାନ୍ତି କୁହନ୍ତି, ‘‘ଏଥିରେ ଗୀତ, ବାଦ୍ୟ ଓ ନୃତ୍ୟର ବହୁଳତା ଲକ୍ଷ୍ୟ କଲେ ଅନୁମାନ କରିହେବ ଯେ ବୋଧହୁଏ ସଙ୍ଗୀତ ପରିବେଷଣ ଥିଲା ଏହିସବୁ ଲୋକନାଟକର ପ୍ରାଥମିକ ଉଦ୍ଦେଶ୍ୟ । କାଳକ୍ରମେ ଏଥିରେ ସଂସ୍କାର ଅଣାଯାଇ ସଙ୍ଗୀତଗୁଡ଼ିକୁ ସଂଳାପଧର୍ମୀ କରାଯିବା ସଙ୍ଗେ ସଙ୍ଗେ ନୃତ୍ୟର ମାତ୍ରା କମାଇ ଦିଆଯାଇ ଏହି ନୃତ୍ୟ ବା ନାଚକୁ ନାଟରେ ରୂପାନ୍ତରିତ କରାଯାଇଛି ।’’ (୨)

 

(୨)

-

ଓଡ଼ିଆ ଯାତ୍ରା ଓ ଲୋକନାଟକ-ଡଃ ପ୍ରହ୍ଲାଦ ଚରଣ ମହାନ୍ତି, ପୃ ୨୬

 

ମୁକ୍ତମଞ୍ଚରେ ଅଭିନୀତ ହେଉଥିବା ଗୀତାଭିନୟଗୁଡ଼ିକର ବୈଶିଷ୍ଟ୍ୟ ହେଉଛି ଅତିକଥନ (exaggeration) ପ୍ରତ୍ୟେକ ଚରିତ୍ର ଆବଶ୍ୟକତାଠାରୁ ଅଧିକ ଆବେଗମୟ । ସେମାନଙ୍କର ଅଶ୍ରୁ ଯେପରି ସଞ୍ଚରଣଶୀଳ ହାସ୍ୟ ସେହିପରି ସଂକ୍ରମଣକ୍ଷମ । ଆବେଗ ଯେଉଁଭଳି ଛୁଇଁଯାଏ, କ୍ରୋଧ ସେହିପରି ଉତ୍ତେଜିତ କରିପାରେ । ଜନତାକୁ ଆକୃଷ୍ଟ କରିବାପାଇଁ ତହିଁରେ ବ୍ୟକ୍ତିଗତ ସମସ୍ୟାର ବର୍ଣ୍ଣନା ସମୟରେ ସାର୍ବଜନୀନତା ଦେଖାଯାଏ । ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଚରିତ୍ରାନୁସାରୀ ଭାଷା ପ୍ରୟୋଗ । ଗ୍ରାମ୍ୟଭାଷାର ସ୍ୱାଭାବିକ ପ୍ରୟୋଗ ଆଦି ଆମକୁ ଅଶାଳୀନ ମନେ ହେଲେ ମଧ୍ୟ ଆବେଗର ପ୍ରାବଲ୍ୟ ଭିତରେ ତାହା ଦର୍ଶକ ହୃଦୟକୁ ରସସିକ୍ତ କରିପାରେ । ହାସ୍ୟରସରେ ଯଥାସମ୍ଭବ ସଂକ୍ରମ ରକ୍ଷାକରି ସେ ନିଜର ପୂର୍ବବର୍ତ୍ତୀ ଯାତ୍ରାକାରମାନଙ୍କଠାରୁ ଶାଳୀନ ହୋଇପାରିଛନ୍ତି ।

 

ବୈଷ୍ଣବ ପାଣିଙ୍କୁ ଆଲୋଚନା କରିବା ଅର୍ଥ ଉତ୍କଳୀୟ ଜନଜୀବନର ସ୍ୱତଃସ୍ଫୃର୍ତ୍ତ କଳାପ୍ରବଣତାର ଉତ୍ସ ସନ୍ଧାନ କରିବା । କିଭଳି ପରାଧୀନ ଭାରତରେ ଜନ୍ମି ଅଳ୍ପଶିକ୍ଷିତ ଦରିଦ୍ର ଯାତ୍ରାକାର ନିଜର ଏକକ ପ୍ରଚେଷ୍ଟା ଦ୍ୱାରା ମୃତକଳ୍ପ ସ୍ଥବିର ସମାଜକୁ ଆତ୍ମବଳ ଦେଇ ପାରିଲା ତାର ଇତିହାସ ସମ୍ପର୍କରେ ଅନୁଧ୍ୟାନ କରିବା । ବୈଷ୍ଣବ ପାଣି ନିଜ ଜୀବନକାଳରେ ଅସବର୍ଣ୍ଣ ବିବାହ ପାଇଁ ବହୁ ସାମାଜିକ ଅପବାଦର ନାୟକ ପାଲଟିଥିଲେ । ଏହି ବହୁ ଆଲୋଚିତ ଉପାଖ୍ୟାନର ପୁନରାଲୋଚନା ଏ ପ୍ରବଂଧର ଲକ୍ଷ୍ୟ ନୁହେଁ । ବରଂ ବୈଷ୍ଣବ ପାଣି ମହାଶୟଙ୍କର ନାରୀ ପ୍ରତି କ’ଣ ଧାରଣା ଥିଲା ତାର ବୈଚିତ୍ର୍ୟ ଅନୁଧ୍ୟାନ କରିବା ଏ ପ୍ରବନ୍ଧର ଉଦ୍ଦେଶ୍ୟ । ଆଲୋଚକ ଡଃ ହେମନ୍ତ କୁମାର ଦାଶ କୁହନ୍ତି ‘‘ସଂହତି ରକ୍ଷାର ଏକ କଲ୍ୟାଣୀୟ ଉଦ୍ଦେଶ୍ୟରୁ ଏକଦା ଲୋକନାଟକଗୁଡ଼ିକର ସୃଷ୍ଟି ହୋଇଥିଲା । ସୃଷ୍ଟିର ଆଦ୍ୟ ମୁହୂର୍ତ୍ତରୁ ମନୋରଞ୍ଜନ ସହିତ ଲୋକଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାରେ ଏହି ଗଣମାଧ୍ୟମ ଅତ୍ୟନ୍ତ ସଫଳ ହୋଇପାରିଛି । (୩) ପରିବାର ସମାଜ ତଥା ପରିବେଶର ସଂଯୋଗ ରକ୍ଷାକାରୀ ସେତୁ ହେଉଛି ନାରୀ । ସେହି ନାରୀ ଚରିତ୍ର କିଭଳି ନିଜର ବର୍ଣ୍ଣବିଭା ନେଇ ପାଣିଙ୍କ ରଚନାକୁ ପ୍ରଭାବିତ କରିବାକୁ ସକ୍ଷମ ହୋଇଛି, ସେ କଥା ଆଲୋଚନା କରିବା । ପୁରାଣ, ଇତିହାସ, କିମ୍ବଦନ୍ତୀ ଓ ଲୋକକଥାରୁ କାହାଣୀ ଗ୍ରହଣ କରି ପାଣି ମହାଶୟ ତାକୁ ନୂତନ ଭାବରେ ଜୀବନ୍ୟାସ ଦେଇଛନ୍ତି ।

(୩)

-

ଓଡ଼ିଆ ଲୋକନାଟକ-ଡଃ ହେମନ୍ତ କୁମାର ଦାସ, ପୃ ୨୦୯

 

ରାମାୟଣ, ମହାଭାରତ, ଭାଗବତ, ପଦ୍ମପୁରାଣ, ଦାର୍ଢ଼୍ୟତାଭକ୍ତି ପ୍ରଭୃତି ଭକ୍ତିମାର୍ଗର ଗ୍ରନ୍ଥଦ୍ୱାରା ସେ ବହୁ ଭାବରେ ପ୍ରଭାବିତ ହୋଇଛନ୍ତି, ଲୋକମୁଖୀ ସଙ୍ଗୀତ ମାଧ୍ୟମରେ ସେ ଏହାକୁ ପ୍ରସ୍ତୁତ କରିଛନ୍ତି ନିରକ୍ଷର ଓଡ଼ିଆ ଦର୍ଶକ ପାଇଁ । ଯାତ୍ରା ସର୍ବଥା ସଙ୍ଗୀତମୟ । ଏ ସମ୍ପର୍କରେ ଆଲୋଚକ ସାଧନ କୁମାର ଭଟ୍ଟାଚାର୍ଯ୍ୟ କୁହନ୍ତି-‘‘ନାଟକେ ଗାନଯୋଜନା ଓ ଯାତ୍ରାର ଗାନ ଯୋଜନାର ପାର୍ଥକ୍ୟ ବିଶ୍ଳେଷଣ କରତେ ଗିୟେ ଦେଖାଯାଇ ନାଟକେ ଗାନଯୋଜନା ସ୍ଥାନ କାଳ ପାତ୍ରର ଔଚିତ୍ୟର ଉପର ନିର୍ଭରଶୀଲ । ନାଟକେ ଗାନ ରସସଂଚାରେର ଉପାୟ ନୟ । ରସସୃଷ୍ଟିର ସମୁଚିତ ଉପାଦାନ ମାତ୍ର । ଯାତ୍ରାର ଗାନ ରସ ସଞ୍ଚାରେର ଦିକ୍‌ ଦିୟେ ଯାତ୍ରା ନାଟକେର ମଧ୍ୟେ ଅନ୍ତରଙ୍ଗ ଯୋଗସୂତ୍ର ବଟେ । କିନ୍ତୁ ରସ ସୃଷ୍ଟିର ସମୁଚିତ ବା ସ୍ୱାଭାବିକ ଉପାୟ ନୟ-କୃତ୍ରିମ ପକ୍ରିୟା ।’’ (୪) ଯାତ୍ରା ସଙ୍ଗୀତମୟ । କିନ୍ତୁ ‘‘ବୈଷ୍ଣବ ପାଣିଙ୍କ ଗୀତାଭିନୟରେ ସଙ୍ଗୀତର ପ୍ରାଚୁର୍ଯ୍ୟ ସହିତ ଗଦ୍ୟସଂଳାପର ବୈଶିଷ୍ଟ୍ୟ ମଧ୍ୟ ଉପଲବ୍‌ଧି ହୋଇଥାଏ । ଲୋକନୃତ୍ୟ ଓ ଲୋକ ସଂଗୀତର ସୁମଧୁର ସମନ୍ୱୟରୁ ଲୋକନାଟକର ସୃଷ୍ଟି ।’’ (୫)

 

(୪)

-

ନାଟ୍ୟତତ୍ତ୍ୱ ମୀମାଂସା-ସାଧନ କୁମାର ଭଟ୍ଟାଚାର୍ଯ୍ୟ, ପୃ ୪୫୬

(୫)

 

ଓଡ଼ିଆ ନାଟ୍ୟ ସାହିତ୍ୟ-ସର୍ବେଶ୍ୱର ଦାସ, ପୃ ୫

 

ବର୍ତ୍ତମାନ ବୈଷ୍ଣବ ପାଣିଙ୍କ ଗୀତାଭିନୟରେ ନାରୀଚରିତ୍ରର ବୈଶିଷ୍ଟ୍ୟ ଓ ବୈଚିତ୍ର୍ୟର ଉପାଦାନ ସଂଗ୍ରହ କରିବାକୁ ହେବ । ନାରୀ ଯୁଗ ଯୁଗ ଧରି ସମାଜର ଏ ଜୀବନଧାରାକୁ ପ୍ରବହମାନ ରଖିଛି । ସୀତରାମ, ଗୌରୀଶଙ୍କର, ଲକ୍ଷ୍ମୀନାରାୟଣ ଭାବରେ ଆମେ ନାରୀକୁ ସମ୍ମାନନୀୟା କରିଛୁ । ଯଜୁର୍ବେଦରେ କୁହାଯାଇଛି ଯେ ନାରୀ ‘ଇଡ଼ା’ ଅର୍ଥାତ୍‌ ସୁନ୍ଦର ବାଣୀ ଉଚ୍ଚାରଣକାରିଣୀ । ସେ ‘ରନ୍ତା’ ଅର୍ଥାତ୍‌ ରମଣୀୟା, ସୁରମ୍ୟା । ସେ ‘ହବ୍ୟା’ ବା ହବନ ଯୋଗ୍ୟା । ଅନ୍ୟର କଲ୍ୟାଣ ପାଇଁ ସେ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଆହୁତି ଦେଇପାରେ । ସେ ‘କାମ୍ୟା’ ଅର୍ଥାତ୍‌ କମନୀୟା । ତାହାର ଦର୍ଶନ ଓ ମିଳନ ପୁରୁଷ ସର୍ବଥା କାମନା କରିଥାଏ । ସେ ‘ଚନ୍ଦ୍ରା’-ଆହ୍ଲାଦ ଦାୟିନୀ । ବିପଦସଙ୍କୁଳ ପରିସ୍ଥିତି ଭିତରେ ମଧ୍ୟ ସେ ପୁରୁଷକୁ ଆହ୍ଲାଦିତ କରିପାରେ, ଆତ୍ମବଳ ପ୍ରଦାନ କରିପାରେ । ସେ ‘ଦ୍ୟୋତା’-ଦୀପ ସଦୃଶ ଗୃହକୁ ପ୍ରକାଶମାନ କରେ । ସେ ‘ଅଦିତି’-ଅଖଣ୍ଡନୀୟା, ପୁତ୍ରକନ୍ୟାଙ୍କୁ ଜନ୍ମ ଦେଇ ସେ ମୃତ୍ୟୁପରେ ମଧ୍ୟ କୁଳର ପରମ୍ପରା ରକ୍ଷା କରେ । ସେ ‘ସରସ୍ୱତୀ’ ଅର୍ଥାତ୍‌ ଶୁଦ୍ଧ ମଧୁରବାଣୀର ଉତ୍ସ । ସେ ‘ବିଶ୍ରୁତି’-କୀର୍ତ୍ତୀମାନ୍‌ ସନ୍ତାନର ଜନ୍ମଦାୟିନୀ, ତେଣୁ ଯଶସ୍ୱିନୀ । ସେ ‘‘ଅଘ୍ନ୍ୟା’’-କୌଣସି ସମୟରେ ଦୋଷ କରିଥିଲେ ମଧ୍ୟ ମାତୃଶକ୍ତି ହୋଇଥିବାରୁ ସେ ଅବଧ୍ୟା, ଅହନ୍ୟା-(୬) ସ୍ୱାମୀ ବିବେକାନନ୍ଦ କୁହନ୍ତି-‘‘ଭାରତରେ ଜନନୀ ହିଁ ଆଦର୍ଶନାରୀ । ମାତୃଭାବ ହିଁ ଏହାର ପ୍ରଥମ ଓ ଶେଷକଥା । ‘ନାରୀ’ ଶବ୍ଦ ହିନ୍ଦୁ ମନରେ ମାତୃତ୍ୱକୁ ହିଁ ସ୍ମରଣ କରାଇଦିଏ । ଭାରତରେ ଈଶ୍ୱରଙ୍କୁ ‘ମାଆ’ ବୋଲି ସମ୍ବୋଧନ କରାହୁଏ । (୭) ନାରୀ ପ୍ରେମମୟୀ ଭାବିନୀ, ସ୍ନେହମୟୀ ଜନନୀ, ଅଶିବର ବିନାଶ ପାଇଁ ସେ ଭୀମକର୍ମା, ପ୍ରତିଶୋଧପ୍ରବଣା, ଭୟଙ୍କରା । କେଉଁଠି ଭକ୍ତିଭାବନାର ପ୍ରାବଲ୍ୟ ମଧ୍ୟରେ ସେ ଏକ ଆଲୋକିତ ରାଜ୍ୟର ଅଧିବାସିନୀ । କେଉଁଠି ସେ ବୀରାଙ୍ଗନା ପୁଣି କେଉଁଠି ଶରଣାଗତପାଳିନୀ, ସହାନୁଭୂତିଶୀଳା । ସଖୀ ଭାବରେ ସେ ସାହାଯ୍ୟ କାରିଣୀ । ନାଗରିକ ଭାବରେ ରାଜ୍ୟର ଦୁଃଖସୁଖରେ ସମଭାଗିନୀ । ମାଲ୍ୟାଣୀ ବା କପଟ ବେଶଧାରିଣୀ ଭାବରେ ସେ କୁଶଳା ଓ ପ୍ରତ୍ୟୁପନ୍ନମତି । ଏହି ନାରୀକୁ ଗଣକବି କିଭଳି ନିଜ ଗୀତାଭିନୟରେ ଚିତ୍ରିତ କରିଛନ୍ତି ଆଲୋଚନା କରିବା ।

 

(୬)

-

ଯଜୁର୍ବେଦ ସୌରଭ-ଶ୍ରୀ ପ୍ରିୟବ୍ରତ ଦାସ-ପୃ ୮୯

(୭)

 

ସ୍ୱାମୀ ବିବେକାନନ୍ଦଙ୍କବାଣୀ ଓ ରଚନା-୫ମ ଖଣ୍ଡ-ପ୍ରକାଶକ ରାମକୃଷ୍ଣ ମଠ

 

ବୈଷ୍ଣବ ପାଣିଙ୍କ ରଚନାରେ ନାରୀର ମାତୃରୂପ-

ମାତୃରୂପ ନାରୀର ସର୍ବଶ୍ରେଷ୍ଠ ମହିମାମୟ ରୂପ, ଏକଥା ଅତି ପୂର୍ବରୁ ଆଲୋଚନା କରିଛେ । ‘କଂସ ଦିଗ୍‌ବିଜେ’ରେ ଦେବକୀ, ବ୍ରଜଲୀଳାର ଯଶୋଦା, ‘ରଙ୍ଗସଭାର ଯଶୋଦା ଓ ଦେବକୀ, ବାଲ୍ୟବିନୋଦର ଯଶୋଦା, ‘ପ୍ରହ୍ଲାଦ ଚରିତ’ର ହିରଣ୍ୟକଶିପୁର ରାଣୀ, ‘ଧ୍ରୁବଚରିତ’ର ସୁନୀତି, ‘ହରିଶ୍ଚନ୍ଦ୍ର’ର ଶୈବ୍ୟା, ‘ଗଙ୍ଗା ଭଗୀରଥ’ର ରାଜା ଦିଲ୍ଲୀପଙ୍କ ରାଣୀଦ୍ୱୟ ଆମର ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ଯଶୋଦା ଓ ଦେବକୀ ଚରିତ୍ର ଦ୍ୱୟ କେତେ ଯେ କବି ଓ ଭାବୁକଙ୍କ ପ୍ରାଣରେ କରୁଣ ରସର ବନ୍ୟା ଛୁଟାଇଲା ତାର କଳନା ନାହିଁ । ମହାଭାରତ, ଭାଗବତ ତଥା ଦୀନକୃଷ୍ଣ, କବିସୂର୍ଯ୍ୟ, ଅଭିମନ୍ୟୁ, ଭକ୍ତଚରଣ, ଗୌରଚରଣ, ଗୌରହରି ସମସ୍ତଙ୍କ କାବ୍ୟ ଧାରାରେ ଏହି ମାତୃମୂର୍ତ୍ତି ଦ୍ୱୟ ଅସପତ୍ନ ଆନ୍ତରିକତାରେ ଆସୀନ । ବୈଷ୍ଣବ ପାଣିଙ୍କ ଯଶୋଦା କେବଳ ନନ୍ଦରାଣୀ ନୁହନ୍ତି, ସାଧାରଣ ଜନନୀର ପ୍ରତିନିଧି ମାତ୍ର । ତାଙ୍କ କ୍ରନ୍ଦନ ଭିତରେ ବିଶ୍ୱଜନନୀ ହୃଦୟର ପ୍ରତିଧ୍ୱନି-

 

‘ଦୁଃଖିଧନ ନୀଳମଣିରେ ମାଆ ବୋଲି କିଏ ଡାକିବ ମୋତେ

ଗୋରୁ ଘେନି ଫେରି ଆସିଲା ବେଳକୁ କାହାପାଇଁ ଜଗି ବସିବି ପଥେ

ଯେବେ ବିକା ଆସିବ କୋଳି

କାନ୍ଦି କିଏ କରିବ ଅଳି

ଚଳି ହେଉଥିଲେ ଧୂଳି ଗୋଳି ହୋଇ

ଦୋଳି ଖେଳିବ କେ କାନି ପଣନ୍ତେ (୮)

 

(୮)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ବ୍ରଜଲୀଳା-ପୃ ୮୪

 

ଅକ୍ରୁର ଶ୍ରୀକୃଷ୍ଣଙ୍କୁ ମଧୁପୁର ନେଇଯିବ ଜାଣି ଯଶୋଦା ମ୍ରିୟମାଣ । ସେ ଅକ୍ରୁରଙ୍କୁ କୁହନ୍ତି-

 

‘‘କୃଷ୍ଣ ମଧୁପୁର ଯିବାର ଶୁଣି-କାନ୍ଦି କହୁଛନ୍ତି ଯଶୋଦାରାଣୀ

ଖୋଳିନିଅ ବେନି ଚକ୍ଷୁ ଅକ୍ରୁର-କ୍ଷୁର ତଣ୍ଟିରେ ଦେଇଯାଅ ମୋର’’ (୯)

 

(୯)

-

ବୈଷ୍ଣବ ପାଣି,-ବ୍ରଜଲୀଳା-ପୃ ୮୪

 

‘ବ୍ରଜଲୀଳା’ରେ କୃଷ୍ଣଙ୍କ ପାଟି ଭିତରେ ବିଶ୍ୱରୂପ ଦେଖି ଯଶୋଦା ଯେଉଁ ସଙ୍ଗୀତ ଗାନ କରିଛନ୍ତି, ସେଥିରେ ମାତୃ ହୃଦୟର ଭାବପ୍ରବଣତାଠାରୁ ଭୟ ଓ ଭକ୍ତିର ମାତ୍ରା ଅଧିକ । ଭୟଭୀତା ଯଶୋଦା କାତର ହୋଇ ମଙ୍ଗଳାଙ୍କୁ ପ୍ରାର୍ଥନା କରିଛନ୍ତି । ‘ବାଲ୍ୟବିନୋଦ’ରେ କୃଷ୍ଣଙ୍କୁ ହଳଦୀ ଲଗାଇ ଦେବାବେଳେ ଯଶୋଦା ସାଧାରଣ ଗୃହିଣୀ ଭଳି କକମିନାକୁ ଡାକିଛନ୍ତି । କକମିନା ଦାନ୍ତ କିଟି କିଟି କରୁଛି, ଲାଞ୍ଜ ପିଟୁଛି, କହ୍ନେଇ କାନ କାଟିଦେବ ଇତ୍ୟାଦି କହି ଅଝଟ ନହେବାକୁ ଆକଟ କରିଛନ୍ତି ।

 

‘‘ଆରେ କୋକ ମୋର କାହ୍ନୁକୁ ଧରି ନେଇ ଯାଆ ।

ମାନୁ ନାହିଁ ମୋ ବଚନ ଏଡ଼ିକି ଅଟେ ବାଇଆ’’ (୧୦)

 

(୧୦)

-

ବୈଷ୍ଣବ ପାଣି,- -ବାଲ୍ୟବିନୋଦ-ପୃ ୧୦୨

 

‘କଂସ ଦିଗ୍‌ବିଜେ’ ଗୀତାଭିନୟରେ ଦେବକୀ ମଧ୍ୟ ଜନନୀ ହୃଦୟର ମର୍ମାନ୍ତିକ ବେଦନା ପ୍ରକାଶ କରିଛନ୍ତି । ସେ ଅନେକ ବାର ଗର୍ଭକଷ୍ଟ ସହିଛନ୍ତି । କିନ୍ତୁ ସନ୍ତାନକୁ କୋଳରେ ଧରିବାର ସୌଭାଗ୍ୟ ତାଙ୍କର ହୋଇନାହିଁ । ସେ ନିଜର ପତି ବସୁଦେବଙ୍କୁ କୁହନ୍ତି-

 

ସହି ସହି ଗର୍ଭ କଷ୍ଟ ରହିଲି ହେ ପ୍ରାଣପତି

ଜାତ କରି ସୁତ ମୁଖ ନଚାହିଁଲି ହୀନମତି

ନ ଯାଉଛି ପୋଡ଼ା ପ୍ରାଣ            ଘଟ ତେଜି କି କାରଣ

ବନ୍ଦୀଶାଳେ ପଡ଼ି ଧନ୍ଦି ହେଉଛି ଯା ନିତିନିତି (୧୧)

 

(୧୧)

-

ବୈଷ୍ଣବ ପାଣି,-କଂସଦିଗ୍‌ବିଜେ-ପୃ ୨୪

 

ଏତାଦୃଶ ଶୋକାବହ ପରିବେଶ ସୃଷ୍ଟି କରିବାରେ ପାଣିକବି ନିଜର ପାରଦର୍ଶିତା ବାରମ୍ବାର ଦେଖାଇଛନ୍ତି । ‘ପ୍ରହ୍ଲାଦ ଚରିତ’ରେ ହିରଣ୍ୟକଶିପୁ ରାଣୀ ପ୍ରହ୍ଲାଦ ପ୍ରତି ପିତାଙ୍କର କ୍ରୋଧ ଦେଖି ଦୁଃଖରେ ମ୍ରିୟମାଣ । ଘାତକମାନେ ପ୍ରହ୍ଲାଦକୁ ବଧଭୂମିକୁ ନେଇଯିବା ବେଳେ ତାଙ୍କର କ୍ରନ୍ଦନ କରୁଣରସ ସୃଷ୍ଟି କରିଛି-

 

‘‘ମାଆ ମାଆ ଡାକ ଆଉ କାହାଠାରୁ ଶୁଣିବିରେ

ରୁଷି ଯାଉଥିଲେ କା’କୁ କୋଳକରି ଆଣିବିରେ’’ (୧୨)

 

(୧୨)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ପ୍ରହ୍ଲାଦଚରିତ ପୃ ୧୪୮

 

ରାଜାଙ୍କଦ୍ୱାରା ଆଦିଷ୍ଟ ହୋଇ ପ୍ରହ୍ଲାଦକୁ ସର୍ପ ଦଂଶନ କରାଇବାକୁ କେଳା ଆସିଛି । ପ୍ରହ୍ଲାଦ ନିଜର ନିଷ୍ଠା ଓ ଭକ୍ତିଯୋଗୁ ସର୍ପାଘାତରୁ ରକ୍ଷା ପାଇଛି । ସେ ମାଆଙ୍କୁ କହିଛି ଯେ ମାଆଙ୍କର ବିଶ୍ୱାସ ଯୋଗୁଁ ସେ ବଞ୍ଚିପାରିଛି । ମାଆ ଶୋକ ଗଦଗଦ ହୋଇ ନିଜର ଗର୍ଭକୁ ନିନ୍ଦା କରିଛନ୍ତି । ସେ ଗାଇଛନ୍ତି-

 

‘‘ଅଞ୍ଚଳନିଧିରେ ବ୍ୟାଧି ଔଷଧିରେ

କିମ୍ପା ମୋ କୋଳେ ତୋତେ ଜାତ କଲେ ବିଧିରେ (୧୩)

 

(୧୩)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ପ୍ରହ୍ଲାଦ ଚରିତ ପୃ ୧୫୪

 

ଏହି କ୍ରନ୍ଦନ ମଧ୍ୟରେ ପୁତ୍ର ପାଇଁ ଆବେଗ ପ୍ରବଣତା ସହିତ ପତିଙ୍କର ଅବିଚାର ପାଇଁ ଖେଦ ପ୍ରକଟିତ ହୋଇଛି । ‘ଧ୍ରୁବଚରିତ’ର ଅନ୍ୟତମ ମହିମାମୟୀ ମାତୃମୂର୍ତ୍ତି ହେଉଛନ୍ତି ଉତ୍ତାନପାଦ ପତ୍ନୀ ସୁନୀତି । ସେ ସପତ୍ନୀର କଟୁ ବାକ୍ୟବାଣ ସହିଛନ୍ତି । ପୁତ୍ରକୁ ଅବସାଦରୁ ଉଦ୍ଧାର କରି ତାକୁ ଅଶେଷ ଆତ୍ମବଳ ପ୍ରଦାନ କରିଛନ୍ତି ଓ ଏକ ଆଲୋକିତ ଦିଗ୍‌ବଳୟର ସନ୍ଧାନ ଦେଇଛନ୍ତି । ଧ୍ରୁବ ମାତାଙ୍କ ସହିତ କଥୋପକଥନ ଭିତରେ ଏହା ସ୍ପଷ୍ଟ-

 

ଧ୍ରୁବ

-

କି କଲେ ହୋଇବି ସିଂହାସନେ ଅଧିକାରୀ ?

ରାଣୀ

-

ବତ୍ସ ! ତାହା ଦେଲେ ଦେବେ ଦେବ ଦେବହରି ।

ଧ୍ରୁବ

-

କାହିଁଛନ୍ତି ସେହୁ କେହ୍ନେ ପାଇବି ତାହାଙ୍କୁ ?

ରାଣୀ

-

ବିନା ତପସ୍ୟାରେ ଦେଖା ନଦେବେ କାହାକୁ (୧୪)

 

(୧୪)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ଧ୍ରୁବଚରିତ ପୃ ୧୭୩

 

ଏହା ଜଣେ ନିଷ୍ଠାବତୀ ଜନନୀର ଗମ୍ଭୀର ଭକ୍ତି । କିନ୍ତୁ ନିଦ୍ରିତା ମାତାଙ୍କୁ ଛାଡ଼ି ଧ୍ରୁବ ଜଙ୍ଗଲକୁ ତପସ୍ୟା ପାଇଁ ଚାଲିଯାଇଛି । ସୁନୀତି ଉଠି ଧ୍ରୁବର ଅଦର୍ଶନରେ ବ୍ୟାକୁଳ ହୋଇ ରୋଦନ କରିଚନ୍ତି-

 

‘‘ଧ୍ରୁବ, ଘରଛାଡ଼ି ଗଲୁ ଘୋରବନରେ ବାପଧନ,

ଧ୍ରୁବ ଧ୍ରୁବ ବୋଲି ଯିବ ମୋ ଜୀବନରେ ବାପଧନ ।’’ (୧୫)

 

 

(୧୫)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ଧ୍ରୁବଚରିତ ପୃ ୧୭୩

 

କେବଳ ସେତିକି ନୁହେଁ ଅନ୍ୟଏକ ନାଟକୀୟ ପ୍ରସଙ୍ଗ ଧ୍ରୁବର ଖଡ଼ି ଗଡ଼ିଯିବା ଓ ଅନ୍ୟମାନେ ତାକୁ ପରିହାସ କରିବା ସମୟରେ ରାଣୀ ନିଜ ପୁତ୍ରକୁ ତାର ଜନ୍ମ ସଂପର୍କୀୟ ଘଟଣା ସ୍ପଷ୍ଟଭାବରେ କହିଛନ୍ତି । ହୁଏତ ମାତାଙ୍କର ନିଷ୍ଠା ଓ ସ୍ପଷ୍ଟବାଦିତା ଧ୍ରୁବର ଚରିତ୍ରଗଠନରେ ସହାୟକ ହୋଇଛି ଓ ଶିଶୁ ବୟସରେ ସେ ଈଶ୍ୱର ପ୍ରାପ୍ତିପାଇଁ କଠିନ ତପସ୍ୟା କରିବାକୁ ଆଗଭର ହୋଇଛି-

 

‘ହରିଶ୍ଚନ୍ଦ୍ର’ ଗୀତିନାଟ୍ୟରେ ରାଣୀ ଶୈବ୍ୟା ଅନ୍ୟ ଏକ ତ୍ୟାଗୋଜ୍ଜ୍ୱଳ ନାରୀ ଚରିତ୍ର । ସେ ଏକାଧାରରେ ଜନନୀ ଓ ଜାୟା । ବ୍ରାହ୍ମଣ ଘରେ ଦାସୀ ଭାବରେ ରହିଥିବା ରାଜରାଣୀ ଶୈବ୍ୟା ପୁତ୍ର ରୋହିତର ଶବକୁ ଧରି ଅନାଥିନୀ ପରି ବର୍ଷାରାତିରେ ଶ୍ମଶାନରେ କାନ୍ଦିବାର ଦୃଶ୍ୟସ୍ମରଣରେ ମଧ୍ୟ ଚକ୍ଷୁ ଲୋତକାପ୍ଳୁତ ହୋଇଯାଏ । ପାଣିକବିଙ୍କର ସମସ୍ତ ହାତଯଶ ଯେପରି ଶୈବ୍ୟା ଚରିତ୍ରରେ କରୁଣ୍ୟ ଭରି ଦେବାରେ ବ୍ୟୟ ହୋଇଯାଇଛି । ସେ ଶୋକଉଚ୍ଛ୍ୱାସ ମଧ୍ୟରେ ଗାଇଛନ୍ତି-

 

‘‘ଗଲାରେ ଗଲାରେ ଉଡ଼ି ଛାଡ଼ି ପିଞ୍ଜରା ମୋ କଳାଶାରୀ ।’’ (୧୬)

 

(୧୬)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ହରିଶ୍ଚନ୍ଦ୍ର ପୃ ୨୭୧

 

ମୃତପୁତ୍ରକୁ ଶ୍ମଶାନରେ ଛାଡ଼ି ଆସିବେ ବୋଲି ତାଙ୍କର ହୃଦୟ ଦୁଃଖରେ ବିଦୀର୍ଣ୍ଣ ହୋଇ ଯାଉଛି । ସେ ଗାଇଛନ୍ତି-

 

‘‘ବାପ, କେଉଁପରି ତତେ ଯିବି ଛାଡ଼ି

ଭାବିଲେ ସେ ଭାବମାନ

ପୋଡ଼ି ଯାଉଛି ମୋ ମନ

ପଡ଼ିବ ଆକାଶ ଶିରେ ଛିଡ଼ି ।’’(୧୭)

 

(୧୭)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ହରିଶ୍ଚନ୍ଦ୍ର ପୃ ୨୭୩

 

ପତି ଥାଉଁ ଥାଉଁ ଅନାଥା ଜୀବନ ବିତାଉଥିବା ରାଣୀ ଶୈବ୍ୟାଙ୍କର ଶେଷ ଭରସା ଥିଲା ଶିଶୁପୁତ୍ର ରୋହିତ । ରୋହିତର ଅପମୃତ୍ୟୁରେ ତାଙ୍କର ମର୍ମାନ୍ତିକ ଯନ୍ତ୍ରଣା ଦର୍ଶକକୁ ମଧ୍ୟ ଅଭିଭୂତ କରିଦିଏ ।

 

‘ଗଙ୍ଗା ଭଗୀରଥ’ ଗୀତିନାଟ୍ୟରେ ଭଗୀରଥର ଜନ୍ମ ଅପ୍ରାକୃତିକ । କେବଳ ଶିବଙ୍କ ଆଶୀର୍ବାଦରୁ ତାର ଜନ୍ମ । ତେଣୁ ସେ ସ୍ୱାଭାବିକ ଶିଶୁ ହୋଇପାରି ନାହିଁ । ମାଂସ ପିଣ୍ଡୁଳାଟିଏ ହୋଇଛି । ଅଷ୍ଟବକ୍ର ମୁନି ତାକୁ ସୁସ୍ଥ ଶିଶୁରେ ପରିଣତ କରିଛନ୍ତି । ବିଧବା ରାଣୀଦ୍ୱୟ ଭଗୀରଥ ପ୍ରତି ଅତ୍ୟଧିକ ସ୍ନେହଶୀଳା; ସେମାନଙ୍କ କଣ୍ଠରେ :

 

‘‘ଆସ ଆସ ମୋ ଦରିଦ୍ର ନିଧିରେ

କର କ୍ଷୀରପାନ, ସ୍ଥିର ହେଉ ମନ

ଦୂରେ ପଳାଇବ ଆମ୍ଭ ଚିନ୍ତା ବ୍ୟାଧିରେ ।’’ (୧୮)

 

(୧୮)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ଗଙ୍ଗା ଭଗୀରଥ ପୃ ୪୩୯

 

‘ଧ୍ରୁବଚରିତ’ରେ ସୁନୀତି ଦୁର୍ବାସାଙ୍କୁ କହିଥିଲେ ଯେପରି ବିଦ୍ୟାଶିକ୍ଷା ଦେବା ସମୟରେ ସେ ଧ୍ରୁବଙ୍କୁ ମାଡ଼ ନଦିଅନ୍ତି । ଅନୁରୂପ ଭାବରେ ରାଜା ଦିଲ୍ଲୀପଙ୍କ ରାଣୀଦ୍ୱୟ ଋଷି ବଶିଷ୍ଠଙ୍କୁ ନିବେଦନ କରିଛନ୍ତି ଯେ ସେ ପାଠପଢ଼ାଇବା ବେଳେ ଭଗୀରଥକୁ ମାରିବେ ନାହିଁ । ସରଜୁଘାଟ ସେଠାରୁ ନିକଟ । ପୁଅ ଯେପରି ପାଣିକୁ ନଯାଏ ସେଥିପାଇଁ ତାଠାରେ ନଜର କରିଥିବେ । ଭୋକ ହେଲେ ଖଣ୍ଡକ୍ଷୀର ଖୁଆଇବେ । ଛୁଟି ବେଳେ ଅନ୍ୟ ସାଥୀମାନଙ୍କ ସହିତ କଳିଗୋଳ ନକରିବାକୁ ଆକଟ କରିବେ, ସେ ସମୟରେ ଶିକ୍ଷାଦାନ ସହିତ ମାଡ଼ ଖାଇବା କଥାଟି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଥିଲା । ତେଣୁ ମାଆମାନେ ଅତି ଆକୁଳରେ ଶିକ୍ଷାଗୁରୁଙ୍କୁ ନିବେଦନ କରୁଥିଲେ ଯେପରି ତାଙ୍କର ସନ୍ତାନମାନେ ଅଧିକ ନିର୍ଯ୍ୟାତିତ ନ ହୁଅନ୍ତି । ଏଥିରୁ ତାଙ୍କର ମାତୃହୃଦୟର ମହାନୁଭବତା ହିଁ ଅନୁମାନ କରିହୁଏ ।

 

ଆଉ ଜଣେ ମାଆ ହେଉଛି ବ୍ରଜଲୀଳାର ଚନ୍ଦ୍ରଶେଣାର ମାଆ କାଣୀବୁଢ଼ୀ । ତାକୁ ଘର ଜଗାଇ ଚନ୍ଦ୍ରଶେଣା ବାହାରକୁ ଯାଇଥିଲା । ଶ୍ରୀକୃଷ୍ଣ ତାକୁ କୋକୁଆ ଭୟ ଦେଖାଇ ମନ୍ଦୁରାରେ ଭର୍ତ୍ତିକରି କାନ୍ଥକୁ ଡେରି ଦେଇଛନ୍ତି ଓ ରାଧାଙ୍କ ନିକଟକୁ ଯାଇଛନ୍ତି । ଏଥିରେ ବୁଢ଼ୀର ସରଳତା ଓ ନିର୍ବୋଧତା ପ୍ରକଟିତ । ଏହା ହାସ୍ୟରସ ସୃଷ୍ଟିରେ ସହାୟକ ହୋଇଛି ।

 

ବୈଷ୍ଣବ ପାଣିଙ୍କ ରଚନା ସମୂହରେ ପତ୍ନୀର ସ୍ୱରୂପ :

ପତନରୁ ଯେ ତ୍ରାଣ କରିପାରେ ସେ ହେଉଛି ପତ୍ନୀ । ଯେଉଁଘରେ ପତ୍ନୀର ଅସମ୍ମାନ ହୁଏ ସେ ଘରୁ ଲକ୍ଷ୍ମୀ ଛାଡ଼ି ଯାଆନ୍ତି । ପାଣିଙ୍କ ନାଟ୍ୟଜଗତରେ ପତ୍ନୀର ବୈଶିଷ୍ଟ୍ୟ ସର୍ବକାଳୀନତା ନେଇ ଉତ୍‌କୀର୍ଣ୍ଣ ।

 

ପତ୍ନୀ ଭାବରେ ଆମେ ପାଣିଙ୍କ ଚରିତ୍ରଚିତ୍ରଶାଳାରେ ଦେଖୁ ‘ପ୍ରହ୍ଲାଦ ଚରିତ’ର ହିରଣ୍ୟ ପତ୍ନୀ ବିଦ୍ୟୁଚ୍ଛାୟା, ‘ଧ୍ରୁବଚରିତ’ର ସୁନୀତି, ‘ନଳଦମୟନ୍ତୀ’ର ଦମୟନ୍ତୀ, ‘ହରିଶ୍ଚନ୍ଦ୍ର’ର ଶୈବ୍ୟା, କୀର୍ତ୍ତବୀର୍ଯ୍ୟଙ୍କ ରାଣୀ ‘ରଘୁଅରକ୍ଷିତ’ର ଅନ୍ନପୂର୍ଣ୍ଣା, ‘ମାଧବସୁଲୋଚନା’ର ସୁଲୋଚନା, ବୈଲୋଚନ ବଧ’ର ମାଳତୀ ଓ ‘କୀଚକ ବଧ’ର ଦ୍ରୌପଦୀ ।

 

ହିରଣାକ୍ଷଙ୍କୁ ବିଷ୍ଣୁ ବଧ କରିଛନ୍ତି । ତାର ପତ୍ନୀ ଶୋକରେ ଗଦ୍‌ଗଦ୍‌ ହୋଇ ଗାଇଛି-

 

‘‘ହାୟରେ କପାଳ ଆଜୁଁ ଦି ଫାଳ ହୋଇଲୁରେ

କମଳାବିଳାସୀ ବିଷ୍ଣୁ ମୋର କାଳ ହେଲୁରେ ।’’ (୧୯)

 

(୧୯)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ପ୍ରହ୍ଲାଦ ଚରିତ ପୃ ୧୩୭

 

ହିରଣ୍ୟକଶିପୁର ପତ୍ନୀ ବିଦ୍ୟୁଚ୍ଛାୟା ଇନ୍ଦ୍ର କବଳରେ ପଡ଼ିଛି । ସେ ଅସହାୟା ହେଲେ ମଧ୍ୟ ଇନ୍ଦ୍ରକୁ ତାର ଅତୀତର ପାପକର୍ମ ସମ୍ପର୍କରେ ଚେତାଇ ଦେଇଛି । ସେ କହେ-

 

‘‘ଉଚ୍ଚଲୋକ ହୋଇ ଇନ୍ଦ୍ର ନୀଚ କର୍ମ କରୁରେ

କେଉଁ ଧର୍ମବଳେ ଆସି ପରନାରୀ ହରୁରେ ।’’ (୨୦)

 

ଏହା ସହିତ ଇନ୍ଦ୍ରର ଗୁରୁପତ୍ନୀ ହରଣ, ସଗର ଯଜ୍ଞରୁ ଚୋରି ଇତ୍ୟାଦି ପ୍ରସଙ୍ଗ ଅବତାରଣା କରି ସେ ଇନ୍ଦ୍ରଙ୍କୁ ଉତ୍ୟକ୍ତ କରିଛି । ଇନ୍ଦ୍ର ଚାହେଁ ତାର ଗର୍ଭଚିରି ଗର୍ଭସ୍ଥ ଶିଶୁକୁ ହତ୍ୟା କରିବ, କାରଣ ବିଦ୍ୟୁଚ୍ଛାୟାର ପୁତ୍ର ହେଲେ ସେ ଇନ୍ଦ୍ର ପଦ ଲୋଡ଼ିବ ବୋଲି ଭବିଷ୍ୟତ ବାଣୀ ହୋଇଛି । ରାଣୀ ରାଜାଙ୍କୁ ଜଣାଇଛନ୍ତି ଯେ ନାରଦଙ୍କ ପାଇଁ ସେ ଇନ୍ଦ୍ରକବଳରୁ ମୁକ୍ତି ପାଇଛନ୍ତି ଓ ପୁତ୍ରଲାଭର ସକ୍ଷମ ହୋଇଛନ୍ତି । ଏଥିରୁ ତାଙ୍କର ପତିପ୍ରାଣତା ସ୍ପଷ୍ଟ ।

 

ସୁନୀତି ମଧ୍ୟ ପତି ଅନୁରକ୍ତା । ରାଜା ଉତ୍ତାନପାଦ ତାଙ୍କ ପୁରରେ ଗୋଟିଏ ରଜନୀ ଅତିବାହିତ କରିଥିଲେ । ସୁରୁଚି କୌଶଳ କ୍ରମେ ରାଜାଙ୍କୁ ସତ୍ୟ କରାଇ ସୁନୀତିଙ୍କୁ ବଣକୁ ପଠାଇ ଦେଲେ । ଆଶ୍ରମବାସୀ ସୁନୀତି ଦୁଃସାହସ କରି ରାଜା ଆଶ୍ରମରେ ଅତିଥି ଥିବା ସମୟରେ ତାଙ୍କର ପଦସେବା କରିଛନ୍ତି ଓ କୌଶଳରେ ରାଜାଙ୍କ ସହିତ ମିଳିତ ହୋଇଛନ୍ତି । ମିଳନର ସଙ୍କେତ ସ୍ୱରୂପ ସେ ରାଜମୁଦ୍ରିକା ରଖିଛନ୍ତି । ଏହା ଶକୁନ୍ତଳା ଦୁଷ୍ମନ୍ତଙ୍କ ପ୍ରେମ ଅନୁରୂପ ସୃଷ୍ଟି ହୋଇଥିବା ମନେହୁଏ । କାରଣ ଏଭଳି କାହାଣୀ ସୁନୀତି ଓ ଉତ୍ତାନପାଦଙ୍କ ସମ୍ପର୍କୀୟ ନୁହେଁ । ସୁନୀତି ଚତୁରୀ, ଦୃଢ଼ନୈତିକବଳ ସଂପନ୍ନା, କିନ୍ତୁ ପତି ଅନୁରକ୍ତା । ‘ନଳଦମୟନ୍ତୀ’ ଗୀତାଭିନୟରେ ଦମୟନ୍ତୀ ପ୍ରେମର ମୂର୍ତ୍ତିମତୀ ଦେବୀ । ସେ ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ ବରୁଣ ପ୍ରଭୃତି ଦେବତା ପାଣିପ୍ରାର୍ଥୀଙ୍କୁ ଅବଜ୍ଞା କରି ନଳଙ୍କ ଗଳାରେ ମରଣମାଳା ଦେଇଛନ୍ତି । ନଳ ପୁଷ୍କର କର୍ତ୍ତୃକ ପଶାରେ ହାରି ରାଜ୍ୟ ଧନ ହରାଇଛନ୍ତି । ଦମୟନ୍ତୀ ତାଙ୍କର ଅଦର୍ଶନରେ ବ୍ୟାକୁଳିତା । ସେ ସଖୀଗଣକୁ କହନ୍ତି-

 

“କହ ସଖୀଗଣେ ନାଥ କଲେ କେଣେ

କ୍ଷଣେ ପାଶରୁ ନ ଛାଡ଼ନ୍ତି ।’’ (୨୧)

 

ନଳରାଜ୍ୟ ହରାଇଥିବା ଜାଣି ସେ ନଳଙ୍କ ସହିତ ବନକୁ ଯିବେ ବୋଲି ଜିଦ୍‌ କରିଛନ୍ତି । ତାଙ୍କ କଥାରେ ପତିବ୍ରତା ନାରୀର ଉକ୍ତି-

 

‘‘ବନସୁଖ ନମିଳିବ ଭୁବନରେ

ଥିଲେ କତିରେ ପତି ଅଛି ସ୍ୱର୍ଗ ସମ୍ପତ୍ତି

ଏହା ବିଚାର ମନରେ ।’’ (୨୨)

 

ରାଜା ନଳଙ୍କର ଦୁଃଖ ସେ ସହିପାରୁ ନାହାନ୍ତି । ତେଣୁ ନାରୀ ସୁଲଭ ଗୁଣରେ ସେ ଦୈବକୁ ଦୋଷୀ କରିଛନ୍ତି-

 

‘‘ଦଇବରେ କେତେ ଦାରୁଣ ତୋ ଛାତି

ରାତିକି କରାଇ ଦିନ ଦିନ କରୁ ରାତି ।’’ (୨୩)

 

ଶନିଙ୍କ କ୍ରୂର ଦୃଷ୍ଟିରେ ପଡ଼ି ରାଜା ନଳ ନିଜର ପିନ୍ଧାବସ୍ତ୍ର ମଧ୍ୟ ହରାଇଛନ୍ତି । କିନ୍ତୁ ସେ ଧର୍ମକୁ ନିନ୍ଦା କରିବାରୁ ଦମୟନ୍ତୀ ତାଙ୍କୁ ବାରଣ କରିଛନ୍ତି ।

 

‘‘ନାଥ ଚିନ୍ତା କିଛି କରନାହିଁ ଚିତ୍ତେ

ରହିଥିଲେ ଏକ ବାସେ ଦୁହେଁ

ପୁଣି ଏକ ବାସେ ରହିବାକୁ କରିଲା ଦଇବ

ପିନ୍ଧି ମୋର ପଣତ କାନିକି

ନିନ୍ଦନାହିଁ ଧର୍ମକୁ କେବେ ହେଁ ।’’ (୨୪)

 

କିନ୍ତୁ ନଳ ଦମୟନ୍ତୀଙ୍କର ଅର୍ଦ୍ଧବସନ କାଟି ତାଙ୍କୁ ନିଦ୍ରିତାବସ୍ଥାରେ ଛାଡ଼ି ଚାଲି ଯାଇଛନ୍ତି । ଶୋକାଭିଭୂତ ଦମୟନ୍ତୀ ଶୁକ ପିକ, ବରହୀ, ଗିରିବର, ଗୟଳ, ବରାହ କୁରଙ୍ଗ, ଅହି ପ୍ରଭୃତି ସମସ୍ତ ବନଚର ପ୍ରାଣୀଙ୍କୁ ନିବେଦନ କରିଛନ୍ତି ନଳଙ୍କ ଠିକଣା ଜାଣିବା ପାଇଁ । ହରିଶ୍ଚନ୍ଦ୍ର ଗୀତିନାଟ୍ୟର ଶୈବ୍ୟା ଚରିତ ଏକାଧାରରେ ରାଣୀ ପୁଣି ଚାକରାଣୀ, ଉତ୍ତମା ପତ୍ନୀ, ଉତ୍ତମା ଜନନୀ କିନ୍ତୁ ପୁତ୍ରବିଧୂରା । ରାଜା ହରିଶ୍ଚନ୍ଦ୍ର ସମସ୍ତ ରାଜ୍ୟ ଧନ ବିଶ୍ୱାମିତ୍ରଙ୍କୁ ଦାନ କରି ମଧ୍ୟ ନିର୍ଭୟ ଶାନ୍ତ, ସମାହିତ, କିନ୍ତୁ ସେ ଚିନ୍ତା କରୁଛନ୍ତି କିଭଳି ଶୈବ୍ୟାକୁ କହିବେ । ହୁଏତ ଶୈବ୍ୟା ଦୁଃଖରେ ଭାଙ୍ଗିପଡ଼ି ପାରନ୍ତି । ସେ ରାଜାଙ୍କ ପ୍ରଶ୍ନର ଏହି ଉତ୍ତର ଦେଇଛନ୍ତି-

 

ରାଜା

-

ଧନ ଗଲା ବୋଲି ମନେ ହୁଅ କି ବିରସ ?

ରାଣୀ

-

ସୂର୍ଯ୍ୟକୁଳେ ଲାଗିନାହିଁ ସେ କଳଙ୍କ କେବେ

 

 

ଏମନ୍ତ ବଚନ ମୋତେ ଭାଷୁଛ କି ଭାବେ ? (୨୫)

 

(୨୦)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ପ୍ରହ୍ଲାଦ ଚରିତ ପୃ ୧୩୯

(୨୧)

 

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ନଳଦମୟନ୍ତୀ ପୃ ୧୯୮

(୨୨)

 

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ନଳଦମୟନ୍ତୀ ପୃ ୨୦୪

(୨୩)

 

ବୈଷ୍ଣବ ପାଣି ଗ୍ରନ୍ଥାବଳୀ -ନଳଦମୟନ୍ତୀ ପୃ ୨୦୭

(୨୪)

 

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ନଳଦମୟନ୍ତୀ ପୃ ୨୦୮

(୨୫)

 

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ହରିଶ୍ଚନ୍ଦ୍ର-ପୃ :୨୪୮

 

ରାଣୀ ଶୈବ୍ୟା ହରିଶ୍ଚନ୍ଦ୍ରଙ୍କ ସହିତ ବନକୁ ଯିବେ ବୋଲି ଅଭିଳାଷ ପୋଷଣ କରିଛନ୍ତି । ପୁତ୍ର ରୋହିତ ସହିତ ରାଜାଙ୍କ ଧର୍ମରକ୍ଷା ପାଇଁ ନିଜକୁ କାଶୀ ନଗରରେ ବିକ୍ରୟ କରିବାକୁ ମଧ୍ୟ କୁଣ୍ଠାବୋଧ କରିନାହାନ୍ତି । ମୃତ ରୋହିତକୁ ଧରି ରାଜା ଓ ରାଣୀ ଉଭୟଙ୍କର କ୍ରନ୍ଦନ ମଧ୍ୟ ଭାବୋଦ୍ଦୀପକ । ‘ଦାର୍ଢ଼୍ୟତାଭକ୍ତି’ ଅନୁସରଣରେ ରଚିତ ‘ରଘୁଅରକ୍ଷିତ’ ସୁଆଙ୍ଗରେ ଅନ୍ନପୂର୍ଣ୍ଣା ଏକ ବୁଦ୍ଧିମତୀ ନାରୀର ଚରିତ୍ର । ଗଙ୍ଗାଧରଙ୍କ କନ୍ୟା ଅନ୍ନପୂର୍ଣ୍ଣା ଦରିଦ୍ର ରଘୁର ଘରଣୀ । ପିତା ତାକୁ ଅନ୍ୟତ୍ର ବିବାହ ଦେବାକୁ ଇଚ୍ଛୁକ ଜାଣି ସେ ପୁରୀଯାତ୍ରୀମାନଙ୍କ ହସ୍ତରେ ଚିଠି ପଠାଇ ନିଜର ଦୁର୍ଦ୍ଦଶା ଭିକ୍ଷୁକ ସ୍ୱାମୀଙ୍କୁ ଜଣାଇ ପାରିଛି । ଜଗନ୍ନାଥଙ୍କ କୃପାରୁ ଭକ୍ତ ରଘୁ ପରଦିନ ଶ୍ୱଶୁର ଗୃହରେ ପହଞ୍ଚିଛି । ଶଳାଭାଉଜମାନେ ମିଥ୍ୟା ଆଦରରେ ତାକୁ ବିଷପିଠା କରି ଦେଇଛନ୍ତି । ଅନ୍ନପୂର୍ଣ୍ଣା ଚତୁରତାର ସହିତ ଗୋଟିଏ ପିଠାରେ ଚିଠି ଭର୍ତ୍ତି କରି ସେ ପିଠାରେ ବିଷ ଥିବାର ସମ୍ବାଦ ମଧ୍ୟ ରଘୁକୁ ଦେବାରେ ସଫଳ ହୋଇଛି । ପ୍ରଭୁଙ୍କୁ ନୈବେଦ୍ୟ କରିସାରିଥିବାରୁ ରଘୁ ନିର୍ବିକାରରେ ପିଠା ଖାଇଛି । ତାର କୌଣସି କ୍ଷତି ହୋଇନାହିଁ । କେତେକ ଦୂରାଗତ ପଥିକ ଗୃହୀ ରଘୁ ଘରେ ଭୋଜନ କରିବେ ବୋଲି ଆଶା କରିଛନ୍ତି । ଅନ୍ନପୂର୍ଣ୍ଣା ନିଜର ଅଳଙ୍କାର ବିକ୍ରୀ କରି ଖାଦ୍ୟ ପଦାର୍ଥ ଆଣିବ ବୋଲି ଧନୀ ଘରକୁ ଯାଇଛି । ଧନୀ ଚାହେଁ ଗୋଟିଏ ରାତି ତାକୁ ଉପଭୋଗ କରିବ ଓ ବଦଳରେ ଯାହା ଧନ ସେ ଚାହିଁବ ତାକୁ ଦେବ । ଅନ୍ନପୂର୍ଣ୍ଣା ଅତିଥି ସତ୍କାର ସାରି ସ୍ୱାମୀଙ୍କ ଅନୁମତି ନେଇ ଧନୀକୁ ସନ୍ତୋଷ କରିବାକୁ ଅପେକ୍ଷା କରି ବସି ରହେ । ଧନୀ ସେଠାରେ ପହଞ୍ଚି ଦେଖେ ଯେ ସ୍ୱୟଂ ଶ୍ରୀକୃଷ୍ଣ ଅନ୍ନପୂର୍ଣ୍ଣାଙ୍କୁ କୋଳରେ ଧରି ବିରାଜମାନ । ସେ ଅନ୍ନପୂର୍ଣ୍ଣାଙ୍କୁ ମାଆ ବୋଲି ସମ୍ବୋଧନ କରି ଫେରିଯାଏ । ଏଥିରେ ଅନ୍ନପୂର୍ଣ୍ଣାଙ୍କର ପତିଭକ୍ତି, ଚାତୁର୍ଯ୍ୟ ଓ ଅତିଥିପରାୟଣତାର ପ୍ରସଙ୍ଗ ବେଶ୍‌ ହୃଦ୍ୟ ।

 

କାର୍ତ୍ତବୀର୍ଯ୍ୟଙ୍କ ରାଣୀ ପତି ଅନୁରକ୍ତିରେ ଅଦ୍ୱିତୀୟା । ବ୍ରାହ୍ମଣ ଯମଦଗ୍ନିଙ୍କୁ ହତ୍ୟାକରି ରାଜା ତାଙ୍କର ଗାଈ ଅପହରଣ କରିଛନ୍ତି ଜାଣି ସେ ଅସନ୍ତୁଷ୍ଟ, କିନ୍ତୁ ରାଜାଙ୍କୁ କିଛି ଅନୁରୋଧ କରିବା ତାଙ୍କର ସାଧ୍ୟାତୀତ । ତେଣୁ ସଖୀକୁ ମନର କଥା କହିବା ବେଳେ ସେ ଯେ ସ୍ୱାମୀଙ୍କ ଆଚରଣରେ କ୍ଷୁବ୍‌ଧ ଏକଥା ଜାଣିହୁଏ ।

 

‘ମାଧବ ସୁଲୋଚନା’ରେ ପ୍ଳକ୍ଷ୍ମଦ୍ୱୀପର ରାଜା ଗୁଣାକରଙ୍କ କନ୍ୟା ସୁଲୋଚନା ଖୁବ୍‌ ଦୁଃସାହସିନୀ । ମାଧବଠାରୁ ପତ୍ର ଓ ମୁଦ୍ରିକା ପାଇ ସେ ମାଲୁଣୀ ହାତରେ ସମ୍ବାଦ ଦେଇଛି ଯେ ବିବାହ ବେଦୀରୁ, ହାତଗଣ୍ଠି ପଡ଼ିବା ପୂର୍ବରୁ ସେ ଉପରକୁ ହାତ ଟେକିଦେବ ଓ ମାଧବ ତାକୁ ଅପହରଣ କରିନେବ । ମାଧବର ନାପିତବନ୍ଧୁ ପ୍ରଚେଷ୍ଟା କନ୍ୟା ଅପହରଣ କରିଛି । ନିଜର ଉପସ୍ଥିତ ବୁଦ୍ଧି ବଳରେ ସୁଲୋଚନା ପ୍ରଚେଷ୍ଟାଠାରୁ ରକ୍ଷା ପାଇଛି । ଛଦ୍ମବେଶରେ ବୀରବର ନାମ ଧରି ସୁଲୋଚନା ମାଧବର ନିଷ୍ଠା ପରୀକ୍ଷା କରିଛି । ଶେଷରେ ଉଭୟଙ୍କର ମିଳନ ହୋଇଛି ।

 

‘ବୈଲୋଚନ ବଧ’ରେ ମାଳତୀ ହେଉଛନ୍ତି ନିଜେ ଯୋଗାମାୟା ଦୁର୍ଗା, ପ୍ରଣୟର ଛଳନା କରି ସେ ବୈଲୋଚନକୁ ବଧ କରି ପୃଥିବୀରୁ ପାପଭାରା ଉଶ୍ୱାସ କରିଛନ୍ତି । ‘କୀଚକ ବଧ’ର ଦ୍ରୌପଦୀ କୀଚକ ନିକଟରୁ ଅପମାନିତା ହୋଇ ନିଜର ପଞ୍ଚପତିଙ୍କୁ ଧିକ୍‌କାର କରିଛନ୍ତି । ଏଥିରୁ ତାଙ୍କର ସ୍ୱାଭିମାନ ପ୍ରକାଶିତ । ଏତାଦୃଶ ଧିକ୍‌କାର ହିଁ ଛଦ୍ମବେଶୀ ଭୀମଙ୍କୁ ଉତ୍ତେଜିତ କରିଛି । ଦ୍ରୌପଦୀଙ୍କ ଉକ୍ତି-

 

‘‘ବୁଡ଼ି ନ ମଲରେ କୁନ୍ତୀ ନନ୍ଦନ

ପୋଡ଼ି ଯାଉଅଛି ହୃଦୟ ମୋହର ଅନାଇଲେ ତୁମ୍ଭ ବଦନ

ଛିଡ଼ି ନ ପଡ଼ିଲା ମୁଣ୍ଡେ ଆକାଶ ପଡ଼ି ଦାସ ପଣେ ମୋଡ଼ୁଛ ନିଶ

ବିଷ ନ ମିଳିଲା ଗ୍ରାସ କରିବାକୁ, ଛାଡ଼ିଲା କି ଡରି ଶମନ’’ (୨୬)

 

 

ଏହାପରେ ହିଁ ଦ୍ରୌପଦୀଙ୍କର ଚାତୁର୍ଯ୍ୟ ଫଳରେ କୀଚକ ବଧ ସମ୍ଭବ ହୋଇଛି । ‘ଗଙ୍ଗା ଭଗୀରଥ’ ଗୀତାଭିନୟରେ ଭଗୀରଥଙ୍କ ପତ୍ନୀ ଭଗୀରଥଙ୍କ ଶପଥ ଶୁଣି ବିବ୍ରତ ହୋଇପଡ଼ିଛନ୍ତି । ସେ ଗଙ୍ଗାଙ୍କୁ ଆଣିବାକୁ ଯିବେ । ପିତୃ ପୁରୁଷଙ୍କ ଉଦ୍ଧାର ହିଁ ତାଙ୍କ ଜୀବନର ଲକ୍ଷ୍ୟ । ତେଣୁ ଆସନ୍ନପ୍ରସବା ପତ୍ନୀଙ୍କୁ ସେ ପ୍ରବୋଧନା ଦିଅନ୍ତି । ରାଣୀ କୁହନ୍ତି-

 

ପ୍ରାଣପତି, କହ ଶୁଭେ ଫେରି ଆସିବ ଝଟତି ହେ

କୋଟିଏକ ଯୁଗ ହେବ ଗୋଟିଏକ ରାତି ହେ (୨୭)

 

ପତ୍ନୀରୂପର ଏତାଦୃଶ ବିଚିତ୍ର ଚିତ୍ରଣରେ ଦେଖାଯାଏ ଯେ ଏମାନେ ପତି ଅନୁରକ୍ତା, ପତିର ହିତସାଧିନୀ, ପ୍ରେମମୟୀ, ଧୈର୍ଯ୍ୟଶୀଳା, ଚତୁରୀ, ପ୍ରତ୍ୟୁତ୍ପନ୍ନମତି, କୁଳମର୍ଯ୍ୟାଦାର ରକ୍ଷାକାରିଣୀ ତଥା ମମତାମୟୀ । ଏଥର ଆଲୋଚନା କରିବା ନାରୀର ଭଗିନୀ ରୂପ ସମ୍ପର୍କରେ ।

 

ବୈଷ୍ଣବ ପାଣିଙ୍କ ରଚନାରେ ନାରୀର ଭଗିନୀ ରୂପ-

ପାଣି ମହାଶୟ ଭାରତୀୟ ସମାଜର ପାରିବାରିକ ସମ୍ପର୍କରେ ମାଧୁର୍ଯ୍ୟକୁ ଉଚ୍ଚସ୍ଥାନ ଦେଇଛନ୍ତି । ସେଠାରେ ଭଗିନୀର ବୈଶିଷ୍ଟ୍ୟ ସ୍ୱୀକୃତ ହୋଇଛି । ଭଗିନୀ ଭାବରେ ଦେବକୀ ଚରିତ୍ର ପ୍ରଥମେ ଆମ ସମ୍ମୁଖକୁ ଆସେ । ରାଜକନ୍ୟା, ରାଜବଧୂ ଦେବକୀ ପ୍ରବଳ ପ୍ରତାପୀ କଂସାସୁରର ଭଗିନୀ । ଦୈବୀବାଣୀ ଶୁଣି ଉତ୍ତେଜନାରେ ଦେବକୀକୁ ହତ୍ୟା କରିବାକୁ ଉଦ୍ୟତ ଭାଇକୁ ଦେବକୀ କହନ୍ତି-

 

‘‘ଭାଇ ରଖ ଏ ଘଟ

ଜାତ କରି ସୁତେ ଦେବୁ ତୋହ ନିକଟ’’ (୨୮)

 

(୨୬)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-କୀଚକବଧ-ପୃ ୬୨୯

(୨୭)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ଗଙ୍ଗା ଭଗୀରଥ-ପୃ ୪୪୬

(୨୮)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-କଂସଦିଗ୍‌ବିଜେ-ପୃ ୨୨

(୨୯)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ରଙ୍ଗସଭା-ପୃ ୯୬

(୩୦)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ଇନ୍ଦ୍ରଲୀଳା-ପୃ ୪୧

 

‘ରଙ୍ଗସଭା’ରେ ମଧ୍ୟ ଅନୁରୂପ ଭାବରେ ଦେବକୀ ନିଜ ଭାଇଙ୍କ ନିକଟରେ ମିନତି କରିଛନ୍ତି-

 

‘‘ଭାଇ କଂସ କେଉଁ ଦୋଷ କଲି ମୁହିଁରେ

କାଟିବୁ ମୋ ଶିର ବୀର ଏଥିପାଇଁ ରେ (୨୯)

 

‘ବ୍ରଜଲୀଳା’ରେ ପୁତନା ରାକ୍ଷସୀ କଂସର ଭଗିନୀ ଭାବରେ ଚିତ୍ରିତ । ସେ କଂସର ବିରସ ମୁଖ ଦେଖି ଦୁଃଖିତା । ତେଣୁ ସେ ତାର କାରଣ ପଚାରିଛି-

 

‘‘କାହିଁପାଇଁ ଭାଇ ମସ୍ତକ ନୁଆଁଇ କରୁଛୁ ରୋଦନରେ

କି ବିପଦ ଆସି ପଡ଼ିଅଛି ତୋର ଶୁଖିଛି ବଦନରେ’’ (୩୦)

 

କଂସର ଦୁଃଖ ଜାଣି ସେ ଛଦ୍ମ ବେଶରେ ଗୋପକୁ ଯାଇଛି ଓ କୃଷ୍ଣଙ୍କୁ କ୍ଷୀର ଖୁଆଇବା ବେଳେ ମୃତ୍ୟୁବରଣ କରିଛି । ଭାଇ ପାଇଁ ସେ ଶ୍ରୀକୃଷ୍ଣଙ୍କ ସହିତ ଶତ୍ରୁତା କରିବାପାଇଁ ପଶ୍ଚାତ୍‌ପଦ ହୋଇନାହିଁ ।

 

‘କୀଚକ ବଧ’ରେ ମହାରାଣୀ ସୁଦେଷ୍ଣା ମହାବଳୀ କୀଚକର ଭଗିନୀ । ସେ ବିରାଟରାଜାଙ୍କ ରାଣୀ ସତ, କିନ୍ତୁ କୀଚକ ଆଦେଶରେ ରାଜ୍ୟ ପରିଚାଳିତ ହୋଇଥାଏ । କୀଚକ ସୈରିନ୍ଧ୍ରୀଙ୍କ ପ୍ରତି ଆକର୍ଷିତ ବୋଲି ସୁଦେଷ୍ଣା ଭାଇଙ୍କ ପତ୍ର ପାଠ କରି ଜାଣି ପାରିଛନ୍ତି । ତେଣୁ ସେ ପୂର୍ବସତ୍ୟ ବିସ୍ମୃତ ହୋଇ ଭାଇଙ୍କ ଆନନ୍ଦ ପାଇଁ ସୈରିନ୍ଧ୍ରୀଙ୍କୁ ପାନପାତ୍ର ସହିତ କୀଚକ ନିକଟକୁ ପଠାଇଛନ୍ତି । ଭାଇଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୁଦେଷ୍ଣାଙ୍କର ଏ ପ୍ରକାର ଆଦେଶ ତାଙ୍କର ଚରିତ୍ରର ଦୁର୍ବଳ ଦିଗ ହୋଇପାରେ, କିନ୍ତୁ ଏଥିରେ ତାଙ୍କର ସରଳତା ହିଁ ପ୍ରଥମେ ଆମ ଆଖିରେ ପଡ଼େ ।

 

ବୈଷ୍ଣବ ପାଣିଙ୍କ ରଚନା ସମୂହରେ ପ୍ରେମିକାର ସ୍ୱରୂପ :

‘ପ୍ରେମ’ ମାନବ ପ୍ରକୃତିର ଏକ ବଳିଷ୍ଠ ବିଭାବ । ଏହା ମନୁଷ୍ୟର ସାମୟିକ ସ୍ୱଭାବକୁ ନିୟନ୍ତ୍ରଣ କରିପାରେ । ବୈଷ୍ଣବ ପାଣି ଖୁବ୍‌ ସଚେତନ ଭାବରେ ନାରୀର ଏହି ରୂପକୁ ତାଙ୍କର ରଚନା ସମୂହରେ ଚିତ୍ରଣ କରିଛନ୍ତି । ସେ ରାଧା, ଗୋପୀଗଣ, କୁବୁଜା, ମୀରାବାଈ, ସୁଲୋଚନା ଭଳି ପ୍ରେମିକା ସୃଷ୍ଟି କରିଛନ୍ତି । ଏମାନଙ୍କର ଐକାନ୍ତିକ ପ୍ରେମ ଭାବନା ପୁରୁଷକୁ ମହାପୁରୁଷରେ ରୂପାନ୍ତରିତ କରିପାରେ । ସେମାନଙ୍କର ନିଷ୍ଠା ସମଗ୍ର ଘଟଣା ପ୍ରବାହର ଗତି ନିୟନ୍ତ୍ରଣ କରେ । ‘ବ୍ରଜଲୀଳା’ରେ ମାନମୟୀ ରାଧା କୃଷ୍ଣଙ୍କୁ କହିଛନ୍ତି ଯେ ସେ ଯେପରି ମଧୁପୁର ଯିବାକଥା ଆଉ କେବେ ରାଧାଙ୍କୁ ନ କହନ୍ତି । ‘ରଙ୍ଗସଭା’ ଗୀତାଭିନୟରେ ଗୋପୀଗଣ ମଧ୍ୟ ପ୍ରେମ ପାଗଳିନୀ । ସେମାନେ କୃଷ୍ଣପ୍ରେମ ପାଇଁ କୁଳଶୀଳ ଲାଜ ଭୟ ଛାଡ଼ିଛନ୍ତି । ସେମାନେ ଅକ୍ରୁରଙ୍କୁ କୁହନ୍ତି :

 

‘‘ନ ନିଅ ଆମ୍ଭ ଶ୍ରୀହରି ହେ ଅକ୍ରୁର

ଏ ଗୋପ ଅନ୍ଧାର କରି ।’’ (୩୧)

 

ପୁଣି କୃଷ୍ଣଙ୍କୁ ଅଭିମାନ ଜର୍ଜରିତ ହୋଇ କହିପାରନ୍ତି-

 

ପାଶୋରିଲ ପୂର୍ବଭାବ ହେ ମାଧବ

ପଛେ ମନେ କରୁଥିବ ।’’ (୩୨)

 

(୩୧)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ରଙ୍ଗସଭା ପୃ ୮୫

(୩୨)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ରଙ୍ଗସଭା ପୃ ୮୬

(୩୩)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ରଙ୍ଗସଭା ପୃ ୯୧

(୩୪)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ରଙ୍ଗସଭା ପୃ ୯୪

(୩୫)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ନଳଦମୟନ୍ତୀ ପୃ ୧୮୧

 

ଏସବୁ ଉଦ୍ଧୃତିରୁ ପ୍ରେମର ଲୌକିକତାର ସୁସ୍ଥ ପରିପ୍ରକାଶ ଲକ୍ଷ୍ୟ କରାଯାଇ ପାରେ । ‘ରଙ୍ଗସଭା’ର ମାଳିନୀ କୁବୁଜା ପ୍ରେମର ଅନ୍ୟଏକ ଉଦାହରଣ । ସେ କୃଷ୍ଣଙ୍କ ପାଇଁ ପ୍ରତୀକ୍ଷମାଣା, ଦୂରରୁ କୃଷ୍ଣଙ୍କୁ ଦେଖି ସେ ଗାଏ-

 

‘‘କଟି ଘଣ୍ଟି ଘାଗୁଡ଼ି ଚଳନ୍ତେ କରେ ରଡ଼ି

କିବା ମାର ଡଗର ଦେଇଛି ମର୍ତ୍ତ୍ୟେ ଧାଡ଼ି

ଯୁବତୀ ଜାତି ଛାଡ଼ି ମାତି, ହୋଇବେ ୟାର ପଦତଳିଆ (୩୩)

 

କୃଷ୍ଣ ଓ କୁବୁଜାର ଚଢ଼ାଉତ୍ତରା (duet)ରେ କୁବୁଜାର ପ୍ରେମ ନିବେଦନ ବେଶ୍‌ ହୃଦ୍ୟ । ତାପରେ କୁବୁଜା କୃଷ୍ଣଙ୍କ ନିକଟରେ ନିଜର କୃତଜ୍ଞତା ମଧ୍ୟ ପ୍ରକାଶ କରିଛି । ମଥୁରା ନାରୀମାନେ କୃଷ୍ଣଙ୍କୁ ଦେଖି ଗୋପନାରୀମାନଙ୍କ ସୌଭାଗ୍ୟକୁ ଈର୍ଷା କରିଛନ୍ତି । ଗୋପନାରୀମାନେ କୃଷ୍ଣଙ୍କ ଶୈଶବ ସହିତ ସଂପୃକ୍ତ । ସେମାନେ କୃଷ୍ଣଙ୍କୁ-

 

‘‘ତୋଳି ଧରି ଲେ କାଖରେ

ଭୋଳ ହୋଇଚୁମ୍ବ ଦେଲେ ମୁଖରେ ଗୋ

କାଳ କାଟିଲେ କେତେ ସୁଖରେ, ସଜନୀ ଗୋ (୩୪)

 

ଏଥିରେ ମଥୁରାନାରୀଙ୍କର ପ୍ରେମରେ ଅସହିଷ୍ଣୁତା ପ୍ରକାଶିତ ହୋଇଛି, ଯାହାକି ସାଧାରଣ ନାରୀ କ୍ଷେତ୍ରରେ ଦେଖା ଦେଇଥାଏ ।

 

‘ନଳଦମୟନ୍ତୀ’ ଗୀତାଭିନୟର ପ୍ରାରମ୍ଭରେ ଦେବକନ୍ୟାମାନଙ୍କର ଗୀତରୁ ପ୍ରେମର ସର୍ବକାଳୀନ ବୈଶିଷ୍ଟ୍ୟ ପ୍ରତିପାଦିତ ହୋଇଥାଏ ।

 

‘‘ବଡ଼ କଠିନ ପ୍ରେମର ପାଠ, ପଢ଼ି ଯେ ଶିଖିଛି ସେହି ଧନୀ ସଂସାରେ ।’’ (୩୫)

 

ଏହା ‘‘ବିଦ୍‌ଗଧ ଚିନ୍ତାମଣି’’ର ‘‘ବଡ଼ କଠିନ ସେ ପ୍ରୀତି ପାଳିବା, ତୀକ୍ଷ୍ମଣ ଅସିଧାରେ ପଥ ଚାଲିବା’ର ଅନୁରୂପ ବୋଧହୁଏ । ହଂସଦୂତଠାରୁ ପତ୍ର ପାଇ ପ୍ରେମିକା ଦମୟନ୍ତୀ ବିହ୍ୱଳିତା ହୋଇଛନ୍ତି । ଇନ୍ଦ୍ର, ବରୁଣ ଓ ଯମଙ୍କୁ ପ୍ରତ୍ୟାଖ୍ୟାନ କରି ଦମୟନ୍ତୀ ନଳଙ୍କୁ ବରଣ କରିଛନ୍ତି ଏବଂ ପ୍ରେମିକାରୁ ପତ୍ନୀ ପାଲଟିଛନ୍ତି, ‘ମାଧବ ସୁଲୋଚନା’ରେ ପ୍ରେମିକା ସୁଲୋଚନା ଦୁଃସାହସିନୀ, ଉପସ୍ଥିତ ବୁଦ୍ଧିସଂପନ୍ନା ଓ ଚତୁରୀ, ସେ ବିବାହ ବେଦୀରୁ ମନୋନୀତ ପୁରୁଷ ସହିତ ଅପହୃତା ହେବାକୁ ଶ୍ଳାଘ୍ୟ ମଣେ, ପିତାଙ୍କ ଦ୍ୱାରା ନିର୍ବାଚିତ ରାଜପୁତ୍ରକୁ ଗ୍ରହଣ କରେ ନାହିଁ । ପତିବନ୍ଧୁ ନାପିତ ପ୍ରଚେଷ୍ଟାର କୂଟବୁଦ୍ଧି ମଧ୍ୟ ତା ପାଖରେ ହାରମାନେ । ଶେଷରେ ସେ ଛଦ୍ମବେଶରେ ମାଧବର ଚିତ୍ତପରୀକ୍ଷା କରି ବସେ । ମିଥ୍ୟା ସମ୍ବାଦ ଦେଇ ମାଧବକୁ ଉଚ୍ଚକିତ କରେ । ଶେଷରେ ଉଭୟଙ୍କର ମିଳନ ହୁଏ । ‘ବୈଲୋଚନ ବଧ’ର ମାଳତୀ ମଧ୍ୟ ପ୍ରେମର ଛଳନା କରି ବୈଲୋଚନ ବଧ କରିବାରେ ସକ୍ଷମ ହୁଏ । କିନ୍ତୁ ଏହା ଲୌକିକତା ଠାରୁ ଊର୍ଦ୍ଧ୍ୱରେ, କାରଣ ମାଳତୀ ହେଉଛନ୍ତି ସ୍ୱୟଂ ଜଗନ୍ମାତା ଦୁର୍ଗା, ଯେକି ନାରୀ ରୂପରେ ପୃଥ୍ୱୀଭାରା ନିବାରଣ ପାଇଁ ଅବତୀର୍ଣ୍ଣ ହୋଇଛନ୍ତି । ଲାବଣ୍ୟବତୀ, ସଂଯୁକ୍ତା, ଖୁଲଣା, ଇନ୍ଦ୍ରାବତୀ, ଶକୁନ୍ତଳା, ମୀରାବାଈ, ପଦ୍ମାବତୀ ପ୍ରଭୃତି ଚରିତ୍ର ପ୍ରେମର ପରାକାଷ୍ଠା ରୂପାୟନ କରିବାରେ ସକ୍ଷମ ହୋଇଛନ୍ତି । ମନୁଷ୍ୟର ସର୍ବଶ୍ରେଷ୍ଠ ଉପଲବ୍‌ଧି ହେଉଛି ପ୍ରେମ, ଯାହା ମନୁଷ୍ୟକୁ ଊର୍ଦ୍ଧ୍ୱମୁଖୀ କରାଇ ଦେବତ୍ୱର ସନ୍ଧାନ ଦେଇପାରେ । ଓଡ଼ିଶୀ ସାମାଜିକ ଜୀବନରେ ପ୍ରେମର ରୂପ ତ୍ୟାଗପୂତ, ସୁସ୍ଥ ତଥା ସାମାଜିକ । ଏଥିରେ ତ୍ୟାଗ ହେଉଛି ଶ୍ରେୟସ୍କର । ନାଟକରେ ଶୃଙ୍ଗାର ରସର ସ୍ଥାନ ଅବିସମ୍ବାଦିତ । ଏହି ପ୍ରମୁଖ ନାରୀ ଚରିତଗୁଡ଼ିକ ପ୍ରେମର ବିବିଧ ବୈଚିତ୍ର୍ୟକୁ ନେଇ ରସୋତ୍ତୀର୍ଣ୍ଣ । ଏ ପ୍ରେମ ମନୁଷ୍ୟକୁ ପରିବାର, ସମାଜ ତଥା ସମଗ୍ର ସଂସାର ପ୍ରତି ଉତ୍ତରଦାୟୀ କରିଦିଏ ।

 

ବୈଷ୍ଣବ ପାଣିଙ୍କ ରଚନା ସମୂହରେ ପ୍ରତିଶୋଧପ୍ରବଣା ନାରୀ :-

ନାରୀ ସ୍ନେହ, ପ୍ରେମ, ଶ୍ରଦ୍ଧା, ତିତିକ୍ଷା ଓ କ୍ଷମାର ମୂର୍ତ୍ତିମତୀ ଦେବୀ । କିନ୍ତୁ ପ୍ରତିଶୋଧପ୍ରବଣା ହେଲେ ତାର ସମସ୍ତ ସୁକୁମାର ପ୍ରବୃତ୍ତି ସାମୟିକ ଭାବରେ ନଷ୍ଟ ହୋଇଯାଏ ଓ ସେ ନାନା ଅଘଟଣ ଘଟାଇ ପାରେ । ‘ଧ୍ରୁବଚରିତ’ର ସୁରୁଚି ଅସହିଷ୍ଣୁତା ଓ ସପତ୍ନୀ ସୁଲଭ ପ୍ରତିଶୋଧ ପ୍ରବଣତାର ସ୍ୱରୂପ । ତାର ପ୍ରତିହିଂସା ଯୋଗୁ ସୁନୀତି ନିର୍ବାସନ ଦଣ୍ଡ ପାଇଛନ୍ତି, ବିମାତାଙ୍କ କଟୁ ବଚନ ଯୋଗୁ ସୁନୀତି-ନନ୍ଦନ ଧ୍ରୁବ ପିତାଙ୍କ କୋଳରେ ବସିବାର ଅଧିକାର ମଧ୍ୟ ପାଇ ନାହିଁ । ରାଜା ଉତ୍ତାନପାଦ ସୁନୀତି ପୁରରେ ଗୋଟିଏ ରାତି କଟାଇ ଥିବାରୁ କୌଶଳରେ ରାଜାଙ୍କୁ ସତ୍ୟ କରାଇ ସୁରୁଚି ସପତ୍ନୀକୁ ବଣକୁ ପଠାଇବାରେ ସଫଳ ହୋଇ ପାରିଛି । କିଂକର୍ତ୍ତବ୍ୟବିମୂଢ଼ ରାଜାଙ୍କୁ ସୁନୀତି କହେ-

 

‘‘ଆଉ ଭାଳିଲେ କି ହେବ ରାଜା

ଏବେ ମିଳିଲା ପୀରତି ମଜା ।’’ (୩୬)

 

‘କାର୍ତ୍ତବୀର୍ଯ୍ୟ ସଂହାର’ରେ କୌଣ୍ଡିନ୍ୟ କୁଳର ବିଧବାରାଣୀ ମହାଶ୍ୱେତା ପ୍ରତିଶୋଧ ପ୍ରବଣତାର ଜ୍ୱଳନ୍ତ ନିଦର୍ଶନ । କାର୍ତ୍ତବୀର୍ଯ୍ୟ ତାଙ୍କର ପତିହନ୍ତା । ତେଣୁ କାର୍ତ୍ତବୀର୍ଯ୍ୟ ବଧ ହିଁ ତାଙ୍କ ଜୀବନର ଚରମ ଲକ୍ଷ୍ୟ । ସେ ପର୍ଶୁରାମଙ୍କୁ କହନ୍ତି ଯେ ସେ ଆସି ପ୍ରଥମେ ଶିବଙ୍କୁ ସନ୍ତୁଷ୍ଟ କରନ୍ତୁ । ସେ ପର୍ଶୁରାମଙ୍କୁ କହନ୍ତି-

 

ଯେ ପାଷାଣ୍ଡ ତୋତେ ପିତୃହରା କଲା

ସେ ମୋତେ ଦେଲା ଏ ଦଣ୍ଡରେ

କରାଇଲା ରାଣ୍ଡ, ହରି ରାଜ୍ୟଦଣ୍ଡ

ଅଶ୍ରୁସିକ୍ତ କଲା ଗଣ୍ଡରେ (୩୭)

 

କାର୍ତ୍ତବୀର୍ଯ୍ୟଙ୍କୁ ପରିହାସ କରି ସେ ଗାଇଛନ୍ତି-

ରାଜା ରହିଯା ରହିଯା କିଛି କାଳ ତୁ ରହିଯା

ଆଜିକ ରହ କାଲିକୁ ପାଇବୁ ତୋ ମଜା (୩୮)

 

କାର୍ତ୍ତବୀର୍ଯ୍ୟଙ୍କ ମୃତ୍ୟୁରେ ହିଁ ତାଙ୍କର ପ୍ରତିଶୋଧପ୍ରବଣତା ପ୍ରଶମିତ ହୁଏ । ସେ ଆନନ୍ଦରେ ନୃତ୍ୟ କରି ଗାଆନ୍ତି-

 

‘‘ବେଶ୍‌ ହେଲା ବେଶ୍‌ ହେଲା ବେଶ୍‌ ହେଲା ବେଶ୍‌

ଶେଷ ହେଲା ଶେଷ ହେଲା ଶେଷ ହେଲା ଶେଷ’’ (୩୯)

 

ବୈଷ୍ଣବ ପାଣିଙ୍କ ରଚନାରେ ନିମ୍ନବର୍ଗର ନାରୀ :-

(ସଖୀ, ଦାସୀ, ମାଲ୍ୟାଣୀ ଓ ବେଶ୍ୟା)

ସଖୀଗଣ ସର୍ବଦା ନାୟିକାର ସାହାଯ୍ୟ କାରିଣୀ । ସେମାନେ ବିପଦ ସମୟରେ ଧୈର୍ଯ୍ୟ ଦିଅନ୍ତି । ଅନେକ ବିଷମ ସମସ୍ୟା ଚତୁରତାର ସହିତ ସମାଧାନ କରି ପାରନ୍ତି । ‘ନଳ ଦମୟନ୍ତୀ’ ଗୀତାଭିନୟରେ ସଖୀ ଚରିତ୍ର ବେଶ୍‌ ଶିକ୍ଷିତା ଓ ବୁଦ୍ଧିମତୀ ମନେହୁଏ । ପ୍ରେମର ବୈଶିଷ୍ଟ୍ୟ ସଂପର୍କରେ ତାର ମତାମତ-

 

‘‘ଜେମାଦେଈ, ନ ହେବ ଅନଳ, ହୋଇବ ନଳ

ଶେଷରେ ଦେହକୁ ହେବ ଅନଳ ।’’ (୪୦)

 

(୩୬)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ଧ୍ରୁବଚରିତ ପୃ ୧୬୫

(୩୭)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-କାର୍ତ୍ତବୀର୍ଯ୍ୟ ସଂହାର ପୃ ୩୧୯

(୩୮)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-କାର୍ତ୍ତବୀର୍ଯ୍ୟ ସଂହାର ପୃ ୩୨୮

(୩୯)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-କାର୍ତ୍ତବୀର୍ଯ୍ୟ ପୃ ୩୪୪

(୪୦)

-

ବୈଷ୍ଣବପାଣି ଗ୍ରନ୍ଥାବଳୀ-ନଳଦମୟନ୍ତୀ ପୃ ୧୮୮

 

ଦମୟନ୍ତୀଙ୍କର ବ୍ୟାକୁଳତା ଦେଖି ସଖୀ କହନ୍ତି ଯେ ପ୍ରକୃତରେ ନଳ ଦେବଦୂତ ହୋଇ ଆସିଥିଲେ କି ନାହିଁ ସେକଥା ବୁଝିବାକୁ ହେବ । ତେଣୁ ସେ କହନ୍ତି-

 

‘‘ଦିଅଁ ଖୋଳୁ ଖୋଳୁ ବାହାରେ ସାପ, ଦିଅଁ ଗଢ଼ୁଗଢ଼ୁ ମାଙ୍କଡ଼ ରୂପ

ହୋଇଲେ ପ୍ରଭାତ, ଜାଣିବା ସତ, କି ଦେବ ଦୂତ, ନାଥ କି ଭୂତ’’ (୪୧)

 

‘ଧ୍ରୁବଚରିତ’ରେ ଦାସୀ ରାଜାଙ୍କୁ ଗର୍ଭବତୀ ରାଣୀଙ୍କର ଆଶାଥିବା ବିଭିନ୍ନ ଖାଦ୍ୟ ପଦାର୍ଥ ସମ୍ପର୍କରେ ଦୀର୍ଘ ବିବରଣୀ ଦେଇଛି । ‘ମାଲ୍ୟାଣୀ’ ଚରିତ୍ର ସମଗ୍ର ଲୋକ-ସାହିତ୍ୟରେ ଏକ ପ୍ରଭାବଶାଳୀ ଚରିତ୍ର । ସେ କଳେ ବଳେକୌଶଳେ କାର୍ଯ୍ୟସିଦ୍ଧି କରାଇ ପାରେ । ‘ମାଧବ ସୁଲୋଚନା’ ଗୀତିନାଟ୍ୟରେ ଗନ୍ଧିନୀ ମାଲୁଣୀ ମାଧବର ପତ୍ର ଓ ମୁଦ୍ରିକା ନେଇ ନାୟିକା ନିକଟକୁ ଯାଇଛି ଓ ତାଠାରୁ ବାର୍ତ୍ତା ନେଇ ନାୟକକୁ ଦେଇଛି ।

 

‘ଧ୍ରୁବଚରିତ’ ଗୀତିନାଟ୍ୟରେ ଧ୍ରୁବର ତପସ୍ୟା ଦେଖି ଇନ୍ଦ୍ର ବିବ୍ରତ । ସେ ରମ୍ଭା ବେଶ୍ୟାକୁ ଡାକି ଧ୍ରୁବର ଧ୍ୟାନ ଭଙ୍ଗ କରାଇବାର ଯୋଜନା କରିଛନ୍ତି । କିନ୍ତୁ ରମ୍ଭା କହେ ସାତ ବର୍ଷର ବାଳକ କାମନାର କୁଟିଳତାକୁ ହୃଦୟଙ୍ଗମ କରିପାରିବ ନାହିଁ । ତେଣୁ ତାର ତପୋଭଙ୍ଗ କରିବା ପାଇଁ ରମ୍ଭା ଅକ୍ଷମ । ‘ଦଣ୍ଡୀପର୍ବ’ରେ ଉର୍ବଶୀ ଦେବ-ମନୋହାରିଣୀ ନୃତ୍ୟପ୍ରବୀଣା ନାରୀ । ସେ ଅଭିଶାପ ପାଇଛି ଯେ ଦିନରେ ଘୋଟକୀ ହେବ ଓ ରାତିରେ ତରୁଣୀ ହେବ । ଦଣ୍ଡୀଙ୍କ ପ୍ରତି ତାର ପ୍ରେମ ଅସୀମ, କିନ୍ତୁ ଦେବ ଅଭିଶାପରୁ ମୁକ୍ତି ପାଇବା ପାଇଁ ସେ ସୁଭଦ୍ରାଙ୍କର ସାହାଯ୍ୟ ଲୋଡ଼ିଛି । ସୁଭଦ୍ରା ମଧ୍ୟ ଉର୍ବଶୀର ଦୁଃଖରେ ଅଭିଭୂତା ହୋଇ ତାକୁ ଶରଣ ଦେଇଛନ୍ତି ।

 

ବୈଷ୍ଣବ ପାଣିଙ୍କ ରଚନାରେ ବୀରାନାରୀର ସ୍ୱରୂପ :

ଗ୍ରନ୍ଥାବଳୀର ପ୍ରଥମ ଭାଗରେ ‘ଦଣ୍ଡୀପର୍ବ’ରେ ଆମେ ସୁଭଦ୍ରାଚରିତ୍ର ଦେଖୁ । ସେ ଶୌର୍ଯ୍ୟ ଓ ସୌନ୍ଦର୍ଯ୍ୟର ସୁସମ ସମନ୍ୱୟ । ସେ ଅର୍ଜୁନଙ୍କୁ କହେ-

 

‘‘ତୁମ୍ଭେ ରଥୀ ହେବ ମୁହଁ ସାରଥି ନେତ୍ରେ ଦେଖିବି ମୋହନ ମୂରତି

X X X X

ବୀରମାତା ମୁହିଁ ବୀର ବନିତା ବୀରଭଗ୍ନୀ ପୁଣି ବୀରର ସୁତା

ବୀରକାର୍ଯ୍ୟ ଶିକ୍ଷା ଅଛି ମୋର ଦୀକ୍ଷା ଅସ୍ତ୍ରଶସ୍ତ୍ର ଚିହ୍ନ ଦେଖ ଦେହର ।’’ (୪୨)

 

ପାଣିଙ୍କ ରଚନା ସମୂହରେ ଦେବୀ ସ୍ମୃତି ଓ ମାତୃକୃପା :

ବୈଷ୍ଣବ ପାଣିଙ୍କ ଚରିତ୍ରମାନେ ବିପଦରେ ପଡ଼ିଲେ ଦୁର୍ଗତିନାଶିନୀ ଦୁର୍ଗାଙ୍କୁ ଧ୍ୟାନ କରନ୍ତି । ‘ବ୍ରଜଲୀଳା’ରେ ଶିଶୁପତ୍ର ମୁଖରେ ବିଶ୍ୱରୂପ ଦର୍ଶନ କରି ଭୟଭୀତା ଯଶୋଦା ମଙ୍ଗଳାମୟୀ ମଙ୍ଗଳାଙ୍କୁ ଧ୍ୟାନ କରିଛନ୍ତି । ତାଙ୍କୁ ଲୋଳିତରସନା; ଲଳିତଭାଷିଣୀ, ଜବାଧରା; ଶବାସନା, ଦୈତ୍ୟନାଶିନୀ, ସଂକଟନାଶିନୀ, ଶାକମ୍ବରୀ ଭାବରେ ପ୍ରାର୍ଥନା କରିଛନ୍ତି । ‘ବାଲ୍ୟବିନୋଦ’ରେ ଯଶୋଦା ଦେବୀଙ୍କୁ ଲୋଳଲୋଳିତରସନା, ମହୀକଷ୍ଟନିବାରିଣୀ; ଲଳିତ ଭାଷିଣୀ, ଶାକମ୍ବରୀ, ଶବାସନା, ଦୁର୍ଦ୍ଦଣ୍ଡ ଦୈତ୍ୟନାଶିନୀ ବୋଲି ପ୍ରଣାମ କରିଛନ୍ତି । ‘କାର୍ତ୍ତବୀର୍ଯ୍ୟସଂହାର’ରେ କାର୍ତ୍ତବୀର୍ଯ୍ୟଙ୍କ ପତ୍ନୀ ରାଜ୍ୟ ଛାଡ଼ି ଚାଲିଯାଉଥିବା ରାଜଲକ୍ଷ୍ମୀଙ୍କୁ ଜଣାଣ କରି କୁହନ୍ତି-

 

‘ମାଗୋ, ପେଲି ନ ଦେ ଖେଦ ଦରିଆରେ’ (୪୩)

 

‘ଗଙ୍ଗା ଭଗୀରଥ’ ଗୀତିନାଟ୍ୟରେ ଗଙ୍ଗାଙ୍କର ଭଗୀରଥ ପ୍ରତି ଯେଉଁ ଶ୍ରଦ୍ଧା ପ୍ରକଟିତ ହୋଇଛି ତହିଁରୁ ତାଙ୍କର ମାତୃରୂପ ହିଁ ଦେଖିବାକୁ ମିଳେ ।

 

‘‘କେଉଁଠାରେ ତୋର ବଂଶ ଆରେ ବାପଧନ

କପିଳ ନୟନାନଳ କାହିଁ କରଇ ଦହନ

ତୋ ପରା ସୁତ ନଥିଲେ            ସେ କି ନିସ୍ତରନ୍ତେ ଭଲେ

କେ ମୋତେ ଏଥେ ଆଣନ୍ତା ସହି ମହା କଷ୍ଟମାନ ।

ତୋ ଯୋଗେ ଭୂମି ଭାରତ            ହେଲାରେ ଆଜୁଁ ପବିତ୍ର

ରଖାଇଲୁ କ୍ଷିତି ପରେ ଖ୍ୟାତି ଦମ୍ଭ ଚିରଦିନ’ (୪୪)

 

ଏହିଭଳି ଭାବରେ ଭଗୀରଥ ଦେବୀ ଗଙ୍ଗାଙ୍କର ସ୍ନେହ ଓ ଆଶୀର୍ବାଦ ଲାଭ କରିଛି ।

 

ନଟୀ ଓ ଅଦୃଷ୍ଟକୁମାରୀଗଣ ବୈଷ୍ଣବ ପାଣିଙ୍କ ଗୀତାଭିନୟକୁ ଏକ ଭାବ ସଂହତି ଦେଇ ପାରିଛନ୍ତି । ପ୍ରସ୍ତାବନା ଦୃଶ୍ୟରେ ନଟନଟୀଙ୍କ ଗୀତ ଓ ଅଭିନୟ ମାଧ୍ୟମରେ ବିଷୟ ପ୍ରବେଶ ଘଟିଛି-। ନାଟକର ମୂଳଉତ୍ସ ସହିତ ଦର୍ଶକର ପରିଚିତି ସମ୍ଭବ ହୋଇଛି । ସେମାନେ ବୈଷ୍ଣବ ପାଣିଙ୍କ ରଚନାର ବୈଶିଷ୍ଟ୍ୟ ତଥା କବିଙ୍କର ଚିନ୍ତାର ଆଧୁନିକତା ଦର୍ଶାଇବାରେ ସମର୍ଥ । ଅଦୃଷ୍ଟ କୁମାରୀମାନେ ନିୟତିର କାର୍ଯ୍ୟ ସମ୍ପାଦନା କରିଛନ୍ତି । ଉତ୍କଣ୍ଠାର ଚରମ ମୁହୂର୍ତ୍ତରେ ସେମାନେ ଘଟଣାର ଭବିଷ୍ୟତ ସମ୍ପର୍କରେ ଧାରଣା ଦେଇ ଉତ୍କଣ୍ଠା ମଧ୍ୟ ହ୍ରାସ କରିଛନ୍ତି । ହରିଶ୍ଚନ୍ଦ୍ର ଗୀତାଭିନୟରେ ଏକାଧିକ ଥର ଅଦୃଷ୍ଟକୁମାରୀମାନଙ୍କ ସଙ୍ଗୀତ ସଂଯୋଜିତ ହୋଇଛି । ନୀତିମୟ ଜୀବନଯାପନରେ ଅଭ୍ୟସ୍ତ ଗ୍ରାମ ଦର୍ଶକ ନାଟକର ପରିଣତି ପର୍ଯ୍ୟନ୍ତ ଅପେକ୍ଷା କରିପାରନ୍ତି ନାହିଁ । ସେମାନଙ୍କର ଧୈର୍ଯ୍ୟହୀନତାର ପରିତୃପ୍ତି ପାଇଁ ଅଦୃଷ୍ଟକୁମାରୀ ଭଳି ଚରିତ୍ରମାନେ ଆବଶ୍ୟକ ହୋଇଥାଆନ୍ତି । ପୁରନାରୀମାନେ ଅନାମଧେୟା ହେଲେ ମଧ୍ୟ ଉନ୍ନତ ରୁଚିଶୀଳ । ସେମାନେ ରାଜଉଆସରେ ଘଟୁଥିବା ଘଟଣାକୁ ସମାଲୋଚନା କରିପାରନ୍ତି । ପ୍ରହ୍ଲାଦକୁ ସର୍ପାଘାତ କରାଇବାକୁ ଆସିଥିବା କେଳାର ମୃତ୍ୟୁ ହେଉ ବୋଲି କାମନା କରନ୍ତି । ଭଗୀରଥର ଜନ୍ମ ସମୟରେ ରାଜପୁରରେ କିଛି ଅସାମାଜିକ ଘଟଣାମାନ ଘଟିଛି ବୋଲି ପରିହାସ ମଧ୍ୟ କରିଛନ୍ତି । ଏମାନଙ୍କ ଉକ୍ତିପ୍ରତ୍ୟୁକ୍ତି ମଧ୍ୟରେ ଓଡ଼ିଶା ଜନଜୀବନ ତାର ସମସ୍ତ ସ୍ୱାଭାବିକତା ନେଇ ବିକଶିତ ହୋଇଛି । ଗୋଟିଏ ଉଦାହରଣ ‘ବାଲ୍ୟବିନୋଦ’ରୁ-ହାସ୍ୟପ୍ରବୀଣା ଚତୁରୀ ପୁରନାରୀମାନେ ଶିଶୁ କୃଷ୍ଣଙ୍କୁ କୁହନ୍ତି-

 

ଟୋକାବକଟକ ଟେକ ଦେଖି । ତାଟକା ହେଲିଣି ଆଗୋ ସଖୀ (୪୬)

X X X X

ବୁଢ଼ାକାଳଛୁଆ ଖଣ୍ଡକ, ଏଡ଼େ ଦୁରୁଦଣ୍ଡ ଆଜୁ ହେଲାଣି (୪୭)

 

(୪୧)

-

ବୈଷ୍ଣବପାଣି ଗ୍ରନ୍ଥାବଳୀ-ନଳଦମୟନ୍ତୀ ପୃ ୧୯୦

(୪୨)

-

ବୈଷ୍ଣବପାଣି ଗ୍ରନ୍ଥାବଳୀ-ଦଣ୍ଡୀପର୍ବ ପୃ ୫୨୭

(୪୩)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-କାର୍ତ୍ତ୍ୟବୀର୍ଯ୍ୟ ସଂହାର ପୃ ୩୨୮

(୪୪)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ଗଙ୍ଗା ଭଗୀରଥ ପୃ ୪୫୩

(୪୬)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ବାଲ୍ୟବିନୋଦ-ପୃ ୧୧୪

(୪୭)

-

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ବାଲ୍ୟବିନୋଦ-ପୃ ୧୧୯

 

ଏହି ପଦ ଦ୍ୱୟରୁ କୃଷ୍ଣଙ୍କର ଚାରିତ୍ରିକ ବୈଶିଷ୍ଟ୍ୟ ସହିତ ନନ୍ଦ ଯଶୋଦା ବିଗତ ଯୌବନରେ ପୁତ୍ରଲାଭ କରିଥିବାର ଅର୍ଥ ସ୍ପଷ୍ଟ ହୋଇଯାଏ ।

 

ନାରୀର ଭୁବନମୋହିନୀ ରୂପ ବିନ୍ୟାସରେ ପାଣି ମହାଶୟ ଖୁବ୍‌ କାବ୍ୟିକ । ନାରୀର ହାସ୍ୟ କଟାକ୍ଷ ପ୍ରଭୃତି ଚେଷ୍ଟାଗୁଡ଼ିକୁ ସେ ବେଶ୍‌ ସଂଭ୍ରମର ସହିତ ରୂପାୟିତ କରିଛନ୍ତି । ମାତୃମୂର୍ତ୍ତି ଭାବରେ ପରିକଳ୍ପିତ ଚରିତ୍ରଗୁଡ଼ିକ ଯେତିକି ପବିତ୍ର ସେତିକି ମହିମାମୟୀ । ସେମାନେ ସାଧାରଣ ନାରୀଭଳି ଶଂକାକୁଳା । ଶିଶୁ ସନ୍ତାନର ରିଷ୍ଟ ଖଣ୍ଡନ ପାଇଁ ସେମାନେ ଦେବୀସ୍ତୁତି କରନ୍ତି । ସନ୍ତାନର କଷ୍ଟ ଦେଖି କରୁଣ ରସର ମହାପ୍ଳାବନ ମଧ୍ୟ ସୃଷ୍ଟି କରିପାରନ୍ତି । ପତ୍ନୀଭାବରେ ସେମାନେ ବିଚାରଶୀଳା, କୂଟନୀତି ପ୍ରବୀଣା । ପ୍ରେମିକା ଭାବରେ ଦୁଃସାହସିନୀ ଓ ପତ୍ୟୁତ୍ପନ୍ନମତି-। ବୀରାନାରୀ ଭାବରେ ଏକ ବିଶିଷ୍ଟ ଗୌରବର ଅଧିକାରିଣୀ । ଏମାନେ ଏତେ ଜୀବନ୍ତ ଯେ ଆଜି ମଧ୍ୟ ବୈଷ୍ଣବ ପାଣି ଗୀତାଭିନୟ ନାରୀଚରିତ୍ର ସହିତ ଏକାତ୍ମ ହୋଇଅଛି । ବିସର୍ଜନ କରିବାକୁ ଅପେକ୍ଷା କରିଥିବା ଦର୍ଶକଙ୍କ ସଂଖ୍ୟା କମ୍‌ ନୁହେଁ । ଏ ସମ୍ପର୍କରେ ଆଲୋଚକ C. R. Reaske କୁହନ୍ତି-“The expectations of the audience must be fulfilled to some extent X X X. Expectations apply to language as well. Audience expectations, in are effect, one of the dramatist’s tools. Because the playwright knows that the audience expects princesses and heroes to speak in certain ways, he writes their speeches accordingly”. (୪୮)

 

ବୈଷ୍ଣବ ପାଣି ଓଡ଼ିଆ ଦର୍ଶକମାନଙ୍କର ଚାହିଦା ବୁଝିଥିଲେ । ସେମାନଙ୍କର ନାଡ଼ୀ ନକ୍ଷତ୍ର ଚିହ୍ନିଥିଲେ । ତେଣୁ ସୁରୁଚି ଓ ସୁନୀତିଙ୍କ କଳହ ବର୍ଣ୍ଣନା ବେଳେ ସେମାନେ ରାଣୀ ହୋଇ ରହିନାହାନ୍ତି ବରଂ ପାଲଟି ଯାଇଛନ୍ତି ଦୁଇଜଣ ଗ୍ରାମ୍ୟରମଣୀ ।

 

‘‘ବୈଷ୍ଣବ ପାଣିଙ୍କ ନାଟ୍ୟପ୍ରତିଭା’, ପ୍ରବନ୍ଧରେ ଅଧ୍ୟାପକ କାର୍ତ୍ତିକେଶ୍ୱର ସାହୁ କୁହନ୍ତି, ଓଡ଼ିଆ ଯାତ୍ରାରେ ସଂସ୍କାର ଓ ନୂତନ ଦିଗ୍‌ବଳୟର ସୂଚନା ଦେଇ ସେ ଏହାର ଉଜ୍ଜ୍ୱଳ ଭବିଷ୍ୟତ ସମ୍ପର୍କରେ ଆମକୁ ସଚେତନ କରିଛନ୍ତି । ଗୀତାଭିନୟଗୁଡ଼ିକ କେବଳ ସଙ୍ଗୀତ ମୁଖର ଥିଲା । ଯାତ୍ରାର ରଚୟିତା ସଙ୍ଗୀତଜ୍ଞ କବି । ଗଦ୍ୟ ସଂଳାପର ସମାବେଶ ପାଣିଙ୍କର ଏକ ସାହସିକ ପଦକ୍ଷେପ । ପ୍ରାଚୀନ କବିତା କ୍ଷେତ୍ରରେ ନବୀନ ଗଦ୍ୟ ମୁଖର ଜୀବନ ପାଇଁ ଏହା ଥିଲା ପ୍ରଥମ ସାହିତ୍ୟିକ ଅଭିଯାନ ।’’ (୪୯)

 

ଗଣକବି ବୈଷ୍ଣବ ପାଣି ଥିଲେ ଖୁବ୍‌ ଦୁଃସାହସୀ ସ୍ରଷ୍ଟା । ସେ ଜାତୀୟତାର ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ପ୍ରଚଳିତ ସମାଜ ଓ ରାଜନୀତିର ଅନ୍ଧକାର ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସଙ୍ଗୀତ ହୋଇଛି ତାଙ୍କର ଦର୍ଶକ ସହିତ ଯୋଗାଯୋଗ ରକ୍ଷାର ବିଶିଷ୍ଟ ଉପାଦାନ । ‘ଓଡ଼ିଆ ଯାତ୍ରା ଓ ଲୋକନାଟ୍ୟ ପରିକ୍ରମା’ ସଂକଳନରେ ଗ୍ରନ୍ଥ ପ୍ରବେଶ ‘ଲୋକନାଟକ ଓ ଯାତ୍ରା ଏକ ଅନୁଶୀଳନ’ ପ୍ରବନ୍ଧରେ ଡଃ ବୈଷ୍ଣବ ଚରଣ ସାମଲ କୁହନ୍ତି ‘‘ଏମାନେ ପରମ୍ପରାକୁ ଛାଡ଼ିଲେ ନାହିଁ । ପୁରାଣରୁ ଉପାଖ୍ୟାନ ଆଣିଲେ । ଇତିହାସ ଓ କିମ୍ବଦନ୍ତୀରୁ ମଧ୍ୟ ଆଣିଲେ । ସମକାଳୀନ ସମାଜ ସହିତ ମିଶାଇ ନୂଆରୂପ ଦେଲେ । ଗ୍ରାମ ହେଲା ସେମାନଙ୍କର ଅଭିନୟ ଭୂମି । ମୁକ୍ତମଞ୍ଚ ହେଲା ସେମାନଙ୍କର ଅଭିନୟ ସ୍ଥାନ । ଗ୍ରାମର ମଣିଷ ହେଲେ ସେମାନଙ୍କର ଦର୍ଶକ । ସଙ୍ଗୀତ ହେଲା ସେମାନଙ୍କର ନାଟ୍ୟ ଆବେଦନର ମୁଖ୍ୟ ବିଭବ ।’’ (୫୦)

 

(୪୮)

-

How to analyse Drama-C. R. Reaske-ପୃ ୭୧

(୪୯)

-

ଓଡ଼ିଆ ଯାତ୍ରା ଓ ଲୋକନାଟ୍ୟ ପରିକ୍ରମା-ବୈଷ୍ଣବ ପାଣିଙ୍କ ନାଟ୍ୟ ପ୍ରତିଭା-ଅଧ୍ୟାପକ କାର୍ତ୍ତିକେଶ୍ୱର ସାହୁ-ପୃ ୩୩୪

(୫୦)

-

ଓଡ଼ିଆ ଯାତ୍ରା ଓ ଲୋକନାଟ୍ୟ ପରିକ୍ରମା-ଗ୍ରନ୍ଥ ପ୍ରବେଶ-ଡଃ ବୈଷ୍ଣବ ଚରଣ ସାମଲ ଲୋକନାଟକ ଓ ଯାତ୍ରା ଏକ ଅନୁଶୀଳନ-ପୃ ୯

 

ଆଜି ତୃତୀୟ ନାଟ୍ୟଧାରା (Third Theatre Movement) ବେଶ୍‌ ପ୍ରଭାବଶାଳୀ ଧାରାରେ ପରିଣତ ହୋଇଛି । ଏଥିରେ ଲୋକନାଟକର ସାଂଗୀତିକତା ସହିତ ଅଭିଜାତ ନାଟକର ଜୀବନଦୃଷ୍ଟିକୁ ଫେଣ୍ଟି ଦିଆଯାଉଛି । ପାଣି ସାହିତ୍ୟର ସାଂଗୀତିକ ଗୌରବ ଆଜିର ଯୁବ ନାଟ୍ୟକାରମାନଙ୍କୁ ଯଥେଷ୍ଟ ଅନୁପ୍ରେରିତ କରୁଛି । କିନ୍ତୁ ଏତିକି କୁହାଯାଇପାରେ ଯେ ସର୍ବତ୍ର ଏଥିରେ ସ୍ୱାଭାବିକ ଗତିଶୀଳତା ରକ୍ଷା କରାଯାଇ ପାରୁନାହିଁ ।

 

ବୈଷ୍ଣବ ପାଣିଙ୍କ ଗୀତାଭିନୟରେ ନାରୀଚରିତ୍ରର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କରିବା ପରେ କୁହାଯାଇପାରେ ଯେ ସେମାନେ ଓଡ଼ିଶା ସଂସ୍କୃତିର ଉଦାହରଣ, ପାରିବାରିକ ଜୀବନର ପ୍ରତିଭୂ । ପରମ୍ପରାର ଭିତ୍ତିଭୂମି ଉପରେ ଦଣ୍ଡାୟମାନ ହୋଇ ସେମାନେ ‘ମାଧବ ସୁଲୋଚନା’ ଗୀତାଭିନୟର ସୁଲୋଚନା ପରି ଊର୍ଦ୍ଧ୍ୱକୁ ହସ୍ତ ଉତ୍ତୋଳନ କରିଛନ୍ତି । ଯଦି ମାଧବ ଉଠାଇ ନିଅନ୍ତି ତ ଉତ୍ତମ, ଯଦି ଦୈବ ଆଳରୁ ପ୍ରଚେଷ୍ଟା ହାତରେ ପଡ଼ନ୍ତି, ତହିଁରୁ ଉଦ୍ଧାର ପାଇବାକୁ ସେମାନେ ବେଶ୍‌ ଚାତୁର୍ଯ୍ୟ ଅବଲମ୍ବନ କରିପାରନ୍ତି ।

 

(ଏହି ପ୍ରବନ୍ଧରେ ବୈଷ୍ଣବ ପାଣି ଗ୍ରନ୍ଥାବଳୀ ପ୍ରଥମ ଭାଗରେ ସଂକଳିତ ଗୀତାଭିନୟଗୁଡ଼ିକୁ ହିଁ ଗ୍ରହଣ କରାଯାଇଛି ।)

 

 

ଉତ୍କଳ ବିଶ୍ୱବିଦ୍ୟାଳୟ

ବାଣୀବିହାର, ଭୁବନେଶ୍ୱର

 

***

 

ସେଇ ଛୋଟ ଘଟଣାଟି

ଶ୍ରୀ ଗୋପାଳ ଛୋଟରାୟ

 

ବୈଷ୍ଣବ ପାଣି ତଥା ପାଣି-ସାହିତ୍ୟ ପ୍ରସଙ୍ଗ ବିଚାରକୁ ନେଲେ ବେଳେ ବେଳେ ମନରେ ଏମିତି ଏକ ପ୍ରଶ୍ନ ଉଠେ : ‘ପାଣି-ସାହିତ୍ୟର ଏମିତି ସାମୟିକ ଆଲୋଚନାର ଅବକାଶ ବା ପ୍ରୟୋଜନ କେତେଦୂର ?’ ବୈଷ୍ଣବ ପାଣିଙ୍କ ରଚନାବଳୀ ଅତି ସରଳ ତରଳ ଓ ମଧୁର ଭାଷା ତଥା ଶୈଳୀରେ ରଚିତ ବୋଲି ଏକଥା କୁହାଯାଉନି । ଆଲୋଚନାର ମାର୍ଗ ସରଳ ତରଳ ବା ଜଟିଳ ଦୁର୍ବୋଧ୍ୟ ସାହିତ୍ୟ ମଧ୍ୟରେ ସୀମାବଦ୍ଧ ନୁହେଁ । ଏ ସମ୍ପର୍କରେ ଏଠି ତାହାର ଉତ୍ତର ସ୍ୱରୂପ କେବଳ ଏତିକି କୁହାଯାଉଛି ଯେ ବହୁ ପୂର୍ବରୁ ପାଣି ସାହିତ୍ୟ ଆପେ ଆପେ ଆଲୋଚିତ ହେଇଯାଇଛି । କିପରି ? ଏକ ମୋଟାମୋଟି ଦୃଷ୍ଟିଭଙ୍ଗୀ ବା ଆମେ ଯାହାକୁ ବଳଦିଆ ହିସାବ କହୁ, ସେଇ ଦିଗରୁ ଏ ପ୍ରସଙ୍ଗଟିର ବିଚାର କରାଯାଉ । ବୈଷ୍ଣବ ପାଣି ଅତି ବିପୁଳ ପରିମାଣରେ ତାଙ୍କ ରଚନା ସୃଷ୍ଟିକରି ଯାଇଛନ୍ତି । ପୁଣି ତାଙ୍କର ସମସ୍ତ ସୃଷ୍ଟି ଅତି ସାର୍ଥକ ତଥା ଚିର ଅମ୍ଳାନ । ସିଏ ଯାହାକିଛି ସୃଷ୍ଟି କରି ଯାଇଛନ୍ତି, ସେ ସମସ୍ତ କାଳଜୟୀ ସ୍ୱର୍ଣ୍ଣପିଣ୍ଡ ପରି ଚିର ଭାସ୍ୱର ଓ ଚିର ଜାଜ୍ଜ୍ୱଲ୍ୟମାନ । ମିଳିଥିବା ପରିସଂଖ୍ୟାନରୁ ଜଣାଯାଏ ଯେ ସେ ଏକଶହ ଦଶଗୋଟି ଗୀତିନାଟ୍ୟ ରଚନା କରିଛନ୍ତି । ବାସ୍ତବରେ ଏ ସଂଖ୍ୟା ପୂର୍ଣ୍ଣାଙ୍ଗ ନୁହେଁ । ତାଙ୍କ ରଚିତ, ଅଭିନୀତ ଓ ପ୍ରକାଶିତ ଗୀତିନାଟ୍ୟର ସଂଖ୍ୟା ହେଉଛି ପ୍ରାୟ ଏକଶହ ପଚିଶ । ଏହାର ପ୍ରତ୍ୟେକଟି ଗୀତିନାଟ୍ୟ ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନପରି ଓଡ଼ିଆ ନାଟ୍ୟ ସାହିତ୍ୟ ଭଣ୍ଡାରର ଶ୍ରୀବୃଦ୍ଧି ସାଧନ କରିଛି । ଏ ସମସ୍ତ ଗୀତିନାଟ୍ୟ ଓଡ଼ିଶା, ବଙ୍ଗଦେଶ ତଥା ବିହାର ଓ ଆସାମର ବହୁ ବିଭିନ୍ନ ସ୍ଥାନରେ ବହୁ ପ୍ରଶଂସା ଓ ପାଣି କବିଙ୍କ ଜୟଗାନ ସହିତ ଅଭିନୀତ ହୋଇଛି । ଗୋଟିଏ ଗୋଟିଏ ଗୀତିନାଟ୍ୟ ଯେ କେତେଥର ଅଭିନୀତ ହେଇଛି, ତାର ହିସାବ କେହି ଦେଇ ପାରିବେ ନାହିଁ । ପୁଣି କେବଳ ପାଣିକବିଙ୍କ ନିଜସ୍ୱ ଯାତ୍ରାଦଳ ନୁହେଁ, ଓଡ଼ିଶାର ସମଗ୍ର ଉପକୂଳ ଅଞ୍ଚଳର ଅସଂଖ୍ୟ ଯାତ୍ରାଦଳ ଦ୍ୱାରା ଏ ସମସ୍ତ ଗୀତିନାଟ୍ୟ ବର୍ଷ ବର୍ଷ ଧରି ଅଭିନୟ ହୋଇଯାଇଛି । ଜଣାଯାଏ ବହୁ ଗୀତିନାଟ୍ୟର ପ୍ରକାଶନ ସଂସ୍କରଣ ଚାଳିଶରୁ ପଚାଶତମ ସୀମା ସ୍ପର୍ଶ କରିଛି । ... ପୁଣି ଦେଖାଯାଇଚି ତାଙ୍କର ଗୀତିନାଟ୍ୟ-ଅଭିନୀତ-ଯାତ୍ରାରେ ସାଧାରଣ ଭାବେ ଏକହଜାରରୁ ଦଶ ବାର ହଜାର ପର୍ଯ୍ୟନ୍ତ ଦର୍ଶକ ଉପସ୍ଥିତ ଥା’ନ୍ତି । ପୁଣି ଏଇ ଦର୍ଶକମଣ୍ଡଳୀର ଶ୍ରେଣୀ ବିଭାଗରେ କୁଟୀରବାସୀଠୁଁ ଆରମ୍ଭ କରି ପ୍ରାସାଦ-ଅଧିବାସୀ ଶିକ୍ଷିତ ଉଚ୍ଚଶିକ୍ଷିତ ଧନୀ ଜମିଦାର ଆଦି ସବୁ ଶ୍ରେଣୀ ଓ ସବୁ ଗୋଷ୍ଠୀର ନାଟ୍ୟପ୍ରେମୀ ଗୀତିନାଟ୍ୟ ଯାତ୍ରାପୀଠରେ ସ୍ୱତଃପ୍ରବୃତ୍ତ ଭାବେ ଉପସ୍ଥିତ ହୋଇଥା’ନ୍ତି । ... ଏ ପର୍ଯ୍ୟନ୍ତ ଏଇ ଲେଖାଟିରେ ଯେତିକି ଯାହା ଉପସ୍ଥାପିତ ହେଲା, ସେ ସମସ୍ତ ତଥ୍ୟ ନିର୍ଭୁଲ । ତା’ଛଡ଼ା ତାଙ୍କର ଗୋଟିଏ ଗୋଟିଏ ଗୀତିନାଟ୍ୟ ମଧ୍ୟ ଶହ ଶହ ବାର ଅଭିନୀତ ହେବାର ପ୍ରମାଣ ମିଳିଛି । ଏସବୁ ତଥ୍ୟକୁ ଭିତ୍ତିକରି ଗାଣିତିକ ସୂତ୍ର ପ୍ରୟୋଗ ଦ୍ୱାରା ଯଦି ଦେଖାଯାଏ ତେବେ ହୁଏତ ପାଣିଙ୍କ ରଚିତ ସମସ୍ତ ଗୀତିନାଟ୍ୟର ସମସ୍ତ ଅଭିନୟ ପ୍ରଦର୍ଶନ ପୀଠରେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସଂଖ୍ୟା କୋଟି-ଅର୍ବୁଦକୁ ଛୁଇଁପାରେ । ଏସବୁ ସ୍ଥିତିର ଅନୁଧ୍ୟାନ କଲେ ଆମେ କାହିଁକି ଏ ସିଦ୍ଧାନ୍ତରେ ପହଞ୍ଚିବା ନାହିଁ ଯେ ବୈଷ୍ଣବ ପାଣିଙ୍କ ସମସ୍ତ ଗୀତିନାଟ୍ୟ ସାହିତ୍ୟ ଅତି ବିସ୍ତାରିତ ଭାବେ ଆଲୋଚନା କଳାର ପୂର୍ଣ୍ଣ ମର୍ଯ୍ୟାଦା ରକ୍ଷାକରି ଆପେ ଆପେ ସମାଲୋଚିତ ହେଇଯାଇଛି । ଓଡ଼ିଆ ଭାଷାର ଅନ୍ୟ କୌଣସି ଲେଖକ ଏତେ ସଂଖ୍ୟାରେ ଏପରି ସାର୍ଥକ ଓ କାଳଜୟୀ ଗୀତିନାଟ୍ୟ ବା ନାଟକ ଲେଖି ନାହାନ୍ତି ଅଥବା ଓଡ଼ିଆ ଭାଷାର ଅନ୍ୟ କୌଣସି ରଚନା-କାବ୍ୟ, ଉପନ୍ୟାସ, କବିତା, ପ୍ରବନ୍ଧ ବା ନାଟକ ଏତେ ବିପୁଳ ପରିମାଣରେ ଦର୍ଶକ ବା ପାଠକମାନଙ୍କର ସାନିଧ୍ୟ ଲାଭ କରିପାରି ନାହିଁ । ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି, ଡକ୍ଟର ପ୍ରାଣକୃଷ୍ଣ ପରିଜା, ଶ୍ରୀ ବ୍ରଜସୁନ୍ଦର ଦାସ, ଡକ୍ଟର କାଳିନ୍ଦୀଚରଣ ପାଣିଗ୍ରାହୀ, ଡକ୍ଟର ମାୟାଧର ମାନସିଂ, ସୁରେନ୍ଦ୍ର ମହାନ୍ତି ପ୍ରଭୃତି ବହୁ ଗୁଣୀ ଏବଂ ପ୍ରାଜ୍ଞବ୍ୟକ୍ତି ପାଣି ସାହିତ୍ୟର ଯଶଗାନରେ ଶତମୁଖ ହୋଇ ଉଠିଛନ୍ତି ।

 

ଏଇ ଶତାବ୍ଦୀର ଆରମ୍ଭରୁ ଅର୍ଥାତ୍‌ ଉଣେଇଶି ଶହ ମସିହାରୁ ଉଣେଇଶି ଶହ ଚାଳିଶ ମସିହା ପର୍ଯ୍ୟନ୍ତ, ଏଇ ଚାଳିଶ ବର୍ଷ ଧରି, ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ସବୁ ରଚିତ ହୋଇ ତାଙ୍କ ନିଜ ଯାତ୍ରାଦଳ ଦ୍ୱାରା ଅଭିନୀତ ହେବା ସଙ୍ଗେ ସଙ୍ଗେ ଓଡ଼ିଶାର ବହୁ ବିଭିନ୍ନ ଯାତ୍ରାଦଳ ଦ୍ୱାରା ନିୟମିତ ଭାବେ ଅଭିନୀତ ହେଉଥିଲା ।

 

ଏହାପରେ, ଅର୍ଥାତ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ପୃଥିବୀ ସହିତ ଆମ ନିଜ ଦେଶ ଓ ପ୍ରଦେଶର ଯେଉଁସବୁ ଅନାକାଂକ୍ଷିତ ପରିବର୍ତ୍ତନ ସବୁ ଆସିଲା, ସେଥିରେ ଆକ୍ରାନ୍ତ ହୋଇ ବୈଷ୍ଣବ ପାଣିଙ୍କ ସହିତ ଅନ୍ୟ ସମସ୍ତ ତାତ୍‌କାଳିକ ସମଧର୍ମୀ ଗୀତିନାଟ୍ୟକାରମାନଙ୍କ ରଚନା ଓ ଅଭିନୟ ପ୍ରଦର୍ଶନ ଏକାବେଳେକେ କ୍ରମେ ବିଲୁପ୍ତ ହୋଇଗଲା । ଦେଖାଗଲା ଯେ ସେତେବେଳେ ଆମର ଯାତ୍ରାଦଳମାନେ ଆମ ପାରମ୍ପରିକ ଗୀତିନାଟ୍ୟ ସବୁକୁ ଆଡ଼େଇଦେଇ, ପଡ଼ୋଶୀ ବଙ୍ଗଦେଶର ଗୀତି ଓ ସାଙ୍ଗୀତିକତା ବିବର୍ଜିତ ଶସ୍ତା ଫାଣ୍ଟାସି (ଅବାସ୍ତବ) ଧର୍ମର ନାଟକ ସବୁର ଆହୁରି ଶସ୍ତା ଓ ଅଶୁଦ୍ଧ ଓଡ଼ିଆ ଅନୁବାଦର ଆଶ୍ରୟ ନେଲେ । କାରଣ, ଆମର ପ୍ରଚଳିତ ଗୋଟିଏ ଗୀତିନାଟ୍ୟର ପ୍ରଦର୍ଶନ ପାଇଁ ଅନ୍ତତଃ ଦଶଜଣ ଉଚ୍ଚମାନର କଣ୍ଠଶିଳ୍ପୀ ଓ ସେହି ଅନୁପାତରେ ଅନ୍ୟ ପାତ୍ର ପାତ୍ରୀମାନଙ୍କ ଆୟୋଜନ କରିବା ପାଇଁ ସେମାନଙ୍କର ଧୈର୍ଯ୍ୟ ବା ଆଗ୍ରହ ନଥିଲା । ବଙ୍ଗଭାଷାରୁ ଅନୁବାଦିତ ଗୋଟିଏ ଶସ୍ତା ଯାତ୍ରା ନାଟକରେ ‘ନିୟତି’ର ଗୋଟିଏ ଦୁଇଟି ଗୀତ ଓ ଗୋଟିଏ ଅଧେ ସିଙ୍ଗଲ୍‌ ଡାନ୍‌ସ ବା ଏକକ ନୃତ୍ୟ ସହିତ କିଛି ଉତ୍ତେଜନା ସୃଷ୍ଟିକାରୀ ଯୁଦ୍ଧଦୃଶ୍ୟ ଆଦିର ପରିବେଷଣରେ ସେମାନେ ଦର୍ଶକମାନଙ୍କର ଶସ୍ତା କରତାଳି ଓ ବାହା ବାହା ଧ୍ୱନି ସହିତ ସେମାନଙ୍କ ନିଜର ଆର୍ଥିକ ସଦ୍‌ଗତି ଲାଭ କରିପାରୁ ଥିଲେ । ଏଇ ପ୍ରକ୍ରିୟାରେ ଓଡ଼ିଶା, ବିଶେଷତଃ ଉପକୂଳବର୍ତ୍ତୀ ଓଡ଼ିଶାର ମୁକ୍ତ ରଙ୍ଗମଞ୍ଚମାନଙ୍କରୁ ଆମର ଅମୃତ ସମାନ ପାରମ୍ପରିକ ଗୀତିନାଟ୍ୟର ସ୍ୱାଦ ଉଭେଇଗଲା । ଓଡ଼ିଶାର ଅନ୍ୟତମ ବରପୁତ୍ର ଓ ବାଣୀପୁତ୍ର ବୈଷ୍ଣବ ପାଣି ମଧ୍ୟ ଏ ଦୁର୍ଦ୍ଦଶାରୁ ମୁକ୍ତ ହେଇ ପାରିଲେ ନାହିଁ । ଆଜି ଏଇ ଅନୁଚିନ୍ତାରୁ ମନରେ ଏକ ପ୍ରଶ୍ନଉଠେ ଯେ ଗଣକବି ଆଖ୍ୟାପ୍ରାପ୍ତ ଯେଉଁ ବୈଷ୍ଣବ ପାଣି ଆମର ଲକ୍ଷକୋଟି ଗଣମାନସକୁ ଅତି ଉନ୍ନତ ନାଟ୍ୟକଳାରେ ବିମୋହିତ କରି ରଖୁଥିଲେ, ତାଙ୍କର ସେ ଋଣ ଆମେ ପରିଶୋଧ କରି ପାରିଲୁ ନାହିଁ । ଆମରି ଚକ୍ଷୁ ସମ୍ମୁଖରେ ସେ ଜୀବନରେ ବଞ୍ଚି ଥାଉଥାଉ ମଧ୍ୟ ତାଙ୍କରି ସୃଷ୍ଟ କଳାକ୍ଷେତ୍ରର ଭୂପୃଷ୍ଠରୁ ସେ ଅନ୍ତର୍ହିତ ହୋଇଗଲେ । ଚାହିଁଥିଲେ ତାଙ୍କର ଜନ୍ମ ଓ କର୍ମସ୍ଥଳୀ ମାହାଙ୍ଗା-ସାଲେପୁର ଅଞ୍ଚଳର ଅଧିବାସୀମାନେ ଏ ଦିଗରେ କିଛି କରିପାରି ଥା’ନ୍ତେ । ସେ ଅଞ୍ଚଳର ଯାତ୍ରାଦଳମାନେ, ଯେତେବେଳେ ବ୍ୟୟବହୁଳ ଅଥଚ ମଣିମୁକ୍ତା ଶୋଭିତ ଗୀତିନାଟ୍ୟ ସବୁର ଆକର୍ଷଣକୁ ତୁଚ୍ଛକରି ଭିନ୍ନ ଭାଷାରୁ ଅନୁବାଦିତ ଶସ୍ତା ଓ କୁରୁଚିସମ୍ପନ୍ନ ନାଟକସବୁର ପ୍ରଦର୍ଶନ ଆରମ୍ଭ କଲେ ସେତେବେଳେ ଏହି ଅଞ୍ଚଳର ଅଧିବାସୀମାନେ ଏହାର ପ୍ରବଳ ପ୍ରତିରୋଧ କରିପାରି ଥାଆନ୍ତେ-ଏପରି ହୀନ ପ୍ରଚେଷ୍ଟାକୁ ବାସନ୍ଦ କରିପାରି ଥା’ନ୍ତେ । ଅନ୍ୟ ଅନେକ କ୍ଷେତ୍ରରେ ଏପରି ଦୃଷ୍ଟାନ୍ତର ଅଭାବ ନାହିଁ । କିନ୍ତୁ ଆମମାନଙ୍କର ଦୁର୍ଭାଗ୍ୟ ଆମର ଶାରଳା ଦାସ ଓ ଉପେନ୍ଦ୍ର ଭଞ୍ଜଙ୍କ ପରେ ଓଡ଼ିଶା ମାଟିରେ ଆବିର୍ଭୂତ ଯେଉଁ ତୃତୀୟ ଜନମାନସ-ବିମୋହନକାରୀ କବି ବୈଷ୍ଣବ ପାଣି ଓଡ଼ିଶାର କଳାକ୍ଷେତ୍ରକୁ ବିମଣ୍ଡିତ କରିଥିଲେ, ଆମେ ତାଙ୍କର ଉପଯୁକ୍ତ ମର୍ଯ୍ୟାଦା ଦେଇ ପାରିଲୁ ନାହିଁ । ୧୯୪୦ ମସିହାରୁ ୧୯୬୦ ମସିହା ପର୍ଯ୍ୟନ୍ତ କୋଡ଼ିଏ ବର୍ଷକାଳ ସେ ଆମମାନଙ୍କର ଅଦୃଶ୍ୟ ଅପରିଚିତ ହୋଇ ରହିଗଲେ ।

 

ଆଜି ୧୯୯୦ ମସିହାରେ ତାଙ୍କର ଜନ୍ମତିଥି ପାଳିତ ହେଉଛି । ତାଙ୍କ ରଚନା ସବୁର ଗ୍ରନ୍ଥାବଳୀ ପ୍ରକାଶିତ ହେଇଛି । ତାଙ୍କ ରଚନା ଉପରେ ସନ୍ଦର୍ଭ ଲେଖି ବିଶ୍ୱବିଦ୍ୟାଳୟ ସ୍ତରରେ ଗବେଷକମାନେ ଡକ୍ଟରେଟ୍‌ ଉପାଧି ଲାଭ କରୁଛନ୍ତି । ତାଙ୍କ ଗୀତିନାଟ୍ୟ ସବୁ ବେତାର ଦୂରଦର୍ଶନ ଓ କ୍ୟାସେଟ୍‌ ଆଦିରେ ପ୍ରଚାରିତ ହେଉଛି-ଓଡ଼ିଶାର ପୁରପଲ୍ଲୀ ତଥା ବିଦ୍ୟାପୀଠମାନଙ୍କରେ ଅଭିନୀତ ହେବା ସଙ୍ଗେ ସଙ୍ଗେ ନୂତନ ଗୀତିନାଟ୍ୟମାନ ରଚିତ ହେଉଛି ।........ଏଇ ସବୁ କଥା ସ୍ମରଣ କରି ମୋର ମନ-ପ୍ରାଣ-ଶରୀରରେ ବେଳେବେଳେ ଏମିତି ଏକ ପୀଡ଼ାଦାୟକ ଶିହରଣ ଜାତହୁଏ ଯେ ମୁଁ ଆତଂକିତ ହୋଇଉଠେ । ଆତଙ୍କିତ ହୁଏ ଏଇଥି ପାଇଁ, ଯେ ସେଦିନ କଟକ ବେତାରକେନ୍ଦ୍ର ଡିରେକ୍ଟରଙ୍କ ପ୍ରକୋଷ୍ଠରେ ଯଦି ସେହି ଛୋଟ ଘଟଣାଟି ଘଟି ନଥାନ୍ତା, ତାହେଲେ କ’ଣ ଆମ ଭାଷାର ସେଇ ବରେଣ୍ୟ ନାଟ୍ୟକାର ଊଣେଇଶ ଶତଚାଳିଶ ମସିହାରୁ ଏପର୍ଯ୍ୟନ୍ତ ସେମିତି ଅଜ୍ଞାତବାସରେ ରହିଯାଇଥାନ୍ତେ । ତାଙ୍କ ଲେଖନୀ ସୃଷ୍ଟ ରଚନାବଳୀର ପ୍ରତ୍ୟକ୍ଷ ସ୍ୱାଦ କ’ଣ ଏ ଜାତି ଆଜି ପାଇପାରି ଥାନ୍ତା ? ଏପରି ଆଶଙ୍କା ସୃଷ୍ଟି ହେବାର ଯଥାଯଥ କାରଣ ଥିଲା । ଚତୁର୍ଥ ଦଶକ ପରଠୁ ଯେତେବେଳେ ଯାତ୍ରାଦଳମାନଙ୍କଦ୍ୱାରା ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ସବୁର ଅଭିନୟ ପ୍ରଦର୍ଶନ ବନ୍ଦ ହେଇଗଲା, ସେତେବେଳେ ସେହି ଅନୁପାତରେ ତାଙ୍କର ପୁସ୍ତକ ସବୁର ପ୍ରକାଶନ ହ୍ରାସ ପାଇବାକୁ ଲାଗିଲା । ଏ ପରିସ୍ଥିତିରେ ଯାହା ସ୍ୱାଭାବିକ୍‌ ତାହାହିଁ ଘଟିଲା । ସ୍ୱୟଂ ବୈଷ୍ଣବ ପାଣି କ୍ରମେ ଜନମାନସରୁ ଅପସରି ଯିବାକୁ ଲାଗିଲେ । ସମୟର ଗତି ସହିତ ଏଭଳି ଦୁଃଖଦ ଘଟଣା ଘଟିଯାଉଥାଏ । ଯଦି ଆମର ରୀତି ଯୁଗର ଅମୂଲ୍ୟ ନିଧି ଓଡ଼ିଶୀ, ଛାନ୍ଦ, ଚମ୍ପୂ କୋଇଲି-ଚଉତିଶା ପ୍ରଭୃତିର ପ୍ରଚାର ପ୍ରସାର ଓ ଆଲୋଚନା ଏ ଦୀର୍ଘ ତିନିଶହ ବର୍ଷ ଧରି ଅବ୍ୟାହତ ରହି ନ ଥାନ୍ତା, ତା’ ହେଲେ ସେ ଯୁଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କଠୁ ଆରମ୍ଭ କରି କବିସୂର୍ଯ୍ୟ ବଳଦେବରଥଙ୍କ ପର୍ଯ୍ୟନ୍ତ ସମସ୍ତେ ହୁଏତ ବୈଷ୍ଣବ ପାଣିଙ୍କ ପରି ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥାନ୍ତେ । ଏକଥା ମନେ ରଖିବାକୁ ହେବ ଯେ ନାଟକ, ଗୀତିନାଟକ, ଛାନ୍ଦ, ଓଡ଼ିଶୀ ଓ ଚମ୍ପୂପରି ଗୀତି-ପ୍ରଧାନ ସାହିତ୍ୟ ସବୁର ପ୍ରକୃତ ପରିଚୟ ଓ ରସଗ୍ରହଣ କେବଳ ପଠନରେ ମିଳେ ନାହିଁ । ଏ ସବୁର ଯଥାଯଥା ପ୍ରଚାର ଓ ପ୍ରସାରଣ ନ ଘଟିଲେ ଏହା ସାମଗ୍ରିକ ଭାବେ ଲୁପ୍ତ ନ ହେଲେ ବି, କ୍ରମେ ଭୂପୃଷ୍ଠରୁ ନିଶ୍ଚିହ୍ନ ହେଇଯିବ । ବୈଷ୍ଣବ ପାଣିଙ୍କ କ୍ଷେତ୍ରରେ ଠିକ୍‌ ଏହାହିଁ ଘଟିଥିଲା ।

 

୧୯୬୦ ମସିହା ବେଳକୁ ବୈଷ୍ଣବ ପାଣିଙ୍କ ଅମର ରଚନା ସବୁ ଆମ ନାଟ୍ୟକଳା ପୀଠରୁ ଅନ୍ତର ହୋଇଗଲା । ସାମୟିକ କୌଣସି ପତ୍ରପତ୍ରିକାରେ ଗୋଟିଏ ଅଧେ ଲେଖା ବ୍ୟତୀତ ଅନ୍ୟ କୌଣସି ସ୍ଥିତି ଦୃଷ୍ଟିଗୋଚର ହେଉ ନଥିଲା । ଆମ ନାଟ୍ୟ ସାହିତ୍ୟର ଏଇ ଯନ୍ତ୍ରଣାଦାୟକ ଅବସ୍ଥା ସେମିତି ହୁଏତ ଲାଗି ରହିଥାନ୍ତା, ଯଦି ସେଦିନ କଟକ ବେତାର କେନ୍ଦ୍ରର ଡିରେକ୍ଟରଙ୍କ ପ୍ରକୋଷ୍ଠରେ ଜଣେ ଅଣ ଓଡ଼ିଆ ଡିରେକ୍ଟର ଶ୍ରୀ ପି. ଭି. କୃଷ୍ଣମୂର୍ତ୍ତି, ବେତାର କେନ୍ଦ୍ରରେ ଯାତ୍ରା ଗୀତିନାଟ୍ୟ ପ୍ରସାରଣର କେତେକ ତୀବ୍ର ପ୍ରତିରୋଧକୁ ଅତିକ୍ରମ କରି ବୈଷ୍ଣବ ପାଣିଙ୍କ ଗୀତାଭିନୟ ‘ରଙ୍ଗସଭା’ର ବେତାର ପ୍ରସାରଣ ପାଇଁ ଅନୁମତି ଦେଇ ନଥାନ୍ତେ ।

 

ଏହା ହେଉଛି ୧୯୬୦ ମସିହା ନଭେମ୍ବର ମାସର କଥା । କଟକରେ ବେତାର କେନ୍ଦ୍ର ସ୍ଥାପିତ ହୋଇଥିଲା ୧୯୪୮ ମସିହାରେ । ଅଠଚାଳିଶରୁ ଷାଠିଏ ଏହି ବାରବର୍ଷ ଭିତରେ ପାଲା, ଦାସକାଠିଆ, ଖଂଜଣି-ଭଜନ, ଘୋଡ଼ାନାଚ, ଦଣ୍ଡନାଚ, କେନ୍ଦରାଗୀତ, ତେଲିଙ୍ଗି ବାଜା, ଢୋଲ ମହୁରି ଓ ଓଡ଼ିଶୀ କୀର୍ତ୍ତନ ପ୍ରଭୃତି ଓଡ଼ିଶାର ବହୁ ଲୋକ-ସଙ୍ଗୀତ ବେତାରରେ ସ୍ଥାନ ପାଇ ସାରିଥାଏ, ମାତ୍ର ଅପାଙ୍‌କ୍ତେୟ ହୋଇ ରହିଥାଏ ଗୀତିନାଟ୍ୟ-ଗୀତାଭିନୟ । ୧୯୬୦ ମସିହା ନଭେମ୍ବର ମାସ ଶୁକ୍ଳ ଦଶମୀ । ସେହିଦିନ କଟକ ଆକାଶବାଣୀ କେନ୍ଦ୍ରରୁ ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ରଙ୍ଗସଭା ପ୍ରଚାରିତ ହେଲା । ଏହାହିଁ ହେଉଛି କଟକ ଆକାଶ-ବାଣୀରୁ ପ୍ରଚାରିତ ପ୍ରଥମ ଓଡ଼ିଆ ଗୀତିନାଟ୍ୟ । ଯେଉଁ ପୂର୍ବଜ ଶ୍ରୋତାମାନେ ଆମର ଏହି ପାରମ୍ପରିକ ଗୀତିନାଟ୍ୟ ସହିତ ପରିଚିତ, ସେମାନେ ପ୍ରଚଣ୍ଡ ଗ୍ରୀଷ୍ମତାପ ପରେ ପହିଲି ବର୍ଷାର ଶୀତଳ ସ୍ପର୍ଶ ପରି ତୃପ୍ତି ଓ ଆଶ୍ୱସ୍ତି ଲାଭ କଲେ । ଯେଉଁମାନେ ନବୀନ ସେମାନେ ପାଇଲେ ଏକ ନୂତନତାର ସ୍ୱାଦ । କଟକ ବେତାର କାର୍ଯ୍ୟକ୍ରମର ଶ୍ରୋତାମାନେ ବେତାରରେ ରଙ୍ଗସଭା ଗୀତିନାଟ୍ୟ ପ୍ରଚାର ଶୁଣି ଯୁଗପତ୍‌ ଆନନ୍ଦ ଏ ବିସ୍ମୟରେ ଅଭିଭୂତ ହୋଇ ପଡ଼ିଲେ । ଡକ୍ଟର ପ୍ରାଣକୃଷ୍ଣ ପରିଜା ବେତାରରେ ରଙ୍ଗସଭା ଶୁଣି ସାରିବା ପରେ ସେହି ମୁହୂର୍ତ୍ତରେ ହିଁ କେନ୍ଦ୍ର ନିର୍ଦ୍ଦେଶକଙ୍କୁ ଟେଲିଫୋନରେ ଜଣାଇଲେ-Krishna Murti, your station is reborn today, please carry on, don’t look back. ବାସ୍ତବିକ କଟକ ଆକାଶବାଣୀ କେନ୍ଦ୍ରରୁ ଗୀତିନାଟ୍ୟ ପ୍ରଚାର କାର୍ଯ୍ୟକ୍ରମରେ ଆମେ ଆଉ ପଛକୁ ଫେରି ଚାହିଁନୁ । ଗୀତିନାଟ୍ୟ ପ୍ରଚାର ଏକ ବ୍ୟୟସାପେକ୍ଷ କାର୍ଯ୍ୟକ୍ରମ । ଗୋଟିଏ ବର୍ଷରେ ଦୁଇଟିରୁ ଅଧିକ ଗୀତିନାଟ୍ୟ ପ୍ରଚାର କରିବାର ସୁଯୋଗ ମିଳେନା । ବୈଷ୍ଣବ ପାଣିଙ୍କ ରଙ୍ଗସଭା, ପ୍ରହ୍ଲାଦ ଚରିତ ଦକ୍ଷଯଜ୍ଞ ଓ କର୍ଣ୍ଣବଧ-ଏହି ଚାରିଗୋଟି ଗୀତିନାଟ୍ୟ ବେତାରରେ ପ୍ରଚାରିତ ହେବାପରେ ଗୀତିନାଟ୍ୟର ବିପୁଳ ଲୋକପ୍ରିୟତା ଓ ଶ୍ରୋତାମାନଙ୍କର ଗୀତିନାଟ୍ୟ ପ୍ରତି ତତୋଽଧିକ ଆଗ୍ରହ ତଥା ଆନ୍ତରିକତା ଯେପରି ଏକାତ୍ମ ଓ ଏକୀଭୂତ ହୋଇଗଲା । ଶ୍ରୋତାମାନେ ଅନୁଭବ କଲେ ଗୀତିନାଟ୍ୟର ପ୍ରଚାର ଯେପରି ସେମାନଙ୍କ ପାଇଁ ସର୍ବଦା ବସନ୍ତ ଋତୁର ମଧୁ ଉତ୍ସବ ବହନ କରି ଆଣୁଛି ।

 

ପୂର୍ବରୁ କୁହାଯାଇଛି ଯେ ସମୟର ଗତିପଥରେ ପାଣି କବିଙ୍କ ଗୀତାନାଟ୍ୟ ରଙ୍ଗମଞ୍ଚ ପୃଷ୍ଠରୁ ଉଭେଇ ଯାଇଥିଲା । ବେତାରରେ ପ୍ରଚାରିତ ହେବା ପରେ, ଆମ ଆଧୁନିକ ନାଟକର ଆଗ୍ରଜ ରୂପେ ପରିଗଣିତ ତାଙ୍କର ଏହିସବୁ ନାଟ୍ୟକୃତି ପାଉଁଶ ତଳର ନିଆଁପରି ସ୍ୱକୀୟ ମହିମାରେ ପୁଣି ପ୍ରଜ୍ଜ୍ଵଳିତ ହୋଇ ଉଠିଲା । ଆମ ନାଟ୍ୟ-ସାହିତ୍ୟର ଏକ ସମ୍ମାନୀତ ଓ ସର୍ବଜନବନ୍ଦିତ ଅଙ୍ଗ ଗୀତିନାଟ୍ୟ ଫେରିଆସି ଆମ ନାଟ୍ୟକଳା ସମ୍ପଦର ଶ୍ରୀବୃଦ୍ଧି ସାଧନ କରି ପାରିଲା ।

 

ଆଲମଚାନ୍ଦ ବଜାର କଟକ-୯

***

 

Unknown

ବ୍ୟାସ, ସାରୋଳ, ବଇଷ୍ଣବ : ତୁଳନା କିଏ କାହାର ?

ଶ୍ରୀ ହୃଷୀକେଶ ମଲ୍ଲିକ

 

ଗଣକବି ବୈଷ୍ଣବ ପାଣି ମହାଭାରତର କଥାବସ୍ତୁକୁ ନେଇ ତାଙ୍କର ବହୁ ଗୀତାଭିନୟ, ଗୀତିନାଟ୍ୟ ଓ ସୁଆଙ୍ଗର ପରିକଳ୍ପନା କରିଛନ୍ତି । ଯଥା : ବକାସୁର ବଧ, ଅର୍ଜୁନ ଲାଖବିନ୍ଧା, ଦ୍ରୌପଦୀ ବସ୍ତ୍ରହରଣ, ଜୟଦ୍ରଥ ବଧ, କର୍ଣ୍ଣ ବଧ ଦୁର୍ଯ୍ୟୋଧନ ବଧ, ସୁଭଦ୍ରା ହରଣ, ଦକ୍ଷଯଜ୍ଞ, ଭୀଷ୍ମ ଶରଶଯ୍ୟା, ପ୍ରଭାସ ମିଳନ, କୀଚକ ବଧ, ଶକୁନ୍ତଳା, ଦ୍ରୋଣାଚାର୍ଯ୍ୟ ବଧ, ଧ୍ରୁବଚରିତ ଓ ଯଦୁବଂଶ ଧ୍ୱଂସ ଇତ୍ୟାଦି । କୃଷ୍ଣ-ଦ୍ୱୈପାୟନ ବ୍ୟାସଙ୍କ ବିରଚିତ ମହାଭାରତର ଉପାଖ୍ୟାନ ସାରୋଳ ଦାସଙ୍କ ଦ୍ୱାରା ନାନାଭାବେ ଖଣ୍ଡିତ ମଣ୍ଡିତ ହୋଇ ପାଣିକବିଙ୍କ ରଚନା ପରିପୃଷ୍ଟ କରିଥିବା ଆମେ ଳକ୍ଷ୍ୟ କରୁଁ । ଆଲୋଚ୍ୟ ପ୍ରବନ୍ଧରେ ପାଣିକବି ବିରଚିତ ଗୀତାଭିନୟ ‘ଅର୍ଜୁନ ଲାଖବିନ୍ଧା’ର ଅବଲମ୍ବନରେ ବ୍ୟାସ; ସାରୋଳଙ୍କ ସହ ବୈଷ୍ଣବ ପାଣିଙ୍କ ଥିବା ସାଦୃଶ୍ୟ ଓ ଭିନ୍ନତାର ମୂଲ୍ୟାୟନ କରାଯାଉଛି ।

 

କବି ବୈଷ୍ଣବ ପାଣି ତାଙ୍କର ‘ଅର୍ଜୁନ ଲାଖବିନ୍ଧା’ ଗୀତାଭିନୟଟିକୁ ମୋଟ ଦୁଇଟି ଅଙ୍କରେ ବିଭକ୍ତ କରିଛନ୍ତି । ପ୍ରଥମ ଅଙ୍କରେ ୪ଟି ଦୃଶ୍ୟ ଓ ୨ୟ ଅଙ୍କରେ ୫ଟି ଦୃଶ୍ୟ ସ୍ଥାନିତ ହୋଇଛି । ପ୍ରସ୍ତାବନାରେ ପ୍ରଥମେ ନଟୀ ଶୀତଋତୁର ମହିମା ପ୍ରଖ୍ୟାପକ ଏକ ଗୀତ ଗାଇଗାଇ ମଞ୍ଚରେ ପ୍ରବେଶ କରୁଛି । ନଟ ଓ ନଟୀ ମଧ୍ୟରେ କଥୋପକଥନ ହୋଇ ଚୂଡ଼ାନ୍ତ ହେଉଛି ଅଭିନୟର ବିଷୟ ବସ୍ତୁ : ‘ବ୍ୟାସ ବିରଚିତ ମହାଭାରତ ଗ୍ରନ୍ଥ’ର ‘ଅର୍ଜୁନ ଲକ୍ଷ୍ୟଭେଦ’ । ମୂଳ ମହାଭାରତ (ବ୍ୟାସକୃତ)ରେ ବର୍ଣ୍ଣିତ ହୋଇଛି ଯେ, ଯଜ୍ଞବେଦୀରୁ ସୌଭାଗ୍ୟଶାଳିନୀ, ସୁନ୍ଦରାଙ୍ଗୀ ଓ ଆୟତଲୋଚନା ଯାଜ୍ଞସେନୀ ଜନ୍ମ ନେଇଛନ୍ତି । ବର୍ଣ୍ଣରେ କୃଷ୍ଣ ହୋଇଥିବାରୁ ଏହାଙ୍କର ନାମ ମଧ୍ୟ କୃଷ୍ଣା । ସାରୋଳଙ୍କ ଅନୁସାରେ ମୁନିବ୍ୟାସଙ୍କ ଦ୍ୱାରା କରା ଯାଇଥିବା ଯଜ୍ଞାନଳରୁ ଯାଜ୍ଞସେନୀ ଆବିର୍ଭୂତା ହେଲେ-

 

‘‘ପଞ୍ଚଅଗ୍ନି ବିଦାରିଣ ଦିଶିଲାକ ମୂରତି

ଅଗ୍ନିରୁ କନ୍ୟାୟେ ଯେ ହୋଇଲେ ଉତପତ୍ତି ।’’

 

ପାଣିକବି ଏହି ପ୍ରସଙ୍ଗଟିକୁ ତାଙ୍କ ଆଲୋଚ୍ୟ ଗୀତାଭିନୟରେ ତିନୋଟି ସ୍ଥାନରେ ସୂଚୀତ କରିଛନ୍ତି । ଅର୍ଜୁନ ଏକଚକ୍ରାନଗ୍ରର ବିପ୍ରଗୃହରେ ମାଆ କୁନ୍ତୀକୁ କହିଛନ୍ତି :

 

X X ଯେ ବିନ୍ଧିବ ସେହି ଲାଖ ଗୋଟି

ଯଜ୍ଞାନଳୁଁ ଯେଉଁ କନ୍ୟା ଯାଜ୍ଞସେନୀ ନାମେ ହୋଇଅଛି

ଜାତ, ତାକୁ ନିଶ୍ଚେଁ ଲଭିବ ସେ ଜନ ।’’

 

ମାଆ କୁନ୍ତୀ ଅଜ୍ଞତାବଶତଃ ପୁଅମାନେ ଆଣିଥିବା ଭିକ୍ଷାକୁ ‘ବାଣ୍ଟକରି ଭୁଞ୍ଜ’ ବୋଲି କହିଛନ୍ତି ଓ ଯେତେବେଳେ ଜାଣିଛନ୍ତି ଯେ; ସେ ଭିକ୍ଷା ହେଉଛି ‘ଦ୍ରୌପଦୀ’ , ସାମାନ୍ୟ ତଣ୍ଡୁଳ ବା ଆଉ କିଛି ତୁଚ୍ଛ ସାମଗ୍ରୀ ନୁହେଁ ; ସେ ବିବ୍ରତା ହୋଇ ପଡ଼ିଛନ୍ତି । ଯୁଧିଷ୍ଠିର ମାଆଙ୍କୁ ପ୍ରବୋଧନା ଦେଇ କହିଛନ୍ତି :

 

‘‘ଶିବ ସେବି ଲଭିଛନ୍ତି ବର ପଞ୍ଚପତି ହେବେ ଏ ଜନମେ

ଖଣ୍ଡପରଶୁ ବଚନ ଖଣ୍ଡିବ କେ କହ

ତେଣୁ ଜନମ ଯଜ୍ଞରୁ, ଯାଜ୍ଞସେନୀ ନାମେ ଏହି ।’’

 

ସ୍ୱୟଂବର ଶେଷ ହେଇଛି । ସ୍ୱକନ୍ୟାକୁ ନେଇ ସ୍ୱୟଂବର ଜିଣିଥିବା ବ୍ରାହ୍ମଣମାନେ ପ୍ରସ୍ଥାନ କରିବା ପରେ ଅନ୍ତଃପୁରରେ ରାଜା ଦ୍ରୁପଦ ଏକାକୀ ରୋଦନ କରୁଛନ୍ତି :

 

‘‘କୃଷ୍ଣା କୃଷ୍ଣା ! କେଣେ ତେଜିଗଲୁ ତୋ’ପିତାକୁ

କରି ଯଜ୍ଞ କେତେ କଷ୍ଟେ ପାଇଥିଲି ତୋତେ

ତେଣୁ ରଖିଲି ମୁ ଯାଜ୍ଞସେନୀ ନାମ ।’’

 

ପ୍ରଥମ ଦୁଇଟି ଉଦ୍ଧୃତିରେ ପାଣିକବି ବ୍ୟାସ ଓ ସାରୋଳଙ୍କୁ ଅବିକଳ ସମର୍ଥନ କରୁଥିଲେ ବି ଶେଷ ଉଦ୍ଧୃତିଟିରେ ସୂଚାଇଛନ୍ତି ଯେ, ଯାଜ୍ଞସେନୀ ଯଜ୍ଞରୁ ନୁହେଁ, ବରଂ ଯଜ୍ଞର ପୁଣ୍ୟଫଳରୁ ଜନ୍ମ-। ଏପରି ସୂଚନା ଦ୍ୱାରା ସେ ପୂର୍ବସୂରି କବିଦ୍ୱୟଙ୍କ ଅଲୌକିକ ଚିନ୍ତାଧାରାକୁ ଖଣ୍ଡନ କରି ଦ୍ରୌପଦୀଜନ୍ମ-ପ୍ରସଙ୍ଗକୁ ଅଧିକ ବାସ୍ତବ ଏକ ବିଚାରଭୂମି ଯୋଗାଇ ଦେଇଛନ୍ତି

 

ବ୍ୟାସ-ମହାଭାରତରେ ବର୍ଣ୍ଣିତ ଅଛି ଯେ, ଏକଚକ୍ରା ନଗରୀରୁ ଯାତ୍ରା କରୁଥିବାବେଳେ ପାଣ୍ଡବମାନେ ବାଟରେ ବହୁ ସଂଖ୍ୟକ ବ୍ରାହ୍ମଣଙ୍କୁ ଦେଖିଲେ । ସେହି ବ୍ରାହ୍ମଣମାନେ କହିଲେ : ‘‘ଅଦ୍ୟ ଆପଣମାନେ ପାଞ୍ଚାଳ ଦେଶକୁ ଗମନ କରନ୍ତୁ, ସେଠାରେ ଦ୍ରୁପଦ ରାଜାଙ୍କ ନିବେଶନରେ ବହୁ ବ୍ୟୟସାଧ୍ୟ ମହା ସ୍ୱୟଂବର ସଭା ହେବ । ଆମ୍ଭେମାନେ ସେହିଠାକୁ ଗମନ କରୁଅଛୁଁ ।’’ ମାତ୍ର ସାରୋଳଙ୍କ ମହାଭାରତରେ କୃଷ୍ଣଙ୍କ ଦ୍ୱାରା ପ୍ରେରିତ ହୋଇ ବ୍ୟାସମୁନି ପାଣ୍ଡବମାନଙ୍କୁ ‘ବ୍ୟାସକୂଟ ଲାଖ’ ପ୍ରସଙ୍ଗ ଅବହିତ କରାଇଛନ୍ତି ଓ ମାତା କୁନ୍ତୀଙ୍କ ନିର୍ଦ୍ଦେଶରେ ସେମାନେ ବ୍ରାହ୍ମଣ ବେଶ ଧରି ପାଞ୍ଚାଳଦେଶ ଯାଇଛନ୍ତି । ପାଣିକବି ଏହି କ୍ଷେତ୍ରରେ ଉଭୟ ମହାଭାରତକୁ ଅନୁସରଣ କରିଛନ୍ତି । ଅର୍ଜୁନ କହୁଛନ୍ତି ‘‘ଆଜି ପାଇଲୁଁ ସନ୍ଧାନ ଦ୍ୱିଜ ମୁହିଁ ପାଞ୍ଚାଳନଗରେ ହେଉଅଛି ସ୍ୱୟଂବର ।’’ ଯାତ୍ରାରମ୍ଭ ଅବକାଶରେ ବ୍ୟାସଦେବ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି ଓ ଦ୍ରୁପଦ ରାଜାଙ୍କ ‘ଲାଖ ବିଧାନ’ ବିଷୟ ଅବଗତ କରାଇଛନ୍ତି ।

 

ମାତ୍ର ‘ଲାଖ ନିର୍ମାଣ’ ପ୍ରସଙ୍ଗରେ ପାଣିକବି ବ୍ୟାସ-ମହାଭାରତକୁ ଅନୁସରଣ ନକରି ସାରୋଳଙ୍କ ଲୋକପ୍ରିୟ ‘ବ୍ୟାସକୂଟ ଲାଖ’ କୁ ଗ୍ରହଣ କରିଛନ୍ତି । ସଂସ୍କୃତ ମହାଭାରତରେ ଶୂନ୍ୟରେ ନିର୍ମିତ ଏକ ଯନ୍ତ୍ରର ଛିଦ୍ର ଉପରେ ଚଳନଶୀଳ ଲକ୍ଷ୍ୟବିନ୍ଦୁ ନିର୍ଦ୍ଧାରିତ ହୋଇଛି ଓ ନିର୍ଦ୍ଦିଷ୍ଟ ପାଞ୍ଚୋଟି ଶରଦ୍ୱାରା ଆକାଶସ୍ଥ ଏହି ଲକ୍ଷ୍ୟକୁ ଭେଦ କଲେ ପାଞ୍ଚାଳି ପ୍ରାପ୍ତି ସମ୍ଭବ ବୋଲି ପଣ ରଖା ଯାଇଛି । ମୂଳ ମହାଭାରତର ଏହି ସରଳ ପରିକଳ୍ପନାକୁ ସାରୋଳ ଅପେକ୍ଷାକୃତ ଜଟିଳ ଚିତ୍ତାକର୍ଷକ କରି କଳ୍ପନା କରିଛନ୍ତି ।

 

‘‘ରାଧାଚକ୍ର ବୁଲଇ ଯେ ସହସ୍ରେକ ଧାର

କନକର ମୀନ ଅଛି ତହିଁର ଉପର

କୁଲାଳ ଚକ୍ର ପ୍ରାୟେ ସେ ବୁଲଇ ଅନ୍ତରୀକ୍ଷେ

ତଳେ ଧନୁୟେକ ଅଛଇ ବଳ ୟେକ ଲକ୍ଷେ ।

 

ରାଧାଚକ୍ର ବୁଲୁଅଛି ସାତ ତାଳ ଉଚ୍ଚେ

ତାଳେକ ଉପରେ କନେକ ପଟାୟେ କଣ୍ଟିଲା ଅଛି ସଞ୍ଚେ ।

ଲକ୍ଷେବଳ ଧନୁଧରି ସେ ପଟାର ଉପରେଣ ଉଠି

ତହିଁର ତଳେ ଥୋଇଲା ଅଛି ତୀର୍ଥଜଳ ଘଟୀ ଗୋଟି ।

 

ତଳକୁ ହେବ ଦୃଷ୍ଟି ଉପରକୁ ହୋଇବ ମୁଷ୍ଟି

ବିନ୍ଧିବ ନାରାଜ ଚକ୍ରଭେଦି ମୀନ ବାମଚକ୍ଷୁ ଯିବ ଫୁଟି ।’’

 

‘ମହାଲାଖ’ ନିର୍ମାଣ ପ୍ରସଙ୍ଗରେ ସାରୋଳଙ୍କର ଏହି କଳ୍ପନାକୁ ପାଣିକବି ଅବିକଳ ଗ୍ରହଣ କରିଛନ୍ତି ।

 

‘‘ଶୁଣ ଧର୍ମ ସେ ଲାଖର ମର୍ମ ଏହିପରି

କରିଛି ଆଶ୍ଚର୍ଯ୍ୟ କର୍ମ ପଞ୍ଚାଳ କେଶରୀ ।

ସପ୍ତତାଳ ସ୍ତମ୍ଭ ଊର୍ଦ୍ଧେ ‘ରାଧାଚକ୍ର,      ଭ୍ରମେ ବାୟୁବେଗେ ତିଳେ ନୋହେ ବକ୍ର,

ଚକ୍ର ଊର୍ଦ୍ଧ୍ୱେ ରହିଅଛି ସୁବର୍ଣ୍ଣ ଶଫରୀ ।

 

ଲାଖପଟା ତଳେଘଟେ ଅଛି ଜଳ,      ମନେ ରଖିଥିବ କୁନ୍ତୀର ଦୁଲାଳ,

ମୀନଚକ୍ର ବିମ୍ୱ ନୀରଘଟେ ଅନୁସରି ।

ତହିଁ ପାଖେ ଲୋହ ଶରାସନେ ଶର,      ଖଞ୍ଜି ପାଞ୍ଚଗୋଟି ଥୋଇଛି ଆବର,

ତଳ ଜଳ ଘଟେ ଦୃଷ୍ଟି ଊର୍ଦ୍ଧ୍ଵେ ମୁଷ୍ଟି କରି ।

 

ଯେ ବିନ୍ଧିବ ଲାଖ ନୀରକୁ ଅନାଇ,      ଭେଦି ରାଧାଚକ୍ର ପଞ୍ଚ ତୀର ଯାଇ

ଫୁଟିବ ମୀନ-ନୟନେ ଏପଣ ତାହାରି ।’’

 

ବ୍ୟାସ ବିରଚିତ ମହାଭାରତରେ ପାଞ୍ଚାଳାଭିମୁଖୀ ବ୍ରାହ୍ମଣମାନଙ୍କ ସହ ପାଣ୍ଡବାଦିଙ୍କ କଥୋପକଥନ ଅତ୍ୟନ୍ତ ଶାଳୀନ, ଭଦ୍ରୋଚିତ ଓ ପ୍ରଜ୍ଞାସୁଲଭ ହୋଇଛି ଏବଂ ସାରୋଳ-ମହାଭାରତରେ ଏପରି କଥୋପକଥନର ଗୁରୁତ୍ୱ ଅନୁପଲବ୍‌ଧି ରହିଛି । ବ୍ୟାସଙ୍କ ବର୍ଣ୍ଣନା ଅନୁଯାୟୀ ପଥଚାରୀ ବ୍ରାହ୍ମଣମାନେ ପାଣ୍ଡବଙ୍କୁ କହିଛନ୍ତି : ‘‘ହେ ମହାତ୍ମାଗଣ ! ଆପଣମାନେ ଏହିପରି କୌତୁହଳ କରି, ସ୍ୱୟଂବର ଦେଖି ଓ ପ୍ରତିଗ୍ରହଣ କରି ଦାନ), ଆମ୍ଭମାନଙ୍କ ସହିତ ପୁନର୍ବାର ପ୍ରତିନିବୃତ୍ତ ହେବେ । ପୁନଶ୍ଚ ଆପଣମାନେ ସମସ୍ତେ ଦେବ ସଦୃଶ ରୂପବାନ, କୃଷ୍ଣା ଦେଖି ହୁଏତ ଆପଣମାନଙ୍କ ମଧ୍ୟରୁ ଜଣକୁ ବରଣ କରିପାରନ୍ତି । ବିଶେଷରେ ଆପଣଙ୍କର ଏହି ଭ୍ରାତା (ଅର୍ଜୁନ!) ଶ୍ରୀମାନ ; ସୁନ୍ଦର ଓ ମହାଭୁଜ ଅଟନ୍ତି; ଏହାଙ୍କୁ ନିୟୋଜିତ କଲେ ଏ ସ୍ୱୟଂବରରେ ଜୟୀ ହୋଇ ବହୁ ଦ୍ରବ୍ୟ ଲାଭକରି ପାରନ୍ତି ଓ ସେ ଦ୍ରବ୍ୟ ଆହରଣ କରି ଆପଣ ସମସ୍ତଙ୍କର ପ୍ରୀତିବର୍ଦ୍ଧନ କରିପାରନ୍ତି ।

 

ସଂସ୍କୃତ ମହାଭାରତର ଏହି ଅଂଶକୁ ପ୍ରକାରାନ୍ତରେ ଗ୍ରହଣ କରି ବୈଷ୍ଣବ ପାଣି ଦୁଇଜଣ ବ୍ରାହ୍ମଣଙ୍କ ସହ ପାଣ୍ଡବାଦିଙ୍କ କଥୋପକଥନର ପରିକଳ୍ପନା କରିଛନ୍ତି । କିନ୍ତୁ ଏହା ଆଦୌ ଗୁରୁଗମ୍ଭୀର ନ ହୋଇ ଲଘୁ ଓ ହାସ୍ୟୋଦ୍ଦୀପକ ହୋଇଛି । ବ୍ୟାସ ବିରଚିତ ମହାଭାରତ ଓ ବୈଷ୍ଣବ ପାଣିଙ୍କ ରଚିତ ଗୀତାଭିନୟର ପରିବେଶ, ପରିପ୍ରେକ୍ଷୀ ଓ ଶ୍ରୋତାଙ୍କ କିସମ ମଧ୍ୟରେ ଫରକ୍‌ ଆକାଶ ପାତାଳ । ଗୋଟିଏ ପ୍ରାଜ୍ଞ ଓ ରୁଚି ସଂପନ୍ନ ଶ୍ରୋତାଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଅନ୍ୟଟି ଗାଁର ଅଗଣିତ ସ୍ୱଳ୍ପଶିକ୍ଷିତ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ । ବ୍ୟାସ ଓ ବୈଷ୍ଣବଙ୍କ ମଧ୍ୟରେ ପରିଦୃଷ୍ଟ ତାରତମ୍ୟର ଏହାହିଁ ହେଉଛି ପ୍ରଧାନତମ କାରଣ । ଦାନ ଓ ଭୋଜନ ପ୍ରତି ବ୍ରାହ୍ମଣଙ୍କର ରହିଥିବା ସ୍ୱଭାବ-ସୁଲଭ ଲୋଭ ଓ ଆକର୍ଷଣ ସମ୍ପର୍କରେ ଗ୍ରାମ୍ୟ ଲୋକଙ୍କ ମଧ୍ୟରେ ରହିଥିବା ସ୍ୱତଃସିଦ୍ଧ ଧାରଣା ସମ୍ପର୍କରେ ପାଣିକବି ନିଶ୍ଚୟ ଯଥେଷ୍ଟ ମାତ୍ରାରେ ଅବହିତ ଥିବେ । ବ୍ୟାସଙ୍କ କୁଳୀନ କ୍ଷତ୍ରୀୟବଂଶଜ ପାଣ୍ଡବଙ୍କୁ ସାଧାରଣ ଜଇନ୍ତା ଶାସନବାସୀ ଶାସିନୀ ବ୍ରାହ୍ମଣରେ ରୂପାନ୍ତରିତ କରିବା କ୍ଷେତ୍ରରେ ଏହାହିଁ ତାଙ୍କୁ ପ୍ରଚୋଦିତ କରିଥିବ । ବ୍ରାହ୍ମଣ ଓ ପାଣ୍ଡବଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର କେତେକ ଅଂଶ ପାଣିକବିଙ୍କ ରଚନାରେ ଏହିପରି ରୂପ ପାଇଛି :

 

୧ମ ବ୍ରାହ୍ମଣ

-

ହୋ ଭାଇନା । କେଉଁଠୁ ଆସିଲେ ? ଯିବେ କେଉଁଠାକୁ ?

ଭୀମ

-

ଆମ୍ଭେ ଜଇନ୍ତା ଶାସନବାସୀ, ଯାଉ ଅଛୁଁ ପଞ୍ଚାଳ ସଭାକୁ ।

୨ୟ ବ୍ରାହ୍ମଣ

-

କେଉଁ ଶାଖା, କି ଉପାଧିଧାରୀ ?

ଭୀମ

-

ଯର୍ଜୁର୍ବେଦ କାଣ୍ୱ ଶାଖା, ପଣ୍ଡା ଉପାଧି ଆମ୍ଭରି ।

୧ମ ବ୍ରାହ୍ମଣ

-

ରାଜଦରବାରରେ ତୁମ୍ଭର ଅଛି କେଉଁ କାର୍ଯ୍ୟ ?

ଭୀମ

-

ଲାଖବିନ୍ଧା ଦେଖିବା ; ଭୋଜନ ମିଳିବ, ବ୍ରାହ୍ମଣ ଘରକୁ ବ୍ରାହ୍ମଣ ଯିବାକୁ କଣ ହେବ ଏତେ ଲାଜ ?

୨ୟ ବ୍ରାହ୍ମଣ

-

ଏ ରାଜାଟା ଆମରି ଜାତିଆ ପରା ନନା ?

ଭୀମ

-

ଚାଲ ସମସ୍ତେ ସାଙ୍ଗ ହୋଇଯିବା, ଆହୁରି ବ୍ରାହ୍ମଣ କେତେ ଧାଇଁଛନ୍ତି ଅନା ।’’ ଇତ୍ୟାଦି ।

 

ଭୀମ ଓ ବ୍ରାହ୍ମଣଙ୍କ ମଧ୍ୟରେ ହୋଇଥିବା ଏହି କଥୋପକଥନରୁ କଦାପି ନିକୃଷ୍ଟ ଧରଣର ବୋଲି ଅଭିହିତ କରିହେବ ନାହିଁ । ବରଂ ଏହି କଥୋପକଥନର ଭାଷା ଲୋକଶିକ୍ଷା ଓ ଲୋକ ଅନୁଭୂତିର ଖୁବ୍‌ ନିକଟବର୍ତ୍ତୀ । (ସ୍ୱୟଂବର ସଭାରେ ଅର୍ଜୁନ ଲାଖବିନ୍ଧିବାକୁ ଉଠିବା ବେଳେ ବ୍ରାହ୍ମଣଙ୍କ ବିଭିନ୍ନ ଉକ୍ତିପ୍ରତ୍ୟୁକ୍ତିକୁ ମଧ୍ୟ ଏହି ପ୍ରସଙ୍ଗରେ ଯୋଡ଼ି ବିଚାର କରାଯାଇ ପାରେ ) । ବ୍ୟାସମହାଭାରତରେ ଥିବା ଲାଖବିନ୍ଧା ପ୍ରସଙ୍ଗରେ ଅର୍ଜୁନଙ୍କର ଅନ୍ୟ ଏକ ନାମ ‘ଜିଷ୍ଣୁ’ ଓ ଦ୍ରୁପଦଙ୍କର ଅନ୍ୟ ଏକ ନାମ ଯଜ୍ଞସେନ । ମାତ୍ର ଏପରି ବୌଦ୍ଧିକ ନାମକରଣକୁ ଉଭୟ ସାରୋଳ ଓ ବୈଷ୍ଣବ ଗ୍ରହଣ କରିନାହାନ୍ତି । ଏହି ଗ୍ରହଣ ନ କରିବାରୁ ହିଁ ଉଭୟ କବିଙ୍କର ମୌଳିକତା ସୂଚିତ ହୁଏ । ସ୍ୱକୀୟ ଗୀତାଭିନୟରେ ଦୂତ ମୁଖରେ ପାଣିକବି ଯେଉଁ ଗୀତର ସଂଯୋଜନା କରିଛନ୍ତି, ତାହା ତାଙ୍କ ପ୍ରତ୍ୱୁତ୍ପନ୍ନମତି କାବ୍ୟ ଦୃଷ୍ଟିର ପରିଚାୟକ ।

 

‘‘ଚାଲି ଚାଲି ବୁଲି ବୁଲି ଠିକିଲି ଖରାରେ ଶୁଖିଲି ।

ଏ ପର ଚାକିରୀ, ପରପଞ୍ଚ ଭାରି, ବୋପାକୁ ମଉସା ଡାକିଲି ।

ବାର ପାଣି ପିଇ, ବାର ଜାଗା ଶୋଇ, ନ ଦେଖିଥିଲି ଯା ଦେଖିଲି ।

ତୋଡ଼ ଡରେ ବାର-ସାଆନ୍ତକ ଗୋଡ଼, ଧରି ଶିରେ କର ଠୁକିଲି ।’’

 

ପରାଧୀନ ଭାରତବର୍ଷରେ ସରକାରୀ ଚାକିରୀ ଓ ପ୍ରବାସୀ ଜୀବନର ବାସ୍ତବ ଚିତ୍ର କବି ତାଙ୍କ ସ୍ୱଭାବସୁଲଭ ରୀତିରେ ଯେପରି ଆଙ୍କିଛନ୍ତି, ତାହାକୁ ପ୍ରଶଂସା ନକରି ରହି ହୁଏନାହିଁ । ବିଶେଷ କରି ଗ୍ରାମୀଣ ଓ କଥିତ ଶବ୍ଦର ଆନୁପ୍ରାସିକ ପ୍ରୟୋଗ, ଏଗୁଡ଼ିକର ଶ୍ରୁତିମାଧୁର୍ଯ୍ୟ ତଥା ଗାନଯୋଗ୍ୟତାକୁ ବିଚାରକୁ ନେଲେ ପାଣିକବିଙ୍କ ପ୍ରତିଭା ସମ୍ପର୍କରେ ସ୍ୱତଃ ଏକ ମହନୀୟ ଧାରଣା ଜନ୍ମିଥାଏ । ଦ୍ରୌପଦୀଙ୍କ ସ୍ୱୟମ୍ୱର ସଭାକୁ ନିମନ୍ତ୍ରିତ ହୋଇ ଆସିଥିବା ବହୁ ରାଜାଙ୍କ ନାମ ମୂଳ ସଂସ୍କୃତ ଓ ସାରଳା ମହାଭାରତରେ ବର୍ଣ୍ଣିତ ହୋଇଥିଲେ ବି ଗୀତାଭିନୟରେ ଏସବୁର ନାତିଦୀର୍ଘ ବର୍ଣ୍ଣନାକୁ ଉପେକ୍ଷା କରାଯାଇଛି ଓ ଏହି ପ୍ରସଙ୍ଗରେ ପାଣିକବି ମାତ୍ର ୧୨ଟି ଦେଶର ନାମ ଉଲ୍ଲେଖ କରିଛନ୍ତି । ପୁଣି ସବୁ ଦେଶର ନାମ ଶ୍ରୋତାଙ୍କ ତତ୍‌କାଳୀନ ଭୁଗୋଳଜ୍ଞାନକୁ ଦୃଷ୍ଟିରେ ରଖି କରାଯାଇଛି । ମୂଳ-ମହାଭାରତରେ ଦ୍ରୌପଦୀଙ୍କୁ ସ୍ୱୟମ୍ୱର ସଭା ମଧ୍ୟକୁ ବେଶ କରି ଆଣିବା ପରିପ୍ରେକ୍ଷୀରେ କୌଣସି ସହଚରୀଙ୍କର ନାମ ଉଲ୍ଲେଖ ନଥିବା ବେଳେ ସାରୋଳ କେଶିନୀ ଓ ଜୟସେନୀ ନାମ୍ନୀ ଦୁଇଜଣ ନାରୀଙ୍କର ପରିକଳ୍ପନା କରିଛନ୍ତି । ମାତ୍ର ବୈଷ୍ଣବ ପାଣି ଏପରି କୌଣସି ଦାସୀଙ୍କର ସ୍ୱତନ୍ତ୍ର ନାମୋଲ୍ଲେଖ ନକରି ‘ଜଣେ ବୃଦ୍ଧା ମୁଦୁସୁଲୀ’ କହି କାମ ଚଳାଇ ନେଇଛନ୍ତି । ବ୍ୟାସ ମହାଭାରତରେ ଥିବା ଅଭିଜାତ ବର୍ଣ୍ଣନା ଓ ସାରୋଳଙ୍କ ବହୁକଳ୍ପନାଯୁକ୍ତ ଦୀର୍ଘ ବର୍ଣ୍ଣନାକୁ ବୈଷ୍ଣବ ପାଣି ପରିହାର କରି ସରଳ ଗ୍ରାମ୍ୟ-ଜୀବନ-ସୁଲଭ ଭାଷାରେ ସ୍ୱୟମ୍ୱର ସଭାର ବର୍ଣ୍ଣନା କରିଛନ୍ତି । ଦ୍ରୌପଦୀଙ୍କ ରୂପ ବର୍ଣ୍ଣନା କରି ବ୍ୟାସ ମହାଭାରତରେ କୁହାଯାଇଛି ଯେ ‘‘ଦ୍ରୌପଦୀ ସ୍ନାନ କରି, ସୁନ୍ଦର ବସନ ପରିଧାନ କରି, ସର୍ବାଭରଣରେ ଭୂଷିତ ହୋଇ କାଞ୍ଚନ ମାଳିକୁ ଧାରଣ କରି ଅବତୀର୍ଣ୍ଣ ହେଲେ ।’’ ଏହି ବର୍ଣ୍ଣନାକୁ ସାରୋଳ ତାଙ୍କର ଅତି କଥନ ଶୈଳୀ ଦ୍ୱାରା ଅତ୍ୟନ୍ତ ଦୀର୍ଘ କରିଛନ୍ତି । ଯଥା...

 

‘‘ବେନି ଶ୍ରବଣେ ଢଳନ୍ତି ବେନି ବାହୁ ଶିଖେ

କୃଷ୍ଣ ମେଘ ଉଦେ ହୋଇ ଯେହ୍ନେ ଉଡ଼ନ୍ତି ବଳାକେ ।’’

 

ଅର୍ଥାତ୍‌ କୃଷ୍ଣମେଘରେ ଉଡ଼ୁଥିବା ବଳାକା ପଙ୍‌କ୍ତି ପରି କୃଷ୍ଣାଙ୍କର କର୍ଣ୍ଣାଳଙ୍କାର ପରିଶୋଭିତ । ଏହି ପ୍ରସଙ୍ଗରେ ବୈଷ୍ଣବ ପାଣିଙ୍କ ଦ୍ରୌପଦୀ ବର୍ଣ୍ଣନାରୁ ଉଦ୍ଧୃତିଟିଏ ନିଆଯାଉ-

 

‘‘ମନ୍ଦରସ୍ତନାକୁ କୁନ୍ଦରଦନାକୁ ଆଣିଲା କେ ଏହି ଧରଣୀକି ରେ

ପନ୍ଦର ନୟନ ଅନାଇ ସୁନ୍ଦର ପଣ ତ ନଯିବ ବରତିକି ରେ

ଚନ୍ଦରମୁଖୀର ଭୁରୁ ଗଣି ଦୂରୁ ଚାହିଁ ହୃଦ ହୁଏ କରତିକି ରେ ।

ଦଣ୍ଡକେ ଖଣ୍ଡିବ କନ୍ଦରପ ଦର୍ପ କୋଳେ ବସାନ୍ତେ ଏ ମୂରତିକି ରେ

କାମବାଣିଜ୍ୟର ଏ ନିଶ୍ଚେ ବନ୍ଦର ଭାଷିବ ଯେ କାଳେ ଭାରତୀକି ରେ

ଅନ୍ଧର ନୟନ ଫିଟିବ ବଧିର ଶ୍ରବଣେ ହେବ ତ ଆରତିକି ରେ ।’’

 

ଦ୍ରୌପଦୀଙ୍କ ବାଣୀ-ଭଙ୍ଗୀକୁ ‘କାମବାଣିଜ୍ୟ’ର ବନ୍ଦର ଭାବେ ବର୍ଣ୍ଣନା କରିବା କଦାପି ଏକ ସ୍ୱଳ୍ପ ପ୍ରତିଭାଧାରୀ କବି ପକ୍ଷରେ ସମ୍ଭବ ନୁହେଁ । ଭାଷା ପ୍ରୟୋଗରେ ପରିବେଶ ଔଚିତ୍ୟବୋଧ ପ୍ରତି ପାଣି କବି ଯେ ସଚେତନ ଥିଲେ, ତାହା ଆମକୁ ଯେତିକି ଆକୃଷ୍ଟ କରେ ଏକ ସୁପ୍ରାଚୀନ ଓ ବହୁ କଥିତ ପୌରାଣିକ କଥାବସ୍ତୁକୁ ନିତ୍ୟ ନୂତନ କରି ପରିବେଷଣ କରିବାରେ କବିଙ୍କର ଅଦ୍ଭୁତ ଧୀଶକ୍ତିକୁ ବିଚାରକୁ ନେଲେ ସେତିକି ବିସ୍ମିତ ହେବାକୁ ହୁଏ । ଅନୁଭୂତି ଯଥେଷ୍ଟ ପକ୍ୱ ହୋଇ ନଥିଲେ, ଓତପ୍ରୋତ ଜୀବନ-ସଂପୃକ୍ତି ନଥିଲେ, ଏପରି କବିତ୍ୱ ଓ ବର୍ଣ୍ଣନା-ବୈଚିତ୍ର୍ୟ ଜଣେ କବିଠାରୁ କଦାପି ଆଶା କରାଯାଇ ନପାରେ ।

 

ସ୍ୱୟମ୍ବର ସଭାରେ କୃଷ୍ଣ ବଳରାମଙ୍କ ଉପସ୍ଥିତି ବିଷୟ ଉଭୟେ ବ୍ୟାସ ଓ ସାରୋଳ-ମହାଭାରତରେ ବର୍ଣ୍ଣିତ ହୋଇଛି । ବ୍ୟାସ-ମହାଭାରତର ବର୍ଣ୍ଣନା ଅନୁଯାୟୀ ସ୍ୱୟମ୍ୱର ସଭାରେ କୃଷ୍ଣ ବଳରାମଙ୍କୁ ଯୁଧିଷ୍ଠିର, ଭୀମ ପ୍ରଭୃତି ପାଣ୍ଡବ ପାଞ୍ଚଭାଇଙ୍କୁ ଚିହ୍ନାଇ ଦେଇଛନ୍ତି ଓ ରାମ ପ୍ରୀତମନା ହୋଇ ଜନାର୍ଦ୍ଦନ ଆଡ଼କୁ ଚାହିଁଛନ୍ତି । ସାରୋଳ ମହାଭାରତରେ ବର୍ଣ୍ଣିତ ଅଛି ଯେ, ଜଗନ୍ନାଥ କୃଷ୍ଣଙ୍କଠାରୁ ବଳରାମ ଅର୍ଜ୍ଜୁନଙ୍କ ଲାଖ ବିନ୍ଧିବା କଥା ଶୁଣି ବିସ୍ମିତ ହୋଇପଡ଼ିଥିଲେ । ବଳରାମ ଜାଣିଥିଲେ ଯେ, ପାଣ୍ଡବ ପାଞ୍ଚ ଭାଇ ଓ କୁନ୍ତୀ ଜତୁଗୃହ ଦାହରେ ପ୍ରାଣତ୍ୟାଗ କରିଛନ୍ତି । କୃଷ୍ଣ ତାଙ୍କୁ କପଟ କରୁଛନ୍ତି ବୋଲି ଧାରଣା କରି ସେ କ୍ରୋଧାନ୍ୱିତ ହୋଇଛନ୍ତି ଓ ସଭା ଛାଡ଼ି କିଛିଦୂର ଚାଲିଯାଇଛନ୍ତି । କିନ୍ତୁ ସେ ପାଣ୍ଡବଙ୍କ ହିତାକାଙ୍‌କ୍ଷୀ ନୁହନ୍ତି ବୋଲି କାଳେ କୃଷ୍ଣ ମନେ କରିପାରନ୍ତି ବୋଲି ଚିନ୍ତା କରି ପୁଣି ଫେରି ଆସିଛନ୍ତି । ବଳରାମଙ୍କର ଏହି ମନୋଭାବକୁ ସାରୋଳ ନିମ୍ନ ମତେ ପ୍ରକାଶ କରିଛନ୍ତି-

 

‘‘ଆମେ ଯେବେ ଏଥୁ ରାଗେ ଯିବା ଆଜି

ପାଣ୍ଡବଙ୍କୁ ଅଭାବ ବୋଲି ବୋଲିବେ ଦେବରାଜି ।’’

 

ବଳରାମ ଯେ ଦୁର୍ଯ୍ୟୋଧନଙ୍କ ପ୍ରତି ଦୁର୍ବଳ, ଏ ପୌରାଣିକ ଅପବାଦ କାହାକୁ ବା ଅବିଦିତ । ସାରୋଳ ତାଙ୍କ ମହାଭାରତରେ ଯେପରି ବଳରାମଙ୍କର ଚିତ୍ରଣ କରିଛନ୍ତି, ତହିଁରେ ବୈଷ୍ଣବ ପାଣି ଲୋକାକାଂକ୍ଷାର ଯଥାର୍ଥ ପ୍ରତିଫଳନ ଲକ୍ଷ୍ୟ କରିବା ସ୍ୱାଭାବିକ । କୃଷ୍ଣ ଯେତେବେଳେ ବଳରାମଙ୍କୁ ପାଣ୍ଡବାଦିଙ୍କ ପରିଚୟ ଦେଉଛନ୍ତି, ସେତେବେଳେ ବୈଷ୍ଣବଙ୍କ ବଳରାମ ବୀତରାଗ ହୋଇ ଉଠିଥିବା ଲକ୍ଷ୍ୟ କରାଯାଉଛି । କୃଷ୍ଣ ପାଣ୍ଡବଙ୍କ ପ୍ରଶଂସା କରୁଥିବା ସ୍ଥଳେ ବଳରାମ ଦୁର୍ଯ୍ୟୋଧନଙ୍କ ପ୍ରଶସ୍ତି ବାଢ଼ୁଛନ୍ତି-

 

‘‘ଦେଖ କୃଷ୍ଣ, ଦୁର୍ଯ୍ୟୋଧନ ଅଛି ରାଜାମେଳେ

ବିରାଜଇ କନକ ମୁକୁଟ ମଉଳିରେ

ସୁଧର୍ମା ସଭାରେ ଶଚୀପତି ଶୋଭେ ଯଥା

ବିଜେ ତଥା କୁରୁକୁଳ ନାଥ

ତା’ର ଭାଇ ହୋଇ କି’ ମଳିନ ଦିଶେ ଧର୍ମସୁତ’’

 

ବଳରାମଙ୍କ ଏହି ଉକ୍ତିର ପ୍ରତ୍ୟୁତ୍ତରରେ କୃଷ୍ଣ କହୁଛନ୍ତି :

 

‘‘ଜ୍ୟେଷ୍ଠଭ୍ରାତ, ଜାଣିଅଛି କୁରୁପତି ଅଟେ ପାପମତି

ପାପେ ବଢ଼େ ପାପାତ୍ମାର ତେଜ

କିନ୍ତୁ କାଳେ ନିଶ୍ଚେ ହୁଏ ତା’ ନିର୍ବାଣ ।’’

 

ଏପରି ବର୍ଣ୍ଣନା ପାଣି କବିଙ୍କର ସୃଜନଶୀଳତାର ପରିଚାୟକ । ଲାଖବିନ୍ଧିବା ପୂର୍ବରୁ ଅର୍ଜ୍ଜୁନ ବଳରାମ ଓ ଶ୍ରୀକୃଷ୍ଣଙ୍କୁ ପ୍ରଣାମ ଜଣାଇଛନ୍ତି । କୃଷ୍ଣ ଏଥିପ୍ରତି ବଳରାମଙ୍କ ଦୃଷ୍ଟି ଆକର୍ଷଣ କରି ଅର୍ଜୁନଙ୍କୁ ଆଶୀର୍ବାଦ ଦେବାକୁ କୁହନ୍ତେ ବଳରାମ କହିଛନ୍ତି :

 

‘‘ଆଶୀର୍ବାଦ ମୁଁ କରୁଛି ଶ୍ରୀହରି ।

ଲକ୍ଷ୍ୟ ନିଶ୍ଚେ ବିନ୍ଧିବ ଅର୍ଜୁନ, କନ୍ୟା ନେବା ଗହନ ପଡ଼ିବ

ଏକାକୀ ଅର୍ଜୁନ, ଏ ଯେ ଲକ୍ଷ ନରପତି ।’’

 

ଦୁର୍ଯ୍ୟୋଧନ ଚାହାନ୍ତି, ଅର୍ଜୁନ ଲାଖବିନ୍ଧୁ ; ମାତ୍ର ତାଙ୍କୁ କୃଷ୍ଣାପ୍ରାପ୍ତି ହେଉ-ଏହା ତାଙ୍କ ଅନ୍ତରରେ ପଇଟୁ ନାହିଁ । ସାରୋଳଙ୍କ ମହାଭାରତରେ ଅର୍ଜୁନ ଲାଖବିନ୍ଧିବାକୁ ଉଠିବା ଦେଖି ‘‘କୃତ୍ୟ କୃତ୍ୟ ହୁଅନ୍ତେ ମଧୁରିପୁ ବଳରାମ ବିରସିଲେ ବପୁ ।’’ ପୁଣି ଲାଖ ବିନ୍ଧିବା ପୂର୍ବରୁ ଅର୍ଜୁନ ବଳରାମଙ୍କୁ ପ୍ରଣାମ କଲାବେଳେ ବଳରାମଙ୍କ ହୃଦୟରେ କଲ୍ୟାଣ ବାଞ୍ଛା ପରିବର୍ତ୍ତେ ଅକଲ୍ୟାଣ ବାଞ୍ଛାହିଁ ବେଶୀ ଆଚ୍ଛନ୍ନ କରୁଛି :

 

‘‘କଲ୍ୟାଣ ବଚନ ନଆସଇ କଦାଶ୍ଚିତେ

ଅକଲ୍ୟାଣ ବାଞ୍ଛା ସେ ଆସଇ ହୃଦଗତେ

ଗୋବିନ୍ଦଙ୍କର ଭୟେ ସେ ବୋଇଲେ କଲ୍ୟାଣ ତୋତେ ହୋଉ

ତୁ ଲାଖ ବିନ୍ଧରେ ବାବୁ କନ୍ୟା ଆନ ନେଉ ।’’

 

ସାରୋଳଙ୍କ ଏତାଦୃଶ ବର୍ଣ୍ଣନା ବ୍ୟାସ-ମହାଭାରତରେ ପ୍ରାୟଶଃ ଦୁର୍ଲଭ । ପାଣିକବି ଏ କ୍ଷେତ୍ରରେ ଯେ ସାରୋଳଙ୍କ ଅନୁଗାମୀ, ଏହା କହିବା ନିଷ୍ପ୍ରୟୋଜନ । ଲାଖ ବିନ୍ଧିବାକୁ ଆସିଥିବା ଅର୍ଜୁନଙ୍କୁ ଦେଖି ଦ୍ରୌପଦୀଙ୍କ କୌଣସି ପ୍ରତିକ୍ରିୟାର ବର୍ଣ୍ଣନା ସଂସ୍କୃତ-ମହାଭାରତରେ ନାହିଁ । ସାରୋଳଙ୍କ ମହାଭାରତ ମଧ୍ୟ ଏ କ୍ଷେତ୍ରରେ ବିଶେଷ ମୁଖର ନୁହେଁ । କିନ୍ତୁ ପାଣିକବି ସ୍ୱକଳ୍ପନା ଓ ପ୍ରତିଭା ବଳରେ ଗ୍ରାମ୍ୟ ଦର୍ଶକଙ୍କ ରସ-କୌତୂହଳ-ଅପନୋଦନ ନିମିତ୍ତ ଅର୍ଜୁନଙ୍କୁ ଦେଖି ସୃଷ୍ଟି ହୋଇଥିବା ଦ୍ରୌପଦୀଙ୍କ ମନୋଦଶାର ମନୋଜ୍ଞ ଚିତ୍ର ପ୍ରଦାନ କରିଛନ୍ତି । ଦ୍ରୌପଦୀ ତାଙ୍କ ସଖୀକୁ କହିଛନ୍ତି :

 

‘‘ସଖି ! ଏ ଛବି ନିରେଖି ଧୃତି କମ୍ପେ ମୋର

ଟାଣି ବିନ୍ଧେ ଫୁଲଧନୁ-ପାଣି ହୃଦେ ପଞ୍ଚଶର ।

ଛକ ଛକ ବାମ ଚକ୍ଷୁ ବାମ ବାହୁ କମ୍ପେ କିମ୍ପା ମୁହୁର୍ମୁହୁଃ

ସତେ ବାମ ଦେବେ ଦେବେ ହେବେ ଏ ମୋ’ ଗଳାହାର ।’’

 

ଅର୍ଜୁନ ଲାଖ ବିନ୍ଧିବାକୁ ଉଠିବାବେଳେ ଦ୍ରୌପଦୀଙ୍କ ବାମଚକ୍ଷୁ ଓ ବାମବାହୁ ସ୍ଫୁରିବା ଘଟଣା ବୈଷ୍ଣବ ପାଣିଙ୍କର ଏକାନ୍ତ ନିଜସ୍ୱ ପରିକଳ୍ପନା । ଏ କ୍ଷେତ୍ରରେ ସେ ଉଭୟ ବ୍ୟାସ ଓ ସାରୋଳଙ୍କଠାରୁ ଯେ ସ୍ୱତନ୍ତ୍ର ଓ ଅଭିନବ, ଏହା କହିଲେ ଅତ୍ୟୁକ୍ତି ହେବନାହିଁ । ବ୍ୟାସଦେବଙ୍କ ମହାଭାରତ ମୁଖ୍ୟତଃ ଏକ ଅଭିଜାତ ପାଠକ ଗୋଷ୍ଠୀ ପାଇଁ ଉଦ୍ଦିଷ୍ଟ ଥିଲାବେଳେ ସାରୋଳଙ୍କ ମହାଭାରତ ଓଡ଼ିଶାର ଅଗଣିତ ଗ୍ରାମ୍ୟଜନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ପୁଣି ଏହି ଉଭୟ କାବ୍ୟ ମୂଳତଃ ଶ୍ରୁତିକାବ୍ୟ ହୋଇଥିବାବେଳେ ପାଣିକବିଙ୍କ ଗୀତିନାଟ୍ୟଗୁଡ଼ିକ ମୁଖ୍ୟତଃ ମଞ୍ଚାଭିନୟ ପାଇଁ ଅଭିପ୍ରେତ ଥିଲା । ‘ଶ୍ରୁତି’ ସହିତ ‘ଅଭିନୟ’ ବୈଷ୍ଣବଙ୍କ ଲକ୍ଷ୍ୟ ହୋଇଥିବାରୁ ସେ ବ୍ୟାସ ଓ ସାରୋଳଙ୍କଠାରୁ ଜାଣି ଜାଣି କଥାବସ୍ତୁର ଏପରି ବ୍ୟତିକ୍ରମ କରିଥିବା ମନେହୁଏ ।

 

ଦ୍ରୌପଦୀଙ୍କ ସଖୀ ଦ୍ରୌପଦୀଙ୍କୁ ଗଦ୍ୟ ଭାଷାରେ ଯେଉଁ ଉତ୍ତର ଦେଇଛନ୍ତି, ତାହା ଲୋକଭାଷାର ଅତ୍ୟନ୍ତ ନିକଟବର୍ତ୍ତୀ । ସେ କହିଛନ୍ତି :-‘‘ମେଘ ଗର୍ଜନ ଶୁଣିଲେ ଚାତକୀର ଆନନ୍ଦ ବଢ଼େ । ଯେଉଁ ରୋଗ ମଧ୍ୟ ନାରାୟଣ ତୈଳରେ ଭଲ ନହୁଏ, ସେ ପରା ତୁଟୁକା ଦୂବ-କାକରରେ ହଟିଯାଏ ।’’ ବ୍ୟାସ ଓ ସାରୋଳାଙ୍କ ମହାଭାରତରେ ଏପରି ଭାଷା ସଂଯୋଜନାର କ୍ୱଚିତ୍‌ ନଜିର ପରିଦୃଷ୍ଟ ହୁଏ । ମୂଳ ସଂସ୍କୃତ-ମହାଭାରତରେ ଅର୍ଜୁନ ମାତ୍ର ଥରକ ପାଇଁ ଲାଖ ବିନ୍ଧିଥିଲେ ବି ରାଜାମାନଙ୍କର ସଂଶୟ ପ୍ରକାଶ ପାଇବାରୁ ସାରୋଳ-ମହାଭାରତରେ ତାଙ୍କୁ ଦ୍ୱିତୀୟଥର ପାଇଁ ଲାଖବିନ୍ଧିବାକୁ ପଡ଼ିଛି । ପାଣିକବି ଏ କ୍ଷେତ୍ରରେ ସଂସ୍କୃତ ମହାଭାରତକୁ ଅନୁକରଣ ନକରି ସାରୋଳଙ୍କୁ ଅନୁସରଣ କରିଛନ୍ତି । ବୈଷ୍ଣବଙ୍କ ଅର୍ଜ୍ଜୁନ ପ୍ରଥମ ଥରରେ ଲକ୍ଷ୍ୟଭେଦ ଓ ଦ୍ୱିତୀୟ ଥରରେ ମତ୍ସ୍ୟ ଚ୍ଛେଦନ କରିଛନ୍ତି । ଅର୍ଜ୍ଜୁନ ଲାଖ ବିନ୍ଧିବାରେ ସଫଳ ହେବାର ଦେଖି ବ୍ୟାସଙ୍କ ରାଜାମାନେ କୋପାବିଷ୍ଟ ହୋଇ ପଡ଼ିଛନ୍ତି । ରାଜାମାନଙ୍କର ଏହି କୋପ ମୁଖ୍ୟତଃ ଦ୍ରୌପଦୀଙ୍କ ପ୍ରତି ଉଦ୍ଦିଷ୍ଟ ହୋଇଛି ଏବଂ ଅପମାନିତ ରାଜନ୍ୟମଣ୍ଡଳୀର କ୍ରୋଧ ତଥା ଆକ୍ରମଣର ଶିକାର ହୋଇ ଦ୍ରୁପଦ ସଂତ୍ରସ୍ତ ଚିତ୍ତରେ ବ୍ରାହ୍ମଣମାନଙ୍କର ଶରଣାପନ୍ନ ହୋଇଛନ୍ତି । ସାରୋଳଙ୍କ ମହାଭାରତରେ ବର୍ଣ୍ଣିତ ଅଛି ଅର୍ଜ୍ଜୁନ ଲାଖ ସନ୍ଧାନରେ ବିଜୟୀ ହେବାପରେ ଦୁର୍ଯ୍ୟୋଧନ ହଠାତ୍‌ କୋପାବିଷ୍ଟ ନହୋଇ ଶକୁନି ଜରିଆରେ ଲାଖ ବିନ୍ଧିଥିବା ଭିକ୍ଷାଶୀ ବ୍ରାହ୍ମଣଙ୍କୁ ପ୍ରଚୁର ଧନ ଦେଇ ଦ୍ରୌପଦୀଙ୍କୁ କଳେବଳେ କୌଶଳେ ଘେନି ଆସିବାକୁ ପ୍ରବର୍ତ୍ତାଇଛନ୍ତି । ଶକୁନି ଅର୍ଜ୍ଜୁନଙ୍କୁ କହିଛନ୍ତି, ଯଦି ସେ ଦ୍ରୌପଦୀଙ୍କୁ ଦେଇ ଦିଅନ୍ତି, ତେବେ-

 

‘‘ଯେତେ ଧନ ଇଚ୍ଛା ତୋତେ ତେତେ ଧନ ଦେବା

ଶତେ ବିଳାସୂଣୀ ତୋତେ ପ୍ରଦାନ କରାଇବା

ବେହେରା ମହାପାତ୍ର ପକ୍ଷେ ତୋତେ ଦେବା ଶାଢ଼ୀ

ତୁହି ସେ ପଞ୍ଚ କଟକେ ହୋଇବୁ ଅଧିକାରୀ ।’’

 

କିନ୍ତୁ ଅର୍ଜ୍ଜୁନ ଦୁର୍ଯ୍ୟୋଧନଙ୍କୁ ଉଦ୍ଦେଶ୍ୟ କରି ଶକୁନିଙ୍କୁ କହିଛନ୍ତି-

 

‘‘ଧନକଇ ଇଚ୍ଛା ଯେବେ ବଢ଼ିଲା ତୁମ୍ଭର

ଭାନୁମତୀକୁ ଆନ କାହାକୁ ଦେଇ ଧନ କାମ୍ୟ କର ।’’

 

ପାଣି କବିଙ୍କ ଦ୍ୱାରା ପରିକଳ୍ପିତ ଦୁର୍ଯ୍ୟୋଧନ ଦୂତ ଠିକ୍‌ ଅନୁରୂପ ଭାବେ ଅର୍ଜ୍ଜୁନଙ୍କୁ କହିଛି-

 

‘‘ଯେବେ ନାରୀରେ ନାହିଁ ତବ ମନ,

ତା’ର ପ୍ରତିବଦଳରେ ଘେନ ଧନ X X X

ଏତ ରାଜଜେମା ତୁମ୍ଭେ ଗରିବ

ନେଇ ଏ ବାମାକୁ କିସ କରିବ ।

ଯଥା ସିନ୍ଦୂର ବିଧବା କପାଳେ

ତଥା ଏ କନ୍ୟା ହେବ ତବ କୋଳେ ।’’

 

ଅର୍ଜ୍ଜୁନ ମଧ୍ୟ ପ୍ରତ୍ୟୁତ୍ତରରେ କହିଛନ୍ତି-

 

‘‘ଯେତେ ରୁଣ୍ଡ ଭଣ୍ଡ ନରପତି ତହିଁରେ

ଅତି ବେଗେ କହ ତାଙ୍କୁ ଯାଇଁରେ X X X

ଦେଇପାରେ କ୍ଷଣେ X X ଜିଣି କୁବେର ଭଣ୍ଡାର

ତାଙ୍କ ରାଣୀ ଗଣେ ଶୀଘ୍ର ଦିଅନ୍ତୁ ସେ ଆଣି ।’’

 

ସାରୋଳ ଓ ବୈଷ୍ଣବ ପାଣିଙ୍କ ମଧ୍ୟରେ ଏହି ବର୍ଣ୍ଣନାର କେତେ ଯେ ସାଦୃଶ୍ୟ ରହିଛି, ତାହା କହିବା ଅନାବଶ୍ୟକ । ପୁନଶ୍ଚ ଅର୍ଜ୍ଜୁନଙ୍କର ଧିକ୍‌କାର ବାକ୍ୟ ଶୁଣି ସାରୋଳଙ୍କ ରାଜାମାନେ ହାବକା ମାରି ଭିକ୍ଷାଶୀ ବ୍ରାହ୍ମଣଙ୍କ କବଳରୁ ଦ୍ରୌପଦୀଙ୍କୁ ନେଇଯିବାର ଉଦ୍ୟମ କରିବାରୁ ଭୀମ ଅର୍ଜ୍ଜୁନ କର୍ତ୍ତୃକ ପାଣ୍ଡବ ସହିତ ଦୁର୍ଯ୍ୟୋଧନାଦିଙ୍କ ରଣଗୋଳ ଆରମ୍ଭ ହୋଇଛି । ମାତ୍ର ବୈଷ୍ଣବ ପାଣିଙ୍କ ରାଜାମାନେ ଅର୍ଜ୍ଜୁନଙ୍କଠାରୁ ଏତାଦୃଶ୍ୟ ଧିକ୍‌କାର ବାକ୍ୟ ଶୁଣିବା ପରେ ଅର୍ଜ୍ଜୁନଙ୍କ ଅପେକ୍ଷା ଦ୍ରୁପଦଙ୍କ ପ୍ରତି ଅଧିକ କ୍ରୋଧାନ୍ୱିତ ହୋଇଛନ୍ତି । ସେମାନେ ଅନୁଭବ କରିଛନ୍ତି ଯେ, ରାଜା ଦ୍ରୁପଦ ଦରିଦ୍ର ଭିକ୍ଷୁକଙ୍କୁ ଜାମାତା ଭାବେ ଗ୍ରହଣ କରିବାରୁ କ୍ଷତ୍ରିୟ ଜାତିର ଏତେ ବଡ଼ ଅପମାନ ସମ୍ଭବ ହୋଇଛି । ତେଣୁ ସମସ୍ତେ ଏକ ସ୍ୱରରେ ‘ରାଜା ଗଣେ ବେଢ଼ି ସର୍ବେ ମାର ବ୍ରାହ୍ମଣଙ୍କୁ କହି’ ଗୋଳ ଆରମ୍ଭ କରିଛନ୍ତି । ଏହି ଅଂଶରେ ପାଣିକବି ସାରୋଳଙ୍କୁ ଗ୍ରହଣ ନକରି ବ୍ୟାସଙ୍କୁ ଅନୁସରଣ କରିଛନ୍ତି । ପରାଜିତ ରାଜା ଓ ପାଣ୍ଡବମାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର ଚିତ୍ର ପାଣିକବି ସ୍ୱକଳ୍ପିତ ସ୍ତ୍ରୀପୁରୁଷ ଚରିତ୍ର ମାଧ୍ୟମରେ ଅତି ହୃଦ୍ୟ ଓ ହାସ୍ୟୋଦ୍ଦୀପକ କରି ଉପସ୍ଥାପନା କରିଛନ୍ତି । ଯଥା-

 

ପୁରୁଷ

-

ଆଉ ଏଠି ରହିହେବ ନାହିଁଲୋ ଅପା, ପଳେଇବା, ଚାଲିଆ ।

ସ୍ତ୍ରୀ

-

କ’ଣ ଦେଖିରେ ଚୂଲୀପଶା ଏତେ ହେଉଅଛୁ ହାଲିଆ ।

ପୁରୁଷ

-

କାହୁଁ ଆସିକରି ହଳେ ବ୍ରାହ୍ମଣ, ହାଣନ୍ତି ମଣିଷ ପଣକୁ ପଣ ।

ସ୍ତ୍ରୀ

-

ଗୋଟା ଭେଣ୍ଡାପଣ୍ଡା ଗଛଗୋଟା ଧରି ମାରୁଅଛି କାଲିଆ ।

ପୁରୁଷ

-

ଚୂଡ଼ା ଦହି ଗୁଡ଼ ଚକଟା ହାତ ଲଢ଼େଇକି ପୁଣି ଏଡ଼େ ଶକତ ।

ସ୍ତ୍ରୀ

-

ଗଣ୍ଡିମୁଣ୍ଡ ଗଡ଼ି ରକତରେ ପୁଣି ଉଛୁଳୁଛି ଖାଲିଆ ।’’ ଇତ୍ୟାଦି

 

ସଂସ୍କୃତ ମହାଭାରତରେ ବର୍ଣ୍ଣିତ ଅଛି ଯେ, ପାଣ୍ଡବ ପାଞ୍ଚଭାଇ ସ୍ୱୟଂବର ଜିଣିବା ପରେ ଦ୍ରୌପଦୀକୁ ନେଇ କୁମ୍ଭକାର ଶାଳାରେ ମାତା କୁନ୍ତୀଙ୍କ ନିକଟରେ ଉପସ୍ଥିତ ହୋଇଛନ୍ତି । ଭୀମ ଓ ଅର୍ଜ୍ଜୁନ ମାତା କୁନ୍ତୀଙ୍କୁ କହିଛନ୍ତି-‘‘ମାତଃ ! ଅଦ୍ୟ ଏହି ଭିକ୍ଷା ପ୍ରାପ୍ତ ହୋଇଅଛୁ ।’’ କୁନ୍ତୀ କୁଟୀର ମଧ୍ୟରେ ଥାଇ ସେମାନଙ୍କୁ ନଚାହିଁ କହିଛନ୍ତି : ‘‘ଯାହା ଆଣିଛ ସମସ୍ତେ ଏକତ୍ର ହୋଇ ଭୋଜନ କର-।’’ ସାରୋଳଙ୍କ ଯୁଝେଷ୍ଠି ମାତାଙ୍କୁ କହିଛନ୍ତି : ‘‘ପ୍ରାପତ ହୋଇଲାକ ସୁସଞ୍ଚ ଫଳ ଗୋଟାୟେ’’ ଏବଂ ମାତା କୁନ୍ତୀ ଉତ୍ତର କରିଛନ୍ତି : ‘ପାଞ୍ଚଭାଇ ଯାକ ତୁମ୍ଭେ ଭୁଞ୍ଜ ବାବୁ ବାଣ୍ଟି’ ପାଣିକବି ଏ କ୍ଷେତ୍ରରେ ବ୍ୟାସଙ୍କୁ ଅନୁସରଣ ନକରି ସାରୋଳଙ୍କ ବାକ୍‌-ବିନ୍ୟାସ ଓ ଉପସ୍ଥାପନାର ଢଙ୍ଗକୁ ଅନୁସରଣ କରିଛନ୍ତି । ତାଙ୍କ ଯୁଧିଷ୍ଠିର ମାତା କୁନ୍ତୀଙ୍କୁ କହିଛନ୍ତି : ‘ଅପୂର୍ବ ଭିକ୍ଷା ଏ ଆଜି କରିଅଛୁ ଲାଭ ‘‘ଏବଂ ମାତା କୁନ୍ତୀ ଉତ୍ତର ଦେଉଛନ୍ତି : ‘ଯା ଆଣିଛ ପାଞ୍ଚଭାଇ ବାଣ୍ଟିଣ ଖାଇବ ।’

 

ବ୍ୟାସ ମହାଭାରତରେ ବର୍ଣ୍ଣିତ ଅଛି ଯେ, ଏ ଘଟଣାର କିୟତ୍‌ପରେ ବଳରାମଙ୍କ ସହ କୃଷ୍ଣ ଯାଇ କୁମ୍ଭକାର ଶାଳାରେ ପହଞ୍ଚିଛନ୍ତି ଓ ପାଣ୍ଡବାଦିଙ୍କ ସହ ତାଙ୍କର କୁଶଳ ସମାଚାର ଆଦାନ ପ୍ରଦାନ ହୋଇଛି । ମାତ୍ର ପାଣିକବି ପାଣ୍ଡବଙ୍କ ସହ ବଳରାମଙ୍କ ଚିରାଚରିତ ଅସଦ୍‌ଭାବ ଯୋଗୁଁ ଏକାନ୍ତ ବ୍ୟକ୍ତିଗତ ଓ ବିମର୍ଷ ଏପରି ଏକ ମୁହୂର୍ତ୍ତରେ କୁମ୍ଭକାରଶାଳାରେ କୃଷ୍ଣଙ୍କ ସହ ବଳରାମଙ୍କ ଉପସ୍ଥିତିକୁ ସମୀଚୀନ ମନେ କରି ନାହାନ୍ତି । ବୈଷ୍ଣବଙ୍କ କୁନ୍ତୀ କୃଷ୍ଣଙ୍କୁ ଅନେକ ଦିନ ପରେ ଦେଖି ଅଶ୍ରୁପୂର୍ଣ୍ଣ ଓ ଭାବବିହ୍ୱଳ ସ୍ୱରରେ କହିଛନ୍ତି :

 

‘‘ମାଉସୀ ମନେ ପଡ଼ିଲା ଏତେ କାଳେ କି ତୋହରି ?

ପୋଡ଼ିମଲେ ଯାଆନ୍ତାଣି ଦ୍ୱାଦଶ ବରଷ ପୂରି ।

ଆସରେ ଯାଦବ ଈଶ ; ନଦେଖି ବାର ବରଷ

ପଡ଼ି ରହିଛି ଏ ପୋଡ଼ାଆଖି ଯୋଡ଼ା ଲୁହା ପରି ।’’

 

କୁନ୍ତୀଙ୍କର ଏହି ଉକ୍ତି ମଧ୍ୟରେ ପାଣିକବି ଓଡ଼ିଆ ମାତୃହୃଦୟର ଅସଲ ମର୍ମସ୍ପନ୍ଦନକୁ ଯେପରି ଉଦ୍‌ଘାଟିତ କରିଛନ୍ତି ; ବ୍ୟାସ ଓ ସାରୋଳଙ୍କ ମହାଭାରତରେ ଏହାର ସମାନ୍ତରାଳ ଦୃଷ୍ଟାନ୍ତଟିଏ ଖୋଜି ପାଇବା ଦୁରୂହ ହୋଇପଡ଼େ । ବ୍ରାହ୍ମଣମାନଙ୍କ ସହ ଅନ୍ତରଙ୍ଗା କନ୍ୟା ଦ୍ରୌପଦୀ ସ୍ୱୟଂବର ସଭାରୁ ଅନ୍ତର୍ହିତ ହୋଇଯିବା ପରେ ରାଜା ଦ୍ରୂପଦ ଏକାନ୍ତରେ କାନ୍ଦିବା ଦୃଶ୍ୟକୁ ପାଣିକବି ଯେପରି ବର୍ଣ୍ଣନା କରିଛନ୍ତି ତା’ର ଅନୁରୂପ ବର୍ଣ୍ଣନା ବ୍ୟାସ ଓ ସାରୋଳଙ୍କ ମହାଭାରତରେ ରହିଥିଲେ ବି ତାହା ପାଣିକବିଙ୍କ ଯଥାର୍ଥ ବିକଳ୍ପ ହୋଇପାରି ନାହିଁ । ସାରୋଳଙ୍କ କେଶିନୀ କୁରାଳଶାଳ ବାହାରେ ଛପିରହି ପାଣ୍ଡବ ଓ ଦ୍ରୌପଦୀଙ୍କ ସହାବସ୍ଥାନର ଗୋପନୀୟ ବିବରଣୀ ସଂଗ୍ରହ କରିଥିବା ବେଳେ ବ୍ୟାସଙ୍କ ଧୃଷ୍ଟଦ୍ୟୁମ୍ନ ଭୀମ ଓ ଅର୍ଜ୍ଜୁନଙ୍କ ପଛେ ପଛେ ଭାର୍ଗବଙ୍କ ନିବେଶନକୁ ଗୋପନରେ ଗମନ କରିଛନ୍ତି । ପାଣିକବି ଏ କ୍ଷେତ୍ରରେ ସାରୋଳଙ୍କୁ ତ୍ୟାଗ କରି ବ୍ୟାସଙ୍କୁ ହିଁ ଗ୍ରହଣ କରିଛନ୍ତି । ସ୍ଥାନ ନିର୍ଜନ ଓ ଅଜ୍ଞାତ, ସମୟ ରାତ୍ରି ; ପୁଣି ଏଇ ମାତ୍ର ଶେଷ ହୋଇଛି ଏକ ହୃଦୟ ବିଦାରକ ରଣ କନ୍ଦଳ । ଏହି ପରିପ୍ରେକ୍ଷୀରେ କୁମ୍ଭକାରଶାଳ ନିକଟରେ ଜଣେ ଅବଳାର ପ୍ରବେଶକୁ ପାଣିକବି ସମୁଚିତ ମନେ କରି ନାହାନ୍ତି । ତେଣୁ ସେ ବ୍ୟାସଙ୍କ ବିଚାରକୁ ଗ୍ରହଣ କରିଛନ୍ତି ଓ ଏପରି ସିଦ୍ଧାନ୍ତ ଦ୍ୱାରା ନିଜ ଦୃଷ୍ଟିକୋଣର ଯୁକ୍ତିନିଷ୍ଠତାକୁ ପ୍ରମାଣ କରିଛନ୍ତି ।

 

ବ୍ୟାସଙ୍କ କୁନ୍ତୀ କୁମ୍ଭକାର ଶାଳରେ ଭିକ୍ଷାନ୍ନର ଅଗ୍ରଭାଗତକ ଦେବତା, ବ୍ରାହ୍ମଣ, ଅତିଥି ଓ ଭୋଜନାଭିଳାଷୀମାନଙ୍କୁ ପ୍ରଦାନ କରିବା ପରେ ଅବଶିଷ୍ଟାଂଶକୁ ସମାନ ଦୁଇଭାଗ କରି ତହିଁର ଅର୍ଦ୍ଧେକ ଏକା ଭୀମସେନଙ୍କୁ ଦେବାକୁ ଏବଂ ଅପର ଭାଗକୁ ଛ’ବାଣ୍ଟ କରି ଯୁଧିଷ୍ଠିର ପ୍ରଭୃତି ଚାରିଭାଇ ଦ୍ରୌପଦୀ ଓ ସେ ନିଜେ ଭୋଜନ କରିବାକୁ ବଧୂ ଦ୍ରୌପଦୀଙ୍କୁ ନିର୍ଦ୍ଦେଶ କରିଛନ୍ତି । ସାରୋଳ ମଧ୍ୟ ସାମାନ୍ୟ ବ୍ୟତିକ୍ରମ ସହ ଏହି ଘଟଣାର ବର୍ଣ୍ଣନା କରିଛନ୍ତି । ପାଣିକବିଙ୍କ ଦ୍ରୌପଦୀ ଭିକ୍ଷା ତଣ୍ଡୁଳକୁ ରନ୍ଧନ କରି ସମଗ୍ର ଅନ୍ନକୁ ଦୁଇଭାଗ କରି ଗୋଟିଏ ଭାଗ ଭୀମକୁ ଏବଂ ଅନ୍ୟ ଭାଗଟି କୁନ୍ତୀ ସମେତ ପତି ପାଞ୍ଚଜଣଙ୍କୁ ଦେଇଥିବା ଆଲୋଚ୍ୟ ଗୀତାଭିନୟରେ ବର୍ଣ୍ଣିତ ହୋଇଛି । ବୈଷ୍ଣବ ଏଥିରେ ଅତିରିକ୍ତ ଯୋଡ଼ିଏ କଥା ସ୍ୱକୀୟ କଳ୍ପନାରୁ ସଂଯୋଜିତ କରି ଦେଇଛନ୍ତି । ତାହା ହେଉଛି-କୃଷ୍ଣା ତା’ ନିଜ ଭାଗଟିକୁ ଦୁଇଭାଗ କରି ଧୃଷ୍ଟଦୁମ୍ନକୁ ଅତିଥି ଭାବେ କିଛି ଦେଇଛି । ଅନ୍ୟ କଥାଟି ହେଉଛି-ଭୀମ ପେଜ ପାଇଁ କଟାଳ କରିଛି ଓ ଦ୍ରୌପଦୀଙ୍କ ଅର୍ଦ୍ଧେକ ଭାଗକୁ କବଳିତ କରିଛି । ଶେଷରେ ମାତାକୁନ୍ତୀ ଏ କଳହର ସମାଧାନ କରିଛନ୍ତି । ଉଭୟ ବ୍ୟାସ ଓ ସାରୋଳଙ୍କ କଥାବସ୍ତୁ ପରିକଳ୍ପନାର ଆଧାର ଭାବେ ନେଇଥିଲେ ବି ପାଣିକବି ଓଡ଼ିଆ ଦର୍ଶକମାନଙ୍କୁ ଏକ ବିକଳ ଅନୁକୃତି ମାତ୍ର ଉପହାର ନଦେଇ ପ୍ରତ୍ୟେକ ଘଟଣାକୁ ନିଜର ଗଭୀର ମନୀଷା ଓ ଅନ୍ତର୍ଦୃଷ୍ଟି ଦ୍ୱାରା ଓଡ଼ିଶାର ନିତିଦିନିଆ ପାରିବାରିକ ଘଟଣା ସହ ସାମିଲ କରି ଦେଇଛନ୍ତି । ଓଡ଼ିଶାର ହାରାହାରି ଜୀବନଧାରଣ ପଦ୍ଧତି ଓ ବ୍ୟାସକଳ୍ପିତ ମହାଭାରତର ଚରିତ୍ରଗୁଡ଼ିକ ମଧ୍ୟରେ ଯେଉଁ ଦୂରତା ରହିଛି, ସାରୋଳ ତାହାକୁ ଅନେକାଂଶରେ ଅତିକ୍ରମ କରିବାର ସାଧୁ ଉଦ୍ୟମ କରିଛନ୍ତି ; ମାତ୍ର ବୈଷ୍ଣବ ପାଣି ମହାଭାରତର ଘଟଣା ଓ ଚରିତ୍ରମାନଙ୍କୁ ଓଡ଼ିଶାର ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ପ୍ରାଣସ୍ପନ୍ଦନ ସହ ଏପରି ଜଡ଼ିତ କରିଛନ୍ତି ଯେ, କ୍ଷୁଦ୍ର ପାର୍ଥକ୍ୟଟିଏ ବି କ୍ୱଚିତ୍‌ ଆଖିରେ ପଡ଼େ । କାହିଁ ମହାଭାରତର ମହାନ୍‌ ଚରିତ୍ରରାଜିର ସେଇ ଉତ୍ତୁଙ୍ଗ କର୍ମଶାଳା, କାହିଁ ଓଡ଼ିଶାର ନଗଣ୍ୟ ଦରିଦ୍ର ଜନତା । କାହିଁ ଦ୍ୱାପର ଯୁଗ, ଆଉ କାହିଁ ବିଂଶ ଶତାବ୍ଦୀର ପରାଧୀନ ଓଡ଼ିଶା । ପାଣିକବିଙ୍କ ମସୀମୂନରେ ସ୍ଥାନ, କାଳ ଓ ପାତ୍ରର ଏ ବିଶାଳ ପ୍ରଭେଦ ପରସ୍ପରର ସ୍ୱାତନ୍ତ୍ର୍ୟ ହରାଇ ଏକାକାର ହୋଇ ଯାଇଛନ୍ତି । ଏହାହିଁ ବୋଧହୁଏ ତାଙ୍କ ସାଧନାର ଅନନ୍ୟତା ।

 

ବ୍ୟାସ ମହାଭାରତରେ ଉଲ୍ଲେଖ ଅଛି ଯେ, ରାଜା ଦ୍ରୁପଦ ଧୃଷ୍ଟଦ୍ୟୁମ୍ନଙ୍କଠାରୁ ପାଣ୍ଡବମାନଙ୍କ ପରିଚୟ ପାଇବା ପରେ ପୁରୋହିତ ପଠାଇ ପାଣ୍ଡବମାନଙ୍କୁ ସ୍ୱଗୃହକୁ ଆମନ୍ତ୍ରଣ କରି ଆଣିଛନ୍ତି ଓ ଦ୍ରୌପଦୀଙ୍କୁ ଯୁଧିଷ୍ଠିରଙ୍କ କଥନକ୍ରମେ ପାଞ୍ଚ ଭାଇଙ୍କ ସହ ବିବାହ ଦେଇଛନ୍ତି । ମାତ୍ର ଦ୍ରୁପଦ ତାଙ୍କର ଏକମାତ୍ର ପ୍ରଶ୍ନ ଉତ୍‌ଥାପନ କରିଛନ୍ତି, ‘ଗୋଟିଏ ସ୍ତ୍ରୀ କିପରି ଏକାଧିକ ପୁରୁଷଙ୍କ ପତ୍ନୀ ହୋଇପାରିବ ?’ ଏହା ଅଧର୍ମ ଓ ଲୋକବିରୋଧୀ ମଧ୍ୟ । ଧୃଷ୍ଟଦ୍ୟୁମ୍ନ ମଧ୍ୟ କନିଷ୍ଠ ଭ୍ରାତାଙ୍କ ଭାର୍ଯ୍ୟାକୁ ଜ୍ୟେଷ୍ଠଭ୍ରାତା କିପରି ଅଭିଗମନ କରିବ ଏ ସମସ୍ୟା ଉଠାଇଛନ୍ତି । ପ୍ରଥମେ ଯୁଧିଷ୍ଠିର ଓ ପରେ ବ୍ୟାସକର୍ତ୍ତୃକ ଦ୍ରୁପଦ ନିଜର ସଂଶୟ ମୋଚନ କରିବା ପରେ ଯୁଧିଷ୍ଠିର ଆଦି ପାଣ୍ଡବ ପାଞ୍ଚ ଭାଇଙ୍କ ସହ ଦ୍ରୌପଦୀଙ୍କ ବିବାହ ଦେଇଛନ୍ତି । ସାରୋଳଙ୍କ ମହାଭାରତରେ ଦ୍ରୁପଦ ରାଜା ଚାର ନ ପଠାଇ ନିଜେ କୁରାଳଶାଳକୁ ଯାଇଛନ୍ତି ଓ ଲାଖବିନ୍ଧା ପଣ୍ଡା ବାହାରି ଆସ ବୋଲି ଡାକ ଦେଇଛନ୍ତି । ପାଞ୍ଚଭାଇଯାକ ମିଳିତଭାବେ ଦ୍ରୌପଦୀଙ୍କ ପାଣିଗ୍ରହଣ କରିବାକୁ ଅଭିଳାଷ ପ୍ରକାଶ କରିବାରୁ ଦ୍ରୁପଦ ଓ ପାଣ୍ଡବଙ୍କ ମଧ୍ୟରେ ଘୋର ବଚସା ହୋଇଛି । କୃଷ୍ଣଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାସମୁନି ଘଟଣା ସ୍ଥଳରେ ପହଞ୍ଚି ବିବାଦର ଅବସାନ ଘଟାଇଛନ୍ତି । ତା’ପରେ ଦ୍ରୌପଦୀଙ୍କ ସହ ପାଣ୍ଡବଙ୍କର ବିବାହ ଯଥାବିଧି ସମ୍ପାଦିତ ହୋଇଛି । ପାଣିକବି ଦ୍ରୌପଦୀଙ୍କ ପାଞ୍ଚ ସ୍ୱାମୀ ହେବା ପ୍ରସଙ୍ଗକୁ ଚାକରଚାକରାଣୀଙ୍କ ଗୀତ-ଛଳରେ ରୂପ ଦେଇଛନ୍ତି । ଯଥା-

 

‘‘ସ୍ତ୍ରୀ

-

ଆରେ ପୋଡ଼ିଗଲା ଧରମ କରମ ଦେଶରୁ ।

ପୁ

-

କହ କହ ମୋତେ ଆଲୋ ସୁନାମାଆ । କିଏ ନେଲା କାହା ହିଁସାରୁ ।

ସ୍ତ୍ରୀ

-

ଖାଇବେ କେମତେ ପାଞ୍ଚଜଣ ବସି ଏକାବେଳେ ଖଣ୍ଡେ କଂସାରୁ ।

ପୁରୁଷ

-

ଜଣେ ଖାଇସାରି ହାତ ଧୋଉ ଧୋଉ ଆଉ ଜଣେ ଯିବ ବସାରୁ ।’’ ଇତ୍ୟାଦି ।

 

ତତ୍‌କାଳୀନ ହିନ୍ଦୁ ସମାଜ (ଏବେକାର ବି) ଦ୍ରୌପଦୀଙ୍କ ପାଞ୍ଚ ସ୍ୱାମୀ ହେବା ଘଟଣାକୁ କଦାପି ସ୍ୱଚ୍ଛନ୍ଦରେ ଗ୍ରହଣ କରିବେ ନାହିଁ । ଏକଥା ଭଲରୂପେ ହୃଦୟଙ୍ଗମ କରିଥିବା ଗଣକବି ସମସ୍ୟାଟିର ସମାଧାନ କରିଛନ୍ତି ଏହିପରି ‘‘ବଡ଼ଙ୍କର କ’ଣ ସବୁ କଥା ବଡ଼ / ପାପ ପରା ଜାତ ଆଶାରୁ ।’’ ଦ୍ରୌପଦୀଙ୍କର ‘ପାଞ୍ଚପତି’ ପ୍ରସଙ୍ଗଟି ବ୍ୟାସ ଓ ସାରୋଳଙ୍କ ସମର୍ଥନ ପାଉଥିଲେ ବି ପାଣି କବି ଏହାକୁ ପୂର୍ଣ୍ଣତଃ ସମର୍ଥନ କରିପାରୁ ନାହାନ୍ତି । ଆଣ୍ଟ ଡାକୁନାହିଁ ; ଗାଁ ଗହଳର ନିରୀହ ନିଷ୍ପାପ ମଣିଷମାନଙ୍କ ମନ ଓ ହୃଦୟକୁ ସାମାନ୍ୟତମ ବି କଳୁଷିତ କରିବାକୁ । ବ୍ୟାସ ଓ ସାରୋଳ ପାଉଛନ୍ତି ମାନ୍ୟତା, ଅଥଚ ନିରାପଦ ରହୁଚି ପ୍ରତିଭା । କାହାଣୀ ପୁରୁଣା ; ଅଥଚ ଉପସ୍ଥାପନା ସ୍ୱାଦ୍ୟ ଓ ରୁଚିକର । ବିରଳ ଓ ଲୌକିକ ଶବ୍ଦ ବ୍ୟବହାର ଓଡ଼ିଆରେ ଗତାନୁଗତିକତାକୁ ଅତିକ୍ରମ କରିବା ପ୍ରଚେଷ୍ଟା ଜାହିର୍‌ ରହୁଛି । ପ୍ରଗଳ୍‌ଭତାକୁ ଅତିକ୍ରମ କରି ହେଉଛି ଛୋଟ ଛୋଟ ଚିତ୍ରକଳ୍ପର ଚମକପ୍ରଦ ଅଭିଜ୍ଞାନରେ । ଏହିପରି ନାନା ଦୃଷ୍ଟିକୋଣରୁ ତିନି ମନୀଷୀ କବି ବ୍ୟାସ, ସାରୋଳ ଓ ବୈଷ୍ଣବଙ୍କୁ ଏକତ୍ର ଅଧ୍ୟୟନ କଲେ ପ୍ରତ୍ୟେକଙ୍କର ମୌଳିକତା ଓ ବୈଭିନ୍ୟରେ ବିସ୍ମିତ ତଥା ଆଲୋଡ଼ିତ ହେବାକୁ ପଡ଼େ । ହୃଦୟର କେଉଁ ଗଭୀର ଅଭ୍ୟନ୍ତରରେ କ୍ଷୀଣତମ ପ୍ରଶ୍ନଟିଏ ଉଂକିମାରି ସହସା ପୁଣି ଲିଭିଯାଏ-‘‘ବ୍ୟାସ, ସାରୋଳ, ବଇଷ୍ଣବ, ତୁଳନା କିଏ କାହାର ?’’ ମନେରଖିବାକୁ ହୁଏ ଯେ, ଏହା ‘‘ବଇ-ଗିର’’, କଦାକାଳେ ବ୍ୟାସ-ଭାରତୀ, ବା ‘‘ସାରୋଳ ପ୍ରସ୍ତାବ’’ ନୁହେଁ ।

 

 

ଅଧ୍ୟାପକ, ଓଡ଼ିଆ ବିଭାଗ

ଏନ୍‌. ସି. ସି କ୍ୱାଟର-୧ କଟକ-୩

 

ଆଲୋଚ୍ୟ ନିବନ୍ଧରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ଅନୂଦିତ ବ୍ୟାସ ମହାଭାରତ/ବୈଷ୍ଣବ ପାଣି ଗ୍ରନ୍ଥାବଳୀ, ତୃତୀୟ ଖଣ୍ଡ, ପ୍ରଥମ ସଂସ୍କରଣ/ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସମ୍ପାଦିତ ସାରୋଳ ମହାଭାରତର ଆଦିପର୍ବ, ୨ୟ ଖଣ୍ଡ, ପ୍ରଥମ ମୁଦ୍ରଣ ଏବଂ ପଣ୍ଡିତ ଗୋପୀନାଥ ନନ୍ଦଶର୍ମ୍ମାଙ୍କ ଶ୍ରୀଭାରତଦର୍ପଣକୁ ଭିତ୍ତି-ଗ୍ରନ୍ଥଭାବେ ଗ୍ରହଣ କରାଯାଇଛି ।

 

***

 

ବୈଷ୍ଣବ ପାଣି : ବ୍ୟକ୍ତି ଓ ଅନୁଷ୍ଠାନ

ପ୍ରଫେସର ନିତ୍ୟାନନ୍ଦ ଶତପଥୀ

 

ନାଟ୍ୟକାର କବି ବୈଷ୍ଣବ ପାଣି ଆଜି ଓଡ଼ିଶାରେ ବହୁ ପରିଚିତ ଏକ ନାମ ଓ ଅନୁଷ୍ଠାନ । କେବଳ ମାହାଙ୍ଗା ଅଞ୍ଚଳର ନୁହନ୍ତି ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ପୁରପଲ୍ଲୀରେ ତାଙ୍କୁ ତାଙ୍କ ଗୀତିନାଟ୍ୟ ମାଧ୍ୟମରେ ସମସ୍ତେ ଜାଣନ୍ତି । ପଲ୍ଲୀ ଜନତାର ପ୍ରଚଳିତ ଭାଷା ଓ ସ୍ଳାଙ୍ଗକୁ ସେ ନାଟକ ରଚନାର ଶୈଳୀ ଭାବେ ଗ୍ରହଣ କରି ପ୍ରଭୂତ ଖ୍ୟାତି ଅର୍ଜନ କରିଯାଇଛନ୍ତି । ଓଡ଼ିଆ ନାଟକ କ୍ଷେତ୍ରରେ ଯେଉଁମାନେ ନୂଆ ନୂଆ ପରୀକ୍ଷା ଓ ପ୍ରୟୋଗରେ ମାତିଛନ୍ତି ସେମାନେ ମଧ୍ୟ ଜାଣନ୍ତି ଓ ସ୍ୱୀକାର କରନ୍ତି ଯେ ବୈଷ୍ଣବ ପାଣିଙ୍କ ‘ରଙ୍ଗସଭା’ କିମ୍ୱା ‘କୀଚକ ବଧ’ ଯେଉଁଠି ଅଭିନୀତ ହେଉଥିବ, ସେଇଠି ଯଦି ‘ଅରଣ୍ୟ ଫସଲ’ ବା ‘ଶବବାହକମାନେ’ ଅଭିନୀତ ହେଉଥିବ-ସ୍ୱତଃପ୍ରବୃତ୍ତ ହୋଇ ବହୁ ଅଧିକ ସଂଖ୍ୟକ ନାଟ୍ୟପ୍ରେମୀ ବୈଷ୍ଣବ ପାଣିଙ୍କ ନାଟକ ଦେଖିବାକୁ ଭିଡ଼ କରିବେ ; ତୁଳନାତ୍ମକ ଭାବେ ପରବର୍ତ୍ତୀ ନାଟକ ଦେଖିବାକୁ ଅତି ସ୍ୱଳ୍ପ ସଂଖ୍ୟକ ଦର୍ଶକ ଆସିବେ । ଏପରି ସାର୍ଥକତା ବୋଧହୁଏ ଅନ୍ୟ କୌଣସି ନାଟ୍ୟକାର ଜୀବଦ୍ଦଶାରେ ପାଇ ନାହାନ୍ତି । ଫଳରେ ଆଧୁନିକ ନାଟ୍ୟକାରମାନେ ସଂପ୍ରତି ବୈଷ୍ଣବ ପାଣିଙ୍କ ନାଟକର ଗଣ-ଉପାଦାନ ଓ ଲୋକ-ଉପାଦାନକୁ ଖୋଜିଲୋଡ଼ି ନିଜ ନିଜର ନାଟକରେ ପ୍ରୟୋଗ କରୁଛନ୍ତି । କାରଣ ନାଟକ କେବଳ ସାହିତ୍ୟ ପାଇଁ ଅଭିପ୍ରେତ ନୁହେଁ, ଦର୍ଶକପାଇଁ ଏହାର ସୃଷ୍ଟି ଓ ସାର୍ଥକତା । ଦର୍ଶକମାନଙ୍କ ସଦ୍ଦିଚ୍ଛା ହରାଇ ଆଜି ଓଡ଼ିଶାରେ ବହୁ ରଙ୍ଗମଞ୍ଚ ନୀରବ ହୋଇ ଯାଉଥିବାବେଳେ ଗ୍ରାମ୍ୟ ଓ ସହରୀ ଦର୍ଶକଙ୍କ ଭିଡ଼ ତଥା କୋଳାହଳରେ କବି ବୈଷ୍ଣବ ପାଣିଙ୍କ ଲିଖିତ ନାଟକାବଳୀର ଅଭିନୟ ସ୍ଥାନ ତଥାପି କୋଳାହଳ ମୁଖର ହୋଇ ଉଠୁଛି । ହୋଇପାରେ ଆମେ ଅଭିଜାତ ସମାଲୋଚକମାନେ କହିପାରୁ ଯେ ବୈଷ୍ଣବପାଣିଙ୍କ ସଂଳାପ ଓ ଭାଷା-ବିନ୍ୟାସ ଅତ୍ୟନ୍ତ ଗ୍ରାମ୍ୟ (crude) ଓ ବେଳେବେଳେ ଅଚଞ୍ଛା ମଧ୍ୟ । ତାଙ୍କ ଶୈଳୀରେ ରୁଚି ଓ ମାର୍ଜିତ ଭାବ (refinement) ନାହିଁ । ତାଙ୍କ ରଚନାର ଆବେଦନ କେବଳ ନିରକ୍ଷର, ଅର୍ଦ୍ଧଶିକ୍ଷିତ ଓ ଅଶିକ୍ଷିତ ଗଣପାଇଁ, ଅଭିଜାତ ଶ୍ରେଣୀର ପାଠକ ଓ ଦର୍ଶକ ତାଙ୍କପ୍ରତି ଆକୃଷ୍ଟ ନୁହନ୍ତି । କିନ୍ତୁ ମୁଁ ଦେଖିଛି ରେଡିଓ ମାଧ୍ୟମରେ ତାଙ୍କ ‘ରଙ୍ଗସଭା’ ବା ‘ପ୍ରହ୍ଲାଦ ଚରିତ’ ବା ଆଉକିଛି ଗୀତିନାଟ୍ୟ ପ୍ରଚାରିତ ହେଉଥିଲାବେଳେ ସହରର ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ସୁଇଚ୍‌ ଅନ୍‌ କରି ମୁଗ୍‌ଧ ହୋଇ ଶୁଣୁଥାନ୍ତି ।

 

ପରେ ଗୋପାଳ ଛୋଟରାୟ ଏଇ ସାର୍ଥକତାକୁ ବୋଧହୁଏ ତାଙ୍କ ଗୀତିନାଟ୍ୟ ରଚନାର ଚାବିକାଠି ଭାବେ ଗ୍ରହଣ କରିନେଇ ପୌରାଣିକ ଭିତ୍ତିଭୂମିରେ ଗୀତିନାଟ୍ୟ ରଚନା କରି ଯଥେଷ୍ଟ ପ୍ରଶଂସା ପାଇଲେ । ମନୋରଞ୍ଜନ ତାଙ୍କ ‘ଅମୃତସ୍ୟ ପୁତ୍ରଃ’, ‘କାଠଘୋଡ଼ା’ କିମ୍ୱା ବିଜୟବାବୁ ତାଙ୍କ ରଚିତ ‘ଜଣେ ରାଜା ଥିଲେ’ ଓ ରମେଶ ବାବୁ ତାଙ୍କ ରଚିତ ‘ପକାକମ୍ୱଳ ପୋତ ଛତା’ ‘ମହା ନାଟକ’ ଆଦି ବହୁ ନାଟକରେ ବୈଷ୍ଣବ ପାଣି ଉପାଦାନର ବିପୁଳ ପରୀକ୍ଷା କରିଛନ୍ତି । ବହୁ ତରୁଣ ଓ ନୂତନ ନାଟ୍ୟକାର ମଧ୍ୟ ଏହି ପରୀକ୍ଷାରେ ଅନୁବ୍ରତୀ ଅଛନ୍ତି ।

 

ବୋଧହୁଏ ଏଇ ସିଦ୍ଧିପାଇଁ ତାଙ୍କୁ ଗଣକବି ଆଖ୍ୟାରେ ଓଡ଼ିଶାର ନାଟ୍ୟାମୋଦୀ ଜନସାଧାରଣ ଡାକିଛନ୍ତି, ଚିହ୍ନିଛନ୍ତି ଓ ସ୍ୱୀକୃତି ଦେଇଛନ୍ତି । ତାଙ୍କ ‘ଆତ୍ମଜୀବନୀ’ରୁ ଯାହା ଜଣାଯାଏ ଏଇ ଗୀତିନାଟ୍ୟ ଗୁଡ଼ିକୁ ଧରି ନିଜ ଯାତ୍ରାପିଲାମାନଙ୍କ ସହିତ ସେ ସମଗ୍ର ଓଡ଼ିଶା ବିଜୟ କରିବାରେ ମତି ବଳାଇଥିଲେ । ତେଣୁ ବହୁ ଦୁଃଖ କଷ୍ଟରେ, ଅନେକ ସମୟରେ ପଦବ୍ରଜରେ ସେ ଗଡ଼ଜାତର ଭୀଷଣ ଅରଣ୍ୟାନି ଅତିକ୍ରମ କରି ଯାତ୍ରା ଅଭିନୟ ପ୍ରଦର୍ଶନ କରାଇଛନ୍ତି । ଓଡ଼ିଶାର ଛବିଶ ଗଡ଼ଜାତ ମଧ୍ୟରୁ ପ୍ରାୟ ଚବିଶିଟିରେ ସେ ପହଞ୍ଚିଛନ୍ତି । ଆଉ ଯେଉଁ କେତୋଟି ସ୍ଥାନକୁ ଯାଇ ପାରିଲେ ନାହିଁ ସେଥିପାଇଁ ତାଙ୍କର ମାନସିକ ଦୁଃଖ ବି ପ୍ରକାଶ କରିଛନ୍ତି ।

 

ଭୀମଭୋଇ ଗଡ଼ଜାତ ଅଞ୍ଚଳରୁ ଉପକୂଳବର୍ତ୍ତୀ ଅଞ୍ଚଳକୁ ଯେଉଁପରି ଧର୍ମଦ୍ୱେଷୀ ଅନ୍ଧ ଉପଜାତିର ଲୋକଙ୍କ ବିରୁଦ୍ଧରେ ତାଙ୍କ ଥାଟପଟଳ ନେଇ ଏକ ଆଧ୍ୟାତ୍ମିକ ଯାତ୍ରା ନିଷ୍ପାଦନ କରିଥିଲେ, ବୈଷ୍ଣବ ପାଣିଙ୍କ ନାଟ୍ୟଯାତ୍ରା ଠିକ୍‌ ସେଇ ମର୍ମରେ ନହେଲେ ବି ଗଡ଼ଜାତ ଅଞ୍ଚଳକୁ ଥିଲା ଉପକୂଳବର୍ତ୍ତୀ ଅଞ୍ଚଳର ଚିନ୍ତା ଚେତନାର ଜୟଯାତ୍ରା । ସେ ଏପରି ଯାତ୍ରା ମାଧ୍ୟମରେ ଗଡ଼ଜାତର ଅଶିକ୍ଷିତ, ନିରକ୍ଷର, ଆସବ-ଆସକ୍ତ ଓ ଭିନ୍ନ ଜୀବନ ଧାରାରେ ବଞ୍ଚୁଥିବା ଅଗଣିତ ଅର୍ଦ୍ଧ-ଉଲଗ୍ନ ଦୁଃଖୀ ମଣିଷମାନଙ୍କ ମନରେ କଳା ଓ ଜୀବନର ଉଚ୍ଚାଙ୍ଗ ବିଭବ ଲାଗି କିଞ୍ଚିତ୍‌ ଆସକ୍ତି ସୃଷ୍ଟି କରିଛନ୍ତି ଓ ସେମାନଙ୍କୁ ଏକ ନୂଆ ଜଗତକୁ ଆଣିବାକୁ ଓ ଜୀବନକୁ ନୂଆଭାବେ ବୁଝିବାକୁ ବିପୁଳ ଉପାଦାନ ଯୋଗେଇ ଦେଇଛନ୍ତି । ଅବଶ୍ୟ ଏ ଯାବତ୍‌ ତାଙ୍କ ଜୟଯାତ୍ରାର ଏହି ଉଦ୍ଦେଶ୍ୟ ଓ ଫଳାଫଳ ବିଷୟରେ ଯଥାର୍ଥ ସମୀକ୍ଷା ଓ ଅନୁଶୀଳନ ହୋଇନାହିଁ । ଅର୍ଥଲାଭର ଅନ୍ତରାଳରେ ସେ ଯେ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ଗଡ଼ଜାତ ଅଞ୍ଚଳର ଅନ୍ଧାରୀ ଶାସନ ଓ ଅନୁନ୍ନତ ଜନରୁଚିକୁ ଉଦ୍‌ବେଳିତ କରିଛନ୍ତି, ଜୀବନକୁ ନୂଆଭାବରେ ବୁଝିବାକୁ ସମ୍ଭାବନା ସୃଷ୍ଟି କରିଛନ୍ତି, ଏହା ଏକାନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ।

 

ନିର୍ଭୀକ ଓ ନିଃଶଙ୍କ ବୈଷ୍ଣବ ପାଣି ବ୍ୟଙ୍ଗ ରଚନା, ଆଶୁକବିତା ଓ ତାତ୍‌କାଳିକ ସମସ୍ୟା ଅନୁଧ୍ୟାନମୂଳକ ରଙ୍ଗରହସ୍ୟ ମାଧ୍ୟମରେ ଗଡ଼ଜାତ ଶାସନ ବିରୁଦ୍ଧରେ ବହୁ ସ୍ଥାନରେ ଛନ୍ଦୋକ୍ତି ଓ ବ୍ୟାଜସ୍ତୁତି ପ୍ରକାଶ କରିଛନ୍ତି । ନୟାଗଡ଼, ନରସିଂହପୁର, ଆଠଗଡ଼, ତିଗିରିଆ, ପଚ୍ଛିକୋଟ ଆଦି ସ୍ଥାନରେ ସେ ଗୀତାଭିନୟ ଅଭିନୟ କାଳରେ ରାଜକର୍ମଚାରୀମାନଙ୍କ ପ୍ରତି ବିଦ୍ରୂପାତ୍ମକ କବିତା ଲେଖି ରାଜାନୁଗ୍ରହ ଲାଭ କରିଛନ୍ତି । କଳାପ୍ରତି ଓ ତାଙ୍କ ନାଟ୍ୟଦଳ ପ୍ରତି ଯେତେବେଳେ ଓ ଯେଉଁଠି ଅବମାନନା ହୋଇଛି ସେଠି ସେ ତାର ସମାଧାନ ଲୋଡ଼ିଛନ୍ତି କବିତା ମାଧ୍ୟମରେ । ଏ କବିତା ଉଚ୍ଚାଙ୍ଗ କବିତା ନ ହୋଇପାରେ ; କିନ୍ତୁ ଭାବପ୍ରକାଶ ପାଇଁ ତାଙ୍କ ଭାଷା ଓ ଶୈଳୀ ଯେ ଏକାନ୍ତ ଅଭିନବ, ଏକଥା ସ୍ୱୀକାର କରିବାକୁ ହେବ । କେତେବେଳେ ଦୂତ ମୁହଁରେ, କେତେବେଳେ ଦ୍ୱାରୀ ମୁହଁରେ, କେତେବେଳେ ରାଜଦରବାରରେ ନର୍ତ୍ତକୀ ମୁହଁରେ ଅପ୍ରାସଙ୍ଗିକ ହେଲେ ବି ତାକୁ ପ୍ରସଙ୍ଗାନ୍ୱିତ କରି ପରିବେଷଣ କରିବାରେ ବୈଷ୍ଣବ ପାଣିଙ୍କର ଅଦ୍ଭୁତ ଦକ୍ଷତା ପ୍ରମାଣିତ ହୋଇ ଯାଇଛି । ନାଟକରେ କୌଣସି ଉଚ୍ଚାଙ୍ଗ ପରୀକ୍ଷା ପାଇଁ ପ୍ରୟାସୀ ନହୋଇ ଓଡ଼ିଶାର ଗାଁ ଗହଳର ତଥା ସହର ଜନପଦର ଜନସାଧାରଣ ଯେଉଁ ଭାବରେ ଆମୋଦିତ ହୋଇ ପାରିବେ ସେହିପରି ଭାଷା ବିନ୍ୟାସରେ ସେ ଥିଲେ ଅପ୍ରତିଦ୍ୱନ୍ଦୀ । ତେଣୁ ପୁରାଣର ବିପୁଳତା ଭିତରୁ ବିଷୟବସ୍ତୁ ଆଣି ସାଧାରଣ ମଣିଷର ରସପିପାସା ଅନୁକୂଳ ଭାବେ ତାକୁ ପରିବେଷଣ କରାଇ ସେ ଅଗଣିତ ଓଡ଼ିଆଙ୍କ ହୃଦୟ ରାଜ୍ୟକୁ ଅଧିକାର କରି ପାରିଥିଲେ ।

 

ଆତ୍ମଜୀବନୀରେ ଅତି ସ୍ପଷ୍ଟ ଭାଷାରେ ସେ ନିଜ ଚରିତ୍ରର ଦୁର୍ବଳତା ଓ ଦୁଷ୍କୃତି ସବୁକୁ ସ୍ୱୀକାର କରିଛନ୍ତି । ଏତେ ସ୍ପଷ୍ଟ କୌଣସି ପ୍ରକାର ଆବ୍ରୁ ଓ ଆବରଣ ନରଖି ଆଗରୁ କେବଳ ଗୋପାଳ ଚନ୍ଦ୍ର ପ୍ରହରାଜ ନିଜ ବିଷୟରେ କହିଥିଲେ । ଫକୀରମୋହନଙ୍କ ଆତ୍ମଜୀବନୀରୁ ତାଙ୍କ ଜୀବନରେ ଘଟିଥିବା ସ୍ଖଳନର କେତେକ ଚିତ୍ର ମିଳେ । ସେ ଠାଏ ଲେଖିଛନ୍ତି ‘‘ବାଲେଶ୍ୱରର ସର୍ବପ୍ରଧାନ ବ୍ୟବସାୟୀ ବାବୁ ମଦନ ମୋହନ ଦାସଙ୍କ ଭ୍ରାତା ବାବୁ କିଶୋରୀ ମୋହନ ଦାସଙ୍କର ଗୋଟିଏ ସୁନ୍ଦର ବଗିଚା ଥିଲା । ଉଦ୍ୟାନଟି ବାଲେଶ୍ୱର ମୋତିଗଞ୍ଜ ବଜାରର ପୂର୍ବପ୍ରାନ୍ତବର୍ତ୍ତୀ ଗୋଟିଏ ନିର୍ଜନ ସ୍ଥାନରେ । ପ୍ରତି ଶନିବାର ସନ୍ଧ୍ୟାଠାରୁ ରାତି ଏଗାରଟା ପର୍ଯ୍ୟନ୍ତ ସେଠାରେ ଗୋଟିଏ ବନ୍ଧୁ ସମିତି ବସେ । ସମିତିରେ ତାସ୍‌, ଶତରଞ୍ଜ, ମଦ୍ୟ, ଚରସ, ବାଇନାଚ ଇତ୍ୟାଦି କୌଣସି ପ୍ରକାର ଆମୋଦର ଅଭାବ ନଥାଏ । X X X X କେଜାଣି କି ସକାଶେ ମଦିରା ପ୍ରତି ମୋର ଯେ ଏତେ ବିଦ୍ୱେଷ, ଏତେ ଘୃଣା ଥିଲା, ତାହା ଏକାବେଳକେ ବିନଷ୍ଟ ହୋଇଗଲା । ମୁଁ ଅଭ୍ୟସ୍ତ ଲୋକପରି ସହଜ ମନରେ ବନ୍ଧୁମାନଙ୍କ ସହିତ ପାନଭୋଜନ କଲି ।’’ (୧)

 

(୧)

ଉତ୍କଳ ସାହିତ୍ୟ ୨୩ ଭାଗ ୧ମ ସଂଖ୍ୟା, ଫକୀରମୋହନ ଗ୍ରନ୍ଥାବଳୀ ୨ୟ ସଂ ପୃ ୬୨

 

ପଣ୍ଡିତ ଗୋଦାବରୀଶ ମିଶ୍ର ନିଜ ଆତ୍ମଜୀବନୀରେ ନିଜ ଜୀବନର କିଛି ଯୌନସ୍ଖଳନଜନିତ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ‘‘କିନ୍ତୁ ଦିନେ ସନ୍ଧ୍ୟାରେ ପିତା ମୋତେ ଖୁବ୍‌ ପିଟିଲେ । ମୁଁ ବୁଲିଯାଇଥିଲି, ଖାଇବା ସମୟ ଗଡ଼ାଇ ଘରକୁ ଫେରିଲି । ସେ ମୋର ବିଳମ୍ୱର କାରଣ ପଚାରିବାରେ ମୁଁ କହିଲି, ‘‘ଅମୁକ ଲୋକ ମତେ ତାଙ୍କ ଖଳାବାଡ଼ିକି ଡାକି ନେଇଗଲା । ମୁଁ ମୋର ଦୋଷ ମାନିଗଲି ଓ ଯାହା ଘଟିଥିଲା କହିଗଲି ।’’ ଗୋଦାବରୀଶଙ୍କ କୈଶୋରରେ କ’ଣ ଘଟିଥିଲା ଏକଥା ଅନୁମାନ କରିବାକୁ ପାଠକକୁ ବେଶୀ ଡେରି ଲାଗେନାହିଁ । ଏପରି ନିର୍ଦ୍ଦୋଷ ଓ ନିରୀହ ଅପରାଧ ଅନେକଙ୍କ ଜୀବନରେ ନିଶ୍ଚୟ ଘଟିଥିବ । କିନ୍ତୁ ଗୋଦାବରୀଶ କେଉଁଠି କେଉଁ ସାଙ୍ଗର ଖୋସଣିରୁ ଗଳିପଡ଼ିଥିବା ଅଧୁଲିଟିଏ ପାଇ ଲୁଚାଇ ରଖିଥିଲେ, କେଉଁଠି କାହାର ଭୁଲରେ ଛାଡ଼ିଯାଇଥିବା ବହିଟି ପାଇ ନାମ ଲେଖାଥିବା ପୃଷ୍ଠା ଛିଣ୍ଡାଇ ତାକୁ ନିଜ ସମ୍ପତ୍ତିରେ ପରିଣତ କରି ଦେଇଥିଲେ, କେବେ ଦଶମ ଶ୍ରେଣୀରେ ପଢ଼ିଲାବେଳେ ସ୍କୁଲ ଗରିବପାଣ୍ଠିରୁ କୋଡ଼ିଏ ଟଙ୍କା ଆତ୍ମସାତ୍‌ କରିଥିଲେ, ଏସବୁ କଥା ସ୍ୱୀକାର କରି ନିଜ ଆତ୍ମଜୀବନୀକୁ ଏକ ସତ୍ୟକଥନ ମୂଳକ ଦଲିଲ୍‌ରେ ପରିଣତ କରିଛନ୍ତି ।

 

ଗୋପାଳ ପ୍ରହରାଜଙ୍କ ଆତ୍ମଜୀବନୀରେ ଏଇ ଆତ୍ମକୃତ ପାପ କଥନର ଭୂମିକାଟି ଆହୁରି ଦୁଃସାହସିକ ଏବଂ ଅଭିନବ । ବିଶେଷତଃ କଲେଜରେ ପଢ଼ୁଥିବାବେଳେ ଏକାଧିକବାର କୁସଙ୍ଗରେ ଓ ଏକାକୀ ବେଶ୍ୟାଳୟକୁ ଯିବାର ଯେଉଁ ଘଟଣା ସେ ନିଷ୍କପଟ ଭାବେ ପ୍ରକାଶ କରିଛନ୍ତି ତାହା କେବଳ ପରବର୍ତ୍ତୀ ସମୟରେ କଥିତ ହୋଇଛି ନାଟ୍ୟକାର ବୈଷ୍ଣବ ପାଣିଙ୍କ ଆତ୍ମଜୀବନୀରେ ।

 

ଏହି କ୍ଷୁଦ୍ରାବୟବ ଆତ୍ମଜୀବନୀରେ ନିଜ ବ୍ୟକ୍ତିଗତ ଜୀବନର ଯୌନଗତ ନାନା ବ୍ୟାପାର ଶ୍ରୀଯୁକ୍ତ ପାଣି ସ୍ପଷ୍ଟ ସ୍ୱୀକାର କରିଛନ୍ତି । ତନ୍ମଧ୍ୟରେ କୁଞ୍ଜଲତାକୁ ନେଇ କଲିକତା ଯାତ୍ରା ପ୍ରସଙ୍ଗ ଅତୀବ ରୋମାଞ୍ଚକର । ‘‘ମୋର ଦ୍ୱାବିଂଶ ବୟସରେ ଥରେ ମୁଁ ବାଲିଚନ୍ଦ୍ରପୁର ହାଟକୁ ଯାଇଥିଲି । ସେଠାରେ କୁସୁପୁର ନିବାସୀ ବନମାଳୀ ଜେନାଙ୍କ ସହିତ ପୂର୍ବରୁ ପରିଚିତି ଥିଲା । ସେ ଗୋଟିଏ ତୁଳାଭିଣାଳୀ ସ୍ତ୍ରୀ ବିଷୟ ମୋତେ ବୁଝାଇଲା । ସ୍ତ୍ରୀଟିର ନାମ କୁଞ୍ଜଲତା । ବୟସ ୧୮ ମାତ୍ର । ପୂର୍ଣ୍ଣଯୌବନପ୍ରାପ୍ତା ସୁନ୍ଦରୀଟିକୁ ସ୍ଥାନାନ୍ତର ନିମିତ୍ତ ଉଭୟଙ୍କ ମଧ୍ୟରେ ପରାମର୍ଶ ହେଲା ।’’ ପାଣିକବି ଯେତେବେଳେ ଏକାନ୍ତ ନିଃସ୍ୱ କୁଞ୍ଜଲତାକୁ ନେଇ କି ମାନସିକ ଦୁଃସାହସରେ କଲିକତାରେ ପହଞ୍ଚି ପାରିଥିଲେ-ଏପରି ଏକ ଦୁଃସାହସିକ ଚରିତ୍ର ବୋଧହୁଏ ଓଡ଼ିଆ ସାହିତ୍ୟରେ ବିରଳ । ଯେଉଁ ଜେନାଙ୍କ କଥା ଏ ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି ସେ ଜେନା କଲିକତାରେ ତାଙ୍କୁ ଠକିଦେଇ ଅନ୍ୟତ୍ର ଲୁଚି ରହିଲେ । ତେଣୁ ପୂର୍ଣ୍ଣଯୌବନପ୍ରାପ୍ତା ତରୁଣୀଟିଏ ଧରି ରହିବା, ପୁଣି କଲିକତାରେ, କି ଦୁଶ୍ଚିନ୍ତାର କଥା ! ପାଣିକବି ସେଇ ଦୁଶ୍ଚିନ୍ତାରେ ମଧ୍ୟ ଆଖୁଗଛକୁ କାଣ୍ଡ କରି ଭ୍ରମରବର ପାଲା ଗାୟନ କରି କଲିକତାରେ କିଛି ରୋଜଗାର କଲେ ଓ ତହିଁର ଉପାର୍ଜନରେ କୁଞ୍ଜପାଇଁ ପରିଧେୟ ବସ୍ତ୍ର ଖଣ୍ଡିଏ କିଣିଦେଲେ । କଲିକତାର ବାରଙ୍ଗନାପଲ୍ଲୀରୁ ଏଇ ଯେ ଅଭିଜ୍ଞତା ତାଙ୍କର ହାସଲ ହେଲା ଜୀବନସାରା ତାହା ତାଙ୍କ ପଛେ ଗୋଡ଼େଇ ରହିଲା । ଏ ଅଭ୍ୟାସ ବଢ଼ିଲା ସିନା ତାର ପୂର୍ଣ୍ଣଚ୍ଛେଦ ପଡ଼ିଲା ନାହିଁ । ସେଇଠି ପୁଣି ବାରଙ୍ଗନା ନାରୀ ସହିତ ତାଙ୍କର ବିବାହ । ଉପନ୍ୟାସର କାହାଣୀ ପରି ହୁଏତ ମନେ ହେବ-କିନ୍ତୁ ଏହା ପାଣି କବିଙ୍କ ଆତ୍ମକାହାଣୀ । ଏଇ ଝିଅଟିର ବାପ ବଙ୍ଗାଳୀ ଓ ମାଆ ଓଡ଼ିଆ ବଢ଼େଇ ଘର ଝିଅ । ପାଣି କବି ବିବାହ କରି ସେଠାରେ କିଛି ଦିନ ସୁଖରେ ଅତିବାହିତ କଲେ ବୋଲି ଲେଖିଛନ୍ତି । କିନ୍ତୁ ଯାହାକୁ ବାହା ହେଲେ ସେ ଝିଅର ବାପ ତାଙ୍କୁ ଅବଜ୍ଞା କରି କହିବାରୁ ଆତ୍ମସମ୍ମାନ ରକ୍ଷା କରି ସେ ଜୀବନର ଏଇ ପ୍ରଥମ ବୈବାହିକ ସମ୍ୱନ୍ଧକୁ ଛିନ୍ନ କରି କୋଠପଦା ଚାଲି ଆସିଲେ ।

 

ତା’ପରେ ପାଣିକବି ବହୁକୁଦରେ ନାଟ୍ୟ ଅନୁଷ୍ଠାନ ଗଢ଼ି ଅଭିନୟ କରାଯାଉଥିବା ବେଳେ ଯେଉଁ ଧନୀ ଭଦ୍ରମହିଳାଙ୍କ ପ୍ରେମରେ ପଡ଼ିଲେ ତା ବୋଧହୁଏ ଥିଲା ତାଙ୍କ ପାଇଁ ଆଖି ଓ ହୃଦୟର ଦିଆନିଆ ମାତ୍ର । ଏଥିରେ କିଛି ଦେହ ସଂପର୍କ ନଥିଲା । ତେଣୁ ଏପରି ପ୍ରେମର ଗୁଣଗାନ କରି ସେ ଲେଖିଛନ୍ତି-

 

‘‘ନାହିଁ ପ୍ରେମଠାରୁ ବଳି ଆଉ ଭଲ ଦରବ

ତା’ ନେତ୍ରେ ନଥାଏ କେବେ ଧନୀ ଗରିବ ।’’

 

କିନ୍ତୁ କ୍ଷୋଭର କଥା କବି ଏପରି ପ୍ରେମକୁ ଖୁବ୍‌ ବେଶୀ ମନ ଓ ହୃଦୟରେ ଲାଳନା କରିବାର ତଥ୍ୟ ଜୀବନୀରୁ ମିଳେ ନାହିଁ । ତା’ପରେ ତାଙ୍କର ବିବାହ ହେଲା ନିଜ କୁଳରେ ଓ ଜାତିରେ । କିନ୍ତୁ ଏଇ ବିବାହର ଏକମାତ୍ର ସ୍ମୃତିକୁ ନେଇ ପାଣିକବି ଧ୍ୟାନମଗ୍ନ ହୋଇ ପାରି ନଥିଲେ । ଗଡ଼ଜାତରୁ ମୋଗଲବନ୍ଦୀ, ଗ୍ରାମରୁ ସହର ଓ ଜନପଦ ଯାତ୍ରାଦଳ ଧରି ବୁଲିବା ଅବକାଶରେ ସେ ବହୁନାରୀଙ୍କ ସମ୍ପର୍କରେ ଆସି ଥିବା କଥା ଉଲ୍ଲେଖ କରିଛନ୍ତି । ଓଡ଼ଗ୍ରାମରେ ନୀଳନାମ୍ନୀ ବାରାଙ୍ଗନା ଓ ଉର୍ବଶୀ ବାରାଙ୍ଗନାଙ୍କ ସ୍ମୃତି ମଧ୍ୟ ତାଙ୍କ ଜୀବନର ଅଂଶ ହୋଇ ରହିଯାଇଛି ଓ ଅତି ସ୍ପଷ୍ଟ ଭାବରେ ସେ ସେମାନଙ୍କ ଉଦାରତା ତଥା ଉଚ୍ଛ୍ୱସିତ ପ୍ରେମ କାହାଣୀର ତାରିଫ୍‌ କରିଛନ୍ତି । ‘‘ଆସିବା ସମୟରେ ଉର୍ବଶୀ ବହୁତ କନ୍ଦାକନ୍ଦି କଲା । ତାହା ପୂର୍ବରୁ ମଧ୍ୟ ଆମ୍ଭ ଆସିବା ଶୁଣି ଦୁଃଖ ଅନୁଭବ କରୁଥିଲା । ମୁଁ ତାକୁ ବହୁତ ବୁଝାଇ କଟକରେ ସାକ୍ଷାତ ହେବାର କହି ପ୍ରବୋଧ ଦେଲି । ସମସ୍ତେ ବିଦାୟ ହେଲୁ । ଉର୍ବଶୀ ଗାଁ ମୁଣ୍ଡର ଅଳ୍ପଦୂର ଆଗ ପର୍ଯ୍ୟନ୍ତ ବିଦାୟ ଦେବାକୁ ଆସି ବାଟ ଜଗି ବସିଲା । ଆମ ଗାଡ଼ି ଅଦୃଶ୍ୟ ହେବା ପର୍ଯ୍ୟନ୍ତ ନିର୍ନିମେଷ ନୟନରେ ବସି ରହିଥିବାର ଆମ୍ଭ ମାନଙ୍କର ଦୃଷ୍ଟିଗୋଚର ହେଉଥିଲା । ମୁଁ ମଧ୍ୟ ତାକୁ ସ୍ନେହ ଦୃଷ୍ଟିରେ ନିରୀକ୍ଷଣ କରି ଆସିଥିଲି । (୨) କି ରସିକତା ! ପାଣିକବିଙ୍କ ମନ ଓ ହୃଦୟ ସ୍ନେହ ରସରେ ସବୁବେଳେ ଲୁତୁପୁତୁ ହେଉଥିଲା । ନୀଳ ସହିତ କବିତା ଆକାରରେ ପତ୍ର ବିନିମୟ କଥା ଉଲ୍ଲେଖ କରି ସେ ଆତ୍ମଜୀବନୀରେ ନୀଳର ଯେଉଁ କବିତାଟି ନେଇଛନ୍ତି ତାହା ତାଙ୍କ ଉଦାର କବି ପ୍ରାଣର ପରିଚାୟକ । ଇଂରେଜ କବିମାନେ ପ୍ରଣୟିନୀଙ୍କ ସହିତ ନାନା ପତ୍ର ବିନିମୟ କରିଥିବା କଥା ଶୁଣାଯାଏ । ସେସବୁ ପୁଣି ଇତିହାସର ସ୍ମାରକୀ ଓ ଗବେଷଣାର ତଥ୍ୟ ହୋଇରହେ । ପରବର୍ତ୍ତୀ ସମୟରେ ତହିଁରୁ ସମାଲୋଚକମାନେ ନାନା ତଥ୍ୟ ସଂଗ୍ରହ କରି ସେମାନଙ୍କ ଲିଖିତ କାବ୍ୟକବିତାକୁ ବୁଝେଇବାକୁ ଚେଷ୍ଟା କରନ୍ତି । ଆମ ଦେଶରେ ଏସବୁ ପତ୍ରର ଆଦର ଆଜିଯାଏ ହୋଇନାହିଁ ବା କବି ସ୍ରଷ୍ଟାର ବ୍ୟକ୍ତିଗତ ଜୀବନର ପ୍ରେମ ପ୍ରଣୟମୂଳକ କାହାଣୀକୁ ଗୁରୁତ୍ୱ ଦିଆଯାଇନାହିଁ । ଯେହେତୁ ଆମେ ପରମ୍ପରା-ବିଶ୍ୱାସୀ ଓ ପରିବାର-ସଂସ୍କୃତିର ପ୍ରତିନିଧି ।

 

(୨)

ପାଣିକବିଙ୍କ ଆତ୍ମକାହାଣୀ ପୃ ୪୨

 

ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ଘଟଣା ରଜକିନୀ ହର ସହିତ ବିବାହ ଓ ନିଜର ବିବାହିତା ପତ୍ନୀ-ତ୍ୟାଗ । ସ୍ୱାଧୀନତା ପୂର୍ବ ସମୟରେ ଏ ଘଟଣାଟି ଓଡ଼ିଆ ସମାଜରେ ବିଶେଷତଃ ବ୍ରାହ୍ମଣ ସମାଜରେ ଖୁବ୍‌ ବେଶୀ ଆଲୋଡ଼ନ ସୃଷ୍ଟି କରିଥିବ । କିନ୍ତୁ ପାଣିକବି ସଂପୂର୍ଣ୍ଣ ଅବିଚଳିତ ଭାବେ ଜୀବନ ପାଇଁ ଏଇ ଯେଉଁ ନୂଆମାର୍ଗ ବାଛିନେଲେ ସେଥିପାଇଁ ସେ କେବେ ପସ୍ତେଇ ନାହାନ୍ତି କିମ୍ୱା ପଛକୁ ଫେରି ଚାହିଁ ନାହାନ୍ତି । ପ୍ରଚଣ୍ଡ ମାନସିକତା, ସଂକଳ୍ପ ଓ ସାହସରେ ସେ ଏପରି ଏକ ବିପ୍ଳବାତ୍ମକ ପଦକ୍ଷେପ ନେଲେ ଯାହା କରିବାକୁ ସାଧାରଣ ଜଣେ ମଣିଷ ନିଶ୍ଚୟ ଭୟଭୀତ ହୋଇଥା’ନ୍ତା । କିନ୍ତୁ ସେ ପ୍ରେମପାଇଁ କୁଳ ପରିବାର ଛାଡ଼ିଦେଇ ପାରିଲେ । ଏ ପ୍ରେମର ବୈଚିତ୍ର୍ୟ ସେ ସମୟରେ ସମସ୍ତଙ୍କୁ ବିସ୍ମିତ କରିଥିବ । ଚିରାଚରିତ ସମାଜକୁ ଏକ ପ୍ରଚଣ୍ଡ ଧକ୍‌କା ଦେଇ ସେ ନିଜ ସଂକଳ୍ପର ମାର୍ଗ ବାଛି ଦେଲେ । ସମସ୍ତଙ୍କ ଆଗରେ ଘୃଣିତ ହେଲେ ବି ମାନ ଅପମାନକୁ ଭ୍ରୁକ୍ଷେପ କଲେନାହିଁ । ଗ୍ରାମଛାଡ଼ି ବିରୂପା ତଟରେ ଏକ ଆଶ୍ରମ ସ୍ଥାପନ କଲେ । ଅର୍ଥାତ୍‌ ସେଇ ପାଖାପାଖି କୌଣସି ଗ୍ରାମ ନିକଟରେ ସାହସର ସହିତ ରଜକିନୀ ହର ସହିତ ଜୀବନର ଶେଷଭାଗ ପର୍ଯ୍ୟନ୍ତ କଟାଇ ଦେଲେ । (୩)

 

(୩)

ପାଣିକବିଙ୍କ ଆତ୍ମକାହାଣୀ-୧ମ ସଂ ପୃ ୫୨

 

କେତେ ଛଳନାହୀନ ଭାଷାରେ ସେ ହର ସହିତ ତାଙ୍କ ସମ୍ପର୍କର ସତ୍ୟାସତ୍ୟ ବୟାନ କରିଛନ୍ତି । ଏପରିକି ଯେଉଁ କପଟ ଆଚରଣ କରି ବିବାହିତା ହରକୁ ତା’ ସ୍ୱାମୀଠାରୁ ଛଡ଼େଇ ଆଣି ପାରିଲେ ତାହା ସେ ନିଃସଙ୍କୋଚରେ ପ୍ରକାଶ କରିଛନ୍ତି । ଘରେ ପତ୍ନୀ ଓ ଅନ୍ୟମାନେ ଏ ଗୋପନୀୟ ସମ୍ପର୍କ ବିଷୟ ଜାଣିବା ପରେ ନାନା ତାନ୍ତ୍ରିକ-ଔଷଧ ପ୍ରୟୋଗ ଓ ବାଧାବିଘ୍ନ ଘଟାଇଛନ୍ତି । କିନ୍ତୁ ଜଳନ୍ତା ନିଆଁ ଆଘାତ ପାଇଲେ ଯେପରି ଦାଉ ଦାଉ ଜଳିଉଠେ, କବିଙ୍କ ମନର ଗତି ତଦ୍ରୂପ ହୋଇଛି । ପାଣି ଲେଖିଛନ୍ତି ‘‘ହର ମୋତେ ଜଣାଇଲା ବର୍ତ୍ତମାନ ଦୁଇକୁଳର ପରିସ୍ଥିତି ଖରାପ, ଏଭଳି ପରିସ୍ଥିତିରେ ଘରର ଯାବତୀୟ ସମ୍ପତ୍ତି ଠାକୁରଙ୍କ ନାମରେ କରି ନିଜ ସ୍ତ୍ରୀକୁ ମାରଫତ୍‌ଦାର କରିଦିଅ ଏବଂ ଠାକୁର ଆଣିବାକୁ କଲିକତା ଯାଅ । ମୁଁ ଏଥିରେ ସମ୍ମତି ଜଣାଇଲି ଓ କଲିକତା ଗଲି ।’’ କିନ୍ତୁ ପତ୍ନୀ ଏଥିରେ ବିରୋଧ କଲେ । ଠାକୁରଙ୍କ ନାମରେ ନିଜର ସମସ୍ତ ସମ୍ପତ୍ତି କରି ଦେବାକୁ ପାଣିଙ୍କ ପ୍ରସ୍ତାବରେ ଅସମ୍ମତ ହେବାରୁ ସେ କହିଲେ, ‘‘ଯେଉଁ ସମ୍ପତ୍ତି ଦେବତାଙ୍କ ଯୋଗ୍ୟ ନହେଲା, ସେପରି ସମ୍ପତ୍ତି ମୁଁ ଉପଭୋଗ କରିବାକୁ ଚାହେଁନା ।’’ ଏହା କହି ଏକ ବସ୍ତ୍ରରେ ଗୃହତ୍ୟାଗ କରି ବିରୂପା କୂଳରେ ସେ ଆଶ୍ରମ ରଚନା କଲେ । ଉଭୟେ ସେଠାରେ ରହିଲୁ ଅନେକବର୍ଷ ପର୍ଯ୍ୟନ୍ତ । ସେ ଆମର ବିଳାସ ଭବନର କାର୍ଯ୍ୟକଲା । (୪)

 

(୪)

ପାଣିକବିଙ୍କ ଆତ୍ମକାହାଣୀ-ପୃ ୫୬

 

ଯୁଗେ ଯୁଗେ କବି, ଲେଖକ କଳାକାରମାନେ ପରକୀୟା ପ୍ରୀତିରେ ଆକୃଷ୍ଟ ହୋଇଛନ୍ତି-ପାଣିକବି ସେଇ ଗୋଷ୍ଠୀର । କିନ୍ତୁ ଅନ୍ୟ କବିମାନେ ନିଜ ମନକଥା ଓ ଅଙ୍ଗେନିଭା ଘଟଣାବଳୀ ଗୋପନୀୟ ରଖିଥିବା ବେଳେ ପାଣିକବି ସବୁକଥା ଉନ୍ମୁକ୍ତ କରି ଦେଇଛନ୍ତି । ଏଥିପାଇଁ ତାଙ୍କୁ କମ୍‌ ସମାଲୋଚନାର ଶରବ୍ୟ ହେବାକୁ ହୋଇନାହିଁ । ସେଥିପାଇଁ ସେ ସ୍ୱତଃ ପ୍ରବୃତ୍ତ ଭାବେ ଅଭିଜାତ ଓ ବିଦଗ୍‌ଧ ସାହିତ୍ୟିକମାନଙ୍କ ପରିଧିଠାରୁ ଦୂରରେ ଦୂରରେ ବଣଜଙ୍ଗଲ ଅଞ୍ଚଳରେ ବୁଲିଛନ୍ତି । ନିଜ ଜୀବନର ଅନେକ ଅମେଣ୍ଟା ଆଶା ଦୁର୍ବିନୀତ ଶୋଷ ନେଇ ସେ ଅନେକ ସ୍ଥାନରେ ନିଜକୁ ହରେଇଛନ୍ତି । କିନ୍ତୁ ପୁଣି ସନ୍ଧାନ କରିଛନ୍ତି ପ୍ରାଣପ୍ରିୟା ହରର ସ୍ମୃତିରେ । ସତେଯେପରି ସେ ଏଇ ମଣିଷଟି ପାଇଁ ଜୀବନସାରା ଭାବିଚନ୍ତି ଓ ବଞ୍ଚିଚନ୍ତି । ସେ ବଞ୍ଚିବାରେ କୈତବତା ନାହିଁ-ଅଥଚ ଅଛି ପ୍ରଚଣ୍ଡ ସଂଘର୍ଷ ଓ ଦୋଳାୟମାନ ଜୀବନ-ସ୍ଥିତି । କେତେ ବିପନ୍ନ ହୋଇଛନ୍ତି, ପୁଣି ମୁକୁଳି ଆସିଛନ୍ତି-। ମୋଟ ଉପରେ ଓଡ଼ିଆ ସାହିତ୍ୟରେ ଏପରି ସତ୍ୟପ୍ରକାଶ ମୂଳକ ଆତ୍ମକାହାଣୀଟିର ଦ୍ୱିତୀୟ ନାହିଁ-। ଦରିଦ୍ର ଅନଭିଜାତ, ଯାତ୍ରାବାଲା ପାଣିକବିଙ୍କୁ ଆଜି ତାଙ୍କ ଜୀବନର ଏଇ ଦୁଃସ୍ଥିତି ପାଇଁ ଆମେ ଦୋଷ ଦେଉଛେ କି ? ସେ ଓଡ଼ିଶାର ଜନଗଣ ମାନସରେ ଦେବୀପ୍ୟମାନ ଚନ୍ଦ୍ରପରି ଆଜି ଝଟକୁଛନ୍ତି । କଳଙ୍କ ସତ୍ତ୍ୱେ ଚନ୍ଦ୍ର ଯେପରି ଆଦରଣୀୟ-ସମସ୍ତ କଳଙ୍କ ସତ୍ତ୍ୱେ କବି ବୈଷ୍ଣବପାଣି ଆମମାନଙ୍କର ଏକାନ୍ତ ପ୍ରିୟ ନାଟ୍ୟକାର । ଜଣେ ସ୍ମରଣୀୟ ନାମ ଓ ନାମରୁ ବଳି ଅତିକ୍ରାନ୍ତ ଏକ ଅନୁଷ୍ଠାନ । ତାଙ୍କୁ ଏକ ଜାତୀୟ ଅନୁଷ୍ଠାନରେ ପରିଣତ କରିବାରେ ଆମର କାର୍ପଣ୍ୟ ନରହୁ ।

 

***

 

ଓଡ଼ିଆ ନାଟ୍ୟ ସାହିତ୍ୟ ଓ ବୈଷ୍ଣବ ପାଣି

ପଣ୍ତିତ ନୀଳମଣି ମିଶ୍ର

 

ଓଡ଼ିଆ ନାଟ୍ୟ ସାହିତ୍ୟର ଇତିହାସ :

ନାଟ୍ୟ ସଂଯୋଜନା କ୍ଷେତ୍ରରେ ଓଡ଼ିଶାର ଅବଦାନ ମହାମହିମ ସମ୍ରାଟ୍‌ ଖାରବେଳଙ୍କ ସମୟରୁ ଆରମ୍ଭ ହୋଇଥିବାର ପ୍ରମାଣ ଉପଲବ୍‌ଧି ହୁଏ । ଐରକୁଳତିଳକ ଖାରବେଳଙ୍କ ସମୟରେ ନିର୍ମିତ, ଭୁବନେଶ୍ୱର ଅଦୂରରେ ଅବସ୍ଥିତ ଖଣ୍ତଗିରି-ଉଦୟଗିରି ପାହାଡ଼ରେ ରାଣୀଗୁମ୍ପାର ଅବସ୍ଥିତି ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ହୋଇଥିବାର ପ୍ରମାଣ ଐତିହାସିକମାନେ ବିବେଚନା କରିଛନ୍ତି । ସେଠାରେ ନାଟ୍ୟଶାସ୍ତ୍ରାନୁମୋଦିତ ନାଟ୍ୟଶାଳାର ଯେଉଁ ଧ୍ୱଂସାବଶେଷ ରହିଛି, ସେଥିରୁ ପ୍ରମାଣ ଉପଲବ୍‌ଧି ହୁଏ ଯେ, ସେହିକାଳରୁ ଓଡ଼ିଶାରେ ନାଟ୍ୟସଂଯୋଜନା ହୋଇଆସୁଛି । ଜଣେ ଦିଗ୍‌ବିଜୟୀ ସମ୍ରାଟ୍‌ ନିଜର ତଥା ଜନସମାଜର ମନୋରଞ୍ଜନ ନିମିତ୍ତ ଯେଉଁ ନାଟ୍ୟଶାଳା ଜନବସତିର ଅଦୂରରେ ନିର୍ମାଣ କରାଇଥିଲେ, ତାହା ଓଡ଼ିଶାର ପ୍ରଥମ ନାଟ୍ୟଶାଳା ରୂପେ ଖ୍ୟାତି ଲାଭ କରିଥିଲା ।

 

ନାଟ୍ୟ ପରିବେଶରେ ଦ୍ୱିତୀୟ ପ୍ରମାଣ ଉପଲବ୍‌ଧି ହୁଏ-ମୁରାରୀ ମିଶ୍ରଙ୍କ ‘ଅନର୍ଘରାଘବ’ ନାଟକରୁ । ମୁରାରି ସ୍ୱରଚିତ ନାଟକଟିକୁ ପୁରୁଷୋତ୍ତମକ୍ଷେତ୍ର ପୁରୀର କୌଣସି ଏକ ଯାତ୍ରା (ଖୁବ୍‌ ସମ୍ଭବତଃ ରଥଯାତ୍ରା) ରେ ଅଭିନୀତ କରାଇଥିଲେ । ନାଟ୍ୟକାର ମୁରାରି ‘ଅନର୍ଘରାଘବ’ର ମଙ୍ଗଳାଚରଣ ପରେ ସୂତ୍ରଧର ମୁଖରେ ନାଟକ ଅଭିନୟର ସ୍ଥାନ ସମ୍ପର୍କରେ ସୂଚନା ଦେଇ ଲଖିଛନ୍ତି-

 

‘‘ନାନ୍ଦ୍ୟନ୍ତେ ସୂତ୍ରଧାରଃ-ଅଳମତିବିସ୍ତରେଣ; ଭୋ ଭୋ ଲବଣୋଦବେଳା-ବନାଳୀ-ତମାଳତରୁକନ୍ଦଳସ୍ୟ ତ୍ରିଭୁବନମୌଳିମଣ୍ତନ-ମହାନୀଳମଣେଃ କମଳାକୁଚକଲଶ-କସ୍ତୂରିକା ପତ୍ରାଙ୍କୁରସ୍ୟ ଭଗବତଃ ପୁରୁଷୋତ୍ତମସ୍ୟ ଯାତ୍ରାୟାମୁପସ୍ଥାପନୀୟାଃ ସଭାସଦଃ . . . . . . . . . ।’’

 

ଏହି ଉଦ୍ଧୃତିରୁ ସ୍ପଷ୍ଟତଃ ଜଣାଯାଏ ଯେ, ମୁରାରି ସ୍ଵରଚିତ ନାଟ୍ୟ ପୁସ୍ତକଟିକୁ ପୁରୁଷୋତ୍ତମ ଜଗନ୍ନାଥ ମହାପ୍ରଭୁଙ୍କ ଯାତ୍ରାରେ ଅଭିନୀତ କରାଇ ଜନସାଧାରଣଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ରାମାୟଣର ଏକ ନାଟ୍ୟରୂପ ପ୍ରସ୍ତୁତ କରାଇଥିଲେ । ଏହି ନାଟକର ରଚନା ସମୟ ଖ୍ରୀଷ୍ଟୀୟ ଅଷ୍ଟମ ନବମ ଶତାବ୍ଦୀ ବୋଲି ଅନୁମାନ କରାଯାଏ ।

 

ଅନ୍ୟ ଜଣେ ଉତ୍କଳୀୟ ବିଦ୍ୱାନ ମହାମହୋପାଧ୍ୟାୟ କୃଷ୍ଣ ମିଶ୍ର, ଖୁବ୍‌ ସମ୍ୱବତଃ ଖ୍ରୀଷ୍ଟାବ୍ଦ ୧୦୪୧-୧୦୭୦ ମଧ୍ୟରେ ‘ପ୍ରବୋଧଚନ୍ଦ୍ରୋଦୟ’ ନାଟକ ରଚନା କରି, କା’ର ନାଟ୍ୟରୂପର ପରିବେଷଣ ନିମିତ୍ତ, ତତ୍କାଳୀନ ସମାଜରେ ବିଦ୍ୟାନଗରୀ ରୂପେ ସୁପରିଚିତ ବାରାଣସୀର ରାଜା କୀର୍ତ୍ତିବର୍ମ୍ମନଙ୍କ ରାଜସଭାର ନାଟ୍ୟଶାଳାରେ ଅଭିନୀତ କରାଇଥିଲେ । ‘ପ୍ରବୋଧଚନ୍ଦ୍ରୋଦୟଦାର୍ଶନିକ ଭିତ୍ତିଭୂମି ଉପରେ ଲିଖିତ ଏକ ଅଭିନବ ନାଟକ । ନାଟ୍ୟକାର ଉତ୍କଳୀୟ ବିଦ୍ୱାନ ସେହି ନାଟକର ସୂତ୍ରଧାର ମୁଖରେ କହିଛନ୍ତି-

 

‘‘ଅହଂ ଉତ୍କଳଦେଶାତ୍ ଆଗତୋଽସ୍ମି । ଅସ୍ତି ତତ୍ର ସାଗରତୀର ସନ୍ନିବେଶେ ପୁରୁଷୋତ୍ତମଶବ୍ଦିତଂ ଦେବାୟତନମ୍, । ତସ୍ମିନ୍‌ ମଦମାଳାଭ୍ୟାଂ ଭଟ୍ଟାରକାଭ୍ୟାଂ ମହାରାଜ ସକାଶଂ ପ୍ରେଷିତୋଽସ୍ମି ଏଷା ବାରାଣସୀ ।’’

 

ଉତ୍କଳୀୟ ନାଟ୍ୟକାର କୃଷ୍ଣମିଶ୍ର ସ୍ୱରଚିତ ଅଭିନବ ନାଟକଟିର ପ୍ରଚାର ନିମିତ୍ତ, ବାରାଣସୀର ରାଜଦରବାରକୁ ହିଁ ନିର୍ବାଚନ କରିଥିଲେ ଏବଂ ସେଠାରେ ‘ପ୍ରବୋଧଚନ୍ଦ୍ରୋଦୟ’ ପରି ଏକ ଭିନ୍ନ ସ୍ୱାଦର ନାଟକ ପରିବେଷଣ କରି ଆତ୍ମପ୍ରସାଦ ଲାଭ କରିଥିଲେ ।

 

ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀର ତୃତୀୟ ଦଶକରେ ଗଙ୍ଗରାଜ ନିଃଶଙ୍କ ଭାନୁଦେବ (ଭାନୁ ୪ର୍ଥ)ଙ୍କ ରାଜଦରବାରରେ ଆଉ ଏକ ନାଟକ ଅଭିନୀତି ହୋଇ ଥିବାର ପ୍ରମାଣ ଉପଲବ୍‌ଧ ହୁଏ ।

 

ସଂସ୍କୃତ ଅଳଙ୍କାର ମଧ୍ୟରେ ସୁଖ୍ୟାତ ପୁସ୍ତକ ‘ସାହିତ୍ୟ ଦର୍ପଣ’ର ରଚୟିତା ବିଶ୍ୱନାଥ କବିରାଜ ‘ଚନ୍ଦ୍ରକଳା’ ଶୀର୍ଷକ ଖଣ୍ଡିଏ ନାଟିକା ରଚନା କରି, ତାଙ୍କର ପୃଷ୍ଠପୋଷକ ରାଜା ନିଃଶଙ୍କ ଭାନୁଦେବଙ୍କ ସମ୍ମୁଖରେ ଅଭିନୀତ କରାଇଥିଲେ । ନାଟିକାର ସୂତ୍ରଧାର ମୁଖରେ ନାଟ୍ୟକାର କହିଛନ୍ତି-

 

‘‘ଆର୍ଯ୍ୟେ, ପଶ୍ୟ ପଶ୍ୟ । ଅୟମିଦାନୀଂ ଯବନପୁର-ପୁରନ୍ଧ୍ରୀବର୍ଗ ନିର୍ଗଳଦବିରଳନୟନ-ଜଳଧାରା ନିର୍ଧୌତ ଗିରିକନ୍ଦରୋ ନିଜଭୁଜପ୍ରତାପତପନ ସମୁତ୍ସାଦିତାରାତିତିମିରନିକର କୋଶଳ ବଙ୍ଗ ହାବଙ୍ଗ କାଞ୍ଚି ଗୌଡ଼ଡାହାଳ ମତ୍ସ୍ୟ ମ୍ଳେଚ୍ଛ ଲାଟ କର୍ଣ୍ଣାଟ ପ୍ରମୁଖ ରାଜ ରାଜୀବ ରଜନୀକରଃ ସକଳ ଗୁଣରତ୍ନରତ୍ନାକରଃ ନିଖିଳାନବଦ୍ୟାନିଧିରବିକୁଳକଳ୍ପଦ୍ରୁମଃ ସଭାମଧ୍ୟମଧ୍ୟାସ୍ତେ ଗଜପତି ରାଜାଧିରାଜଃ ତ୍ରିକଳିଙ୍ଗଭୂମଣ୍ଡଳାଖଣ୍ଡଳଃ ଶ୍ରୀମନ୍‌ ନିଃଶଙ୍କ ଭାନୁଦେବଃ . . . . . . . . . ।

 

ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀର ଚତୁର୍ଥ ଦଶକରେ ଗଜପତି କପିଳେନ୍ଦ୍ର ଦେବ ଜଣେ ପ୍ରତାପଶାଳୀ ରାଜାରୂପେ ଉତ୍କଳର ରାଜସିଂହାସନରେ ବିଦ୍ୟମାନ ଥିଲେ । ତାଙ୍କର ବୀରତ୍ୱକୁ ମହାବୀର ପରଶୁରାମଙ୍କ ବୀରତ୍ୱ ସହିତ ତୁଳନା କରି ଜନୈକ ଉତ୍କଳୀୟ ବିଦ୍ୱାନ ‘ପରଶୁରାମ ବିଜୟ’ ଶୀର୍ଷକ ଖଣ୍ଡିଏ ‘ବ୍ୟାୟୋଗ’ ( ନାଟକର ଗୋଟିଏ ପ୍ରକାର ରୂପ ) ରଚନା କରି ପୃଷ୍ଠପୋଷକ କପିଳେନ୍ଦ୍ରଙ୍କ ନାମରେ ଭଣିତା କରିଥିଲେ । ସେହି ବ୍ୟାୟୋଗର ସୂତ୍ରଧାର ମୁଖରେ ନାଟ୍ୟକାର ଲେଖିଛନ୍ତି-

 

‘‘ଅଳମତି ବିସ୍ତରେଣ........ତ୍ରିଭୁବନୋଦିତାପ୍ରତିମପ୍ରତାପ ପ୍ରମୁଦିତ ବୀରଲକ୍ଷ୍ମୀ ସ୍ୱୟମ୍ବରେଣ ରାଜାଧିରାଜ ନବକୋଟି କର୍ଣ୍ଣାଟାଧିପତି ଗୌଡ଼େଶ୍ୱର ପ୍ରତାପବୀର କପିଳେନ୍ଦ୍ରଦେବ ମହାରାଜେନ-

 

ନୀଳକନ୍ଦରନାଥେନ ମହୋତ୍ସବସଭାସଦଃ ।

ମତ୍‌କାବ୍ୟାଭିନୟେ ନାଟ୍ୟ ବିନୋଦୟ କୁଶୀଲବଃ ।।

 

ଗୁଣାଧିକତୟା ଆତ୍ମସମ୍ମାନ ପୌରୁଷତୟା ସ୍ୱତଃ ପୁରାବ ତାରତୟା ଚ କପିଳେନ୍ଦ୍ର ଦେବସ୍ୟାପି ପରଶୁରାମେ ପ୍ରୀତିରସ୍ତି । ତତଃ ତେନୈବ ପ୍ରଣୀତଃ ‘ପରଶୁରାମବିଜୟୋ’ ନାମ ବ୍ୟାୟୋଗଃ ଅଭିନେତବ୍ୟଃ ।’’

 

ପ୍ରସ୍ତୁତ ନାଟ୍ୟପୁସ୍ତକଟି ମଧ୍ୟ ମୁରାରିଙ୍କ ଅନର୍ଘରାଘବ ନାଟକ ପରି ଶ୍ରୀଜଗନ୍ନାଥଙ୍କ ମହୋତ୍ସବ ( ଖୁବ୍‌ ସମ୍ଭବତଃ ରଥଯାତ୍ରା)ରେ ଅଭିନୀତ ହୋଇଥିଲା ।

 

କପିଳେନ୍ଦ୍ର ଦେବଙ୍କ ସୁପୁତ୍ର ଗଜପତି ପୁରୁଷୋତ୍ତମ ଦେବଙ୍କ ନାମରେ ଭଣିତ ‘ଜାନକୀ ପ୍ରମୋଦ’ ଓ ‘ଅଭିନବ ବେଣୀସଂହାର’ ଆଦି ଓଡ଼ିଶାରେ ରଚିତ ହୋଇ ରାଜଦରବାରରେ ଅଭିନୀତ ହୋଇଥିଲା ।

 

ପୁରୁଷୋତ୍ତମ ଦେବଙ୍କ ସୁପୁତ୍ର ଗଜପତି ପ୍ରତାପରୁଦ୍ରଙ୍କ ସମୟରେ ପଣ୍ଡିତରାଜ କବିଡ଼ିଣ୍ଡିମ ଜୀବଦେବ ଆଚାର୍ଯ୍ୟ ‘ଭକ୍ତିବୈଭବ ଓ ଉତ୍ସାହବତୀ’ କବିଚନ୍ଦ୍ରରାୟ ଦିବାକର ମିଶ୍ର ଧୂର୍ତ୍ତଚରିତ୍ର, ପାରିଜାତ ହରଣ, ପ୍ରଭାବତୀ ଶୀର୍ଷକ ନାଟକ, ନାଟିକା ଓ ଭାଣ ପ୍ରଭୃତି ରଚନା କରିଥିଲେ ।

 

ଗଜପତି ପ୍ରତାପରୁଦ୍ରଙ୍କ ଅନ୍ୟତମ ମନ୍ତ୍ରୀ, ରାଜମାହେନ୍ଦ୍ରୀର ଶାସକ ତଥା ଶ୍ରୀଚୈତନ୍ୟ ଦେବଙ୍କ ଗୁରୁକଳ୍ପ ରାୟ ରାମାନନ୍ଦ ପଟ୍ଟନାୟକ ‘ଶ୍ରୀଜଗନ୍ନାଥ ବଲ୍ଲଭ’ ଶୀର୍ଷକ ଶ୍ରୀକୃଷ୍ଣ ଲୀଳାତ୍ମକ ଖଣ୍ଡିଏ ନାଟକ ଲେଖି ଗଜପତିଙ୍କ ନାମରେ ଭଣିତା କରିଥିଲେ । ନାଟକଟି ତତ୍‌କାଳୀନ ସମାଜରେ ଅତ୍ୟନ୍ତ ଲୋକପ୍ରିୟ ହୋଇ ପାରିଥିଲା । କାରଣ, ରାୟରାମାନନ୍ଦ ସଂସ୍କୃତ ନାଟ୍ୟ-ପରମ୍ପରା ଭଙ୍ଗ କରି ‘ଜଗନ୍ନାଥ ବଲ୍ଲଭ’ରେ ଗୀତିଛନ୍ଦର ପ୍ରୟୋଗରେ କେତୋଟି ଗୀତ ପରିବେଷଣ କରିଥିଲେ ।

 

ଏତଦ୍‌ ବ୍ୟତୀତ ଓଡ଼ିଆ ବିଦ୍ୱାନଙ୍କ ଦ୍ୱାରା ଶ୍ରୀକୃଷ୍ଣ ଉକ୍ତବାତ୍ସଲ୍ୟ, ବୈଷ୍ଣବାମୃତ ଗୋଷ୍ଠୀ ରୂପକ, ମଣିମାଳା, ମଧୁରାନିରୁଦ୍ଧ ପ୍ରଭୃତି ଅନେକ ନାଟକ ନାଟିକା ସଂସ୍କୃତରେ ରଚିତ ହୋଇ ଓଡ଼ିଶାର ବିଭିନ୍ନ ରାଜଦରବାରରେ ଅଭିନୀତ ହୋଇଥିଲା ।

 

ସଂସ୍କୃତର କଠୋର ବନ୍ଧନରୁ ମୁକ୍ତିଲାଭ କରି ଓଡ଼ିଆ ଭାଷା ‘ଗଜପତି କପିଳେନ୍ଦ୍ର ଦେବ’ଙ୍କ ସମୟରୁ ଓଡ଼ିଶାରେ ପ୍ରତିଷ୍ଠିତ ହେଲା । ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ ଓ ଅଚ୍ୟୁତାନନ୍ଦ ଦାସ ପ୍ରମୁଖ ବିଦ୍ୱାନ୍‌ ମହାଭାରତ, ରାମାୟଣ, ଭାଗବତ ଓ ହରିବଂଶ ପ୍ରଭୃତିର ଓଡ଼ିଆ ସଂସ୍କରଣ ପ୍ରକାଶ କରି ଜନସମାଜରେ ଓଡ଼ିଆ ଭାଷାକୁ ପ୍ରତିଷ୍ଠିତ କରାଇଲେ । ସଂସ୍କୃତର ନିଗଡ଼ ବନ୍ଧନ ଖୋଲିଯାଆନ୍ତେ, ବିଦ୍ୱାନ୍‌ମାନେ ଓଡ଼ିଆରେ ଗୀତାତ୍ମକ ‘ଲୀଳା’ ରଚନା କରି ଜନସମାଜକୁ ପ୍ରମୁଦିତ କରାଇଲେ । ଏହି ଲୀଳାଗୁଡ଼ିକର ବିଶେଷତ୍ୱ ହେଉଛି-ଏଥିରେ ନାଟକୀୟ ସୂଚନା ଓ ସଂଳାପ ଏକ ସଙ୍ଗରେ ଗାନ କରାଯାଉଥିଲା-

 

“ଶିଶପା ବୃକ୍ଷର ଡାଳେ, ହନୁ ମନେ ମନେ ଭାଳେ,

ନିଶ୍ଚୟ ଜାନକୀ ଜନକ ନନ୍ଦିନୀ ଦେଖିଲଇଁ ବେନି ଡୋଳେ

କି ଭାଗ୍ୟବଳେ ।।

x x x

ମୁନି ବୋଲେ ଗଙ୍ଗା ରାମ, ଦିଶନ୍ତି ସେ ଅନୁପମ,

ଚତୁର୍ଦ୍ଦଶ ଲୋକେ ବିଦିତ ହୋଇଛି, ପତିତପାବନୀ ନାମ ହେ ।।

(ବିଶ୍ୱନାଥ ଖୁଣ୍ଟିଆଙ୍କ ରାମଲୀଳା)

 

ଅସୁରୀ ସୀତାଙ୍କୁ ଗ୍ରାସନ୍ତେ ରାଘବ କୋଳ କରିଣ ଧଇଲେ ।

ଆସ ହେ ଲକ୍ଷ୍ମଣ ନାରୀ ପରିହାସ,

ଦୂଷଣ ହେଲା ବୋଇଲେ ।।

x x x

କାନ୍ଦନ୍ତି ଦେବୀ ଶ୍ରୀରାମ ନାମକୁ ସୁମରି ।

ବେନିକର ଶିରେ ତାଡ଼ି ହୃଦୟରେ ମାରି ।।

ବନଜୀବଙ୍କୁ ଅନାଇଁ ।

କହିବ ମୋତେ ନେଲା ଲଙ୍କସାଇଁ ।।

x x x

ଲକ୍ଷ୍ମଣ କନ୍ଧେ ରାମ ଦେଇଣ କର ।

ରୋଦନ କରି ତହୁଁ ହେଲେ ବାହାର’’

ବନଜୀବଙ୍କୁ ଚାହିଁ,

ପୁଚ୍ଛନ୍ତି ଦୀନଜନ ପରାୟେ ହୋଇ’’

(ରଘୁନାଥ ଦାସଙ୍କ ରାମଲୀଳା)

x x x

ଯେଉଁ ରାମଲୀଳା ତ୍ରେତାଯୁଗର ଚରିତ ।

ତାହା ଦେଖିବାକୁ ସାଧୁଜନେ ଦିଅ ନେତ୍ର’’

(ରଘୁନାଥ ସିଂହଙ୍କ ରାମଲୀଳା)

 

ଓଡ଼ିଆ ରାମଲୀଳା ରଚନାରେ ଯେଉଁ ବିଦ୍ୱାନମାନେ ଖ୍ରୀଷ୍ଟୀୟ ସପ୍ତଦଶରୁ ଊନବିଂଶ ଶତାବ୍ଦୀ ମଧ୍ୟରେ କୃତିତ୍ୱ ଅର୍ଜନ କରିଥିଲେ, ସେମାନଙ୍କ ମଧ୍ୟରେ ପୁରୀର ବିଶ୍ୱନାଥ ଖୁଣ୍ଟିଆ, କଟକ ଜିଲ୍ଲାର ରଘୁନାଥ ଦାସ, ରଣପୁରର ଅନଙ୍ଗ ନରେନ୍ଦ୍ର, ଖୁରୁଧାର ବୈଶ୍ୟ ସଦାଶିବ ଓ ବିକ୍ରମ ନରେନ୍ଦ୍ର, ଗଞ୍ଜାମ ଜିଲ୍ଲାର କୃଷ୍ଣ ଚନ୍ଦ୍ର ରାଜେନ୍ଦ୍ର, ପୀତାମ୍ୱର ରାଜେନ୍ଦ୍ର, ବିମ୍ୱାଧର ସାମନ୍ତ, ଅନୁଗୋଳର ବ୍ରଜବନ୍ଧୁ ସାମନ୍ତ ସିଂହାର ପ୍ରମୁଖ ବିଶେଷ ଖ୍ୟାତି ଅର୍ଜନ କରିଥିଲେ ।

 

ଖ୍ରୀଷ୍ଟୀୟ ଉନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ‘ଗୋପାଲ୍ ଓଡେ’ ନାମରେ ଖ୍ୟାତି ଗୋପାଳ ଦାସ ନାମକ ଜନୈକ ଓଡ଼ିଆ ନାଟ୍ୟକାର ବଙ୍ଗଦେଶର ନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ହୋଇଥିଲେ । ତାଙ୍କ ରଚିତ ‘ବିଦ୍ୟାସୁନ୍ଦରପାଲା’ ବଙ୍ଗଳାଯାତ୍ରାର ଏକ ନୂତନ ଦିଗନ୍ତ ସୃଷ୍ଟି କରି ପାରିଥିଲା । ତାଙ୍କ ନିର୍ଦ୍ଧେଶନାରେ ବହୁ ବଙ୍ଗୀୟ ନାଟକ କଲିକତାର ଯୋଡ଼ାଶାଙ୍କୁଠାରୁ ଆରମ୍ଭ କରି ବଙ୍ଗଦେଶର ବିଭିନ୍ନ ଅଞ୍ଚଳରେ ଅଭିନୀତ ହୋଇଥିଲା ।

 

ଓଡ଼ିଶାଭାଷା ଓ ସାହିତ୍ୟ ଯେତେବେଳେ ସଙ୍କଟାପନ୍ନ ଠିକ୍‌ ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ବାଲେଶ୍ୱର ଜିଲ୍ଲାର ଭଦ୍ରକ ଅନ୍ତର୍ଗତ ନଳାଙ୍ଗ ଗ୍ରାମରେ ଜଗନ୍ନାଥ ପାଣି ୧୮୩୬ ମସିହାରେ ଜନ୍ମ ଗ୍ରହଣ କରି ପ୍ରାୟ ୧୮୫୦-୧୯୯୭ ମସିହା ପର୍ଯ୍ୟନ୍ତ ବହୁ ଗୀତନାଟ୍ୟ ରଚନା କରିବା ସଙ୍ଗେ ସଙ୍ଗେ ଗୋଟିଏ ଯାତ୍ରାଦଳ ମାଧ୍ୟମରେ ସେଗୁଡ଼ିକୁ ଦେଶ ଓ ବିଦେଶରେ ପରିବେଷଣ କରିବାର ଦାୟିତ୍ୱ ଗ୍ରହଣ କରିଥିଲେ । ରାମାୟଣ, ଭାଗବତ, ମହାଭାରତ, ଶିବପୁରାଣ, ବିଲଙ୍କା ରାମାୟଣ ଓ ହରିବଂଶ ଆଦି ପ୍ରସିଦ୍ଧ ପୁସ୍ତକମାନଙ୍କରୁ କଥାବସ୍ତୁ ସଂଗ୍ରହ କରି, ଦକ୍ଷଯଜ୍ଞ, ଧ୍ରୁବ ଚରିତ, ସୀତା ବନବାସ, ବିଲଙ୍କା ଚରିତ, ପ୍ରହ୍ଲାଦ ଚରିତ, ଉଷାବତୀ ହରଣ, ସୁଭଦ୍ରା ପରିଣୟ, ପାରିଜାତ ହରଣ ହାରାବତୀ ହରଣ ପ୍ରମୁଖ ପ୍ରାୟ କୋଡ଼ିଏଟି ଗୀତିନାଟ୍ୟ ବା ଛାନ୍ଦ ନାଟ୍ୟ ରଚନା କରିଥିଲେ । ଜଗନ୍ନାଥ ପାଣିଙ୍କ ଦ୍ୱାରା ସଙ୍ଗଠିତ ଯାତ୍ରାଦଳ ସମ୍ପର୍କରେ ଯେଉଁ ଅଭିଲେଖମାନ ମିଳୁଛି, ସେଥିରୁ ଜଣାଯାଏ ଯେ, ସେ ନିଜ ଯାତ୍ରାଦଳ ନେଇ ସମଗ୍ର ଓଡ଼ିଶା, ବିଭିନ୍ନ ଗଡ଼ଜାତ ତଥା ଓଡ଼ିଆ ଅଧ୍ୟୁଷିତ କଲିକତା, ଖଡ଼ଗପୁର, ଜଳନ୍ତର, ମଞ୍ଜୁଷା, ବିଜୟ ନଗର, ସିଂହଭୂମି, ଫୁଲଝର ଓ ବସ୍ତର ଅଞ୍ଚଳରେ ସ୍ୱରଚିତ ନାଟକଗୁଡ଼ିକର ଅଭିନୟ ପ୍ରଦର୍ଶନ କରୁଥିଲେ । ତାଙ୍କ ରଚିତ ଗୀତିନାଟ୍ୟ ଗୁଡ଼ିକ ଲୀଳାଗୁଡ଼ିକ ପରି ସୂଚନାଧର୍ମୀ ।

 

“ଭବଭାବଦାୟୀ ଭାସି ଭାବନା ସାଗରେ ।

ଭବଭୟନାଶ ପାଶେ ଭାଷେ ବିନୟରେ ।

ଭୋ ଭୂତପତି,

ଭୁଜଙ୍ଗଭୂଷଣ ଶୁଣ ମୋ’ ବିନତି ।

 

କିଶୋରଚନ୍ଦ୍ର ମଉଳି ପ୍ରିୟାଦୁଃଖ ଦେଖି ।

କୃପା କଟାକ୍ଷେ କହନ୍ତି ଆରେ ଚନ୍ଦ୍ରମୁଖି ।

ଆଜନ୍ମ ସୁଖୀ

କେ କିସ କହିଲା କାନ୍ଦୁ କାହିଁକି ?’’

(ଜଗନ୍ନାଥ ପାଣିଙ୍କ ଦକ୍ଷଯଜ୍ଞ)

 

ନାଟ୍ୟକାର ଜଗନ୍ନାଥ ପାଣିଙ୍କର ପ୍ରାୟ ସମସାମୟିକ ପାରଳାଖେମୁଣ୍ଡିର ରଘୁନାଥ ପରିଛା, ଗୋପୀନାଥ ବଲ୍ଲଭ ନାଟକ, ବାସୁଦେବ ନାଟକ, ମୁକ୍ତା ନାଟିକା ଓ ପଦ୍ମାବତୀ ହରଣ ଶୀର୍ଷକ କେତେଖଣ୍ଡି ନାଟକ ରଚନା କରିଥିଲେ । ତାଙ୍କ ରଚିତ ଗୋପୀନାଥ ବଲ୍ଲଭ ନାଟକଟି ଖ୍ରୀ: ଅ:୧୮୬୮ ମସିହାରେ କଟକରୁ ପ୍ରକାଶ ପାଇଥିଲା । ତେଣୁ ଅନୁମାନ କରାଯାଏ ଯେ, ରଘୁନାଥ ପରିଛା ଊନବିଂଶ ଶତାବ୍ଦୀର ଷଷ୍ଠଦଶକରେ ନାଟକ ରଚନା ଆରମ୍ଭ କରିଥିଲେ ।

 

ଖ୍ରୀ: ଅ: ୧୮୫୧-୮୨ ମଧ୍ୟରେ ଗଞ୍ଜାମର ଚିକିଟୀ ରାଜବଂଶର ରାଜତ୍ୱ କରୁଥିବା ବିଶ୍ୱମ୍ଭର ରାଜେନ୍ଦ୍ର ଓ ତାଙ୍କ ପୁତ୍ର କିଶୋରଚନ୍ଦ୍ର ରାଜେନ୍ଦ୍ର (୧୮୮୨-୧୯୦୦) କେତେ ଖଣ୍ଡି ଲୀଳା ଓ ଗୀତିନାଟ୍ୟ ରଚନା କରିଥିଲେ । ସେଗୁଡ଼ିକ ମଧ୍ୟରେ ଉଷାହରଣ, ରାଧା ପ୍ରେମଲୀଳା ନାଟକ ପ୍ରଧାନ ।

 

କଟକ ନିବାସୀ ଜଗମୋହନ ଲାଲା ଖ୍ରୀ: ଅ: ୧୮୭୭ରେ ‘ବାବାଜୀ’ ନାମରେ ଖଣ୍ଡିଏ ସାମାଜିକ ନାଟକ ରଚନା କରିଥିଲେ । ତତ୍କାଳୀନ ସମାଜରେ ଦେଖା ଦେଇଥିବା କୁରୀତିଗୁଡ଼ିକର ଦିଗ୍‌ଦର୍ଶନ କରାଇ ଲାଲା ମହୋଦୟ ଏକ ପୂର୍ଣ୍ଣାଙ୍ଗ ନାଟକ ରଚନା କରିଥିଲେ । ସେ ପ୍ରଥମ ନାଟକ ଅର୍ଥାତ୍‌ ‘ବାବାଜୀ’ ନାଟକରେ ଥିବା ତ୍ରୁଟିବିଚ୍ୟୁତିକୁ ସୁଧାରି ୧୮୮୭ରେ ‘ସତୀ’ ନାଟକ ଆଉ ଖଣ୍ଡିଏ ନାଟକ ଲେଖିଥିଲେ ।

 

ନାଟ୍ୟକାରୀ ରାମଶଙ୍କର ରାୟ ବଙ୍ଗଳା ନାଟକରେ ଅନୁପ୍ରାଣିତ ହୋଇ ୧୮୮୦ ମସିହାରେ ‘କାଞ୍ଚିକାବେରୀ’ ନାଟକ ଲେଖିଥିଲେ । ଏହି ନାଟକର ସଫଳତାରେ ଉଦ୍‌ବୁଦ୍ଧ ହୋଇ ପୌରାଣିକ ତଥା ଐତିହାସିକ ଭିତ୍ତିଭୂମି ଉପରେ ଶ୍ରୀରାମ ଅଭିଷେକ, ରାମାଭିଷେକ, କଂସବଧ, ଲୀଳାବତୀ, କାଞ୍ଚନମାଳୀ, ଶ୍ରୀଚୈତନ୍ୟ ଲୀଳା ଓ ହିନ୍ଦୁରମଣୀ ଆଦି ବହୁ ନାଟକ ରଚନା କରି, ଓଡ଼ିଆ ନାଟ୍ୟ ଆନ୍ଦୋଳନର ଅନ୍ୟତମ ପୁରୋଧା ହୋଇଥିଲେ ।

 

ଏହି ସମୟ ମଧ୍ୟରେ ଯାଜପୁର ନିବାସୀ କାମପାଳ ମିଶ୍ର ‘ସୀତା ବିବାହ’ ଓ ବସନ୍ତ ଲତିକା ରଚନା କରି ଓଡ଼ିଆ ନାଟ୍ୟସାହିତ୍ୟକୁ ଋଦ୍ଧିମନ୍ତ କରିବାରେ ଯତ୍‌ପରୋନାସ୍ତି ଚେଷ୍ଟା କରିଥିଲେ ।

 

ଓଡ଼ିଶାର ଏହି ନାଟ୍ୟ ନବଯୁଗର ଆରମ୍ଭ ସମୟରେ ଜଣେ ଯୁଗଜନ୍ମା ନାଟ୍ୟକାର କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ କୋଠପଦା ଗ୍ରାମରେ ଖ୍ରୀ: ଅ: ୧୮୮୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେହି ସ୍ୱନାମଧନ୍ୟ ନାଟ୍ୟକାରଙ୍କ ନାମ ଥିଲା-ବୈଷ୍ଣବ ପାଣି । ତାଙ୍କ ପିତାଙ୍କ ନାମ ଥିଲା-ସୁଦର୍ଶନ ପାଣି ଓ ମାତାଙ୍କ ନାମ ଚାନ୍ଦଦେବୀ ।

 

ପିଲାଟି ଦିନରୁ ସେ ନିତାନ୍ତ ରୁଗ୍‌ଣ ଥିବାରୁ ପିତାମାତା ତାଙ୍କୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପୁରୀଧାମର ବଡ଼ଛତା ମଠରେ ବୈଷ୍ଣବ କରି ଦେଇ, ତାଙ୍କ ନାମ ବୈଷ୍ଣବ ରଖିଥିଲେ, କିନ୍ତୁ ତାଙ୍କର ଜନ୍ମଦତ୍ତ ନାମ ଥିଲା ଶତ୍ରୁଘ୍ନ । ଏଇ ବୈଷ୍ଣବ ନାମରେ ସେ ଓଡ଼ିଆ ନାଟ୍ୟଜଗତରେ ସୁପରିଚିତ ହୋଇଥିଲେ ।

 

ବୈଷ୍ଣବଙ୍କର ଉପନୟନାଦି ସଂସ୍କାର ହୋଇଯିବା ପରେ ସେ କୋଠପଦା ମହନ୍ତ ରଘୁନାଥ ପୁରୀ ଗୋସ୍ୱାମୀଙ୍କର ମଠରେ ରହି ଦେବସେବା କାର୍ଯ୍ୟରେ ନିଯୁକ୍ତ ହେଲେ ।

 

ଏତିକିବେଳେ ବିଧି ନିର୍ଦ୍ଦେଶ ମତେ ବୈଷ୍ଣବଙ୍କ ଜୀବନରେ ଏକ ପରିବର୍ତ୍ତନ ଘଟିଲା । ଯଦିଓ ତାଙ୍କ ବାଲ୍ୟଶିକ୍ଷା ଶୁକ୍ଳେଶ୍ୱର ଗ୍ରାମର କଳ୍ପତରୁ ଦେବୀଙ୍କ ତତ୍ତ୍ୱାବଧାନରେ ହୋଇଥିଲା, ତଥାପି ତାଙ୍କ ନାଟ୍ୟଗୁରୁ ରୂପେ ଡେରାବିଶି ଗ୍ରାମ ନିବାସୀ ଶିବରାମ ସିଂହଙ୍କୁ ହିଁ ଆଲୋଚକମାନେ ଗ୍ରହଣ କରନ୍ତି । ବାଲ୍ୟକାଳରୁ ଅଭାବ-ଅନାଟନର କଷାଘାତରେ ପ୍ରପୀଡ଼ିତ ହୋଇ ବୈଷ୍ଣବ ପାଣି ଯୌବନର ପ୍ରାକ୍‌କାଳରେ ଶିକ୍ଷକ ଜୀବନ ଅତିବାହିତ କରି, ସାମାନ୍ୟ ଅର୍ଥାଗମର ଉପାୟ ଚିନ୍ତା କରିଥିଲେ । ସେହି ଅବସରରେ ସେ ସଂସ୍କୃତ କାବ୍ୟ ଓ ଓଡ଼ିଆ ପୁରାଣ ତଥା କାବ୍ୟ କବିତାଦି ଅଧ୍ୟୟନ କରି, କ୍ରମେ କବିତା ରଚନା ଆଡ଼କୁ ଉନ୍ମୁଖ ହୋଇଥିଲେ । ଧୀରେ ଧୀରେ ତାଙ୍କ ମଧ୍ୟରେ କବି ଜୀବନର ଏକ ଅଦମ୍ୟ ପ୍ରତିଭାର ଅଙ୍କୁରୋଦ୍‌ଗମ ହେବାକୁ ଲାଗିଲା । କିଛିଦିନ କାବ୍ୟକବିତା ଓ ଛାନ୍ଦ ପ୍ରଭୃତିର ଅଧ୍ୟୟନ କରିବା ପରେ ସେ ପାଲାଗାୟନ ପ୍ରତି ଆଗ୍ରହୀ ହୋଇ ଉଠିଲେ ଏବଂ କେତେ ଜଣ ସଙ୍ଗୀଙ୍କ ସାହଚର୍ଯ୍ୟରେ ସେ ରୀତିମତ ପାଲାଗାୟକ ହୋଇଥିଲେ । ସେ ଜଣେ ଆଶୁକବି ଥିବାରୁ, ପାଲାଗାୟନ ସମୟରେ ରସାଣିତ କବିତାମାନ ରଚନା କରି ଶ୍ରୋତାମାନଙ୍କୁ ମୁଗ୍‌ଧ କରୁଥିଲେ । କେବଳ ସେତିକି ନୁହେଁ, ତରୁଣ କବି ବୈଷ୍ଣବ ପାଣି ସାଧାରଣ ଲୋକଙ୍କ ବରାଦ ଅନୁସାରେ ରସରସିଆ ଗୀତ ରଚନା କରି ଦେଉଥିଲେ । ଏହି ପାଲାଗାୟନ ଓ କବି-ପ୍ରତିଭାର ଉନ୍ମେଷ ଦିଗରେ ତାଙ୍କୁ କୋଳିଅଠା ଗ୍ରାମର ଜଗନ୍ନାଥ ପଣ୍ଡା ସାହାଯ୍ୟ କରିଥିଲେ । ତାଙ୍କ ପ୍ରତିଭାରେ ମୁଗ୍‌ଧ ହୋଇ ନାଟ୍ୟପ୍ରେମୀ କୋଠପଦାର ମହନ୍ତ ମହାରାଜ ବୈଷ୍ଣବ ପାଣିଙ୍କୁ ନିଜ ଯାତ୍ରାଦଳର ଓସ୍ତାଦ୍‌ ରୂପେ ନିଯୁକ୍ତ କରିଥିଲେ । ତା’ଫଳରେ ତାଙ୍କ ଆର୍ଥିକ ଦୂରବସ୍ଥା ସାମାନ୍ୟ ପରିବର୍ତ୍ତିତ ହୋଇଥିଲା ।

 

ଧୀରେ ଧୀରେ ତାଙ୍କ ଓସ୍ତାଦ୍‌ ଗିରିରେ ଯାତ୍ରାଦଳ ବେଶ୍‌ ସୁନାମ ଅର୍ଜନ କଲା । ତହୁଁ ବହୁକୁଦ ଗ୍ରାମର ଜମିଦାରଙ୍କ ପତ୍ନୀ ସରୋଜିନୀ ଦେବୀ ଓସ୍ତାତ୍ ବୈଷ୍ଣବ ପାଣିଙ୍କୁ ଡକାଇ ଆଣି ନିଜ ଯାତ୍ରାଦଳର ତତ୍ତ୍ୱାବଧାରକ ଓ ଓସ୍ତାତ୍‌ ପଦରେ ନିଯୁକ୍ତ କଲେ । ବୈଷ୍ଣବ ପାଣିଙ୍କ ନିର୍ଦ୍ଦେଶନାରେ ଯାତ୍ରାଦଳଟି ଦିନକୁ ଦିନ ଲୋକପ୍ରିୟ ହୋଇ ଉଠିଲା । ଓଡ଼ିଶାର ବିଭିନ୍ନ ଅଞ୍ଚଳ ତଥା ଗଡ଼ଜାତରେ ଯାତ୍ରା ଅଭିନୟ କରିବା ପରେ, ସେ ସୁଦୂର କଲିକତା ଯାଇ ସେଠାରେ ନିଜ ପ୍ରତିଭାର ପରିଚୟ ଦେଇଥିଲେ । ଓସ୍ତାତ୍‌ ବୈଷ୍ଣବ ପାଣି ତାଙ୍କ ପୂର୍ବବର୍ତ୍ତୀ ଗୀତିନାଟ୍ୟକାର ଭଦ୍ରକର ନଳାଙ୍ଗ ନିବାସୀ ଜଗନ୍ନାଥ ପାଣିଙ୍କ ରଚିତ ଛାନ୍ଦନାଟ୍ୟଗୁଡ଼ିକୁ ପରିମାର୍ଜିତ ଢଙ୍ଗରେ ପରିବେଷଣ କରୁଥିଲେ ।

 

କେତେକ ଲୋକଙ୍କ ମନରେ ଗୋଟିଏ ଭ୍ରାନ୍ତ ଧାରଣା ଅନେକ ଦିନ ପର୍ଯ୍ୟନ୍ତ ରହିଥିଲା । ସେ ଧାରଣାଟି ହେଉଛି-ଜଗନ୍ନାଥ ପାଣି ଓ ବୈଷ୍ଣବ ପାଣି ଏକ ପରିବାରର ତଥା ସମସାମୟିକ । କିନ୍ତୁ ଭଦ୍ରକର ସ୍ୱନାମଧନ୍ୟ ଗୀତିନାଟ୍ୟକାର ଜଗନ୍ନାଥ ପାଣିଙ୍କ ମୃତ୍ୟୁବେଳକୁ ବୈଷ୍ଣବ ପାଣି ଚଉଦ ପନ୍ଦର ବର୍ଷ ବୟସର ତରୁଣ ଥିଲେ ଏବଂ ତାଙ୍କ ନାଟ୍ୟ ପ୍ରତିଭାର ବିକାଶ ଘଟି ନଥିଲା । ବୈଷ୍ଣବ ପାଣି ସ୍ୱୀୟ ନାଟ୍ୟ ପ୍ରତିଭାର ଚମତ୍କାରିତା ଦେଖାଇବାର ବହୁ ପୂର୍ବରୁ ଜଗନ୍ନାଥ ପାଣି ଓଡ଼ିଆ ନାଟ୍ୟଜଗତରେ ଏକ ଅମ୍ଳାନ ପ୍ରତିଭାରୂପେ ପ୍ରତିଷ୍ଠା ଅର୍ଜନ କରି ସାରିଥିଲେ । ତେଣୁ ବୈଷ୍ଣବ ପାଣି ନିଜ ଆତ୍ମଜୀବନୀରେ ସ୍ପଷ୍ଟଭାବରେ ଜଗନ୍ନାଥ ପାଣିଙ୍କ ଲୋକୋତ୍ତର ପ୍ରତିଭାକୁ ସ୍ୱୀକାର କରି ଲେଖିଛନ୍ତି-

 

‘‘ସେତେବେଳେ ଓଡ଼ିଶାରେ ଯାତ୍ରାଦଳ ଅତି ବିରଳ, କେବଳ ମାତ୍ର ମୋର ଦଳଟି କଟକ ପୁରୀ ଅଞ୍ଚଳରେ ଶ୍ରେଷ୍ଠ ଦଳ ବୋଲାଇଥାଏ, ସେତେବେଳେ ଭଦ୍ରକସ୍ଥ ନଳାଙ୍ଗ ନିବାସୀ କବି ଜଗନ୍ନାଥ ପାଣିଙ୍କ ଲୀଳା ସମାଜ ‘ଅଶ୍ୱମେଧ ଯଜ୍ଞ, ମହୀରାବଣ ବଧ, ଦକ୍ଷ ଯଜ୍ଞ ଏବଂ ପାରିଜାତ ହରଣ ଇତ୍ୟାଦି ନାଟକ ମୋର ପ୍ରଧାନ ସମ୍ବଳ ଥିଲା ।’’

 

ନାଟ୍ୟକାର ଜଗନ୍ନାଥ ପାଣିଙ୍କ ପରେ ଓଡ଼ିଶାରେ ନାଟ୍ୟ ଆନ୍ଦୋଳନକୁ ଉଜ୍ଜୀବିତ କରାଇବାରେ ଯେଉଁ କେତେଜଣ ଅର୍ଥାତ୍‌ ଗୋପାଳ ଦାସ, ଗୋବିନ୍ଦଶ୍ୱର ଦେବ, ବାଳକୃଷ୍ଣ ମହାନ୍ତି, ରାମଚନ୍ଦ୍ର ସ୍ୱାଇଁ, ମୋହନ ସୁନ୍ଦର ଗୋସ୍ୱାମୀ, ବାବାଜୀ ବୈଷ୍ଣବ ଦାସ ପ୍ରମୁଖ ଅଗ୍ରସର ହୋଇଥିଲେ, ସେମାନଙ୍କ ମଧ୍ୟରେ ବୈଷ୍ଣବ ପାଣି ଥିଲେ ଖ୍ୟାତନାମା ଓ ବହୁ ନାଟକର ପ୍ରଣେତା । ପୂର୍ବବର୍ତ୍ତୀ ଲୀଳା ଓ ଗୀତିନାଟ୍ୟର ଛନ୍ଦୋବଦ୍ଧ ସଂଳାପକୁ ସେ ପ୍ରଥମେ ଗ୍ରହଣ କରି ନାଟକ ରଚନା କରିଥିଲେ ହେଁ, ପରବର୍ତ୍ତୀ କାଳରେ ଅମିତ୍ରାକ୍ଷର ଛନ୍ଦର ଗଦ୍ୟ କବିତା ମାଧ୍ୟମରେ ସଂଳାପ ସଂଯୋଜନ କରିବା ସଙ୍ଗେ ସଙ୍ଗେ ବିଶୁଦ୍ଧ ଗଦ୍ୟସଂଳାପ ପ୍ରୟୋଗରେ ସୁନିପୁଣ ନାଟ୍ୟକାର ରୂପେ ପ୍ରତିଷ୍ଠିତ ହୋଇ ପାରିଥିଲେ ।

 

ବୈଷ୍ଣବ ପାଣି ସ୍ୱରଚିତ ନାଟକରେ ସମାଜର ସମସ୍ତ ପ୍ରକାର ଦୁର୍ନୀତି, କୁରୀତି, ଅନ୍ଧ ବିଶ୍ୱାସ ତଥା ସାମାଜିକ ରୂଢ଼ିବାଦକୁ କଠୋର ଶବ୍ଦରେ ଆଲୋଚନା କରିଛନ୍ତି । ମନମତାଣିଆ ଗୀତ ମାଧ୍ୟମରେ ସେ ସମାଜର ଶୋଷଣକାରୀ, ହତ୍ୟାକାରୀ ତଥା ଶଠ ଓ ଲମ୍ପଟମାନଙ୍କ ଚରିତ୍ରର ମୁଖା ଖୋଲିଦେଇଛନ୍ତି । ଶୃଙ୍ଗାରାଦି ନବରସର ପ୍ରୟୋଗରେ ନାଟକଗୁଡ଼ିକୁ ମନୋଜ୍ଞ ତଥା ହୃଦ୍ୟ କରିବାରେ ଯତ୍‌ପରୋନାସ୍ତି ଚେଷ୍ଟା କରିଛନ୍ତି । ଅବଶ୍ୟ ପ୍ରାରମ୍ଭିକ ଅବସ୍ଥାରେ ତାଙ୍କୁ ସମାଜର ବ୍ୟଙ୍ଗ ବିଦ୍ରୂପ ସହ୍ୟ କରିବାକୁ ପଡ଼ିଥିଲା । ଆଲୋଚକମାନେ ପ୍ରକାଶ୍ୟରେ କହୁଥିଲେ-‘‘ବଇଷ୍ଣବ ପାଣି ସୁଆଙ୍ଗ ମାତିଛୁ ଏଡ଼େ ଅଲାଜୁକ ଝୀଟ ।’’

 

ଧୀରେ ଧୀରେ ଜନମାନସକୁ ବୈଷ୍ଣବ ପାଣିଙ୍କ ନାଟ୍ୟ ପ୍ରତିଭା ଉଦ୍‌ବୁଦ୍ଧ କରିବାକୁ ଲାଗିଲା । ତାଙ୍କ ନାଟକରେ ଆଧୁନିକ ଫେସନର ତିରସ୍କାର ଇଂରେଜସରକାରଙ୍କ ବିରୁଦ୍ଧରେ କଟୂକ୍ତି ବାସ୍ତବ ଚରିତ୍ର ଚିତ୍ରଣର ପଟୁତା, ଭକ୍ତିଭାବର ପ୍ରସାର, ପୌରାଣିକ କଥାବସ୍ତୁର ବାସ୍ତବ ରୂପାୟନ, ସଙ୍ଗୀତର ଅପୂର୍ବ ଝଙ୍କାର, ରସ ପରିବେଷଣର ଚମତ୍କାରିତା, ଅଳଙ୍କାର ଯୋଜନାର ସାର୍ଥକତା ଏବଂ ହାସ୍ୟରସର ମନ ମୋହକତା ଲକ୍ଷ୍ୟ କରି ବିଦ୍ୱାନ ଆଲୋଚକମାନେ ଶତମୁଖରେ ତାଙ୍କ ବହୁମୁଖୀ ପ୍ରତିଭାକୁ ଉଚ୍ଛ୍ୱସିତ କଣ୍ଠରେ ପ୍ରଶଂସା କରିବାକୁ ଲାଗିଲେ ।

 

ନାଟ୍ୟକାର, କବି, ସମାଜସଂସ୍କାରକ ତଥା ଓଡ଼ିଆ ନାଟ୍ୟ ଯୁଗର ପଟ୍ଟପୁରୋଧା ବୈଷ୍ଣବ ପାଣି ବାଆସ୍ତରୀ ବର୍ଷ ବୟସରେ ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ଓଡ଼ିଆ ନାଟକ ସାହିତ୍ୟ ତଥା ଯାତ୍ରା ପରିପାଟୀରେ ବିକାଶ ସାଧନ କରି ୧୯୫୬ ମସିହା ବୈଶାଖ ଅମାବାସ୍ୟା ତିଥିରେ ନଶ୍ୱର ଜୀବନର ଲୀଳା ସାଙ୍ଗ କରିଥିଲେ । ନାଟ୍ୟକାର ବୈଷ୍ଣବ ପାଣିଙ୍କ ନାଟକଗୁଡ଼ିକୁ ନାଟ୍ୟକାର ଶ୍ରୀଯୁକ୍ତ ଗୋପାଳ ଛୋଟରାୟ ‘ବେତାର ନାଟକ’ ରେ ରୂପାନ୍ତରିତ କରି, ତାଙ୍କ ପ୍ରତିଭାକୁ ଜନସମାଜରେ ଉଜ୍ଜୀବିତ କରାଇଛନ୍ତି ଏବଂ ଶ୍ରୀଯୁକ୍ତ ଧୀରେନ ଦାଶ ପ୍ରମୁଖ ନିର୍ଦ୍ଦେଶକମାନେ ବୈଷ୍ଣବ ପାଣିଙ୍କ ନାଟକଗୁଡ଼ିକର ନିର୍ଦ୍ଦେଶନାରେ ସଫଳତା ପ୍ରଦର୍ଶନ କରି, ସେଗୁଡ଼ିକୁ ବହୁଭାବରେ ଲୋକପ୍ରିୟ କରାଉଛନ୍ତି ।

 

ନାଟ୍ୟକାର ବୈଷ୍ଣବ ପାଣି ଦୀର୍ଘ ଚଉତିରିଶ ବର୍ଷ ହେଲା, ଇହଧାମ ତ୍ୟାଗ କରିଥିଲେ ହେଁ ଆଜିସୁଦ୍ଧା ଜନମାନସରେ ତାଙ୍କ ଲୋକୋତ୍ତର ପ୍ରତିଭା ଝଂକୃତ ହେଉଛି । ଜନୈକ କବିଙ୍କ ଭାଷାରେ କହିବାକୁ ଗଲେ-

 

‘‘ମଣିଷ ମରିବ ଦିନେ ଜନ୍ମ ହୋଇ ଦେବତା ବି ମରେ ।

ସାର୍ଥକ ମରଣ ତା’ର ଯାହା ଲାଗି ମାଟି ଗୋଡ଼ି ଝୁରେ’’ ।।

 

 

କେଦାରନାଥ ଗବେଷଣା ପ୍ରତିଷ୍ଠାନ

ଭୁବନେଶ୍ଵର-୭୫୧୦୦୨

***

 

ବୈଷ୍ଣବ ପାଣି : ଏକ ନବମୂଲ୍ୟାୟନ

ଡକ୍ଟର ନାରାୟଣ ସାହୁ

 

ଲୋକନାଟକର ସଫଳ ପ୍ରଚେଷ୍ଟା-‘ଯାତ୍ରା’ :

‘ଯାତ୍ରା’-ଲୋକନାଟକ ପରମ୍ପରାର ଏକ ସଫଳ ପରୀକ୍ଷା । ଓଡ଼ିଆ ନାଟକର ବିକାଶ ପଥରେ ଏହା ଏକ ସଫଳ ପ୍ରଚେଷ୍ଟା କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଆ ନାଟକର ସୁଦୀର୍ଘ ସେତୁ ନିର୍ମାଣ ପଥରେ ଆମେ ଯେଉଁ କେତୋଟି ଉପଳଖଣ୍ଡ ଦେଖିବାକୁପାଉ, ତନ୍ମଧ୍ୟରେ ଯାତ୍ରା, ଲୀଳା, ସୁଆଙ୍ଗ ଆଦି ପ୍ରଧାନ । ବିଧିବଦ୍ଧ ନାଟକ ରଚିତ ହେବା ପୂର୍ବରୁ ଓଡ଼ିଶାରେ ଲୋକନାଟକର ଏକ ବଳିଷ୍ଠ ପରମ୍ପରା ରାଜପଣ କରୁଥିଲା । ଏହି ପରମ୍ପରାର ଜଣେ ଜଣେ ଉତ୍ତର ଦାୟାଦ ରାସ, ଗୀତାଭିନୟ, ଗୀତିନାଟ୍ୟ, ଲୀଳା, ତାମସା, ସୁଆଙ୍ଗ ଏବଂ ଯାତ୍ରା । ଲୋକନାଟକର ଏହି ବହୁବିଧ ବିଭବ ମଧ୍ୟରେ ‘ଯାତ୍ରା’ ଥିଲା ସର୍ବଶ୍ରେଷ୍ଠ ମାଧ୍ୟମ । ଏକ ସଙ୍ଗରେ ଏହା ଶିକ୍ଷିତ ଅଶିକ୍ଷିତ ବହୁ ସଂଖ୍ୟକ ଜନତାଙ୍କୁ ଆମୋଦ ଦେଇ ପାରୁଥିଲା । ତେବେ ଏହା ମୁଖ୍ୟତଃ ସାଧାରଣ ଜନତାର ତୁଷ୍ଟି ପାଇଁ ଅଭିପ୍ରେତ ଥିଲା ।

 

ଓଡ଼ିଆ ନାଟକର ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେ ଯାତ୍ରାର ଅଖଣ୍ଡ ପ୍ରଭାବ ଦେଖିବାକୁ ପାଇଥାଉ । ୧୮୭୭ରୁ ୧୯୩୦ ପର୍ଯ୍ୟନ୍ତ ୫୦ ବର୍ଷକୁ ଯାତ୍ରା ସାମ୍ରାଜ୍ୟର ‘ସୁବର୍ଣ୍ଣଯୁଗ’ ବୋଲି ଧରାଯାଏ । ଏହି ସମୟ ମଧ୍ୟରେ ‘ଯାତ୍ରା’ ବିଭିନ୍ନ ପରୀକ୍ଷା ନିରୀକ୍ଷା ଭିତର ଦେଇ ଗତି କରିଛି । ‘ଯାତ୍ରା’ର ମୁଖ୍ୟ ଲକ୍ଷ୍ୟ ଲୋକଶିକ୍ଷା ଏବଂ ଆନନ୍ଦ ଦାନ । ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍‌ ପ୍ରଥମ ୨୦ ବର୍ଷ ମଧ୍ୟରେ ‘ଆନନ୍ଦଦାନ’ ଯାତ୍ରାର ମୁଖ୍ୟ ସ୍ୱର ହୋଇଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍‌୧୯୦୦ରୁ ୧୯୩୦ ମଧ୍ୟରେ ଯାତ୍ରାର ସଂସ୍କାରିତ ଦିଗଟି ଉଜ୍ଜ୍ୱଳ ହୋଇ ଉଠିଛି । ଯାତ୍ରା ଏଠି କେବଳ ଆନନ୍ଦଦାନ କରିନାହିଁ, ଲୋକଶିକ୍ଷାର ଏକ ପ୍ରକୃଷ୍ଟ ମାଧ୍ୟମ ହୋଇ ପଡ଼ିଛି ।

 

୧୮୭୭ରୁ ୧୯୦୦ ମଧ୍ୟରେ ଯାତ୍ରାର ସ୍ୱରୂପ ଅନାବରଣ । ମାତ୍ର ୧୯୦୦ରୁ ୧୯୩୦ ମଧ୍ୟରେ ଏହା ଅଳଙ୍କାର ବିମଣ୍ଡିତ ଏବଂ କିଛିଟା ରୁଚିସମ୍ମତ । ପ୍ରାଥମିକ ପର୍ଯ୍ୟାୟରେ ଯାତ୍ରାର ଅଶ୍ଳୀଳ ସ୍ୱରୂପକୁ ଅଶିକ୍ଷିତ ଜନତା ଆଦର କରିଥିଲେ ହେଁ ଅଭିଜାତ ଗୋଷ୍ଠୀ ଏଥିପ୍ରତି ନାକ ଟେକି ଥିଲା । ତେଣୁ ତତ୍କାଳୀନ ପତ୍ରପତ୍ରିକାଗୁଡ଼ିକ ‘ଯାତ୍ରା’ ବିରୋଧରେ କଟୁ ମନ୍ତବ୍ୟମାନ ଦେଇଥିଲେ । ଲୋକଚକ୍ଷୁରେ ଯାତ୍ରାସ୍ୱରୂପ ଥିଲା-‘‘ନିର୍ଲଜ ଗାଏ, ସଲ୍ଲଜ ବାଏ, ଅତି ଅଲାଜୁକ ନାଚି ନାଚି ଯାଏ ।’’ ଯାତ୍ରା ସାମ୍ରାଜ୍ୟର ବଳିଷ୍ଠ ଭିତ୍ତିକୁ ସୃଦୃଢ଼ କରିବାକୁ ଯେଉଁମାନେ ଆଗେଇ ଆସିଛନ୍ତି, ସେମାନଙ୍କ ମଧ୍ୟରେ ଶଙ୍କର ମିଶ୍ର, ଧୁରୁବ ବାରିକ, ସଦା ଘଡ଼େଇ, ମାଗୁଣି ନାଏକ, କହ୍ନେଇ ଦାଶ, ମୁନ୍‌ସୀ ଶେଖ ଅବଦୁଲା, ତ୍ରିଲୋଚନ ରାୟଗୁରୁ, ମୋହନ ସୁନ୍ଦର ଗୋସ୍ୱାମୀ, ଗୋବିନ୍ଦ ଶୂରଦେଓ, ବାବାଜୀ ବୈଷ୍ଣବ ଚରଣ ଦାସ, ରାମଚନ୍ଦ୍ର ସ୍ୱାଇଁ, ବାଳକୃଷ୍ଣ ମହାନ୍ତି, ଗୋପାଳ ଦାଶ, ଜଗନ୍ନାଥ ପାଣି, ବୈଷ୍ଣବ ପାଣି, କୃଷ୍ଣପ୍ରସାଦ ବସୁ, କୃଷ୍ଣ ପ୍ରସାଦ ବେହେରା, ରଘୁନାଥ ପଣ୍ଡା, କାଳୀଚରଣ ପଟ୍ଟନାୟକ ପ୍ରଭୃତି ପ୍ରଧାନ ।

 

ଯାତ୍ରା-କୋଣାର୍କର ସର୍ବଶ୍ରେଷ୍ଠ ବିନ୍ଧାଣୀ ବୈଷ୍ଣବ ପାଣି :

‘ଯାତ୍ରା’ କୋଣାର୍କର ନିର୍ମାଣ ପଥରେ ବହୁ ବିନ୍ଧାଣୀ ନିଜ ନିଜର ଲେଖନୀମୁନ ସାର୍ଥକ କରିଛନ୍ତି । ତେବେ ଏହି କୋଣାର୍କର ମୁଖଶାଳାରେ ଆମେ ଚାରି ପାଞ୍ଚଜଣ ଯାତ୍ରାଶିଳ୍ପୀଙ୍କୁ ଦେଖିବାକୁ ପାଇଥାଉ । ସେମାନେ ହେଲେ ବାଳକୃଷ୍ଣ ମହାନ୍ତି, ଗୋପାଳ ଦାଶ, ବୈଷ୍ଣବ ପାଣି ଏବଂ ଜଗନ୍ନାଥ ପାଣି । ଯାତ୍ରାର କ୍ରମ ବିବର୍ତ୍ତନରେ ଶିଳ୍ପୀମାନଙ୍କର ଭୂମିକାକୁ ଲକ୍ଷ୍ୟ କରି ଡଃ ବୈଷ୍ଣବ ଚରଣ ସାମଲ କହନ୍ତି-‘‘ଗୋପାଳ ଦାଶ ଯାତ୍ରାକୁ ଦେଲେ ପ୍ରଥମ ମାର୍ଜିତ ରୂପ । ବୈଷ୍ଣବ ପାଣି ଏଥିରେ ସୃଷ୍ଟିକଲେ ନୂତନ କ୍ରାନ୍ତି । ବାଳକୃଷ୍ଣ ମହାନ୍ତି, କୃଷ୍ଣ ପ୍ରସାଦ ବସୁ, ରାମଚନ୍ଦ୍ର ସ୍ୱାଇଁ, କୃଷ୍ଣ ପ୍ରସାଦ ବେହେରା, ରଘୁନାଥ ପଣ୍ଡା ପ୍ରମୁଖ ଓ ଦିଗରେ ନୂତନ ପ୍ରତିଭାର ପରିଚୟ ଦେଲେ । ଯାତ୍ରା କ୍ରମେ ନାଟକ ଶୈଳୀକୁ ବିଶେଷ ଭାବରେ ଗ୍ରହଣ କରି ନେବାରୁ ଯାତ୍ରା ଆଉ ଯାତ୍ରା ହୋଇ ରହିଲା ନାହିଁ । ଯାତ୍ରା ମିଶିଗଲା ନାଟକ ଭିତରେ ।’’

 

ବୈଷ୍ଣବ ପାଣି ଯାତ୍ରା ଯୁଗର ଏକ ବିସ୍ମୟ । ସମସାମୟିକ ପ୍ରାଣସ୍ପନ୍ଦନକୁ ଗ୍ରହଣ କରି ବୈଷ୍ଣବ ପାଣି ରଚନା କରି ଚାଲିଥିଲେ ଗୋଟିଏ ପରେ ଗୋଟିଏ ସୁଆଙ୍ଗ, ଯାତ୍ରା ବା ଗୀତାଭିନୟ-। ଏକାଧାରରେ ସେ ଥିଲେ କବି, ନାଟ୍ୟକାର, ନିର୍ଦ୍ଦେଶକ ଏବଂ ସଙ୍ଗୀତଜ୍ଞ । ରସସୃଷ୍ଟି ହିଁ ଥିଲା ତାଙ୍କ ସୃଷ୍ଟିର ପ୍ରାଣପ୍ରାଚୁର୍ଯ୍ୟ । ତାଙ୍କର ପ୍ରତିଟି ସୃଷ୍ଟିରୁ ଝରୁଥିଲା ରସାଳ ଅନୁଭୂତି ।

 

୧୮୮୨ ମସିହା କୁମାର ପୂର୍ଣ୍ଣିମା ତିଥିରେ ଜନ୍ମଗ୍ରହଣ କରିଥିବା ଏହି ସ୍ରଷ୍ଟାଙ୍କ ଜୀବନ ଥିଲା ଦୁଃଖଦୈନ୍ୟ ପ୍ରପୀଡ଼ିତ ଏକ ଅଶ୍ରୁଳ କବିତା । ବୈଷ୍ଣବ ପାଣି ଥିଲେ ଯନ୍ତ୍ରଣାର ଏକ ଅପାଶୋରା କାବ୍ୟ । ଜୀବନସାରା ସେ ଦର୍ଶକ, ପାଠକମାନଙ୍କ ପାଇଁ ଦେଇ ଯାଇଛନ୍ତି ଅନେକ, ହେଲେ ପାଇଛନ୍ତି ଶେଷହୀନ ହାହାକାର ଯନ୍ତ୍ରଣା, ଅଶାନ୍ତିର କୋରଡ଼ାମାଡ଼ । ଓଡ଼ିଆ ଯାତ୍ରା ସାହିତ୍ୟର ଅପ୍ରତିଦ୍ୱନ୍ଦୀ ସ୍ରଷ୍ଟା ବୈଷ୍ଣବ ପାଣି ବାସ୍ତବରେ ଥିଲେ ଗଣକବି । ଗଣଙ୍କ ପାଇଁ ସେ ଲେଖିଥିଲେ ଶତାଧିକ ସୁଆଙ୍ଗ, ଯାତ୍ରା, ଗୀତାଭିନୟ । ତାଙ୍କ ସୃଷ୍ଟି ମଧ୍ୟରେ କଂସ ଦିଗ୍‌ବିଜେ, ବ୍ରଜଲୀଳା, ରଙ୍ଗସଭା, ବାଲ୍ୟବିନୋଦ, ପ୍ରହ୍ଲାଦ ଚରିତ, ନଳଦମୟନ୍ତୀ, ହରିଶ୍ଚନ୍ଦ୍ର ଗୀତିନାଟ୍ୟ, ଶ୍ରୀବତ୍ସ ପଦାଘାତ, କାର୍ତ୍ତବୀର୍ଯ୍ୟ ସଂହାର, ଗୌରଚନ୍ଦ୍ର ଚୂଡ଼ାମଣି, ନରମେଧ ଯଜ୍ଞ, ରଘୁ ଅରକ୍ଷିତ ସୁଆଙ୍ଗ, ଗଙ୍ଗା-ଭଗୀରଥ, ମାଧବ-ସୁଲୋଚନା, ଦାଣ୍ଡିପର୍ବ, ଯଦୁବଂଶ ଧ୍ୱଂସ, ବୈଲୋଚନ ବଧ, କୀଚକବଧ, ଚନ୍ଦ୍ରଗୁପ୍ତ, କଳାପାହାଡ଼; ମୀରାବାଈ, ଗୋବିନ୍ଦଚନ୍ଦ୍ର, ସାକ୍ଷୀଗୋପାଳ, ଯଯାତି କେଶରୀ, କାଞ୍ଚନ କୁମାରୀ, ଶ୍ୱେତ ବସନ୍ତ, କେଦାରଗୌରୀ, ଲାବଣ୍ୟବତୀ ଆଦି ପ୍ରଧାନ ।

 

ଜୀବନସାରା ନାନା ଘାତ ପ୍ରତିଘାତ ମଧ୍ୟରେ ବୈଷ୍ଣବ ପାଣି କଳାସାଧନାରୁ ବିରତ ହୋଇ ନାହାନ୍ତି । ସୁରା ସାକୀର ପ୍ରମତ୍ତ ରସ ଭିତରୁ ସେ ପାଇଛନ୍ତି ଜୀବନ ପାଇଁ ଖୋରାକ, ବଞ୍ଚିବା ପାଇଁ ଖୋରାକ ଏବଂ କଳାପାଇଁ ଖୋରାକ । ଯନ୍ତ୍ରଣାରେ ଛଟପଟ ହୋଇ ନଥିଲେ ବୋଧହୁଏ ସେ ଆଜି ଏତେବଡ଼ ସ୍ରଷ୍ଟା ହୋଇପାରି ନଥାନ୍ତେ । ନାନା ପ୍ରକାର ଲାଞ୍ଛନା, ଅପବାଦକୁ ହଜମ କରି ନୀଳକଣ୍ଠ ଭଳି ପାଣିକବି ଆଗେଇ ଚାଲିଥିଲେ ସୃଷ୍ଟି ପଥରେ । ପୌରାଣିକ, ଐତିହାସିକ, କିମ୍ବଦନ୍ତୀମୂଳକ ଏବଂ କାଳ୍ପନିକ କଥାବସ୍ତୁକୁ ନେଇ ପାଣି କବିଙ୍କ ରଚନା ଥିଲା ସମୃଦ୍ଧ-

 

ଓଡ଼ିଆ ଯାତ୍ରାର ଏକ ପ୍ରକାର ନବୀକରଣ କରିଥିଲେ କବି ବୈଷ୍ଣବ ପାଣି, କହିଲେ ଆଦୌ ଅତ୍ୟୁକ୍ତି ହେବ ନାହିଁ । ତାଙ୍କ ପୂର୍ବରୁ ଓଡ଼ିଆ ଯାତ୍ରାରେ ସଙ୍ଗୀତ ଅଧିକ ଥିଲା । ଗଦ୍ୟ ସଂଳାପ ମୋଟେ ନଥିଲା ବା ଅଳ୍ପ ପରିମାଣର ଥିଲା । ଏହାକୁ ଏକ ଆନୁପାତିକ ସ୍ତରକୁ ଆଣିଥିଲେ ବୈଷ୍ଣବ ପାଣି । ପ୍ରାଥମିକ ପର୍ଯ୍ୟାୟର ରଚନାକୁ ଛାଡ଼ିଦେଲେ କବିଙ୍କର ଅଧିକାଂଶ ସୃଷ୍ଟିରେ ଗଦ୍ୟ ସଂଳାପ ବେଶ୍‌ ସରଳ ଏବଂ ପାତ୍ରୋପଯୋଗୀ । ସେ ବହୁ ଗ୍ରାମୀଣ ଶବ୍ଦ ତାଙ୍କ ରଚନାରେ ବ୍ୟବହାର କରିଛନ୍ତି । ଗଣଙ୍କ ଦୃଷ୍ଟି ପାଇଁ ଉଦ୍ଧିଷ୍ଟ ଏହି ରଚନା ବାସ୍ତବରେ ଜନଗଣଙ୍କ ହୃଦୟ ଜିତି ପାରିଥିଲା । ଗ୍ରାମୀଣ ଭାଷା, ତାଙ୍କ ରଚନାକୁ ବେଶ୍‌ ଲୋକ ପ୍ରିୟ କରାଇ ପାରିଥିଲା ।

 

ବୈଷ୍ଣବ ପାଣିଙ୍କ ରଚନାରେ ହାସ୍ୟରସର ପରିଧି :

ସୃଷ୍ଟିଟିକୁ ରସାଳ କରିବା ପାଇଁ ପ୍ରତ୍ୟେକ ସ୍ରଷ୍ଟା ହାସ୍ୟରସର ଅବତାରଣା କରିଥାଏ । ନବରସ ମଧ୍ୟରୁ ଏଇ ରସଟିର ସୃଷ୍ଟି କଷ୍ଟ ସାଧ୍ୟ । ନିଜେ ନ ହସି ଅନ୍ୟକୁ ହସାଇବା ଏକ କଷ୍ଟକର ବ୍ୟାପାର । ହାସ୍ୟରସ ସାଧାରଣତଃ ବେଶପୋଷାକ, ଭାବଭଙ୍ଗୀ, ସଂଳାପ ଆଦି ଦ୍ୱାରା ସୃଷ୍ଟି ହୋଇଥାଏ । ଏହା ମଧ୍ୟ ସବୁ ସ୍ରଷ୍ଟାଙ୍କ ଦ୍ୱାରା ସମ୍ଭବ ହୁଏ ନାହିଁ । ତତ୍କାଳୀନ ପରିପ୍ରେକ୍ଷୀରେ କେତେକ ସ୍ଥଳରେ ହାସ୍ୟରସ ସ୍ୱତଃପ୍ରବୃତ୍ତ ଭାବେ ଆସିଥିବା ବେଳେ, ଆଉ କେତେକ ସ୍ଥାନରେ ଜୋରଜବରଦସ୍ତି ଦର୍ଶକଙ୍କୁ ହସାଇବାକୁ ଚେଷ୍ଟା କରାଯାଇଛି । ଏ ଧରଣର ପ୍ରଚେଷ୍ଟା ବିଶେଷତଃ ସଫଳ ହୋଇନି । ପରମ୍ପରାର ଅନୁରୋଧରେ ନିଜର ପ୍ରତ୍ୟେକ ସୃଷ୍ଟିରେ ହାସ୍ୟରସର ଉଦ୍ରେକ କରିବାକୁ ଯାଇ କେତେକ ସ୍ରଷ୍ଟା ଅସଫଳ ହୋଇଛନ୍ତି ।

 

ବିଦୂଷକ, ଦ୍ୱାରୀ, ରଜକ ଆଦି ଚରିତ୍ର ଦ୍ୱାରା ହାସ୍ୟର ଅବତାରଣା ତତ୍କାଳୀନ ସମୟର ଏକ ପରମ୍ପରା ଥିଲା । ଯାତ୍ରା ମଧ୍ୟରେ ସ୍ଥଳ ବିଶେଷରେ ବିଭିନ୍ନ ପ୍ରକାର ଫାର୍ଶମାନ ସଂଯୁକ୍ତ କରାଯାଉଥିଲା । କେଳା-କେଳୁଣୀ, ଧୋବା-ଧୋବଣୀ, ଡାକ୍ତର-ରୋଗିଣୀ ଆଦି ବିଭିନ୍ନ ପ୍ରକାର ଫାର୍ଶ ଦର୍ଶକକୁ ହସିବା ପାଇଁ ସବୁ ପ୍ରକାର ଖୋରାକ ଯୋଗାଇ ଦେଉଥିଲା । ବୈଷ୍ଣବ ପାଣିଙ୍କ ହାସ୍ୟରସ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । ବାଳକୃଷ୍ଣ ମହାନ୍ତି, ଜଗନ୍ନାଥ ପାଣି ଗୋପାଳ ଦାଶ ଆଦି ସ୍ରଷ୍ଟା ଯାତ୍ରା-ନାଟକ ପାଇଁ ହାସ୍ୟରସ ପରିବେଷଣ କରୁଥିଲେ । ଦର୍ଶକଙ୍କୁ ସାମୟିକ ଆନନ୍ଦ ଦେବ ପାଇଁ ହାସ୍ୟରସ ରଚନା କରୁଥିଲେ, ହେଲେ ବୈଷ୍ଣବ ପାଣି ଯନ୍ତ୍ରଣାକୁ ଭୁଲିଯିବା ପାଇଁ ହାସ୍ୟରସ ସୃଷ୍ଟି କରୁଥିଲେ । ନିଜର ସୀମାହୀନ ଯନ୍ତ୍ରଣାର ଜ୍ୱାଳାକୁ ଭୁଲିଯିବା ପାଇଁ ହସିବାକୁ ଚେଷ୍ଟା କରୁଥିଲେ । ତାଙ୍କର ପ୍ରତିଟି ହାସ୍ୟରସ ଭିତରେ ଥିଲା ଏକ ମାର୍ମିକ ହୃଦୟ ତଳର ଗହନ ବ୍ୟଥା-ଏକ ଯନ୍ତ୍ରଣାକ୍ତ ଜୀବନ-ଜ୍ୱାଳାର ସ୍ୱର ଲିପି-

 

ପାଣିଙ୍କ ହାସ୍ୟରସ ବେଶ୍‌ ବିମଳ ଏବଂ ସରଳ । ଏଥିରେ ଜୀବନର ସତ୍ୟାନୁଭୂତି ରହିଛି-। ‘ରଙ୍ଗସଭା’ରେ ରଜକର ଗୀତ ଏହାର ଏକ ଶ୍ରେଷ୍ଠ ଉଦାହରଣ ।

 

ହାଣିଗଲି ବରଖୋବାଲୋ ବୋଇଲା, ହାଣିଗଲି ବରଖୋବା

ଉଠା ଭାତୁଆଣି ବସା ଜାଉପାଣି ଅଇଲେ ବେଠିଆ ଧୋବା ଲୋ । ୧ ।

x x x x

ଛିଇ ଛିଇ ମଦ ଖାଇବି ନାହିଁଲୋ କଳାପାଣି ପରିଦିଶେ

ସେହି କଳାପାଣି ପେଟରେ ପଡ଼ିଲେ ଚଉଦ ଭୁବନ ଦିଶେ ଲୋ । ୩ ।

 

ପାଣିକବିଙ୍କ ହାସ୍ୟରସର ଚରିତ୍ରଗୁଡ଼ିକ ହେଉଛନ୍ତି ଗାଉଁଲି ଚରିତ୍ର, ବିଦୂଷକ, ଦ୍ୱାରୀ ଏବଂ ରଜକ । ଗୁରୁତ୍ୱପୂର୍ଣ୍ଣ କଥା ଚାଲିଥିବା ବେଳେ ବିଦୂଷକର ହଠାତ୍‌ ଲଘୁ କଥାର ଅବତାରଣା ଯାତ୍ରା ବା ଗୀତିନାଟ୍ୟରେ ହାସ୍ୟର ପାଣିପାଗ ସୃଷ୍ଟି କରିଥାଏ । ‘ନଳଦମୟନ୍ତୀ’ରେ ବିଦୂଷକ କହିଛି-‘‘x x ମନେ କରିଥିଲି, ଖାଲି ଚୁପ୍‌ଚାପ୍‌ ହୋଇ ବସିବା ଅପେକ୍ଷା କାଶିବାଟା ଭଲ । ତେବେ ଏତେଗୁଡ଼ାଏ ସମୟ ବୃଥାରେ ଯିବ ଭଲା କାହିଁକି । ଆସିଲା ବେଳେ ସଙ୍ଗରେ ଯେଉଁ ମିଠା ମୋହନ ଭୋଗ ଲଡ଼ୁ ପ୍ରଭୃତି ଆସିଗଲା, ସେ ସବୁ ରଥରେ ଅଛି । ମୋତେ ଆଦେଶ ହେଉ, ମୁଁ ଘେନି ଆସେ । ବସି ଟିକିଏ ଟିକିଏ ପାଟିରେ ପକାଉଥିଲେ ପାଟିଟା ମିଠା ଉଠୁଥିବ । ପାଟିଟା ଖାରିଆ ହୋଇଯାଇ ଗୀତ ଓ କଥାସବୁ ଖାରିଆ ଲାଗୁଛି ।’’

 

ପାଣିକବିଙ୍କ ହାସ୍ୟରସର ଶ୍ରେଷ୍ଠ ଚରିତ୍ର ହେଉଛି ଦ୍ୱାରୀ । ହସି ହସାଇବା ମାଧ୍ୟମଗୁଡ଼ିକ ହେଉଛି କାଂଜି, ମଦ, ଗଞ୍ଜା, ଗୁଲି, ମୁଢ଼ି ସମ୍ବନ୍ଧୀୟ କବିତା । କାଂଜିର ମହିମା କବି ଦ୍ୱାରୀ ମୁହଁରେ ବର୍ଣ୍ଣନା କରିଛନ୍ତି ।

 

ବାହା ବାହା ବାହାରେ କାଂଜି

ତୋର ଋଣ କିଏ ପାରିବ ଶୁଝି

ଶୀତ ତୋର ମିତ            ତୁହି ତାକୁ ହିତ

ପିତ୍ତ ତ ପଳାଏ ରାଇଜ ତେଜି ।

x x x

ତଟକା ତୋ ମଜା ନମିଳେ

ବାସି ହେଲେ ଖୁସିରେ ଚଳେ

ଚଉଷଠି ବାତ            ଯୋଡ଼ିଥାନ୍ତି ହାତ

ବଣାକରୁ ତୁରେ ନାହାକ ପାଞ୍ଜି ।

 

‘କଂସ ଦିଗ୍‌ବିଜେ’ରେ କବି ‘ମୁଢ଼ିର ମହିମା ବିଷୟରେ ବର୍ଣ୍ଣନା କରିଛନ୍ତି । ବର୍ଣ୍ଣନାଟି ଉଭୟ ଦର୍ଶକ ଏବଂ ଶ୍ରୋତାଙ୍କୁ ହସି ହସି ବେଦମ୍‌ କରାଇ ଦିଏ । କବିଙ୍କ ଭାଷାରେ-

 

‘‘ଧନ୍ୟ ଧନ୍ୟ ଧନ୍ୟରେ ମୁଢ଼ି

ତୋତେ ଖାଇ ଟୋକୀ ହୁଅନ୍ତି ବୁଢ଼ୀ

ନିରଳା ସୋରିଷ ତେଲ ମାଖି ଯେବେ

ଚାଖିବ ପାଟିରୁ ନଯାଉ ଛାଡ଼ି ।’’

 

ନିତ୍ୟ ବ୍ୟବହାର୍ଯ୍ୟ ମୁଢ଼ି କବିଙ୍କ ଲେଖନୀରେ ପ୍ରାଣବନ୍ତ ହୋଇଛି । ବର୍ଣ୍ଣନାର ସରଳ ଭାଷା ଏବଂ ଗାଉଁଲି ପରିବେଶ ଗ୍ରାମୀଣ ତଥା ସହରୀ ଜନତାଙ୍କୁ ସହଜରେ ଆକୃଷ୍ଟ କରେ । ଏହାର ଏକ ସୁନ୍ଦର ଉଦାହରଣ-

 

‘‘କଞ୍ଚା ଲଙ୍କା ସଙ୍ଗରେ ତୋର

ନିଃଶଙ୍କାରେ କଲେ ଆହାର

ନୋଟା ଗାମୁଛାକୁ ସତାର ନଥାଏ

ପାଇଖାନାକୁ ତ ପଡ଼ଇ ଧାଡ଼ି ।’’

 

ବୈଷ୍ଣବ ପାଣି ନିଜେ ନିଶାସକ୍ତ ଥିଲେ ମଧ୍ୟ ସାମାଜିକ ମଣିଷକୁ ଏଥିରୁ ନିବୃତ୍ତ ରହିବା ପାଇଁ ସେ ସତର୍କ କରାଇ ଯାଇଛନ୍ତି । ଜଣେ ନିଶାସକ୍ତର ଶେଷ ଅବସ୍ଥା କ’ଣ ହୁଏ, ନିଜ ଅନୁଭୂତିରୁ କବି ବର୍ଣ୍ଣନା କରିଛନ୍ତି :-

 

ଗରମ ଗରମ ମୁଢ଼ି ତାଡ଼ି କତିକି

 

ସରମ ନଥିବ ତୋର ଜାତି ପତିକି

ରାଣ୍ଡିଭୁଲା ବରାଣ୍ଡି ପକାଇବ ଦରାଣ୍ଡି

 

କାହିଁ ଗଲା ଚାନ୍ଦିନୀ ରାତିକିରେ ।

x x x

ଶିଖିବୁ ଚୋରୀ ବିକିବୁ ବାଡ଼ି ବୃତ୍ତିକି

 

ବହିବୁ ଦିଗମ୍ବର ପରକୃତିକି

ଚଟି ଚାପୁଡ଼ାମାନ, ବଢ଼ିବ ଦିନୁଦିନ

 

ଯେତିକି ପଢ଼ିଥିବୁ ତେତିକିରେ ।

 

ସମଉଚ୍ଚାରଣଧର୍ମୀ ଶବ୍ଦ ପ୍ରୟୋଗ କରି ପାଣିକବି ହାସ୍ୟରସ ମଧ୍ୟ ସୃଷ୍ଟି କରିଯାଇଛନ୍ତି । ‘ରାବଣ ବଧ’ରେ ହନୁମାନ-ଦାସୀର ଉକ୍ତି ପ୍ରତ୍ୟୁକ୍ତି ଏବଂ ‘ନଳଦମୟନ୍ତୀ’ରେ ବିଦୂଷକର ଉକ୍ତି ଏହାର ସାର୍ଥକ ଉଦାହରଣ । ଗ୍ରାମୀଣ ଶବ୍ଦ ଯଥା : କଡ଼କଡ଼, ମଡ଼ମଡ଼, ଚଡ଼ଚଡ଼, ଭଡ଼ଭଡ଼, ମୁଉଟୁ ମୁଉଟୁ, କୁଉଟୁକୁଉଟୁ, ଉଉଠୁଉଉଠୁ ଭୁଅଟୁଭୁଅଟୁ ଆଦିର ସଫଳ ପ୍ରୟୋଗ କରି ପାଣିକବି ହାସ୍ୟରସର ପରିଧିକୁ ବେଶ୍‌ ଋଦ୍ଧିମନ୍ତ କରିଛନ୍ତି ।

 

ପାଣିକବିଙ୍କ ଯାତ୍ରା, ଗୀତିନାଟ୍ୟ ଆଦିରେ ବିରଳ ହାସ୍ୟରସ ଦେଖିବାକୁ ମିଳେ । ଏ ସମ୍ପର୍କରେ ଅଧ୍ୟାପକ ଶ୍ରୀ କାର୍ତ୍ତିକେଶ୍ୱର ସାହୁ କହନ୍ତି-“ଦକ୍ଷଯଜ୍ଞ, ବିଜୟ ବସନ୍ତ, ଶ୍ରୀବତ୍ସ ପଦାଘାତ ପ୍ରଭୃତି ନାଟକର ଶେଷରେ ଓ ବହୁ ନାଟକର ଗଳ୍ପାଂଶ ମଧ୍ୟରେ ଗ୍ରାମ୍ୟଚରିତ୍ରମାନଙ୍କର ଅବତାରଣା କରି ସ୍ତ୍ରୀ-ପୁରୁଷ ଉକ୍ତି-ପ୍ରତ୍ୟୁକ୍ତି ମାଧ୍ୟମରେ ନିର୍ମଳ ହାସ୍ୟରସ ପରିବେଷଣର ସଫଳ ଉଦ୍ୟମ ନାଟ୍ୟକାର କରିଛନ୍ତି । ଏଗୁଡ଼ିକରେ ଆକ୍ଷେପୋକ୍ତି ଅପେକ୍ଷା ସମବେଦନା ଅଧିକ । ‘ଦକ୍ଷଯଜ୍ଞ’ରେ ‘ପଳେଇ ଆଲୋ କନିଆ ମା, ଧନିଆଁକୁ କାଖେ ଧଅ, କୁଆଡ଼େ ଯିବାରେ କାହିଁକି ଚୁଲିଆ କେଉଁ କଥା ମୋତେ କହ ।’ ‘ବିଜୟବସନ୍ତ’ ଗୀତିନାଟ୍ୟର ଶେଷ ଦୃଶ୍ୟରେ ‘ଆଜି ନହର ବାହାର ହସି ଉଠୁଛନ୍ତି, କହ ପୁନୀ ଅପା କିଁପା ତୋପ ଫୁଟୁଚି’ । ‘ଗଙ୍ଗା ଭାଗୀରଥ’ରେ ‘ଆଲୋ ବୁଲାମାଆ କୁଲାଟାକୁ ଛାଡ଼ିଲୁକି, ଝୁଲାମାଳି ଆଣୁ ଆଣୁ ହୁଡ଼ିଲୁକି ।’ ‘କଂସଦିଗ୍‌ବିଜେ’ରେ ‘ପୋଲାଖିଆ ଗୋଲାମ ଟୋକା, କରୁ ମତେ କୁଆଡ଼ ଲେଖା, ହୋଓନା ଲୋ ଖପା, ହବୁପରା ଅପା, ବଇଆ ବୋଲେ ମୋ ମିଜାସ ଖୋଲା ।’ ପ୍ରଭୃତି ରଚନାବଳୀରେ ବୈଷ୍ଣବ ପାଣି ସାଧାରଣ ଚରିତ୍ର ମୁହଁରେ ଯେପରି ମନଖୋଲା ହସ ଦେଇଛନ୍ତି, ସେହିପରି ଗଣଜୀବନର ମାର୍ମିକ ଚିତ୍ର ମଧ୍ୟ ପ୍ରଦାନ କରି ଯାଇଛନ୍ତି ।’ ବାସ୍ତବରେ ହାସ୍ୟରସର ପୃଥିବୀକୁ ସ୍ୱୟଂସଂପୂର୍ଣ୍ଣ କରିବାରେ ପାଣିକବିଙ୍କ ପ୍ରଚେଷ୍ଟା ସଫଳ ହୋଇଛି ।

 

ପାଣିକବିଙ୍କ ଜୀବନର ବହୁଚର୍ଚ୍ଚିତ ଅଧ୍ୟାୟ :

ସବୁ ସ୍ରଷ୍ଟାଙ୍କ ପଛପଟରେ କୌଣସି ନା କୌଣସି ନାରୀଶକ୍ତିର ପ୍ରେରଣା ଲୁକ୍‌କାୟିତ ହୋଇ ରହିଥାଏ । ମାତ୍ର ବୈଷ୍ଣବ ପାଣିଙ୍କ ଜୀବନରେ ନାରୀ ଥିଲା ସୃଷ୍ଟିର ଆଦିମ ଉତ୍ସ । କଟକ ଜିଲ୍ଲାର ବିରୂପା ନଦୀ କୂଳରେ କୋଠପଦା ଗ୍ରାମରେ ଦରିଦ୍ର ବ୍ରାହ୍ମଣ ପରିବାରରେ ଜନ୍ମଲାଭ କରିଥିବା ଏଇ ସ୍ରଷ୍ଟାଙ୍କ ଜୀବନ ଥିଲା ଚଣ୍ଡିଦାସ, ବିଦ୍ୟାପତିଙ୍କ ପରି ରହସ୍ୟ ରୋମାଞ୍ଚଭରା । ନାରୀ ହୋଇ ଯାଇଥିଲା ଏହି ସ୍ରଷ୍ଟାମାନଙ୍କ ଜୀବନର ପଥ ଓ ପାଥେୟ ।

 

ବୈଷ୍ଣବ ପାଣିଙ୍କ ଜୀବନରେ ଆସିଥିଲା ‘ହର’ । ବ୍ରାହ୍ମଣ ହୋଇ ରଜକ ସାମ୍ପ୍ରଦାୟରୁ ହରକୁ, ଗ୍ରହଣ କରିଥିବାରୁ ଜୀବନସାରା ବୈଷ୍ଣବ ପାଣିଙ୍କୁ ଲାଞ୍ଛନା ସହିବାକୁ ପଡ଼ିଥିଲା । ହର ଧୋବଣୀର ପ୍ରେମରେ ଜୁଡ଼ୁସୁଡ଼ୁ ହୋଇ ପାଣି ନିଜ ଜାତିଭାଇମାନଙ୍କୁ, ଗ୍ରାମକୁ ଛାଡ଼ିଥିଲେ, ହେଲେ ହରକୁ ଛାଡ଼ିପାରି ନଥିଲେ । ହର ଥିଲା ତାଙ୍କ ପ୍ରେରଣାର ଉତ୍ସ । ତାଙ୍କ ଜୀବନରେ ହର ଆସି ନଥିଲେ ସେ ହୁଏତ ଏତେବଡ଼ ସ୍ରଷ୍ଟା ହୋଇପାରି ନଥାନ୍ତେ । ବ୍ରାହ୍ମଣ ହୋଇ ରଜକ ସମ୍ପ୍ରଦାୟରୁ କନ୍ୟା ଗ୍ରହଣ କରିଥିବାରୁ କେହି କେହି ସମାଲୋଚକ ଏହାକୁ ପାଣିକବିଙ୍କର ଏକ ସଂସ୍କାର ବୋଲି ମତ ଦେଇଛନ୍ତି । ମାତ୍ର ତାହା ସମ୍ପୂର୍ଣ୍ଣ ଭୂଲ । ବୈଷ୍ଣବ ପାଣି ସମାଜରେ କୌଣସି ସଂସ୍କାର ପାଇଁ ଏପରି କରି ନଥିଲେ । ପ୍ରେମରେ ଅନ୍ଧହୋଇ ସବୁ ମଣିଷ ଯାହା କରନ୍ତି, ବୈଷ୍ଣବ ପାଣି ତାହାହିଁ କରିଥିଲେ । ତେବେ କଳାକାରର ସଂସାରରେ ଏଇଟା ଆଦୌ ନୂଆ କଥା ନୁହେଁ । ନାଟ ତାମ୍‌ସାରେ ଏହା ଏକ ବହୁଚର୍ଚ୍ଚିତ ବିଷୟ ହୋଇ ପଡ଼ିଥିଲା । ଯେଉଁଥି ପାଇଁ ଜନସମାଜର ଘୃଣିତ ଦୃଷ୍ଟିରେ ନାଟକ ପଡ଼ିଥିଲା । କେବଳ ବୈଷ୍ଣବ ପାଣି ନୁହନ୍ତି ବଡ଼ ବଡ଼ ନାଟ୍ୟକାର ନିର୍ଦ୍ଦେଶକମାନେ ମଧ୍ୟ ଏହି ବ୍ୟାଧିରୁ ମୁକ୍ତ ନୁହନ୍ତି । ଆଜି ମଧ୍ୟ ସେମାନଙ୍କ ସଂସାରରେ ଦୁଇ ଦୁଇଟି ନାରୀଙ୍କୁ ଦେଖିବାକୁ ମିଳେ । କଳାରେ ସବୁକିଛି ସମ୍ଭବ ।

 

ହର ପାଇଁ ବୈଷ୍ଣବ ପାଣିଙ୍କୁ ଜୀବନସାରା ଲାଞ୍ଛନା ସହିବାକୁ ପଡ଼ିଥିଲା । ବନ୍ଧୁ, ପ୍ରତିବାଦୀମାନଙ୍କ ପକ୍ଷରୁ ତାଙ୍କୁ କଟୁ ସମାଲୋଚନାମାନ ଗର୍ଭସ୍ଥ କରିବାରୁ ପଡ଼ିଥିଲା । ତାଙ୍କର ସମସାମୟିକ ସ୍ରଷ୍ଟାମାନେ ମଧ୍ୟ ବିରାଟ ଜନ ସମାବେଶରେ ତାଙ୍କୁ ହଟହଟା କରିବାକୁ ପଛାଉ ନଥିଲେ । ‘ପାଣି ଧୋବଣୀ ଫାର୍ଶ’ ସେତେବେଳକାର ଏକ ବହୁଚର୍ଚ୍ଚିତ ବିଷୟ ହୋଇ ପଡ଼ିଥିଲା । ଲଡ଼େଇ ଯାତ୍ରାମାନଙ୍କରେ ପ୍ରତିବାଦୀ ପକ୍ଷ ବୈଷ୍ଣବ ପାଣିଙ୍କୁ କ୍ଷତ ବିକ୍ଷତ କରୁଥିଲେ । ଗୋପାଳ ଦାଶ ପାଣିଙ୍କୁ ସମାଲୋଚନା କରି ବହୁ କବିତା ରଚନା କରିଛନ୍ତି । ତାଙ୍କର ଏକ ଉଦାହରଣର ପ୍ରଚ୍ଛନ୍ନ ସ୍ୱରରୁ ଏହା ଜଣାପଡ଼େ :

 

‘‘ଖଜୁରି ଗଛତ ପାହାଚ ପାହାଚ ମଦ କେଉଁଠାରୁ ଗଳେ

ଧୋବଣୀ ଗଳାରେ ମଉନ ମାଳାରେ ଡେଇଁ ସଢ଼ୁଥିଲା ଝାଳେ ।’’

 

ବାଳକୃଷ୍ଣ ମହାନ୍ତି ଏବଂ ବୈଷ୍ଣବ ପାଣି ବାଦୀ ଯାତ୍ରାରେ ପରସ୍ପରର ମୁହାମୁହିଁ ହେଉଥିଲେ । ଅଭିନୟ ଚାଲିଥିଲାବେଳେ ପରସ୍ପରକୁ ସମାଲୋଚନା କରି ସେମାନେ ଗୀତ ଲେଖୁଥିଲେ । ବାଳକୃଷ୍ଣଙ୍କ ‘ପାଣିଧୋବଣୀ ଫାର୍ଶ ଏବଂ ବୈଷ୍ଣବ ପାଣିଙ୍କ ‘ନାଟୁଆ ମହାନ୍ତି ଫାର୍ଶ’ ଏହାର ସାର୍ଥକ ଉଦାହରଣ । ପାଣିଧୋବଣୀ ଫାର୍ଶରେ ବାଳକୃଷ୍ଣ ମହାନ୍ତି ଲେଖିଛନ୍ତି- ‘ଆରେ ହୋ; ସେ ପାଣି । ସେଇଟା ତ ଭାରି ନୁଙ୍ଗୁରାଟାଏ । ବାର ଜାଗାରୁ ମାଡ଼ ଖାଉଛି । ହାଁ ଲୋ ପାର । କବି ନା କୋବି । x x ଶୁଣିଛୁ; ଏ ବଦମାସ ଘରେ ତାର ଷୋଳ ବର୍ଷର ମାଇକିନିଆକୁ ଛାଡ଼ି ପରଘରପଶା ନୁଙ୍ଗୁରାମି ବୁଦ୍ଧି ଛାଡ଼ୁ ନାହିଁ । ଏଇଥି ପାଇଁ ବାର ଜାଗାରୁ ମାଡ଼ ଖାଇ ଖାଇ ମୁଣ୍ଡ ଚନ୍ଦା ହୋଇଗଲାଣି ।’ (ନଟର ସଂଳାପ)

 

କୋଠପଦା ମହନ୍ତଙ୍କ ରଙ୍ଗଶାଳା ଗୋଟିପୁଅ ନାଚରୁ ନାଟ୍ୟ ଜୀବନ ଆରମ୍ଭ କରିଥିବା ବୈଷ୍ଣବ ପାଣି ସୃଷ୍ଟିର ଶୀର୍ଷ ସ୍ଥାନରେ ପହଞ୍ଚି ଥିଲେ । ବୈଷ୍ଣବ ପାଣିଙ୍କ ନାଟ୍ୟ ଜୀବନ ଥିଲା ସଂଘାତ ସଂଘର୍ଷର ଏକ ବିଚିତ୍ର ଅଧ୍ୟାୟ । ଦାନାର ଅନ୍ୱେଷଣରେ ତାଙ୍କୁ ଘୁରିବାକୁ ପଡ଼ିଥିଲା ଯାଗାରୁ ଯାଗାକୁ, କଲିକତାଠାରୁ ଓଡ଼ିଶାର ଗାଁଗହଳକୁ । ସବୁଠି ସେ ଦର୍ଶକର ଚିତ୍ତକୁ ଜୟ କରିଥିଲେ । ବୈଷ୍ଣବ ପାଣିଙ୍କ ରଚନା ସମସାମୟିକ ଅନ୍ୟ ସ୍ରଷ୍ଟାଙ୍କଠାରୁ ଯଥେଷ୍ଟ ଉନ୍ନତ ଥିଲା ଏବଂ ଲୋକେ ଏହାକୁ ଆଦରରେ ଗ୍ରହଣ କରୁଥିଲେ । ତାଙ୍କର ପ୍ରତିଭାକୁ ସମାଲୋଚନା କରିବାକୁ ଯାଇ ତାଙ୍କର ପ୍ରତିଦ୍ୱନ୍ଦୀମାନେ ନିଜ ନିଜର ଅଜ୍ଞାତରେ ବୈଷ୍ଣବ ପାଣିଙ୍କୁ ଶ୍ରେଷ୍ଠ ଆସନ ଦେଇଯାଇଛନ୍ତି । ଏଠାରେ ବାଳକୃଷ୍ଣ ମହାନ୍ତିଙ୍କ ଉଦ୍ଧୃତଟିଏ ଦେଲେ ଯଥାର୍ଥହେବ-‘‘ଏ ପରା ଜଇପୁର ଦଇତାରି ମହାନ୍ତିଙ୍କ ଆଖଡ଼ାରେ ରହି ସଙ୍ଗୀତ ବନ୍ଧ ଶିଖି; ନାକ ଫୋଡ଼େଇ; ଗୋଟିପୁଅ ବେଶ ହୋଇ ତା ବିଭାବେଳେ ପାଲିଙ୍କି ପାଖରେ ନାଚୁଥିଲା । ସେ କଥା କ’ଣ ଏଡ଼େ ବେଗି ପାଶୋରି ଗଲାଣି । ଏବେ ଚାରି ଅକ୍ଷର ପଢ଼ି ଆଡ଼ୁ ସାଡ଼ୁ ଲେଖୁଛି ବୋଲି ନବାବ; ମଣିଷ ଚିହ୍ନୁ ନାହିଁତ ।’’ ଏ ସମାଲୋଚନା ବୈଷ୍ଣବ ପାଣିଙ୍କ ପ୍ରତିଭାକୁ ପ୍ରତିହତ କରିନାହିଁ, ବରଂ ଏହି ପ୍ରତିଭା ଶୁଦ୍ଧ ସୁବର୍ଣ୍ଣ ଭଳି ଆହୁରି ଉଜ୍ଜ୍ୱଳ ହୋଇ ଉଠିଛି ।

 

ପାଣିଙ୍କ ସପକ୍ଷରେ ଶେଷକଥା :

ସମସାମୟିକ ସମସ୍ତ ସୂରିଙ୍କଠାରୁ ବୈଷ୍ଣବ ପାଣି ଯଥେଷ୍ଟ ଆଗେଇ ଯାଇଥିଲେ । ଜୀବନ ଜଞ୍ଜାଳ, ଲାଞ୍ଛନା ଅପବାଦ, ଯଶକୀର୍ତ୍ତୀ, ରଚନାର ଉଭୟ ପରିମାଣ ଏବଂ ପରିପକ୍ୱତା କ୍ଷେତ୍ରରେ ସେ ସମସ୍ତଙ୍କୁ ପଛରେ ପକାଇ ଆଗେଇ ଯାଇଥିଲେ । ଏ ସବୁରି କୀର୍ତ୍ତି ଅପକୀର୍ତ୍ତି ମୂଳରେ ଥିଲା ‘ହର’ । ‘ହର’କୁ ବାଦ ଦେଲେ ପାଣିଙ୍କ ପ୍ରତିଭା ଅସଂପୂର୍ଣ୍ଣ । ବାସ୍ତବରେ ଏଇ ନାରୀ ଥିଲା ପାଣିକବିଙ୍କ ଅନନ୍ତ କାବ୍ୟନାୟିକା । ହରର ମୃତ୍ୟୁ ପରେ ପରେ କବି ଖୁବ୍‌ ଭାଙ୍ଗି ପଡ଼ିଥିଲେ । ଋଦ୍ଧ ହୋଇ ଆସିଥିଲା କ୍ରମେ କ୍ରମେ ତାଙ୍କର କାବ୍ୟସତ୍ତା । ରୋଗ, ଦୁଃଖ, ବାର୍ଦ୍ଧକ୍ୟ, ଅଭାବ, ଅନାଟନ ଭିତରେ ବୈଷ୍ଣବ ପାଣି ଆଖି ବୁଜିଥିଲେ ।

 

ଗଣକବି ସ୍ମୃତି ସଂସଦ ଆଜି ପାଣିକବିଙ୍କ ଜୟନ୍ତୀ ପାଳନ କରୁଛନ୍ତି । ବହୁକାଳ ଅବହେଳିତ ହୋଇପଡ଼ିଲା ବେଳେ ମୃତ୍ୟୁପରେ ଆଜି କବିଙ୍କୁ ଓଡ଼ିଆ ଜାତି ଚିହ୍ନିବାକୁ ଚେଷ୍ଟା କରିଛି-। ଏଥିପାଇଁ ଆମେ ଜଣେ ସ୍ରଷ୍ଟାଙ୍କୁ ଧନ୍ୟବାଦ ନଦେଇ ରହିପାରିବା ନାହିଁ । ସେ ହେଉଛନ୍ତି ନାଟ୍ୟକାର ଗୋପାଳ ଛୋଟରାୟ । ଓଡ଼ିଶାର ପ୍ରତିଟି ଘରେ ଘରେ ବୈଷ୍ଣବ ପାଣିଙ୍କୁ ପରିଚିତ କରାଇଛନ୍ତି ଶ୍ରୀ ଛୋଟରାୟ । ଗୋପାଳ ଛୋଟରାୟଙ୍କ ସଂପାଦିତ ଗୀତିନାଟ୍ୟ ବୈଷ୍ଣବ ପାଣିଙ୍କୁ ଯଥାର୍ଥ ସମ୍ମାନ ଦେଇଥିଲା । ଆକାଶବାଣୀରୁ ପ୍ରସାରିତ ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟଗୁଡ଼ିକୁ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟକୁ ସହଜରେ ଜୟ କରିପାରିଛି । ପାଣିଙ୍କ ଏହି ଗୀତିନାଟ୍ୟଗୁଡ଼ିକ ସମ୍ପାଦିତ ହୋଇ ପ୍ରକାଶିତ ହେଲାପରେ ଓଡ଼ିଆ ପାଠକ, ଦର୍ଶକମାନଙ୍କର ଅମୂଲ୍ୟ ନିଧିହୋଇ ରହିଛି । ଶିକ୍ଷିତ ଅଶିକ୍ଷିତ ସବୁ ଶ୍ରେଣୀର ଗ୍ରାହକଙ୍କୁ ଆକର୍ଷିତ କରିଛି ପାଣିଙ୍କ ଗୀତ ।

 

ବୈଷ୍ଣବ ପାଣିଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ଓଡ଼ିଆ ନାଟକ ବହୁ ପରୀକ୍ଷା ନିରୀକ୍ଷା ଭିତରେ ଦେଇ ଗତିକରି ଆସିଛି । ୧୯୬୦ ରୁ ୧୯୮୦ ମଧ୍ୟରେ ଓଡ଼ିଆ ନାଟକ କିଛି ସମୟ ପାଇଁ ଭିନ୍ନ ମୋଡ଼ ନେଇଥିଲା । ଏଇ ସୀମିତ ସମୟ ମଧ୍ୟରେ ଓଡ଼ିଆ ନାଟକ ପରମ୍ପରାକୁ ଯଥାର୍ଥ ସମ୍ମାନ ଦେଇପାରି ନଥିଲା । ପରୀକ୍ଷା ନାମରେ ଯାହା କିଛି ଆସିଲା, ତାହା ଓଡ଼ିଆ ଦର୍ଶକ ପାଖରେ ବେଶିକାଳ ଆସ୍ଥାନ ପାତି ପାରିଲା ନାହିଁ । ୧୯୮୦ ପରଠାରୁ ଓଡ଼ିଆ ନାଟକ ପୁଣି ସେହି ବୈଷ୍ଣବ ପାଣି ଯୁଗୀୟ ଶୈଳୀ ଆଡ଼କୁ ମୁହାଁଇଛି ।

 

କେବଳ ଓଡ଼ିଶାରେ ନୁହେଁ, ସାରା ଭାରତରେ ପ୍ରାନ୍ତୀୟ ନାଟକ ଆଜି ସେହି ଗୀତିନାଟ୍ୟଧର୍ମୀ ଲୋକଶୈଳୀକୁ ସାଥିରେ ନେଇ ଅଗ୍ରସର ହେବାରେ ଲାଗିଛି । ବିଜୟ ତେନ୍ଦୁଲକର, ଗିରୀଶ କନ୍ନଡ଼, ମନୋରଞ୍ଜନ ଦାସ, ବାଦଲ ସରକାର ପ୍ରାୟ ସମସ୍ତ ପ୍ରକାର ନାଟ୍ୟକାର ଯେଉଁମାନେ ଏକଦା ନୂତନ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲେ, ସେମାନେ ଆଜି ସେହି ପାରମ୍ପରିକ ସ୍ରୋତ ପାଖକୁ ଫେରି ଆସିବାକୁ ଆରମ୍ଭ କରିଛନ୍ତି । ୧୯୮୦ ପରଠାରୁ ଓଡ଼ିଶାରେ ଯୁବନାଟ୍ୟକାରମାନେ ଏ ଦିଗରେ ଅଣ୍ଟାଭିଡ଼ି ବାହାରିଛନ୍ତି । ସୁବୋଧ ପଟ୍ଟନାୟକ, ରତିମିଶ୍ର, ପ୍ରମୋଦ ତ୍ରିପାଠୀ, ନାରାୟଣ ପତି, ନାରାୟଣ ସାହୁ, ରଣଜିତ ପଟ୍ଟନାୟକ, ପ୍ରମୁଖ ଯୁବସ୍ରଷ୍ଟାଙ୍କର ଉଦ୍ୟମ ଏ ଦିଗରେ ବେଶ୍ ପ୍ରଶଂସାର୍ହା । ରାଉରକେଲା କଲଚରାଲ ଏକାଡେମୀର ଲୋକ ନାଟକ ଉତ୍ସବରେ ଅଭିନୀତ ଅଧିକାଂଶ ନାଟକ ଏହି ଆକର୍ଷଣକୁ ଉଜ୍ଜୀବିତ କରି ରଖିଛି । ବୈଷ୍ଣବ ପାଣିଙ୍କୁ ମନେପକାଇବାକୁ ଚେଷ୍ଟା କରିଛନ୍ତି ବିଶେଷତଃ ମନୋରଂଜନ ‘ନନ୍ଦିକାକେଶରୀ’ରେ, ନାରାୟଣ ପତି ‘ମୁକ୍ତିପଥରେ’, ରତିମିଶ୍ର ‘ଅବତାର’ରେ, ରମେଶ ପାଣିଗ୍ରାହୀ ‘ମହାନାଟକ’ରେ । ଅନେକ ବର୍ଷ ପରେ ଅନେକ ଦାଉଧୋକ୍‌କା ପରେ ମଧ୍ୟ ଆଜି ବୈଷ୍ଣବ ପାଣି ବଞ୍ଚି ରହିଛନ୍ତି ଆମ ସ୍ରଷ୍ଟାମାନଙ୍କ ଭିତରେ, ଉଭୟ ସୃଷ୍ଟି ଏବଂ ସନ୍ଦେହ ଭିତରେ । ଭାରତୀୟ ନାଟ୍ୟ ପାଣିପାଗକୁ ଲକ୍ଷ୍ୟ କଲେ ଜଣାପଡ଼ିବ, ଖୁବ୍ ଶୀଘ୍ର ବୈଷ୍ଣବ ପାଣି ପୁଣି ଥରେ ଆତ୍ମପ୍ରକାଶ ଲୋଡ଼ିବେ, ଏଥିରେ ସନ୍ଦେହ ନାହିଁ ।

 

 

ଓଡ଼ିଆ ବିଭାଗ

ପତ୍ରବିନିମୟ ପାଠ୍ୟକ୍ରମ

ଉତ୍କଳ ବିଶ୍ୱବିଦ୍ୟାଳୟ

ବାଣୀବିହାର

ଭୁବନେଶ୍ୱର-୪

***

 

Unknown

ରସିକ କବି ବୈଷ୍ଣବ ପାଣିଙ୍କ ରସ-ମାନସ

ଶ୍ରୀ ଭବାନୀ ପ୍ରସାଦ ସିଂହ

 

ଉତ୍କଳର ବିପୁଳ ଗ୍ରାମୀଣ ଜନତାର ମନୋରଞ୍ଜନ ପାଇଁ ଦଣ୍ଡନାଟ, ରାମଲୀଳା, ରାସଲୀଳା, ରାଧାପ୍ରେମଲୀଳା, ଭାରତଲୀଳା, ପ୍ରହ୍ଲାଦ ନାଟକ, ପାଲା, ଦାସକାଠିଆ, ଚଇତିଘୋଡ଼ା, ସୁଆଙ୍ଗ, ଗୀତିନାଟ୍ୟ ଓ ଗୀତାଭିନୟ ଆଦି ଲୋକନାଟ୍ୟ ବହୁ ପୁରାକାଳରୁ ଏହି ମାଟିରେ ଉଦ୍‌ଭୂତ ଓ ବିକଶିତ ହୋଇ ଆସିଛି । ତନ୍ମଧ୍ୟରୁ ଗୀତିନାଟ୍ୟ ଓ ଗୀତାଭିନୟ ବିବିଧ ନାଟ୍ୟଧର୍ମ ଓ ରଙ୍ଗରେ ରଞ୍ଜିତ ଏକ ଚିତ୍ତୋଲ୍ଲାସକ ଲୋକପ୍ରିୟ ନାଟ୍ୟଶୈଳୀ ଭାବେ ସୁପରିଚିତ । ଗୀତିନାଟ୍ୟର ସଫଳ ସ୍ରଷ୍ଟା ଭାବରେ ଜଗନ୍ନାଥ ପାଣି, ଗୋପାଳ ଦାସ, ବାଳକୃଷ୍ଣ ମହାନ୍ତି ଓ ବୈଷ୍ଣବ ପାଣି ଓଡ଼ିଶାର ନାଟ୍ୟ-ସାହିତ୍ୟ ଇତିହାସରେ ଜଣେ ଜଣେ ଖ୍ୟାତିସମ୍ପନ୍ନ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ । କିନ୍ତୁ ବୈଷ୍ଣବ ପାଣି (୧୮୮୨-୧୯୫୬) ଯେପରି ଭାବରେ ପ୍ରାଚୀନ ନାଟ୍ୟ ପରମ୍ପରାକୁ ଅନୁସରଣ କରି ନିଜର ଆଲୌକିକ କବି-ପ୍ରତିଭା ବଳରେ ଅଜସ୍ର ଗୀତିନାଟ୍ୟ, ସୁଆଙ୍ଗାଦି ରଚନା କରି ଓଡ଼ିଆ ନାଟ୍ୟ-ସାହିତ୍ୟକୁ ସମୃଦ୍ଧ ଓ ଋଦ୍ଧିମନ୍ତ କରି ଯାଇଛନ୍ତି, ଅନ୍ୟ କୌଣସି ଓଡ଼ିଆ ନାଟ୍ୟକାର କାହିଁକି, ଅନ୍ୟ କୌଣସି ଭାରତୀୟ ନାଟ୍ୟକାର ସେପରି ପରିମାଣାତ୍ମକ ଓ ଗୁଣାତ୍ମକ କୃତି ସୃଷ୍ଟି କରିବାକୁ ଏଯାବତ୍ ପ୍ରାୟ ସମର୍ଥ ହୋଇ ନାହାନ୍ତି । ତାଙ୍କର ସୃଷ୍ଟି-ସମ୍ଭାର ଯେପରି ବିଶାଳ ସେହିପରି ରସାଳ । ଏକାଧାରାରେ ସେ ଥିଲେ ଜଣେ ସଫଳ ନାଟ୍ୟକାର ନାଟ୍ୟ-ଅଭିନେତା, ନାଟ୍ୟ-ନିର୍ଦ୍ଦେଶକ, ଯାତ୍ରା ପାର୍ଟିର ସଙ୍ଗଠକ ଓ ତତ୍ତ୍ୱାବଧାରକ । କଳାପ୍ରେମୀ ଉତ୍କଳବାସୀଙ୍କ ଚିତ୍ତବିନୋଦନ ପାଇଁ ତାଙ୍କର ମହାନ୍ ସୃଷ୍ଟିକୁ ଓଡ଼ିଶାର କୋଣେ କୋଣେ ମୁକ୍ତାକାଶ ତଳେ ପରିବେଷଣ କରି ସେ ନାଟ୍ୟ-ଜଗତରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ । ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ଧରି ନାଟ୍ୟ-ରଚନା ଓ ନାଟ୍ୟ-ପରିବେଷଣ କ୍ଷେତ୍ରରେ ନିରବଚ୍ଛିନ୍ନ ସାଧନା କରି ସେ ଉତ୍କଳୀୟ ଗଣ-ସଂସ୍କୃତିକୁ ଉଜ୍ଜୀବିତ ଓ ପୁଷ୍କଳ କରି ଯାଇଛନ୍ତି । ସଂସ୍କୃତିପ୍ରେମୀ ଉତ୍କଳବାସୀ ତାଙ୍କୁ ଯଥାର୍ଥରେ ‘ଗଣକବି’ ଭାବରେ ନାମିତ କରି ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି । ଅର୍ଚ୍ଚନା ସଂସଦ ଆନୁକୂଲ୍ୟରେ ପ୍ରକାଶିତ ସ୍ମରଣିକାରେ ଗଣକବି ବୈଷ୍ଣବ ପାଣିଙ୍କ ଅଲୌକିକ କବି-ପ୍ରତିଭା ସମ୍ପର୍କରେ ଅଭିମତ ଦେବାକୁ ଯାଇ ଓଡ଼ିଶାର ଖ୍ୟାତନାମା ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ଯଥାର୍ଥରେ ଲେଖିଛନ୍ତି-‘ବୈଷ୍ଣବ ପାଣିଙ୍କ ଜୀବନ ଅତିବାହିତ ହୋଇଥିଲା କର୍ଦ୍ଦମପଙ୍କ ଭିତରେ ; କିନ୍ତୁ ତାଙ୍କ କବିତ୍ୱର ପଙ୍କଜ ଆମ୍ଭମାନଙ୍କର ରସଚେତନାକୁ ଆଜିସୁଦ୍ଧା ସୁରଭିତ କରି ରଖିଛି । ତାଙ୍କ ସ୍ପର୍ଶରେ ପୁଣି ପଙ୍କ ସୁଧା-ଗୋଳାଚନ୍ଦନରେ ପରିଣତ ହୋଇଅଛି ।’ ବିଶିଷ୍ଟ ଔପନ୍ୟାସିକଙ୍କର ଏହା ଥିଲା ଅନ୍ତରର ଏକ ସ୍ୱତଃସ୍ଫୁର୍ତ୍ତ ପରିପ୍ରକାଶ, ଏକ ଅନାବଳି ଶ୍ରଦ୍ଧାଳୁ ଅଭିବ୍ୟକ୍ତି । ଏହି ଉକ୍ତିର ଯଥାର୍ଥତା ଓ ସାର୍ଥକତା କବିଙ୍କ ଜୀବନୀ ଓ କୃତି ଅନୁଧ୍ୟାନ କଲେ ସହଜରେ ଉପଲବ୍‌ଧି କରିହୁଏ ।

 

ପାଣି ଥିଲେ କବି, ଭାବୁକ ଓ ରସିକ । ଗଭୀର ସୌନ୍ଦର୍ଯ୍ୟବୋଧ, ଆନନ୍ଦାନୁଭୂତି ଓ ରସାନୁଭୂତିକୁ ପ୍ରଧାନ ଉପଜୀବ୍ୟ କରି ଗ୍ରାମୀଣ ଜନତାର ଜଞ୍ଜାଳଭାରାକ୍ରାନ୍ତ ଜୀବନକୁ ସରସ, ସୁନ୍ଦର ଓ ଉପଭୋଗ୍ୟ କରିବା ପାଇଁ ସେ ନିଜର ଜୀବନକୁ ଉତ୍ସର୍ଗ କରି ଯାଇଛନ୍ତି । ସଙ୍ଗୀତ ହିଁ ଜୀବନକୁ ଆନନ୍ଦ ଓ ପରିତୃପ୍ତି ପ୍ରଦାନ କରେ । ଜଣେ ସଫଳ ଅଭିନେତା, ନାଟ୍ୟ-ନିର୍ଦ୍ଦେଶକ ଓ ଅନୁଭବୀ କବି ହୋଇଥିବାରୁ ସେ ଏହି ସତ୍ୟ ଉପଲବ୍‌ଧି କରିଥିଲେ । ଜନତାର ମନସ୍ତତ୍ତ୍ୱକୁ ଭଲରୂପେ ହୃଦୟଙ୍ଗମ କରି ସେ ବିଭିନ୍ନ ରାଗ-ରାଗିଣୀ-ରସ-ସମନ୍ୱିତ ଗୀତିନାଟ୍ୟ ଓ ଗୀତାଭିନୟମାନ ରଚନା ଓ ପରିବେଷଣ ଦ୍ୱାରା ସମଗ୍ର ଜନମାନସକୁ ରଂଜିତ, ବିମୋହିତ, ବିନୋଦିତ ଓ ପରିତୃପ୍ତ କରିବାରେ ସଫଳକାମ ହୋଇ ପାରିଥିଲେ ।

 

ଯାହା ରସନ ବା ଆସ୍ୱାଦନ କରାଯାଏ ତାହା ହିଁ ରସ । ଏହା କାବ୍ୟିକ ବିମଳାନନ୍ଦ ମାତ୍ର-। ରସବାଦର ଅନ୍ୟତମ ପ୍ରବକ୍ତା ବିଶ୍ୱନାଥ କବିରାଜ ନବବିଧ ରସର ପ୍ରକାରଭେଦ ଦର୍ଶାଇ କହିଛନ୍ତି-

 

‘ଶୃଙ୍ଗାରହାସ୍ୟକରୁଣରୌଦ୍ରବୀରଭୟାନକଃ ।

ବୀଭତ୍ସୋଦ୍‌ଭୂତ ଇତ୍ୟଷ୍ଟୌରସାଃ ଶାନ୍ତିସ୍ତଥାମତଃ ।।’

 

କେହି କେହି ବାତ୍ସଲ୍ୟରସକୁ ଦଶମ ରସ ରୂପେ ଗ୍ରହଣ କରିଛନ୍ତି । ପାଣିକବିଙ୍କ ଗୀତିନାଟ୍ୟଗୁଡ଼ିକରେ ଉପରୋକ୍ତ ସମସ୍ତ ରସ ଆସ୍ୱାଦନ ପାଇଁ ଉପାଦାନ ନିହିତ ରହିଛି । କିନ୍ତୁ ଗୀତିମୟୀ ସଂଳାପ ଓ ସଙ୍ଗୀତଗୁଡ଼ିକରେ ଶୃଙ୍ଗାର, ବୀର, କରୁଣ, ବାତ୍ସଲ୍ୟ ଓ ହାସ୍ୟରସର ପ୍ରାଧାନ୍ୟ ଓ ପ୍ରାଚୁର୍ଯ୍ୟ ବିଶେଷ ଭାବେ ପରିଲକ୍ଷିତ ହୁଏ । ଫଳରେ ରସାଶ୍ରୟୀ ଦୃଶ୍ୟକାବ୍ୟଗୁଡ଼ିକ ହୋଇପାରିଛି ଅଧିକ ପ୍ରାଣବନ୍ତ ଓ ହୃଦୟସ୍ପର୍ଶୀ । ରସିକ କବି ବୈଷ୍ଣବ ପାଣିଙ୍କ ରସ-ମାନସରୁ କେବଳ ଶୃଙ୍ଗାର ରସ ସମ୍ବନ୍ଧରେ କିଞ୍ଚିତ୍ ସୂଚନା ଏଠାରେ ଦିଆଯାଇପାରେ ।

 

କାବ୍ୟ-ସୃଷ୍ଟିରେ ଶୃଙ୍ଗାର ରସର ପ୍ରାଧାନ୍ୟ ଅନସ୍ୱୀକାର୍ଯ୍ୟ । ସମସ୍ତ ରସର ମୂଳଉତ୍ସ ହୋଇଥିବାରୁ ଏହା ଆଦିରସ ନାମରେ ଖ୍ୟାତ । ବାସ୍ତବତଃ ଏହା ନାରୀ-ପୁରୁଷ ମଧ୍ୟରେ ନିବିଡ଼ ପ୍ରେମାନୁଭୂତିର ପରିପ୍ରକାଶ । ଏହି ରସାନୁଭୂତି ବିନା ସଂସାର ଅସାର ବୋଧହୁଏ । ଜୀବଜଗତ୍ ବିଶେଷତଃ ନାରୀ ଓ ପୁରୁଷ ଶୃଙ୍ଗାର ବିନା ବଞ୍ଚି ରହିବା ସମ୍ଭବ ନୁହେଁ । ଶୃଙ୍ଗାର ରସରେ ଦୈହିକ ସୁଖ-ସମ୍ଭୋଗ ଅପେକ୍ଷା ମାନସିକ ସୁଖଶାନ୍ତି ଓ ପରିତୃପ୍ତିର ଆଧିକ୍ୟ ଅନୁଭୂତ ହୁଏ । କେହି କେହି ଏହି ରସାସ୍ୱାଦନକୁ ଅଶ୍ଳୀଳ ଓ ଅଶାଳୀନ ବୋଲି ଅବତାରଣା କରିଥାନ୍ତି । କିନ୍ତୁ ମାନବ ଜୀବନରେ ଏହା ଅବଶ୍ୟମ୍ଭାବୀ, ଅତ୍ୟାବଶ୍ୟକ, ଓ ଅପରିହାର୍ଯ୍ୟ । ମନୁଷ୍ୟ ହିଁ ମନୁଷ୍ୟ । ସେ ଦେବତା କି ପଥର ନୁହେଁ । ନାରୀ-ପୁରୁଷ ମଧ୍ୟରେ ଗଭୀର ପ୍ରେମାନୁରାଗ ସେମାନଙ୍କର ଜୀବନକୁ କରେ ସରସ, ସୁନ୍ଦର ଓ ମଧୁର । ରସିକ କବି ପାଣିଙ୍କ କୃତି ମଧ୍ୟରେ ଏହି ରସର ପ୍ଳାବନ ପରିଲକ୍ଷିତ ହୁଏ-। କିନ୍ତୁ ଏହି ରସ ସୃଷ୍ଟିରେ ତାଙ୍କର ସୁସଂଯତ, ଶାଳୀନ, ରୁଚିପୂର୍ଣ୍ଣ ଭାଷା ଓ ଭାବର ପରିପ୍ରକାଶ ଲକ୍ଷ୍ୟ କରାଯାଇପାରେ । ତାଙ୍କର ଶୃଙ୍ଗାରିକତା ଶାଶ୍ୱତ ଓ ନିରନ୍ତନ ପ୍ରେମମାଧୁର୍ଯ୍ୟର ମନୋରମ ଅଭିବ୍ୟକ୍ତି ମାତ୍ର ।

 

ଗଣକବିଙ୍କ ରଚିତ ‘ମେରୁଶୂଳବଧ’ ଗୀତିନାଟ୍ୟରୁ ଏକ ଦୃଷ୍ଟାନ୍ତ ଉଲ୍ଲେଖ କରାଯାଇପାରେ । ମେରୁଶୂଳ ନନ୍ଦିନୀ ତ୍ରିପୁରମୋହିନୀ ପ୍ରତି ଶ୍ରୀକୃଷ୍ଣନନ୍ଦନ ପ୍ରଦ୍ୟୁମ୍ନଙ୍କ ହୃଦୟରେ ପ୍ରେମାନୁରାଗ ସୃଷ୍ଟି କରିବା ପାଇଁ କବି ଯେପରି ଭାବରେ ନାରଦଙ୍କ ମୁଖରେ ତ୍ରିପୁରମୋହିନୀର ଅପୂର୍ବ ରୂପ ଲାବଣ୍ୟର ରସମୟ ବର୍ଣ୍ଣନା କରିଛନ୍ତି ବାସ୍ତବିକ ତାହା ଅନନ୍ୟ ଓ ଅତୁଳନୀୟ । କବିଙ୍କ ଭାଷାରେ-

 

କି ବର୍ଣ୍ଣିବି ଶୋଭା ତାର କୁଞ୍ଚିତ ଘନ ଚିକୁର ନଦୀ ଲହରୀକି ଅଛି ଜିଣି ।

ରସିକା ନାସିକା ଛଟା ଯେହ୍ନେ ତିଳଫୁଲ ଗୋଟା ଇନ୍ଦ୍ର କୋଦଣ୍ଡ ଭ୍ରୂଲତା ଠାଣି ।।

ଅଧର ଅରୁଣ ତାର କମ୍ବୁକଣ୍ଠ ଶମ୍ଭୁଉର ଡମ୍ୱରୁ-ମଝା ମୃଣାଳ ବାହା ।

ତ୍ରିବଳୀ ଉଦର ସ୍ୱଚ୍ଛ ମାର ବାନ୍ଧିଛି ପାବଚ୍ଛ ଗଭୀର ନାଭି କାଞ୍ଚନ ଦେହା ।।

 

ବାରଣ ଦନ୍ତେ କୁଙ୍କୁମ ଲିପିଲା ପରା ସୁଷମ ବେନି ଜାନୁ ସୁତନୁର ତୋରା ।

ଚମ୍ପାକଳିକା ସମାନ ଅଙ୍ଗୁଳିର ଅଗ୍ରମାନ ନଖ ନିଆଳିରୁ ଅତି ଗୋରା ।।

ଚନ୍ଦ୍ରେ ତୁଳନ୍ତି ତା ମୁଖ ଅଛି ତା’ଠାରେ କଳଙ୍କ ଅକଳଙ୍କ ତା ବଦନ ଶଶୀ ।

ସାର ସାର କାନ୍ତି ଆଣି ଗଢ଼ିଛି ବିଶ୍ୱ-ବିନ୍ଧାଣୀ ବଇ ବୋଲେ କେତେ ଯୁଗ ବସି ।।

 

 

କୁଶଳୀ ଶିଳ୍ପୀ ପାଣିଙ୍କ ତୁଳିକା ସ୍ପର୍ଶରେ ଶୃଙ୍ଗାର ରସର କି ଅପୂର୍ବ ଓ ଚମତ୍କାର ଅଭିବ୍ୟକ୍ତି ଘଟିଛି ସତେ ! ପ୍ରଦ୍ୟୁମ୍ନ କାହିଁକି, ଯେକୌଣସି ଯୁବକ-ହୃଦୟକୁ ମନ୍ଥନ କରି ନାରୀର ଏତାଦୃଶ ନିଖୁଣ ରୂପ ବର୍ଣ୍ଣନା ଗଭୀର ଭାବରେ ଶୃଙ୍ଗାର ରସସିକ୍ତ କରିବ, ଏଥିରେ ସନ୍ଦେହ ନାହିଁ ।

 

ବିରହ ବେଦନାରେ ଜର୍ଜରିତା ପୂର୍ଣ୍ଣଯୌବନା ରୂପବତୀ ତ୍ରିପୁରମୋହିନୀର ସଖୀଠାରେ ଯେଉଁ କରୁଣ ମାର୍ମିକ ଅଭିବ୍ୟକ୍ତି ତାହା ଶୃଙ୍ଗାର ରସବ୍ୟଞ୍ଜକ । ଏହା କେବଳ ରାଜକୁମାରୀ ମନର ଅଭିବ୍ୟକ୍ତି ନୁହେଁ ; ଯୁବାକାଳରେ ସମସ୍ତ ନାରୀ ହୃଦୟର ତାହା ଏକ ନିଷ୍ଠର ବାସ୍ତବ ଅନୁଭବ ମାତ୍ର-। କବି ଲେଖିଛନ୍ତି-

 

ଜାଣି ନଥିଲି ମିତଣି ଏହା ଭାଲେ ଘଟିବ ଗୋ

ଅନୁରାଗ ଛୁରୀଧରି ମାର ତଣ୍ଟି କାଟିବ ଗୋ ।

ବଦରୀଫଳ ସଦୃଶ, ବକ୍ଷେ କାହୁଁ ହେଲା ଦୃଶ୍ୟ

ତହୁଁ ଭାବିଲି ତ ଲାଜ ଧୈର୍ଯ୍ୟଧନ ଲୁଟିବ ଗୋ ।

 

କ୍ରମେ ବଢ଼ନ୍ତେ ସେ ବେନି, ବାସ ଲୋଡ଼ିଲେ ସଜନୀ

ସେଦିନୁଁ ରୂଝିଲି ବାସରେ ମୋଦିନ କଟିବ ଗୋ ।

କି ମନ୍ତ୍ର ସେ ପଢ଼ାଇଲା, ପିତ-କୋଳ ଛଡ଼ାଇଲା

ପରସଙ୍ଗ ଲୋଡ଼ାଇଲା, କେ କରମେ ଯୁଟିବ ଗୋ ।

ବଇଷ୍ଣବ ରସେ କହେ ପ୍ରେତ ଗ୍ରାସିଲା ପରାୟେ

ନିରତେ ଅଙ୍ଗ ଥରାଏ ଏ ରୋଗକି ହଟିବ ଗୋ ।

-ମେରୁଶୂଳବଧ

 

କବିଙ୍କ ‘ଆଦ୍ୟକାଣ୍ଡ ସୁଆଙ୍ଗ’ରେ ଜନକନନ୍ଦିନୀ ସୀତା, ସ୍ୱୟଂବର ସଭାରେ ପରମପୁରୁଷ ରାମଚନ୍ଦ୍ରଙ୍କ ଅପୂର୍ବ ରୂପ-ମାଧୁରୀରେ ମୋହିତ ହୋଇ ତାଙ୍କପ୍ରତି ପ୍ରେମାସକ୍ତ ହୋଇ ପଡ଼ିଛନ୍ତି । କୁଆଁରୀ ସୀତାଙ୍କ ମୁଖରେ କବିଙ୍କ ଅଭିବ୍ୟକ୍ତି-

 

ନବ ଦୁର୍ବାଦଳ ତନୁ,      ଚାହିଁଲେ ପୀଡ଼େ ଅତନୁ

ବାରବାର ଶର କରେ ପ୍ରହାର ଗୋ ।

ଆଡ଼ ଆଖିରେ ଅନାଇ      ନିଅନ୍ତି ମନ ମନାଇଁ

ଜୀବନ କି ଦେବେ କରି ବାହାର ଗୋ ।

ସ୍ଫୁରୁଛି ବାମନୟନ            ବାମ ବାହା ଘନଘନ

କ୍ଷୁଧାର୍ତ୍ତକୁ ଦେବେ ବିହି ଆହାର ଗୋ ।

 

ସେହିପରି ସ୍ୱୟମ୍ୱର ସଭାରେ ଦ୍ରୌପଦୀ ଅର୍ଜ୍ଜୁନଙ୍କ ରୂପରେ ବିମୁଗ୍‌ଧା ହୋଇ ମନର ଭାବକୁ ଦାସୀ ଆଗରେ ବ୍ୟକ୍ତ କରିଛନ୍ତି-

 

ଜାଣି ନହୁଏ କି କଥା ; କିବା ଆଣିଛନ୍ତି ଧାତା

 

ଦେବାକୁ ମୋତେ ଏ ଯୁବା ପୁରୁଷ ନୂଆ ନାଗର ।

ଯେସନ ନୀଳ ନୀରଦ, ଚାହିଁ ଚାତକିନୀ ସାଧ

 

ବଳେ ତେସନ ଘଟିଲା ମୋ ଦଶା ରସା ଭିତର ।

ବାମଚକ୍ଷୁ ବାମବାହୁ, କମ୍ପେ କିମ୍ପା ମୁହୁର୍ମୁହୁଃ

 

ସତେ କାମଦେବେ ଦେବେ ହେବେ ଏ ମୋ ଗଳାହାର ।

-ଦ୍ରୌପଦୀ ସ୍ୱୟଂବର

 

ମହାକବି କାଳିଦାସଙ୍କ ଭାଷାରେ-

ପ୍ରିୟେଷୁ ସୌଭାଗ୍ୟଫଳାହି ଚାରୁତା ।

 

ନାରୀର ଅପୂର୍ବ ରୂପ-ଲାବଣ୍ୟ ଫଳବତୀ ହୁଏ ପ୍ରିୟର ସାନ୍ନିଧ୍ୟ ଲାଭରେ । ତା’ଜୀବନର ସାର୍ଥକତା ଓ ପରିପୂର୍ଣ୍ଣତା ନିହିତ ରହିଛି ପ୍ରିୟଜନ ପ୍ରାପ୍ତିରେ ।

 

ସୁହାଗ ରାତିରେ ନବ-ବିବାହିତ ଦମ୍ପତିଙ୍କର ବହୁ ଆକାଂକ୍ଷିତ ମଧୁର ମିଳନ ସଂଘଟିତ ହୁଏ । ପତିବ୍ରତାର ସୌଭାଗ୍ୟ-ସିନ୍ଦୁର ଲାଭକରି ସ୍ତ୍ରୀ ନିଜ ଜୀବନକୁ ଧନ୍ୟ ମନେକରେ । ସେହି ମିଳନ-ଲଗ୍ନ ଅପାସୋରା ହୋଇ ରହେ ଜୀବନ ସାରା । ତା’ଜୀବନ-ପାତ୍ରକୁ ପୂର୍ଣ୍ଣତା ଓ ପରିତୃପ୍ତିର ରସରେ ଭରିଦିଏ ଏହି ପବିତ୍ର ଲଗ୍ନ । କିନ୍ତୁ ସାଙ୍ଗସାଥୀମାନଙ୍କର ଟାହିଟାପରା ଓ ଶୃଙ୍ଗାର-ରସାନ୍ୱିତ ପ୍ରଶ୍ନବାଣରେ ଲଜ୍ଜାବନତା ହୋଇ ପଡ଼େ ଶିରୀଷ-କୋମଳ-ଦେହା କନକଗୋରୀ । ରାମ ସୀତାଙ୍କ ମିଳନ ରାତ୍ରି ଅନ୍ତେ ପ୍ରତ୍ୟୁଷରୁ ଚତୁରୀ ସଖୀଗଣ ସୀତାଙ୍କ ଅଙ୍ଗରେ ସମ୍ଭୋଗ-ଚିହ୍ନ ଦେଖି ପ୍ରଶ୍ନବାଣରେ ତାଙ୍କୁ ଯେପରି ଜର୍ଜରିତ କରିଛନ୍ତି ତା’ର ଏକ ନିଖୁଣ ଚିତ୍ର ରସିକ କବି ତାଙ୍କର ‘ଆଦ୍ୟକାଣ୍ଡ ସୁଆଙ୍ଗ’ରେ ପ୍ରଦାନ କରିଛନ୍ତି-

 

ଗୁନ୍ଥାଫୁଲ ସୀତା ଝାଉଁଳି ଯାଇଛି ଛିଡ଼ିଛି ଗଳାର ହାର

ଗାଢ଼େ କାନ୍ତ ତୋତେ ଭିଡ଼ିବା କାଳରେ ଉହାଡ଼ି ନଦେଲୁ କର ।

ଯେଉଁ କଳାଲାଞ୍ଜି ବାଳା ଥିଲୁ ରଞ୍ଜି ତୋ ମୀନନୟନ କୋଣେ

ନାହିଁ ସେହି ଗାର କି ଭୂରୁ ଧନୁରେ ବସାଇ ବିନ୍ଧିଲୁ ରଣେ ।

ଜଡ଼ି ଯାଇଅଛି କାମ-ଶ୍ରମ ଝାଳେ ଶାଢ଼ି ତୋ ଅଙ୍ଗ ଦେଶରେ

ଉରଜ ବେନିରେ କରଜର ଚିହ୍ନ ଫୁଟି ଦିଶୁଚି ବାସରେ ।

 

ଶୃଙ୍ଗାର-ରସର ଏପରି ବାସ୍ତବ ଚିତ୍ର ପରିସ୍ଫୁଟନ ଅନୁଭବୀ ପାଣି କବିଙ୍କ ଦ୍ୱାରାହିଁ ସମ୍ଭବ । ଏହିପରି ଅସଂଖ୍ୟ ଉଦାହରଣ କବିଙ୍କ କୃତିଗୁଡ଼ିକରୁ ଉଦ୍ଧାର କରାଯାଇପାରେ । ନିଜ ମାଟିର ପୂର୍ବସୂରି କବିରାଜ ଜୟଦେବଙ୍କ ଗୀତଗୋବିନ୍ଦ ଅନୁସାରଣରେ ଶୃଙ୍ଗାର-ରସର ଜୀବନ୍ତ ରୂପାୟନ କରିବାରେ କବିଙ୍କ ସାଫଲ୍ୟ ଅନନ୍ୟ । ପ୍ରବନ୍ଧର ବିସ୍ତୃତି ଆଶଙ୍କାରେ ସେଗୁଡ଼ିକର ନିଦର୍ଶନ ଉପସ୍ଥାପନ କରିବା ଏଠାରେ ସମ୍ଭବ ନୁହେଁ । କବି ବୈଷ୍ଣବ ପାଣି କେବଳ ଶୃଙ୍ଗାର ନୁହେଁ ହାସ୍ୟ, କରୁଣ ବୀର, ଭୟାନକାଦି ରସ ବର୍ଣ୍ଣନାରେ ମଧ୍ୟ ଅନୁରୂପ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ତାଙ୍କ ରଚନା-ସମ୍ଭାରର ରସ ପ୍ରସଙ୍ଗକୁ ନେଇ ଏକ ସ୍ୱତନ୍ତ୍ର ଗ୍ରନ୍ଥର ପରିକଳ୍ପନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ।

 

ଅସାଧାରଣ ଧୀଶକ୍ତି-ସଂପନ୍ନ କବି ବୈଷ୍ଣବ ପାଣିଙ୍କ ନାଟ୍ୟ-ରଚନା କେବଳ ସାହିତ୍ୟସୃଷ୍ଟିରେ ସୀମାବଦ୍ଧ ନଥିଲା । ଜନତା-ଜନାର୍ଦ୍ଦନଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ସେଗୁଡ଼ିକୁ ଅଭିନୀତ ଓ ପ୍ରଦର୍ଶିତ କରିବା ଥିଲା ତାଙ୍କର ମୂଳ ଉଦ୍ଦେଶ୍ୟ । ତେଣୁ ନିଜର ଦୃଶ୍ୟକାବ୍ୟଗୁଡ଼ିକୁ ଅଧିକ ଆକର୍ଷଣୀୟ ଓ ହୃଦୟଗ୍ରାହୀ କରିବା ପାଇଁ ସେ ସ୍ଥାନ-କାଳ-ପାତ୍ରାନୁସାରେ ଉପଯୁକ୍ତ ରସର ପୁଟଦେଇ ଜନମନ ହରଣ କରିବାରେ ସଫଳ କାମ ହୋଇଥିଲେ । ଜଣେ ସିଦ୍ଧହସ୍ତ ଶିଳ୍ପୀ ଓ ରସ-ସ୍ରଷ୍ଟା ଭାବରେ ଓଡ଼ିଆ ନାଟ୍ୟ-ସାହିତ୍ୟ-ଜଗତରେ ତାଙ୍କର ପ୍ରତିଭା ଅମର ଓ ଚିରଭାସ୍ୱର ହୋଇ ରହିବ ।

 

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୧୪

***

 

ବୈଷ୍ଣବ ପାଣିଙ୍କ ଲକ୍ଷଣା ପରିଣୟ : ଏକ ପର୍ଯ୍ୟାଲୋଚନା

ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକ

 

ଓଡ଼ିଆ ଲୋକନାଟ୍ୟ ଧାରାରେ ଯାତ୍ରା କେବେ ଆରମ୍ଭ ହୋଇଥିଲା ସଠିକ୍‌ଭାବେ ନିର୍ଣ୍ଣିତ ନ ହୋଇଥିଲେ ମଧ୍ୟ ଯାତ୍ରା ଯେ ଓଡ଼ିଆ ଲୀଳା, ସୁଆଙ୍ଗ ଓ ଛାନ୍ଦନାଟ୍ୟ ଆଦିର ଏକ ବିବର୍ତ୍ତନ ରୂପ, ଏଥିରେ ଦ୍ୱିମତ ହେବାର ନାହିଁ । ଊନବିଂଶ ଶତାବ୍ଦୀର ଆଦ୍ୟଭାଗ ଓ ତା’ପୂର୍ବରୁ ଏହି ଲୀଳା, ସୁଆଙ୍ଗ ଓ ଛନ୍ଦନାଟ୍ୟ ଆଦି ପରିବେଷିତ ହୋଇ ଜନମନୋରଞ୍ଜନ କରିବାରେ ସକ୍ଷମ ହେଉଥିଲା । କିନ୍ତୁ ଓଡ଼ିଆ ଲୋକନାଟ୍ୟର ଏସବୁ ବିଭାବମାନ ଥିଲା ମୁଖ୍ୟତଃ ସଙ୍ଗୀତ ସର୍ବସ୍ୱ । ସେଥିରେ ଯେଉଁ ବଚନିକା ରହୁଥିଲା, ତାହାର କୌଣସି ଲିଖିତ ରୂପ ଦେଖିବାକୁ ମିଳୁ ନଥିଲା । ମଞ୍ଚ ଉପରେ ଅଭିନେତା ନିଜ ମୁଖରୁ ପୂର୍ବରୁ ଅଭ୍ୟାସ କରିଥିବା ଗଦ୍ୟସଂଳାପ ହୁଏତ ବ୍ୟବହାର କରୁଥିଲା । ନୃତ୍ୟ ଏବଂ ସଙ୍ଗୀତର ତାଳେ ତାଳେ ଅଭିନେତା ଚତୁର୍ମୁଖୀ ରଙ୍ଗମଞ୍ଚରେ ମଶାଲ ଆଲୁଅରେ ଅଭିନୟ ପ୍ରଦର୍ଶନ କରୁଥିଲା ।

 

ଏ ପ୍ରକାର ଲୋକନାଟ୍ୟର ରଚୟିତା ଭାବରେ ଯେଉଁମାନେ ଓଡ଼ିଆ ନାଟ୍ୟକଳାର ମୂଳଦୁଆ ଦେଇ ଯାଇଛନ୍ତି ଏବଂ ଓଡ଼ିଆ ନାଟ-ସାହିତ୍ୟକୁ ଋଦ୍ଧିମନ୍ତ କରି ଯାଇଛନ୍ତି, ସେମାନଙ୍କ ମଧ୍ୟରେ ଜଗନ୍ନାଥ ପାଣି, ଗୋପାଳ ଦାସ ଆଦି ପ୍ରଧାନ । କିନ୍ତୁ ସେହି ଚିରାଚରିତ ପ୍ରଥାରେ ପରିବର୍ତ୍ତନ ଆଣି ପ୍ରାଚୀନ ନାଟ୍ୟଧାରାର ଏକ ନୂତନ ମୋଡ଼ ଦେବାରେ ଯେ ପ୍ରଥମେ ଆଗେଇ ଆସିଥିଲେ ସେ ହେଉଛନ୍ତି ଗଣକବି ବୈଷ୍ଣବ ପାଣି ।

 

କେବଳ ସଙ୍ଗୀତ ମାଧ୍ୟମରେ ନୃତ୍ୟ ଓ ଅଭିନୟ ପରିବେଷଣ କରି ଜନମନ ହରଣ କରିବାରେ ବହୁ ତ୍ରୁଟି ତଥା ବ୍ୟତିକ୍ରମ ଅନୁଭବ କରି ବୈଷ୍ଣବ ପାଣି ଏକ ନୂତନ ଧାରା ପ୍ରବର୍ତ୍ତନ କଲେ । ପୂର୍ବ ନାଟ୍ୟଧାରାରେ ଦର୍ଶକ ଓ ଅଭିନେତା ମଧ୍ୟରେ ଅର୍ଥାତ୍ ଜନତା ଓ ମଞ୍ଚ ମଧ୍ୟରେ ବିଶେଷ ବ୍ୟବଧାନ ରହୁଥିବାର ଅନୁଭବ କରି ସେହି ଶୂନ୍ୟସ୍ଥାନକୁ ପୂରଣ କରିବା ନିମନ୍ତେ ଗୀତିସଂଳାପ ସହିତ ଗଦ୍ୟ ସଂଳାପର ସଂଯୋଜନା କରି ଗୀତାଭିନୟ ବା ଗୀତିନାଟ୍ୟ ରଚନା କରି ପରିବେଷଣ କଲେ । ସେହି ପୁରାଣ ଇତିହାସର କଥାବସ୍ତୁକୁ ଉପଜୀବ୍ୟ କରି ପୂର୍ବସୂରିମାନଙ୍କ ରଚନାକୁ ଆଧାର କରି ରଚନା ଆରମ୍ଭ କରିଥିଲେ ମଧ୍ୟ ସ୍ୱର୍ଗତ ପାଣିଙ୍କ ରଚନାରେ ତାଙ୍କର ସ୍ୱକୀୟ ଚିନ୍ତାଚେତନାର ପ୍ରତିଫଳନ ଏବଂ ଧାରାର ପରିବର୍ତ୍ତନ ତାଙ୍କୁ ଏକ ଯୁଗପ୍ରବର୍ତ୍ତକର ଆସନରେ ଅଧିଷ୍ଠିତ କରାଇ ପାରିଥିଲା । ପାଣିଙ୍କ ରଚିତ ଗୀତାଭିନୟ ଯେ ନିଶ୍ଚିତ ରୂପେ ପୂର୍ବର ଲୀଳା ସୁଆଙ୍ଗ ଆଦିଠାରୁ ଅଧିକ ଉପଭୋଗ୍ୟ ଓ ଜନପ୍ରିୟ, ଏଥିରେ ସଂଦେହର ଅବକାଶ ନାହିଁ ।

 

ତେଣୁ ଲୀଳା, ସୁଆଙ୍ଗ ଛାନ୍ଦନାଟ୍ୟ ଆଦିର ପ୍ରାଚୀନ ଲୋକନାଟ୍ୟ ଓ ପରବର୍ତ୍ତୀ ଯାତ୍ରା ସାହିତ୍ୟର ସଂଯୋଗକାରୀ ସେତୁ ହେଉଛନ୍ତି ବୈଷ୍ଣବ ପାଣି । ସେ ଉଭୟ ପ୍ରାଚୀନ ଓ ଆଧୁନିକ ଧାରାର ସମନ୍ୱୟ ଆଣି ରଚନା କଲେ ଗୀତିନାଟ୍ୟ, ଯାହାର ଲୋକପ୍ରିୟତା କେବଳ ଆଜି ନୁହେଁ କାଳକାଳକୁ ମଧ୍ୟ ରହିଥିବ । ସମାଲୋଚକ କାର୍ତ୍ତିକେଶ୍ୱର ସାହୁଙ୍କ ଭାଷାରେ-‘‘ବୈଷ୍ଣବ ପାଣିଙ୍କ ଗୀତନାଟ୍ୟ ବୟସର ଅପେକ୍ଷା ରଖେନି । ଆବାଳବୃଦ୍ଧ ବନିତା ନାଟକର ବାକ୍‌ଚାତୁରୀ ଓ ଗୀତିମୟତାରେ ନିଜକୁ ହଜାଇ ଦିଏ । ସାମ୍ପ୍ରତିକ ଜୀବନର ଅସଂଲଗ୍ନତା, ବର୍ଣ୍ଣବୈଚିତ୍ର୍ୟ ଏବଂ ବେଦନାବୋଧ ପାଣିଙ୍କ ଗୀତିନାଟ୍ୟରେ ନଥିଲେ ବି ସେ ସମୟର ସ୍ୱରୂପ ଅଙ୍କନ କରିବାରେ ତାହା ସେ ବିଶ୍ୱସ୍ତ ଓ ସାର୍ଥକ ଏହା ଅସ୍ୱୀକାର କରାଯାଇ ନପାରେ । ଏଥିରେ ବୌଦ୍ଧିକ ବିପ୍ଳବ ନାହିଁ ସତ, ମାତ୍ର ସାଧାରଣ ସାମାଜିକ ମଣିଷର ସୁଖ ଦୁଃଖ ରଙ୍ଗରସର ଚିତ୍ର ରହିଛି ।’’*

*ବୈଷ୍ଣବ ପାଣିଙ୍କ ନାଟ୍ୟ ପ୍ରତିଭା-କାର୍ତ୍ତିକେଶ୍ୱର ସାହୁ, ଓଡ଼ିଆ ଯାତ୍ରା ଓ ଲୋକନାଟ୍ୟ ପରିକ୍ରମା-ସମ୍ପାଦନା ବୈଷ୍ଣବ ଚରଣ ସାମଲ, ହୃଶୀକେଶ ମଲ୍ଲିକ ପୃଷ୍ଠା-୩୩୨

 

ତାପରେ ସେହି ଧାରାରେ ବହୁ ସ୍ରଷ୍ଟା ଗୀତିନାଟ୍ୟମାନ ରଚନା କରିବାକୁ ଆରମ୍ଭ କଲେ । ସେମାନଙ୍କ ମଧ୍ୟରେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ, ବାବାଜି ବୈଷ୍ଣବ ଚରଣ ଦାସ, ବାଳକୃଷ୍ଣ ମହାନ୍ତି, ରାମଚନ୍ଦ୍ର ସ୍ୱାଇଁ, କବି ମଞ୍ଜୁଳ କୃଷ୍ଣପ୍ରସାଦ ବସୁ ଆଦିଙ୍କ ନାମ ଉଲ୍ଲେଖଯୋଗ୍ୟ ।

 

ବୈଷ୍ଣବ ପାଣି କୋଠପଦା ମହନ୍ତ ତପୋନିଧି ରଘୁନାଥ ପୁରୀ ଗୋସ୍ୱାମୀଙ୍କ ପ୍ରେରଣା ଓ ସାହଚର୍ଯ୍ୟରେ ନାଟ୍ୟକଳାପ୍ରତି ବିଶେଷ ଆକର୍ଷିତ ହୋଇଥିଲେ । ନିଜେ ନୃତ୍ୟ ଓ ଅଭିନୟ କରିବା ସଙ୍ଗେ ସଙ୍ଗେ କ୍ରମଶଃ ସୁଆଙ୍ଗ ଓ ଗୀତିନାଟ୍ୟ ଆଦି ରଚନା କରି ନିଜେ ଏକ ନାଟ୍ୟଦଳ ଗଠନ କରି ନିଜର ରଚନାଗୁଡ଼ିକୁ ଓଡ଼ିଶାର ପ୍ରତ୍ୟେକ ପୁରପଲ୍ଲୀ ତଥା ଓଡ଼ିଶା ବାହାରେ ବଙ୍ଗ ବିହାର ଆଦି ରାଜ୍ୟରେ ପରିବେଷଣ କରି ବେଶ୍ ଲୋକପ୍ରିୟତା ଅର୍ଜନ କରି ପାରିଥିଲେ ।

 

ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ଲେଖନୀର ବିରତି ନଥିଲା । ସମଗ୍ର ଜୀବନକାଳ ମଧ୍ୟରେ ରାଶି ରାଶି ଜଣାଣ, ଭଜନ, ପ୍ରହସନ, ସୁଆଙ୍ଗ ଓ ଗୀତିନାଟ୍ୟ ରଚନା କରି ଉତ୍କଳଭାରତୀଙ୍କ ଗନ୍ତାଘରକୁ ସମୃଦ୍ଧ କରି ଯାଇଛନ୍ତି । ତାଙ୍କର ସେହି ଅସଂଖ୍ୟ ଗୀତାଭିନୟ ମଧ୍ୟରୁ ଆଲୋଚ୍ୟ ଶାମ୍ବବିଭା ବା ଲକ୍ଷଣା ପରିଣୟ ଅନ୍ୟତମ ।

 

ଆଲୋଚ୍ୟ ଗୀତିନାଟ୍ୟର କଥାବସ୍ତୁ:-

କୁରୁକୁଳ ଚୂଡ଼ାମଣି ମାନି ଦୁର୍ଯ୍ୟୋଧନଙ୍କର ଅଲିଅଳୀ କନ୍ୟା ଚନ୍ଦ୍ରାବତୀ । ସମୟକ୍ରମେ ଚନ୍ଦ୍ରାବତୀ ଯୌବନରେ ପଦାର୍ପଣ କରିଛି । ପିତା ଦୁର୍ଯ୍ୟୋଧନ କନ୍ୟାର ପରିଣୟ ନିମନ୍ତେ ମନ୍ତ୍ରୀ ମାବୁଳଙ୍କ ପରାର୍ମଶରେ ସ୍ୱୟମ୍ବର ବ୍ୟବସ୍ଥା କରାଇଛନ୍ତି । ସ୍ୱୟମ୍ବର ନିୟମ ଅନୁଯାୟୀ ରାଜଜେମା ଲକ୍ଷଣା ବା ଚନ୍ଦ୍ରାବତୀ ନିମନ୍ତ୍ରିତ ରାଜପୁତ୍ରମାନଙ୍କ ମଧ୍ୟରୁ ଯାହା ବେକରେ ବରଣମାଳା ଦେଇ ପତିନିର୍ବାଚନ କରିବେ ତାହାରି ସହ ପରିଣୟ ସଂପନ୍ନ ହେବା କଥା । କିନ୍ତୁ ଏହି ଶୁଭ ସ୍ୱୟମ୍ବର ସମାହିତ ହେବା ପୂର୍ବରୁ ଆଉ ଏକ ବିଚିତ୍ର ନାଟକୀୟ ଘଟଣା ଘଟିଯାଇଛି । ଦେବର୍ଷି ନାରଦ ପ୍ରଥମେ ଆସି ଦୁର୍ଯ୍ୟୋଧନଙ୍କୁ ଦ୍ୱାରକାର ରାଜା ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ସହିତ ଚନ୍ଦ୍ରାବତୀର ଶୁଭପରିଣୟ ପ୍ରସ୍ତାବ ଦେଇ ପ୍ରତ୍ୟାଖ୍ୟିତ ହୋଇ ଦ୍ୱାରକାରେ ପ୍ରବେଶ କରି ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କୁ ଚନ୍ଦ୍ରାବତୀର ରୂପଲାବଣ୍ୟ ବର୍ଣ୍ଣନା କରି ଆକର୍ଷିତ କରାଇଛନ୍ତି ଏବଂ ଚନ୍ଦ୍ରାବତୀଙ୍କୁ ସ୍ୱୟମ୍ବର ସଭାରୁ ଯାଇ ହରଣ କରି ନେଇ ଆସିବାକୁ ପରାମର୍ଶ ଦେଇଛନ୍ତି । ଶାମ୍ବ ମଧ୍ୟ ନାରଦଙ୍କର ଏ ପରାମର୍ଶକୁ ଅତ୍ୟନ୍ତ ଆଗ୍ରହ ଓ ଆନନ୍ଦର ସହ ଗ୍ରହଣ କରିଛନ୍ତି ।

 

କେବଳ ସେତିକି ନୁହେଁ, ନାରଦ ମଧ୍ୟ ହସ୍ତିନାର ଚନ୍ଦ୍ରାବତୀ ପୁରରେ ପ୍ରବେଶ କରି ଶାମ୍ବର ସୌକୁମାର୍ଯ୍ୟ ଓ ବୀରତ୍ୱ ସମ୍ପର୍କରେ ଅବଗତ କରାଇ ଶାମ୍ବକୁ ଜୀବନସାଥୀ ରୂପେ ବାଛି ନେବାକୁ ପରାମର୍ଶ ଦେଇଛନ୍ତି ।

 

ସମୟକ୍ରମେ ସ୍ୱୟମ୍ବର ସଭାରେ ଅବ୍ୟବହିତ ପୂର୍ବରୁ ଶାମ୍ବ ଚନ୍ଦ୍ରାବତୀଙ୍କୁ ହରଣ କରି ଆଣନ୍ତେ ଅଙ୍ଗରାଜ କର୍ଣ୍ଣ ଶାମ୍ବକୁ ଆକ୍ରମଣ କରି ବନ୍ଦୀକରି ନେଇଛି । ଏ ପ୍ରକାର ଚୌର୍ଯ୍ୟବୃତ୍ତିରେ ଦୁର୍ଯ୍ୟୋଧନ କ୍ରୋଧାନିତ୍ୱ ହୋଇ ଶାମ୍ୱକୁ ହତ୍ୟା କରିବାକୁ ଦୁଃଶାସନକୁ ଆଦେଶ ଦେଇଛନ୍ତି । କିନ୍ତୁ ପିତାମହ ଭୀଷ୍ମଙ୍କ ପରାମର୍ଶରେ ଶାମ୍ବକୁ ହତ୍ୟା ନକରି କେବଳ ବନ୍ଦୀ କରି ରଖାଯାଇଛି । ଏପରି ଘଟଣା ଦେଖି ନାରଦ ଯାଇ ଦ୍ୱାରକାରେ କୃଷ୍ଣ ବଳରାମଙ୍କୁ ଏ ସମ୍ବାଦ ଦିଅନ୍ତେ ବଳରାମ ଯଦୁକୁଳ ସହ ହସ୍ତିନା ଆକ୍ରମଣ କରିବାକୁ ଦୂତ ହସ୍ତରେ ବାର୍ତ୍ତା ପଠାଇଛନ୍ତି । ଏ ବାର୍ତ୍ତାରେ ଦୁର୍ଯ୍ୟୋଧନ ଅଧିକ କ୍ରୋଧାନିତ୍ୱ ହୋଇ ରାମକୃଷ୍ଣଙ୍କୁ ନାନାଦି ତିରସ୍କାର କରିଛନ୍ତି । ଫଳରେ ବଳରାମ କ୍ଷୁବ୍‌ଧ ହୋଇ ହସ୍ତିନା ଆକ୍ରମଣ କରି ନିଜ ଲଙ୍ଗଳ ମୁନରେ ହସ୍ତିନାକୁ ପ୍ରକମ୍ପିତ କରାଇଛନ୍ତି । ଏହି ପ୍ରକମ୍ପ ପରେ ସମଗ୍ର ହସ୍ତିନା ଥରହର ହୋଇଛି ଓ ଫଳରେ ଦୁର୍ଯ୍ୟୋଧନ ବାଧ୍ୟ ହୋଇ ନିଜର ଗୁରୁଦେବ ବଳରାମଙ୍କ ନିକଟରେ ଆତ୍ମସମର୍ପଣ କରି ଶାମ୍ବ ସହ ଚନ୍ଦ୍ରାବତୀର ଶୁଭ ପରିଣୟ ସମ୍ପନ୍ନ କରାଇଛନ୍ତି ।

 

ଏହି ହେଲା ଗୀତିନାଟ୍ୟ ଶାମ୍ବବିଭା ବା ଲକ୍ଷଣା ପରିଣୟର ମୁଖ୍ୟ ପ୍ରତିପାଦ୍ୟ କଥାବସ୍ତୁ । ଯାହାକି କବି ତଥା ନାଟ୍ୟକାର ବୈଷ୍ଣବ ପାଣିଙ୍କ ଲେଖନୀରେ ଅତ୍ୟନ୍ତ ନାଟକୀୟ ତଥା ସଜୀବ ହୋଇପାରିଛି । ଏଥିରେ ପାଣିଙ୍କ ମୌଳିକତା ତଥା ନାଟ୍ୟ ପ୍ରତିଭାର ବୈଶିଷ୍ଟ୍ୟ ପ୍ରତିପାଦିତ ହୋଇଅଛି ।

 

ନାମକରଣ :

ନାୟକ ଶାମ୍ବ ଓ ନାୟିକା ଲକ୍ଷଣା ବା ଚନ୍ଦ୍ରାବତୀର ଶୁଭପରିଣୟରେ ନାଟକର ପରିସମାପ୍ତି ହୋଇଅଛି । ତେଣୁ ଉକ୍ତ ଗୀତିନାଟ୍ୟର ନାମକରଣ ଶାମ୍ବବିଭା ବା ଲକ୍ଷଣା ପରିଣୟ

ଅବଶିଷ୍ଟାଂଶ ୧୭୧ ପୃଷ୍ଠାରେ ଦେଖନ୍ତୁ ।

***

 

ପାଣିକବିଙ୍କ ପୌରାଣିକ ନାଟକରେ ସୌନ୍ଦର୍ଯ୍ୟ ଚେତନା

ଶ୍ରୀ ହରେକୃଷ୍ଣ ପାତ୍ର

 

ଊନବିଂଶ ଶତାବ୍ଦୀର ଶେଷଭାଗରେ ଓଡ଼ିଆ ନାଟକ ନୂତନ ଯୁଗରେ ପ୍ରବେଶ କଲା । ପାରମ୍ପରିକ ଲୋକନାଟକ ଓ ଭାରତୀୟ ନାଟ୍ୟଶୈଳୀ ବଦଳରେ ପାଶ୍ଚାତ୍ୟ ନାଟ୍ୟଶୈଳୀ ଏହି ସମୟରୁ ଓଡ଼ିଆ ନାଟକକୁ ପ୍ରଭାବିତ କରିବାକୁ ଆରମ୍ଭ କଲା । ଯେଉଁ ସମୟରେ ରାମଶଙ୍କର ପ୍ରମୁଖ ଇଂରାଜୀ ଶିକ୍ଷିତ ନାଟ୍ୟକାରମାନେ ଓଡ଼ିଆ ନାଟକ କ୍ଷେତ୍ରରେ ଏହି ନୂତନ ଶୈଳୀର ପ୍ରବର୍ତ୍ତନ ପାଇଁ ଉଦ୍ୟମ କରୁଥିଲେ, ଠିକ୍ ସେତିକିବେଳେ ଜଣେ ସ୍ୱଳ୍ପଶିକ୍ଷିତ, ବାରବୁଲା ଗ୍ରାମ୍ୟ ଗୀତିନାଟ୍ୟକାର ନିଜର ଅସାଧାରଣ ପ୍ରତିଭା ବଳରେ ରାଶି ରାଶି ଗୀତିନାଟ୍ୟ ଲେଖି ଓଡ଼ିଶାର ପାରମ୍ପରିକ ଯାତ୍ରା ଶୈଳୀକୁ ୠଦ୍ଧିମନ୍ତ କରିଥିଲେ । ରାମଶଙ୍କର ଆଦି ଉଚ୍ଚଶିକ୍ଷିତ ନାଟ୍ୟକାରମାନେ ଜୀବଦ୍ଦଶାରେ ଯେଉଁ ସମ୍ମାନ ଲଭିଥିଲେ, ଏହି ଗ୍ରାମ୍ୟ କବି ବିଦଗ୍‌ଧ ମଣ୍ଡଳୀରୁ ସେ ସମ୍ମାନ ପାଇନଥିଲେ ସତ୍ୟ, କିନ୍ତୁ ତାଙ୍କର ପ୍ରତିଭା ପୁରପଲ୍ଲୀର ଅଗଣିତ ଜନତାଙ୍କୁ ଯେଉଁଭଳି ମନ୍ତ୍ରମୁଗ୍‌ଧ କରିଥିଲା, ତାହା କ୍ୱଚିତ୍ ସ୍ରଷ୍ଟାଙ୍କ ଭାଗ୍ୟରେ ଯୁଟେ । ଘୋର ଦାରିଦ୍ର୍ୟ, ଉପେକ୍ଷା ଓ ବିନାଚିକିତ୍ସାରେ ଏହି ଗ୍ରାମ୍ୟକବିଙ୍କର ଦେହାନ୍ତ ହୋଇଥିଲା, ଅତ୍ୟନ୍ତ ଅସହାୟ ଭାବେ । ପ୍ରେମ ତାଙ୍କୁ ଜାତିଚ୍ୟୁତ କରିଥିଲା, ସୃଷ୍ଟି ତାଙ୍କୁ ସଂସାରଚ୍ୟୁତ କଲା, ମାତ୍ର ମୃତ୍ୟୁ ତାଙ୍କୁ ଅମର କରିଗଲା । ଜୀବଦ୍ଦଶାରେ ଯେଉଁମାନେ ଶିକ୍ଷିତ ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲେ, ପରବର୍ତ୍ତୀ ସମୟରେ ଜନଚେତନାରୁ ସେମାନେ ହଜିଗଲେଣି । ମାତ୍ର ଆଲୋଚ୍ୟ ଗ୍ରାମ କବିଙ୍କ ପ୍ରତିଭାର କଳନା ତାଙ୍କ ମୃତ୍ୟୁପରେ ଆରମ୍ଭ ହୋଇଥିଲେ ମଧ୍ୟ, କାଳର କଷଟି ପଥରରେ ତାଙ୍କର ଏହି ପ୍ରତିଭା ଦିନକୁ ଦିନ ଉଜ୍ଜ୍ୱଳ ହୋଇ ଉଠୁଛି । ଏ ସୌଭାଗ୍ୟ ପୃଥିବୀର ବହୁ କମ୍ ସ୍ରଷ୍ଟାଙ୍କୁ ମିଳିଛି ।

 

ଏହି ଯୁଗଜନ୍ମା ସ୍ରଷ୍ଟା ହେଉଛନ୍ତି ଗଣକବି ବୈଷ୍ଣବ ପାଣି । ଲୋକରେ ଯାହାଙ୍କର ଆଦରଣୀୟ ନାମ ପାଣିକବି । ଇଂରେଜୀ ନାଟ୍ୟକାର ସେକ୍‌ସପିଅରଙ୍କ ଭଳି ଆଜନ୍ମ ଦରିଦ୍ର ପାଣିକବି ଜୀବନଯାତ୍ରା କ୍ଷେତ୍ରରେ ବହୁ ପେଶା ବରଣ କରିନେଇଥିଲେ । ସେକ୍‌ସପିଅରଙ୍କ ଭଳି ପ୍ରତିଭା ଖାଇବାକୁ ନପାଇ ଚୋରି କଲାଭଳି ପାଣିକବି କଲିକତାର ବେଶ୍ୟାବସ୍ତିରେ ‘ଭଡ଼ୁଆ’ ସାଜିଛନ୍ତି । କିନ୍ତୁ ସୃଷ୍ଟିର ବୈଚିତ୍ର୍ୟ ଏହି ଯେ, ଦାରିଦ୍ର୍ୟ ଓ ଅଭାବ ଯଥାର୍ଥ ସ୍ରଷ୍ଟାର ଅନ୍ତଃକରଣକୁ ଶୂନ୍ୟ କରିପାରେ ନାହିଁ; ଭାବରାଜ୍ୟକୁ ଦରିଦ୍ର କରିପାରେ ନାହିଁ । ଦାରିଦ୍ର୍ୟ ଅନୁଭୂତିକୁ ଜୀବନର ନିକଟତର କରେ; ଜୀବନକୁ କରେ ସୌନ୍ଦର୍ଯ୍ୟର ନିକଟତମ । ଏହି ସୌନ୍ଦର୍ଯ୍ୟାନୁଭୂତି ହେଉଛି ସୃଷ୍ଟିର ମୂଳକଥା, ମୂଳ ପ୍ରେରଣା ।

 

ଏଡମଣ୍ଡ ବର୍କଙ୍କ ମତ ଅନୁସାରେ ସୌନ୍ଦର୍ଯ୍ୟ ହେଉଛି, ଭୌତିକ ଓ ଐନ୍ଦ୍ରିୟ । ସୃଷ୍ଟିର ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଏ ସୌନ୍ଦର୍ଯ୍ୟାନୁଭୂତି ଊଣା ଅଧିକେ ରହିଛି । କିନ୍ତୁ ଜଣେ ସ୍ରଷ୍ଟା ମଧ୍ୟରେ ଏହାର ଅନୁଭବ ତୀବ୍ର ଓ ତୀକ୍ଷ୍‌ଣ । ସୃଷ୍ଟିର ତିନୋଟି ପର୍ଯ୍ୟାୟ ରହିଛି । ପ୍ରଥମ ପର୍ଯ୍ୟାୟରେ ସ୍ରଷ୍ଟା ଅନ୍ୟ ସମସ୍ତଙ୍କ ଭଳି ‘ସୁନ୍ଦର’କୁ ଅନୁଭବ କରେ । ପରବର୍ତ୍ତୀ ସମୟରେ ସେ ଏହି ଅନୁଭୂତିକୁ ନିଜ ମଧ୍ୟରେ ଅଧିକ ସନ୍ତୁଳିତ କରିଥାଏ । ସର୍ବଶେଷରେ ସେ ନିଜର ଉପଲବ୍‌ଧିକୁ ଏକ ବୃହତ୍ତର ଭାବସତ୍ୟ ମଧ୍ୟରେ ପରିପ୍ରକାଶ କରେ, ଯାହା ଆଉ କୌଣସି ଜଣଙ୍କର ଅନୁଭୂତି ହୋଇ ରହେନାହିଁ; ବହୁ ପ୍ରାଣର ଭାବସମ୍ପଦ ହୋଇ ଉଠେ; ପରିଣତ ହୋଇଯାଏ ଏକ ସାର୍ବଜନୀନ ସତ୍ୟରେ ।

 

ଆମର ପ୍ରିୟ ପାଣିକବି ଜୀବନର ଦୁଃଖବୋଧ ମଧ୍ୟରୁ ଏହି ବୃହତ୍ତର ଜୀବନାନୁଭୂତିର ସନ୍ଧାନ ପାଇଥିଲେ । ଦାର୍ଶନିକ ପ୍ଳୁଟାର୍କ (Plutorch) ବହୁ ପୂର୍ବରୁ ତ ଘୋଷଣା କରି ଯାଇଛନ୍ତି-‘‘ଦୁଃଖ ଆନନ୍ଦର ବିପରୀତ ନୁହେଁ, ସୁଖର ବିପରୀତ ହୋଇପାରେ ।’’ ପକ୍ଷାନ୍ତରରେ ଦୁଃଖାନୁଭବ ଆମ ଅନ୍ତରରେ ଯେଉଁ ଆନନ୍ଦ ସୃଷ୍ଟିକରେ, ତାହାର ସ୍ୱରୂପ ବିମଳ । ସାଧାରଣ ଇନ୍ଦ୍ରିୟାନୁଭୂତ ସୁଖରୁ ଏହା ଅଲଗା, ଏକାବେଳକେ ଅଲଗା ।

 

ସବୁ ସଫଳ ସ୍ରଷ୍ଟା ଦୁଃଖାନୁଭୂତିରୁ ଜାତ ଏହି ବିମଳ ଆନନ୍ଦର ମୁହୂର୍ତ୍ତକୁ ଅନାଇ ବସିଥାନ୍ତି-। ଏହି ଅନୁଭୂତି ସୃଷ୍ଟିକୁ କାଳଜୟୀ କରେ । ଏହି କାରଣରୁ ପାଣିକବିଙ୍କର ସୃଷ୍ଟି ସମୂହ କାଳଜୟୀ ହୋଇପାରିଛି; ମୃତ୍ୟୁପରେ ତାଙ୍କୁ ମୃତ୍ୟୁଞ୍ଜୟ କରିଛି ।

 

ସେ ଲେଖିଥିବା ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ୱ ଗୀତିନାଟ୍ୟ, ସୁଆଙ୍ଗ ଓ ଫାର୍ଶ ଲୋକଲୋଚନକୁ ଆସିପାରିଛି । ତନ୍ମଧ୍ୟରୁ ଏକ ବିରାଟ ଅଂଶ ହେଉଛି ପୌରାଣିକ ନାଟକ । ଏହି ପୌରାଣିକ ନାଟକ ଗୁଡ଼ିକରେ ଯେଉଁ ସୌନ୍ଦର୍ଯ୍ୟ ଚେତନାର ପରିପ୍ରକାଶ ହୋଇଛି, ତାହା ଦର୍ଶାଇବା ଆଲୋଚ୍ୟ ପ୍ରବନ୍ଧର ଲକ୍ଷ୍ୟ ।

 

ସୌନ୍ଦର୍ଯ୍ୟ ଆନନ୍ଦର ରୂପାନ୍ତର । ଯେତେବେଳେ କୌଣସି ବସ୍ତୁ/କଳାକୃତି/ସାହିତ୍ୟ କଳୁଷ-ବିହୀନ ଆନନ୍ଦ ପ୍ରଦାନ କରେ ସେତେବେଳେ ଏ ପ୍ରକାର ଆନନ୍ଦାନୁଭୂତିକୁ ‘ସୌନ୍ଦର୍ଯ୍ୟ’ କୁହାଯାଏ । ନାଟକର ମୌଳିକ ଆଭିମୁଖ୍ୟ ଆନନ୍ଦଦାନ । ନାଟକ ଦର୍ଶନରେ ଏହି ଆନନ୍ଦ କିଭଳି ଉପଲବ୍‌ଧ ହୁଏ, ଏ ସମ୍ପର୍କରେ ନାଟ୍ୟଶାସ୍ତ୍ର ପ୍ରଣେତା ଭରତ ଓ ପାଶ୍ଚାତ୍ୟ ଆଳଙ୍କାରିକ ଆରିଷ୍ଟୋଟଲ ଏ ଉଭୟଙ୍କ ମତ ପ୍ରାୟ ସମାନ । ଭରତଙ୍କ ମତରେ ‘ଅବସ୍ଥାନୁକୃତି ନାଟ୍ୟମ୍ ।’ ଅର୍ଥାତ୍, ନାଟକରେ ବାସ୍ତବ ଜୀବନର ପ୍ରତିଫଳନ ଘଟେ । ମଞ୍ଚରେ ବାସ୍ତବ ଜୀବନର ପ୍ରତିରୂପ ଦେଖି ଦର୍ଶକ ଆନନ୍ଦ ଲାଭକରେ । ଆରିଷ୍ଟୋଟଲଙ୍କ ମତରେ ମଧ୍ୟ ନାଟକର ଏହି ‘Imitation of action’ ଯୋଗୁଁ ଦର୍ଶକ ମନରେ ନାଟ୍ୟାନୁଭୂତି ସୃଷ୍ଟି ହୁଏ ।

 

ମାତ୍ର ନାଟକ ସମ୍ପର୍କରେ ଏ ସୌନ୍ଦର୍ଯ୍ୟତତ୍ତ୍ୱ ଯଥାର୍ଥ ନୁହେଁ । ଯଦି ଦର୍ଶକ ମଞ୍ଚରେ ବାସ୍ତବ ଜୀବନର ପ୍ରତିଫଳନ ଅନୁଭବ କରି ଆନନ୍ଦ ଲାଭ କରୁଥାନ୍ତା, ତେବେ ସେ ଆନନ୍ଦ ଲାଭ ପାଇଁ ମଞ୍ଚ ନାଟକ ଦେଖିବାକୁ ଦୌଡ଼ିବ କାହିଁକି ? ତା’ ଚାରିପଟେ ଥିବା ସମାଜ ଓ ଜୀବନରେ ତ ଶହ ଶହ ପ୍ରତ୍ୟକ୍ଷ ଚିତ୍ର ରହିଛି । ଏହାର ଯଥାର୍ଥ ସମାଧାନ କରିଛନ୍ତି, ବର୍ତ୍ତମାନ ଯୁଗର ମହାନ୍ ନାଟ୍ୟକାର ବେରଟୋଲଟ ବ୍ରେଶ୍‌ଟ । ତାଙ୍କ ମତାନୁଯାୟୀ ମଞ୍ଚରେ ଆଦୌ ବାସ୍ତବ ଜୀବନର ପ୍ରତିଫଳନ ଘଟେ ନାହିଁ । ନାଟକର ଜଗତ ଏକ ଅବାସ୍ତବ ଜଗତ । ଦର୍ଶକ ବାସ୍ତବତାରୁ ମୁକ୍ତିଲାଭ କରି ଏହି ଅବାସ୍ତବ ଜଗତ ଭିତରକୁ ଛୁଟିଆସେ ଆନନ୍ଦ ଲାଭ ପାଇଁ । ସୌନ୍ଦର୍ଯ୍ୟ ତତ୍ତ୍ୱବିତ୍ ହେଗେଲ୍ ପ୍ରାୟ ଏକା କଥା କହିଛନ୍ତି । ତାଙ୍କ ମତରେ କଳା ଜୀବନର ପ୍ରତିଛବି ନୁହେଁ । ଏହି କଥାକୁ ନାଟ୍ୟକଳାରେ ଆରୋପ କରାଯାଇ ପାରିଲେ ଦେଖାଯିବ ଯେ, ଏଥିରେ ବାସ୍ତବରେ ଏକ ମିଥ୍ୟାନୁସରଣ କରାଯାଇ ରୁକ୍ଷ ଓ ଭାବଲେଶ ଅନୁଭୂତିକୁ ସୌନ୍ଦର୍ଯ୍ୟ ରସାଣିତ କରି ପାରିଲେ ହିଁ ତାହା ଦର୍ଶକଙ୍କୁ ଆକୃଷ୍ଟ କରେ । ରାସ୍ତାଘାଟରେ ବୁଲୁଥିବା ଏକ ପାଗଳ ବା ମଦ୍ୟପକୁ ମଞ୍ଚକୁ ଘେନି ଆସିଲେ, ସେ ଦର୍ଶକଙ୍କ ମନରେ ଆନନ୍ଦ ବଦଳରେ ବିରକ୍ତି ସୃଷ୍ଟି କରିବ, ଅଥଚ ତାହାର ମିଥ୍ୟାନୁସରଣ ହେଲାବେଳେ, ଏହା ଆମକୁ ଆନନ୍ଦ ଦେଇଥାଏ ।

 

ଦର୍ଶକମନର ଏହି ଆନନ୍ଦବୋଧ ତାହାର ରସ ସମ୍ଭୋଗ ଉପରେ ନିର୍ଭର କରେ । ଏହି ରସସମ୍ଭୋଗ ଦର୍ଶକର ଭାବୟିତ୍ରୀ ପ୍ରତିଭା ଦ୍ୱାରା ନିୟନ୍ତ୍ରିତ ହୁଏ । ନାଟ୍ୟକାର ନିଜର ଅନୁଭୂତି ଲବ୍‌ଧ ଚେତନାକୁ ଯେଉଁ ସାର୍ବଜନୀନ ଚେତନାରେ ରୂପାନ୍ତରିତ କରିଥାଏ, ତାହା ଦର୍ଶକର ଭାବୟିତ୍ରୀ ପ୍ରତିଭାକୁ ପ୍ରଭାବିତ କରେ । ଏହି ପ୍ରତିଭା ପୁଣି ଦର୍ଶକର କଳ୍ପନା ଶକ୍ତି ଦ୍ୱାରା ନିୟନ୍ତ୍ରିତ ହୁଏ । ପୁଣି ‘କଳ୍ପନା’ ‘ବାସ୍ତବ’ର ବିରୋଧୀ ଏବଂ ‘ଅବାସ୍ତବ’ ସହିତ ଅଧିକ ନିବିଡ଼ ଭାବେ ସଂପୃକ୍ତ । ସେଥିପାଇଁ କଳ୍ପନା ଓ ଅବାସ୍ତବ ଉପରେ ପ୍ରତିଷ୍ଠିତ ପରୀଗଳ୍ପ, ଭୂତକାହାଣୀ ଏବଂ ପୌରାଣିକ କଥା ପାଠକ ଶ୍ରୋତା ମଧ୍ୟରେ ଯେଉଁ ରସ ସଞ୍ଚାର କରେ, ଯେଉଁ ଆନନ୍ଦ ଦାନ କରେ, ତାହା ବାସ୍ତବ କାହାଣୀର ରସାନୁଭୂତି ଠାରୁ ଅଧିକ ସହଜ ଲବ୍‌ଧ ।

 

ଏହି କାରଣରୁ ପୌରାଣିକ ନାଟକଗୁଡ଼ିକ ଦର୍ଶକ ନିକଟରେ ଏତେ ପ୍ରିୟ । ପାଣିକବି ଦର୍ଶକମାନଙ୍କ ଚାହିଦାକୁ ଲକ୍ଷ୍ୟ କରି ବହୁ ପୌରାଣିକ ନାଟକ ରଚନା କରିଛନ୍ତି । ଏହି ନାଟକ ଗୁଡ଼ିକର କଥାବସ୍ତୁ ରାମାୟଣ, ମହାଭାରତ ଓ ଅଷ୍ଟାଦଶ ପୁରାଣରୁ ଆହୃତ । ଏ ପୁରାଣ ପରମ୍ପରା ତାଙ୍କ ଜୀବନରେ ସହଜାତ । ତାଙ୍କର ଜନ୍ମ କୋଠପଦା ଗ୍ରାମର ଏକ ବ୍ରାହ୍ମଣ ପରିବାରରେ । ପିଲାଦିନୁ ସେ ନିଜ ବ୍ରାହ୍ମଣ ଶାସନର ପଡ଼ୋଶୀମାନଙ୍କ ଠାରୁ, କିଶୋର ଅବସ୍ଥାରେ ସ୍ଥାନୀୟ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରାବାସରେ ପାଚକ ଥିଲା ବେଳେ ଅନ୍ତେବାସୀ ଛାତ୍ର ଓ ଶିକ୍ଷକମାନଙ୍କ ନିକଟରୁ, ପୁଣି ଏହି ସ୍କୁଲରେ ଛାତ୍ରଭାବେ ପାଠ୍ୟପୁସ୍ତକରୁ ସେ ଏହି ପୌରାଣିକ କାହାଣୀଗୁଡ଼ିକୁ ଜାଣିଛନ୍ତି । ପୁରାଣ ପଢ଼ିବା ନିମନ୍ତେ ତାଙ୍କ ଜୀବନରେ ସୁଯୋଗ ଆସିଥିଲା କି ନାହିଁ ଜଣାନାହିଁ । କାରଣ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ସ୍କୁଲରୁ ରଷ୍ଟିକେଟ୍ ହେବାରୁ ତାଙ୍କର ଆନୁଷ୍ଠାନିକ ଶିକ୍ଷାର ପରିସମାପ୍ତି ଘଟିଥିଲା । ବ୍ୟକ୍ତିଗତ ଚେଷ୍ଟାରେ ସେ ଅମରକୋଷ ଓ ସର୍ବସାର ବ୍ୟାକରଣ ପଢ଼ି ଶେଷ କରିଥିଲେ, ଯାହା ପରବର୍ତ୍ତୀ ଜୀବନରେ ତାଙ୍କ ଲେଖାକୁ ସାହିତ୍ୟିକ ମର୍ଯ୍ୟାଦା ଆଣିଦେବାରେ ବହୁତ ସାହାଯ୍ୟ କରିଥିଲା । ଆନୁଷ୍ଠାନିକ ଶିକ୍ଷାର ଅଭାବ ତାଙ୍କ ସୃଷ୍ଟିକ୍ଷେତ୍ରରେ ବାଧକ ହୋଇନାହିଁ । କି ଶିକ୍ଷା ବା ଥିଲା ସେକ୍‌ସପିଅରଙ୍କର, ସେଲୀଙ୍କର, କାଳିଦାସଙ୍କର, ସାରଳାଙ୍କର, ଭୀମ ଭୋଇଙ୍କର, ରବୀନ୍ଦ୍ର ନାଥଙ୍କର, ଫକୀରମୋହନଙ୍କର.....ତାଲିକା କରି ବସିଲେ ବହୁ ଲମ୍ବା ହେବ ଏ ତାଲିକା !

 

ସେହି ବହୁଚର୍ଚ୍ଚିତ, ବହୁ ଆଲୋଚିତ, ବହୁ ରୋମନ୍ଥିତ ପୌରାଣିକ ଗଳ୍ପଗୁଡ଼ିକୁ ନେଇ ପାଣିକବି ଲେଖିଲେ ବକାସୁର ବଧ, ତ୍ରିପୁର ମୋହିନୀ ହରଣ, ପରଶୁରାମ ମାତୃହତ୍ୟା, ଦୌପଦୀ ସ୍ୱୟମ୍ବର, ଦକ୍ଷଯଜ୍ଞ, କପଟପଶା, ଶନିଲକ୍ଷ୍ମୀ କଳି, ଜଳନ୍ଧର ବଧ, ସମୁଦ୍ର ମନ୍ଥନ, ଲକ୍ଷ୍ମୀ ଲାଖ ବିନ୍ଧା, ପ୍ରବୀର ପତନ, ମହୀକର୍ଣ୍ଣ ବଧ, ଶକଟ ବ୍ୟୁହଭେଦ ପ୍ରଭୃତି ବହୁ ନାଟକ । ସଚେତନ ଭାବେ ସେ ଜାଣିନଥିଲେ କେଉଁ ଗଳ୍ପର ପୌରାଣିକ ଭିତ୍ତିଭୂମି କଣ । ତଥାପି ସେ ଏହି ବହୁଚର୍ଚ୍ଚିତ କଥାବସ୍ତୁ ଗୁଡ଼ିକୁ ନେଇ ଅକ୍ଷୟ କୀର୍ତ୍ତିରାଜି ଗଢ଼ିଗଲେ, ଯାହାକୁ କାଳ ମଳିନ କରି ପାରୁନାହିଁ । ପୌରାଣିକ କଥାଗୁଡ଼ିକୁ ସୁନ୍ଦର ଓ ସରସ କରିବା ପାଇଁ ତାଙ୍କର ଶୈଳୀ, ଦୃଷ୍ଟିଭଙ୍ଗୀ ଓ ଚରିତ୍ରଚିତ୍ରଣତା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି, ତାହାକୁ ଅସ୍ୱୀକାର କରିହେବ ନାହିଁ ।

 

ନାଟକର ଶୈଳୀ ସମ୍ପର୍କରେ ବ୍ରେଶ୍‌ଟ କହିଛନ୍ତି-‘‘ନାଟକ ଆଜି ପର୍ଯ୍ୟନ୍ତ ଏକ ସାର୍ବଜନୀନ କଳା ହୋଇ ରହି ଆସିଛି ତା’ର ସରଳ ପ୍ରକାଶଭଙ୍ଗୀ ଯୋଗୁଁ । ଜଟିଳତା ନାଟକର ହୃଦୟଗ୍ରାହିତା କ୍ଷେତ୍ରରେ କେବଳ ଅଯଥା ବାରଣ ସୃଷ୍ଟିକରେ । ଜଟିଳ ସମାଜର ବାର୍ତ୍ତା କୌଣସି ଜଟିଳ ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରେ ନାହିଁ ।’’ ପାଣିକବିଙ୍କ ସ୍ୱଳ୍ପ ଅଧ୍ୟୟନ ତାହାଙ୍କୁ ଉଭୟ ସଂସ୍କୃତାନୁଗ ଓ ଇଂରାଜୀ ପରିଶୀଳିତ ଶୈଳୀଠାରୁ ଦୂରବର୍ତ୍ତୀ କରିଥିଲା । ତାଙ୍କର ବିପୁଳ ପୌରାଣିକ ନାଟକ ଗୁଡ଼ିକର ଚରିତ୍ରମାନଙ୍କ ମୁହଁରେ ଫୁଟି ଉଠିଥିବା ସଂଳାପ ଓ ସଙ୍ଗୀତ ସବୁ କଥିତଭାଷା ଉପରେ ପର୍ଯ୍ୟବସିତ । ତା’ ସହିତ ତାଙ୍କର ଉପସ୍ଥାପନା ଶୈଳୀ, ଓଡ଼ିଶାର ବହୁ ପ୍ରାଚୀନ ସାହିତ୍ୟିକ ପରମ୍ପରା, ପ୍ରାଚୀନ ଛାନ୍ଦ ଓ ଚୌପଦୀର ଯମକ, ଅନୁପ୍ରାସ ଓ ଉତ୍‌ପ୍ରେକ୍ଷା ପ୍ରଭୃତି ଶବ୍ଦାଳଙ୍କାର ପୁଣି ଅର୍ଥାଳଙ୍କାରର ସୀମିତ ପ୍ରୟୋଗ ଯୋଗୁଁ ଉଚ୍ଚକୋଟୀର ହୋଇପାରିଛି । ଭାଷା ଭାବର ବାହକ । ସ୍ରଷ୍ଟା ହାତରେ ସାଧାରଣ ଗ୍ରାମ୍ୟକଥିତ ଭାଷା ମଧ୍ୟ ଯଥାଯଥ ପ୍ରୟୋଗ ବଳରେ ସଫଳ ଭାବ ବ୍ୟକ୍ତ କରିବାରେ ସକ୍ଷମ ହୋଇପାରେ, ଏକଥା ପାଣିକବି ଦେଖାଇ ଯାଇଛନ୍ତି । ତାଙ୍କ ଆଗରେ ଆର୍ଦଶ ଥିଲା ଓଡ଼ିଆ ରୀତି ସାହିତ୍ୟ, ଯାହା ତତ୍‌ସମ ଓ ତଦ୍ଭବ ଶବ୍ଦବହୁଳ ହୋଇ ଅର୍ଥକାଠିନ୍ୟ ଯୋଗୁଁ ଦୁର୍ବୋଧ୍ୟ ହୋଇ ପଡ଼ିଥିଲା । କିନ୍ତୁ ଉଚ୍ଚକୋଟୀର ସାଙ୍ଗୀତିକତା ପାଇଁ ଏଗୁଡ଼ିକ ଓଡ଼ିଆ ଜାତିର ପ୍ରାଣକୁ ସ୍ପର୍ଶ କରୁଥିଲା । ପାଣିକବି ଏହି ରୀତି ସାହିତ୍ୟର ସାଙ୍ଗୀତିକତାକୁ ଗ୍ରହଣ କରିଥିଲେ ମଧ୍ୟ ସରଳ ସୁବୋଧ୍ୟ ଶବ୍ଦାବଳୀ ସବୁ ନିଜର ଭାବାଭିବ୍ୟକ୍ତି ନିମନ୍ତେ ବ୍ୟବହାର କରିଥିଲେ । ଏ ସରଳ ତରଳ ଭାଷା ବିଭବ ତାଙ୍କର ଅଭିବ୍ୟକ୍ତିକୁ ଦୁର୍ବଳ କରିନାହିଁ ।

 

ହସ୍ତିନାଧିପତି ମାନୀ ଦୁର୍ଯ୍ୟୋଧନଙ୍କର ଖଳତା ସେହି ଗ୍ରାମ୍ୟଭାଷାରେ ବି କିଭଳି ଜୀବନ୍ତ ହୋଇଛି, ତାହା ନିମ୍ନ ସଂଳାପରୁ ଲକ୍ଷଣୀୟ-

 

‘‘ଶୁଣ ମନ୍ତ୍ରୀ ପୁରୋଚନ ! ମାନି ମୋହର ବଚନ,

 

ଚଳ ଚଞ୍ଚଳ ବାରୁଣାବନ୍ତେ ।

ନଗର ପ୍ରାନ୍ତରେ ତୋଳ, ଏକ ଗୋଟି ଜତୁଶାଳ

 

ଜଉ ଛଣପଟ ଗୁଆ ଘୃତେ ।୧।

 

ଆବର ମାଲପା ମାଟି, ଘୃତ ସହିତେ ଚକଟି

 

ଗୃହ କାନ୍ଥ କର ନିରିମାଣ ।

ଯେମନ୍ତେ ନୋହିବ ଜାଣି, ତହିଁ ଯୁକ୍ତ ଥିବ ଛଣି

 

କେହି ନ ପାଇବେ ତା’ ପ୍ରମାଣ ।୨।

(ବକାସୁର ବଧ)

 

ଅଥଚ ସେହି ନାଟକରେ ନିଜର ମନୋମତ ସୁନ୍ଦର ପୁରୁଷର ସାହଚର୍ଯ୍ୟ ପାଇଁ ହିଡ଼ିମ୍ବୀର କୁନ୍ତୀଙ୍କ ପ୍ରତି ଭକ୍ତି କିଭଳି କାରୁଣ୍ୟ ଭାବ ସୃଷ୍ଟି କରୁଛି, ତାହାର ଉଦାହରଣ-

 

‘‘ଦିଅ ମାତ ଅନୁମତି ଧରୁଛି ପାଦ, ମୋର ବଳିଛି ସଧ,

 

ସେଥିପାଇଁ କରାଇଲି ଭାଇକି ବଧ । ଘୋଷା ।

 

ସଫଳ କର ମାନସ      ବିଫଳନୋହୁ ମୋ ଆଶ,

ସମରପ ମୋ କରେ ତୋ’ ସୁତ-ସମ୍ପଦ ।୧।

 

ବନପର୍ବତ କନ୍ଦରେ      ଭ୍ରମିବି ଘେନି ଆଦରେ

ଚିନ୍ତିବ ମୋତେ ଯେ କାଳେ ପଡ଼ୁ ବିପଦ ।୨।

 

ପାଣିକବିଙ୍କ ସରଳ ତରଳ ଅଥଚ ସୁଭାବ-ବାହକ ପ୍ରକାଶ ଭଙ୍ଗୀରୁ ଏ ଦୁଇଟି ଉଦାହରଣ ଦିଆଗଲା । ମାତ୍ର ଏଭଳି ଅଜସ୍ର ଅଜସ୍ର ଉଦାହରଣ ତାଙ୍କ ଗୀତିନାଟ୍ୟ ଗୁଡ଼ିକରୁ ମିଳିପାରିବ ।

 

ସୌନ୍ଦର୍ଯ୍ୟ ଶିବ ବା ମଙ୍ଗଳାନୁଭୂତି ସାପେକ୍ଷ । ଏହି ମଙ୍ଗଳାନୁଚିନ୍ତା ପୁଣି ଉଭୟ ବ୍ୟକ୍ତି ଓ ସମାଜ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ପୌରାଣିକ ନାଟକମାନଙ୍କରେ ବ୍ୟକ୍ତି କଲ୍ୟାଣ ଅପେକ୍ଷା ସମାଜ କଲ୍ୟାଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ବ୍ୟକ୍ତିର ଶୋଷଣ, କଷଣ ଓ ପୀଡ଼ନରୁ ସମାଜକୁ ରକ୍ଷା କରିବା ପାଇଁ ଏହି ନାଟ୍ୟକାରମାନେ ଦୃଷ୍ଟିଦେଇଥାନ୍ତି । ବହୁ ସମୟରେ ବ୍ୟକ୍ତି-ସୃଷ୍ଟ ଏହି କଷଣ, ସମାଜର ସାମୂହିକ ଉଦ୍ୟମରେ ନିବାରିତ ହୋଇ ନପାରିଲେ ମଧ୍ୟ ଜନଚେତନା ଏଥିରେ ହତୋତ୍ସାହ ହୁଏ ନାହିଁ । ଅନ୍ୟାୟ ନିଶ୍ଚୟ ନିବାରିତ ହେବ-ଏଭଳି ଏକ ଚେତନା ଏହି ଅତ୍ୟାଚାରିତ ମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥାଏ । ଏହି ଆଶାବାଦର ପରିବର୍ତ୍ତିତ ରୂପ ହେଉଛି ଐଶ୍ୱରିକ ସ୍ଥିତି ଉପରେ ବିଶ୍ୱାସ । ଈଶ୍ୱର ବିଶ୍ୱାସ ତେଣୁ ହେଉଛି ଅତ୍ୟାଚାର ବିରୋଧରେ ଏକ ଅସହାୟ ଜନଚେତନା । ପାଣିକବିଙ୍କ ‘ପରଶୁରାମ ମାତୃହତ୍ୟା’ ନାଟକରେ ଧରଣୀ ହେଉଛନ୍ତି ଅତ୍ୟାଚାରିତ ଜନମାନସର ପ୍ରତିଛବି । କ୍ଷତ୍ରିୟ ଜାତିର ଅତ୍ୟାଚାରରେ ସେ ଆକୁଳ ହୋଇ ପ୍ରାର୍ଥନା କରିଛନ୍ତି-‘ଜୟନାରାୟଣ ହେ, ଏଡ଼େ ହୁଅ ତୁମେ ଦାରୁଣ । ଶରଣ ପଶୁଛି ବାରଣ-ତାରଣ କର ଦୀନେ କାରଣ । ବେଳୁ ବେଳ ବଢ଼ି କ୍ଷତ୍ରିୟ ଜାତି, ମୋ ପୃଷ୍ଠେ ପୀଡ଼ା ଦେଲେ ରମାପତି । ନଷ୍ଟକର ଦୁଷ୍ଟ ଷଷ୍ଠ ଅବତାର ମର୍ତ୍ତ୍ୟେ କରି ଧାରଣ । X X ଦର୍ପେ ମୋ ଉପରେ କଲେ ପଦାଘାତ । ମୁଖ ବାଟ ଦେଇ ଝରେ ଶୋଣିତ ।’ ଇତ୍ୟାଦି । କେବଳ ଅତ୍ୟାଚାର ବିରୁଦ୍ଧରେ ଅସହାୟ ମତବ୍ୟକ୍ତ ଦ୍ୱାରା ମଙ୍ଗଳର ଆରାଧନା ନୁହେଁ, ଅତ୍ୟାଚାରୀର କ୍ଷୟପରେ ଅତ୍ୟାଚାରିତର ଉଲ୍ଲସିତ ଭାବ ତାଙ୍କ ଲେଖନୀରେ ନିମ୍ନ ପ୍ରକାର ରୂପ ପାଇଛି-

 

‘‘୧ମ

-

ୟାକୁ ସହିଲା ନାହିଁରେ ଧରମ ।

୨ୟ

-

କେହି ନ କରିବେ ପାପ କରମ ।

୧ମ

-

ୟା ନାଁଟି ଦଇବ ମାଡ଼ ।

୨ୟ

-

ଏହି ହେତୁରୁ ବିଧାତା ବଡ଼ ।

୧ମ

-

ମୁଁ ଜାଣେ ଦେବତା ଦ୍ୱିଜ ରୂପେ ଆସି ମାରିଗଲା ଭାଷେ ବଇରେ ।

(ବକାସୁର ବଧ)

 

କେବଳ ପ୍ରାଚ୍ୟ ଆଲୋଚକ ମାନେ ନୁହନ୍ତି, ପାଶ୍ଚାତ୍ୟ ସୌନ୍ଦର୍ଯ୍ୟଶାସ୍ତ୍ରୀମାନେ ମଧ୍ୟ ଭଗବତ ବିଶ୍ୱାସକୁ ସୌନ୍ଦର୍ଯ୍ୟର ଆଧାର ବୋଲି ସ୍ୱୀକାର କରିଛନ୍ତି । ମନୋବିଜ୍ଞାନୀ-ନନ୍ଦନତାତ୍ତ୍ୱିକମାନଙ୍କ ମଧ୍ୟରୁ ଆଇଡିଆଲିଷ୍ଟ ବା ଇନ୍‌ଟୁଇସନାଲିଷ୍ଟ ମାନେ ସୌନ୍ଦର୍ଯ୍ୟକୁ ପାର୍ଥିବ ବିଶ୍ଳେଷଣର ଉର୍ଦ୍ଧ୍ୱବୋଲି ମନେ କରନ୍ତି । ସେମାନଙ୍କ ମତରେ ସୌନ୍ଦର୍ଯ୍ୟର ବିଶ୍ଳେଷଣ ହୋଇପାରେନା, କାରଣ ସୌନ୍ଦର୍ଯ୍ୟ ହେଉଛି ଭଗବାନଙ୍କର ପ୍ରତିରୂପ । ଜନ୍‌ ରସ୍କିନ ମଧ୍ୟ ‘ଲେକଚରସ୍‌ ଅନ ଆର୍ଟ’ ଗ୍ରନ୍ଥରେ ‘ସୌନ୍ଦର୍ଯ୍ୟ ଈଶ୍ୱରଙ୍କ ରୂପାନ୍ତର’ ବୋଲି ସ୍ୱୀକାର କରିଛନ୍ତି । ପାଣିକବିଙ୍କର ଈଶ୍ୱର ବିଶ୍ୱାସ ତାଙ୍କର ସୃଷ୍ଟିକୁ ସୌନ୍ଦର୍ଯ୍ୟ ବିମଣ୍ଡିତ କରିବାର ଏକ ମୁଖ୍ୟ କାରଣ ।

 

ଭାରତୀୟ ସୌନ୍ଦର୍ଯ୍ୟତତ୍ତ୍ୱବିତ୍‌ ମାନଙ୍କ ମତରେ ସତ୍ୟାନୁଭୂତି ହେଉଛି ସୌନ୍ଦର୍ଯ୍ୟ ସୃଷ୍ଟିର ଅନ୍ୟତମ କାରଣ । ଇଂରେଜୀ କବି କୀଟ୍‌ସ ମଧ୍ୟ ଏହିକଥା ସ୍ୱୀକାର କରି କହିଛନ୍ତି-‘Truth is beauty, beauty is truth’ ! ସତ୍ୟାନୁଭୂତିର ଦୁଇଟି ରୂପ ରହିଛି, ଯଥା-ଆପେକ୍ଷିକ ରୂପ ଓ ଚିରନ୍ତନ ରୂପ । ଭାରତୀୟ ଚିନ୍ତାଧାରାରେ ଏହି ଆପେକ୍ଷିକ ରୂପକୁ ସତ୍ୟ ବୋଲି ଚିହ୍ନିତ କରାଗଲା ବେଳେ, ଚିରନ୍ତନ ରୂପକୁ ‘ଧ୍ରୁବ’ କୁହାଯାଏ । ଆପେକ୍ଷିକ ସତ୍ୟ ସମୟ, ପରିବେଶ, ଦେଶ, କାଳ ଓ ପାତ୍ର ଅନୁସାରେ ବଦଳି ଯାଇପାରେ । ମାତ୍ର ଧ୍ରୁବ ସତ୍ୟର ପରିବର୍ତ୍ତନ ହୁଏ ନାହିଁ । ପାଣିକବିଙ୍କ ରଚନାରୁ ଏ ଉଭୟ ପ୍ରକାର ସତ୍ୟର ସନ୍ଧାନ ମିଳେ । ସୁନ୍ଦର ପୁରୁଷ ଦେଖିଲେ ନାରୀ ପ୍ରଲୋଭିତା ହୁଏ, ଏହା ଏକ ଚିରନ୍ତନ ସତ୍ୟ । ‘ତ୍ରିପୁର ମୋହିନୀ ହରଣ’ ଗୀତିନାଟ୍ୟରେ ଏ ସତ୍ୟର ପରିପ୍ରକାଶ ଘଟିଛି । ତ୍ରିପୁରମୋହିନୀ ପ୍ରଥମେ ଶିବପୁତ୍ର କାର୍ତ୍ତିକେୟଙ୍କ ରୂପରେ ମୁଗ୍‌ଧା । ତେଣୁ ସେ ତାଙ୍କୁ ବରରୂପେ ପାଇବାକୁ ଆଗ୍ରହୀ । ମାତ୍ର ପରେ ‘ପ୍ରଦ୍ୟୁମ୍ନ’ଙ୍କ ଚିତ୍ରପଟ ଦେଖି ତାହାଙ୍କୁ ସୁନ୍ଦରତମ ପୁରୁଷ ବୋଲି ସ୍ଥିର କଲାପରେ ତାଙ୍କର ମୂଳ ସିଦ୍ଧାନ୍ତ ବଦଳି ଯାଇଛି । ସେମିତି ଅନ୍ୟ ଏକ ସତ୍ୟ ପ୍ରକାଶ ପାଇଛି ତ୍ରିପୁରମୋହିନୀଙ୍କ ସଖୀ ମୁଖରେ-‘ଜେମାଦେଈ, ଯେତେବେଳେ ବନରେ ମାଧବୀ ଫୁଲ ଫୁଟିଛି, ଅବଶ୍ୟ ଭ୍ରମର ଆସି ଯୁଟିବ, ସେ ଫୁଲରୁ ମଧୁ ଲୁଟିବ । ସେ ସୁବାସକୁ କେହି ବାନ୍ଧି ରଖିପାରିବେ ନାହିଁ, ତାହା ମହମହ ହୋଇ ଚାରିଆଡ଼େ ଛୁଟିବ ।’’ କିମ୍ବା ରାଜଜେମାଙ୍କ ଅନୁଭୂତି- ‘‘ପୁରୁଷ ପରଶମଣି ରମଣୀ ପାଷାଣ । କାମିନୀ କାଞ୍ଚନ ତା’ ପରଶେ ହୁଏ ପୁଣି ।’’ ଅଥଚ ନାରୀ ଗୋଟିଏ ପୁରୁଷର ମନ ତୁଟାଇ ଆଉ ଗୋଟିଏ ପୁରୁଷ ଆଶାକଲେ କୁଳଟା ହୁଏ, ଏ ମଧ୍ୟ ଏକ ସତ୍ୟ । ମାତ୍ର ଏ ସତ୍ୟ ଏକ ନିର୍ଦ୍ଦିଷ୍ଟ ସମାଜର, ତେଣୁ ଏ ସତ୍ୟ ଆପେକ୍ଷିକ । ତଥାପି ଏହାର ଗୁରୁତ୍ୱ କମ୍‌ ନୁହେଁ । ତେଣୁ ସେହି ଗୀତିନାଟ୍ୟରେ ନାରଦ କହିଛନ୍ତି-‘‘ଏଡ଼ିକି କୁଳଟା ମେରୁଶୂଳ ଦୈତ୍ୟସୁତା, ତେଜି ନିଜ ପତି ଉପପତିକି ଭଜିଲା ।’’ କିନ୍ତୁ ଏ ମନ୍ତବ୍ୟ ସତ୍ତ୍ୱେ ପାଣିକବି ପ୍ରେମର, ଭଲପାଇବାର ଓ ସୌନ୍ଦର୍ଯ୍ୟର ବିଜୟ ଦେଖାଇଛନ୍ତି ।

 

ପ୍ରଦ୍ୟୁମ୍ନ ଓ ତ୍ରିପୁରମୋହିନୀଙ୍କର ପ୍ରଣୟ ସଫଳ ହୋଇଛି । ମିଥ୍ୟା ଅଭିମାନ ଓ ଅହଂକାରର ପ୍ରତୀକ ମେରୁଶୂଳ ନିହତ ହୋଇଛି । ସମାଜ-ନିର୍ଦ୍ଧାରିତ ସତ୍ୟ ଉପରେ ପ୍ରେମର ଚିରନ୍ତନ ସତ୍ୟ ବିଜୟର ଧ୍ୱଜା ଉଡ଼ାଇଛି, ଯେମିତି ପାଣିକବିଙ୍କ ନିଜ ଜୀବନରେ ଧୋବଣୀ ‘ହରପ୍ରେମର ଧ୍ୱଜା ଉଡ଼ାଇଥିଲା । ବିବାହିତା ସ୍ତ୍ରୀ, ବ୍ରାହ୍ମଣ ସମାଜର କୌଳୀନ୍ୟ ଅଭିମାନ ସବୁକୁ ପରିତ୍ୟାଗ କରି ପାଣିକବି ସୌନ୍ଦର୍ଯ୍ୟର ଆକର୍ଷଣରେ ବିମୋହିତ ହୋଇଥିଲେ । ପ୍ରେମ ମଣିଷ ମନର ସୁନ୍ଦରତମ ଦୁର୍ବଳତା । ‘Love is the noblest fraility of the mind, (Dryden) ଏ ସୁନ୍ଦରତମ ଅନୁଭୂତି ଆଗରେ ସମାଜର ନାଲିଆଖି, ନିନ୍ଦା ଓ ଅପମାନ ସବୁ ତୁଚ୍ଛ । ନିଜ ବ୍ୟକ୍ତିଗତ ଜୀବନରେ ପ୍ରେମ ପାଇଁ ଆତ୍ମବଳିଦାନ ଭଳି ତ୍ରିପୁରମୋହିନୀ ହେଉ, କି ହିଡ଼ିମ୍ବୀ ହେଉ, ସେହି ଚିରନ୍ତନୀ ନାରୀର ରୂପତୃଷ୍ଣା ଆଗରେ ସମାଜର ବିଧିନିଷେଧକୁ ବଳିଦେବାକୁ କବି ପରାଙ୍‌ମୁଖ ହୋଇନାହାନ୍ତି । ଏକ ଚିରନ୍ତନ ସତ୍ୟର ବିଜୟବାର୍ତ୍ତା ତାଙ୍କ ନାଟକକୁ ସୁନ୍ଦରରୁ ସୁନ୍ଦରତର କରିଛି ।

 

ପାଶ୍ଚାତ୍ୟ ସୌନ୍ଦର୍ଯ୍ୟଶାସ୍ତ୍ରୀ କ୍ରୋଚେଙ୍କ ମତରେ-‘‘ସୌନ୍ଦର୍ଯ୍ୟ କୌଣସି ବସ୍ତୁରେ ନଥାଏ, ଥାଏ ଦର୍ଶକର ଚେତନା ଚାତୁରୀରେ ।’’ ଯେଉଁ ପୌରାଣିକ ଗଳ୍ପମାନଙ୍କୁ ନେଇ ପାଣିକବି ନାଟକ ଲେଖି କାଳଜୟୀ ହେଲେ, ସେଗୁଡ଼ିକ ସବୁ ଭାରତୀୟମାନଙ୍କ ନିକଟରେ ସାଧାରଣ କଥା, ନିତିଦିନର ଶୁଣା କାହାଣୀ, କିନ୍ତୁ କବିଙ୍କ ସୌନ୍ଦର୍ଯ୍ୟ ଦୃଷ୍ଟି ସାଧାରଣ ପ୍ରତୀୟମାନେ ହେଉଥିବା ଏହି କଥାମାନଙ୍କୁ ଅସାଧାରଣ ଓ ଦିବ୍ୟସୁନ୍ଦର କରିପାରିଛି । ତେଣୁ ଗଣକବି ବୈଷ୍ଣବ ପାଣିଙ୍କ ରଚନାଗୁଡ଼ିକ ଚିରକାଳ ରସୋତ୍ତୀର୍ଣ୍ଣ ହୋଇ ରହିଛି ଓ ରହିବ ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ସହାୟକ ଗ୍ରନ୍ଥସୂଚୀ

୧)

ବୈଷ୍ଣବ ପାଣି ଗ୍ରନ୍ଥାବଳୀ-ତୃତୀୟ ଭାଗ ।

୨)

ଓଡ଼ିଆ ସାହିତ୍ୟର କ୍ରମବିକାଶ-ସୁରେନ୍ଦ୍ର ମହାନ୍ତି ।

୩)

ନୂତନ ନାଟ୍ୟ ଚିନ୍ତା-ନୀଳାଦ୍ରି ଭୂଷଣ ହରିଚନ୍ଦନ ।

୪)

Studies in Indian Aesthetics and Criticism-D. V. K. Murty.

୫)

Aesthetic meaning; Some recent theories- Rekha Jhanji.

୬)

Aestheticians-Publication Division, Govt, of India.

୭)

Artistic Truth & Dialectics of creative work-V. Novikov.

୮)

The Concept of Aesthetics-B. Bosanquet.

 

 

ସଂସ୍କୃତି ନିର୍ଦ୍ଦେଶାଳୟ,

ଭୁବନେଶ୍ୱର-୧୪ ।

 

***

 

Unknown

ଗଣକବି ପାଣିଙ୍କ ଭଜନ-ଜଣାଣ

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

 

ସଂସ୍କୃତର ‘ଭଜ୍’ ଧାତୁରେ (ଅଧିକରଣ) ‘ଅନ୍‌’ ପ୍ରତ୍ୟୟ ଯୋଗରେ ନିଷ୍ପନ୍ନ ‘ଭଜନ’ ଶବ୍ଦଟି ଦେବାଦିଙ୍କର ସ୍ତୁତିଗାନ, ମହିମାକୀର୍ତ୍ତନ, ବା ନାମକୀର୍ତ୍ତନକୁ ବୁଝାଏ । ଈଶ୍ୱର ବା ଦେବତାଙ୍କର ଗୁଣ ବା ସତ୍‌କର୍ମର ଶ୍ରଦ୍ଧାପୂର୍ଣ୍ଣ ବର୍ଣ୍ଣନା ସମ୍ବଳିତ ସ୍ତୁତି-ସଙ୍ଗୀତହିଁ ଭଜନ । ଏଥିରେ ଭକ୍ତର କୌଣସି କାମନା ପ୍ରକାଶିତ ହୋଇ ନଥାଏ, କିନ୍ତୁ ଜଣାଣ’ କାମନାରହିତ ନୁହେଁ । ଏଥିରେ ଭକ୍ତ ଭଗବାନଙ୍କ ନିକଟରେ ନାନା ହାରି-ଗୁହାରି ଆକୁତି-ମିନତି କରିଥାଏ ଏବଂ ଈଶ୍ୱରଙ୍କ ନାମ କୀର୍ତ୍ତନକୁ ଗୌଣସ୍ଥାନ ଦେଇଥାଏ । ‘ପ୍ରାର୍ଥନା’ ଜଣାଣର ରୂପାନ୍ତର । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ତେଣୁ ଜଣାଣ ବା ପ୍ରାର୍ଥନାଠାରୁ ଭଜନ ମହତ୍ତର । ଓଡ଼ିଆ ସାହିତ୍ୟରେ ଭଜନ-ସାହିତ୍ୟ ଏକ ବିଶିଷ୍ଟ ବିଭାଗ । ଭଜନ, ଜଣାଣ, ପ୍ରାର୍ଥନା, ବନ୍ଦନା, ସ୍ତୁତି, ସ୍ତବ, ସ୍ତୋତ୍ର ଇତ୍ୟାଦି, ଭଜନ-ସାହିତ୍ୟର ଅନ୍ତର୍ଭୁକ୍ତ ।

 

ପ୍ରାଗୈତିହାସିକ ଯୁଗରେ ମଣିଷର ଈଶ୍ୱର-ବିଶ୍ୱାସ ଥିଲା କି ନ ଥିଲା ବା ତାଙ୍କ ପୂଜାପାଠ ଓ ଭଜନ କୀର୍ତ୍ତନ ସେ କରୁଥିଲା କି କରୁ ନଥିଲା, ଏ ସମ୍ବନ୍ଧରେ କୌଣସି ପ୍ରାମାଣିକ ତଥ୍ୟର ସନ୍ଧାନ ମିଳେ ନାହିଁ । ମନେହୁଏ, କୌଣସି କାର୍ଯ୍ୟରେ ସାଫଲ୍ୟ ହାସଲ କରିବା ପରେ ଆନନ୍ଦରେ ଆତ୍ମହରା ହୋଇ ସେ ଯୁଗର ମଣିଷ ଯେଉଁ ଶବ୍ଦ ବା ଶବ୍ଦାବଳୀ ଉଚ୍ଚାରଣ କରୁଥିବ, ତାହାହିଁ ଥିଲା ତତ୍କାଳୀନ ଭଜନର ସ୍ୱରୂପ । ଏତଦ୍‌ବ୍ୟତୀତ କୌଣସି କାର୍ଯ୍ୟର ପ୍ରାରମ୍ଭରେ ଏହାର ସଫଳ ସମାପ୍ତି ନିମନ୍ତେ ସେମାନଙ୍କ ମନରେ ଯେଉଁ ଆତ୍ମିକ ପ୍ରେରଣା ଜାତ ହେଉଥିଲା ତାହାରି ପ୍ରକାଶିତ ରୂପକୁ ସେମାନଙ୍କର ପ୍ରାର୍ଥନା ବା ଇଷ୍ଟସ୍ମରଣ ବୋଲି ମଧ୍ୟ ଧରିନିଆଯାଇପାରେ । ପରବର୍ତ୍ତୀ ବୈଦିକ ଯୁଗର ମଣିଷ ହୋଇଛି ଅପେକ୍ଷାକୃତ ଉନ୍ନତ ଓ ସଭ୍ୟ । ଅଗ୍ନି, ବାୟୁ, ସୂର୍ଯ୍ୟ ଆଦି ବିଭିନ୍ନ ପ୍ରାକୃତିକ ବିଭାବ ଦ୍ୱାରା ସେମାନେ ଉପକୃତ ହେଉଥିବାରୁ କୃତଜ୍ଞତା ଜ୍ଞାପନ ସ୍ୱରୂପ ସେମାନେ ସେହିମାନଙ୍କୁ ଦେବତାରୂପେ ଗ୍ରହଣ କରି ନେଇ ସେମାନଙ୍କ ସନ୍ତୋଷ ବିଧାନ ଉଦ୍ଦେଶ୍ୟରେ ବହୁ ସୂକ୍ତ ରଚନା କଲେ ଏବଂ ସେଗୁଡ଼ିକୁ ସ୍ୱର ଓ ଲୟ ସହିତ ଗାନକରି ପରିକଳ୍ପିତ ସେହି ଦେବତାମାନଙ୍କୁ ଭକ୍ତି ନିବେଦନ କଲେ । ସେହି ସୂକ୍ତଗୁଡ଼ିକହିଁ ଭଜନର ଆଦି ରୂପ । ପରବର୍ତ୍ତୀକାଳରେ ଏହା ରୂପାନ୍ତରିତ ହେଲା ସ୍ତୁତି, ସ୍ତୋତ୍ର ଇତ୍ୟାଦିରେ । ପ୍ରାଚୀନ କାଳର ସଂସ୍କୃତ କବିମାନେ ବହୁ ସ୍ତୋତ୍ର ରଚନା କରିଛନ୍ତି ଏବଂ ସେଗୁଡ଼ିକ ଜନସମାଜର ମଙ୍ଗଳ ବିଧାନ ନିମନ୍ତେ ଅଭିପ୍ରେତ ଥିବାରୁ ଏହା ପ୍ରତି ଜନସାଧାରଣଙ୍କର ଆକର୍ଷଣ ବଢ଼ିଛି; ଫଳରେ କ୍ରମେ ଏହାର ଲୋକପ୍ରିୟତା ବୃଦ୍ଧିପ୍ରାପ୍ତ ହୋଇଛି ।

 

ପ୍ରାନ୍ତୀୟ ଭାଷାମାନ ସୃଷ୍ଟି ହେବାପରେ ଏହି ଲୋକପ୍ରିୟ ବିଭାବଟିର ଦ୍ରୁତ ବିକାଶ ଘଟିଛି-। ତେଣୁ ପ୍ରତ୍ୟେକ ପ୍ରାନ୍ତର ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟରେ ଭଜନ ସାହିତ୍ୟ ଏକ ବିଶେଷ ଭୂମିକା ଗ୍ରହଣ କରିଛି । ଓଡ଼ିଶାର ପଞ୍ଚସଖା ଓ ସମକାଳୀନ ବହୁ ଭକ୍ତକବି, ରୀତିଯୁଗର ଉପେନ୍ଦ୍ରଭଞ୍ଜ, ଦୀନକୃଷ୍ଣ, ଭକ୍ତଚରଣ, ବନମାଳୀ, ଅଭିମନ୍ୟୁ, ହାଡ଼ି ଦାସ, ଯଦୁମଣି, ଗୋପାଳକୃଷ୍ଣ, ଗୌରହରି, ଗୌରଚରଣ, ବଳଦେବ, ଚନ୍ଦନ ହଜୁରୀ ପ୍ରଭୃତି ବହୁ ଭକ୍ତକବି ରାଶି ରାଶି ଭଜନ, ଜଣାଣ ଆଦି ରଚନା କରି ଓଡ଼ିଆ ସାହିତ୍ୟକୁ ପୁଷ୍ଟ କରିଛନ୍ତି । ସେହିପରି ଆଧୁନିକ ଯୁଗରେ ଯେଉଁମାନେ ଭଜନ, ଜଣାଣାଦି ରଚନା କରି ବହୁ ପ୍ରସିଦ୍ଧିର ଅଧିକାରୀ ହୋଇଛନ୍ତି, ସେମାନଙ୍କ ମଧ୍ୟରେ କବିଚନ୍ଦ୍ର କାଳିଚରଣ ଓ ଗଣକବି ବୈଷ୍ଣବ ପାଣିଙ୍କ ନାମ ଉଲ୍ଲେଖଯୋଗ୍ୟ ।

 

ଗୀତିନାଟ୍ୟ ସମ୍ରାଟ ବୈଷ୍ଣବ ପାଣି ୧୮୮୨ ଖ୍ରୀଷ୍ଟାବ୍ଦରେ କଟକ ଜିଲ୍ଲା କୋଠପଦାରେ ପିତା ସୁଦର୍ଶନ ପାଣି ଓ ମାତା ଚାନ୍ଦଦେବୀଙ୍କ କୋଳମଣ୍ଡଳ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କ ନାମକରଣ କରିଥିଲେ ଶତୃଘ୍ନ । ଶତୃଘ୍ନ ବାଲ୍ୟକାଳରୁ ଦୁଃସାଧ୍ୟ ରୋଗର ଶିକାର ହୋଇଥିଲେ । ନିର୍ଦ୍ଧନ ପିତାମାତା ସାଧ୍ୟ ମୁତାବକ ଚିକିତ୍ସା କରି ବିଫଳ ହେବାରୁ ଜଗନ୍ନାଥଙ୍କ ବଡ଼ଛତା ତଳେ ତାଙ୍କୁ ବୈଷ୍ଣବ କରିଦେଇଥିଲେ । ସେହିଦିନଠାରୁ ଶତ୍ରୁଘ୍ନ ପାଣି ପରିଚିତ ହେଲେ ବୈଷ୍ଣବ ପାଣି ନାମରେ-ପିଲାଦିନରୁ ସେ ଜୀବନ ସହ ଅହରହ ସଂଗ୍ରାମରତ ଥିଲେ । ଗୋରକ୍ଷକ ଏବଂ ଛାତ୍ରାବାସରେ ପାଚକ ଭାବରେ କାର୍ଯ୍ୟକରି ଅଦମ୍ୟ ଉତ୍ସାହ ଯୋଗୁଁ ମାତ୍ର ଷଷ୍ଠଶ୍ରେଣୀ ପର୍ଯ୍ୟନ୍ତ ସେ ଶିକ୍ଷାପ୍ରାପ୍ତ ହୋଇଥିଲେ । କୋଠପଦା ମହନ୍ତଙ୍କ ପାଖରେ କାର୍ଯ୍ୟକରୁଥିବା ସମୟରେ ନୃତ୍ୟ, ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ଜାତ ହୋଇଥିଲା । ତା’ପରେ ଏହାର କ୍ରମିକ ଉତ୍ତରଣ ହେଲା ଯେତେବେଳେ ସେ ପାଲାଗାୟକ ହିସାବରେ ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କଲେ । ତାଙ୍କ ପ୍ରତିଭାର ପୂର୍ଣ୍ଣବିକାଶ ଘଟିଥିଲା ଯେତେବେଳେ ସେ ମାଳିହତା ଗ୍ରାମରେ ପ୍ରଥମ କରି ଓସ୍ତାଦ୍‌ ହେଲେ । ଗାନ୍ଧର୍ବ ବିଦ୍ୟାରେ ପାଟବ ଓ ଆନ୍ତରିକ ନିଷ୍ଠାଯୋଗୁଁ ସେ ହେଲେ ଆଶାତୀତ ପ୍ରସିଦ୍ଧିର ଅଧିକାରୀ ।

 

ମାତ୍ର ଏକୋଇଶ ବର୍ଷ ବୟସରେ ତାଙ୍କ ପ୍ରତିଭାର ଆଦ୍ୟ ଓଁକାର ଧ୍ୱନି ‘ମେଘନାଦ ବଧ’ ଗୀତିନାଟ୍ୟ ମାଧ୍ୟମରେ ଶୁଣାଯାଇଥିଲା । ତାପରେ ତାଙ୍କ ଅତନ୍ଦ୍ର ଲେଖନୀ ସୃଷ୍ଟି କରି ଚାଲିଲା ଗୋଟିଏ ପରେ ଗୋଟିଏ ଗୀତିନାଟ୍ୟ, ଗୀତାଭିନୟ ଓ ସୁଆଙ୍ଗ । ସେ ରୀତିଯୁଗର ଅନ୍ୟତମ ଶ୍ରେଷ୍ଠ ବିନ୍ଧାଣୀ ଉତ୍କଳ-ଘଣ୍ଟ ଯଦୁମଣିଙ୍କ ଭଳି ଆଶୁକବି ଥିଲେ ଓ ତତ୍‌କ୍ଷଣାତ୍‌ କବିତା ରଚନା କରିପାରୁଥିଲେ । ନିଜର ରଚନାବଳୀର ବିଷୟବସ୍ତୁ ନିର୍ବାଚନରେ ଓ ଚରିତ୍ର ଆହରଣରେ ସେ ଯେପରି ଧୂରୀଣ, ସଙ୍ଗୀତରେ ବିଭିନ୍ନ ରସ ପରିପାକ ଘଟାଇ ଦର୍ଶକମାନଙ୍କୁ ହସାଇ, ରସାଇ ଓ କନ୍ଦାଇ ବ୍ୟତିବ୍ୟସ୍ତ କରିଦେବାରେ ସେ ମଧ୍ୟ ସେହିପରି ସିଦ୍ଧହସ୍ତ । ହାସ୍ୟରସ ଯାତ୍ରା-ସାହିତ୍ୟର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇଥିବାରୁ ସେ ଏହାର ବହୁଳ ପ୍ରୟୋଗ କରିଛନ୍ତି ନିଜର କୃତିମାନଙ୍କରେ । ପାତ୍ରମୁଖୀ ଭାଷା ନିର୍ବାଚନ କରିବାରେ ମଧ୍ୟ ସେ ଥିଲେ ଜଣେ ସଫଳ ଶିଳ୍ପୀ । ଆଧୁନିକ ଗଣଚିତ୍ତକୁ ତାଙ୍କର ଅତୁଳନୀୟ ଓ ଚିରନ୍ତନ ଦାନ ପାଇଁ ସେ ଯଥାର୍ଥରେ ଗଣକବି ।

 

ବୈଷ୍ଣବ ପାଣି କେବଳ ଗୀତିନାଟ୍ୟ, ଗୀତାଭିନୟ, ସୁଆଙ୍ଗ, ଫାର୍ଶ ଇତ୍ୟାଦିର ସ୍ରଷ୍ଟା ନୁହନ୍ତି, ବହୁ ଭଜନ–ଜଣାଣ ରଚନା କରି ସେ ଓଡ଼ିଆ ଭଜନ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ତାଙ୍କ ଦ୍ୱାରା ରଚିତ ବହୁ ଭଜନ ‘ଜଗନ୍ନାଥ ଜଣାଣମାଳା’, ‘ଭାଗବତ ଭଜନମାଳା’ ଓ ‘ତ୍ରିନାଥ ମେଳା ଭଜନ’ ଇତ୍ୟାଦିରେ ସନ୍ନିବେଶିତ ହୋଇଛି । ଏହି ଭଜନ-ଜଣାଣଗୁଡ଼ିକ ମଧ୍ୟରୁ ଅନେକ ପ୍ରସଙ୍ଗକ୍ରମେ ତାଙ୍କ ନାଟକମାନଙ୍କରେ ବିଭିନ୍ନ ପାତ୍ର-ପାତ୍ରୀଙ୍କ ମୁଖରୁ ଝରିଆସିଛି । କବିଙ୍କ ଆଧ୍ୟାତ୍ମିକ ପ୍ରେରଣା ଓ ଦାର୍ଶନିକ ଅନୁଚିନ୍ତା ଏଗୁଡ଼ିକରେ ଆଭାସିତ । ଜଣାଣରେ ଅନୁରାଗ ଓ ଭଜନରେ ତନ୍ମୟତା-ଉଭୟର ମୂଳଭାବଟି ଭକ୍ତି । ପୁଣି ଏ ଉଭୟ ଭଜନ-ସାହିତ୍ୟର ଅଂଶ ବିଶେଷ । ଏ ଦୃଷ୍ଟିରୁ ଭଜନ ଓ ଜଣାଣକୁ ସମପର୍ଯ୍ୟାୟବାଚକ ଶବ୍ଦରୂପେ ଗ୍ରହଣ କରାଯାଇ ଗଣକବିଙ୍କ ଭଜନ ଓ ଜଣାଣଗୁଡ଼ିକୁ ଭଜନ-ଜଣାଣ ଭାବରେ ଆଲୋଚନାର ପରିସରକୁ ଅଣାଯାଇଛି ।

 

ବହୁ ପ୍ରାଚୀନ ଓ ମଧ୍ୟଯୁଗୀୟ ଭଜନ–ଜଣାଣରେ ଶୈବ, ଶାକ୍ତ ବା ବୈଷ୍ଣବ ସଂପ୍ରଦାୟ ଭଳି କୌଣସି ଏକ ନିର୍ଦ୍ଦିଷ୍ଟ ସାମ୍ପ୍ରଦାୟିକ ବିଶ୍ୱାସର ଛାପ ଅଙ୍କିତ ହୋଇଥିବା ଦେଖାଯାଏ; ପାଣିକବିଙ୍କ ରଚନାବଳୀରେ କିନ୍ତୁ ଏହାର ବ୍ୟତିକ୍ରମ ସ୍ପଷ୍ଟ । କାରଣ ସେ କବି, କୌଣସି ନିର୍ଦ୍ଦିଷ୍ଟ ଧର୍ମ ସଂପ୍ରଦାୟର ପ୍ରବକ୍ତା ନୁହନ୍ତି । ସନାତନ ଭାବଧାରାରେ ଉଦ୍‌ବୁଦ୍ଧ ଏହି କବି ତେଣୁ ରାମ, କୃଷ୍ଣ, ଜଗନ୍ନାଥ, କାଳୀ, ଦୁର୍ଗା ପ୍ରମୁଖ ଦେବଦେବୀଙ୍କ ନିକଟରେ ଅନ୍ତରର ନୈବେଦ୍ୟ ବାଢ଼ିଛନ୍ତି ଏବଂ ନିଜକୁ ସବୁ ସଂପ୍ରଦାୟର ଭକ୍ତରୂପେ ପରିଚିତ କରିଛନ୍ତି । ଦେବୀ ସାରଳାଙ୍କୁ ସ୍ତୁତି କରି ସେ ଗାଇଛନ୍ତି-

 

‘‘କନକପୁରବାସୀ କନକଗାତ୍ରୀ

 

କୃପାଜଳନନ୍ଦିନୀ ଶୁଣ ବିନତି ଗୋ

କରୁଣାମୟୀ, କର ଦତ୍ତ ଅରୁଣ-ଚରଣ-ଛାଇ ଗୋ ।

-ସାରଳା ଚଉତିଶା

 

ସେହିପରି କବିଙ୍କର ଦୁର୍ଗତି ବିନାଶ କରିବା ସଙ୍ଗେ ସଙ୍ଗେ ସର୍ବସାଧାରଣଙ୍କର ଭୟ ଦୂର କରିବାକୁ ସେ ମଙ୍ଗଳାଙ୍କ ଶରଣାପନ୍ନ ହୋଇ ଗାଇଛନ୍ତି-

 

‘‘କ୍ଷମା କର କ୍ଷମାଙ୍କରୀ

 

କ୍ଷରୁ ତୋ ମହିମା ଜଗତେ ପୂରି ଗୋ,

 

ଖଳ ଦର୍ପଦଳା ଶାକାମ୍ବରୀ, ମଙ୍ଗଳେ ଗୋ ।

ହରପ୍ରିୟା ହର ଥରେ,

 

ମୋ ଦୁର୍ଗତି ରାଶି ହର ଚିତ୍ତରେ ଗୋ

 

ହିତ ହେବ ଜନ ଜଗତରେ, ମଙ୍ଗଳେ ଗୋ ।

କୁଳକୁଣ୍ଡଳିନୀ କତି,

 

କବି ବଇଷ୍ଣବ କରେ ବିନତି ଗୋ

 

କାଟି ପକା ଜନଙ୍କର ଭୀତି, ମଙ୍ଗଳେ ଗୋ’’ ।

 

ମଙ୍ଗଳା ଚଉତିଶା ବା ଓଲଟ ଚଉତିଶା

 

ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ସ୍ତୁତି ଗାନକରି ସେ ନିଜ ପାପରାଶିର ବିନାଶ କାମନା କରିଛନ୍ତି । ତାଙ୍କ ଭାଷାରେ-

 

‘‘ଜୟ ଜାନକୀ ଜୀବନ ହେ, ଦୀନଜନ ଗଲା ଭାସି

ଦିନୁ ଦିନୁ ଦୁଃଖ ରାହୁ ଘୋଟୁଅଛି ଗିଳିଦେବ ସୁଖଶଶୀ ।

ଶିତାଂଶୁ ବଦନା ସୀତା ଘେନି ବାମେ ସିଂହାସନେ ଅଛ ବସି

ସଙ୍ଗତେ ଲକ୍ଷ୍ମଣ ଧରି ଧନୁର୍ବାଣ ଜଗିଛନ୍ତି ଦିବା ନିଶି ।

X X X

ଇନ୍ଦୀବର ଡୋଳା ପଳାଉ ମୋ ଜ୍ୱାଳା ପାପ-ତାପ ରାଶି ରାଶି

ବଇଷ୍ଣବ ଭଣି ବାଳିମରା କାଣ୍ଡ କରୁକି ପଡ଼ିଲା ଖସି ।’’

 

କବି ନିଜକୁ ଜଗନ୍ନାଥ ଭକ୍ତ ହିସାବରେ ଚିହ୍ନାଇଛନ୍ତି ତାଙ୍କର ବହୁ ଜଗନ୍ନାଥ-ଜଣାଣରେ । ସେହିପରି ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କ ନାମକୀର୍ତ୍ତନ କରି ସେ ହୋଇଛନ୍ତି କୃଷ୍ଣଭକ୍ତ । ସେ ଭଗବାନଙ୍କ ଅସଂଖ୍ୟ ନାମରୁ କେଉଁ ନାମରେ ତାଙ୍କୁ ଡାକିବେ, ସ୍ଥିର କରିପାରି ନାହାନ୍ତି । ଯେତେ ନାମରେ ସମ୍ଭବ, ତେତେ ନାମରେ ସେ ତାଙ୍କୁ ଡାକିଛନ୍ତି । ଯଥା-

 

‘‘ତୋତେ ଡାକିବି କହ କି ନାମରେ, ଏ ଭବ ଧାମରେ

ଡାକଇ କେ ହରି ଡାକେ କେ ମୁରାରି କେ ବୋଲଇ କୃଷ୍ଣ ରାମରେ

ଯେ ନାମରେ ତୋର ଶରଧା ଅପାର ଶିଖାଇ ଦେ ମୋତେ ପ୍ରେମରେ

କିବା ଦାମୋଦର ମାଧବ ଚନ୍ଦର ବାନ୍ଧବ ବିପ୍ର ସୁଦାମରେ ।

X X X

ଚକ୍ରଧର ବୋଲି ଡାକିବାରୁ ଗଜ ନକ୍ରେ ବିନାଶିଲ ତମରେ

ଜୟ ଜନାର୍ଦ୍ଦନ ଯଶୋଦା ଜୀବନ ଘୋଷେ ଦିବସ ତ୍ରିଯାମରେ

X X X

ବସୁଦେବ ସୁତ ବାସୁଦେବ ମୁହିଁ ଭାଷଇତ ଅବିରାମରେ

ଡାକ ବାଞ୍ଛାନିଧି ହେବ ବାଞ୍ଛାସିଦ୍ଧି ନିଶ୍ଚେ ବଇଆ ଅଧମରେ ।’’

 

ଏଠାରେ କବି ରାମ, କୃଷ୍ଣ, ନାରାୟଣଙ୍କୁ ଏକ ଓ ଅଭିନ୍ନ ଭାବରେ ଗ୍ରହଣ କରିଛନ୍ତି । ଏ କ୍ଷେତ୍ରରେ ସେ ନିଜର ପୂର୍ବସୂରି ଉତ୍କଳବ୍ୟାସ ସାରଳା ଦାସଙ୍କ ପଦାଙ୍କ ଅନୁସରଣ କରିଛନ୍ତି । କବି ସାରଳା ଦାସ ଆଧ୍ୟାତ୍ମିକ କ୍ଷେତ୍ରରେ ଥିଲେ ସମନ୍ୱୟବାଦୀ । ତଦାନୀନ୍ତନ ସମାଜରେ ପ୍ରଚଳିତ ବୌଦ୍ଧ, ବୈଷ୍ଣବ, ଶୈବ, ଶାକ୍ତ, ଗାଣପତ୍ୟ, ସୌର ଇତ୍ୟାଦି ଧାର୍ମିକ ମତବାଦମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ନିଜ ରଚନାବଳୀରେ ସର୍ବଧର୍ମ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ପଶ୍ଚାତ୍‌ପଦ ହୋଇନାହାନ୍ତି । ତାଙ୍କର ଏହି ଉଦାରତା ଓ ସମନ୍ୱୟବାଦିତା ତାଙ୍କୁ ଚିରସ୍ମରଣୀୟ କରିରଖିଛି । ପରମ୍ପରାକୁ ସମ୍ମାନ ପ୍ରଦର୍ଶନ କରି ଗଣକବି ପାଣି ମଧ୍ୟ ଉତ୍ତର-ପୁରୁଷଙ୍କ ପାଇଁ ସୁନ୍ଦର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ।

 

ଗଣକବି ଜୀବନରେ ବହୁ ଅର୍ଥ ଉପାର୍ଜନ କରିଥିଲେ ହେଁ ଅପବ୍ୟୟିତା ଯୋଗୁଁ ଶେଷ ଜୀବନରେ ବହୁ ଦୁଃଖରେ କାଳାତିପାତ କରିଥିଲେ । ନିଜର ବିବାହିତା ସ୍ତ୍ରୀକୁ ଛାଡ଼ି ଏକ ରଜକିନୀକୁ ବିବାହ କରି ସେ ରକ୍ଷଣଶୀଳ ସମାଜରୁ ବହିଷ୍କୃତ ହୋଇଥିଲେ ଏବଂ ବିରୂପା ନଦୀ କୂଳରେ ବାସ କରୁଥିଲେ । ଶାରୀରିକ ଅସୁସ୍ଥତା ଓ ଆର୍ଥିକ ଅନାଟନ ତାଙ୍କୁ ବ୍ୟତିବ୍ୟସ୍ତ କରି ପକାଉଥିଲା । ସେହି ସମୟରେ ତାଙ୍କ ଦୁଃଖ ଜର୍ଜରିତ ହୃଦୟରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବହୁ ଭଜନ-ଜଣାଣ ନିର୍ଗତ ହୋଇଥିଲା । ତେଣୁ ଏଗୁଡ଼ିକ ତାଙ୍କ ଜୀବନାନୁଭୂତିର ମାର୍ମିକ ପ୍ରାର୍ଥନା-। ଏହି ଜଣାଣଗୁଡ଼ିକ ମଧ୍ୟରୁ କେତୋଟିର ବିଶେଷତ୍ୱ ହେଉଛି ଯେ କବି ଭଗବାନଙ୍କୁ ଅତି ନିଜର ବୋଲି ଗ୍ରହଣ କରି ନେଇଛନ୍ତି ଏବଂ ଜଣେ ଆପଣାର ଲୋକ ପାଖରେ ନିଜର ଦୁଃଖ ଜଣାଇଲା ବେଳେ କେତେବେଳେ ତାଙ୍କୁ ଭର୍ତ୍ସନା କରିଛନ୍ତି ଓ କେତେବେଳେ ରାଗ ଓ ଅଭିମାନରେ ଫାଟି ପଡ଼ିଛନ୍ତି । ପୁଣି ତାଙ୍କ ହୃଦୟ ବେଳେ ବେଳେ ଭକ୍ତିରେ ଆର୍ଦ୍ର ହୋଇଉଠିବା ଫଳରେ ସେ ଭଗବାନଙ୍କୁ ଆକୁଳ ନିବେଦନ କରିଛନ୍ତି ଏ ଭବସାଗରରୁ ପାରି କରିଦେବା ନିମନ୍ତେ ।

 

ଗଣକବିଙ୍କ ପୂର୍ବରୁ କବିସୂର୍ଯ୍ୟ ବଳଦେବ ରଥ ଶ୍ରୀଜଗନ୍ନାଥଙ୍କୁ ‘କାଳସର୍ପ’ କହି କପଟ ଭର୍ତ୍ସନା କରିଥିଲେ-

 

‘‘ବାଧିଲା ଜାଣି କ୍ଷମା            କର ନୋହିଲେ ରମା-

ରମଣ ଦଣ୍ତେ ଦିଅ ଟାଳି,

ତୁମ୍ଭଙ୍କୁ ଜଗନ୍ନାଥ            ଆଜ ମୋ ମନୋରଥ

ଭରତି କରି ଦେବି ଗାଳି ହେ କୃପାନିଧି,

 

କରୁଣା ସିନ୍ଧୁ ବୋଲିକରି

କହନ୍ତି ବୁଧେ ଡରିମରି

କାଳସର୍ପ ଆପଣ            କବଳକର ପ୍ରାଣ-

ପବନମାନଙ୍କୁ ସବୁରି ହେ, କୃପାନିଧି ।’’

 

କବିସୂର୍ଯ୍ୟଙ୍କ ଭଳି ଗଣକବି ଭଗବାନଙ୍କୁ ‘ଭୂତ’ ସହିତ ତୁଳନା କରିଛନ୍ତି ଓ ମୃଦୁ ଭର୍ତ୍ସନା କରି ନିଜର ଆଧ୍ୟାତ୍ମିକ ତୃଷ୍ଣା ମେଣ୍ଟାଇଛନ୍ତି । ତାଙ୍କ ଭାଷାରେ-

 

‘‘ପୀତପଟ ଅଟ ଭୂତ ହେ ରାଧାନାଥ ! ଏବେ ଜାଣିଲି ମୁଁ ।

ରାଗ ନ ବହିବ ହରି      ଆଗରେ ଅଛି ତୁମ୍ଭରି

ଭୂତ ତୁଲେ ସମକରି      ନ ପାରିଲେ ନରହରି

ଦଣ୍ତଦେବ ଦୋଷୀକୁ ଉଚିତ ।

 

ସେ ରୁହଇ ତରୁଡ଼ାଳେ      ତୁମ୍ଭେ ତ ବାଳକ କାଳେ

ଲାଗିଲ ରାଧାଙ୍କୁ ବଳେ      ଜଳ ଆଣୁ ଆଳି ମେଳେ

ନୀପ ମୂଳେ ହୋଇ ବିରାଜିତ ହେ ।

 

X X X

ଭୂତ ଚିତ୍ତେ ଦୟା ଚିହ୍ନ      ନାହିଁ ଶୁଣିଛି ଏ କାନ

ତୁମ୍ଭେ ସେହିପରି ଘେନ      ବିନାଶୁଛ ପ୍ରତିଦିନ

କୋଟି କୋଟି ପ୍ରାଣୀ ଅବିରତ ହେ ।’’.........ଇତ୍ୟାଦି

 

କବିସୂର୍ଯ୍ୟ ପ୍ରଭୁଙ୍କ ଘରବୁଡ଼ା ପଣ ବର୍ଣ୍ଣନ କଲାପରି, ଗଣକବି ପ୍ରଭୁଙ୍କୁ ‘ଘରବୁଡ଼ା ଜଗବନ୍ଧୁ’ ଓ ‘ଗୋତରମରା ଗୋବିନ୍ଦ’ ବୋଲି ଅଭିହିତ କରିଛନ୍ତି । ଯେପରି-

 

‘‘ଘରବୁଡ଼ା ଜଗବନ୍ଧୁ ପର କଲୁ କାହିଁକି ?

ଶଙ୍ଖ ଚକ୍ର ଗଦା ପଦ୍ମ ଚାରିଭୁଜେ ନାହିଁକି ?’’

‘‘ଗୋତରମରା ଗୋବିନ୍ଦ            ଭିତର ତୋ ବଡ଼ ମନ୍ଦ

ଭୁଞ୍ଜିବା ପତରେ ଧୂଳି କେ ନେଇ ଭରିବ ହେ ।’’

 

ପ୍ରଭୁ ତାଙ୍କ ପ୍ରତି ସଦୟ ନହେବାରୁ, ଅର୍ଥାତ୍‌ ତାଙ୍କ ଦୁଃଖ ଦୂର ନହେବାରୁ ସେ ତାଙ୍କ ନିନ୍ଦା ଗାନ କରିଛନ୍ତି ଏବଂ କ୍ରୋଧବଶତଃ ପ୍ରକାଶ କରିଛନ୍ତି ଯେ ପ୍ରଭୁ ବହୁ ପାପୀଙ୍କୁ ତାରିଥିବା କଥା ଯାହା ଶାସ୍ତ୍ରପୁରାଣରୁ ଜାଣିବାକୁ ମିଳେ, ତାହା ଆଦୌ ସତ୍ୟ ନୁହେଁ । ତାଙ୍କ ନିନ୍ଦା ଓ ଅବିଶ୍ୱାସ ଏହିପରି ଫୁଟିଉଠିଛି-

 

‘‘ଭାତ ବିକା ଜଗନ୍ନାଥ ଚାତର ସରିବ ହେ,

କାତରେ ଡାକି ଖାତରେ ପଡ଼ନ୍ତେ ଗରିବ ହୋ ।

ଇତରେ କରିବେ ଥଟା            ହେବୁ କେତେ ହଟହଟା

ଉତ୍ତର ତୁଣ୍ତରୁ ଯେତେବେଳେ ନ ସ୍ଫୁରିବ ହେ ।

X X X

ଶୁଣିଛି ସୃଷ୍ଟି ଭିତରେ            ତାରିଛ କେତେ ପାତରେ

ମିଛ ବୋଲି ଏ ଅନ୍ତରେ ମଣଇ ସରବ ହେ ।’’

 

ଭକ୍ତର ଅଭିମାନ ଓ କ୍ରୋଧର ଏହିପରି ପ୍ରେମଭରା ଉଚ୍ଛଳ ପରିପ୍ରକାଶ ଗଣକବିଙ୍କ ଲେଖନୀରେ ହିଁ ସମ୍ଭବ ।

ଯେତେ ଭର୍ତ୍ସନା କଲେ ମଧ୍ୟ ପ୍ରଭୁଙ୍କ ଆଚରଣ ନିଦା ପଥର ଭଳି; ଯେତେ ରଗାଇଲେ ମଧ୍ୟ ସେ ରାଗନ୍ତି ନାହିଁ । ବରଂ ତାଙ୍କର ସବୁ କାର୍ଯ୍ୟ ବିଚିତ୍ର । ଯେ ତାଙ୍କର ବିପକ୍ଷ ହୁଏ, ଯେ ତାଙ୍କ ସହିତ କଳହ କରେ, ସେ ତାଙ୍କ କୃପା ଲାଭକରେ; ମାତ୍ର ତାଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ଭକ୍ତ ପଦେ ପଦେ ବିପଦର ସମ୍ମୁଖୀନ ହୁଏ । ଏହି ମର୍ମରେ ତାଙ୍କର ନିମ୍ନ ଜଣାଣଟି ଲିଖିତ ।

 

‘‘ବାଇ ଛଇଳ ମୋହନ ହେ, ଛଳ ତୋ ଚିତ୍ତେ ନାହିଁକି

ଯେତେ ତୋତେ ଗାଳି ଦେଲି ବନମାଳୀ ଚଳିବାର ପାଇଁକି ।

କଳି ଲଗାଇଣ ତରିଲେ କେତେ            ଭଳି ଭଳି ଲୋକ ଏଇ ଜଗତେ

ଶୋଧି ହିରଣାକ୍ଷ ହିରଣ୍ୟ ସାକ୍ଷାତେ ଦେଲୁ ମୋକ୍ଷ ଦୁହିଙ୍କି ।

 

ନାରୀ ଚୋରି କଲା ରାବଣ ରକ୍ଷ            ଶାଲ୍ଵ ଶିଶୁପାଳ ପୁଣି ବିପକ୍ଷ

କଂସର କଷଣ ସହି ନାରାୟଣ ଦେଇଛୁ ତୋ ଭୂଇଁକି ।

ହିଂସା ବହି କାଳଦମନ କାଳ ତୋ            ଶରୀରେ ଲୀନ ହେଲା ଗୋପାଳ

ଶତ୍ରୁପଣେ ମାତ୍ର ଏମାନେ ତରିଲେ ମୁଁ ରହିଲି କାହିଁକି ।

 

ଯେ ପୂଜିବ ମିତ୍ରଭାବେ ସେ ପଦ            ସଗୋତ୍ର ସଂହାରି ଦେବୁ ବିପଦ

କି ବିଚିତ୍ର ଗତି ଧରିଛୁ ଶ୍ରୀପତି ନାଶିବୁ ବଇକି ।’’

 

ଅନ୍ୟ ଏକ ପଦରେ ମଧ୍ୟ କବିଙ୍କର ଅନୂରୁପ ଅଭିଯୋଗ-

‘‘ଜଗମୋହନ ହେ, ତିଳେ ତୋ ଠିକଣା ନାହିଁ

ଦୁଃଖ ପରେ ଦୁଃଖ ଦେଇଥାଉ ଢାଳି ଯେ ସେବା ତୋର କରଇ ।’’

 

ଭକ୍ତର କ୍ରୋଧ ଓ ଉର୍ତ୍ସନା ଭିତରେ ଲୁଚି ରହିଥାଏ ପ୍ରଚଣ୍ତ ଅଭିମାନ ଓ ଅଭିମାନ ଭିତରେ ପବିତ୍ର ପ୍ରେମାଶ୍ରୁଧାରା । ଗଣକବି ଭଗବାନଙ୍କୁ ମୃଦୁ ଭର୍ତ୍ସନା କରିଛନ୍ତି, ତାଙ୍କ ନିନ୍ଦା ଗାନ କରିଛନ୍ତି ସତ; ମାତ୍ର ତାଙ୍କଠାରୁ ଦୂରେଇ ଯାଇପାରି ନାହାନ୍ତି । ଭଗବାନ ତାଙ୍କର ଅତି ନିଜର, ଅତି ଆପଣାର । ସେ ଯେତେ ଠକାଠକି, ଫାଙ୍କାଫାଙ୍କି କଲେ ମଧ୍ୟ ପାଣିକବି ତାଙ୍କୁ ଛାଡ଼ିବାକୁ ନାରାଜ; ଝିଙ୍କାଝିଙ୍କି କରି ନିଜ ହୃଦୟରେ ଜାବୁଡ଼ି ଧରିବା ପାଇଁ ପ୍ରତିଜ୍ଞାବଦ୍ଧ ।

 

‘‘ଡାକି ଡାକି କଣ୍ଠ ଗଲା ଶୁଖି ଆଉ ନପାରିବି ଡାକି ଏଣିକି

ଚକା ଆଖିକି ଦେଖାଇ ଡରାଇଲେ ପଳାଇ ନ ଯିବି କେଭେଁ କେଣିକି ।

ଟକାଟକି ବେଳ ପଡ଼ିଛି            ଠକାଠକି କଲେ କି ଘୁଞ୍ଚି

ଯିବି ମୁଁ ପଛକୁ ପାଞ୍ଚିଛ ଚିତ୍ତରେ ବିକାବିକି ମାନ ହେବ ପୁଣିକି ।

 

ପକାପକି ହେବା ହେ ରାଣ            କେ କାହାର ରଖିବ ଟାଣ

ଶିଖାଶିଖି ଭାବ ଭୁଲି ପଦ୍ମନାଭ ଦେଖା ଦେଖା ତିଳେ ବଙ୍କା ଠାଣିକି ।

ଟେକାଟେକି କରିଲି ଯେତେ ଫାଙ୍କାଫାଙ୍କି କଲ ହେ ତେତେ

କରି ଝିଙ୍କାଝିଙ୍କି ହୃଦେ ଦେବି ଯାକି ତ୍ରଇଲୋକ ଭକ୍ତ ଚିନ୍ତାମଣିକି ।

 

ଫୁଙ୍କାଫୁଙ୍କି ମୁରଲୀ କରି            ଭୁଲାଇଲୁ ବରଜନାରୀ

ଲେଖାଲେଖି କଲେ ସେ ଗୁଣ ନସରେ ଲୟ କରିଥାଅ ପାଣି ବାଣୀକି ।’’

 

କବି ଭଗବାନଙ୍କୁ ଡାକି ଡାକି ଥକି ପଡ଼ିଛନ୍ତି; ଆଉ ନ ଡାକିବାକୁ ସ୍ଥିର ମଧ୍ୟ କରିଛନ୍ତି । କିନ୍ତୁ ପର ମୁହୂର୍ତ୍ତରେ ତାଙ୍କ ମନରେ ଭାବାନ୍ତର ଆସିଛି । ଭଗବାନ ତ ତାଙ୍କର ଅତି ଆପଣାର । ସେ ତାଙ୍କୁ ଠକି ଦେଇ କୁଆଡ଼େ ଯିବେ ? ଚିତ୍ତ-ବନ୍ଦୀଶାଳାରେ ବାନ୍ଧି ପକାଇଲେ ପ୍ରଭୁ ଉଠିପାରିବେ ତ ? ଏହି ଭାବ ପୋଷିତ କବି-ମନ ଗାଇଉଠିଛି-

 

‘‘ଡାକି ଡାକି ଥକି ଗଲିଣି, ଆଉ ହରି ତୋତେ ଡାକିବି ନାହିଁ

ବାକି ଅଛି କିସ ସବୁ ତ ଏଦାସ ଲେଖି ଜଣାଇଛି ଆଗରେ ଥାଇ ।

 

ସାକ୍ଷୀ ଦେବେ ଭକତମାନେ      ଦେଖିଛନ୍ତି ଦୁଇ ନୟନେ

ଠକି ନପାରିବୁ ଆଜି ଠିକି ଯିବୁ ଠୁଙ୍କି ଦେବି ଚିତ୍ତ ବନ୍ଦିରେ ଥୋଇ ।

 

ଶୁଖି ଶୁଖି ମରିବୁ ସେଠି            ସତେ କି ତୁ ପାରିବୁ ଉଠି

ନ ଠାକିବ ଘଟ ସଦା ଛଟପଟ ହେବ ଦେଖୁଥିବୁ ଆଖି ପୂରାଇ ।’’

 

ଏହାପରେ କବି ଭଗବାନଙ୍କୁ ପ୍ରଶ୍ନ କରିଛନ୍ତି, ‘‘ମୁଁ କ’ଣ ଧ୍ରୁବ, ପ୍ରହଲାଦ, ହରିଣୀ, ଗଜରାଜ, ଦ୍ରୌପଦୀ, ପାପୀ ଅଜାମ୍ବିଳ ଓ ବିଲ୍ଵମଙ୍ଗଳ ଇତ୍ୟାଦିଙ୍କ ଠାରୁ ହୀନ ? ମୋ ବ୍ୟତୀତ ସେ ସମସ୍ତଙ୍କୁ ତୁ ଉଦ୍ଧାରିଛୁ; ମୋ ବେଳକୁ ଏତେ ଫନ୍ଦି କାହିଁକି ? ମୁଁ ଦେଖିବି, ମୋତେ କେମିତି ତୁ ଫାଙ୍କି ଦେବୁ ।’’

 

‘‘ଧ୍ରୁବ ପ୍ରହଲାଦ ହରିଣୀ      ରାଜରାଜ ପାଣ୍ତବରାଣୀ

ପାପୀ ଅଜାମ୍ବିଳ ସେ ବିଲ୍ୱମଙ୍ଗଳ      ଚଣ୍ତାଳରୁ ହୀନ ଅଟେ କି ମୁହିଁ ?

ପକ୍ଷୀ ଭରତିଆକୁ ଘଣ୍ଟ      ଘୋଡ଼ାଇଲୁ ହେ ନନ୍ଦଚାଟ

ନଖୀ ପକ୍ଷୀ ଦୁଃଖୀ ସବୁ ଉଦ୍ଧରିଛୁ      ମୋ ବିନୁ କେ ବାକି ରହିଛି କାହିଁ ?

ଶିଖୀପୁଚ୍ଛ ଟେକା ଗୋବିନ୍ଦ      ଶିଖାଇଲା କେ ଏଡ଼େ ଫାନ୍ଦ

ଫାଙ୍କି ନ ପାରିବୁ ଦିନେ ତୁ ହାରିବୁ ଟାକିଛି ବଇଆ ସବୁ ହରାଇ ।’’

 

ଭଗବାନଙ୍କ ଠାରେ କବିଙ୍କର ଭକ୍ତି ଏତେ ନିବିଡ଼ ଯେ ସେ ତା’ ବଳରେ ଭଗବାନଙ୍କ ଠାରୁ ମୁକ୍ତି ଛଡ଼ାଇ ଆଣିବାକୁ ଆଶା ବାନ୍ଧିଛନ୍ତି । ଗଭୀର ଈଶ୍ୱରୋପଲବ୍‌ଧି ନଥିଲେ ଏ ଦମ୍ଭୋକ୍ତି କୌଣସି ଭକ୍ତର ଲେଖନୀରୁ ଝରିବା ସମ୍ଭବ ନୁହେଁ ।

 

କେବଳ ଅଟଳ ବିଶ୍ୱାସ ନୁହେଁ, ସମର୍ପଣ ଭାବ ମଧ୍ୟ ଗଣକବିଙ୍କ ଭଜନ-ଜଣାଣର ଅନ୍ୟ ଏକ ବିଶେଷତ୍ୱ । ଗୀତାରେ ଭଗବାନ ଅର୍ଜୁନଙ୍କୁ କହିଛନ୍ତି-

 

‘‘ଯେ ତୁ ସର୍ବାଣି କର୍ମାଣି ମୟି ସଂନ୍ୟସ୍ୟ ମତ୍‌ପରାଃ

ଅନନ୍ୟେନୈବ ଯୋଗେନ ମାଂ ଧ୍ୟାୟନ୍ତ ଉପାସତେ ।

ତେଷାମହଂ ସମୁଦ୍ଧର୍ତ୍ତା ମୃତ୍ୟୁସଂସାରସାଗରାତ୍‌

ଭବାମି ନ ଚିରାତ୍ ପାର୍ଥ ମଯ୍ୟାବେଶିତ ଚେତସାମ୍‌ ।’’

(୧୨ । ୬-୭)

 

ଅର୍ଥାତ୍‌ ହେ ପାର୍ଥ, ଯେଉଁମାନେ ସମସ୍ତ କର୍ମ ଆମ୍ଭଠାରେ ସମର୍ପଣ କରି ଓ ଏକମାତ୍ର ଆମ୍ଭଠାରେ ଚିତ୍ତ ଏକାଗ୍ର କରି ଏକାନ୍ତ ଭକ୍ତିଯୋଗରେ ଧ୍ୟାନରତ ହୋଇ ଉପାସନା କରନ୍ତି ଆମ୍ଭଠାରେ ସମର୍ପିତ ଚିତ୍ତ ସେହି ଭକ୍ତମାନଙ୍କୁ ଆମ୍ଭେ ଅବିଳମ୍ବେ ସଂସାର ସାଗରରୁ ଉଦ୍ଧାର କରିଥାଉଁ ।

 

ମୁକ୍ତିକାମୀ କବିଙ୍କର ଭଜନ-ଜଣାଣ ସମେତ ଅନ୍ୟାନ୍ୟ ରଚନାରେ ଏହି ଭାବସତ୍ତାଟି ଉପଲବ୍‌ଧ ହୁଏ । ଉଦାହରଣ ସ୍ୱରୂପ ମାତ୍ର ଦୁଇଟି ପଦ ଏଠାରେ ଉଦ୍ଧୃତ ।

 

‘‘ମନ୍ଦର ତୋଳିଆ ଇନ୍ଦର ଦଳିଆ କାମମୋହନ ମୂରତି

ଦ୍ୱିଜ ବଇଷ୍ଣବ ତୋ ପାଦ ତଳିଆ ହୋଇଥାଉ ଦିବାରାତି ।’’

‘‘ବାରଣ-ତାରଣ କାରଣ ନକଲେ ଶରଣ ପାପ ମତିକି

ଛାଡ଼ିଯିବ ବାନା ପଡ଼ିଯିବ ହୁରି ବୁଡ଼ିଯିବ କୀରତିକି ।’’

 

ଗଣକବିଙ୍କର କେତେକ ଭଜନ ଉପଦେଶାତ୍ମକ । ଏଥିରେ ମାନବ ସମାଜ ପ୍ରତି ଉପଦେଶ ଥାଏ ଧର୍ମ-ଅଧର୍ମ ବିଚାର କରିବା ପାଇଁ, ଭୁଲ-ଠିକ୍‌ ବାଛିବା ପାଇଁ ଏବଂ ଭଗବାନଙ୍କ ଠାରେ ଲୟ ରଖି ଭବସାଗରରୁ ପାରିହେବା ପାଇଁ । ଗୋଟିଏ ଭଜନରେ କବି ବାଉଳା ମନକୁ ଉପଦେଶ ଦେଇଛନ୍ତି ରାଧାକୃଷ୍ଣଙ୍କୁ ସ୍ମରଣ କରିବା ପାଇଁ, ଯାହାଫଳରେ ସେ ଚତୁର୍ବର୍ଗ ପ୍ରାପ୍ତହେବ ଓ ତା’ର ମାନବ ଜୀବନ ସଫଳ ହେବ ।

 

‘‘ଭଜରେ ବାଉଳା ମନ ରାଧାକୃଷ୍ଣ ଚାରିବର୍ଣ୍ଣ

ଚାରିଙ୍କି ଚିହ୍ନିଲେ ତୋର ଚାରିବର୍ଗ ହେବ ପୁଣ୍ୟ ।

ଚାରିଦେବ କରି ଦୀକ୍ଷା            ନ ପାଇଲା ଚାରିମୁଖା

ଚାରିଯୁଗେ ଯେ ନାମକୁ ତୁଣ୍ତେ ଘୋଷେ ତ୍ରିଲୋଚନ ।’’

 

ପ୍ରଭୁଙ୍କୁ ପାଇବାକୁ ହେଲେ ମାଳା, ତିଳକର ଆବଶ୍ୟକତା ଆଦୌ ନାହିଁ; ଏଥିପାଇଁ ଯେଉଁଟି ସର୍ବପ୍ରଥମେ ଦରକାର, ସେଇଟି ହେଉଛି ନିର୍ମଳ ମନ । ମନରୁ ସବୁ ଆବିଳତାକୁ ଦୂରକୁ ଠେଲି ନଦେଇ ଭଗବାନଙ୍କ ନାମ ଯେତେ ଜପ କଲେ ସେସବୁ ନିରର୍ଥକ ।

 

‘‘ଯେବେ ମନ ନାହିଁ ନିରିମଳରେ

 

ମାଳା ତିଳକ ଥାଇକି ଫଳ

ନାମ ଜପି ଜପି କାମନା ନ ପୂରେ

 

କଟିଗଲେ ତିନି କାଳରେ ।’’

 

କବିଙ୍କ ମତରେ ବେଦ, ନିର୍ବେଦ ଇତ୍ୟାଦିର ଚର୍ଚ୍ଚାରେ ସମୟ ବିତାଇଲେ ପ୍ରଭୁ ମିଳନ୍ତି ନାହିଁ, ଏପରି କାର୍ଯ୍ୟ ନଦୀର ବାଲି ଗଣିବା ସଙ୍ଗେ ସମାନ । ପ୍ରଭୁଙ୍କୁ ପାଇବାକୁ ହେଲେ ପ୍ରେମଭକ୍ତି ମାର୍ଗର ଯାତ୍ରୀ ହେବାକୁ ପଡ଼ିବ । ପ୍ରେମଭକ୍ତି ହିଁ ହରିଙ୍କୁ ଧରି ରଖିବା ପାଇଁ ସମର୍ଥ ଏବଂ ତାଙ୍କୁ ଗୋପୀ ଭାବରେ ଉପାସନା କଲେ ଭବବନ୍ଧନରୁ ମୁକ୍ତି ମିଳିବା ସମ୍ଭବ ହୁଏ ।

 

‘‘ବେଦେ ନିରିବେଦେ ବୁଲି ବୁଲିରେ

 

କିମ୍ପା ଗଣିବୁ ନଦୀର ବାଲି,

ପ୍ରେମଭକ୍ତି ମୂଳ ଅଟଇ କେବଳ

 

ସେତ ହରିଧରା କଳରେ ।

ପଦ ଛନ୍ଦେ ଦ୍ୱିଜ ବଇଷ୍ଣବରେ

 

ସାର କରିଥିଲେ ଗୋପୀଭାବ

ଭବୁଁ ଯିବ ତରି ଅନୁଭବେ ଧରି

 

ଅଥଳେ ପାଇବୁ ଥଳରେ ।’’

 

ଚୈତନ୍ୟପନ୍ଥୀ ବୈଷ୍ଣବଗଣ ପ୍ରେମଭକ୍ତି ଉପରେ ଗୁରୁତ୍ୱ ଆରୋପ କରନ୍ତି ଏବଂ ଗୋପୀଭାବରେ କୃଷ୍ଣଲାଭ କରିବାର ପନ୍ଥାକୁ ଶ୍ରେଷ୍ଠତ୍ୱ ପ୍ରଦାନ କରନ୍ତି । ଏହି ଦୃଷ୍ଟିରୁ ବିଚାର କଲେ ପାଣିକବି ପ୍ରେମମାର୍ଗର ଜଣେ ସମର୍ଥକ ଭାବରେ ଚୈତନ୍ୟ-ପ୍ରଚାରିତ ମତବାଦକୁ ଆଦର କରିଛନ୍ତି ଏବଂ ପରବର୍ତ୍ତୀ ବୈଷ୍ଣବ କବିମାନଙ୍କ ପ୍ରକାଶଶୈଳୀ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇ ଓଡ଼ିଆ ଭଜନ ସାହିତ୍ୟର ଅଭିବୃଦ୍ଧି ନିମନ୍ତେ ସାର୍ଥକ ଉଦ୍ୟମ କରିଛନ୍ତି । ତାଙ୍କର ଏହି ଉଦ୍ୟମ ବାସ୍ତବିକ୍‌ ଅଭିନନ୍ଦନୀୟ ।

 

ଶଙ୍କରାଚାର୍ଯ୍ୟଙ୍କ ‘ମୋହମୁଦ୍‌ଗର’ର ପ୍ରତିଧ୍ୱନି ଶୁଣିବାକୁ ମିଳେ ଗଣକବିଙ୍କର କେତୋଟି ଭଜନରେ । କବି ଭକ୍ତଚରଣଙ୍କ ‘ମନବୋଧ ଚଉତିଶା’ ମଧ୍ୟ ଏହି ଭାବଧାରାରେ ଲାଳିତ ଜୀବନଧର୍ମୀ ଗୀତିକବିତାଟିଏ । ଭକ୍ତଚରଣଙ୍କ ସହିତ ସ୍ୱର ମିଳାଇ ଗଣକବି ଗାଇଛନ୍ତି-

 

‘‘ବାଉଁଶ ଛ’ଖଣ୍ତ ଦଉଡ଼ି ଛଅଟା      ବାଟକୁ ଶଙ୍ଖାଳି ଫୁଟା ମାଠିଆଟା

ଏତିକି ତୋ ସାଲ ତମାମି ଖାତାରେ ଲେଖାଅଛି ଦୁଇ ଧାଡ଼ି ।

X X X

ଅଢ଼େଇ ଦିନକୁ ବଡ଼େଇ ନକର      ହେଜ ବୁଝ ଚିତ୍ତେ ଏ ଯେ ଭଡ଼ାଘର

ବଇଷ୍ଣବ ବୋଲେ ଗଣ୍ତାକର ଏଥି ନାହିଁ କାହା ବାହାଦୁରୀ ।’’

 

କବିଙ୍କ ଜୀବନ-ଦର୍ଶନ କେତୋଟି ଭଜନ-ଜଣାଣରେ ଅଭିବ୍ୟକ୍ତି ଲାଭ କରିଛି । କବି ଜୀବନ ଜଞ୍ଜାଳରେ ଛଟପଟ ହେଉଛନ୍ତି । ଯେକୌଣସି ସଂସାରୀ ମଣିଷ ଭଳି ସେ ଭାଙ୍ଗି ପଡ଼ୁଛନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସଚେତନ ହୋଇ ବିଭୁ କରୁଣା ଲାଭ ପାଇଁ ବ୍ୟାକୁଳ ହେଉଛନ୍ତି । ତାଙ୍କର ବିଶ୍ୱାସ, ବିଭୁକୃପା ହିଁ ତାଙ୍କ ଖେଦର ଏକମାତ୍ର ବିନାଶକାରୀ । କବି ତେଣୁ ଗାଇଛନ୍ତି-

 

‘‘ବୃଥା ଧନ୍ଦି ହେଲି ବନ୍ଦିରେ ପଡ଼ିଲି ବିଷୟାରସରେ ରସି

ଅନ୍ଧପଣେ ଛନ୍ଦ ଜାଣି ନପାରିଲି ଦ୍ୱନ୍ଦ୍ୱ ହେଲା ଏବେ ଆସି ।

ଇନ୍ଦୀବର ଜ୍ୱାଳା ପଳାଉ ମୋ ଜ୍ୱାଳା ପାପ-ତାପ ରାଶି ରାଶି

ବଇଷ୍ଣବ ଭଣି ବାଳିମରା କାଣ୍ତ କରୁକି ପଡ଼ିଲା ଖସି ।’’

 

ବିଭୁପ୍ରେମ ନିମଜ୍ଜିତ କବିପ୍ରାଣ ଗୋଟିଏ ଭଜନରେ ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିର ବେଢ଼ାର ବର୍ଣ୍ଣନା ପ୍ରଦାନ କରିଛନ୍ତି । ସିଂହଦ୍ୱାରା ଠାରୁ ବାହାରି ପତିତପାବନ, ଭୋଗମଣ୍ତପ, କଳ୍ପବଟ, ବଟ ଗଣେଶ, ରୋହିଣୀକୁଣ୍ତ, ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, କୋଇଲି ବୈକୁଣ୍ଠ, ସ୍ନାନ ମଣ୍ତପ ଆଦି ଅତିକ୍ରମ କରି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବାର ଏକ ସୁନ୍ଦର ଚିତ୍ର ଏଥିରୁ ଉପଲଭ୍ୟ ହୁଏ ।

 

‘‘ଦେଖ ବଉଳ ଗୋ, ବଡ଼ ଦେଉଳ ଭିତରେ ବେଢ଼ା,

ଅରୁଣ ଖମ୍ବରୁ ପାର ହୋଇ ହୁଅ ପତିତପାବନେ ଛିଡ଼ା ।

ଏହାପରେ ଭୋଗ ମଣ୍ତପରେ ମୁଣ୍ତ ମାରି ଦେଖ ଗଣେଶଙ୍କୁ ।

କଳ୍ପବଟ ତଳେ ଅଳ୍ପ ରହି ଚାଲ ରୋହିଣୀ କୁଣ୍ତ ପାଶକୁ ।

X X X

କୋଇଲି ବୈକୁଣ୍ଠ କଇବଲ ହାଟ ସ୍ନାହାନ ଆସ୍ଥାନ ଦେଖି

ଏହାପରେ ବଡ଼ ଦେଉଳେ ପଶିଣ ବଇ ବୋଲେ ହେବା ସୁଖୀ ।’’

 

ପାଣିକବିଙ୍କ ‘ଅବଧୂତ ଭଜନମାଳା’ରେ କେତେକ ବ୍ରହ୍ମଜ୍ଞାନମୂଳକ ବା ଶରୀରଭେଦ ଭଜନ ସ୍ଥାନିତ । ସେଗୁଡ଼ିକ ନିର୍ଗୁଣ ଭଜନ ବା ଓଲଟ ଭଜନ ନାମରେ ମଧ୍ୟ ପରିଚିତ । ଏହାର ଭାଷା ସନ୍ଧ୍ୟା ଭାଷା ଭାବରେ କଥିତ । ଏହି ସନ୍ଧ୍ୟା ଭାଷାର ବାହ୍ୟାର୍ଥ ଓ ଗୃହ୍ୟାର୍ଥ, ଏହିପରି ଦୁଇଟି ଅର୍ଥ ଅଛି । ଏହାର ବାହ୍ୟାର୍ଥ ବହୁ ସମୟରେ ଅପ୍ରାସଙ୍ଗିକ ମନେ ହେଉଥିବା ବେଳେ ଗୁହ୍ୟାର୍ଥଟି ତତ୍ତ୍ୱପୂର୍ଣ୍ଣ । ଷୋଡ଼ଶ ଶତାବ୍ଦୀର ପଞ୍ଚସଖାଙ୍କର ଏହିପରି ବହୁ ଭଜନ ରହିଛି । ସେହିମାନଙ୍କ ଆଦର୍ଶରେ ଗଣକବି ଏହି ଭଜନ ସବୁ ରଚନା କରିଥିବା ମନେହୁଏ ।

 

ଅଚ୍ୟୁତାନନ୍ଦ ଦାସଙ୍କ ‘ବାଇମନ ହୋ’ ଭଜନର ଗୋଟିଏ ପଦରେ ଅଛି-

 

‘‘ଶୂନ୍ୟରେ ଶୂନ୍ୟରେ            ଦେଉଳ ହୋଇଛି

ଦେଉଳ ଗୋଟିକ ଆପେ ନିର୍ମାଣ

ଭଲା ସେ ବିନ୍ଧାଣି            ଗଢ଼ିଅଛି ପୁଣି

ଅମୁହାଁ ଦେଉଳେ ଦିଅଁ ଦର୍ଶନ ।’’

 

ଗଣକବି ପାଣିଙ୍କ ଆଉ ଗୋଟିଏ ଭଜନର ଗୋଟିଏ ପଦରେ ଅନୁରୂପ ତତ୍ତ୍ୱ ଅଭିବ୍ୟକ୍ତ-

 

‘‘ଅମୁହାଁ ଦେଉଳେ ଦିଅଁ ରହିଛି            ଶବଦ ଭେଦି ବଚନ କହୁଛି

ମନରେ ! ଦରଶନ ତୁ କର

ସବୁବେଳେ ସେହି ଥାନ ଅନ୍ଧାର ।’’

 

ଗଣକବି ପାଣିଙ୍କ ରଚନାରୁ ଅନ୍ୟ ଏକ ସମଧର୍ମୀ ଭଜନର କେତୋଟି ପଙ୍‌କ୍ତି-

 

‘‘ଅବାଟରେ ବାଟ ଚାଲରେ ମନ            ଅତୁଠେ ସ୍ନାହାନ କର

ଅଭେଦକୁ ଭେଦ ଅଛେ ଦକୁ ଛେଦ            ଅଣସୂତ୍ରେ ତା’ର ଘର ରେ ।

X X X

ଅଣାକ୍ଷରେ କ୍ଷର ଅବନ୍ଧାକୁ ବାନ୍ଧ             ଅଦୃଷ୍ଟି ଅସୃଷ୍ଟି ପାର ରେ

ଅପରଚ ସଙ୍ଗେ ପରଚେ ହୋଇଲେ            ନିଗମରେ ଗତିକର ରେ ।’’

 

ବୈଷ୍ଣବ ପାଣିଙ୍କ କେତୋଟି ଭଜନ ଜଣାଣର ଲଳିତ ପଦ ବିନ୍ୟାସ ପାଠକକୁ ଆମୋଦିତ କରେ । ପଦଲାଳିତ୍ୟ ଏବଂ ସ୍ୱାଭାବିକ ପ୍ରକାଶଭଙ୍ଗୀ ପାଠକକୁ ଏକ ଶାନ୍ତିମୟ ତଥା ସୌନ୍ଦର୍ଯ୍ୟମୟ ଜଗତକୁ ନେଇଯାଏ । ଏଗୁଡ଼ିକ ପାଠ କଲାବେଳେ ‘କଲ୍ଲୋଳ ପଦଲାଳିତ୍ୟ’ କଥାଟି ସ୍ୱତଃ ମାନସ ପଟରେ ଆସ୍ଥାନ ଜମାଏ । ତାଙ୍କର ଗୋଟିଏ ମାତ୍ର ଭଜନ ଏଠାରେ ଉଦ୍ଧାର କରି ଏହି ମନ୍ତବ୍ୟର ସତ୍ୟତା ପ୍ରତିପାଦନ କରାଯାଇପାରେ ।

 

‘‘କାଇଞ୍ଚ ମାଳିଆ କାଳିନ୍ଦୀ କୂଳିଆ କାଳିଆ ବ୍ରଜ ସମ୍ପତ୍ତି

ରାସ ବିଭୋଳିଆ ରସର ଥାଳିଆ ଚନ୍ଦ୍ରାବଳୀ ପ୍ରାଣପତି ।

ଗୋରଜ ଧୂଳିଆ ବରଜ ପାଳିଆ ରତି କଟାଳିଆ ଅତି

ଘୋର ଜଞ୍ଜାଳିଆ ସରୋଜ ତୋଳିଆ ବଳି ଅନୁଜ ଶ୍ରୀପତି ।

 

ଘାଟ ମଗାଳିଆ ବାଟ ଜଗାଳିଆ ଅଟୁ ଅଗତିର ଗତି

ଯଶୋଦା କୋଳିଆ ବାଳକ ମେଳିଆ ହରୁ ଭୃତ୍ୟର ଆରତି ।

ମନ୍ଦର ତୋଳିଆ ଇନ୍ଦର ଦଳିଆ କାମ ମୋହନ ମୂରତି

ଦ୍ୱିଜ ବଇଷ୍ଣବ ତୋ ପାଦତଳିଆ ହୋଇଥାଉ ଦିବାରାତି ।’’

 

କେବଳ ଉଦ୍ଧୃତ ରଚନାଟି ନୁହେଁ, ତାଙ୍କର ଆଉ ଏହିପରି କେତୋଟି ଭଜନ-ଜଣାଣ ରହିଛି ଯେଉଁଗୁଡ଼ିକରେ ଉତ୍କଳ-କୋକିଳ ଜୟଦେବଙ୍କ ସ୍ନିଗ୍‌ଧ ତଥା କାନ୍ତ-କୋମଳ ପଦାବଳୀର ପ୍ରଭାବ ଅନୁଭୂତ ହୁଏ ।

 

ପାଣିକବିଙ୍କ ଭଜନ-ଜଣାଣର ଭାଷା ସାଧାରଣତଃ ସରଳ, ସାବଲୀଳ ଓ ଲାଳିତ୍ୟପୂର୍ଣ୍ଣ ହେଲେ ହେଁ ଅଳ୍ପ କେତୋଟିରେ ଭାଷା-କାଠିଣ୍ୟ ପରିଦୃଷ୍ଟ ହୁଏ । ଆହୁରି ମଧ୍ୟ ଶରୀରଭେଦ ଭଜନ ଗୁଡ଼ିକ ପ୍ରତୀକଧର୍ମୀ ହୋଇଥିବାରୁ ସାଧାରଣ ପାଠକ ପକ୍ଷରେ ବୋଧଗମ୍ୟ ନୁହେଁ । ଏଗୁଡ଼ିକୁ ବାଦ୍‌ ଦେଲେ ଅନ୍ୟ ଭଜନ ଜଣାଣ ଗୁଡ଼ିକର ସରଳ-ତରଳ ସର୍ବଜନବୋଧ୍ୟ ଭାଷାହିଁ ଏଗୁଡ଼ିକୁ ରସାଳ ଓ ଜୀବନ୍ତ କରିପାରିଛି ।

 

ତାଙ୍କ ଭଜନ ଜଣାଣଗୁଡ଼ିକ ଅତି ଲୋକପ୍ରିୟ ରାଗରାଗିଣୀଯୁକ୍ତ । ସେ ଜଣେ ଉଚ୍ଚକୋଟୀର ସଙ୍ଗୀତଜ୍ଞ ଓ ବିଚକ୍ଷଣ ସ୍ୱର ସନ୍ଧାନୀ ହୋଇଥିବାରୁ ସଙ୍ଗୀତ ସ୍ପର୍ଶରେ ତାଙ୍କର ଭଜନ-ଜଣାଣଗୁଡ଼ିକ ଯେଉଁଭଳି ହୃଦ୍ୟ ସେହିପରି ସ୍ୱାଦ୍ୟ । ତାଙ୍କର ଏ ପ୍ରକାର ରଚନାରେ ଯେଉଁ ସାଙ୍ଗୀତିକତା ନିହିତ, ତାହା ହେଉଛି ତାଙ୍କ ନିଜସ୍ୱ ପ୍ରତିଭା । ତାଙ୍କ ଭଜନ- ଜଣାଣଗୁଡ଼ିକରେ ସଙ୍ଗୀତଗତ ମୂଲ୍ୟ ଏତେ ଅଧିକ ଯେ, ଏବେ ବି ଆକାଶବାଣୀରୁ ଏହା ପ୍ରଚାରିତ ହେବା କାଳରେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍‌ଧ କରିଦିଏ । ଶ୍ରୋତା ମଧୁର ମୂର୍ଚ୍ଛନା ସମ୍ବଳିତ ଏହି ଭକ୍ତି ସଙ୍ଗୀତରେ ନିମଜ୍ଜିତ ହୋଇ ଯାବତୀୟ ସାଂସାରିକ ଜଞ୍ଜାଳ ବିସ୍ମୃତ ହୁଏ ।

 

ଗଣକବିଙ୍କ କେତେକ ଭଜନ-ଜଣାଣର ଭାବସମ୍ପଦ ମନରେ ମାୟାଜାଲ ସୃଷ୍ଟିକରେ । ଉଭୟ ଗାୟକ ଓ ଶ୍ରୋତାଙ୍କୁ ଏହା ତନ୍ମୟ କରେ । ସମଗ୍ର ବିଶ୍ୱ ସେମାନଙ୍କୁ ଈଶ୍ୱରମୟ ପ୍ରତୀତ ହୁଏ । ସୁତରାଂ କବିଙ୍କ ଭଜନ-ଜଣାଣ ଗୁଡ଼ିକ ହିଁ ତାଙ୍କ ସାରସ୍ୱତ ଜୀବନର ସଫଳତା ଏବଂ ଆଧ୍ୟାତ୍ମିକ ଜୀବନର ଚରମ ସାର୍ଥକତା ବହନ କରନ୍ତି ।

 

 

ଅର୍ଥ ବିଭାଗ

ଓଡ଼ିଶା ସଚିବାଳୟ,

ଭୁବନେଶ୍ୱର ।

 

***

 

ଗଣକବି ବୈଷ୍ଣବ ପାଣି :

ଲୌକିକ ଓ ବୌଦ୍ଧିକତାର ସମନ୍ୱିତ ପ୍ରତିଭା

ଶ୍ରୀ ରମାକାନ୍ତ ରାଉତ

 

ଗଣକବି ବୈଷ୍ଣବ ପାଣି ଆମ ନିକଟରେ ମୁଖ୍ୟତଃ ଜଣେ ଗୀତିକାର ବା ବାରବୁଲା ଯାତ୍ରା ଦଳର ଓସ୍ତାଦ ନତୁବା ଜଣେ ଅପେରା ଲେଖକ ଭାବେ ପରିଚିତ ହେଲେହେଁ ତାଙ୍କ କବି ପ୍ରତିଭାର ପଟାନ୍ତର ନାହିଁ । ଗୀତିନାଟ୍ୟ ଓ ଗୀତାଭିନୟରେ ସନ୍ନିବିଷ୍ଟ କବିତା ବ୍ୟତୀତ ସେ ସ୍ୱତନ୍ତ୍ରଭାବେ ଅନେକ କାବ୍ୟ ପ୍ରଣୟନ କରିଛନ୍ତି । ମୁଖ୍ୟ କାବ୍ୟ ‘ଛାନ୍ଦକିଶୋରୀ ବିଳାପ’ ଓ ‘ଶକୁନ୍ତଳା’ ଦୁଇଟି ଅନବଦ୍ୟ ସୃଷ୍ଟି । ଏତଦ୍‌ଭିନ୍ନ ବହୁ ସଙ୍ଗୀତ, ଜଣାଣ, ଚଉତିଶା, ମାଳିକା, ନାମାବଳୀ, ହାସ୍ୟରସ, ବିଦ୍ରୂପ, ଢଗଢ଼ମାଳି, କୀର୍ତ୍ତନ, ଗୀତା ଓ ରାମାୟଣ ଆଦି ରଚନା କରିଥିବା ଜଣାଯାଏ । ସେ ମଧ୍ୟ ଲବଣ ଚୋରୀ, ନଟୁ ଚୋରୀ, ସୀତା ଚୋରୀ, ବସ୍ତ୍ର ହରଣ, ଜଳକେଳି, ନିଗମ ଗୀତା, ଜାତୀୟ ଗୀତିକା, ଭାଗବତ ମହାତ୍ମ୍ୟ, ଅବଧୂତ ଭଜନ, ଶ୍ରୀ ଦୁର୍ଗାପୂଜା ନାମାବଳୀ, ନିୟତି ଗୀତପୋଥି, ଜଣାଣ ମାଳିକା ଇତ୍ୟାଦି ରଚନା କରିଛନ୍ତି । ତାଙ୍କ କବିତାରେ ପ୍ରାକ୍ତନତା ଓ ଆଧୁନିକତାର ସମନ୍ୱୟ ଘଟିଛି । ତାଙ୍କ କାବ୍ୟରେ ବୌଦ୍ଧିକତା ଓ ଲୌକିକତାର ଏକତ୍ର ସମାବେଶ ଘଟିଛି ଏବଂ ତାଙ୍କ ନାଟକ ଉଭୟ ଅଶିକ୍ଷିତ ପଲ୍ଲୀ ଦର୍ଶକ ଠାରୁ ରୁଚିଶୀଳ ନଗରବାସୀ ଦର୍ଶକ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ୱାରା ଆଦୃତ ହୋଇଥାଏ । ଅନ୍ୟ ଭାଷାରେ କହିଲେ ଗଣକବି ବୈଷ୍ଣବ ପାଣି ଲୌକିକତା ଓ ବୌଦ୍ଧିକତାର ସମନ୍ୱିତ କବିତ୍ୱ ।

 

ଶକୁନ୍ତଳା ଅନେକାଂଶରେ ପ୍ରାଚୀନ ଆଳଙ୍କାରିକତା ଓ ଛାନ୍ଦରସିକତାରୁ ମୁକ୍ତ । କିନ୍ତୁ ‘ଛାନ୍ଦକିଶୋରୀ ବିଳାପ’ରେ ରୀତିଯୁଗୀୟ ପ୍ରଭାବ ବିଶେଷ କରି ଅଭିମନ୍ୟୁ ଓ ଭକ୍ତଚରଣଙ୍କ ପ୍ରଭାବ ବେଶ୍‌ ଲକ୍ଷଣୀୟ । କିନ୍ତୁ ସରଳ ଓ ରସାଳ ଶୈଳୀରେ କବି ଏହାକୁ ବେଶ୍‌ ସୁପାଠ୍ୟ ଓ ସାଧାରଣ ପାଠକ ନିକଟରେ ଆଦରଣୀୟ କରିପାରିଛନ୍ତି । ଉପେନ୍ଦ୍ର ଭଞ୍ଜଙ୍କ ପ୍ରଭାବ ମଧ୍ୟ ତାଙ୍କ ଉପରେ ଢେର ବେଶୀ । ବୈଷ୍ଣବ ଧର୍ମ ଓ ଦର୍ଶନ ଦ୍ୱାରା ସେ ବହୁଭାବେ ପ୍ରଭାବିତ । ରାଧା ଭାବରେ ମୂହ୍ୟମାନ ହୋଇ ଧନୁ ଉତ୍ସବରେ ସମବେତ ମଥୁରା ନାରୀଙ୍କ କଥନୋକ୍ତି ମଧ୍ୟରେ ସେ କହନ୍ତି :

 

‘‘ଯାହା ଉରଜରୁ ବାସ,

ଫେଉଥିବେ ଧୀରେ ଧୀରେ ଶ୍ରୀବାସ ଗୋ ।

ତୁଚ୍ଛ ତାକୁ ବଇକୁଣ୍ଠ ବାସ ସଜନି ଗୋ ।୭।

କେ ବୋଲେ ପ୍ରୀତି ଆଶାରେ, ଲୋଡ଼ୁଥିବେ ଯା’କୁ ଚନ୍ଦ୍ର ନିଶାରେ ଗୋ

ସାର୍ଥକ ତା ଜନମ ସଂସାରେ ସଜନି ଗୋ ।୮।’’

[ବୈଷ୍ଣବ ପାଣି ଗ୍ରନ୍ଥାବଳୀ-୧ମ ଭାଗ, ପୃଷ୍ଠା-୯୪]

 

ଏତଦ୍‌ଭିନ୍ନ ବଳଦେବ ରଥଙ୍କ ଚମ୍ପୁର ଛନ୍ଦ ଓ ଶୈଳୀରେ ବୈଷ୍ଣବ ପାଣି ଗୀତ ରଚନା କରିଛନ୍ତି । ରାଧାକୃଷ୍ଣ ଲୀଳା ବର୍ଣ୍ଣନାରେ କବି ବଳଦେବଙ୍କ ପରି ନାଟକୀୟତା ଓ ଆଳଙ୍କାରିକତା ସଙ୍ଗେ ସଙ୍ଗେ ଶୃଙ୍ଗାରିକତା ଓ ସାଙ୍ଗୀତିକତାକୁ ସରଳ ଲୌକିକ ଶୈଳୀରେ ପ୍ରକାଶ କରିଛନ୍ତି । ‘ବ୍ରଜଲୀଳା’ରେ ରାଧାଙ୍କ ଉକ୍ତି ପ୍ରତ୍ୟୁକ୍ତି ପ୍ରଣିଧାନଯୋଗ୍ୟ ।

 

‘‘ନକହ ନନ୍ଦନନ୍ଦନ ସେହି ଭାଷାରେ

ଶୁଣିଲା ବେଳୁ ଉଡ଼ିଯାଏ ହଂସାରେ

ଶାଶୁ ନଣନ୍ଦର ଘର ନିରତେ ମାଡ଼ଇ ଡର

କରିବୁ ତୁ ରଙ୍ଗାଧର ଲୋକହସାରେ ।୧।

 

ଚନ୍ଦ୍ରଶେଣା ମୋର କାନ୍ତ            ସାକ୍ଷାତେ ସେ ଯମଦୂତ

ଗଞ୍ଜଣା କରିବ ହୃଦେ ବହି ହିଂସାରେ ।୨।’’

[ବୈଷ୍ଣବ ପାଣି ଗ୍ରନ୍ଥାବଳୀ-୧ମ ଭାଗ, ପୃଷ୍ଠା-୬୬]

 

ଏଠାରେ କବିସୂର୍ଯ୍ୟଙ୍କ ନାଟକୀୟତା ଓ ସାଙ୍ଗୀତିକତା ଏବଂ ଗୋପାଳକୃଷ୍ଣଙ୍କ ଲଳିତ ମଧୁର ପଦାବଳୀର ଯୁଗପତ୍‌ ସମାବେଶ ପରିଲକ୍ଷିତ ହୁଏ ।

 

ଅନେକ ସମୟରେ ଗଣକବି ‘ବିଦଗ୍‌ଧ ଚିନ୍ତାମଣି’ ‘ମଥୁରା ମଙ୍ଗଳ’ ଗୋପାଳକୃଷ୍ଣ ପଦାବଳୀର ପଙ୍‌କ୍ତି ତାଙ୍କ ଗୀତିନାଟ୍ୟରେ ଉଦ୍ଧାର କରି ତାକୁ ମିଳେଇ ଗୀତ ଯୋଡ଼ିଛନ୍ତି । ଉଭୟର ବ୍ୟବଧାନ ବାଛିବା କଷ୍ଟକର କଥା । ନିମ୍ନ ଉଦାହରଣରୁ ତାହାର ସୂଚନା ମିଳେ :

 

ମଥୁରା ନାରୀ ସକଳ କୃଷ୍ଣଙ୍କୁ ଚାହିଁ ହୁଅନ୍ତି ବିକଳ ଯେ

କଳ-ବଚନା ବହୁ ଆକୁଳ ସୁନ୍ଦରୀଏ ।୧।

କୁଳ-କୋରକରଦନା ଜବାଧରା ପୂର୍ଣ୍ଣଚନ୍ଦ୍ର ବଦନା ଯେ

ମଦାଳସା ମଦନ-ସଦନା ସଜନୀ ଏ । [ରଙ୍ଗସଭା]

 

ସେହିପରି-

‘‘କୃଷ୍ଣ ମଧୁପୁର ଯିବାର ଶୁଣି

କାନ୍ଦୁଛନ୍ତି ଯଶୋଦାରାଣୀ

।।

X X X

।।

ଗୋକୁଳ-କୁଳ-କଳାନିଧିକି

ଗ୍ରାସ କରୁ ରାହୁ ହୋଇ କାହିଁକି ।

।।

ଛଡ଼ାଇ ନେଉ ମୋ ଅଞ୍ଚଳନିଧି

ଛଳେ ରାଜା ତୋତେ ପେଶିଛି ଯଦି

।।

ଜହର ଗୋଳି ଦେଇଯା ତୁଣ୍ତେ

ଜଗମୋହନଙ୍କୁ ନେଇଯା ଦଣ୍ତେ

।।

 

‘ଲକ୍ଷ୍ମୀପୂଜା’ ଗୀତିନାଟ୍ୟରେ ଦାସୀ ପ୍ରତି ଲକ୍ଷ୍ମୀଙ୍କ ଉକ୍ତି ‘‘ପଚାର ପଚାର ଦାସୀ ପଚାର ଗୋ ଯାଇ/ବିଭା ହୋଇଛନ୍ତି ନା ବ୍ରାହ୍ମଣ ଦୁଇଭାଇ ।’’ ଲକ୍ଷ୍ମୀ ପୁରାଣର ଅବିକଳ ଉଦ୍ଧୃତି । ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ସେ ଏହା କରିଛନ୍ତି । ‘କୃଷ୍ଣ ମଥୁରା ଯିବା ଜନନୀ ଶୁଣି/ରୋଦନ କରୁଛନ୍ତି ନନ୍ଦ ତରୁଣୀ’’ ପରି ବୈଷ୍ଣବ ପାଣି ଅନୁରୂପ ପଦ ସଂଯୋଜନା କରିଛନ୍ତି । ‘‘କୃଷ୍ଣ ମଧୁପୁର ଯିବାର ଶୁଣି/କାନ୍ଦି କହୁଛନ୍ତି ଯଶୋଦା ରାଣୀ’’ ବା ମଥୁରା ମଙ୍ଗଳର ‘ତୁ ଗଲେ ମଧୁଭୁବନ ହେବ ଦଶଦିଗ ଶୂନ୍ୟ/କାହା ମୁଖ ଅନାଇ ବଞ୍ଚିବିରେ ଜୀବଧନ’’ ପରି ରଙ୍ଗସଭାରେ ପାଣି ଲେଖିଛନ୍ତି ;

 

‘‘ଯେବେ ଯିବୁ ମଧୁପୁରକୁ, ଅନାଇବି କାହା ମୁଖକୁ, କହେ ବଇଷ୍ଣବ ନିଶ୍ଚେ ଜୀବ ଯିବ ମୁରୁଛିବି ଗଳାମାଳି କେମନ୍ତେ ।’’

 

ଏସବୁ ପ୍ରଭାବ ଇଚ୍ଛାକୃତ ନୁହେଁ । ପିଲାଦିନରୁ ସେ ଯାତ୍ରାଦଳରେ ଅଭିନୟ କରିଛନ୍ତି । ପାଲାଗାୟକ ଭାବେ କିଛିଦିନ ଅବତୀର୍ଣ୍ଣ ହୋଇଛନ୍ତି । ପରିଣତ ବୟସରେ ନିର୍ଦ୍ଦେଶନା ଦେଇଛନ୍ତି । ତେଣୁ ଛାନ୍ଦ ଚଉପଦୀ, ଚମ୍ପୁ ଚଉତିଶାମାନ ଗାନ କରିବା ହେତୁ ତାଙ୍କର ନଖଦର୍ପଣରେ, ଅସ୍ଥିମଜାଗତ ହୋଇ ରହିଛି । ଦଳପାଇଁ, ଅଭିନୟ ପ୍ରତିଯୋଗିତା ପାଇଁ ଯାତ୍ରାଦଳର ଉତ୍କର୍ଷ ସାଧନ ଲାଗି ସେ ଏସବୁ ପ୍ରାଚୀନ ପ୍ରତିଷ୍ଠିତ କବିଙ୍କ ଲେଖମାନ ଖଞ୍ଜି ପଦ ରଚନା କରିଛନ୍ତି । ଭବିଷ୍ୟତରେ ସେ ସବୁ ପୁସ୍ତକ ଆକାରରେ ଲୋକ ଲୋଚନକୁ ଆସିବ ବା ତାଙ୍କ ଲେଖାର ମୌଳିକତା ବିଚାର କରାଯିବ ଏ ଧାରଣା ତାଙ୍କ ମନକୁ ମୋଟେ ଆସିନଥିବ । ହୁଏତ ତାଙ୍କ ଜୀବନକାଳ ମଧ୍ୟରେ ଛାପାର ଆୟୋଜନ ହୋଇଥିଲେ ସେସବୁ ସମ୍ପାଦନା କରି ସେ ବାଦ ଦେଇଥା’ନ୍ତେ । ସେମିତି ଅଭିନୟ ପାଇଁ ଉଦ୍ଦିଷ୍ଟ ତାଙ୍କ ପାଣ୍ତୁଲିପିକି ଛାପି ଦିଆଯାଇଥିବାରୁ ଏସବୁ ପ୍ରଭାବ ଦେଖିବାକୁ ମିଳୁଛି ।

 

ବୈଷ୍ଣବ ପାଣିଙ୍କ ଆଳଙ୍କାରିକ ଛଟା ଆମକୁ ପ୍ରକୃତରେ ବିସ୍ମିତ କରିଥାଏ । ଶବ୍ଦାଳଙ୍କାର ପ୍ରୟୋଗରେ ସେ ବିଚକ୍ଷଣତା ପ୍ରକାଶ କରିଛନ୍ତି । ‘ବ୍ରଜଲୀଳାର ଶେଷ ଭାଗରେ :

 

‘‘ରଙ୍ଗା ରଙ୍ଗା ଛୁଆ ହଙ୍ଗାଦଙ୍ଗା ଦେଖି, ଠେଙ୍ଗା ଜର ମୋତେ ଘୋଟିଲାଣି

ଲଙ୍ଗଳ ବୁହାଟା କଙ୍ଗାଳ କଲା ସେ ଡଙ୍ଗାବୁହା ଢଙ୍ଗ ଶିଖିଲାଣି ।୨।

ହୋଇଣ ଭୂଜଙ୍ଗ ଆଜିହେଲି ବେଙ୍ଗ, ମାତଙ୍ଗ ହୋଇଲା ପତଙ୍ଗଟା

ଅଙ୍ଗଦ ନୋହିବି ଅଙ୍ଗଦ ହୋଇବି ରଙ୍ଗେ ଘୁଞ୍ଚାଇବି ଆତଙ୍କଟା ।୩।’’

 

ଏଠାରେ କେବଳ ଅନୁପ୍ରାସର ସାର୍ଥକ ପ୍ରୟୋଗ ନୁହେଁ, ଯମକ ଅଳଙ୍କାର ଓ ବିରୋଧାଭାସ ପ୍ରୟୋଗ କରାଯାଇଛି । ପାଣିଙ୍କ ଶବ୍ଦ କସରତ ଓ ଶବ୍ଦ ଭଣ୍ତାର ଭଞ୍ଜଙ୍କ ପରି ଉଚ୍ଚକୋଟୀର । ‘ଅଣିମାଦି’ ପରି କେତେକ ଭଞ୍ଜୀୟ ଶବ୍ଦ ପ୍ରତି ପାଣିଙ୍କର ଅଶେଷ ମୋହ ଥିବାରୁ ସେ ତାହାକୁ ଗୀତିନାଟ୍ୟରେ ବାରମ୍ବାର ପ୍ରୟୋଗ କରିଛନ୍ତି । (‘‘କ୍ଷମାଦେଇ ଦାସେ ଚଳ ଋଷି ବାସେ ଛାଡ଼ିଣ ଦକ୍ଷିଣା ଆଶା/ଅଣିମାଦି ସହ ଅଯୋଧ୍ୟା ଅର୍ପିଛି କହୁ ନାହିଁ ଛଳ ଭାଷା ।’’ ‘‘ଅଣିମାଦି ସୁଖଦାୟୀ ଗଣିକା ତୋ ଚରଣ.......ଇତ୍ୟାଦି) କବିଙ୍କ ଲାବଣ୍ୟବତୀ କାବ୍ୟର କଥାବସ୍ତୁ ଅବଲମ୍ବନରେ ‘ଲାବଣ୍ୟବତୀ ଚନ୍ଦ୍ରଭାନୁ’ ଗୀତିନାଟ୍ୟ ଶ୍ରୀ ପାଣି ରଚନା କରିଛନ୍ତି । ଏହିମତେ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ଭକ୍ତଚରଣ, ବଳଦେବ ଓ ଗୋପାଳକୃଷ୍ଣଙ୍କ ପ୍ରଭାବ ନାନା ଭାବେ ବୈଷ୍ଣବ ପାଣିକୁ ପ୍ରଭାବିତ କରିଛି ।

 

ହାସ୍ୟରସ ଓ ଶିଶୁ ସାହିତ୍ୟ ବୈଷ୍ଣବ ପାଣିଙ୍କ ନାଟକରେ ପରିଲକ୍ଷିତ ହୋଇଥାଏ । ଶିଶୁମାନଙ୍କ ଲାଗି କିଛି ଉପାଦାନ ନାଟକରେ ପତ୍ରସ୍ଥ ହୋଇଛି । ‘ବ୍ରଜଲୀଳା’ରେ ବାଳ ଗୋପାଳକୃଷ୍ଣ, ବଳରାମ, ଦାମ, ସୁଦାମ, ସୁବଳ, ମଧୁ ମଙ୍ଗଳ ପ୍ରଭୃତିଙ୍କ ଗହଣରେ ବାଲ୍ୟକ୍ରୀଡ଼ା ବର୍ଣ୍ଣନା ପ୍ରସଙ୍ଗରେ ବୈଷ୍ଣବ ପାଣି ଲୁଚକାଳି ଖେଳ, ଧୂଳିଘର ଇତ୍ୟାଦି ଶିଶୁ ସୁଲଭ ଦରୋଟି ଭାଷାରେ ପ୍ରକାଶ କରିଛନ୍ତି । ନନ୍ଦ ଯଶୋଦାଙ୍କୁ ଅଳି ଅର୍ଦ୍ଦଳି କଲାବେଳେ ମଧ୍ୟ ଶିଶୁଭାବ ଓ ଭାଷା ପ୍ରକାଶ ପାଇଛି । ଧୂଳି ଖେଳର ବର୍ଣ୍ଣନା ଅତି ଚିତ୍ତାକର୍ଷକ :

 

‘‘ଧୂଳି ଭାତ ଧୂଳି ତିଅଣ ଧୂଳି ଶାକର ଭଜା,

ଧୂଳି ପିଠା ଧୂଳି ପାୟସ ଧୂଳି ମାଣ୍ତୁଅ ଗଜା ।୧।

ଧୂଳି ସରପୁଳି ମହୁର ଧୂଳି ଚକୁଳି ବରା,

ଧୂଳି ଛୁଞ୍ଚିପତ୍ର ଧୂଳିରେ କରି ବେନି କାକରା ।୨।’’

(ବୈଷ୍ଣବ ପାଣି ଗ୍ରନ୍ଥାବଳୀ-୧ମ ଭାଗ, ପୃ-୫୮)

 

ସେହିପରି କୃଷ୍ଣ ବାଲ୍ୟ ଚପଳତା ବଶତଃ ମାଟି ଖାଆନ୍ତେ ଯଶୋଦାଙ୍କ ଆକଟରେ ମଧ୍ୟ ଶିଶୁ ସାହିତ୍ୟର ଆଭାସ ଅଛି :

 

ମାଟିଖିଆ ବୁଦ୍ଧି ଛାଡ଼ରେ କହ୍ନାଇ, ମାଟି ଖିଆ ବୁଦ୍ଧି ଛାଡ଼,

ଏକି ବାପ ତୋତେ ସୁଆଦ ଲାଗୁଛି ସରଲବଣୀରୁ ବଡ଼

X X X

କାଢ଼ିପକା ସେହି ମାଟି ତୋ ପାଟିରୁ, କାଢ଼ିପକା ସେହି ମାଟି

X X X

ଦେଖା ତୋ ପାଟି ଭିତରରେ କହ୍ନାଇ, ଦେଖା ତୋ ପାଟି ଭିତର

ବଇଷ୍ଣବ ବୋଲେ ଚାହିଁ ତୋର ରୀତି ହେଲିଣି ମୁହିଁ ପଥର ।

(ଗ୍ରନ୍ଥାବଳୀ-ବ୍ରଜଲୀଳ, ପୃ-୫୯)

 

ବୈଷ୍ଣବ ପାଣି ହାସ୍ୟରସର ଜୀବନ୍ତ ପ୍ରତୀକ । ତାଙ୍କ ନାଟକରେ ହାସ୍ୟରସ ଏକ ମୁଖ୍ୟ ବିଭାବ । ବିମଳ ହାସ୍ୟରସ ପରିବେଷଣରେ ପଲ୍ଲୀଦର୍ଶକଙ୍କୁ ହସେଇ ରସେଇ ସେ ତନ୍ମୟ କରୁଥିଲେ । ହାରମୋନିୟମ ଛାଡ଼ି ହଠାତ୍‌ ପାଣି ମହାଶୟ ମଞ୍ଚ ଉପରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କୁ ହସେଇ ହସେଇ ବେଦମ୍‌ କରି ପକାନ୍ତି । ନାଟକ ଶେଷରେ ଫାର୍ଶ ଯୋଜନା ପୁରାତନ ନାଟକରେ ଏକ ପରମ୍ପରା ଥିଲା । ତେଣୁ ଗଣକବି ଅନେକ ଫାର୍ଶ ଲେଖିଛନ୍ତି । ଫାର୍ଶ ମୁଲକ, ସଉଦାଗର ଫାର୍ଶ, ଫାର୍ଶ ଲହରୀ, ନାଟୁଆ ମାହାନ୍ତି ଫାର୍ଶ, ଗୋପାଳଭାଣ୍ତ ପ୍ରହସନ, ଫାର୍ଶ ସାଗର, ବୁଢ଼ାବୁଢ଼ୀ ଫାର୍ଶ, କେଳା-କେଲୁଣୀ ଫାର୍ଶ, କଲିକତିଆ ଜୋଇଁ ଫାର୍ସ ଇତ୍ୟାଦି । ମଧ୍ୟଯୁଗରେ ଡ୍ରାଇଡ଼େନ ପ୍ରମୁଖ ପାଶ୍ଚାତ୍ୟ ସାହିତ୍ୟିକମାନେ ଯେପରି ଶାସନାସୀନ ବ୍ୟକ୍ତି ବିଶେଷଙ୍କୁ ଆକ୍ଷେପ ଓ ବିଦ୍ରୂପ କରି କବିତା ଲେଖିଛନ୍ତି ବୈଷ୍ଣବ ପାଣି ମଧ୍ୟ ତାଙ୍କର ପ୍ରତିଦ୍ୱନ୍ଦୀ ନାଟ୍ୟଦଳଙ୍କୁ ବାଦୀଯାତ୍ରା ସମୟରେ ଆକ୍ଷେପ କରି ଫାର୍ଶ ରଚନା କରି ଅଭିନୟ କରନ୍ତି । ‘ନାଟୁଆ ମାହାନ୍ତି ଫାର୍ଶ’ ସେହିପରି ଏକ ବିଦ୍ରୁପ । ସେ ମଧ୍ୟ ଏଥି ନିମିତ୍ତ ଶରବ୍ୟ ହୋଇଛନ୍ତି । ତାଙ୍କୁ ବିଦ୍ରୁପ କରି ‘ପାଣି ଧୋବଣୀ ଫାର୍ଶ’ ଲେଖାଯାଇଛି । ମୁଢି, କଞ୍ଚା ଲଙ୍କା, କାଞ୍ଜି ଇତ୍ୟାଦି ବିଷୟରେ ସେ ଚମତ୍‌କାର କବିତା ଲେଖିଛନ୍ତି ।

 

‘‘ଧନ୍ୟ ଧନ୍ୟ ଧନ୍ୟରେ ମୁଢ଼ି !

ତୋତେ ଖାଇ ଟୋକି ହୁଅନ୍ତି ବୁଢ଼ୀ

X X X

କଞ୍ଚା ଲଙ୍କା ସଙ୍ଗରେ ତୋର, ନିଃଶଙ୍କାରେ କଲେ ଆହାର

ନୋଟା ଗାମୁଛାକୁ ସତାର ନ’ଥାଏ

ପାଇଖାନାକୁ ତ ପଡ଼ଇ ଧାଡ଼ି ।।’’

 

ଏହା ଯେପରି ନିଛକ, ଗାଉଁଲୀ, ସେହିପରି ହାସ୍ୟୋଦ୍ଦୀପକ । ସେହିପରି କାଞ୍ଜି ବିଷୟରେ –

 

‘‘ବାହା ବାହା ବାହାରେ କାଞ୍ଜି ।

ତୋର ଋଣ କିଏ ପାରିବ ଶୁଝି !

ଶୀତ ତୋର ମିତ ତୁହି ତାକୁ ହିତ

ପିତ୍ତ ତ ପଳାଏ ରାଇଜ ତେଜି ।

ପଡ଼ିଲେ ତୋ ସଙ୍ଗତେ ମୂଳା, ଠେଲୁ ଆଉ ଭାତ ଦି’ଗୁଳା

ଯେଉଟ ସାଙ୍ଗରେ ଥାଇକି ରଙ୍ଗରେ

ରାନ୍ଧୁଣୀଙ୍କ ମନ କରାଉ ରାଜି ।’’

 

ଏହା ଓଡ଼ିଶୀ ସଂସ୍କୃତିର ଚିତ୍ର, ଓଡ଼ିଆ ଖାଦ୍ୟ ସାମଗ୍ରୀର ଜୀବନ ବର୍ଣ୍ଣନା । ବୈଷ୍ଣବ ପାଣି ଓଡ଼ିଆର ଅନ୍ତନାଡ଼ି ଚିହ୍ନିଥିଲେ । ଓଡ଼ିଆ ଦର୍ଶକର ମନଛୁଆଁ ଗୀତ ସେ ବୋଲି ସେମାନଙ୍କ କର୍ମକ୍ଳାନ୍ତ ଜୀବନକୁ ସରସ ସୁନ୍ଦର କରି ତୋଳିଛନ୍ତି । କାଞ୍ଜି ବୈଦ୍ୟମାନଙ୍କର ମହୌଷଧି । ଏହା ଦ୍ୱାରା ବାତ, ପୀତ, କଫ ଇତ୍ୟାଦି ବିଲୋପ ହୁଏ । ପାଣି ତେଣୁ ଯଥାର୍ଥରେ କହିଛନ୍ତି : ଚଉଷଠି ବାତ ଯୋଡ଼ିଥାନ୍ତି ହାତ/ବଣାକରୁ ତୁରେ ନାହାକ ପାଞ୍ଜି ।’’ ଅର୍ଥାତ୍‌ କାଞ୍ଜି ସେବନ ଦ୍ୱାରା ଲୋକେ ନୀରୋଗ ଓ ଦୀର୍ଘାୟୁ ହୁଅନ୍ତି । ଫଳରେ ଜ୍ୟୋତିଷ ଗଣନାବି ଭ୍ରମ ପ୍ରମାଣିତ ହୁଏ । ଗୁଲି, ମଦ, ଭାଙ୍ଗ ବିଷୟରେ ମଧ୍ୟ ପାଣି ରସରସିଆ କବିତା ଲେଖିଛନ୍ତି । ଦ୍ୱାରୀ, ଦୂତ, ଡଗରା ଓ ନାପିତ ପ୍ରଭୃତି ନିମ୍ନ ଧରଣର ଚରିତ୍ରମାନଙ୍କ ମୁଖରେ ଏହି ଗୀତ ବୋଲଯାଇଥାଏ । ସେମାନଙ୍କ ଚାଲି, ଅଙ୍ଗଭଙ୍ଗୀ, ଉଚ୍ଚାରଣ ଆଦି ହାସ୍ୟ ଉଦ୍ରେକର କାରଣ ହୋଇଥାଏ ।

 

କବିତ୍ୱ ବୈଷ୍ଣବ ପାଣିଙ୍କ ସାହିତ୍ୟିକ କୃତିର ଚରମ ପରିପ୍ରକାଶ ! ଭଞ୍ଜୀୟ କାବ୍ୟଧାରାର ଶୈଳୀଗତ ପ୍ରଭାବ ତାଙ୍କଠିଁ ଢେରବେଶୀ । ଆତ୍ମିକତା ଦିଗରୁ ବିଚାର କଲେ ରାଧାଭକ୍ତିର ପ୍ରଭାବରେ ସେ ପ୍ରଭାବିତ । ମାଧବ ସୁଲୋଚନା ‘ଗୀତିନାଟ୍ୟ’ରେ କବି ମାଧବ ମୁହଁରେ ଚନ୍ଦ୍ରଭାନୁର ସଂଳାପକୁ :

 

‘‘ହେ ରାମ ଶ୍ୟାମସୁନ୍ଦର ଅଛ ଦତ୍ତ କରି

ସୁଗ୍ରୀବକୁ ତାରା ବଭୀଷଣେ ମନ୍ଦୋଦରୀ

ଲାବଣ୍ୟବତୀ କୁମାରୀ ଶିରୋମଣି ମୋର

ମନୋହାରୀ ହୋଇବ ଏମନ୍ତ କୃପାକର ଯେ ।’’

 

ମାଧବ ମୁହଁରେ ଠିକ୍‌ ସେଇ ଭାବେ କୁହାଇଛନ୍ତି ;

 

‘‘ହେ ବରହୀ ପୁଚ୍ଛଧାରୀ, ସତେ ଏ ବିରହ କଷ୍ଟରୁ ପାରି କରିବନି ! ତୁମ୍ଭେ ବିରହବେଦନା ଅଙ୍ଗେ ନିଭେଇଛ । ସୁଗ୍ରୀବକୁ ତାରାକୁ ଦେଇଛ, ବିଭୀଷଣକୁ ଦେଇଛ ମନ୍ଦୋଦରୀ । ମୋତେ ମୋର ପିକବଚନାକୁ ଦିଅ ।’’

 

ସେହିପରି ‘ଲାବଣ୍ୟବତୀ’ର ପ୍ରଥମ ଛାନ୍ଦ ନିଜ କାବ୍ୟ ସଂପର୍କିତ ସୂଚନା ଛାନ୍ଦକିଶୋରୀ ବିଳାପରେ ବୈଷ୍ଣବ ପାଣି ଦେଇଛନ୍ତି :

 

‘‘ବିପ୍ରଳାପ ନମଣନ୍ତୁ କୋବିଦ କଳାପେ ଯେ

କଳ୍ପିକଳ୍ପନାର ଅର୍ଥ ବୁଝନ୍ତୁ ଅଳପେ ଯେ

କଳାକର ସମକଳା

ପନ୍ଦର ଛାନ୍ଦରେ ଗ୍ରନ୍ଥ ସମାପନ ହେଉ

 

ପଦକୁ ପଦ ହୋଇବ ସରଳ ତରଳ

ହରିବି ସୁଖ ପ୍ରାଣୀଏ ମଣିବେ ଗରଳ

ମଣିକାଞ୍ଚନ ସଂଯୋଗ ସମାନ ହୋଇବ

ଭାବାର୍ଥରେ ଭାବୁକର ମାନସ ମୋହିବ ।’’

 

ଭଞ୍ଜଙ୍କର ‘‘ପଦ ସରଳ ଧ୍ୱନିରେ ମାନସ ମୋହିବ/ଅର୍ଥୀଜନ ପ୍ରକରକୁ ଆନନ୍ଦ କରିବ ।’’ର ଅବିକଳ ଅନୁକରଣ କରାଯାଇଛି । ନିଜେ କବି ମଧ୍ୟ ସ୍ୱୀକାର କରିଛନ୍ତି :

 

‘‘ଦୀନକୃଷ୍ଣ, ଉପଇନ୍ଦ୍ର, ଅଭିମନ୍ୟୁ, କବି ବଳଦେବ ରଥ

ଶ୍ରୀ ଗୋପାଳକୃଷ୍ଣ, ଯଦୁମଣି ଆଦି ଲିହିଲେ ଯେତେକ ଗ୍ରନ୍ଥ ।’’

 

ବିଚାର ବିବେଚନାରେ କବି ଆଧୁନିକ କିନ୍ତୁ କାବ୍ୟ ଗଢ଼ଣରେ ପ୍ରାକ୍ତନ ରୀତିଯୁଗୀୟ କବିମାନଙ୍କ ଅର୍ଥଗତ, ଶୈଳୀଗତ, ତତ୍ତ୍ୱ, ଦର୍ଶନ ଓ କାବ୍ୟାଦର୍ଶ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏହିପରି । କବି ‘ସ୍ତୁତି ମାଳିକା’, ‘ଜଣାଣ ମାଳିକା’, ଅବଧୂତ ଜଣାଣ ଓ ‘ଶ୍ରୀ ନୀଳାଚଳ ଜଣାଣ’ ପ୍ରଭୃତି ‘ସ୍ତୁତି ଚିନ୍ତାମଣି’ ଓ ‘ବ୍ରହ୍ମଗୀତା’ ପରି ଭାବବ୍ୟଞ୍ଜକ । ଦୀନକୃଷ୍ଣଙ୍କ ଆରତତ୍ରାଣ ଚଉତିଶା ଢଙ୍ଗରେ ରଚିତ । ଭାଷା ଓ ଭାବ ଅତି ଉଚ୍ଚମାନର ।

 

‘‘କଉସ୍ତୁଭ ଧାରଣ କଉଣପଦାରଣ କମଳାପତି ! କଷ୍ଟହର

କମ୍ଭୁ-ଅମ୍ୱୁଜ-ଧର ! ଚକ୍ର ଗଦା ଯେ କର ସଦା ବିରାଜୁଥାଏ ମନୋହର

ହେ ନୀଳାଚଳ

କଇବଲ୍ୟ ମୁକୁଳା ନାଥ

କର୍ଣ୍ଣେ ଶୁଣ ଦୁଃଖୀ ଆରତ

କଷଣ ସହି କେତେ ରହିବି ମହୀଗତେ କଣ୍ଠ ଶୁଖୁଛି ଅବିରତ ।

 

ସେହିପରି ଚଉତିଶାର ଶେଷ ଭାଗ ଅର୍ଥାତ୍‌ ‘କ୍ଷ’ ଅନୁପ୍ରାସରେ ରଚିତ ପଦ ଆହୁରି ଚିତ୍ତାକର୍ଷକ । ବୈଷ୍ଣବ ପାଣିଙ୍କ ଆବେଗଧର୍ମୀ ଭାବୋଚ୍ଛ୍ୱାସ ଓ ଭାଷା ପ୍ରୟୋଗ ଦକ୍ଷତା, ପଦ ସଂଯୋଜନାରେ ଖାନଦାନୀ ରୀତିଦ୍ୱାରା ଯେ କୌଣସି ପାଠକ ସ୍ୱତଃ ଆକୃଷ୍ଟ ହୋଇଥାଏ ।

 

‘‘କ୍ଷମା କରିବା ଦୋଷ କ୍ଷମା ସାଗର ଦାସ ଜନକୁ ରଖ ପଦତଳେ

କ୍ଷରି ଯାଉ ଏ କଥା କ୍ଷମେ ରଚେ କବିତା ଜନମି ଦୀନ ଦ୍ୱିଜକୁଳେ

ହେ ନୀଳାଚଳ

କ୍ଷମାଦିଅ ବଇଷ୍ଣବକୁ

କ୍ଷୋଭରେ ଡାକୁଛି ତୁମ୍ଭଙ୍କୁ

ଖ୍ୟାତି ରହୁ କ୍ଷିତିରେ ଖଣ୍ତ ମୋ ଦୁର୍ଗତିରେ ଉଦ୍ଧରି ଧର ସେବକକୁ ।’’

 

ସଦାନନ୍ଦ ଯୋଗୀ ଜଗନ୍ନାଥ ବଳରାମଙ୍କ ଉଦ୍ଦେଶ୍ୟରେ ଯେଉଁ ଭର୍ତ୍ସନା କରିଥିଲା ତାହା ହାସ୍ୟ ରସାତ୍ମକ ।

 

‘‘ଏଡ଼େ ଲକ୍ଷ୍ମୀଛଡ଼ା ଯୋଡ଼ା ଯାକ ଭାଇ ପୋଡ଼ାମୁହାଁ ଲାଜ ନାହିଁରେ

ଘୋଡ଼ାମୁଖା ତୁମ୍ଭେ ଆସି କେଉଁଆଡ଼ୁ ବସିଥିଲ ବାଟ ଚାହିଁରେ ।’’

 

ଏହିପରି ଗଣକବିଙ୍କ ଗୀତିନାଟ୍ୟରେ ହାସ୍ୟରସର ଫୁଆରା ଛୁଟିଛି । ବିମଳ ହାସ୍ୟରସ ଭିନ୍ନ ବୌଦ୍ଧିକ ହାସ୍ୟରସ ମଧ୍ୟ ତାଙ୍କ ସାହିତ୍ୟରେ ପରିଲକ୍ଷିତ ହୋଇଥାଏ, ଯାହା ତାଙ୍କ କବିତ୍ୱର ଅନ୍ୟ ଏକ ବୈଶିଷ୍ଟ୍ୟ । ବିଦ୍ରୁପ, ଶ୍ଳେଷ ଆଦି ତାଙ୍କ ଲେଖାରେ ରହିଛି । ଗୋପାଳକୃଷ୍ଣଙ୍କ ପରି ନିଜ ପାରିବାରିକ ଜୀବନର ଅଭାବ ଅସୁବିଧା ସମ୍ପର୍କରେ ସେ ଭଗବାନଙ୍କୁ ଛଳୋକ୍ତି କରି କହିଛନ୍ତି :

 

‘‘ଅଭାବ ଅଭାବ ସଦା ଭାବି ଭାବି ଜୀବନ ଯାଏ ବାହାରି,

ମହାପ୍ରଭୁ ହେ ।

ବିରୂପା କୂଳରେ ବସି ବସି ଆସି ବିରୂପ ହେଲିଣି ମୁହିଁ

ଦାନା କନା ଛାଡ଼ି ସକଳ ଦେଇଛ ନ ଦେଖନ୍ତି ଏହା କେହି ।

X X X

ପାଣିର ଗୁହାରୀ ପାଣିରେ ଭାସୁଛି ବାଣୀ ସେବା କରି କରି

ପାଶୋରି ନଦିଅ କିଶୋରୀ-ବଲ୍ଲଭ ଜୟ ନୀଳାଦ୍ରି-କେଶରୀ ।’’

[ବୈଷ୍ଣବ ପାଣି ଗ୍ରନ୍ଥାବଳୀ-୧ମ ଭାଗ, ପୃ-୩୭]

 

ଏଠାରେ ଅନୁପ୍ରାସ ଓ ଯମକର ପ୍ରୟୋଗ କରାଯାଇଛି । ଏହିପରି ‘‘ଛାଡ଼ ମାଡ଼ଖିଆ ବୁଦ୍ଧି ହେ ବଡ଼ ଦେଉଳ ଗୋସାଇଁ/ଯେ ମାଇଲା ମାଡ଼ ସେ ହୋଇଲା ବଡ଼ ବାଡ଼ ଦେଲୁ ତାକୁ ତୁହି ।’’ ‘ହେଳା କରନା ହେ ନୀଳାଚଳ ନାଥ’, ‘ଭାଗବତ ଭଜନମାଳା’, ‘ଜଣାଣ ମାଳିକା’, ‘ଅବଧୂତ ଭଜନ’, ‘ସ୍ତୁତି ମାଳିକା’, ‘ଶ୍ରୀ ନୀଳାଚଳ ଜଣାଣ’ ଓ ‘ଶ୍ରୀ ନିଶ୍ଚଳମତି ମାଗୁଣି’ ଆଦିରେ ଯେପରି ଭକ୍ତିଭାବ ସେହିପରି ସାରସ୍ୱତ ବିଭବ ପୂରି ରହିଛି । କବି ଭୂତ ଶବ୍ଦକୁ ବିଭିନ୍ନ ଅର୍ଥରେ ପ୍ରୟୋଗ କରି ରୀତି ଯୁଗୀୟ କବିମାନଙ୍କ ପରି ନିଜ ଅଳଙ୍କାର ଦକ୍ଷତା ଓ ଶବ୍ଦ ପାଣ୍ତିତ୍ୟ ପ୍ରଦର୍ଶନ କରିଛନ୍ତି :

 

ପୀତପଟ ଅଟ ଭୂତହେ, ରାଧାନାଥ !

X X X

ଭୂତତୁଲେ ସମ କରି ନ ପାରିଲେ ବଂଶୀଧାରୀ !

X X X

ଭୂତ ଭୂତ ଗଣେ ବସ ତୁମ୍ଭେ ପଞ୍ଚଭୂତେ ବଶ

ସେତ ଶବରେ ସନ୍ତୋଷ ତୁମ୍ଭେ ଶବରେ ସନ୍ତୋଷ

ସେ କାଳିଆ ତୁମ୍ଭେ କଳାକୁତ ହେ ।’’

 

ଏହା ବଳଦେବଙ୍କ ସର୍ପ ଜଣାଣ ପରି ଉଚ୍ଚକୋଟୀର ହୋଇଛି । ମଧ୍ୟଯୁଗୀୟ କାବ୍ୟକାର ଉପେନ୍ଦ୍ର, ଅଭିମନ୍ୟୁଙ୍କ ଠାରୁ ବୈଷ୍ଣବ ପାଣିଙ୍କ କାବ୍ୟ ପରିଧି କୌଣସି ଗୁଣରେ କ୍ଷୁଦ୍ର ନୁହେଁ ।

 

ଚର୍ଯ୍ୟାଗୀତି, ପଞ୍ଚସଖା ସାହିତ୍ୟ ଓ ଭୀମ ଭୋଇଙ୍କ ପରି କବି ବୈଷ୍ଣବ ପାଣି ଛାୟାତତ୍ତ୍ୱ, ଶୂନ୍ୟତତ୍ତ୍ୱ, ତନ୍ତ୍ର ଆଦି ରହସ୍ୟାୟିତ କବିତା ରଚନା କରି ସ୍ୱୀୟ ସାହିତ୍ୟିକ ମାନର ଉତ୍ତରଣ ଘଟାଇଛନ୍ତି । ଉଦାହରଣ ସ୍ୱରୂପ :

 

‘‘ଅମୁହାଁ ଦେଉଳେ ଦିଅଁ ରହିଛି, ଶବଦ ଭେଦୀ ବଚନ କହୁଛି

ମନରେ ଦରଶନ ତୁ କର, ସବୁବେଳେ ସେହି ସ୍ଥାନ ଅନ୍ଧାର

X X X

ମନରେ ହଂସ କରୁଅଛି ଖେଳ, ସୁହଂସ ସାଥୀରେ ହୋଇଣ ମେଳ

X X X

ସେ ଦେଉଳେ ନବ ଜଳକବାଟି ଫିଟାଇଛି ବିଶ୍ୱବିନ୍ଧାଣୀ ଗୋଟି

ମନରେ, ବଇଷ୍ଣବର ଭାଷା ଯିବାକୁ ନଲାଗେ ଟଙ୍କା ପଇସା ।’’

[ବୈଷ୍ଣବ ପାଣି ଗ୍ରନ୍ଥାବଳୀ-୧ମ ଭାଗ, ପୃ-୪୫]

 

ସନ୍ଧ୍ୟା ଭାଷାରେ ଲେଖାଯାଇଥିବା କାହ୍ନୁପାଦ, ଶବରୀପାଦ ପ୍ରମୁଖ ଚର୍ଯ୍ୟାକାରଙ୍କ ‘କା ତରୂବର ପଞ୍ଚ ବିଡ଼ାଳ’, ଶୂନ୍ୟସାଧକ ଓ ନିର୍ଗୁଣ ତତ୍ତ୍ୱର ଉପାସକ ବଳରାମ, ଜଗନ୍ନାଥ, ଅନନ୍ତ ଯଶୋବନ୍ତଙ୍କ ସାହିତ୍ୟ ବା ମହିମାଧର୍ମୀ ଭୀମ ଭୋଇଙ୍କ କବିତାର ବ୍ରହ୍ମତତ୍ତ୍ୱ ପରି ଉପଯୁକ୍ତ କବିତାଟି ସବୁ ଦିଗରୁ ରହସ୍ୟାୟିତ ଉଚ୍ଚ ସାହିତ୍ୟିକ ମୂଲ୍ୟରେ ଅଧ୍ୟୁଷିତ । ଗଣକବିଙ୍କ କବିତାର ଉଚ୍ଚ ବୌଦ୍ଧିକତାର ପ୍ରତିଫଳନ ଏଥିରେ ଘଟିଛି ।

 

‘ଧ୍ରୁବ ଚରିତ’ ନାଟକରେ ସୁନୀତି ଉତ୍ତାନପାଦଙ୍କ କର୍ତ୍ତୃକ ପରିତ୍ୟକ୍ତା ହୁଅନ୍ତେ ତାଙ୍କ ଆତ୍ମ ବିଳାପରେ ସୁନ୍ଦର କବିତା ଗଢ଼ି ଉଠିଛି । ‘‘ସୁରୁଚି ତୋ ରୁଚି ଭଲା ଏତେ କାଳେ ପୂର୍ଣ୍ଣ ହେଲା/ମୁରୁଛିଲେ ତୋ ବଚନେ ଜୀବବଲ୍ଲଭରେ।’’ ଇତ୍ୟାଦି । ନଳଦମୟନ୍ତୀ ଗୀତିନାଟ୍ୟରେ ନଳ ଅର୍ଦ୍ଧବସ୍ତ୍ର ଛିନ୍ନ କରି ଦମୟନ୍ତୀଙ୍କି ପରିତ୍ୟାଗ କରି ଯିବା ସମୟର ବର୍ଣ୍ଣନା ଯେପରି କରୁଣ, ସେହିପରି ବାସ୍ତବ । ବଳଦେବଙ୍କ କବିତା ପରି ବୈଷ୍ଣବ ପାଣି ‘ସାରଳା ଚଉତିଶା’, ‘ନୀଳାଚଳ ଜଣାଣ ଚଉତିଶା’, ‘ମଙ୍ଗଳା ଚଉତିଶା’ ଓ ‘ରାଧାକୃଷ୍ଣ ତତ୍ତ୍ୱ ଚଉତିଶା’ରେ ‘କ’ ଠାରୁ ‘କ୍ଷ’ ଯାଏ ଅତି ଚମତ୍କାର ତତ୍ତ୍ୱପୂର୍ଣ୍ଣ କବିତା ରଚନା କରିଛନ୍ତି । ଏସବୁର ଆଙ୍ଗିକ ପରିପାଟୀ ଯେପରି ବୌଦ୍ଧିକ, ଆତ୍ମିକ ଭାବ ସେହିପରି ଉଚ୍ଚକୋଟୀର । ଗୋଟିଏ ଚଉତିଶାର ଆରମ୍ଭରେ କବି ଲେଖିଛନ୍ତି, ‘‘କନକ ପୁରବାସୀ କନକଗାତ୍ରୀ/କୃପାଜଳ-ନନ୍ଦିନୀ ଶୁଣ ବିନତି ଗୋ । / କରୁଣାମୟି ! କର ଦତ୍ତ ଅରୁଣ-ଚରଣ-ଛାଇ ଗୋ ।’’ କ ଅନୁପ୍ରାସର କ୍ରମିକ ପ୍ରୟୋଗରେ ପଦ ସଂଯୋଜନା ସୁନ୍ଦର ରୂପ ଧାରଣ କରିଛି । ବଳଦେବ ରଥ ‘‘କ୍ଷମାନୁକମ୍ପାଧର.......’’ ପରି ବୈଷ୍ଣବ ପାଣି ଚମତ୍କାର ରୀତିରେ ଲେଖିଛନ୍ତି, ‘‘କ୍ଷମାକର ! କ୍ଷମାକର ! କ୍ଷରୁ ତୋ ମହିମା ଜଗତେ ପୂରି’’ ବା ସାରଳା ଚଉତିଶାରେ ‘କ୍ଷିତି ଦେବତା ବଇଷ୍ଣବ ତୋ ବଳେ/ଖ୍ୟାତି ଲଭିଛି ପରା ସାରା ଉତ୍କଳେ ଗୋ / କ୍ଷେତ୍ରପାଳିକା, କ୍ଷମ ଅପ୍ରାଧ ତା’ର କଷ୍ଟ ଟାଳିକା ଗୋ ।’’

 

କବିଙ୍କ ଚଉତିଶା ସାହିତ୍ୟ ରୀତିଯୁଗୀୟ ଯେକୌଣସି କବିଙ୍କ ସଙ୍ଗେ ପାଣ୍ତିତ୍ୟରେ, ପଦ ଲାଳିତ୍ୟରେ, ଅଳଙ୍କାରରେ, ଶବ୍ଦସଂଯୋଜନାରେ ପ୍ରତିଦ୍ୱନ୍ଦିତା କରିବାର ସ୍ପର୍ଦ୍ଧା ନେଇ ଆତ୍ମପ୍ରକାଶ କରିଛି । ଗୀତିନାଟ୍ୟରେ ଅନେକତ୍ର କବି ଭାରସାମ୍ୟ ରକ୍ଷାକରି ପାରିନାହାନ୍ତି । ଗାଉଁଲି ଦର୍ଶକଙ୍କୁ ଚାହିଁ ସେ ବହୁ ସମୟରେ ଅତି ଅପରିପକ୍ୱ ଲେଖା ଓ ଅଶ୍ଳୀଳ ଶବ୍ଦାଦି ଦ୍ୱାରା ଲଘୁ ହାସ୍ୟରସର ବର୍ଣ୍ଣନା କରିଛନ୍ତି । କିନ୍ତୁ ‘ନରମେଧ ଯଜ୍ଞ’, ‘ଶ୍ରୀବତ୍ସ ରାଜା’, ‘ପ୍ରହ୍ଲାଦ’, ‘ଭକ୍ତ ସୁଦାମା’ ପ୍ରଭୃତିରେ ଯେଉଁ ଦାର୍ଶନିକ ତତ୍ତ୍ୱ, ବହୁ ଶାସ୍ତ୍ରଦର୍ଶିତା, ଉଚ୍ଚାଙ୍ଗ ଶୈଳୀ ଓ ଛାନ୍ଦରସିକତା ପ୍ରଦର୍ଶନ କରିଛନ୍ତି ତାହାର ପଟାନ୍ତର ନାହିଁ । ଗୋଟିଏ ଉଦାହରଣ ଦେଲେ ସହଜରେ ଜାଣିହେବ । ସ୍ୱୟମ୍ବର ସଭାର ଅନତିଦୂରରେ ବସିଥିବା ଛଦ୍ମବେଶୀ ଶ୍ରୀବତ୍ସ ରାଜାଙ୍କ ମନୋଭାବ କବି ନିମ୍ନୋକ୍ତ ଭାବେ ବର୍ଣ୍ଣନା କରିଛନ୍ତି :

 

‘‘ବଧୂଲି ଅଧରୁ, ମଧୁପ ହୋଇଣ ବିଧୁକରେ ମଧୁ ଶୋଷିବି କି

କନ୍ଦୁକ ଉରଜେ ମୋ କରକୁ ଥୋଇ, ପ୍ରଣୟ ସିନ୍ଧୁରେ ଭାସିବି କି ।

ନାସିକା ଫୁଲାଇ ଦେବା ବେଳେ ଚାହିଁ ପଞ୍ଚଶର ଜ୍ୱାଳା ନାଶିବି କି ।

ଶଶୀବଦନାର ମାରସଦନାର, ପାଦେ ପାଦ ଛନ୍ଦି ବସିବି କି ।୨।’’

[ଶ୍ରୀବତ୍ସ ରାଜା ବା ଶନିଲକ୍ଷ୍ମୀ କଳି-ବୈଷ୍ଣବ ପାଣି ଗ୍ରନ୍ଥାବଳୀ-୩ୟ ଖଣ୍ତ, ପୃଷ୍ଠା-୧୯୯]

 

କବିସୂର୍ଯ୍ୟ ବଳଦେବ ରଥ ‘ସର୍ପ ଜଣାଣ’ କବିତାରେ ଭଗବାନଙ୍କୁ ଦୁରନ୍ତ ଅଭିଯୋଗ କଲାପରି ବୈଷ୍ଣବ ପାଣି ‘ଜଗନ୍ନାଥ ଜଣାଣ’ରେ ସେହିପରି ବ୍ୟାଜସ୍ତୁତି କରି କହନ୍ତି : ‘‘ଗଳାକଟା ଛଟା କା’ଠାରୁ ଶିଖିଲୁ କୁଳବୁଡ଼ା ନନ୍ଦବଳା / ଦୁରୁବଳେ ବଧି କିଯଶ ପାଇବୁ କୁରୁବଳ ଦମ୍ଭ ଟଳା ।’’ ବଳଦେବଙ୍କ ଆକ୍ଷେପୋକ୍ତି ‘‘ଲାଞ୍ଚ ଦେଇଥିଲେ କାଞ୍ଚନ କି ସତେ ପାଞ୍ଚ ପଣ୍ତୁରଜା ସୁତେ’’ ପରି ବୈଷ୍ଣବ ପାଣି କହନ୍ତି ‘‘ମୋ ବେଳକୁ ଏତେ ପଛକୁ ଘୁଞ୍ଚୁଛ ଲାଞ୍ଚ ଦେଇଥିଲେ ସେ କି ।’’

 

ବୈଷ୍ଣବ ପାଣି କେବଳ ଚାରଣ କବି ନୁହନ୍ତି । ଉପନିଷଦ, ଗୀତା ଓ ପୁରାଣର କଠିନ ଧର୍ମ ଦର୍ଶନ ତତ୍ତ୍ୱରେ ତାଙ୍କର ପ୍ରବେଶ ନଥିଲା ବୋଲି କହିହେବ ନାହିଁ । କଠୋପନିଷଦର ‘ଆତ୍ମାନଂ ରଥିନଂ ଶରୀରଂ ରଥମେବତୁ’ର ନିର୍ଯାସ ‘ଦେହ ପରା ରଥ-ଆତ୍ମା ଅଟେ ସାରଥି ତାହାର/ପ୍ରକୃତି ଅଶ୍ୱଙ୍କୁ ଯୋଚି ଜ୍ଞାନ ବେତ୍ରାଘାତେ/ଚଳାନ୍ତି ଏ ସଂସାର ସଂଗ୍ରାମେ ।’’-ପାଣିଙ୍କ ଗୀତିନାଟ୍ୟରେ ଦୃଷ୍ଟିଗୋଚର ହୁଏ । ଅମିତ୍ରାକ୍ଷର ଛନ୍ଦରେ ଅତି ଚମତ୍କାର ଭାବେ ସେ ଏହି କଠିନ ତତ୍ତ୍ୱକୁ ପ୍ରକାଶ କରିଛନ୍ତି । ସେହିପରି ‘ହରିଶ୍ଚନ୍ଦ୍ର’ ଗୀତିନାଟ୍ୟରେ କବି ଶ୍ମଶାନକୁ ଶାନ୍ତି ଓ ସାମ୍ୟବାଦର ପ୍ରତୀକ ଭାବେ ତୁଳନା କରନ୍ତି । ‘‘ଶାନ୍ତି ଅଛି ଭୀଷଣ ଶ୍ମଶାନେ ଅର୍ଥାତ୍‌ ମୃତ୍ୟୁ ହିଁ ପରମ ଶାନ୍ତି ପ୍ରଦାନ କରିଥାଏ । ମୃତ୍ୟୁକୁ ଏକ ଅଦ୍ଭୁତ ନିଦ୍ରା ସଙ୍ଗେ ତୁଳନା କରି କହନ୍ତି :

 

ଏ ନିଦ୍ରା ଆସଇ ଏକାଦିନେ

ଅକସ୍ମାତେ କାହାରି କପାଳେ

X X X

ନ ଭାଙ୍ଗଇ ଏ ଭୀଷଣ ନିଦ୍ରା

ଆଜି କରେ ଯେ ରୋଦନ

ସେହି ଦିନେ ଏହାର ଅଧୀନ ।’’

 

ମୃତ୍ୟୁ ଏକ ଅଜଣା ସ୍ଥାନ ଯୋଉଠୁ ପଥିକ କେବେ ବାହୁଡ଼ି ଆସେନା । ଏହା ଏକ ମହାନିଦ୍ରା, ଏକ ମହାଯାତ୍ରା, ଯୋଉ ପଟୁଆରରେ ସମସ୍ତଙ୍କୁ ଧାଡ଼ି ବାନ୍ଧିବାକୁ ହେବ । ଜ୍ଞାତି ପରିଜନଙ୍କ ମୃତ୍ୟୁରେ ରୋରୁଦ୍ୟମାନ ମଣିଷ ପର ମୁହୂର୍ତ୍ତରେ ସେଇ କାଳର କ୍ରୂର ଆବର୍ତ୍ତରେ ଉବୁଟୁବୁ ହୁଏ । ଏହିପରି ତାତ୍ତ୍ୱିକ ଓ କାବ୍ୟିକ ଉତ୍କର୍ଷରେ ଗଣକବି ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ସମୃଦ୍ଧ ।

 

ବୈଷ୍ଣବ ପାଣି ଗଣକବି, ଗଣଚେତନାର ଜାଗ୍ରତ ପ୍ରହରୀ । ତାଙ୍କ ଲେଖାରେ ପଲ୍ଲୀ ଜନତାର ହସ କାନ୍ଦ ଲୁହ କୋହର ଯୁଗପତ୍‌ ଫୁଆରା ଛୁଟିଛି । ପଲ୍ଲୀ କୃଷକର ସ୍ୱପ୍ନ, ଦୁର୍ଦ୍ଦିନ ଦୁର୍ଯୋଗ ସବୁ ରୂପ ପାଇଛି । ବାର ମାସରେ ତେର ପର୍ବର ଆସର ତାଙ୍କ ଲେଖାରେ ପରିସ୍ଫୁଟ । ଲୌକିକ ଭାଷାରେ, ପ୍ରାକୃତିକ ପରିବେଶ ମଧ୍ୟରେ ସେ ଏହି ଗାଁ ଭଳି ଚିତ୍ର ଫୁଟାଇ ଗଣକବି ନାମର ସାର୍ଥକତା କରିଛନ୍ତି । ତାଙ୍କ ସାହିତ୍ୟ ଗଣ ସାହିତ୍ୟ, ତାଙ୍କ ଲେଖା ଗ୍ରାମ୍ୟ ସଂସ୍କୃତି ଓ ଚଳଣିର ଗନ୍ତାଘର । ପଝାରିର ଭାଟିଆରୀ ଗୀତ ପରି, ବାବଦୁକର ଚାଟୁବାଣୀ ପରି, ଶଗଡ଼ିଆର କଣ୍ଠରେ, ନିରୂଦ୍‌ବିଗ୍ନ ଭୟସଂକୋଚହୀନ ପଥିକ ନିର୍ଜନ ପଠାରେ ଯେତେବେଳେ ପାଣିମାଷ୍ଟ୍ରଙ୍କ ଗୀତ :

 

‘‘ହାଣିଗଲି ବର ଖୋବାଲୋ, ହାଣିଗଲି ବର ଖୋବା ।

ଉଠା ଭାତୁ ଆଣି ବସା ଜାଉ ପାଣି ଅଇଲେ ବେଠିଆ ଧୋବା ।।

ତୁ’ ତ ଅଇଲୁ ମୁଁ ତ ଅଇଲି ସପନ ନଈ କୂଳରେ ।

ଶେଯ ଶେଯାଇଲି ଫୁଲ ବିଛାଇଲି ନିଶି ଗଲା ବିଫଳରେ ।।’’

 

ର ନିର୍ଜନ ସ୍ୱର ଲହର ଛୁଟାଇ ଦିଏ ଯେକୌଣସି ଲୋକ ମନ୍ତ୍ରମୁଗଧ ହୋଇଯିବ । ଏତ ସେଇ ଅବହେଳିତ ମାଟିର ମଣିଷଙ୍କ ବୁକୁର କଥା, ତାଙ୍କ ସ୍ନେହ ପ୍ରେମ ଓ ଦାମ୍ପତ୍ୟ ଜୀବନର ପହେଳି । ଗାଉଁଲି ମାଆ ପୁଅକୁ ଚାନ୍ଦ ଦେଖାଏ, ଗୀତ ଗାଇ ଶୁଣାଏ, କାହାଣୀ କହେ । ତା କର୍ମ କ୍ଳାନ୍ତ ଜୀବନରେ ଏଇତ ଅବସର ବିନୋଦନ । ମାଆ ଯେତେ ପୁଅକୁ ଶୁଣାଏ, ‘‘ଆସରେ ଶରଦ ଶଶୀ ମନ୍ଦେ ମନ୍ଦେ ହସି ହସି/ବସି ରସି ଖେଳ ମୋର କାହ୍ନୁ ସାଙ୍ଗରେ ।’’ ଅଝଟ ପିଲା ଦରୋଟି କଣ୍ଠରେ ବଣା କରିପକାଏ ମାଆକୁ ଜଟିଳ ପ୍ରଶ୍ନ ପଚାରି, ‘‘ଏ ଆମଲ୍‌ ମାମୁଁ ହେଲେ କେମତେ ?’’ ପୁଣି ପରବର୍ତ୍ତୀ ପ୍ରଶ୍ନ, ‘‘ଏ କନ୍‌ ତମଲ୍‌ ମାମୁଁ, ମୋଲ ମାମୁଁ, ମାମୁଁ କଣ ଛଞ୍ଚାଲ ଯାକଲ ?’’-ଗଣକବି ।

 

ଗୀତିନାଟ୍ୟ, ଗୀତି କବିତା, ଛାନ୍ଦ, ଚଉପଦୀ ଓ ଚଉତିଶାକୁ ବାଦଦେଲେ ବୈଷ୍ଣବ ପାଣିଙ୍କ ପ୍ରଚଣ୍ତ କବି ପ୍ରତିଭାର ମୁଦ୍ରାଙ୍କ ବହନ କରିଛି ତାଙ୍କର ଦୁଇଟି ପୂର୍ଣ୍ଣାଙ୍ଗ କାବ୍ୟ ‘ଶକୁନ୍ତଳା’ ଓ ‘ଛାନ୍ଦକିଶୋରୀ ବିଳାପ’ । ଏ ଦୁଇଟି ଲୋକଲୋଚନରୁ ଅଗୋଚର ହୋଇ ରହିଯାଇଛି । ଏହାର ସମୀକ୍ଷା କରାଗଲେ ପାଣି ସାହିତ୍ୟର ନୂତନ ଦିଗ ଆଲୋକିତ ହେବ । ‘ଶକୁନ୍ତଳା’ କାଳିଦାସ ଓ ମେହେରଙ୍କ କାବ୍ୟ ଢାଞ୍ଚାରେ ରଚିତ ହେଲେହେଁ ଗଣକବି ନିଜର ସ୍ୱାତନ୍ତ୍ର୍ୟ ବଜାୟ ରଖିଛନ୍ତି । ତାଙ୍କର ସ୍ଵଭାବ-ସୁଲଭ ଗ୍ରାମ୍ୟ ଶୈଳୀ, ସାଙ୍ଗୀତିକତା ଓ ସରସ ବୋଧଗମ୍ୟ ଭାଷାରେ କାବ୍ୟଟି ଗଢ଼ିଉଠିଛି ।

 

‘ଛାନ୍ଦକିଶୋରୀ ବିଳାପ’-ଏକ ବୈଷ୍ଣବ କାବ୍ୟ, କୃଷ୍ଣ ଭକ୍ତି ରସରେ ରସାଣିତ । ବୈଷ୍ଣବ ଜଣେ ନିଷ୍ଠ ବୈଷ୍ଣବ/ରାଧାକୃଷ୍ଣଙ୍କ ପ୍ରେମ ଓ ବିଚ୍ଛେଦର କାହାଣୀ ‘ଛାନ୍ଦକିଶୋରୀ ବିଳାପ’ର କଥାବସ୍ତୁ ! ବିଦଗ୍‌ଧ ଚିନ୍ତାମଣି ପରି କବି ଏଥିରେ ନିଜ କାବ୍ୟ କୁଶଳତା ପ୍ରଦର୍ଶନ କରିଛନ୍ତି । ତୁଳନାତ୍ମକ ଭାବେ ବିଚାର କଲେ ବୈଷ୍ଣବ ପାଣିଙ୍କ କାବ୍ୟିକ ସିଦ୍ଧିର ଉତ୍ତରଣ ସ୍ପଷ୍ଟ ବାରିହୁଏ । ବିଦଗ୍‌ଧ ଚିନ୍ତାମଣିରେ ସାମନ୍ତସିଂହାର ରାଧାଙ୍କ ଅନ୍ତିମକାମନା ଅତି ମାର୍ମିକ ଭାବେ ବର୍ଣ୍ଣନା କରିଛନ୍ତି । ଗଙ୍ଗାଧର ମେହେର ତାଙ୍କର ଶ୍ରେଷ୍ଠ କାବ୍ୟ ‘ତପସ୍ୱିନୀ’ରେ ଅନୁରୂପ ଭାବ ଓ ଆଦର୍ଶରେ ସୀତାଙ୍କ ମନୋଭାବ ପ୍ରକାଶ କରିଛନ୍ତି । ତଳେ ଉଦ୍ଧାର କରାଯାଇଥିବା ତିନି ଜଣ କାବ୍ୟ ନାୟକଙ୍କ ମାନସିକ ପ୍ରତିକ୍ରିୟାକୁ ସମୀକ୍ଷା କରାଯାଉ-

 

(୧)

‘‘ଜୀବନ ଗଲେ ଏତିକି କରିବ

ଶ୍ୟାମ ନାମ ମୋର ହୃଦେ ଲିହିବ

ଶ୍ୟାମ ଗତି ପଥେ

ମୋ ଶବ ପୋତିବ ଆପଣା ହସ୍ତେ ।’’

[ବିଦଗ୍‌ଧ ଚିନ୍ତାମଣି-ଅଭିମନ୍ୟୁ ସାମନ୍ତ ସିଂହାର]

(୨)

ଜୀବନେ ନପାଇଲେ ହେବ ମରଣେ

ପାଦୁକା କରିଦେବ ପ୍ରଭୁ ଚରଣେ

ମୋ ତନୁ ଦଗ୍‌ଧ ହେଲେ ହେବତ ଖାର

ତାହାକୁ କରାଇବ ପାଦପେ ସାର

ସେ ତରୁ କାଷ୍ଠ ଦେଇ ବର୍ଦ୍ଧକୀ ହସ୍ତେ

ପାଦୁକା କରି ଦେବ ପ୍ରଭୁଙ୍କୁ ମୋତେ ।

[ତପସ୍ୱିନୀ-ଗଙ୍ଗାଧର ମେହେର]

(୩)

ଆରତି କରନ୍ତି ସଖୀଙ୍କି ବରତି ନ ପାରିବି ତିଳେ ଆଉ ।

ଆଉଜାଅ ଏ ମୋ ହୃଦକୁ ଲଳିତେ ଏ ଜୀବ ବାହାରି ଯାଉ ।।

ଯା ଉଚିତ ତାହା କର କରକରଦନା ଗତି ।

ଗତି ପସରାଙ୍କୁ ମୁରଲୀଧରାଙ୍କୁ କହିବ ମୋ ଦୁରୁଗତି ।।

 

ଗତିପଥେ ତାଙ୍କ ମୋ ଦେହ ପୋତିବ ବତାଇ ଯାଉଛି ସହି ।

ସହିଛି ବହୁତ କଷଣ ଆଉତ ଆୟତ୍ତ ମୋ ଅଛି କାହିଁ !!

[ଛାନ୍ଦକିଶୋରୀ ବିଳାପ-ବୈଷ୍ଣବ ପାଣି]

 

ବୈଷ୍ଣବ ପାଣିଙ୍କ କାବ୍ୟ-କୌଶଳ ଉଦ୍ଧୃତ ପଙ୍‌କ୍ତିରେ ସ୍ପଷ୍ଟ ହୋଇ ଫୁଟି ଉଠିଛି । ଏହା ପାଠ କଲେ ଯେକୌଣସି ପାଠକ ନିଃସନ୍ଦେହରେ କହିବ ଯେ ଏହା ନିଶ୍ଚିତ ଜଣେ ଦକ୍ଷ ଶିଳ୍ପୀର କୁଶଳୀ ଲେଖନୀରେ ଉତ୍ତୀର୍ଣ୍ଣ-ଯିଏ ଅଭିମନ୍ୟୁ, ଦୀନକୃଷ୍ଣ ବା ଭକ୍ତଚରଣଙ୍କ ପରି ପୋଖତ କାବ୍ୟକାର ।

 

‘ଛାନ୍ଦକିଶୋରୀ ବିଳାପ’ ଯେ ରୀତିଯୁଗୀୟ କାବ୍ୟ ପରମ୍ପରା ସିଦ୍ଧ ସୁଧାଭକ୍ତି ଦର୍ଶନର ଏକ ମୂର୍ତ୍ତିମନ୍ତ ବିଗ୍ରହ ବିଗ୍ରହ ଏାହା ନିଃସନ୍ଦେହ । ଛାନ୍ଦକିଶୋରୀ ବିଳାପ-କୃଷ୍ଣ ବିରହିଣୀ ଶ୍ରୀରାଧାଙ୍କ ଶୋକୋଚ୍ଛ୍ୱାସର କରୁଣ ବିଳାପ ଧ୍ୱନିରେ ଗୁଞ୍ଜରିତ । ଗୋପଭୂଷଣ କାହ୍ନୁ ବିଚ୍ଛେଦରେ ସାରାଜଗତ ଶୂନ୍ୟ ଓ ବିଷାଦ ବୋଧ ହୋଇଛି । ଯମୁନା ବିଳାପ କରିଛି କଳ କଳ ଛଳ ଛଳ ଧ୍ୱନିରେ, ତାଙ୍କର ପ୍ରିୟ କଦମ୍ବ ତରୁ, ସେମାନଙ୍କ ପ୍ରେମ ମିଳନର ପ୍ରତ୍ୟକ୍ଷଦର୍ଶୀ ପତ୍ର ଚିବୁକରୁ ଟପ୍‌ ଟପ୍‌ ଶିଶିରର ଲୁହ ନିଗାଡ଼ି ଦେଇଛି । ଗୋଠବାହୁଡ଼ା ଧେନୁ କାନ ଡେରି ଠିଆ ହେଇଛି ସେ ମୋହନବଂଶୀର ମାଦକଭରା ସ୍ୱରଲହର ଲାଗି । ଯଶୋଦା ସଂଜ୍ଞା ସଂବୀତ୍‌ ହରା, ପୁତ୍ର ବାତ୍ସଲ୍ୟରେ ନନ୍ଦ ଭାରସାମ୍ୟ ହରାଇଛନ୍ତି, ଚକ୍ଷୁ ତାଙ୍କର ବିସ୍ଫାରିତ, କଲିଜାଥରା ତତଲା ନିଃଶ୍ୱାସ ସହିପାରୁ ନାହିଁ ପୁତ୍ରକାଙ୍ଗାଳ ପିତା । ଝୁରୁଛି ବଣ, ପାହାଡ଼, ନଦୀ, ନିର୍ଝର, ମାଟି ପବନ-ଗୋପ ଦାଣ୍ତରେ ବିଷାଦର ଛାଇ । ପାଷାଣ ବୁକୁ ବିଦୀର୍ଣ୍ଣ ହୋଇଯାଇଛି ଏ ନିର୍ମମ ଶୋକୋଚ୍ଛ୍ୱାସରେ । ଏ ସବୁର ଦୟନୀୟ କରୁଣ କାହାଣୀର ଚରମ ପରିପ୍ରକାଶ ଗଣକବିଙ୍କ ‘ଛାନ୍ଦକିଶୋରୀ ବିଳାପ’ ଷୋଳସହସ୍ର ଗୋପାଙ୍ଗନା ଏବଂ କୃଷ୍ଣ ବିରହବିଧୂରା ରୋରୂଦ୍ୟମାନା କପୋତୀ କିଶୋରୀ ରାଧାଙ୍କ ନିଥର ବିଳାପ ଧ୍ୱନିରେ । ପରମ ପ୍ରେମିକ କୃଷ୍ଣ ଗୋପବାସୀଙ୍କ ଆତ୍ମାତୁଲ୍ୟ । ସେମାନଙ୍କୁ ବିଚ୍ଛେଦ ସାଗରରେ ଭସାଇ ଶୋକ ଓ ବିରହର ଯେଉଁ ଉଛୁଳା ତଟିନୀ ବୁହାଇ ଦେଲେ ତା’ର ଏକ ପାର୍ଶ୍ୱରେ ରାଧା ଓ ଅପର ପାର୍ଶ୍ୱରେ ଅଗଣିତ ଗୋପାଙ୍ଗନାଙ୍କ ବିଳାପଧ୍ୱନି ଯେ କେତେ କାବ୍ୟ ମୁଖର, ଛାନ୍ଦକିଶୋରୀ ବିଳାପ ତାହାର ଏକ ମୂର୍ତ୍ତବିକାଶ । ପଞ୍ଚଦଶ ଛାନ୍ଦରେ ରଚିତ କରୁଣ ଓ ଶୃଙ୍ଗାର ରସରେ ଏହା ଉତ୍କର୍ଷ ଲାଭ କରିଛି । ଲଳିତ ମଧୁର ଛନ୍ଦରେ ରଚିତ ଏହି କାବ୍ୟ ଜୟଦେବଙ୍କ ଗୀତଗୋବିନ୍ଦ ବା ଗୋପାଳକୃଷ୍ଣଙ୍କ ପଦାବଳୀ ପରି ହୃଦ୍ୟ ଓ ମର୍ମସ୍ପର୍ଶୀ ହୋଇପାରିଛି-

 

ରୀତିଯୁଗୀୟ କବିମାନଙ୍କ ପରି କବି ଶବ୍ଦାଡ଼ମ୍ବର, ଛାନ୍ଦସିକତା, ଅଳଙ୍କରଣ ଓ ପଦ ସଂଯୋଜନାରେ ଏକ ଖାନଦାନୀ ପରିବେଶ ଉକ୍ତ କାବ୍ୟରେ ସୃଷ୍ଟି କରିଛନ୍ତି । ଚମ୍ପୁ ବା ଓଡ଼ିଶୀ ପରି ସାଙ୍ଗୀତିକ ପରିବେଶ ଓ ଶବ୍ଦ ସଂଯୋଜନା ଦ୍ୱାରା ସେ ନିଜ କାବ୍ୟଶ୍ରୀ ଏତେ ମଞ୍ଜୁଳ କରିପାରିଛନ୍ତି ଯେ ପଢ଼ିଲା ମାତ୍ରେ ତାହା ବିଂଶ ଶତାବ୍ଦୀ ରଚନା ଭଳି ଜଣା ଯାଏନା, ରୀତିଯୁଗୀୟ କାବ୍ୟ ଭଳି ଭ୍ରମ ଆଣେ । ତାର କାରଣ ହେଲା ଗଣକବି ଶେଷ ପର୍ଯ୍ୟାୟରେ କାବ୍ୟ ରଚନା କରିଛନ୍ତି । ତାହା ପୂର୍ବରୁ ଗୋଟିପୋ, ଗାୟକ ଓ ଗୀତିନାଟ୍ୟକାର ଭାବେ ଓଡ଼ିଶୀ ଛାନ୍ଦ, ସଂଗୀତ ସ୍ୱର ସମ୍ଭାର ଓ ଶବ୍ଦାବଳୀରେ ପରିପୂର୍ଣ୍ଣ ଲଭିଥିଲେ । ତେଣୁ ତାଙ୍କ ଲେଖାରେ ସେଇ ଛାପ, ସେଇ ମୁଦ୍ରାଙ୍କ ଏକ ସୁଷ୍ଟୁ ବିକାଶ ଲାଭ କରିଛି ।

 

‘‘ଏକାଳେ ବୃକ୍ଷଭାନୁଜା କୃଶୋଦରୀ ହରିମଝା

ହରି ବିରହରେ ହରିଣୀନୟନା ଭୋଗୁଛି ଆହାକି ସଜା ଯେ

 

କରଭୋରୁ କରୀରଦ ପାଲ୍ୟଙ୍କ ଅଙ୍କରୁ

ଖେଦ ଭରେ ଧରାପରେ ଧରାଧର ସ୍ତନା ଗଡ଼ୁଛି ଝରୁଛି ସ୍ଵେଦ ଯେ ।’’

 

ଶ୍ରୀ ଗୋଲକଚନ୍ଦ୍ର ପ୍ରଧାନ, କୃଷ୍ଣପ୍ରସାଦ ବସୁ ଓ ଗାୟକ ଶିରୋମଣି ନିରଞ୍ଜନ କର ପ୍ରମୁଖଙ୍କୁ ବାଦ ଦେଲେ ବିଂଶ ଶତାବ୍ଦୀରେ ଏପରି ଅଳଙ୍କାର ଓ ଛାନ୍ଦଯୁକ୍ତ କବିତା ସୃଷ୍ଟି ପ୍ରାୟ ନାହିଁ କହିଲେ ଚଳେ । ପାଲା ଗାୟକମାନଙ୍କ ମଧ୍ୟରେ ପ୍ରାଚୀନ କବିମାନେ ବଞ୍ଚିଛନ୍ତି । ସାମ୍ପ୍ରତିକ ସମୟ ପରିପ୍ରେକ୍ଷୀରେ ପ୍ରାଚୀନ କାବ୍ୟର ଚର୍ଚ୍ଚା ଲାଗି ଆଧୁନିକ ମଣିଷର ମାନସିକ ଅବସର ବା ପ୍ରସ୍ତୁତି ନାହିଁ । ତେଣୁ ଏପରି ଏକ ସମୟରେ ଜନ୍ମଗ୍ରହଣ କରି ଏବଂ ଏକ ଭିନ୍ନ ସାହିତ୍ୟିକ ବିଭାଗ ସହ ଅନ୍ତରଙ୍ଗ ଭାବେ ସମ୍ପୃକ୍ତ ରହି ଏପରି ସୁନ୍ଦର ପାଣ୍ତିତ୍ୟପୂର୍ଣ୍ଣ କବିତ୍ୱର ଅଧିକାରୀ ହେବା ଗଣକବି ବୈଷ୍ଣବ ପାଣିଙ୍କ କାବ୍ୟ ପ୍ରତିଭାର ଚରମ ନିଦର୍ଶନ ।

 

କିବ ବୈଷ୍ଣବ ପାଣି ଆଧୁନିକ ଓ ପୁରାତନର ସମନ୍ୱୟ ଆଣିଛନ୍ତି । ଓଡ଼ିଆ ଗୀତିନାଟ୍ୟକୁ ସେ ନୂଆଜୀବନ ଦେଇଛନ୍ତି । ଅବହେଳିତ ଅବସ୍ଥାରେ ପଡ଼ିଥିବା ଓଡ଼ିଆ ଅପେରା ତାଙ୍କ ହାତରେ ଏକ ନୂତନ ଆଲୋକରେ ଆଲୋକିତ ହୋଇ ବଙ୍ଗଳା ଯାତ୍ରା ସଙ୍ଗେ ପ୍ରତିଦ୍ୱନ୍ଦିତା କରିଛି । ପ୍ରବାସରେ ଓଡ଼ିଆ ଯାତ୍ରାର ନିନ୍ଦା ରଟନା କରାଯାଉଥିଲା ଏବଂ ସେତେବେଳେ ଓଡ଼ିଆ ଯାତ୍ରାର ପ୍ରଧାନ ପୃଷ୍ଠପୋଷକଙ୍କୁ ‘ଗୋପାଳ ଉଡ଼େ’ ବୋଲି ବିଦ୍ରୂପ କରାଯାଉଥିଲା । ଡକ୍ଟର ମାୟାଧର ମାନସିଂହଙ୍କ ଭାଷାରେ Baishnab Pani has modernised Oriya opera.’’ କଲିକତା ପ୍ରଭୃତି ସହରରେ ଓଡ଼ିଆ ଗଣନାଟ୍ୟ ପରିବେଷଣ କରି ସେ ସର୍ବଭାରତୀୟ ମର୍ଯ୍ୟାଦା ଦେଇଛନ୍ତି । ଆଜି ଓଡ଼ିଶାର ପୁରପଲ୍ଲୀରେ ବୈଷ୍ଣବ ପାଣିଙ୍କ ଅଯାଚିତ ଗ୍ରାହକତା ରହିଛି । ଗଣକବିଙ୍କ ଗୀତିନାଟ୍ୟ ଆଜିର ଚଳଚିତ୍ର ସଙ୍ଗେ ପ୍ରତିଦ୍ୱନ୍ଦିତା କରିବାକୁ ସାମର୍ଥ୍ୟ ଲାଭ କରିଛି । ନୂତନ ଷ୍ଟେଜ ଟେକ୍‌ନିକ୍‌, ଆଲୋକ ସମ୍ପାତ ଓ ଶାବ୍ଦିକ କୌଶଳ ପ୍ରୟୋଗ କରାଯାଇ ପେଶାଦାରୀ ଓ ସୌଖିନୀ କଳାକାର ‘ଦଳ’ ମୁକ୍ତରଙ୍ଗାଳୟକୁ ବହୁ ଦର୍ଶକଙ୍କ ଭିଡ଼ ଜମେଇ ପାରୁଛନ୍ତି । ମଫସଲ ଭୂଇଁ ଛାଡ଼ି ଏହା ସହରାଞ୍ଚଳରେ ବେଶ ଆସର ଜମେଇ ସାରିଲାଣି । ମୁମୂର୍ଷୁପ୍ରାୟ ଅନେକ ନାଟ ଦଳ ଏବେ ପୁନର୍ଜୀବନ ପାଇ ଆର୍ଥିକ ସ୍ୱଚ୍ଛଳତା ଲାଭ କରି କଳା, ସଂସ୍କୃତି ଓ ସାହିତ୍ୟର ପ୍ରସାର ଲାଗି ଅଣ୍ଟା ଭିଡ଼ୁଛନ୍ତି । ନୂଆ ରାଗ-ରାଗିଣୀ, ସ୍ୱର ତରଙ୍ଗ ଓ ନୂତନ ବାଦ୍ୟଯନ୍ତ୍ର ସହାୟତାରେ ପାଣି ଗୀତିନାଟ୍ୟ ଓଡ଼ିଆ ଦର୍ଶକ ପ୍ରାଣରେ ଏକ ନୂତନ ରୋମାଞ୍ଚ, ନୂତନ ଉଦ୍ଦୀପନା ସଞ୍ଚାର କରିଛି । ପୁରୁଣା ବିଷୟବସ୍ତୁ, କାବ୍ୟ, କାହାଣୀ, କିମ୍ବଦନ୍ତୀ, ପୁରାଣ ଆଦି ନୂଆ ଶୈଳୀ ଓ ଶବ୍ଦ ବିନ୍ୟାସରେ ପରିବେଷଣ କରି ଓଡ଼ିଆ ଯାତ୍ରାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇଛନ୍ତି । ବୈଷ୍ଣବ ପାଣିଙ୍କ ପରି ଏତେ ଅଧିକ ସଂଖ୍ୟାରେ ଗୀତିନାଟ୍ୟ, ସଙ୍ଗୀତ, ଛାନ୍ଦ ଆଦି କେହି ରଚନା କରିନାହାନ୍ତି । ଏତେ ଅଧିକ ବିଭାଗରେ ଦକ୍ଷତା ବା ଅଭିଜ୍ଞତା କେହି ଅର୍ଜ୍ଜନ କରି ନାହାନ୍ତି । ସେ କଳାଚର୍ଚ୍ଚାରେ ସବୁ ବିଭାଗ ସହ ଜନ୍ମରୁ ଜଡ଼ିତ । ଓଡ଼ିଆର ପ୍ରାଣ, ତା ଜୀବନ ନାଟିକା, ପଲ୍ଲୀ କୃଷ୍ଣକର ସମସ୍ୟା, ଦୁଃଖ ଦୁର୍ଦ୍ଦିନକୁ ସେ ହାଡ଼େ ହାଡ଼େ ସମଜେଇଛନ୍ତି । ଭଲଭାବେ ସେ ସେମାନଙ୍କ ଅନ୍ତଃନାଡ଼ୀ ଚିପିଛନ୍ତି । ତେଣୁ ସେମାନଙ୍କ ସମସ୍ୟାକୁ ଏତେ ପ୍ରାଣସ୍ପର୍ଶୀ ଭାଷାରେ ଏତେ ରସମଞ୍ଜୁଳ ଭାବେ ସେ ରୂପ ଦେଇଛନ୍ତି । ତାଙ୍କ ଲେଖାରେ ସାଂପ୍ରତିକ ସମୟର ଚିତ୍ର ନିହିତ । ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟରେ ସମାଜର ପ୍ରତିଫଳନ ଘଟିଛି । ଅବଶ୍ୟ ତାହା ମଫସଲି ସମାଜର ସମସ୍ୟାରେ ଭାରାକ୍ରାନ୍ତ, ଯାହା ଭାରତର ବା ଓଡ଼ିଶାର ବାସ୍ତବ ଚିତ୍ର । ତାଙ୍କ ଗୀତିନାଟ୍ୟର ନଟନଟୀ, ଦ୍ୱାରୀ, ଦୂତ, ଡଗରା ଓ ସାଧାରଣ ସୈନିକ ହିଁ ଓଡ଼ିଆ ଗଣମାନସର ପ୍ରଳିଫଳନ କରିଥାଏ ।

 

ବୈଷ୍ଣବ ପାଣି ବହୁ ପ୍ରତିଭାର ଅଧିକାରୀ, ଅନେକ ଗ୍ରନ୍ଥର ସ୍ରଷ୍ଟା । ସାଧାରଣ ଜନଜୀବନ ସଙ୍ଗେ ଜଡ଼ିତ କୌଣସି ବସ୍ତୁ ତାଙ୍କ ଲେଖନୀରୁ ବାଦ ପଡ଼ିନାହିଁ । ଶେଷାବସ୍ଥାରେ ସେ ଯେଉଁ ଆତ୍ମଜୀବନୀ ରଚନା କରିଯାଇଛନ୍ତି ତାହା କେବଳ ଓଡ଼ିଆରେ ନୁହେଁ ବିଶ୍ୱସାହିତ୍ୟ ଦରବାରରେ ଏକ ଅମୂଲ୍ୟ ଗ୍ରନ୍ଥ ଭାବେ ସମ୍ମାନ ଲାଭ କରିବ । ଶ୍ରୀ ପାଣିଙ୍କ ଜୀବନୀ ବୈଚିତ୍ର୍ୟମୟ, ବହୁ ଅଦ୍‌ଭୂତ ଆଚରଣ, ଉତ୍‌ଥାନ, ପତନ, ଦୁଃଖ ଦୁର୍ବିପାକର ମୋଡ଼ ଦେଇ ଗତି କରିଛି । ଗୀତିନାଟ୍ୟରେ ତାଙ୍କ ଅକୁଣ୍ଠ ଓ ଅସଙ୍କୋଚ ଭାବେ ସମାଜର ଦୋଷ ଦୁର୍ବଳତାକୁ ପ୍ରକାଶ କରିବାରେ ସେ ସାମାନ୍ୟ ଦ୍ୱିଧା କରି ନାହାନ୍ତି, ନିଜ ଆତ୍ମଜୀବନୀରେ ମଧ୍ୟ ନିଜର ଦୋଷ, ଦୁର୍ବଳତା, ଚାରିତ୍ରିକ ସ୍ଖଳନ, ଅନ୍ୟାୟ ଆଦିକୁ ପ୍ରକାଶ କରିଛନ୍ତି । ଏହା ତାଙ୍କ ଗଦ୍ୟ ରଚନାର ଉତ୍ତରଣ । ଗୀତିନାଟ୍ୟରେ ଛାନ୍ଦ ଓ ଗୀତିକବିତା ବ୍ୟତୀତ ଗଦ୍ୟ ସଂଳାପ ଏବଂ ଅମିତ୍ରାକ୍ଷର ଛନ୍ଦର ବହୁଳ ପ୍ରୟୋଗ କାରାଯାଇଛି । ଗଦ୍ୟ ସଂଳାପ ଅଧିକ ମାତ୍ରାରେ ପଦ୍ୟଧର୍ମୀ ବା ଗଦ୍ୟ ପଦ୍ୟର ମିଶ୍ର ପ୍ରୟୋଗ । ସଂସ୍କୃତ ନାଟକ ପରି ନିମ୍ନ ଚରିତ୍ରମାନେ ଲୌକିକ ଭାଷା ବ୍ୟବହାର କରିଛନ୍ତି; ଯାହା ସ୍ଥଳ ବିଶେଷରେ ଗ୍ରାମ୍ୟ ଦୋଷଦୁଷ୍ଟତାରୁ ମୁକ୍ତ ନୁହେଁ; କିନ୍ତୁ ବାସ୍ତବ ଓ ଜୀବନ୍ତ । ସେଥିପାଇଁ ତାଙ୍କର ଏତେ ଲୋକପ୍ରିୟତା ।

 

କବିତ୍ୱ ଓ ନାଟକୀୟତାର ଚମତ୍କାରିତା ପାଣି ସାହିତ୍ୟର ଶ୍ରୀବୃଦ୍ଧି ଘଟାଇ, ସବୁ ଶ୍ରେଣୀର ପାଠକମାନଙ୍କୁ ଆକୃଷ୍ଟ କରିଛି । ତାଙ୍କ ଗୀତିନାଟ୍ୟରେ କବିତାର ବିବିଧ ପ୍ରୟୋଗ ସଂଘଟିତ ହୋଇଛି । ଧର୍ମ, ଦର୍ଶନ, ବ୍ୟଙ୍ଗ, ବିଦ୍ରୂପ, ଜାତୀୟତା ଓ ଦେଶାତ୍ମବୋଧ ସାଙ୍ଗକୁ କାବ୍ୟିକ ଉତ୍ତରଣ ନାଟକରେ ଆରୋପିତ ହୋଇ ପାଣିଙ୍କ ସାରସ୍ୱତ ପ୍ରତିଭାର ଉତ୍କର୍ଷ ସାଧନ କରିଛି । ଉଭୟ କାବ୍ୟ ଓ ନାଟକ ମାନବିକ ସମସ୍ୟାରେ ପରିପୁଷ୍ଟ ଜୀବନର ଚରମ ପ୍ରତିଫଳନ ଘଟାଇଥାଏ । ତେଣୁ ଉଭୟଙ୍କ ମଧ୍ୟରେ ଅସମ୍ଭବ ମେଳ ବା ଯୋଗସୂତ୍ର ରହିଛି । ପ୍ରଥମେ ନାଟକ ମଧ୍ୟ ପଦ୍ୟରେ ଲେଖାଯାଉଥିଲା । ତେଣୁ ନାଟକର ଅନ୍ୟନାମ ଦୃଶ୍ୟକାବ୍ୟ । ବିଶିଷ୍ଟ ପାଶ୍ଚାତ୍ୟ ସମୀକ୍ଷକ ଓ୍ୱିମ୍‌ ସାଟ୍‌ ଓ ବୃକ୍‌ସ କାବ୍ୟ ଓ ନାଟକ ମଧ୍ୟରେ ସମଜ୍ୱୟ ଆଣି ଯେଉଁ ମନ୍ତବ୍ୟ ଦିଅନ୍ତି :

 

‘‘Poetry is essentially dramatic and the greatest poetry always moves towards drama ; drama is essentially poetic and the greatest drama always moves towards poetry.”

 

[ Literary Criticism-A Short History

By William K. Wimsatt and Cleanth Brooks. ]

 

ଗଣକବି ବୈଷ୍ଣବ ପାଣି ଯେପରି ଏକ ଅଦ୍ଭୁତ ଖିଆଲି ବ୍ୟକ୍ତିତ୍ୱ ଓ ଉପେକ୍ଷିତ ଚରିତ୍ର, ତାଙ୍କ ସାହିତ୍ୟ ସେହିପରି ଏକ ବ୍ୟତିକ୍ରମ । ଗୁରୁତର ନାଟକରୁ ଆରମ୍ଭ କରି ଲଘୁ ନାଟକ ବା ଫାର୍ଶ ପର୍ଯ୍ୟନ୍ତ, ହାସ୍ୟରସାତ୍ମକ ପହେଳି, ଧନ୍ଦାଦି ଠାରୁ ଜଟିଳ ତଥା ଉଚ୍ଚାଙ୍ଗ ସାହିତ୍ୟିକ ମର୍ଯ୍ୟାଦାପୂର୍ଣ୍ଣ କାବ୍ୟ, କବିତା, ଚଉପଦୀ, ଚଉତିଶା ଓ ଭକ୍ତି ସଙ୍ଗୀତାଦି ତାଙ୍କ ହାତରେ ଉତୁରି ତାଙ୍କ ସାରସ୍ୱତ ଦିଗନ୍ତକୁ ବ୍ୟାପ୍ତ, ସମୃଦ୍ଧ ଓ ପରିପୁଷ୍ଟ କରିବା ସଙ୍ଗେ ସଙ୍ଗେ ତାହାକୁ ଏକ ବିଚିତ୍ର ବର୍ଣ୍ଣାଳୀରେ ପରିଣତ କରିଛି ।

 

ଯଥାର୍ଥରେ ବୈଷ୍ଣବ ପାଣିଙ୍କ ସାହିତ୍ୟ ଲୌକିକତା ଓ ବୌଦ୍ଧିକତାର ମିଶ୍ରରାଗରେ ରସାଣିତ ଏକ ସମନ୍ୱିତ ସମ୍ଭାର । ସାହିତ୍ୟିକ ବିଭାବକୁ ବିଚାରକୁ ନେଲେ ବୈଷ୍ଣବ ପାଣି ଅଧିକ ଭାବେ କବି ଓ ତା’ପରେ ନାଟ୍ୟକାର । କିନ୍ତୁ ଉଭୟ କାବ୍ୟ ଓ ନାଟକରେ ସେ ଗଣଚେତନା, ଗଣ ସମସ୍ୟା ଓ ଗଣ ସଂସ୍କୃତିର ପ୍ରତିଫଳନ କରି ଗଣଦେବତାର ଆରାଧନା ପୂର୍ବକ ଗଣକବି ନାମର ସାର୍ଥକତା କରିଛନ୍ତି ।

 

 

ଅଧ୍ୟକ୍ଷ, ତପୋବନ ଉଚ୍ଚମାଧ୍ୟମିକ ବୃତ୍ତିଭିତ୍ତିକ ପ୍ରତିଷ୍ଠାନ

ଖଣ୍ତଗିରି, ଭୁବନେଶ୍ୱର-୭୫୧୦୦୩ ।

 

***

 

Unknown

ଗଣକବି ପାଣିଙ୍କ କୃତି ଓ କୀର୍ତ୍ତି

ଶ୍ରୀ ପ୍ରଭାକର ସ୍ୱାଇଁ

 

ଓଡ଼ିଆ ଗଣନାଟକ କ୍ଷେତ୍ରରେ ବୈଷ୍ଣବ ପାଣି ଏକ ପ୍ରଚଣ୍ତ ପ୍ରତିଭା । ଏହି ପ୍ରତିଭାବାନ ବ୍ୟକ୍ତିଙ୍କ ଜନ୍ମ ୧୮୮୨ ମସିହାର ପବିତ୍ର କୁମାର ପୂର୍ଣ୍ଣିମା ତିଥିରେ, କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଥାନାର କୋଠପଦା ଗ୍ରାମରେ । ପିତା ସୁଦର୍ଶନ ଓ ମାତା ଚାନ୍ଦଦେବୀଙ୍କ ଦୀର୍ଘାକାଙ୍‌କ୍ଷିତ ଏହି ଶଶୁଟିର ନାମ ଥିଲା ଶତ୍ରୁଘ୍ନ । ବାଲ୍ୟକାଳରୁ ସେ ଥିଲେ ରୋଗାକ୍ରାନ୍ତ । ଦାରିଦ୍ର୍ୟର କଷାଘାତ ମଧ୍ୟରେ ପିତାମାତା ଏହି ଶିଶୁଟିର ଉପଯୁକ୍ତ ଚିକିତ୍ସା କରି ପାରିନଥିଲେ । ନିରୂପାୟ ହୋଇ ଜଗନ୍ନାଥଙ୍କ ପାଦତଳେ ଏହି ରୁଗ୍‌ଣ ସନ୍ତାନକୁ ସମର୍ପି ଦେଇ ବୈଷ୍ଣବ କରିଦେଇଥିଲେ । ସେହି ଦିନଠାରୁ ବାଲ୍ୟନାମ ଶତ୍ରୁଘ୍ନ ପରିବର୍ତ୍ତେ ସେ ବୈଷ୍ଣବ ନାମରେ ପରିଚିତ ହେଲେ । ଏଗାର ବର୍ଷ ବୟସରେ ଉପନୟନାଦି କର୍ମ ସମାପନ ହେଲା ପରେ ପୁଅକୁ ମଣିଷ କରିବା ଆଶାରେ ପିତା କୋଠପଦା ମହନ୍ତଙ୍କ ପାଖରେ ତାକୁ ଛାଡ଼ିଥିଲେ । ସେଠାରେ ସେ ଫୁଲତୋଳା ଓ ଫୁଲଗୁନ୍ଥା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । କିଛିଦିନ ମଧ୍ୟ ଗୋ-ରକ୍ଷକ କର୍ମରେ ସମୟ ଅତିବାହିତ କରିଥିଲେ ।

 

ଗୋପପୁରେ ଗୋ-ରକ୍ଷକ ଶ୍ରୀକୃଷ୍ଣ ବିବିଧ ଲୀଳା ପ୍ରକଟନ କଲାପରି ଗୋ-ରକ୍ଷକ ବୈଷ୍ଣବ ପାଣି ଏହି ସମୟରୁ ହିଁ ନିଜର ଲୀଳା ପ୍ରକଟ ଆରମ୍ଭ କଲେ । ବୈଷ୍ଣବ ପାଣିଙ୍କର ନୃତ୍ୟଗୀତ ପ୍ରତି ଅସରନ୍ତି ଆସକ୍ତି ଜାଣିପାରି ଶିକ୍ଷା ନିମନ୍ତେ ମହନ୍ତ ମହାଶୟ ତାଙ୍କୁ ନୃତ୍ୟ ଶିକ୍ଷକ ଶିବରାମ ସିଂହଙ୍କ ତତ୍ତ୍ୱାବଧାନରେ ରଖିଲେ । ସେହିଦିନ ଠାରୁ ତାଙ୍କ ସୁପ୍ତ ପ୍ରତିଭାର ବୀଜ ଅଙ୍କୁରିତ ହେଲା ।

 

ସ୍ଥାନୀୟ ମଧ୍ୟଇଂରାଜୀ ବିଦ୍ୟାଳୟର ଛାତ୍ରାବାସରେ ଅଢ଼େଇ ଟଙ୍କା ବେତନରେ ସେ ରୋଷେୟା ଭାବେ ନିଯୁକ୍ତ ହୋଇଥିଲେ । ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ଦେଖି ସେହି ସ୍କୁଲର ପ୍ରଧାନ ଶିକ୍ଷକ ମହାଶୟ ତାଙ୍କ ନାମ ଚତୁର୍ଥ ଶ୍ରେଣୀରେ ଲେଖାଇ ଅବୈତନିକ ଶିକ୍ଷାର ବ୍ୟବସ୍ଥା କରାଇ ଦେଇଥିଲେ । ଦାରିଦ୍ର୍ୟ ହେତୁ କେତେବେଳେ ସେ ଚୂଲିମୁଣ୍ତରେ ଓ ଆଉ କେତେବେଳେ ଜୁଳୁଜୁଳିଆ ପୋକର ଆଳୁଅରେ ଅଧ୍ୟୟନରତ ଥିଲେ । ପରିସ୍ଥିତିର ତୀବ୍ର ତାଡ଼ନାରେ ଷଷ୍ଠ ଶ୍ରେଣୀରୁ ତାଙ୍କ ଶିକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ନୃତାଙ୍ଗ ସ୍କୁଲରେ ମାସକୁ ଟ ୪.୦୦ ଟଙ୍କା ଦରମାରେ ଶିକ୍ଷକତା କଲାପରେ ଶିକ୍ଷକ ଜୀବନ ତାଙ୍କୁ ଭଲ ଲାଗି ନଥିଲା । ସମାଜ ବା ଜାତି ଯାହାଙ୍କ ଠାରୁ ଅନେକ କିଛି ଆଶାକରେ ସିଏ ବା ଏହି ଶିକ୍ଷକ ଜୀବନ ଭିତରେ ଆବଦ୍ଧ ହୋଇ କିପରି ରହିପାରିଥାନ୍ତେ ? ଶିକ୍ଷକ ପଦରୁ ଓହରି ଆସି ଏକ ପାଲାଗାୟକ ହେବା ଉଦ୍ଦେଶ୍ୟରେ ସେ ଆଗକୁ ପାଦ ବଢ଼ାଇଲେ । କିଛିଦିନ ପାଲାଗାୟକ ସାଜି ଅନ୍ୟାନ୍ୟ ଗାୟକଙ୍କ ସହ ସେ ପ୍ରତିଦ୍ୱନ୍ଦିତା କରିଥିଲେ ହେଲେ ତାଙ୍କର ଆଶୁକବିତ୍ୱ ହିଁ ତାଙ୍କୁ ବିଜୟଶ୍ରୀର ଜୟମାଲ୍ୟର ମଣ୍ତିତ କରାଇଥିଲା । ଶ୍ରୋତାଗଣଙ୍କର ବରାଦ ଅନୁଯାୟୀ ସେ ଯଥାଶୀଘ୍ର ଗୀତ ରଚନା କରି ଉପଯୁକ୍ତ ସ୍ୱର ଓ ତାଳରେ ଗାନ କରି ପାରୁଥିଲେ । ହେଲେ ଏହି ପାଲାଗାୟକ ହେବାର ଅଭିଳାଷ ତାଙ୍କର ଚିରସ୍ଥାୟୀ ହୋଇ ରହିନଥିଲା । କଳାଭୂମି ଉତ୍କଳରେ ମୁକ୍ତ ରଙ୍ଗମଞ୍ଚର ଆହ୍ୱାନକୁ ସେ ଏଡ଼ାଇଦେଇ ପାରିନଥିଲେ । ସେତେବେଳେ ଓଡ଼ିଆ ଜାତି ଅନ୍ୟ ଭାଷାରେ ରଚିତ ନାଟକକୁ ମଞ୍ଚସ୍ଥ କରାଉଥିଲା । ଓଡ଼ିଆ ନାଟକର ଏହି ଦାରିଦ୍ର୍ୟକୁ ମୋଚନ କରିବା ଉଦ୍ଦେଶ୍ୟରେ ବୈଷ୍ଣବ ପାଣିଙ୍କ ଲେଖନୀରୁ ପରୀକ୍ଷାମୂଳକ ଭାବେ ଜନ୍ମଲାଭ କଲା ‘ମେଘନାଦ ବଧ’ ଓ ‘ରାବଣ ବଧ’ ନାଟକ । ସେ କେବଳ ଲେଖିଲେ ନାହିଁ, ‘ଶିଖେଇବେ, ବଜେଇବେ, ବୋଲିବେ ଦରକାର ପଡ଼ିଲେ ନାଚିବେ’-ଏହି ସଂକଳ୍ପ ନେଇ ସେ ନାଟକ ଦୁଇଟିକୁ ମଞ୍ଚସ୍ଥ କଲେ । ଏହି ନାଟକ ଦୁଇଟି ଅପୂର୍ବ ସାଫଲ୍ୟ ଅର୍ଜନ କଲା ଓ ଜନତା ଜନାର୍ଦ୍ଦନ ଦ୍ୱାରା ବହୁ ପ୍ରଶଂସିତ ମଧ୍ୟ ହେଲା । ସୁତରାଂ ନୂତନ ନାଟକ ରଚନା ଲାଗି ତାଙ୍କ ମନରେ ଅପୂର୍ବ ଉତ୍ସାହ ଦେଖାଦେଲା । ଫଳରେ ରଙ୍ଗସଭା, ବ୍ରଜଲୀଳା, ଧ୍ରୁବଚରିତ, ପ୍ରହ୍ଲାଦଚରିତ, କୀଚକ ବଧ ପ୍ରଭୃତି ନାଟକ ତାଙ୍କ ଲେଖନୀରୁ ସୃଷ୍ଟି ଲାଭ କଲା ।

 

କ୍ରମେ ଜନତାଙ୍କ ପାଇଁ ଶତାଧିକ ଗୀତିନାଟ୍ୟ, ଗୀତାଭିନୟ ଓ ସୁଆଙ୍ଗ ପ୍ରଣୟନ କରି ଓଡ଼ିଶାର ପୁରପଲ୍ଲୀ ତଥା ପ୍ରବାସୀ ଓଡ଼ିଆଙ୍କ ନିକଟରେ ସେ ଗଣକବି ନାମରେ ପରିଚିତ ହେଲେ । ନିଜର ପ୍ରତିଭା, ଆଶୁକବିତ୍ୱ ହାସ୍ୟରସର ଅବତାରଣା ତଥା ସହଜ ସରଳ ବୋଧଗମ୍ୟ ଭାଷା ମାଧ୍ୟମରେ ବିଷୟବସ୍ତୁର ଉପସ୍ଥାପନା କରି ତତ୍‌କାଳୀନ ଜନତାର ହୃଦୟକୁ ଜୟ କରିବାକୁ ତାଙ୍କୁ ଅଧିକ ସମୟ ଲାଗି ନଥିଲା । ମୁକ୍ତ ରଙ୍ଗମଞ୍ଚରେ ନିଜର ପ୍ରତିଭା ପ୍ରଦର୍ଶନ କରି ସେ ଅନେକ ପ୍ରଶଂସା ଲାଭ କରିବା ସଙ୍ଗେ ସଙ୍ଗେ ଅନେକ ଧନ ମଧ୍ୟ ଅର୍ଜନ କରିଥିଲେ ।

 

ଗଣକବି ବୈଷ୍ଣବ ପାଣି ଏକ ବହୁମୁଖୀ ପ୍ରତିଭା । କବି, ଶ୍ରୋତାଙ୍କ ଅନୁରୋଧ ରକ୍ଷାକରି ରେଳଗାଡ଼ି ସମ୍ବନ୍ଧରେ ସହସା ଗୀତ ରଚନା କରି ଗାଇବାକୁ ଲାଗିଲେ-

 

‘ରଙ୍କୀ ଦୁଃଖୀ ସବୁ ରାସ୍ତା ଛାଡ଼ିଗଲେ

 

ରେଳଗାଡ଼ି ଗଲେ ବିଦେଶେ ଚଢ଼ି

ବଇଷ୍ଣବ ବୋଲେ ଡକାୟତ ମଲେ

 

କୋଶକୁ ନେଉଛି ପଇସା ଯୋଡ଼ି ।

 

କେବଳ ସେ ଜଣେ ଆଶୁ କବି ନଥିଲେ ସେଥିଲେ ସମାଜ ସଂସ୍କାରକ । ନେପୋଲିୟନ୍‌, ଅଶୋକ, ଜୁଲିୟସ୍‌ ସିଜାର ଇତ୍ୟାଦି ଶାସକଗଣ ଅସି ସାହାଯ୍ୟରେ ଯାହା କରିପାରି ନାହାନ୍ତି, କାଳିଦାସ, ସେକ୍‌ସପିଅର, ରବୀନ୍ଦ୍ରନାଥ ଆଦି କବିବୃନ୍ଦ ନିଜ ଲେଖନୀ ବଳରେ ତାହାଠାରୁ ଯଥେଷ୍ଟ ଅଧିକ କରିପାରିଛନ୍ତି । ସାମାଜିକ ତଥା ସାଂସ୍କୃତିକ ଚେତନା ଜାଗରଣ ପାଇଁ ଶାଣିତ କୃପାଣ ନୁହେଁ ; ଦୁର୍ବଳ ଲେଖନୀରୁ ସୃଷ୍ଟ ଶାନ୍ତ ଲଳିତ ପଦବିନ୍ୟାସ ହିଁ ଯଥାର୍ଥ ମାଧ୍ୟମ । ଗଣକବିଙ୍କ ଭାଷାରେ-

 

‘ଅସୀମ କ୍ଷମତା ମସୀର ଅଟଇ

ଅସିବଳ ତହିଁ ତିଳେ ନ ଖଟଇ ।’

 

କବି କେବଳ ସ୍ରଷ୍ଟା ନୁହେଁ; ସେ ମଧ୍ୟ ଦ୍ରଷ୍ଟା । ସେଥିପାଇଁ ସମାଜର ନଗ୍ନବାସ୍ତବ ରୂପକୁ ସେ ଦେଖେ ଏବଂ ସେହି ଉପଯୋଗୀ କାବ୍ୟ କବିତା ରଚନା କରି ଏକ ସୁସ୍ଥ ସୁନ୍ଦର ବଳିଷ୍ଠ ସମାଜ ଗଠନ କରିବାକୁ ସେ ଆଗେଇ ଆସେ । କବି ବୈଷ୍ଣବ ପାଣିଙ୍କ ସାହିତ୍ୟିକ କୃତିରେ ସମାଜ ସଂସ୍କାର ପାଇଁ ବ୍ୟାକୁଳ ପ୍ରୟାସ ପ୍ରତ୍ୟେକ ସଂସ୍କାରପ୍ରେମୀକୁ ମୁଗ୍‌ଧ ଓ ଚକିତ କରେ ।

 

ସାହିତ୍ୟ କୃତିରେ ମୌଳିକତା ରକ୍ଷା କରିବା ପାଇଁ ସେ ଆଗ୍ରହୀ ହୋଇ ଉଠିଥିଲେ । ସେଥିପାଇଁ ପଡ଼ୋଶୀ ସାହିତ୍ୟର ଅନୁକରଣ ତଥା ଅନୁସରଣ ନକରି ସ୍ୱକୀୟ ବୈଶିଷ୍ଟ୍ୟ ନେଇ ଓଡ଼ିଆ ବାଣୀ ମନ୍ଦିରରେ ସେ କେତୋଟି ଅର୍ଘ୍ୟ ବାଢ଼ି ଯାଇଛନ୍ତି । ଅଧ୍ୟୟନ ଓ ଅଧ୍ୟବସାୟ ବିନା ସାହିତ୍ୟ ସୃଷ୍ଟିରେ ମନୋନିବେଶ କରିବା କେବଳ ଯେ ତସ୍କରତା-ଏହା ସେ ମର୍ମେ ମର୍ମେ ଅନୁଭବ କରିଥିଲେ । ଏହିପରି କେତେକ କବିଙ୍କର ସନ୍ଧାନ ମଧ୍ୟ ସେ ପାଇଥିଲେ । ତେଣୁ ତାଙ୍କର ସଂସ୍କାରପ୍ରିୟ ଲେଖନୀରୁ ନିର୍ଗତ ହୋଇଥିଲା-

 

‘କବି ଖଣିକି ଖଣି            ଏଣିକି ଯେ ହେଲେଣି

ଜଣ ଜଣ କରି କିଏ ପାରିବ ଗଣି ?

X X X

ଦେବୀ ଶାରଦାଙ୍କର            ଏତ ବରକୁମର

କେତେଛନ୍ତି ୟା ଭିତରେ କବିତାଚୋର

 

X X X

କାହା କବିତା ଗୋଟି            ଆଣି ତା ନାମ କାଟି

ନିଜ ନାମକୁ ସେଥିରେ ଦିଅନ୍ତି ଫେଣ୍ଟି ।

X X X

ପର ଅଇଁଠା-କଣ୍ଟା            ସେକି ଏମନ୍ତ ମିଠା

ଖାଇ ହଠାକଲେ ମିଳେ କି ମାନଗୋଟା ।’

 

ନିଜକୁ ପ୍ରବୀଣ ସାହିତ୍ୟିକ ତଥା କବି ବୋଲି ପରିଚୟ ଦେଉଥିବା ବ୍ୟକ୍ତିମାନଙ୍କର ମୁଖାକୁ କବି ବୈଷ୍ଣବ ପାଣି ଚତୁରତା ସହକାରେ ଖୋଲି ଦେଇଛନ୍ତି । ତତ୍‌କାଳୀନ ସମାଜରେ ବାସ କରୁଥିବା ଟାଉଟରମାନଙ୍କ କାର୍ଯ୍ୟ କଳାପ ଦେଖିଛନ୍ତି । ସେଥିପାଇଁ ‘ପର୍ଶୁରାମ ମାତୃହତ୍ୟା’ରେ ଦୂତ ମୁଖରେ ସେ କହିଛନ୍ତି-

 

‘ଦେଖ ପଣ ପଣ            ବାହାର ଚିକ୍‌କଣ,

ଭିତରେ ନିପଟ କାଳିଆରେ ।

ନିଜେ ହୋଇ ଚୋର      ଏଘର ସେଘର

ବୁଲୁଛନ୍ତି ସଞ୍ଜ ବେଳିଆ ରେ,

 

ପରକୁ ଦେଖିଲେ            ତରକ ଦେଖାଇ

ବୋଲନ୍ତି ତୁ ବଡ଼ ଗୋଳିଆ

ନିର୍ଦ୍ଦୋଷ ଆଖିରେ            ଧୂଳି ଘଷି ଦେଇ

ରଖିଥାନ୍ତି କର ତଳିଆ ।

 

ଭିତର ଅଳିଆ            ମେଞ୍ଚା ମେଞ୍ଚା ଥୋଇ

ଝାଡ଼ୁଥାନ୍ତି ସତ ଥଳିଆ ।

ଆପଣା ଦୋଷକୁ            ଲୁଚାଇ ରଖନ୍ତି

କରୁଥାନ୍ତି ଗୋଳମାଳିଆ ।’

 

ଗଣକବି ବୈଷ୍ଣବ ପାଣି ସ୍ୱପ୍ନାଭିଳାଷୀ ନଥିଲେ । କଠୋର ବାସ୍ତବତାକୁ ଏଡ଼ିଦେଇ କଳ୍ପନା ରାଜ୍ୟରେ ବିଚରଣ କରିବାକୁ ସେ ପ୍ରୟାସୀ ନଥିଲେ । ସମାଜର ସଂସ୍କାର ଆଣିବା ପାଇଁ ଶିକ୍ଷା ଏକ ପ୍ରଧାନ ମାଧ୍ୟମ ବୋଲି ସେ ବିଚାରୁଥିଲେ । ସେଥିପାଇଁ ତାଙ୍କର ଅଧିକାଂଶ ନାଟକ ସୁଆଙ୍ଗ ଓ କାବ୍ୟକବିତାରେ ସେ ନୀତିଯୁକ୍ତ ଶିକ୍ଷଣୀୟ ବିଷୟବସ୍ତୁର ଉପସ୍ଥାପନା କରିଛନ୍ତି । ଉଦାହରଣ ସ୍ୱରୂପ ‘ରାମ ବନବାସ’ରେ ସେ କହିଛନ୍ତି-

 

‘‘ଶିକ୍ଷାକର ପିତୃଭକ୍ତି            ଦୀକ୍ଷାକର ଏହି ନୀତି

ଭିକ୍ଷାକର ପଛେ ସତ୍ୟ ବାଟ ନଛାଡ଼,

ଭାଇରେ ଭାଇରେ ସ୍ନେହ            କେମନ୍ତେ ଦେଖିଲ କହ

ବୃଥା ଅହଙ୍କାରେ ନରେ ଆଉ ନପଡ଼ ।

 

ସୀତା ଠାରୁ ପତିବ୍ରତା            ଶିକ୍ଷା କର ଏହି କଥା

ଶିଖାଇ ମହିଳାଗଣେ ସୁଯଶ ଲୋଡ଼,

ପୁତ୍ରେ ପିତା-ସ୍ନେହ କେଡ଼େ            ପୁତ୍ରବିନେ ପ୍ରାଣ ଛାଡ଼େ

ଭାଙ୍ଗିକେ ପାରିବ ଗୂଢ଼ ସ୍ନେହର ବାଡ଼ ।’’

 

ସେହିପରି ‘ହରିଶ୍ଚନ୍ଦ୍ର’ରେ ଶୈବ୍ୟାଙ୍କର ପତିଭକ୍ତି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଉତ୍କଳୀୟ ନାରୀସମାଜକୁ ଗୃହ କର୍ମବିଧାନର ଅନେକ ଉପଦେଶ ଦେଇଛନ୍ତି । ଗୋବର ମାଟିରେ ଘରକୁ ଲିପାପୋଛାକରି ଦୁର୍ଗନ୍ଧ ନାଶ କରିବା ତୁଳସୀ ଚଉରା ସ୍ଥାପନ କରି ପୁଅଝିଅଙ୍କ ଦେହ ନୀରୋଗ ରଖିବା, ରୋଷେଇଘର ସଫା ସୁତୁରୀ ରଖିବା, ଶେଯ ତକିଆକୁ ଖରାଦେବା ତଥା କିରୋସିନୀ ବତୀ ଜାଳି ନିବୁଜଘରେ ନ ଶୋଇବାଲାଗି ସେ ସଚେତନ କରାଇଛନ୍ତି ।

 

ଗଣକବି ସମାଜ ସଚେତନ ଶିଳ୍ପୀଥିବାରୁ ବିଦ୍ୟାଦାନର ଗୁରୁ ଦାୟିତ୍ୱ ବହନ କରିଥିବା ଶିକ୍ଷକ ସମାଜ କିପରି ଅବହେଳିତ ହେଉଥିଲେ ତାହା ସେ ଅତି ସୁନ୍ଦରଭାବେ ‘ପ୍ରହ୍ଲାଦ ଚରିତ’ ଗୀତିନାଟ୍ୟରେ ବର୍ଣ୍ଣନା କରିଛନ୍ତି । ହିରଣ୍ୟକଶିପୁର ଡାକରାରେ ଗୁରୁ ଷଣ୍ଢାଚାର୍ଯ୍ୟ ସଭାସ୍ଥଳକୁ ଆସି ଗାଇଛନ୍ତି-

 

‘‘କାହିଁକି ଡାକରା ହେଲା ଦୈତ୍ୟରାଜ

କେବଣ କାର୍ଯ୍ୟ ସାଧିବି କହ ଆଜ ।

ଅନ୍ନବିନା ଶୂନ୍ୟଘର            ସଦା ପଡ଼େ ହାହାକାର

କହିବାକୁ ଛାମୁରେ ମାଡ଼ଇ ଲାଜ

ଦିନ ଯାକ ଭଟ ଭଟ            ରାତ୍ରରେ ଜଳଇ ପେଟ

ଗୁରୁପଣ ନୁହେଁ ଏହୁ ଗୁରୁ ବୋଝ ।

 

ଦରମା ପଡ଼ିଛି ବାକି            ମାଗି ମାଗି ଗଲି ଥକି

X X X

ଅଛୁଆଁ ପଡ଼ିଛି ଘର            ବରଷାରେ ହରବର

ବଇ ବୋଲେ ପଡ଼େ ଚନ୍ଦ୍ରସୂର୍ଯ୍ୟ ତେଜ ।’’

 

ଗଣକବି ନିର୍ଭୀକ ସ୍ୱାଧୀନଚେତା ବ୍ୟକ୍ତି ଥିଲେ । ତାଙ୍କର ଲେଖନୀ ଅସି ପରି ଶାଣିତ ଥିଲା । ତେଣୁ ଅନ୍ୟାୟ ଓ ଅନୀତିର ପକ୍ଷଚ୍ଛେଦ କରିବାକୁ ସେ ପଶ୍ଚାତ୍‌ପଦ ହେଉନଥିଲେ । ସେଥିପାଇଁ ପ୍ରଚଳିତ ନିର୍ବାଚନ ପଦ୍ଧତିର ସେ କଟୁ ସମାଲୋଚନା କରି ଗାଇଛନ୍ତି-

 

‘‘ଲାଗିଅଛି ମଜା ଦୁନିଆ ଯାକରେ

ବଢ଼ିଲାଣି ଛୋଟ ଲୋକଙ୍କ ଟେକରେ,

ଏଡ଼େଛନ୍ତି ପୁଣି ଭୋଟର ରଙ୍କରେ,

ନ ବୁଝନ୍ତି ସେତ ବାଙ୍କ ସଳଖରେ,

 

ଟିକଟ ଖଣ୍ତିକ ବାକସ ଫାଙ୍କରେ,

ପଡ଼ିଲେ ତେଣିକି ଫୁଲାନ୍ତି ନାକରେ,

ପାଶୋରି ପକାନ୍ତି ପୂରୁବ ଦୁଃଖରେ,

ସେ ନେଉରା ହାତଧରା ଯେତକରେ ।

 

ଲଟ ପଟ ଭାଇ ନ ହୁଅ ପଙ୍କରେ

ବଇଆ ବୋଲଇ ନ ଶୁଭେ ଡାକରେ ।’’

 

ତତ୍‌କାଳୀନ ସମାଜରେ କାୟାବିସ୍ତାର କରିଥିବା ଛୁଆଁ ଅଛୁଆଁ ଭେଦଭାବକୁ ଦୂର କରି ଜାତି ପ୍ରଥାର ବିଲୋପସାଧନ ଲାଗି ସେ ଏକନିଷ୍ଠ ନୀରବ ସାଧନା କରିଥିଲେ । ଭେଦାଭେଦ ଭୁଲି କାର୍ଯ୍ୟ କଲେ ସମାଜର ସାମୂହିକ ଉନ୍ନତି ସାଧନ ହୋଇପାରିବ । ସେଥିପାଇଁ ‘ମନ୍ଦିରରେ ହରିଜନ ପ୍ରବେଶ’ ପୁସ୍ତିକା ପ୍ରଣୟନ କରି ସେ ସମାଜ ନିକଟରେ ଜାତି ଭେଦର ବିଲୋପ ପାଇଁ ବଳିଷ୍ଠ ଯୁକ୍ତି ବାଢ଼ିଛନ୍ତି । ଜନସାଧାରଣଙ୍କୁ ପ୍ରଭାବିତ କରିବା ପାଇଁ ସେ ‘ଡୁଏଟ୍‌’ ମାନ ରଚନା କରି ଜାତି ପ୍ରଥାର ମୂଳୋତ୍ପାଟନ ନିମିତ୍ତ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି ।

 

କବି ଥିଲେ ଜଗନ୍ନାଥଙ୍କର ଜଣେ ଶ୍ରେଷ୍ଠ ଭକ୍ତ । ସୁତରାଂ ତାଙ୍କ କୃତି ସମୂହ ଭକ୍ତିରସରେ ଆପ୍ଳୁତ । ହୃଦୟର ନୈବେଦ୍ୟ ଆବେଗ ଓ ଆବେଦନକୁ ସେ ଶ୍ରୁତି ମଧୁର ଭାଷାରେ ଉପସ୍ଥାପନ କରିଛନ୍ତି । ସେ ଭଗବାନ୍‌ଙ୍କୁ ନିଜର ବ୍ୟକ୍ତିଗତ ଦୁଃଖ ଜଣାଇଛନ୍ତି, ଭର୍ତ୍ସନା କରିଛନ୍ତି ଓ ପୁଣି ତାଙ୍କ ନିକଟରେ ଅଭିମାନ ମଧ୍ୟ କରିଛନ୍ତି ।

 

ଅସବର୍ଣ୍ଣ ବିବାହ କରି ସମାଜଚ୍ୟୁତ ହୋଇ ଗଣକବି ବିରୂପା ତଟରେ ଅବସ୍ଥାନ କରୁଥିବା ସମୟରେ ସେ ରୋଗାକ୍ରାନ୍ତ ହୋଇପଡ଼ିଥିଲେ । କବି ଶକ୍ତିହୀନ ହୋଇ ଦୟନୀୟ ଅବସ୍ଥା ଭିତରେ ଗତି କରୁଥିବାବେଳେ ତାଙ୍କର ଦରଦୀ ହୃଦୟ ଦୁଃଖ ଓ କ୍ରୋଧରେ ବିଦୀର୍ଣ୍ଣ ହୋଇଉଠିଥିଲା ।

 

ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ସେ ଗାଇ ଉଠିଥିଲେ-

‘ନିଜ ଗୋଇ ନିଜେ ନ ଖୋଳ ସହଜେ ଜଳଧିଜେମାବଲ୍ଲଭ,

ବଇଷ୍ଣବ ଭାଳେ ଭାସେ ଶୋକଜଳେ ବଢ଼ା ତୋ କରପଲ୍ଲବ ।’

 

ଗଙ୍ଗାଜଳ ପରି ଶୁଦ୍ଧ ପବିତ୍ର ଓ ଶୁଚୀବନ୍ତ ମନକୁ ସେ ଭଗବାନଙ୍କ ଚରଣାରବିନ୍ଦରେ ସମର୍ପଣ କରିଦେଇଥିଲେ । ତାଙ୍କ ରଚିତ ବହୁ ଜଣାଣ ଓ ଭଜନ ତାଙ୍କ ଭକ୍ତିପ୍ରାଣତାର ଚୂଡ଼ାନ୍ତ ନିଦର୍ଶନ । ସେଥିପାଇଁ ରାମ, କୃଷ୍ଣ, ବିଷ୍ଣୁ, ବ୍ରହ୍ମା, ଶିବ ପ୍ରଭୃତି ଦେବତା ବହୁସ୍ଥଳରେ ଭକ୍ତଦ୍ୱାରା ପୂଜିତ ହୋଇଛନ୍ତି । ଉଦାହରଣ ସ୍ୱରୂପ ପ୍ରହ୍ଲାଦର ‘ହରି’ ଭକ୍ତି ସଙ୍ଗୀତକୁ ଲକ୍ଷ୍ୟ କରାଯାଇ ପାରେ-

 

‘ବିପଦ ଭଞ୍ଜନ ହରି ବିପଦ ଡରଇ ତୋତେ,

ତୋ ପଦ ପଙ୍କଜ ସମ୍ପଦ ଅଟଇ ସଦା ଚିତ୍ତେ ।

 

ଦର୍ଶକର କର୍ମକ୍ଳାନ୍ତ ଜୀବନକୁ ଟିକିଏ ହାଲୁକା କରିବା ହେଉଛି ନାଟକର ଏକ ଧର୍ମ । ଗଣକବି ବୈଷ୍ଣବ ପାଣି ଏକଥା ବେଶ୍‌ ଭଲଭାବେ ହୃଦୟଙ୍ଗମ କରିଥିଲେ । ତେଣୁ ଫାର୍ଶ ତଥା ହାସ୍ୟରସଭରା ସଙ୍ଗୀତ ଜରିଆରେ ସେ ସମାଗତ ଦର୍ଶକଙ୍କୁ ବିମୋହିତ କରିପାରୁଥିଲେ । ଏହି ହାସ୍ୟରସ ଜରିଆରେ ପାଠକ ମନକୁ ଆନ୍ଦୋଳିତ କରି ସତ୍‌ଶିକ୍ଷା ପ୍ରଦାନ କରିବାରେ ମଧ୍ୟ ସେ ସକ୍ଷମ ହୋଇ ପାରିଥିଲେ । କ୍ଷୁଦ୍ର, ହେୟ ତଥା ଅବହେଳିତ ବସ୍ତୁକୁ ଉପଜୀବ୍ୟ କରି ସେ ହାସ୍ୟରସ ସୃଷ୍ଟି କଲେ । ମଦ, ଗୁଲି, କାଞ୍ଜି, ମୁଢ଼ି ଇତ୍ୟାଦିକୁ ନେଇ ସେ ସଙ୍ଗୀତ ରଚନା କରି ଦ୍ୱାରୀ ମୁହଁରେ ବୋଲାଇ ହାସ୍ୟରସର ଅବତାରଣା କଲେ, ମୁଢ଼ିକୁ ନେଇ ସେ ଲେଖିଲେ-

 

‘‘ଧନ୍ୟ ଧନ୍ୟ ଧନ୍ୟରେ ମୁଢ଼ି !

ତୋତେ ଖାଇ ଟୋକି ହୁଅନ୍ତି ବୁଢ଼ୀ ।

ନିରୋଳା ସୋରିଷ ତେଲ ମାଖି ଯେବେ

ଚାଖିବ ପାଟିରୁ ନଯାଉ ଛାଡ଼ି ।

 

ପୁନଶ୍ଚ କାଞ୍ଜିକୁ ନେଇ ସେ ପୁଣି ଲେଖିଲେ-

 

‘‘ବାହା ବାହା ବାହାରେ କାଞ୍ଜି

ତୋର ଋଣ କିଏ ପାରିବ ସୁଝି

ଶୀତ ତୋର ମିତ, ତୁହି ତାକୁ ହିତ

ପିତ୍ତ ତ ପଳାଏ ରାଇଜ ତେଜି ।

ପଡ଼ିଥିଲେ ତୋ ତୁଲେ ମୂଳା

ଠେଲୁଥାଉ ଭାତର ଗୁଳା

ଯେଉଟ ସାଙ୍ଗରେ ଥାଇ କି ରଙ୍ଗରେ

ରାନ୍ଧୁଣୀଙ୍କ ମନ କରାଉ ରାଜି ।’’

X X X

 

ତାରାବାଈ, ନୂଆଜୋଇଁ, ଶ୍ୟାମଅଜା, ବୁଢ଼ାବୁଢ଼ୀ, କେଳାକେଳୁଣୀ କ୍ୟାପରୁଆ, ଆବୁ ହୋସେନ୍‌ ଇତ୍ୟାଦି ଫାର୍ଶ ତାଙ୍କର ସର୍ବୋଧିକ ଲୋକପ୍ରିୟତା ହାସଲ କରିଛି । କେତେଗୁଡ଼ିଏ ଫାର୍ଶର ସମାହାରରେ ପ୍ରକାଶିତ ‘ଫାର୍ଶ ସାଗର’ ‘ଫାର୍ଶଲହରୀ’ ଓ ‘ଫାର୍ଶମୂଲକ’ ଓ ହାସ୍ୟରସଭରା ‘ଠକ ପୁରାଣ’କୁ ଗଣମାନସ ବେଶ୍‌ ଉପଭୋଗ କରିଥାଏ ।

 

ଗଣକବି କେବଳ ନାଟ୍ୟକାର, ଭକ୍ତକବି, ହାସ୍ୟରସିକ ନଥିଲେ । ସେ ଥିଲେ ଏକାଧାରରେ ଦେଶପ୍ରେମୀ ଓ ଜାତୀୟତାବାଦୀ । ଅଭାବ, ଅନାଟନ ଓ ଦାରିଦ୍ର୍ୟର କଷାଘାତରେ ତାଙ୍କର ଦେଶପ୍ରେମ ପେଷିହୋଇ ଯାଇନି, ବରଂ ସମୟ ସୁବିଧା ଦେଖି ଉଜ୍ଜୀବିତ ହୋଇଉଠିଛି । ୧୯୨୧-୨୨ ମସିହାରେ ସମଗ୍ର ଦେଶରେ ଇଂରେଜ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା । ବିଶ୍ୱକବି ରବୀନ୍ଦ୍ରନାଥ ସେତିକିବେଳେ ଓଜସ୍ୱିନୀ କବିତା ମାଧ୍ୟମରେ ଦେଶବାସୀଙ୍କ ହୃଦୟରେ ଦେଶପ୍ରେମ ବହ୍ନି ଜାଳି ଦେଇଥିଲେ । ଠିକ୍‌ ସେହିପରି ଚାରଣକବି ବୈଷ୍ଣବ ପାଣି ଐକ୍ୟତାନରେ ଗାଇଉଠିଥିଲେ-

 

‘ଭାରତ ବୀରେ ବିରତ ନୁହ ତୁରିତେ ଭିଡ଼ ଅଣ୍ଟା

ଚିରତ ନୁହେଁ କାହାର ଏ ଦେହ ବଜାଅ ବିଜୟ ଘଣ୍ଟା ।

ବର୍ଜନ କର ପ୍ରାଣମମତା ଅର୍ଜନ କର ଯଶ,

ଅହିଂସା ଭେରୀ ଗର୍ଜନ ଶୁଣ କମ୍ପାଏ ଦଶଦିଶ ।

 

ଦୁର୍ଜନ ଏତ ଶ୍ୱେତବଣିକ ସଜ୍ଜନ ନୁହେଁ କାଳେ

କ୍ରୁର ପାପୀର ଚୂର ଦର୍ପ ଦୂରେ ପଳାଉ ଢାଳେ ।

X X X

କୃପଣ ନୋହି ତର୍ପଣ କର ବୈରୀଶୋଣିତ ସାଗରେ

ତେତିଶ କୋଟି ଭାରତ ବୀରେ ଜାଗ ଜାଗ ଜାଗରେ ।’

 

ଗାନ୍ଧିଜୀଙ୍କ ‘ବିଦେଶୀ ବର୍ଜନ’ ଆହ୍ୱାନରେ ସମଗ୍ର ଦେଶ ଚେଇଁ ଉଠିଥିଲା । ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଏହି ଆହ୍ୱାନ ପ୍ରଚାରର ମାଧ୍ୟମ ଥିଲା ବିଭିନ୍ନ ସଭାସମିତି ଓ ପତ୍ରପତ୍ରିକା । ହେଲେ ଗଣକବି ମୁକ୍ତ ରଙ୍ଗମଞ୍ଚରେ ଶହ ଶହ ଜନତାଙ୍କ ସମ୍ମୁଖରେ ଏହି ଆହ୍ୱାନକୁ ଶୁଣାଇଥିଲେ-

 

ବିଲ ଶାଗ ବିଲ ପାଣି

ଏହାଠାରୁ ଭଲ ଅଟେକି      ବିଦେଶୀ ଦରବ ନପାର ଜାଣି

ମୋଟ ଖଦି ମୋଟ ଭାତ

ଦେଇ ବାପ ମାଆ ତୁମ୍ଭଙ୍କୁ ପାଳିଲେ,      ପଡ଼ିଲା ତାଙ୍କର ଦାନ୍ତ

 

ଏଣିକି ଟିକସ ଦେଇ

ନିଜ ଘର ବାରି ନିଜେ ଜଗୁଆଳି      କିଛି ନ କହୁଛ କେହି ।

ନିୟମ କରିବା ଆସ

ଏଣିକି ତାଙ୍କର ଦେଶ ଜିନିଷରେ      କେହି ନ କରିବା ଆଶ ।’

 

ଦୁଃଖ, ଯନ୍ତ୍ରଣା, ଦାରିଦ୍ର୍ୟ ଓ ନିପୀଡ଼ନର କଷାଘାତ ମଧ୍ୟରେ କାଳାତିପାତି କରୁଥିଲେ ମଧ୍ୟ ମନରେ ଅପରିସୀମ ସାହସ ନେଇ ସାମନ୍ତବାଦର ନିଚ୍ଛକ ରୂପକୁ ଜନତା ସମ୍ମୁଖରେ ଉନ୍ମୋଚନ କରିବାକୁ ଚେଷ୍ଟା କରିଥିଲେ । ପାଶ୍ଚତ୍ୟ ଶିକ୍ଷା ଓ ସଭ୍ୟତାର ମୋହରେ ଅନ୍ଧ ହୋଇଥିବା ଦେଶବାସୀଙ୍କୁ ସେ ଅତୀତ ପରମ୍ପରାରୁ ଫେରି ଚାହିଁବାକୁ ଉପଦେଶ ଦେଇଛନ୍ତି । ଚାକିରୀର ମୋହରେ ବିଦେଶୀ ସରକାରର ଗୋଲାମ ନ ହୋଇ ସ୍ୱାଧୀନଭାବେ ବଞ୍ଚି ରହିବାକୁ ତାଙ୍କ ରଚନା ମାନଙ୍କରେ ସେ ଆହ୍ୱାନ ଦେଇଛନ୍ତି ।

 

ଗଣକବି ବୈଷ୍ଣବ ପାଣି ଯଥାର୍ଥରେ ଓଡ଼ିଆ ଗଣ ସାହିତ୍ୟର ଅନ୍ୟତମ ଅଗ୍ରସାରଥି । ତାଙ୍କ ରଚିତ ଲୀଳା, ସୁଆଙ୍ଗ, ଗୀତିନାଟ୍ୟ, ଜଣାଣ, ଭଜନ ଆଦିରେ ସେ ସମକାଳୀନ ସମାଜର ସାମାଜିକ ଚେତନା, ରାଜନୀତିକ ଜୀବନଧାରା, ସମାଜ ସଂସ୍କାର, ଜାତିପ୍ରଥାର ଉଚ୍ଛେଦ, ସ୍ୱାବଲମ୍ବନଶୀଳତା, ନାରୀଧର୍ମର ପ୍ରତିଷ୍ଠା, ଲାଞ୍ଚମିଛ ଓ ଦୁର୍ନୀତିର ବିଲୋପ ସାଧନ, ଜାତିପ୍ରୀତି ଇତ୍ୟାଦି ବିଭିନ୍ନ କଥାକୁ ସ୍ଥୂଳଭାବେ ପ୍ରକାଶକରି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଭାରାକ୍ରାନ୍ତ ଗଣ ମାନସରେ ଅନାବିଳ ହାସ୍ୟରସର ଅମନ୍ଦମନ୍ଦାକିନୀଧାରା ବୁହାଇବା ତାଙ୍କ ସୃଷ୍ଟିର ପ୍ରଧାନ ଲକ୍ଷ୍ୟ । ଅତି ସାଧାରଣ ବିଷୟବସ୍ତୁ ତାଙ୍କ ବଳିଷ୍ଠ ଲେଖନୀର କାଉଁରୀ ସ୍ପର୍ଶରେ ଶୈଳ୍ପିକ ନୈପୁଣ୍ୟ ଲାଭକରି ଜୀବନ୍ତ ଓ ପ୍ରାଣସ୍ପର୍ଶୀ ହୋଇପାରିଛି । ସହଜ ସରଳ ଭାଷା ଓ ସଙ୍ଗୀତର ପ୍ରାବଲ୍ୟରେ ଏହି ଗୀତାଭିନୟଗୁଡ଼ିକ ମଧ୍ୟ ବେଶ୍ ଚିତ୍ତାକର୍ଷକ ହୋଇଉଠିଛି । ଗୀତାଭିନୟନର ଅନନ୍ତସାଗର ସୃଷ୍ଟି କରି ଜାତିକୁ ଶାଶ୍ୱତ ପ୍ରେରଣା ପ୍ରଦାନ କରିଥିବାରୁ ସେ ଆମର ଚିର ନମସ୍ୟ ହେବା ସଙ୍ଗେ ସଙ୍ଗେ ଗଣମାନସରେ ଚିରଦିନ ଅମର ହୋଇ ରହିଥିବେ । ଏହା ନିଃସନ୍ଦେହ ।

-------

୧୨୮ ପୃଷ୍ଠାର ପରବର୍ତ୍ତୀ ପାଠ :

ଯଥାର୍ଥ ହୋଇଅଛି । ବା କିମ୍ବା ଅଥବା ନରହି କେବଳ ଲକ୍ଷଣା ପରିଣୟ କିମ୍ବା ଚନ୍ଦ୍ରାବତୀ ପରିଣୟ ହୋଇଥିଲେ ଅଧିକ ଆକର୍ଷଣୀୟ ଓ ସୁସଙ୍ଗତ ହୋଇଥାନ୍ତା ।

 

 

ନାଟକୀୟତା :

‘ଲକ୍ଷଣା ପରିଣୟ’ ଏକ ପୌରାଣିକ ଆଖ୍ୟାନ ହେଲେ ହେଁ ତହିଁରେ ଯଥାରୀତି ନାଟକୀୟ ଉପାଦାନମାନ ସନ୍ନିବେଶିତ କରାଇ ଏକ ସାର୍ଥକ ଜନପ୍ରିୟ ଗୀତିନାଟ୍ୟ ରଚନା କରିବାରେ ସକ୍ଷମ ହୋଇପାରିଛନ୍ତି ‘ପାଣି’ । ପୁରାଣର ଗପ କହିବା ରୀତିରେ ପୌରାଣିକ ଉପାଖ୍ୟାନକୁ ପରିବେଷଣ କଲେ ତାହା ସାର୍ଥକ ନାଟକ ପଦବାଚ୍ୟ ହୋଇପାରିବ ନାହିଁ । ଲୋକପ୍ରିୟ ସଫଳ ନାଟକଟିଏ ରଚନା କରିବାକୁ ହେଲେ କାହାଣୀଟିଏ ଯଥାର୍ଥ ନାଟକୀୟତାର ସଂଯୋଗ ଆବଶ୍ୟକ । ଯାତ୍ରାଭିମୁଖୀ ସଂଳାପ, ନାଟକୀୟ କୁଳ, ରସ ପରିବେଷଣ ଓ ସାଂଗୀତିକ ମୂଲ୍ୟବୋଧ ଉପରେ ଦୃଷ୍ଟି ଆରୋପ କରିବାକୁ ହେବ । କୁଶଳୀ ନାଟ୍ୟକାର ପାଣି ଏ କ୍ଷେତ୍ରରେ ଜଣେ ଧୂରୀଣ ଶିଳ୍ପୀ । ତେଣୁ ଆଲୋଚ୍ୟ ଗୀତିନାଟ୍ୟରେ ନାଟକୀୟତା ବ୍ୟାହତ ହେବାର ପ୍ରଶ୍ନଉଠେନି ।

 

ପ୍ରସ୍ତାବନା :

ଲୀଳା, ସୁଆଙ୍ଗ, ଗୀତିନାଟ୍ୟ ଆଦି ଲୋକନାଟ୍ୟଗୁଡ଼ିକରେ ନାଟକର ବିଷୟବସ୍ତୁ ଆରମ୍ଭ ହେବା ପୂର୍ବରୁ ନାଟକର ବିଷୟବସ୍ତୁ ସମ୍ପର୍କରେ, ନାଟକର ଚରିତ୍ରମାନଙ୍କ ବିଷୟରେ, ରସ ପରିବେଷଣ ଏବଂ ସର୍ବୋପରି ନାଟକର ମନୋହାରିତା ସମ୍ପର୍କରେ ନଟ ନଟୀ ବା ଈଶ୍ୱର ପାର୍ବତୀ ଆଦିଙ୍କୁ ମଞ୍ଚରେ ଅବତୀର୍ଣ୍ଣ କରାଇ ସୂଚନା ପ୍ରଦାନ କରିବା ଏକ ପରମ୍ପରା । ଏହାଦ୍ୱାରା ଦର୍ଶକଙ୍କ ମନ ନାଟକ ସନ୍ଦର୍ଶନ ନିମନ୍ତେ ଟାଣିହୋଇ ଆସେ ।

 

ଆଲୋଚ୍ୟ ‘ଲକ୍ଷଣା ପରିଣୟ’ ଗୀତିନାଟ୍ୟରେ ପାଣି ସେ ପରମ୍ପରାକୁ ଛାଡ଼ିନାହାନ୍ତି । ପ୍ରଥମେ ନଟୀକୁ ମଞ୍ଚରେ ଅବତୀର୍ଣ୍ଣ କରାଇ ଆଶୁ ନମସ୍କ୍ରିୟା ରୀତିରେ ତ୍ରିପୁର ପାଳକ ପ୍ରଭୁ ଭଗବାନଙ୍କ ଉଦ୍ଦେଶ୍ୟରେ ଏକ ବନ୍ଦନା ପରିବେଷଣ କରାଇଛନ୍ତି ଏବଂ ତାପରେ ମଞ୍ଚକୁ ନଟ ପ୍ରବେଶ କରିଛି । ନଟନଟୀଙ୍କ ରସିକତା ଭିତରେ ନାଟକ ସମ୍ପର୍କରେ, ଅଭିନୟ ସମ୍ପର୍କରେ, ଓ ଅଭିନେତା ଅଭିନେତ୍ରୀମାନଙ୍କ ଅଙ୍ଗଚାଳନା ତଥା ନାଟକୀୟ ଭଙ୍ଗୀ ସମ୍ପର୍କରେ ସୂଚନା ପ୍ରଦାନ କରାଇ ପାଣି ଆରମ୍ଭରୁ ଦର୍ଶକଙ୍କୁ ନାଟକ ସନ୍ଦର୍ଶନ ନିମନ୍ତେ ଆବେଗ ଉତ୍‌କଣ୍ଠା ତଥା ଆକର୍ଷଣ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି ।

 

ନାଟକୀୟ ଦ୍ୱନ୍ଦ :

ନାଟକର ସଂଘାତ, ସଙ୍ଘର୍ଷ ବା ଦ୍ୱନ୍ଦ ହିଁ ନାଟକର ପ୍ରାଣ । ବିନା ଦ୍ୱନ୍ଦରେ ନାଟକ ସମ୍ଭବ ନୁହେଁ । ସେଥିପାଇଁ ପାଶ୍ଚାତ୍ୟ ନାଟ୍ୟ ସମାଲୋଚକମାନେ କହନ୍ତି ଯେ “No conflict no drama” ସାଧାରଣତଃ ନାଟକରେ ଦୁଇ ପ୍ରକାର ଦ୍ୱନ୍ଦ ପରିଲକ୍ଷିତ ହୁଏ । ମାନସିକ ଦ୍ୱନ୍ଦ ବା ଅର୍ନ୍ତଦ୍ୱନ୍ଦ୍ଵ ଏବଂ ବାହ୍ୟଦ୍ୱନ୍ଦ ବା ଶାରୀରିକ ଦ୍ୱନ୍ଦ ।

 

ଗଣକବି ବୈଷ୍ଣବ ପାଣି ତାଙ୍କ ରଚନାରେ ଅଳ୍ପ କେତେକ ସାମାଜିକ ବିଷୟବସ୍ତୁ ନେଇଥିଲେ ମଧ୍ୟ ମୁଖ୍ୟତଃ ସେ ପୁରାଣ ଇତିହାସ କିମ୍ବଦନ୍ତୀକୁ ଉପଜୀବ୍ୟ କରି ଗୀତିନାଟ୍ୟମାନେ ରଚନା କରିଛନ୍ତି । ବିଷୟ ନିର୍ବାଚନ କରିବାରେ ୰ ପାଣି ଥିଲେ ଜଣେ ବେଶ୍ କୁଶଳୀ କଳାକାର । ତେଣୁ ଯେଉଁ ଉପାଖ୍ୟାନରେ ସଂଘାତ ବା ସଘଂର୍ଷର କୌଣସି ଉପଦାନ ନାହିଁ ସେଭଳି ବିଷୟବସ୍ତୁ ସେ ନିର୍ବାଚନ କରନ୍ତେ ବା କାହିଁକି ? ଘଟଣା ଚକ୍ରରେ ସେପରି କେତେକ ବିଷୟବସ୍ତୁ ନେଇଥିଲେ ବି ନିଜର ବଳିଷ୍ଠ ନାଟ୍ୟ ପ୍ରତିଭା ବଳରେ ସୁବିଧା ଦେଖି ଯଥାସ୍ଥାନରେ ଦ୍ୱନ୍ଦର ସମାବେଶ ଘଟାଇ ନାଟକକୁ ସଫଳ କରାଇଥାନ୍ତି ।

 

ଆଲୋଚ୍ୟ ଗୀତିନାଟ୍ୟରେ ମୁଖ୍ୟତଃ ବାହ୍ୟଦ୍ୱନ୍ଦ ହିଁ ବିକାଶଲାଭ କରିଛି । ନାରଦଙ୍କର ସୂତ୍ରଧର ଭୂମିକା ଓ ତାଙ୍କର ଚକ୍ରାନ୍ତଠାରୁ ଆରମ୍ଭ କରି ଶାମ୍ବର ଚନ୍ଦ୍ରାବତୀ ହରଣ, ଦୁର୍ଯ୍ୟୋଧନ କ୍ରୋଧ, ଶାମ୍ବକୁ ବନ୍ଦୀକରି ରଖିବା ଓ ବଳରାମର ହସ୍ତିନା ଆକ୍ରମଣ ପର୍ଯ୍ୟନ୍ତ ପ୍ରତି ସ୍ତରରେ ଦ୍ୱନ୍ଦ ଓ ଉତ୍‌କଣ୍ଠା ରକ୍ଷା କରାଯାଇ ପାରିଛି ।

 

ସଂଳାପ :

ଆଧୁନିକ ପାରମ୍ପରିକ ନାଟକ ହେଉ ବା ଗୀତାଭିନୟ ଗୀତିନାଟ୍ୟ ହେଉ ସଂଳାପ ହେଉଛି ନାଟକର ପ୍ରଧାନ ଉପାଦାନ । ସଂଳାପ ମୁଖ୍ୟତଃ ପାତ୍ରାଭିମୁଖୀ ହେବା ଉଚିତ୍ । ରାଜା ମୁଖର ସଂଳାପ ସହ ପ୍ରହରୀର ସଂଳାପ ବା ଦୁଆରୀର ସଂଳାପ ସମାନ ହୋଇ ନପାରେ । ରାଣୀର ସଂଳାପ ଦାସୀର ସଂଳାପଠାରୁ ଭିନ୍ନ । ବୈଷ୍ଣବ ପାଣି ନାଟ୍ୟ ରଚନା କ୍ଷେତ୍ରରେ ବିଶେଷ କରି ସଂଳାପ ସଂଯୋଜନାରେ ସଂପୂର୍ଣ୍ଣ ସଚେତନ । ଆଲୋଚ୍ୟ ଗୀତିନାଟ୍ୟରେ ସଂଳାପଗତ ତ୍ରୁଟି ପରିଲକ୍ଷିତ ହୁଏ ନାହିଁ, ବରଂ ପାତ୍ରପାତ୍ରୀଙ୍କ ମୁଖରେ ଯଥାର୍ଥ ସଂଳାପ ସଂଯୋଜିତ ହୋଇଅଛି । ରାଣୀ, ମୁଦୁସୁଲୀ ଆଦି କେତେକ ସଂଳାପକୁ ବାଦ୍ ଦେଇ ଅନ୍ୟମାନଙ୍କ ମୁଖରେ ଅମିତ୍ରାକ୍ଷର ଛନ୍ଦ ଓ ଗୀତିସଂଳାପ ସଂଯୋଜିତ ହୋଇଅଛି । ଏଠାରେ କେତୋଟି ସଂଳାପ ଦୃଷ୍ଟାନ୍ତ ସ୍ୱରୂପ ଦିଆଯାଇପାରେ । ଯଥା :

 

ଦୁର୍ଯ୍ୟୋଧନ

-

କି କହିଲ ବିଧିର ନନ୍ଦନ

କୌରବ ରବି ଦୁର୍ଯ୍ୟୋଧନ

ତାର କନ୍ୟା ଚନ୍ଦ୍ରାବତୀ ବତିଶ ଲକ୍ଷଣା

ତାର କର ଧାରଣେ କି ଯୋଗ୍ୟ ଗୋପସୁତ ?

 

 

କାଚ ତୁଲେ କାଞ୍ଚନକୁ ସମ

କରିବାକୁ କେହ୍ନେ ୠଷି ବଳିଲା ସାହସ ?

ମଲ୍ଲିକା ତୁଲେ କି ସମ କୁଷ୍ମାଣ୍ଡ କୁସୁମ

ଭେକ ଶିରେ ସାଜେ କି ଧରଣୀ

ସ୍ୱର୍ଣ୍ଣହାର ଶୋଭଇ କି ବାନର ବକ୍ଷକୁ ?

ହୋଇ ବିଧିସୁତ !

ଏମନ୍ତ ଅବିଧି ବାଣୀ ଭାଷ କେଉଁପରି ?

ନାରଦ

-

ହେ କୁରୁରାଜ ପୁଣି ଥରେ କହୁଛି ଯା ମାନ

ଶ୍ରୀକୃଷ୍ଣଙ୍କ ପରି ବନ୍ଧୁ ନ ମିଳିବ ତୋତେ

ଯେହୁ ଜଗତର ବନ୍ଧୁ, ହେବେ ସେ ତୋ ବନ୍ଧୁ

ଭୁ ର୍ଭୁବସ୍ୱ ତ୍ରିଲୋକ ଭିତରେ

ଶ୍ରେଷ୍ଠ କେହି ନାହିଁ ତାର ତହୁଁ ।

 

ଯା ନାମ ବ୍ରହ୍ମା ଶଙ୍କର କରିଛନ୍ତି ସାର

ଯାର ଅଣୁ ପରମାଣୁ ବ୍ୟାପିଛି ବ୍ରହ୍ମାଣ୍ଡେ

ଯାର ନାମେ ଯମ କରେ ଭୟ

ସେହି ହରି ହେବେ ତୋ ସମୁଦି

କ୍ଷତ୍ରି କୁଳେ ଜାତ ବସୁଦେବ

 

ଗୋପଗୃହେ ବଢ଼ିଲେ ଗୋପାଳ ତନୁ ବହି

ଦୁଷ୍ଟ ଦାନବ ବିନାଶେ

ହେ ମାନଗୋବିନ୍ଦ !

ନିନ୍ଦୁ ତାଙ୍କୁ କେଉଁ ମୂଢ଼ ପଣେ ?

(ଶାମ୍ବ ବିଭା ବା ଲକ୍ଷଣା ପରିଣୟ, ବୈଷ୍ଣବ ପାଣି ଗ୍ରନ୍ଥାବଳୀ, ୨ୟ ଭାଗ, ପୃ ୩୧୬-୩୧୭)

 

କିନ୍ତୁ ଦାସୀ ଓ ଚନ୍ଦ୍ରାବତୀଙ୍କ ସଂଳାପ ପୁଣି ଭିନ୍ନ ରୂପ ନେଇଛି, ଯାହାକି ନାଟ୍ୟକାର ବୈଷ୍ଣବ ପାଣିଙ୍କ ନାଟ୍ୟ ପ୍ରତିଭାର ସ୍ପର୍ଶକୀୟତା ପ୍ରତିପାଦନ କରେ । ଯଥା-

 

ଦାସୀ

-

ହଉ ଚାଲ ଜେମାଦେଈ ! ତୁମ କୋଠରୀକି ଚାଲ । ସେ କ’ଣ ରାଜବାଳା ? ଏ ସ୍ୱୟମ୍ବର କଥା ଶୁଣି ମନଟାକୁ ଏତେ ଶୁଖେଇ ଦଉଚ କାହିଁକି ମ ? ଏଣିକି ନୂଆ ବର, ନୂଆ ଘର ପାଇବ, ନୂଆ ଭାବ ଜାଣିବ । କୋଉ କଥା ଉଣା ହେବ ବୋଲି ଏତେ ମନରେ ଦୁଃଖ କରୁଛ ?

ଚନ୍ଦ୍ରା

-

ସଖୀଗଣେ, ଯା କହିଲ ତା ମିଛ ନୁହେଁ, ସବୁ ପାଇବି । ମା’ ବାପଙ୍କୁ ଆଉ ପାଇବି କି ?

(ଶାମ୍ବ ବିଭା ବା ଲକ୍ଷଣା ପରିଣୟ, ବୈଷ୍ଣବ ପାଣି ଗ୍ରନ୍ଥାବଳୀ, ୨ୟ ଭାଗ, ପୃ-୩୨୨)

 

ଆଲୋଚ୍ୟ ଗୀତିନାଟ୍ୟର ଉଭୟ ଗଦ୍ୟ ସଂଳାପ ଓ ଗୀତ ସଂଳାପ ପାତ୍ରାଭିମୁଖୀ ହେବା ସଙ୍ଗେ ସଙ୍ଗେ ଅତ୍ୟନ୍ତ ଚିତ୍ତାକର୍ଷକ ତଥା ପ୍ରାଣସ୍ପର୍ଶୀ ହୋଇ ପାରିଛି ଯାହାକି ୰ ପାଣିଙ୍କ ନାଟ୍ୟ ପ୍ରତିଭାର ପରିଚୟ ପ୍ରଦାନ କରେ ।

 

ସାଙ୍ଗୀତିକତା :

ଲୀଳା, ସୁଆଙ୍ଗ, ଗୀତାଭିନୟ ଓ ଛାନ୍ଦନାଟ୍ୟ ଆଦି ଲୋକନାଟ୍ୟର ପ୍ରଧାନ ଅଂଶ ସଙ୍ଗୀତ-। ଏହା ଦର୍ଶକକୁ ବିମୁଗ୍‌ଧ କରେ । ଦର୍ଶକ ପ୍ରାଣରେ ବୁହାଇ ଦିଏ ଆନନ୍ଦର ଅଫୁରନ୍ତ ନିର୍ଝର । ସଙ୍ଗୀତ ଓ ନୃତ୍ୟର ତାଳେ ତାଳେ ଅଭିନେତା ଅଭିନେତ୍ରୀ ମଞ୍ଚରେ ଅଭିନୟ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଦର୍ଶକକୁ ବିଷୟବସ୍ତୁ ଭିତରେ ବାନ୍ଧି ରଖିପାରେ ।

 

ବୈଷ୍ଣବ ପାଣି ମୁଖ୍ୟତଃ ଜଣେ ଆଶୁ କବି । ସେ ଜନଗଣର କବି । ତାଙ୍କ ସଙ୍ଗୀତର ସରଳ ସାବଲୀଳ ଭାଷା, ଲୋକପ୍ରିୟ ଛନ୍ଦ ଓ ରାଗରାଗିଣୀ, ଉନ୍ନତ ଭାବକଳ୍ପ, ଯମକଭରା ଶବ୍ଦ ସଂଯୋଜନା ପାଠକ/ଦର୍ଶକର ଚିତ୍ତକୁ ସହଜରେ ଆଚ୍ଛନ୍ନ କରିପାରନ୍ତି ।

 

ଆଲୋଚ୍ୟ ଗୀତାଭିନୟର ପ୍ରତିଟି ଗୀତ ଗୋଟିଏ ଗୋଟିଏ ସାର୍ଥକ ରସଯୁକ୍ତ ସଂଗୀତ । ବର୍ଣ୍ଣନା ହେଉ, ବନ୍ଦନା ହେଉ, ପ୍ରହସନ ହେଉ ଅଥବା ଗୁରୁତ୍ୱପୂର୍ଣ୍ଣ ଗୀତି ସଂଳାପ ହେଉ, ପ୍ରତ୍ୟେକ କ୍ଷେତ୍ରରେ ସାଂଗୀତିକ ମୂଲ୍ୟବୋଧ ଅକ୍ଷୁଣ୍ଣ ରହିପାରିଛି । ଗୀତି କବିତା ରଚନାରେ ୰ ପାଣି ସିଦ୍ଧହସ୍ତ । ତେଣୁ ତାଙ୍କ ରଚନାରେ ସାଂଗୀତିକ ତ୍ରୁଟି ବାହାର କରିବା ସମ୍ଭବନୁହେଁ ।

 

ଆଲୋଚ୍ୟ ଗୀତିନାଟ୍ୟରେ ପ୍ରତିଟି ଗୀତ ଅତ୍ୟନ୍ତ ଚମତ୍କାର ଓ ଶ୍ରୁତିମଧୁର ହୋଇ ପାରିଛି-। ଏଠାରେ ଉଦାହରଣ ଦିଆଯାଇପାରେ ।

 

ପ୍ରଥମ ଅଙ୍କ ପ୍ରଥମ ଦୃଶ୍ୟରେ ନାରଦଙ୍କ ମୁଖରେ ସଂଗୀତଟି ଯେପରି ଭକ୍ତିପୂର୍ଣ୍ଣ, ସେହିପରି ଲାଳିତ୍ୟଭରା ଓ ପାତ୍ରାଭିମୁଖୀ ।

 

ନାରଦ ସଦାସର୍ବଦା ନାରାୟଣ ଭକ୍ତ । ତାଙ୍କ ମୁଖରେ ନାରାୟଣ ନାମ ସର୍ବଦା ଉଚ୍ଚାରିତ ହେଉଥାଏ । ତେଣୁ ତାଙ୍କ ମୁଖରେ ଏକ ପ୍ରକାର ସଂଗୀତ ଅତ୍ୟନ୍ତ ସ୍ୱଭାବିକ ଓ ଯୁକ୍ତିସଙ୍ଗତ । ଯଥା-:-

 

‘‘ଗାଅରେ ବୀଣା, ରାମ କୃଷ୍ଣ କାମ ମୋହନ ନାମକୁ

ଧ୍ୟାଅ ଚିତ୍ତରେ ଅନବରତରେ ଅତସୀ କୁସୁମ ଶ୍ୟାମକୁ ।

ରାଆ ତୁଣ୍ଡେ ଧରି ତରିଲା ଭୁଷଣ୍ଡ କୁଣ୍ଡେ ପଡ଼ି ସେହି ବ୍ରହ୍ମକୁ

ଯେଉଁ ନାମ ଜପି ଅଜାମିଳ ପାପୀ ଡରାଇଣ ଦେଲା ଯମକୁ ।’’ ଇତ୍ୟାଦି

(ବୈଷ୍ଣବ ପାଣି ଗ୍ରନ୍ଥାବଳୀ ୨ୟ ଭାଗ, ପୃ-୩୧୫)

 

କିମ୍ବା :-

ଜୟ ଜୟ ଜଗତନାଥ ଜଗମୋହନ

ଜୟ ବିପ୍ର ସୁଦାମା ଦୁଃଖ ବହନ

ଭବ ଭୟହାରି ଭକ୍ତଜନ ପରାଣ

ଶଙ୍ଖ କମଳ ଗଦା ଚକ୍ର ଧାରଣ

ଜୟ ଜୟ ଜୟ ବିପତ୍ତି ଦାହନ....ଇତ୍ୟାଦି

(ବୈଷ୍ଣବ ପାଣି ଗ୍ରନ୍ଥାବଳୀ ୨ୟ ଭାଗ, ପୃ-୩୨୩)

 

ଅଥବା :-

ଜୟ ଜୟ ଜୟ ରାମ ସପ୍ତଫଣୀଧାରୀ

ଜୟ କାମପାଳ ଶରଣାଗତେ କାରଣ କର ପ୍ରଳମ୍ବାରି ଜୟ କାମପାଳ ।୧।

X X X

ଦାସରେ ବିନାଶି କିସ ଯଶ ଅରଜିବ

ଜୟ କାମପାଳ ଯେବେ ଏ ଜୀବ ଜୀବଧବପୁର ଯିବ

ଜୟ କାମପାଳ... । ଇତ୍ୟାଦି

(ବୈଷ୍ଣବ ପାଣି ଗ୍ରନ୍ଥାବଳୀ-୨ୟ ଭାଗ, ପୃ-୩୪୫)

 

କେବଳ ଭକ୍ତି ସଙ୍ଗୀତ ନୁହେଁ, ବୈଷ୍ଣବ ପାଣିଙ୍କ ପ୍ରତିଟି ଗୀତି ସଂଳାପ ଅତ୍ୟନ୍ତ ପ୍ରାଣଛୁଆଁ ଓ ମନମୁଗ୍‌ଧକର । ଦୁର୍ଯ୍ୟୋଧନଙ୍କ ପ୍ରତି ନାରଦଙ୍କର ଅନ୍ୟ ଏକ ଗୀତିସଂଳାପ ଯାହାକି ବିଶେଷ ଆବେଦନ ପୂର୍ଣ୍ଣ, ଯଥା-

 

ମନା ମାନ ମାନଗୋବିନ୍ଦ, କରନାହିଁ ସ୍ୱୟମ୍ବର ତୁ କେଭେଁ

ମିଛେ ହରବର ହେବୁ ଜାଣୁଅଛି, ମୋ ବାଣୀକୁ ପାଦେ ଠେଲିବୁ ଯେବେ

କିମ୍ପା ବରି ଏହି ନୃପତି, ଘାଣ୍ଟି ହେବୁ ରେ କୁରୁପତି

ଜଣାଯିବ ନାହିଁ ଊଣା ହେବ ପାଣ୍ଠି, ପୁଣି ଗୁଣି ହେବୁ ତୁ କେତେ ଭାବେ ।

 

ତୋର ଝିଅ ନିମନ୍ତେ ଜ୍ୱାଇଁ ମୁହିଁ ରଖିଅଛି ଖଞ୍ଜାଇ

ନ ବୁଝିଣ କିଛି ଦିଅ ତାକୁ ଯାଚି ସୁଚିତ୍ତେ ଉଚିତ ବିଚାରୁ ଯେବେ ।

(ଶାମ୍ବବିଭା ବା ଲକ୍ଷଣା ପରିଣୟ, ବୈଷ୍ଣବ ପାଣି ଗ୍ରନ୍ଥାବଳୀ ୨ୟ ଭାଗ, ପୃ-୩୧୬)

 

କବି ବୈଷ୍ଣବ ପାଣିଙ୍କ ସଙ୍ଗୀତ ପ୍ରତ୍ୟେକ ଜନମାନସକୁ ସ୍ପର୍ଶକରି ପାରେ । ତାର ମୁଖ୍ୟ କାରଣ ହେଲା ଯଥାର୍ଥ ଭାବକଳ୍ପ ସହିତ ସୁନ୍ଦର ଯମକଭରା ଶବ୍ଦ ଯୋଜନା । ଭାଷାର ସାରଲ୍ୟ ଓ ଶବ୍ଦ ଯୋଜନାର ଭୋଜବାଜିରେ ସେ ଅକ୍ଳେଶରେ କିଣି ନେଇ ପାରନ୍ତି ପାଠକ ଓ ଦର୍ଶକର ମନ ଓ ହୃଦୟକୁ । ଏ ଦିଗରେ ତାଙ୍କପରି କୁଶଳୀ ବିନ୍ଧାଣୀ ଖୁବ୍ କମ୍ ଦେଖାଯାନ୍ତି ।

 

ଉଦାହରଣ ସ୍ୱରୂପ...

ମରିବାକୁ ବାଞ୍ଛାକର କେ ଆସିବ ଆସରେ

ବୃକୋଦର କରେ ଯିବ ସଞ୍ଜୀବନୀ ବାସରେ

ବିନାଶିବ କୃଷ୍ଣ ପୁତ୍ରେ ଏଡ଼େ କା ସାହସରେ

ଅମର ନାୟକ ଇନ୍ଦ୍ର ଅଟେ ଯାର ଦାସରେ

X X X

ତୁମ୍ଭକୁ ମାରି ଅର୍ଜିବି ଅକ୍ଷୟ ସୁଯଶରେ

କୋଟିଏ ଶୃଗାଳ ଜିଣିବେ କି ସିଂହ ଶିଷରେ...ଇତ୍ୟାଦି ।

 

ଭକ୍ତ ସଙ୍ଗୀତର ପ୍ରତିପାଦ ‘ସ’ରେ ଶେଷ ହୋଇ ଏକ ଯମକ ସୃଷ୍ଟି କରୁଛି ଯାହାକି ଦର୍ଶକ/ପାଠକର ଚିତ୍ତରେ ଆନନ୍ଦ ଓ ମାଧୁର୍ଯ୍ୟର ଊଦ୍‌ବେଳନ ସୃଷ୍ଟି କରିପାରେ ।

 

ଆଲୋଚ୍ୟ ଗୀତିନାଟ୍ୟର ପ୍ରତିଟି ସଙ୍ଗୀତ ଅତ୍ୟନ୍ତ ପ୍ରାଣସ୍ପର୍ଶୀ ଯାହାକି ବିନା ଚେଷ୍ଟାରେ ପାଠକ ବା ଦର୍ଶକର ସ୍ମୃତିରେ ଦୀର୍ଘସ୍ଥାୟୀ ହୋଇପାରେ ।

 

ରସ ପରିବେଷଣ !

ନାଟକ ଏକ ଦୃଶ୍ୟକାବ୍ୟ । କାବ୍ୟରେ ରସ ସୃଷ୍ଟିପରି ନାଟକରେ ରସ ପରିବେଷଣ ନାଟ୍ୟକାରର ଅନ୍ୟତମ ଭୂମିକା । କବି ବୈଷ୍ଣବ ପାଣି ଏକାଧାରରେ କବି ଓ ନାଟ୍ୟକାର । ତେଣୁ ରସ ପରିବେଷଣରେ ତାଙ୍କର କାର୍ପଣ୍ୟ ରହନ୍ତା ବା କାହିଁକି ? ୰ ପାଣି ଆଲୋଚ୍ୟ ଗୀତିନାଟ୍ୟରେ ମୁଖ୍ୟତଃ ବୀର, ଶୃଙ୍ଗାର ଓ ହାସ୍ୟରସ ଅତି ସୁନ୍ଦର ଭାବେ ପରିବେଷଣ କରିଅଛନ୍ତି ।

 

ବୀର ରସ :

ଦ୍ୱାରକାର ଯୁବରାଜ ଶାମ୍ବ ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷଣାକୁ ହରଣ କରିନିଅନ୍ତେ କର୍ଣ୍ଣ ଶାମ୍ବକୁ ଆକ୍ରମଣ କରିଛନ୍ତି । ଫଳରେ ଶାମ୍ବ ଓ କର୍ଣ୍ଣଙ୍କ ମଧ୍ୟରେ ଯୁଦ୍ଧ ହୋଇଛି । ସେହିପରି ନାରଦଙ୍କଠାରୁ ଶାମ୍ବ ହସ୍ତିନାରେ ବନ୍ଦୀଥିବା କଥା ଶୁଣି କୃଷ୍ଣ ବଳରାମ ହସ୍ତିନା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି । ଏ ସମ୍ବାଦ ଦୁର୍ଯ୍ୟୋଧନଙ୍କ ମନରେ ଅଧିକ କ୍ରୋଧଜାତର କାରଣ ହୋଇଛି ।

 

ପରିଶେଷରେ ବଳରାମ ତାଙ୍କ ଲଙ୍ଗଳ ମୂନରେ ହସ୍ତିନାକୁ ପ୍ରକମ୍ପିତ କରିଛନ୍ତି ।

 

ଉକ୍ତ ଗୀତାଭିନୟରେ ଯଥାରୀତି ବୀର ରସ ପରିବେଷଣ କରି ୰ ପାଣି ମୂଳରୁ ଶେଷଯାଏ କେଉଁଠି ହେଲେ ନାଟକଟିର ଗାମ୍ଭୀର୍ଯ୍ୟ ଓ ଉତ୍କଣ୍ଠା ହରାଇ ଦେଇ ନାହାନ୍ତି ।

 

ଶୃଙ୍ଗାର ରସ :

କାବ୍ୟ ଓ ନାଟକରେ ଶୃଙ୍ଗାର ଏକ ପୁଲକଭରା ପ୍ରାଣଛୁଆଁ ଆବେଦନ । ଏହା ପାଠକ/ଦର୍ଶକ ପ୍ରାଣରେ ରୋମାଞ୍ଚ ଓ ପୁଲକର ଶିହରଣ ସୃଷ୍ଟି କରେ । ଚିତ୍ତକୁ ଉଲ୍ଲସାଇ ଦିଏ ।

 

ଆଲୋଚ୍ୟ ଗୀତିନାଟ୍ୟରେ ନାରଦ ଶାମ୍ବକୁ ଚନ୍ଦ୍ରାବତୀର ସୌନ୍ଦର୍ଯ୍ୟ ଓ ରୂପଲାବଣ୍ୟ ବିଷୟରେ ଏବଂ ପୁନଶ୍ଚ ଚନ୍ଦ୍ରାବତୀ ନିକଟରେ ଶାମ୍ବର ସୌକୁମାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା ଦେଇ ପରସ୍ପରକୁ ପରସ୍ପର ପ୍ରତି ଆକର୍ଷିତ କରାଇ ପ୍ରେମର ଏକ ପ୍ରଚ୍ଛନ୍ନ ପ୍ରବାହ ସୃଷ୍ଟି କରିଛନ୍ତି ପାଣି । ଫଳରେ ନାଟକରେ ଶୃଙ୍ଗାରରସ ଯଥାରୀତିରେ ପରିବେଷିତ ହୋଇପାରିଛି । ଯଥା :

ଶଙ୍ଖକଣ୍ଠୀ ପଙ୍କଜାକ୍ଷୀ ରଙ୍କ ପସରାକୁ

ନିଃଶଙ୍କେ ଯୋଡ଼ିବି ତାର ଉରଜେ ଉରକୁ ।

(ପୃ-୩୨୫)

 

ହାସ୍ୟ ରସ :

ହାସ୍ୟରସ ପରିବେଷଣରେ ଗଣ କବି ବୈଷ୍ଣବ ପାଣି ଏକ ସ୍ୱତନ୍ତ୍ର ଆସନର ଅଧିକାରୀ । ତାଙ୍କ ସୁବିମଳ ହାସ୍ୟରସରେ ପାଠକ/ଦର୍ଶକ ଉଲ୍ଲସିତ ହୋଇ ଉଠନ୍ତି । ବେଦମ୍ ହୋଇଉଠନ୍ତି ହସି ହସି । ତାଙ୍କ ରଚନାମାନଙ୍କରେ ଡଗର, ଦୁଆରୀ, ବିଦୂଷକ ଆଦି ଚରିତ୍ରମାନଙ୍କ ମାଧ୍ୟମରେ ସେ ଯେପରି ଉଚ୍ଚାଙ୍ଗ ହାସ୍ୟରସ ସୃଷ୍ଟି କରିପାରନ୍ତି, ସେହିପରି ଦାସ, ଦାସୀ, ମୁଦୁସୁଲୀ, ଚାକର ଚାକରାଣୀ ଧୋବାଧୋବଣୀ ଆଦି ସାମାଜିକ ଚରିତ୍ରମାନଙ୍କୁ ଅବତୀର୍ଣ୍ଣ କରାଇ ନାନାଦି ଫାର୍ସ ବା ପ୍ରହସନ ଉପସ୍ଥାପନା କରି ନିର୍ମଳ ହାସ୍ୟରସର ନିର୍ଝର ନିର୍ଗତ କରିପାରନ୍ତି । ଏତଦ୍‌ବ୍ୟତୀତ କାଞ୍ଜି, ମୁଢ଼ି, ମଦ, ଗଞ୍ଜେଇ, ଅଫିମ ଆଦି ପ୍ରସଙ୍ଗରେ ଅତି ସୁନ୍ଦରଭାବେ ହାସ୍ୟରସ ସୃଷ୍ଟି କରିପାରିଛନ୍ତି ।

 

ଆଲୋଚ୍ୟ ଗୀତିନାଟ୍ୟରେ ହାସ୍ୟରସ ପରିବେଷଣ କରିବାକୁ ବିଶେଷ ସୁବିଧା ସୁଯୋଗ ନଥିଲେ ମଧ୍ୟ ପାଣି ଗୀତିନାଟ୍ୟ ମଝିରେ ଓ ନାଟକ ଶେଷରେ ପୁରୁଷ ଓ ସ୍ତ୍ରୀର ଚରିତ୍ର ସଂଯୋଗ କରାଇ ଏକ ପ୍ରହସନର ଉପସ୍ଥାପନା କରି ହାସ୍ୟ ସୃଷ୍ଟି କରିଛନ୍ତି ।

 

ଯଥା : -

ସ୍ତ୍ରୀ

-

ଶୁଉଣୁରେ ଗାତପଶାଟା, କି ହଉଁ ହଉଁ କିସ ହୋଇଲା ।

ପୁ

-

ଦେଖିବୁତ ଅପା, କାହିଁକି ଖପା କାହାପାଇଁ ଥିଲା କିଏ ଖାଇଲା ।

ସ୍ତ୍ରୀ

-

ଗିଳୁଥିଲେ ପଣକୁ ପଣ, ଭାତ ଡାଲି ସାତ ତିଅଣ

ପୁ

-

ଅଣଯାକ ପରା ଦୋସରା ମାଇଲା ପାଣି ବୋହି ବୋହି ରାତି ପାହିଲା

ସ୍ତ୍ରୀ

-

ପାଇଥାନ୍ତେ କ୍ଷୀରି ଖେଚିଡ଼ି, ମନହୁଏ କୋରି କଚାଡ଼ି

ପୁ

-

ନୁହେଁ ବାହାଘର ଏଯେ ବୁହାଘର ଗୋଡ଼ ଗହଣାକୁ ମୁଣ୍ଡ ନାଇଲା । (ଇତ୍ୟାଦି)

 

ଏବଂ ଶେଷ ଦୃଶ୍ୟରେ-

ପୁ

-

ଦେଖିଲୁ ନା ଅବଳୀନାନୀ, କପାଳବନ୍ତିଆ କେମନ୍ତ ଟୋକା

ସ୍ତ୍ରୀ

-

ଦେଖିବି କଅଣ, ଚାଖିବି କଅଣ ନୋଟଙ୍ଗା ଦେଖିଲେ ହେଲି ତାଟକା ।

ପୁ

-

ରାଣ୍ଡେ ସେଇ ଗେରସ୍ତ କଲେ, ଦିନ କିଆଁ ଗଡ଼ଉଥିଲେ

ସ୍ତ୍ରୀ

-

ଜାଣିଥିଲା କିଏ ରହିଚି ଏମନ୍ତ ପିହାଣ ଭିତରେ ତିନି ଛଟକା

ପୁ

-

ସେଇ ଜୋଇଁ ସେଇ ସମୁଦି, ମିଛଟାରେ ଏ କୁଦାକୁଦି

ସ୍ତ୍ରୀ

 

ଯାର ଯୋଉ ଖୋଇ ଛାଡ଼ିବ ସେ କାହିଁ ତୋପ କି ହୋଇବ ତାଳଫଟକା ।

 

(ଶାମ୍ବ ବିଭା ବା ଲକ୍ଷଣା ପରିଣୟ, ବୈଷ୍ଣବ ପାଣି ଗ୍ରନ୍ଥାବଳୀ ୨ୟ ଭାଗ ପୃ-୩୩୬ ରୁ ୩୪୭)

 

ସମାଜ ଚେତନା :

ଉଚ୍ଚ ଶିକ୍ଷାରୁ ଦୂରରେ ଥାଇ ମଧ୍ୟ କବି ବୈଷ୍ଣବ ପାଣି ଜଣେ ସମାଜ ସଚେତନ କବି ଭାବରେ ତାଙ୍କର ବହୁ ରଚନାରେ ନିଜକୁ ପ୍ରମାଣିତ କରିପାରିଛନ୍ତି । ସମାଜର ଦୋଷ ଦୁର୍ବଳତାକୁ ଅତି ସୁନ୍ଦରଭାବେ ଜନସାଧାରଣଙ୍କ ନିକଟରେ ଦର୍ଶାଇବା ସଙ୍ଗେ ସଙ୍ଗେ ତାର ନିରାକରଣ ପନ୍ଥା ମଧ୍ୟ ଦର୍ଶାଇଛନ୍ତି ।

 

ଆଲୋଚ୍ୟ ଗୀତିନାଟ୍ୟରେ ମଧ୍ୟ ସେ ସୁଯୋଗର ସଦ୍‌ବ୍ୟବହାର କରିଛନ୍ତି ପ୍ରଥମ ଅଙ୍କ ପ୍ରଥମ ଦୃଶ୍ୟରେ । ମନ୍ତ୍ରୀଙ୍କ ମୁଖରେ ଓଡ଼ିଶାର ତତ୍କାଳୀନ ସାମାଜିକ ଅବସ୍ଥା ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ହାସ୍ୟରସର ଅବତାରଣା କରି ତାଙ୍କ ସ୍ୱକୀୟ ପ୍ରତିଭାର ପରିଚୟ ଦେଇପାରିଛନ୍ତି । ଯଥା :-

 

‘‘ପୋଡ଼ିଗଲା ଓଡ଼ିଶା ଦେଶ ହୋ, ଛାଡ଼ି ଯାଉଛି ନିଜର ବାସ ହୋ

ଯେତେ ନୂଆ ନୂଆ ଦେଖୁଛି ଆଖିରେ ବାକୀ ନାହିଁ ସାକ୍ଷୀ ଅଛି ଅଶେଷ

କେହି କାହା କୁଳ ଧରମ କରମ ନ ରଖିଲେ ଶୁଣି ମାଡ଼ୁଛି ହସ ହୋ ।୧।

ପୁଣି ସେ ବ୍ରାହ୍ମଣ ଜାତି ପଣ ପଣ ଦକ୍ଷିଣ ଦେଶରେ ରଖିରେ ନିଶ

ନାକରେ ଚଷମା ଦେଇ ବୁଲୁଛନ୍ତି ବରଷ ନୋହୁଣୁ ବିଂଶ ପଚିଶ ହେ ।୨।

 

ଜାଣି କର୍ମକାଣ୍ଡ ବାହାଦେଲେ ରାଣ୍ଡ ଝିଅଙ୍କୁ ଦାଣ୍ଡରେ ଭାଣ୍ଡରେ ବଶ

ଦୋଷ ଦେଖାଇଲେ ରୋଷ ପ୍ରକାଶନ୍ତି ମାତୁଛନ୍ତି ଗୋଟା ନୂଆ ହବିଷ ହେ ।୩।

ଗୋଡ଼ରେ ଚଢ଼ାଉ ଯୋତା ଥାଉଁ ହିନ୍ଦୁ ବଜାରେ ଖାଇଲେ ଭଜା ମାଉଁସ

ବଇଷ୍ଣବ କହି କର୍ମ ଧର୍ମ ନାହିଁ ଏଥିରେ କି ଲକ୍ଷ୍ମୀ ହୋଇବେ ବଶ ହୋ ।୪।

 

ଯୁଗ ଯୁଗ ଧରି ବିବାହ, ଏକ ଶ୍ରେଷ୍ଠ ସାମାଜିକ ପ୍ରଥା ଓ ପରମ୍ପରା ଭାବେ ସ୍ୱୀକୃତ । ସେହି ସାମାଜିକ ବିଧିକୁ କବି ୰ ପାଣି ଅତି ଜୀବନ୍ତ ଭାବେ ଏଠାରେ ବର୍ଣ୍ଣନା କରିଛନ୍ତି । କନ୍ୟା ନିମନ୍ତେ ସ୍ୱୟମ୍ବର ଏବଂ ସ୍ୱୟମ୍ବର ନିମନ୍ତେ ନିମନ୍ତ୍ରଣ, ସାଜସଜ୍ଜା ଆଦି ଉତ୍ସବର ସାମାଜିକ ବିଧି ବିଧାନକୁ ଅତି ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି ୰ ପାଣି ଦୁର୍ଯ୍ୟୋଧନଙ୍କ କନ୍ୟା ନାଟକର ମୁଖ୍ୟନାୟିକା ଚନ୍ଦ୍ରାବତୀର ଶୁଭ ସ୍ୱୟମ୍ବର ଅବକାଶରେ ।

 

ପିତା କନ୍ୟାର ବିବାହ ସ୍ଥିର କରନ୍ତି ଭଲ ଘର, ଭଲ ବର, ଭଲ ଜାତି, ଧନସମ୍ପତ୍ତି ଓ କୁଳଶୀଳ ସଂଭ୍ରାନ୍ତ, ଅଭିଜାତ ପରିବାର ଦେଖି । ଏଥିରୁ ଉଣା ହେଲେ ପିତାମାତାଙ୍କ ମନ ଉଣା ହୁଏ । ନାରଦ ଦୁର୍ଯ୍ୟୋଧନଙ୍କ ନିକଟରେ ତାଙ୍କ କନ୍ୟା ଲକ୍ଷଣାର ସହ ଶାମ୍ବର ବିବାହ ପ୍ରସ୍ତାବ ଦିଅନ୍ତେ ଦୁର୍ଯ୍ୟୋଧନ ଜାତି ଓ ସ୍ୱଭାବଗତ ତ୍ରୁଟି ଦର୍ଶାଇ ଦୃଢ଼ ଭାବରେ ନିଜର ଅସମ୍ମତି ଜଣାଇଛନ୍ତି, ଯାହାକି ୰ ପାଣିଙ୍କ ରଚନାରେ ଅତ୍ୟନ୍ତ ସଜୀବ ହୋଇ ଉଠିଛି । ଯଥା :-

 

ଗଉଡ଼ ବାଉଡ଼ ସେ ତ ହାଉଡ଼ିଆ ଜାତି

ଲଉଡ଼ି ଧରି ବାଛୁରୀ ରଖୁଥାନ୍ତି ନିତି

 

ଗୋପାଳ ଟୋକାଙ୍କ ଉଚିଷ୍ଟ ଯେ ଖାଇ ଚୋରିକରେ ଘରେ ପଶି ଦୁଧ ଦହି ।

ଖୁଣ୍ଟେ ବାନ୍ଧି ଗଉଡ଼ୁଣୀ ମାଡ଼ ମାରୁଥାନ୍ତି ।୧।

ସ୍ତ୍ରୀ ହତ୍ୟା ଗୋ-ହତ୍ୟାକାରୀ ଯେଉଁ ନର

ତାହାର କୁମର ଜୋଇଁ ହେବ ମୋର

ତାର କରେ କନ୍ୟା ପୁଣି ଦେବ କୁରୁପତି ।୨। ଇତ୍ୟାଦି

(ବୈଷ୍ଣବ ପାଣି ଗ୍ରନ୍ଥାବଳୀ, ୨ୟ ଭାଗ, ପୃ-୩୧୭-୩୧୮)

 

ସନ୍ତାନଟିଏ ଜନ୍ମ ହେଲେ ସାମାଜିକ ବିଧିମତେ ତାର ପଞ୍ଚୁଆତି ଷଠୀଘର, ଏକୋଇଶା ଆଦି କରାଯାଇ ଥାଏ । ପ୍ରସଙ୍ଗ କ୍ରମେ ଆଲୋଚ୍ୟ ଗୀତିନାଟ୍ୟରେ ତାହା ୰ ପାଣିଙ୍କ ଲେଖନୀରେ ଅତ୍ୟନ୍ତ ଚମତ୍କାର ଭାବେ ପ୍ରକଟିତ ହୋଇପାରିଛି । ଯଥ :-

 

‘‘ପୁଅ ହେଲା ଦିନ ଆସି ମୁଁ କରିବି ପଞ୍ଚୁଆତି ଷଠୀଘର

ଖୁସିରେ ଚାଉଳ ଭଜାରେ ମଜାରେ ଚୋବାଇବୁ କୁରୁବୀର

ଗେଲ କରିବୁ ଅଜା, ନାତି ଡାକୁଥିବ ଅଜା ଅଜା ।

(ବୈଷ୍ଣବ ପାଣି ଗ୍ରନ୍ଥାବଳୀ-୨ୟ ଭାଗ, ଦ୍ୱିତୀୟ ସଂସ୍କରଣ, ପୃ-୩୧୯)

 

ଏତଦ୍‌ବ୍ୟତୀତ ଦିଅଁମଙ୍ଗୁଳା, ବାଟବରଣ ଆଦି ବ୍ୟବହାର କେତେଗୁଡ଼ିଏ ବିଧିବିଧାନ ଆଲୋଚ୍ୟ ଗୀତିନାଟ୍ୟରେ ୰ ପାଣି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । କବିଙ୍କ ଭାଷାରେ :-

 

‘‘ମୋତେ ନେଇ ବରଣ କରୁ ବହନ କୁରୁନାଥ

ଦେଉ ଦିଅଁ ମଙ୍ଗୁଳି ଝିଅକୁ ଧରାଇ ହାତେ ହାତ ।’’

 

ମୁଖ୍ୟ ନାୟକ ରାଜପୁତ୍ର ଶାମ୍ବ ମୁଖରେ ଏ ସଂଳାପ ସାମାନ୍ୟ ଅସ୍ୱାଭାବିକ ବୋଧ ହେଉଥିଲେ ମଧ୍ୟ ଲୋକନାଟ୍ୟ ଧାରାରେ ଏହା ମାର୍ଜନୀୟ । ଶାମ୍ବ ମୁଖରେ ପୁଣି ଜାତି, ବନ୍ଧୁ, ବନ୍ଧୁବେଭାର ଆଦି ସମ୍ପର୍କରେ କବି ୰ ପାଣି ବର୍ଣ୍ଣନା କରି କହିଛନ୍ତି :

 

‘‘ବନ୍ଧୁ ଗଉଡ଼ ହେଲେ ମିଳିବ ବହୁ ବେଭାର ଦୁଧ ଦହି

ଓଷା ବରତକୁ ପର ଘରକୁ ସେ ରହିବ ନାହିଁ ଚାହିଁ ।

(ବୈଷ୍ଣବ ପାଣି ଗ୍ରନ୍ଥାବଳୀ-୨ୟ ଭାଗ, ୨ୟ ସଂସ୍କରଣ, ପୃ-୩୩୨)

 

ଝିଅ ପ୍ରାପ୍ତ ବୟସ୍କା ହେଲେ ତାକୁ ଆକଟ କରି ରଖିବା ପିତାମାତାଙ୍କର କର୍ତ୍ତବ୍ୟ । ଏହି ସାମାଜିକତାକୁ କବି ୰ ପାଣି ଅତି ସୁନ୍ଦର ଭାବେ ଦର୍ଶାଇଛନ୍ତି । ଭାନୁମତୀଙ୍କ ଉଦ୍ଦେଶ୍ୟରେ ଦୁର୍ଯ୍ୟୋଧନଙ୍କ ମୁଖରେ :

 

‘‘କାଲିଠାରୁ ଆମ୍ଭ ଜେମାମଣିକି

ଆକଟରେ ରଖାଇବି ଏଣିକି ।

ଛାଡ଼ି ନ ଦେବ ଏକାକୀ ବାହାରେ, ଦୃଷ୍ଟି ନ ପଡ଼ିକ ଯେହ୍ନେ କାହାରେ

ଦାସୀମାନଙ୍କୁ ପାଖକୁ ହକାରି, ଏହି ଆଦେଶ କହ ବେଗକରି । ଇତ୍ୟାଦି ।

 

ବର୍ଣ୍ଣନା ବିଭାବ :

କବିର କାବ୍ୟିକ ଚାତୁରୀ ତା’ର ବର୍ଣ୍ଣନା ବିଳାସରୁ ହିଁ ମିଳିଥାଏ । ଏହି ଆଲୋଚ୍ୟ ରଚନାରେ କବି ତଥା ନାଟ୍ୟକାର ୰ ପାଣି ବହୁ ଚାତୁର୍ଯ୍ୟ ପୂର୍ଣ୍ଣ ବର୍ଣ୍ଣନାମାନ କରି ନିଜ ବର୍ଣ୍ଣନା ବିଳାସିତା ତଥା କବିତ୍ୱର ପରିଚୟ ଦେଇଛନ୍ତି । ଦ୍ୱିତୀୟ ଅଙ୍କ ୧ମ ଦୃଶ୍ୟରେ କବି ମୁଦୁସୁଲୀ ମୁହଁରେ ବିଭିନ୍ନ ରାଜ୍ୟର ଏକ ତାଲିକା ଅତ୍ୟନ୍ତ ସୁନ୍ଦର ଭାବରେ ଦେଇଛନ୍ତି ଯାହାକି ଯେ କୌଣସି ପାଠକ/ଦର୍ଶକକୁ ଆନନ୍ଦ ପ୍ରଦାନ କରିବାରେ ସହାୟକ ହୋଇପାରିବ । ଯଥା :

 

ମୁଦୁସୁଲୀ : ଚିହ୍ନାଇ ଦେଉଛି ପୀନସ୍ତନା ମୀନନୟନା ମନକୁ ମନା

ଏହିଟି ନେପାଳ ନରପାଳ ଦେଖ କପାଳେ ଥିଲେ ଭୋଗିବୁ ସିନା ।

 

ତା ବାମେ ଭୂପାଳ, ତାର ପାଶେ ବସିଛି ମଗଧ ପାଳXXX ଏହିଟି କର୍ଣ୍ଣାଟ କୁଳଶଶୀ ଅଙ୍ଗ ବଙ୍ଗ କଳିଙ୍ଗ ନରେଶ ଜାଣନ୍ତି ଏ କେତେ ରଙ୍ଗରସ ସଙ୍ଗ ହୋଇ ବସିଛନ୍ତି ତିନିଜଣ । ଯାହାଠାରେ ତୋର ବଳେ ଆଶ ତାର, ଗଳେ ବରମାଲ୍ୟ ଦିଅ ଧାତିକାର । ଜୟପୁର ଯୋଧପୁରରାଟ ପିନ୍ଧିଛନ୍ତି ‘ଦୁହେଁ ନୀଳପାଟଝଟକବରନା ଝଟତିରେ ଅନା କୂଟଜ କୁସୁମମାନ କଣ୍ଠ ତଟେ ଛନ୍ତି ମଣ୍ଡି, ତାଙ୍କ ଆଗେ ପୋତା ଅଛି ସ୍ୱର୍ଣ୍ଣଧଣ୍ଡି । ଚୋଳ ଦ୍ରାବିଡ଼ ଚୋଡ଼ଙ୍ଗପତି ଏହି ତିନି ଦେଖ ଚନ୍ଦ୍ରାବତୀ । ରତିପତି ଜିଣି ଅତି ଶୋଭାବନ ବିରାଜେ ବେଲାଟ ତାର କତି । ତା ବାମେ ଖଲ୍ୱାଟ, ଶିରେ ସ୍ୱର୍ଣ୍ଣପାଶ ଦିଶେ ଝଟଝଟ । ଏହିଟି ସିଂହଳ ନରନାଥ । ମନ ଥିଲେ ଧର ତାର ହାତ-। କଳକଣ୍ଠୀ ବେଳ ଯାଉଅଛି ବଳି ଏହିପରି କେତେ ରାଟସୂତ । ଇତ୍ୟାଦି..........।

 

(ଲକ୍ଷଣା ପରିଣୟ, ବୈଷ୍ଣବ ପାଣି ଗ୍ରନ୍ଥାବଳୀ ୨ୟ ଭାଗ, ୨ୟ ସଂସ୍କରଣ ୧୯୭୯, ପୃ-୩-୨୯)

କବିଙ୍କର ଏଥିରୁ ବହୁଶାସ୍ତ୍ରଦର୍ଶିତା ଓ ଦେଶ ବିଦେଶ ସମ୍ପର୍କରେ ଜ୍ଞାନଥିବା ପରିଲକ୍ଷିତ ହୁଏ ।

 

ଏତଦ୍‌ବ୍ୟତୀତ ଏହି ଗୀତିନାଟ୍ୟର ପ୍ରତି ଛତ୍ରେ ଛତ୍ରେ ଉଭୟ ଗଦ୍ୟ ଓ ପଦ୍ୟ ସଂଳାପରେ ବର୍ଣ୍ଣନାର ଅପୂର୍ବ ଚାତୁର୍ଯ୍ୟ ଫୁଟି ଉଠିଛି । ଉପମା, ଯମକ ଓ ଅଳଙ୍କାର ପୂର୍ଣ୍ଣ ସଙ୍ଗୀତ ଗୁଡ଼ିକ କବିଙ୍କ ବର୍ଣ୍ଣନା ବିଳାସର ପ୍ରମାଣ ଦିଏ ।

 

ଚରିତ୍ର ବିକାଶ :

‘ଶାମ୍ବ ବିଭା ବା ଲକ୍ଷଣା ପରିଣୟ’ ଏକ ପୌରାଣିକ ଆଖ୍ୟାନ ହେଲେ ହେଁ ତହିଁରେ ସନ୍ନିବେଶିତ ଚରିତ୍ରମାନେ ୰ ପାଣିଙ୍କ ତୁଳୀରେ ଯଥାର୍ଥ ଅଙ୍କିତ ହୋଇ ପାରିଛନ୍ତି । ତନ୍ମଧ୍ୟରୁ କେତୋଟି ପ୍ରଧାନ ଚରିତ୍ର ସମ୍ପର୍କରେ ଆଲୋଚନା କରାଯାଇପାରେ ।

 

ଦୁର୍ଯ୍ୟୋଧନ : ହସ୍ତିନାର ମଉଡ଼ମଣି କୁରୁକୁଳ ଚୁଡ଼ାମଣି ମାନି ଦୁର୍ଯ୍ୟୋଧନର ଚରିତ୍ର ମହାଭାରତର ଅନ୍ୟାନ୍ୟ ଚରିତ୍ର ଠାରୁ ଯେ ଅଧିକ ବ୍ୟକ୍ତିତ୍ୱସମ୍ପନ୍ନ, ଏଥିରେ ଦ୍ୱିମତ ହେବାର ନାହିଁ । ବୈଷ୍ଣବ ପାଣିଙ୍କ ଲେଖନୀରେ ଦୁର୍ଯ୍ୟୋଧନଙ୍କ ବ୍ୟକ୍ତିତ୍ୱ କ୍ଷୁଣ୍ଣ ନହୋଇ ଥିଲେ ମଧ୍ୟ ହସ୍ତିନାର ହିତ ଦୃଷ୍ଟିରୁ ଓ ପ୍ରଜାମଙ୍ଗଳ ନିମନ୍ତେ ସେ ବାଧ୍ୟ ହୋଇ ଶେଷକୁ ନିଜ କନ୍ୟାକୁ ଶାମ୍ବଙ୍କ ସହ ପରିଣୟ କରାଇଛନ୍ତି । ଶ୍ରୀକୃଷ୍ଣ ବା ଯଦୁକୁଳ ଠାରୁ ସେ ଯେ ଅଧିକ ଅଭିଜାତ ଏବଂ ବ୍ୟକ୍ତିତ୍ୱ ସମ୍ପନ୍ନ ସେ ନିଜ ମୁଖରେ ନିଜେ ପ୍ରମାଣ କରିଛନ୍ତି । ଜଣେ ପ୍ରତିଭାଶାଳୀ ରାଜା ଭାବେ ନିଜ କନ୍ୟା ନିମନ୍ତେ ଶୁଭ ସ୍ୱୟମ୍ବର କରାଇ ସେ ଯେପରି ଯତ୍ନଶୀଳ ହୋଇ ଉଠିଛନ୍ତି ତାହା ତାଙ୍କ କର୍ତ୍ତବ୍ୟପରାୟଣତାର ପ୍ରମାଣ ଦିଏ । ତାଙ୍କ କନ୍ୟାକୁ ଅପହରଣ କରି ତାଙ୍କୁ ଯେ ଅପମାନିତ କରିବାକୁ ଆଗେଇ ଆସିଛି, ତାକୁ ସେ ବିନା ଶାସ୍ତିରେ ଛାଡ଼ିବାକୁ ଚାହିଁନାହାନ୍ତି, ଯାହାକି ତାଙ୍କ ସ୍ୱାଭିମାନ ସ୍ୱଭାବର ପରିଚୟ ଦିଏ ।

 

ସୁତରାଂ ଦୁର୍ଯ୍ୟୋଧନ ଚରିତ୍ର ବୈଷ୍ଣବ ପାଣିଙ୍କ ଲେଖନୀରେ ଯଥାରୀତିରେ ବିକାଶ ଲାଭ କରିପାରିଛି ।

ଶାମ୍ବ : ଶାମ୍ବ ଗୀତିନାଟ୍ୟର ମୁଖ୍ୟ ନାୟକ ଭାବେ ଚିତ୍ରିତ । ଦ୍ୱାରକାର ଯୁବରାଜ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ନାରଦଙ୍କ ଠାରୁ ଚନ୍ଦ୍ରାବତୀର ରୂପ ଗୁଣ ବିଷୟରେ ଶୁଣି ଚନ୍ଦ୍ରାବତୀଙ୍କୁ ପ୍ରାଣପ୍ରିୟା ପତ୍ନୀ ରୂପେ ପାଇବାକୁ ଆଗେଇ ଆସି ସ୍ୱୟମ୍ବର ପୂର୍ବରୁ କନ୍ୟାକୁ ହରଣ କରିନେଇ ନିଜ ପୌରୁଷ, ବୀରତ୍ୱ ଓ ସାହସିକତାର ପରିଚୟ ଦେଇଥିଲେ ମଧ୍ୟ ହରଣ କରିବା ବୀରୋଚିତ୍ତ ନୁହେଁ, ବରଂ ସ୍ୱୟମ୍ବର ସଭାରେ ଚନ୍ଦ୍ରାବତୀଙ୍କୁ ପତ୍ନୀରୂପେ ପାଇଥିଲେ ଅଧିକ ମର୍ଯ୍ୟାଦା ସମ୍ପନ୍ନ ହୋଇଥାନ୍ତା ।

 

ଶାମ୍ବ କେବେ ନିଜ ସାହସିକତାରୁ ଓହରି ଯାଇ ନାହାନ୍ତି । ଅଙ୍ଗରାଜ ରାଧେୟଙ୍କ ସହ ଯୁଦ୍ଧରେ ପରାସ୍ତ ହୋଇ ମଧ୍ୟ ସେ ଭୀରୁ ପରି ଆତ୍ମସମର୍ପଣ କରି ନାହାନ୍ତି ବରଂ ବୀରତ୍ୱର ସହ ଚନ୍ଦ୍ରାବତୀ ବିବାହ କରିବାକୁ ଦୁର୍ଯ୍ୟୋଧନଙ୍କ ଠାରେ ଦାବୀ ଉପସ୍ଥାପିତ କରିଛନ୍ତି । ଆସନ୍ନ ମୃତ୍ୟୁ ଦଣ୍ଡର ସାମନାରେ ଠିଆ ହୋଇବି ଭୀରୁପରି ପ୍ରାଣଭିକ୍ଷା କରିନାହାନ୍ତି, ବରଂ ନିଜ ଗାମ୍ଭୀର୍ଯ୍ୟକୁ ବଜାୟ ରଖିଛନ୍ତି ।

 

ଏହାହିଁ ବୈଷ୍ଣବ ପାଣିଙ୍କ ଚରିତ୍ର ଚିତ୍ରଣର ପ୍ରଧାନ ବୈଶିଷ୍ଟ୍ୟ ।

 

ଚନ୍ଦ୍ରାବତୀ :

ଚନ୍ଦ୍ରାବତୀ ଆଲୋଚ୍ୟ ଗୀତିନାଟ୍ୟର ମୁଖ୍ୟ ନାୟିକା, ପ୍ରଧାନା ନାରୀ ଚରିତ୍ର ହେଲେହେଁ ପୁରାଣ ମୂଳ ଉପାଖ୍ୟାନ ଦୃଷ୍ଟିରୁ ଏହାର ଚରିତ୍ରକୁ ବିଶେଷ ଭାବେ ପ୍ରସାରିତ କରିବାର ସୁଯୋଗ ପାଇନାହାନ୍ତି ପାଣି । ଏହା ଏକ ନୀରବ ଚରିତ୍ର ପରି ଅଙ୍କିତ ହୋଇଥିଲେ ହେଁ ନାରଦଙ୍କ ପରାମର୍ଶରେ ଶାମ୍ବ ପରି ଗୋଟିଏ ସୁଦର୍ଶନ, ପ୍ରଶାନ୍ତ ରାଜକୁମାରକୁ ପତିରୂପେ ଗ୍ରହଣ କରିବାକୁ ସମ୍ମତ ହୋଇ ନିଜର ରୁଚି ଓ ପ୍ରେମପ୍ଲୁତ ହୃଦୟର ପରିଚୟ ଦେଇଛି । କବି ବୈଷ୍ଣବ ପାଣି ଚାହିଁଥିଲେ ଚନ୍ଦ୍ରାବତୀର ଚରିତ୍ରକୁ ଏଠାରେ ଆଉ ଟିକିଏ ଅଧିକ ପ୍ରସାରିତ କରିପାରିଥାନ୍ତେ । ତେବେ ଚନ୍ଦ୍ରବାତୀ ଏକ ତ୍ରୁଟିହୀନ କଳଙ୍କମୁକ୍ତ, ପ୍ରଶାନ୍ତମୟୀ ନାରୀ ଚରିତ୍ର ଭାବେ ଚିତ୍ରିତ ହୋଇପାରିଛି ।

 

ନାରଦ :-ଦେବର୍ଷି ନାରଦଙ୍କର ଭୂମିକା ଏଥିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ଚିତ୍ରିତ ହୋଇଅଛି । ଶାମ୍ବ ଓ ଚନ୍ଦ୍ରାବତୀ ପରିଣୟରେ ନାରଦ ଏକ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଛନ୍ତି । ଦୁର୍ଯ୍ୟୋଧନର ପ୍ରତ୍ୟାଖ୍ୟାନ ପରେ ବରକନ୍ୟାଙ୍କୁ ସଂଯୋଗ କରିବା ନିମନ୍ତେ ଉଦ୍ୟମ କରି ଶାମ୍ବଙ୍କ ନିକଟରେ ଚନ୍ଦ୍ରାବତୀର ରୂପ ଗୁଣ ସମ୍ପର୍କରେ ଓ ଚନ୍ଦ୍ରାବତୀ ନିକଟରେ ଶାମ୍ବଙ୍କ ବୀରତ୍ୱ ଓ ସୌକୁମାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ନିଜ ପ୍ରସ୍ଥାବକୁ ଚରିତାର୍ଥ କରି ଏକ ସୁବିମଳ ପ୍ରେମର ଫଲ୍‌ଗୁ ବୁହାଇବା ସଙ୍ଗେ ସଙ୍ଗେ ନିଜ ଯୋଜନାକୁ ସାକାର କରି ପାରିଛନ୍ତି ।

 

ନାରଦ ନ ଚାହିଁଥିଲେ ଶାମ୍ବ-ଚନ୍ଦ୍ରାବତୀ ପରିଣୟ ହୋଇ ନଥାନ୍ତା । ନାରଦ ପୁରାଣରେ ସବୁବେଳେ ଏକ କଳିହା ବା ସୂତ୍ରକାରୀ ଚରିତ୍ର ଭାବେ ଚିତ୍ରିତ । ନିଜର କିଛି ସ୍ୱାର୍ଥ ନଥିଲେ ମଧ୍ୟ ଦୁନିଆଁର ପ୍ରତିକାର୍ଯ୍ୟ ଓ ଘଟଣାର ସଫଳତା ତାଙ୍କର ପ୍ରଧାନ ଲକ୍ଷ୍ୟ । ସେଇଥିରେ ହିଁ ତାଙ୍କର ଆନନ୍ଦ ଓ ତୃପ୍ତି । ସେହି ଧାରାରେ ଏଠାରେ ମଧ୍ୟ ସେ କବି ପାଣିଙ୍କ ଲେଖନୀରେ ଅଙ୍କିତ ହୋଇଛନ୍ତି ।

 

ଏତଦ୍‌ ବ୍ୟତୀତ ଭୀମ, ଯୁଧିଷ୍ଠିର, ଶକୁନି, କର୍ଣ୍ଣ, ଭୀଷ୍ମ, ମୁଦୁସୁଲୀ, ଦୁଃଶାସନ ଆଦି ପାର୍ଶ୍ୱ ଚରିତ୍ର ଗୁଡ଼ିକ ମଧ୍ୟ ଯଥାରୀତିରେ ୰ ପାଣିଙ୍କ ଲେଖନୀରେ ଜୀବନ୍ତ ଭାବେ ଚିତ୍ରିତ ହୋଇ ପାରିଛନ୍ତି-

 

ଉପସଂହାର :

ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇ ମଧ୍ୟ ବୈଷ୍ଣବ ପାଣି ନିଜର ସମଗ୍ର ଜୀବନ ଏହି ସାହିତ୍ୟ ଓ କଳାର ସେବାକରି ଓଡ଼ିଆ ନାଟ୍ୟ ସାହିତ୍ୟକୁ ସମୃଦ୍ଧ କରି ଯାଇଛନ୍ତି । କିନ୍ତୁ ଓଡ଼ିଆ ନାଟ୍ୟ ସାହିତ୍ୟ ସାଧନା ଓ ପ୍ରତିଭାର ଅବଦାନ ନିମନ୍ତେ ଏ ଜାତି ତାଙ୍କ ଜୀବଦ୍ଦଶାରେ ତାଙ୍କ ପ୍ରତିଭା ପୂଜା କରିପାରିନି ।

 

ଏବେ ସମସ୍ତେ ସମସ୍ୱରରେ ସ୍ୱୀକାର କରିବେ ଯେ ବୈଷ୍ଣବ ପାଣିଙ୍କର ଓଡ଼ିଆ ସାହିତ୍ୟକୁ ଅବଦାନର ପଟ୍ଟାନ୍ତର ନାହିଁ । ବିଳମ୍ବରେ ହେଲେ ବି ତାଙ୍କ ପ୍ରତିଭା ପୂଜା ଏବେ କରାଯିବା ଆନନ୍ଦର ବିଷୟ । କେବଳ ଆଜି ନୁହେଁ ବୈଷ୍ଣବ ପାଣି ତାଙ୍କ କାବ୍ୟ କବିତା ଓ ନାଟକ ପାଇଁ ଯେ କାଳ କାଳକୁ ବଞ୍ଚି ରହିବେ ଏଥିରେ ସନ୍ଦେହ ନାହିଁ ।

 

 

ସମ୍ପାଦକ, ଶତଦ୍ରୁ

କ୍ୱା ନଂ ୯।୩ ଡି

ୟୁନିଟ୍-୯ ଫ୍ଳାଟ୍, ଭୁବନେଶ୍ୱର ।

***

 

ଗୀତିନାଟ୍ୟର ପ୍ରୟୋଗବାଦୀ ଭୂମିକା ଓ ଗଣକବି ବୈଷ୍ଣବ ପାଣି

ହରିହର ମିଶ୍ର

 

ଗଣକବି ସ୍ୱର୍ଗତ ବୈଷ୍ଣବ ପାଣି ଆମ ପାଖକୁ ଆସିଥିଲେ ୧୮୮୨ ମସିହା ଗୁରୁବାର କୁମାର ପୂର୍ଣ୍ଣିମାରେ, ଆଉ ଆମଠୁ ବିଦାୟ ନେଲେ ୧୯୫୬ ମସିହା ବୈଶାଖ ଅମାବାସ୍ୟାରେ । ଓଡ଼ିଶାର ପ୍ରତିଭାଧର ମାନଙ୍କ ପାଇଁ ଏଭଳି ବିଡ଼ମ୍ବନା ସତେ ଯେମିତି ବିଧି ନିର୍ଦ୍ଦେଶ । ସେ ଥିଲେ ଖୋଲାମଞ୍ଚର ନାଟ୍ୟକାର । ତାଙ୍କ ପୂର୍ବର ଯାତ୍ରା ଲେଖକ ସ୍ୱର୍ଗତ ଜଗନ୍ନାଥ ପାଣି, ସ୍ୱର୍ଗତ ଭିକାରୀ ନାୟକ, ସ୍ୱର୍ଗତ ଗୋପଳ ଦାଶଙ୍କ ପ୍ରବର୍ତ୍ତିତ ଯାତ୍ରା ଶୈଳୀରେ କିଛି ପରିବର୍ତ୍ତନ, କିଛି ସଂସ୍କାର ଆଣି ସେ ଶତାଧିକ ନାଟକ ଲେଖି ଓ ମାର୍ଗ ଦର୍ଶନ କରାଇ ଲୋକନାଟ୍ୟ ପରମ୍ପରାକୁ ପରିପୁଷ୍ଟ କରିଛନ୍ତି । ତାଙ୍କର ଗୀତିନାଟ୍ୟ ତାଙ୍କର ମୃତ୍ୟୁପରେ ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ଖାଲି ଖ୍ୟାତିସମ୍ପନ୍ନ କରିନାହିଁ, ଶ୍ରୀସମ୍ପଦରେ ସେମାନଙ୍କ ଭଣ୍ଡାର ପୂର୍ଣ୍ଣ କରିଛି; ଅଥଚ ତାଙ୍କର ସ୍ମୃତି ପାଇଁ ସେଥିରୁ ଟଙ୍କାଟିଏ କେହି ବ୍ୟୟ କରିନାହାନ୍ତି । ଶେଷ ନିଃଶ୍ୱାସ ନେବା ପୂର୍ବରୁ ସେ ଡଃ ମହତାବଙ୍କ ପାଖକୁ ଗୀତରେ ବାସ୍ତରୀ ବର୍ଷରେ ଯେଉଁ ଚିଠି ଲେଖିଥିଲେ, ‘‘ତାହାହିଁ ଉତ୍କଳ-କଳାର ଭାଗ୍ୟ ବିଡ଼ମ୍ବନା ହୋଇ ଏ ଯାଏଁ ରହିଛି ସବୁ କଳାକାରଙ୍କ ପାଇଁ ।

 

‘‘ରକ୍ତଚାପ ବ୍ୟାଧି ଭୀଷଣ ଯାତନା

ରୋଗ ଭୋଗ ସଦା ହରଇ ଚେତନା

ଜଠର ଯନ୍ତ୍ରଣା କଠୋର ତା’ଠାରୁ

ନ ଯାଉଛି ସେ ଦୁର୍ଦ୍ଦଶା ମୋ’ଠାରୁ

 

ଶତ ଶତ ବହି ଉତ୍କଳ ଭାଷାରେ

ଲେଖି ଭୋକେ ପଡ଼ି ମରୁଛି ବସାରେ

ସରକାର ବୃତ୍ତି ଦେବେ ଦେବେ କହି

ଗଲାଣିତ ବାରମାସ ଆସି ବହି

 

ସଚିବମାନଙ୍କ ନପଡ଼େ ନଜର

ଏହି ଚିନ୍ତା ଘୋଟିଯାଏ ଚିନ୍ତାଜ୍ୱର ।”

 

କଳାକାର, ନିର୍ଦ୍ଦେଶକ, ଓ ନାଟ୍ୟକାର କବିଙ୍କ ଜୀବଦ୍ଦଶାରେ ଏହି ଶୋଚନୀୟ ଦୁରବସ୍ଥାର ଚିତ୍ର ଆମେ ପାଉ ।

 

ନିଜେ ନିଜର ଲୁହ ପିଇ ଅନ୍ୟ ଓଠରେ ହସ ଓ ଶହ ଶହ ବୁକୁରେ ରସ-ପୀୟୁଷ ବର୍ଷଣ କରି ବାସ୍ତବିକ ସେ ନୀଳକଣ୍ଠ ସାଜିଛନ୍ତି ଓ ସିଦ୍ଧ ସାଧକ ଭାବେ ଅମରତ୍ୱ ଲାଭ କରିଛନ୍ତି । ବ୍ୟକ୍ତିଗତ ବାସ୍ତବତାକୁ ଅତିକ୍ରମ କରି ବ୍ୟକ୍ତିତ୍ୱର ଆଦର୍ଶ ଏହି ଭଳି ଫୁଟି ଉଠେ । ଗଣକବି ବୈଷ୍ଣବ ପାଣି ବଙ୍ଗଳାରେ ମୋତିଲାଲ ରାୟ ଓ ମୁକୁନ୍ଦ ଦାସଙ୍କ ସହିତ କେବଳ ତୁଳନୀୟ ହୋଇ ପାରନ୍ତି । ଯାତ୍ରା, ଲୀଳା, ସୁଆଙ୍ଗ, ପ୍ରହସନ ଓ ରାସର ଶୈଳୀ ସମ୍ପର୍କରେ ବହୁ ଆଲୋଚନା ଲୋକନାଟ୍ୟ ଶୈଳୀର ତାତ୍ତ୍ୱିକ ଦିଗକୁ ନେଇ ଲେଖା ଚାଲିଛି । କିନ୍ତୁ ଗୀତିନାଟ୍ୟର ଶୈଳୀ ସମ୍ପର୍କରେ ଆଲୋଚନାରେ ଆମେ ଯାତ୍ରା, ନାଟକ, କାବ୍ୟର ତ୍ରିବେଣୀ ସଙ୍ଗମ ଦେଖିବାକୁ ପାଉ । ଏହି ତିନି ଧାରାର ଶୈଳୀକୁ ସମନ୍ୱିତ କରି ଏକ ଗୀତିନାଟ୍ୟର ମାର୍ଜିତ ଶୈଳୀ ସୃଷ୍ଟି କରିବାରେ ଗଣକବିଙ୍କର ଭୂମିକା ଥିଲା ଅତ୍ୟନ୍ତ ସୃଷ୍ଟିଧର୍ମୀ ଓ ମୌଳିକ ଅଭିଜ୍ଞତା ସମ୍ପନ୍ନ । ଏହି ସହଜାତ ପ୍ରତିଭା ନେଇ ରଙ୍ଗମଞ୍ଚ ଓ ଲୋକନାଟ୍ୟ ଶୈଳୀର ପରମ୍ପରା ଭିତରୁ ସେ ନିଜ ଜୀବନ ଆରମ୍ଭ କରିଥିଲେ । ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଗଢ଼ା ହେଲାବେଳେ ବୋଧେ କୋଟପଦା ରଙ୍ଗମଞ୍ଚ ସ୍ଥାପିତ ହେଲା । ତା’ ପୂର୍ବରୁ ୧୮୭୫ରେ ‘ବାବାଜୀ’ର ନାଟ୍ୟକାର ଜଗମୋହନ ଲାଲାଙ୍କ ଦ୍ୱାରା ରାଧାକାନ୍ତ ରଙ୍ଗମଞ୍ଚର ପ୍ରତିଷ୍ଠା ହୋଇଥିଲା, କଲିକତା ନ୍ୟାସନାଲ ଥିଏଟରର ୩ବର୍ଷ ପରେ । ଓଡ଼ିଆ ନାଟକର ମୂଳଭିତ୍ତିକ ସୂତ୍ରପାତ ହେଲାପରେ ପାଶ୍ଚାତ୍ୟ ଓ ପ୍ରାଚ୍ୟ ନାଟ୍ୟ ପଦ୍ଧତି ସହିତ ଓଡ଼ିଆ ସାହିତ୍ୟ ପରିଚିତ ହୋଇ ସାରିଥିଲା ଆଧୁନିକତାର ଅଭ୍ୟୁଦୟ କାଳରୁ । ସିପାହୀ ବିଦ୍ରୋହ, କାଞ୍ଚି କାବେରୀର ସ୍ରଷ୍ଟା ରାମ ଶଙ୍କରଙ୍କ ସହିତ ପଣ୍ଡିତ ଗୋପୀନାଥ ନନ୍ଦ, ବୀର ବିକ୍ରମ ଦେବ, ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ପର୍ଯ୍ୟନ୍ତ ଅର୍ଥାତ୍ ବୈଷ୍ଣବ ପାଣିଙ୍କ ଜନ୍ମ ପର୍ଯ୍ୟନ୍ତ ଓଡ଼ିଆ ନାଟ୍ୟ ସାହିତ୍ୟର ପୂର୍ବରାଗ ଏକ ମନୋଜ୍ଞ ବର୍ଣ୍ଣୋତ୍ସବର ଆଭାସ ଦେଇସାରିଥିଲା ।

 

କୋଠପଦା ରଙ୍ଗମଞ୍ଚର ନାଟୁଆ ପିଲା ଶତ୍ରୁଘ୍ନ ଓରଫ୍ ବୈଷ୍ଣବ ପାଣି ଆଧୁନିକ ନାଟକର ଅନ୍ୟତମ ସ୍ରଷ୍ଟା ରାୟବାହାଦୂର ରାମଶଙ୍କର ରାୟଙ୍କ ସେକ୍‌ସପେରିୟାନ୍ ମଡେଲ୍‌ରେ ଅଭିନୟ କରିବା ଓ ପରେ ତାଙ୍କୁ ନିର୍ଦ୍ଦେଶନା ଦେବାର ଯୋଗ୍ୟତା ଅର୍ଜନ କଲେ । ୧୯୦୩ ରୁ ୧୯୦୬ ଖ୍ରୀ.ଅ. ମଧ୍ୟରେ ଓସ୍ତାଦ୍ ନିର୍ଦ୍ଦେଶକ ଭାବରେ କୋଠପଦାର ମହନ୍ତ ୰ ଶ୍ରୀ ରଘୁନାଥ ପୁରୀ ସେହି ମହତ୍‌ ପ୍ରତିଭାଟିକୁ ଉପଯୋଗ କରି ପାରିଥିଲେ ଏବଂ ସେ ମଠର ଓକିଲ ନାଟ୍ୟକାର ରାମଶଙ୍କରଙ୍କ ଦୃଷ୍ଟିରେ ମଧ୍ୟ ସେହି ପ୍ରତିଭାଧରଙ୍କ ଭୂୟୋବିକାଶର ସମସ୍ତ ସମ୍ଭାବନା ଚେଇଁ ଉଠିଥିଲା ସେତେକିବେଳେ । ମଞ୍ଚଶିଳ୍ପ, ରଙ୍ଗପୀଠ ଗଦ୍ୟ, ସଙ୍ଗୀତ, ନୃତ୍ୟ, ସାହିତ୍ୟକୁ ଏକାକାର କରି ନିଜର ପ୍ରସ୍ତୁତି ଆରମ୍ଭ କଲାପରେ ଯାତ୍ରାକୁ ମାଧ୍ୟମ କରିବାରେ ଗଣଶିଳ୍ପୀ ବୈଷ୍ଣବ ପାଣିଙ୍କର ବୈଶିଷ୍ଟ୍ୟ ଆହୁରି ତାତ୍ପର୍ଯ୍ୟପୂର୍ଣ୍ଣ ହୋଇ ଉଠିଲା । ତାଙ୍କ ପାଖରେ ରଙ୍ଗମଞ୍ଚ ଓ ଖୋଲାମଞ୍ଚ ଉଭୟର ଅଭିଜ୍ଞତା ପକ୍ଷ ବିସ୍ତାର କରି ଖେଳି ବୁଲିଲା କବିତ୍ୱର ସୃଜନ କଳାରେ । ଏହିଠୁ ତାଙ୍କ ଗୀତିନାଟ୍ୟର ନୂତନ ଶୈଳୀଟି କିଛି ପରିମାଣରେ ସାଧାରଣ ଗୀତାଭିନୟ. ଲୀଳା, ସୁଆଙ୍ଗ, ରାସଠାରୁ ଥିଲା ଭିନ୍ନ । ସଂକ୍ଷିପ୍ତତା, ଅଙ୍ଗ ବିଭାଜନ ତଥା ଦୃଶ୍ୟ ବିଭାଜନ, ହାସ୍ୟରସ ଓ ଅନ୍ୟାନ୍ୟ ରସ ପରିବେଷଣରେ ନାଟକୀୟ ପରିମିତିବୋଧ, ଯଥାସମ୍ଭବ ସ୍ୱଗତୋକ୍ତି, ଅତିନାଟକୀୟତାକୁ ପରିହାର କରି ଗ୍ରାମାଭିମୁଖୀ ସଂଳାପ ଓ ସଙ୍ଗୀତ ମାଧ୍ୟମରେ ସେଗୁଡ଼ିକୁ ଦର୍ଶକମାନଙ୍କ ନିକଟବର୍ତ୍ତୀ କରାଇବାର ପ୍ରଚେଷ୍ଟା ତଥା ଯୁଗୋପଯୋଗୀ ଚେତନାର ପରିପ୍ରକାଶ ତାଙ୍କ ନାଟ୍ୟକୌଶଳର ବିଶେଷତ୍ୱ ହୋଇ ଗୀତିନାଟ୍ୟକୁ ନୂତନ ଢଙ୍ଗ ଦେଇ ପାରିଛି । ନିଜର ଖୋଲା ମୀଜାଜ୍, ବେପରୁଆ ମୁକ୍ତି ଅନୁଭବକୁ ପ୍ରକାଶ କରିବା ପାଇଁ ଯାତ୍ରା ଜରିଆରେ ସେ ଲୋକଙ୍କ ନିକଟବର୍ତ୍ତୀ ହେବା ଆଦୌ ଅସୁବିଧା ହୋଇ ନାହିଁ । ସ୍ୱର୍ଗତ ଗୋପାଳ ପ୍ରହରାଜଙ୍କ ଚିହ୍ନରା ଦୃଷ୍ଟିରେ ‘‘କ୍ରମେ ଏ ଦେଶର ଯାତ୍ରାଦଳ ଭିତରେ ଟିକିଏ ସଂସ୍କାର ପ୍ରବେଶ କଲା । ପ୍ରଥମ ସଂସ୍କାର ପ୍ରବର୍ତ୍ତକ ବୈଷ୍ଣବ ପାଣି ଅଟନ୍ତି । ସେ ଅନେକ ଗୁଡ଼ିଏ ଗୀତାଭିନୟ ଲେଖି ପ୍ରଚାର କଲେ ଏବଂ ପୋଷକ ପତ୍ର, ଯନ୍ତ୍ର ପ୍ରଭୃତି ଓ ବଚନିକାରେ ଟିକିଏ ଟିକିଏ ଆଧୁନିକ ଧରଣ ପ୍ରବେଶ କରାଇଲେ ।’’

 

ସାଂପ୍ରତିକ କାଳରେ ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟଗୁଡ଼ିକ ଲୋକପ୍ରିୟ ହେବାର କାରଣ ହେଉଛି ତାଙ୍କର ପରମ୍ପରା ପରିସ୍ଥିତି ଓ ପୁରୋଦୃଷ୍ଟିର ପରିଚାୟକ । ମହାରାଷ୍ଟ୍ରର ତାମସା ଭଳି ଏହାର ସଙ୍ଗୀତ ଓ କବିତ୍ୱ ବେଶ୍ ପ୍ରଭାବଶାଳୀ, ଗଣମୁଖୀ ଓ ସୃଷ୍ଟିଧର୍ମୀ । ଏହି ନାଟ୍ୟାଙ୍ଗୀ ସଙ୍ଗୀତର ପରମ୍ପରା ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟରେ ଓଡ଼ିଶୀ ଓ ପାରମ୍ପରିକ ଲୋକ ସଙ୍ଗୀତକୁ କେନ୍ଦ୍ର କରି ଗଢ଼ି ଉଠିଲା । ସେ ହୁଏତ ନିଜେ ପାଲାଗାୟକ ଭାବେ କଳାର ଆରମ୍ଭ କରିଥିବାରୁ ପାରମ୍ପରିକ ଛନ୍ଦ, ସାହିତ୍ୟ, ପୁରାଣ ଓ ସର୍ବୋପରି ରାଗ, ରାଗିଣୀ ତଥା ଓଡ଼ିଶୀ ସଙ୍ଗୀତ ସହିତ ସୁପରିଚିତ ଥିଲେ । କିନ୍ତୁ ଗଣକବି ମଧ୍ୟ ଥିଲେ ଜଣେ ହାସ୍ୟରସିକ । ଯଦୁମଣିଙ୍କ ଭଳି ସେ ଜଣେ ଆଶୁକବି । ସେ ଉପସ୍ଥିତ ଜନତାଙ୍କୁ ନେଇ ଓ ପରିସ୍ଥିତିକୁ ନେଇ ଚିନ୍ତାର ପରିବର୍ତ୍ତନ କରି ପାରୁଥିଲେ ଓ ତାତ୍‌କାଳିକ ଆବେଦନ ସୃଷ୍ଟି କରି ପାରୁଥିଲେ ତାଙ୍କର ଗୀତଗୁଡ଼ିକରେ । ପଲ୍ଲୀକବି ନନ୍ଦ କିଶୋର ସିନା ଗଣକବିଙ୍କୁ ‘ରାୟସାହେବ’ ପଦବୀ ଦେବାକୁ ସୁପାରିଶ୍ କରି ସମର୍ଥ ହେଲେ ନାହିଁ କିନ୍ତୁ ଅଗଣିତ ଲୋକଙ୍କ ହୃଦୟର ସମ୍ରାଟ ହେବାରୁ ତାଙ୍କୁ କେହି ବଞ୍ଚିତ କରିପାରି ନାହାନ୍ତି ।

 

ସେ ଥିଲେ ପଲ୍ଲୀର ବାର୍ତ୍ତାବହ କବି । ପିଲାଦିନୁ ମହାମାନବିକତାର ମନ୍ତ୍ର ସେ ଧୂଳି ଖେଳରୁ ଆୟତ୍ତ କରିଥିଲେ । ଶାସ୍ତ୍ରୀୟତା, ବିଶ୍ୱଜନୀନତା ତାଙ୍କ ନିଜ ଗାଉଁଲି ପଦ୍ଧତିରେ ସଙ୍କୁଚିତ ହୋଇ ନଥିଲା ବରଂ ତାର ମହିମାମୟ ଆବେଦନ ପରୋକ୍ଷରେ ବେଶ୍ ଜଣାପଡ଼ିଯାଏ-

 

ଧୂଳି ଭାତ ଧୂଳି ତିଅଣ ଧୂଳି ଶାକର ଭଜା

ଧୂଳି ପିଠା, ଧୂଳି ପାୟସ, ଧୂଳି ମାଣ୍ଡିଆ ଖଜା

ଧୂଳି ସର, ଧୂଳି ମହୁର, ଧୂଳି ଚକୁଳି ବରା

ଧୂଳି ଛୁଞ୍ଚିପତ୍ର ଧୂଳିରେ କରିଥାନ୍ତି କାକରା ।

 

ଖାଦ୍ୟଦ୍ରବ୍ୟର ତାଲିକା ନୁହେଁ ମିଛରେ ସତର ପ୍ରତୀତି ଗଢ଼ି ଜୀବନର ଭିନ୍ନ ରହସ୍ୟ ମାନବିକ ମୂଲ୍ୟବୋଧର ସରଳ ଜୀବନ୍ତ ରୂପରେଖ ସେ ରଖି ଥୋଇ ଯାଇଛନ୍ତି । କୃଷକ, ଶ୍ରମିକର ଦୈନନ୍ଦିନ ଜୀବନର କର୍ମପ୍ରବାହ ଭିତରୁ ତାଙ୍କ ଭାଷା-ଶିଳ୍ପର ଶକ୍ତିଶାଳୀ ଭାବ ବିନ୍ୟାସ ତାଙ୍କର ନାଟ୍ୟକଳ୍ପନାର ସାହିତ୍ୟିକମାନଙ୍କୁ ଊର୍ଦ୍ଧ୍ୱରେ ରଖିପାରିଛି ଏଥିପାଇଁ । ଏହି ସ୍ୱାଭାବିକ୍ ଚିତ୍ର ଦେବା ଭିତରେ ତାଙ୍କର ଲୋକଶିକ୍ଷା, ଆଧ୍ୟାତ୍ମିକତା, ସଂସ୍କାରମୁଖୀ ଚେତନା ପରିସ୍ଫୁଟିତ ହୋଇ ଗଣକବିଙ୍କ ମୌଳିକ ଶୈଳୀର ଚିରନ୍ତନ ଆବେଦନକୁ ସୁରକ୍ଷିତ ରଖି ପାରିଛି । ସର୍ବଭାରତୀୟ ଚେତନା ଓ ବିଶ୍ୱ ଚେତନା ସହିତ ଏହାର ସାଦୃଶୀ, ସମ୍ପର୍କ ପାଠକ କେବେ ପାଇଲେ ଆଦୌ ବିସ୍ମିତ ହୁଏ ନାହିଁ ବରଂ ନିଜ ଭିତରେ ଅନୁଭବ କରେ ଏକ ବ୍ୟାପ୍ତିବୋଧ । ଲୋକ ଭିତରେ ଥାଇ ନିଜର ଶିକ୍ଷାତ୍ମକ ସଂସ୍କାର ମୂଳକ ଓ ଆଧ୍ୟାତ୍ମିକ ଦୃଷ୍ଟି ଭଙ୍ଗୀଟି ସେ ଯେମିତି ଆପଣାର ଲୋକଭଳି ପ୍ରକାଶ କରେଇ ପାରନ୍ତି, ସେତିକି ଆନ୍ତରିକତା କ୍ୱଚିତ୍ ଅନ୍ୟତ୍ର ଦେଖାଯାଏ ।

 

ହରିଶ୍ଚନ୍ଦ୍ର ଗୀତିନାଟ୍ୟରେ...(ଗୀତନୁହେଁ ସଂଳାପରେ)

 

ଦେହ ପରା ରଥ

ଆତ୍ମା ଅଟେ ସାରଥି ତାହାର

ପ୍ରକୃତି ଅଶ୍ୱକୁ ଯୋଚି ଜ୍ଞାନ ବେତ୍ରାଘାତେ

ଚଳାନ୍ତି ଏ ସଂସାର ସଂଗ୍ରାମେ

 

କିମ୍ବା ସ୍ୱାଧୀନତା ପାଇଁ ନିଜ ବିଚାରବୋଧର ପ୍ରାଜ୍ଞିକ ପରିଚୟ ମିଳେ ତାଙ୍କ କବିତାରେ-

 

ନାହିଁ ବୁଝାମଣା ତାହାଙ୍କ ମଧ୍ୟରେ

ପୂରିଛି ହୃଦୟ କପଟ ଛଳରେ

ଏଥିରେ ବା ସାଧି ହେବ କେଉଁ କଥା

 

ସବୁ କାର୍ଯ୍ୟେ ମୂଳ ମନ୍ତ୍ରଟି ଏକତା

ଏ ସମସ୍ତ ବୁଝି ହୁଅ ଅଗ୍ରସର

ଲଭିବ ସ୍ୱରାଜ୍ୟ ଯେବେ, ଧୈର୍ଯ୍ୟଧର ।

 

ବ୍ୟଙ୍ଗ ଭିତରେ ସଂସ୍କାର ଆଉ ଶିକ୍ଷାର ଅବତାରଣା କରିବାକୁ ଯାଇ କବିଙ୍କ ଏଇ ଲୋକପ୍ରିୟ ଗୀତଟି ଚିରସ୍ମରଣୀୟ ହୋଇ ଜନ ଚିତ୍ତରେ ଆଲୋଡ଼ନ ସୃଷ୍ଟିକରି ଆସିଛି ।

 

ପେଷା ହେଲା ନିଶା ଖାଇବା

ବେଶ୍ୟା ଖଟପରେ ଶୋଇବା

ପେଟେ ନାହିଁ ଦାନା ଦେଇ ଧଳାକନା

ମହତ ରଖିଲେ ରଜକ କୁଳ

କ୍ଷୀତିକୁ ଭୀତି ହେଲା ପ୍ରବଳ

ପଇସାରେ ପାନ ପାଞ୍ଚଟା ଛଅଟା

ଟଙ୍କାରେ ଛ’ସେର ଅଧେ ଚାଉଳ’’

 

ବିଭିନ୍ନ ରସର ସମାଶ୍ରୟରେ ନାଟ୍ୟକାର ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ଜୀବନ୍ତ । ନାଟ୍ୟଶାସ୍ତ୍ରର ଏହି ରସବିନ୍ୟାସ ଉପରେ ସେ ଗୁରୁତ୍ୱ ଦେଇଥିଲେ ସବୁଠୁ ବେଶୀ । ପାଠକ ବା ଦର୍ଶକ ବୀର, କରୁଣ, ରୌଦ୍ର, ଭୟାନକ, ହାସ୍ୟ, ଶାନ୍ତି ଆଦି ରସଗୁଡ଼ିକର ଶକ୍ତିଶାଳୀ ରୂପାୟନ ତାଙ୍କର ରଙ୍ଗସଭା, ଧ୍ରୁବ ଚରିତ, ନଳଦମୟନ୍ତୀ, ହରିଶ୍ଚନ୍ଦ୍ର ଗୀତିନାଟ୍ୟ, କାର୍ତ୍ତବୀର୍ଯ୍ୟ ସଂହାର, ସାକ୍ଷୀଗୋପାଳ; ଖୁଲଣା ସୁନ୍ଦରୀରେ ପାଇ ପାରିବେ । ଚୌର ଚନ୍ଦ୍ର ଚୂଡ଼ାମଣି ତାଙ୍କର ଏକ ବ୍ୟତିକ୍ରମ କଳ୍ପନା । କବିଙ୍କର ଆତ୍ମସଚେତନତା ଜୀବନର ବାସ୍ତବତାକୁ ଅତି ମର୍ମସ୍ପର୍ଶୀ ଭାବେ ପ୍ରକାଶ କରିପାରିଛି ।

 

ରାଜାଘରେ ଚାକିରି ଖଟି

ବରଷକେ ଜମା ଦି’ରିନ ଛୁଟୀ

ପରମୁଖ ଚାହିଁ ଭାରିଯା ମୋହର

ହରଷରେ ଦିନ ନେଉଛି କାଟି

 

X X X

ଇସତଫା କରି ଦାଖଲ ମୁହିଁ ମୋର ଲାଗିବି ମୂଲ

ସେ ହୋଇବ ଭଲ

ବଇଷ୍ଣବ ଭାଷ, ତା ନୋହିଲେ ଚାଷ କରି

ଲଙ୍ଗଳରେ ଚିରିବି ମାଟି

(ଚୌର ଚନ୍ଦ୍ର ଚୂଡ଼ାମଣି)

 

ସାଂପ୍ରତିକ ନାଟ୍ୟ ଆନ୍ଦୋଳନରେ ଲୋକନାଟ୍ୟକଳାର ପ୍ରୟୋଗବାଦୀ ପ୍ରସଙ୍ଗରେ ସର୍ବପ୍ରଥମେ ବୈଷ୍ଣବ ପାଣିଙ୍କୁ ହିଁ ଅନୁକରଣ କରିଛନ୍ତି ଆଧୁନିକ ନାଟକ ‘ଅମୃତସ୍ୟ ପୁତ୍ରଃ’ ଓ ‘କାଠଘୋଡ଼ା’ରେ ନାଟ୍ୟକାର ଶ୍ରୀ ମନୋରଞ୍ଜନ ଦାସ । ତାଙ୍କର ବିଭିନ୍ନ ‘ବୃତ୍ତେ’ ଅନୁସରଣ କରି ମନୋରଞ୍ଜନ ଲେଖନ୍ତି କାଠଘୋଡ଼ାରେ ଆଧୁନିକ ପ୍ରସଙ୍ଗରେ ଅବତାରଣା କରି :

 

‘‘ନାଟକର ହୋଇଲା ଶେଷ

ମନେ ଭାଇ କିଛି ନ ଘେନ ରୋଷ

କାଠଘୋଡ଼ା ସେଇ ଚାଲିକି ପାରିବ

ଫିଟାଇଣ ଦେଲେ ଗଳାରୁ ଫାଶ’’

 

ବ୍ରେଚ୍‌ଟଙ୍କ ଏପିକ୍ ଥିଏଟର ପଦ୍ଧତି ଅନୁସରଣ କରି ବହୁ ନାଟ୍ୟକାର ଲୋକନାଟକ ଶୈଳୀର ପ୍ରୟୋଗ କଲାବେଳେ ଏହି ଅମର ପ୍ରତିଭାର ସ୍ମୃତିଚାରଣ କରିବାରେ ବଶମ୍ବଦ ହୋଇ ପ୍ରଶଂସା ମୁଖର ହୋଇ ଉଠନ୍ତି ।

 

 

ଛାୟାପଥ, ନୟାଗଡ଼ / ପୁରୀ

ନୟାଗଡ଼-୭୫୨୦୬୯

***

 

ଗଣକବିଙ୍କ ସୃଷ୍ଟି-ସମ୍ଭାର

-ଗୀତିନାଟ୍ୟ, ଗୀତାଭିନୟ ଓ ସୁଆଙ୍ଗ-

 

ମେଘନାଦ ବଧ,

୬୨

ରଘୁ ଅରକ୍ଷିତ

ବଲ୍ୟଲୀଳା

୬୩

ଶ୍ରୀବତ୍ସ ରାଜା

ରଙ୍ଗସଭା

୬୪

ରାବଣ ଦିଗ୍‌ବିଜୟ

ନଳ ଦମୟନ୍ତୀ

୬୫

ଶାମ୍ଭବିଭା

ମହୀରାବଣ ବଧ

୬୬

ଶକୁନ୍ତଳା

ପ୍ରହ୍ଲାଦ ଚରିତ

୬୭

ଲକ୍ଷ୍ମୀପୁରାଣ

ଭକ୍ତବୀର ସୁଧନ୍ଵା

୬୮

ତ୍ରିପୁରମୋହିନୀ ହରଣ

ପ୍ରମିଳାର୍ଜ୍ଜୁନ

୬୯

ଅର୍ଜ୍ଜୁନ ଲାଖବିନ୍ଧା

କାଞ୍ଚନ କୁମାରୀ

୭୦

ମାଧବ ସୁଲୋଚନା

୧୦

ରାବଣ ବଧ

୭୧

ସିନ୍ଧୁବଧ

୧୧

ସୀତା ବନବାସ

୭୨

ଯଯାତୀ କେଶରୀ

୧୨

ଅଭିମନ୍ୟୁ ବଧ

୭୩

ଚୌରଚନ୍ଦ୍ର ଚୂଡ଼ାମଣି

୧୩

କର୍ଣ୍ଣଦାନ ପରୀକ୍ଷା

୭୪

ଭସ୍ମାସୁର ବଧ

୧୪

ବିଲ୍ଵମଙ୍ଗଳ

୭୫

ରାସଲୀଳା

୧୫

କର୍ଣ୍ଣବଧ

୭୬

ମଦନ ସୁନ୍ଦର

୧୬

ଦୁର୍ଯ୍ୟୋଧନ ବଧ

୭୭

ଶ୍ଵେତ ବସନ୍ତ

୧୭

ସୁଭଦ୍ରା ହରଣ

୭୮

ଅଶ୍ଵମେଧ ଯଜ୍ଞ

୧୮

ଦକ୍ଷଯଜ୍ଞ

୭୯

ଗୋଧନ ହରଣ

୧୯

ଧ୍ରୁବ ଚରିତ

୮୦

ବେଣୀ ବନ୍ଧନ

୨୦

କଳାପାହାଡ଼

୮୧

ନିକୁଞ୍ଜ ମିଳନ

୨୧

ଭୀଷ୍ମ ଶରଶଯ୍ୟା

୮୨

ଦାନବୀର ସୁରସେନ

୨୨

ପ୍ରଭାସ ମିଳନ

୮୩

ଭକ୍ତ ଚନ୍ଦ୍ରହାସ

୨୩

ସଂଯୁକ୍ତା ପରିଣୟ

୮୪

ଶ୍ରୀମନ୍ଦିର

୨୪

ହରପାର୍ବତୀ ବିଭା

୮୫

କର୍ଣ୍ଣାର୍ଜ୍ଜୁନ

୨୫

ଖୁଲଣା ସୁନ୍ଦରୀ

୮୬

କେଦାର ଗୌରୀ

୨୬

ଆଦ୍ୟକାଣ୍ଡ

୮୭

ନିବାତକ ବଧ

୨୭

ବିରହ ଲହରୀ

୮୮

ଲଙ୍କାପୋଡ଼ି

୨୮

ବିଦ୍ୟାସୁନ୍ଦର

୮୯

ବିଦ୍ୟାସୁନ୍ଦର

୨୯

କୀଚକ ବଧ

୯୦

ଅନାଥ ବାଳକ

୩୦

ନରମେଧ ଯଜ୍ଞ

୯୧

ସମ୍ବରାସୁର ବଧ

୩୧

ପାରିଜାତ ହରଣ

୯୨

ପର୍ଶୁରାମ ମାତୃହତ୍ୟା

୩୨

କପଟପାଶା

୯୩

ସାକ୍ଷୀଗୋପାଳ

୩୩

ମଲ୍ଲୀଫୁଲ

୯୪

ଲକ୍ଷ୍ମୀ ଲାଖବିନ୍ଧା

୩୪

ସୁମନ୍ତକ ମଣି ହରଣ

୯୫

ପାର୍ବତୀ

୩୫

ସୁଶୀଳ ମାଳତୀ

୯୬

ମହୀକର୍ଣ୍ଣ ବଧ

୩୬

ଗୁଲେବ କଓ୍ଵାଲି

୯୭

ମୁରାସୁର ବଧ

୩୭

ଗୁପ୍ତ ବନବାସ

୯୮

ବଳୀ ବଧ

୩୮

ନିକୁମ୍ଭାସୁର ବଧ

୯୯

ଚନ୍ଦ୍ରଗୁପ୍ତ

୩୯

ଗୋସିଂହ ବଧ

୧୦୦

ମୀରାବାଈ

୪୦

ମହିଷାସୁର ବଧ

୧୦୧

ଯଦୁବଂଶ ଧ୍ଵଂସ

୪୧

ଭୂତକେଳି

୧୦୨

ମୁକ୍ତାଚୋରି

୪୨

କଂସ ଦିଗ୍‌ବିଜେ

୧୦୩

ବବ୍ରୁବାହନ

୪୩

ଲାବଣ୍ୟବତୀ ଚନ୍ଦ୍ରଭାନୁ ପରିଣୟ

୧୦୪

ନିର୍ବାସିତ ରାଜପୁତ୍ର

୪୪

ଭକ୍ତ ସୁଦାମ

୧୦୫

ହରିଶ୍ଚନ୍ଦ୍ର

୪୫

ବାଲ୍ୟବିନୋଦ

୧୦୬

ଲକ୍ଷ୍ମଣ ଶକ୍ତିଭେଦ

୪୬

ଶଙ୍ଖଚୂଡ଼ ବଧ

୧୦୭

କାଞ୍ଚି କାବେରୀ

୪୭

ପ୍ରବୀର ପତନ

୧୦୮

ଜୟନ୍ତ ଜୟପାଳ

୪୮

ସମୁଦ୍ର ମନ୍ଥନ

୧୦୯

ଚନ୍ଦ୍ରାବତୀ ହରଣ

୪୯

ମୁରାସୁର ସ୍ଵର୍ଗ ବିଜୟ

୧୧୦

ମୋହନ ସୁନ୍ଦର

୫୦

ଇଚ୍ଛାବତୀ ହରଣ

୧୧୧

ଦାରୁଣାସୁର ବଧ

୫୧

ଖାଣ୍ଡବ ଦହନ

୧୧୨

ଶୁକଦେବ ଜନ୍ମ

୫୨

ଜଳନ୍ଧର ବଧ

୧୧୩

ସସେମିରା

୫୩

ଗଙ୍ଗା ଭଗୀରଥ

୧୧୪

ବସ୍ତ୍ର ହରଣ

୫୪

ଅଲକ୍ଷ୍ମୀ ବିଭା

୧୧୫

ଚଣ୍ଡୀଯୁଦ୍ଧ

୫୫

ଶ୍ରୀବତ୍ସ ପଦାଘାତ

୧୧୬

ଠକପୁରାଣ

୫୬

କାର୍ତ୍ତବୀର୍ଯ୍ୟ ସଂହାର

୧୧୭

ବକାସୁର ବଧ

୫୭

ବୈଲୋଚନ ବଧ

୧୧୮

ବସନ୍ତ ରାସ

୫୮

ଦ୍ରୋଣାଚାର୍ଯ୍ୟ ବଧ

୧୧୯

ବାଣା ପରାଜୟ

୫୯

ବ୍ରଜଲୀଳା

୧୨୦

ଦଣ୍ଡୀପର୍ବ

୬୦

ରାମ ବନବାସ

୧୨୧

କାଳକେତୁ ଫୁଲରା

୬୧

ନିଷାଦର ହରିପଦ ଲାଭ

 

 

 

 

 

–ଫାର୍ଶ–

ଫାର୍ଶ ମୂଳକ

୧୧

ଭୀମାବାୟା ଫାର୍ଶ

ସଉଦାଗର ଫାର୍ଶ

୧୨

ଭି. ପି. ବର

ଫାର୍ଶ ଲହରୀ

୧୩

କେଳା କେଲୁଣୀ ଫାର୍ଶ

ଆବୁହୋସେନ ଫାର୍ଶ

୧୪

କଲିକତିଆ ଜୋଇଁ

ନାଟୁଆ ମହାନ୍ତି ଫାର୍ଶ

୧୫

ମା ଡାହାଣୀ ପୁଅ ମଦୁଆ

କ୍ୟାପରୁଆ ଫାର୍ଶ

୧୬

ନୂଆଜୋଇଁ ଫାର୍ଶ

ଆଲିବାବା ଫାର୍ଶ

୧୭

ତେରଦିନିଆ ଯମ

ତାରାବଈ ଫାର୍ଶ

୧୮

ଶ୍ୟାମାଅଜା ଫାର୍ଶ

ଗୋପାଳଭାଣ୍ଡ ପ୍ରହସନ

୧୯

ବୁଢ଼ାବୁଢ଼ୀ ଫାର୍ଶ

୧୦

ଫାର୍ଶ ସାଗର

୨୦

ଫାର୍ଶ ଭଣ୍ଡାର

 

କାବ୍ୟ, ଉପନ୍ୟାସ, କାହାଣୀ, ସଙ୍ଗୀତ, ଭଜନ, ଜଣାଣ ଓ ଅନ୍ୟାନ୍ୟ

 

କିଶୋରୀ ବିଳାପ

୪୨

ସଙ୍ଗୀତ ଲବଙ୍ଗ ଲତା

ମନସା ମଙ୍ଗଳ

୪୩

ସଙ୍ଗୀତ ସରୋଜିନୀ

ସପ୍ତାହ ଭାଗବତ ମାହାତ୍ମ୍ୟ

୪୪

ସଙ୍ଗୀତ ବନାରସ

କୁମାରୀ ରାମାୟାଣ

୪୫

ସଙ୍ଗୀତ ଫୁଲବାଗନ

ଶୋକଶାସ୍ତ୍ର

୪୬

ଡୁଏଟ୍‌ମାଳା

ଶକୁନ୍ତଳା

୪୭

ନିୟତି ଗୀତପୋଥି

ଭାଗବତ ମାହାତ୍ମ୍ୟ

୪୮

ସଙ୍ଗୀତ ବନଫୁଲ

ଉତ୍କଳ ତୀର୍ଥ ମାହାତ୍ମ୍ୟ

୪୯

କୀର୍ତ୍ତନ ସୁଧାନିଧି

ଗୃହଲକ୍ଷ୍ମୀ

୫୦

ଧୈର୍ଯ୍ୟଧର

୧୦

ବିଂଶକୁମାର ଚରିତ

୫୧

ଅନ୍ତିମ ଶଯ୍ୟାରେ ସର୍ଦ୍ଦାରଜୀ

୧୧

ଦ୍ଵାବିଂଶକୁମାରୀ ଚରିତ

୫୨

ଖନାବଚନ

୧୨

ସ୍ଵାମୀସ୍ତ୍ରୀ

୫୩

ଠକ ଯାପାନ

୧୩

ଦୁଃଖିନୀ ଗୋବର ଗୋଟେଇ

୫୪

ଅବୟବ (ଅପ୍ରକାଶିତ)

୧୪

ସଙ୍ଗୀତ ସୁଧା

୫୫

କର୍ମ (ଅପ୍ରକାଶିତ)

୧୫

ସଙ୍ଗୀତ ନବମଲ୍ଲିକା

୫୬

ଉତ୍କଳମାତା ଦୁର୍ଦ୍ଦଶା

୧୬

ସଙ୍ଗୀତ ପ୍ରେମଲହରୀ

୫୭

ପଞ୍ଜାବକେଶରୀ ବିୟୋଗେ

ଶୋକ (ଅପ୍ରକାଶିତ)

୧୭

ଚନ୍ଦନହୋରୀ ସଙ୍ଗୀତ

୫୮

ସ୍ଵରାଜ୍ୟ ପ୍ରଶଂସା (ଅପ୍ରକାଶିତ)

୧୮

ସଙ୍ଗୀତ ଅଟମୋହିନୀ

୫୯

ବିଲଙ୍କା ରାମାୟଣ

୧୯

ସଙ୍ଗୀତ ମଧୁମାଳତୀ

୬୦

ଆତ୍ମକାହାଣୀ

୨୦

ଶ୍ରୀ ନୀଳାଚଳନାଥ ଜଣାଣ

୬୧

ଜଗନ୍ନାଥ ନାମାବଳୀ

୨୧

ଜଣାଣ ମାଳିକା

୬୨

ଜାତୀୟ ଗୀତିକା

୨୨

ନବଗ୍ରହ ଜଣାଣ

୬୩

ଓଡ଼ିଆ ନାରୀଶିକ୍ଷା

୨୩

ସ୍ତୁତି ମାଳିକା

୬୪

ନଟୁ ଚୋରୀ

୨୪

ଅବଧୂତ ଭଜନ

୬୫

ସୀତାଚୋରୀ

୨୫

ତ୍ରିନାଥମେଳା ଭଜନ

୬୬

ଲବଣଚୋରୀ

୨୬

ଭାଗବତ ଭଜନମାଳା

୬୭

କେଳା କେଳୁଣୀ

୨୭

ପକେଟ ଭଜନାବଳୀ

୬୮

ବସ୍ତ୍ରହରଣ

୨୮

ସର୍ବଦେବଦେବୀ ଜଣାଣମାଳା

୬୯

ଶ୍ରୀମନ୍ଦିରରେ ହରିଜନ ପ୍ରବେଶ

୨୯

ଦୁର୍ଗାପୂଜା ନାମାବଳୀ

୭୦

ମୂଲିଆପୁଅ

୩୦

କଟକଚଣ୍ଡୀ ଜଣାଣ

୭୧

ଶ୍ରୀ ରାଧାଙ୍କ ସୂର୍ଯ୍ୟପୂଜା

(ଅପ୍ରକାଶିତ)

୩୧

ନଦୀୟା କୀର୍ତ୍ତନ

୭୨

ଆଗତରବିଷ୍ୟ ମାଳିକା

୩୨

ନିଗମ ଗୀତା

୭୩

ଶ୍ରୀକୃଷ୍ଣ ଘାଟସଜା

୩୩

ଓଲଟ ଚଉତିଶା

୭୪

ମୋ ଟଙ୍କା (ଅପ୍ରକାଶିତ)

୩୪

ନୀଳାଚଳ ଚଉତିଶା

୭୫

ଜଳକେଳି (ଅପ୍ରକାଶିତ)

୩୫

ନାମାବଳୀ ଚଉତିଶା

୭୬

ଉତ୍କଳମାତା ଶୋକ

୩୬

ଶାରଳାଦେବୀ ଜଣାଣ ଚଉତିଶା

୭୭

ଭାରତମାତା ଶୋକ

୩୭

ରାଧାକୃଷ୍ଣ ଚଉତିଶା

୭୮

ବାପୁଜୀ ଗୁଣକୀର୍ତ୍ତନ (ଅପ୍ରକାଶିତ)

୩୮

ଉତ୍କଳ କବିଙ୍କ ଗୁଣାବଳୀ

୭୯

ସତ୍ୟାଗ୍ରହୀଙ୍କୁ ପ୍ରଶଂସା (ଅପ୍ରକାଶିତ)

୩୯

ସଙ୍ଗୀତ ସୁଧାଭଣ୍ଡାର

୮୦

ନାବକେଳି

୪୦

ସଙ୍ଗୀତ ଫୁଲହାର ସାର

୮୧

ଦ୍ଵାରୀ ସଙ୍ଗୀତ

୪୧

ସଙ୍ଗୀତ ଚହଟମଲ୍ଲୀ

 

 

 

* ଶ୍ରୀ ବୀରକିଶୋର ଦାସଙ୍କ ଦ୍ଵାରା ରଚିତ ‘ଗଣକବି ବୈଷ୍ଣବ ପାଣି’ ଶୀର୍ଷକ ପୁସ୍ତକରୁ ସଂଗୃହୀତ

 

***

 

ଗଣକବି ବୈଷ୍ଣବ ପାଣିଙ୍କ ଜୀବନୀ ଓ କୃତି ସଂପର୍କିତ

କେତେକ ପ୍ରକାଶିତ ଗ୍ରନ୍ଥ :

 

 

***